ଲେଖା: ଶିଶିର ସାହୁ ମନୋଜ

ଓଡ଼ିଆ ଭାଷାରେ “ବାରମାସୀ” ନାମରେ ଏକ ଜାତୀୟ ଗୀତର ପ୍ରଚଳନ ଥିଲା । ବାରମାସୀ ଗୀତ ଭାଵ, ସ୍ଥିତି, ଵ୍ଯକ୍ତି ଓ ଵିଷୟ ଆଧାରରେ ଵିଭିନ୍ନ ପ୍ରକାରର ହୋଇଥାଏ ।

ଵର୍ଷରେ ଵା ଵର୍ଷକର ପ୍ରତ୍ଯେକ ମାସରେ ଵିରହିଣୀର ଵିରହ ଅନୁଭୂତିଜ୍ଞାପ କଵିତା, ଵର୍ଷର ପ୍ରତିମାସର ଵର୍ଣ୍ଣନା ଉଲ୍ଲେଖ କରି ଦେଵତାଙ୍କ ଉଦ୍ଦେଶ୍ଯରେ ରଚିତ ଗୀତ, ଵର୍ଷର ପ୍ରତ୍ଯେକ ମାସର ପ୍ରକୃତି ଵର୍ଣ୍ଣନାତ୍ମ ପଦ୍ୟ ଇତ୍ୟାଦିକୁ ସାଧାରଣତଃ ବାରମାସୀ ଗୀତ କୁହାଯାଉଥିଲା ।

ବାରମାସ ଯାକର କଥା ଏଭଳି ଗୀତରେ ରହୁଥିଲା ଏଵଂ ବାରମାସୀ ଗୀତାରମ୍ଭ ସବୁଵେଳେ ମାର୍ଗଶୀରରୁ କରାଯାଉଥିଲା  ।  ଅତିପ୍ରାଚୀନ କାଳରେ ଭାରତରେ ମାର୍ଗଶୀର ମାସରୁ ଵର୍ଷାରମ୍ଭ ଗଣନା କରାଯାଉଥିଲା ଏଇକଥାକୁ ମନେ ରଖିଵା ପାଇଁ ମାର୍ଗଶୀର ମାସରୁ ବାରମାସୀ ଗୀତଟି ଆରମ୍ଭ ହୋଇଥାଏ । ଅଧିକାଂଶତଃ ବାରମାସୀ ଗୀତଗୁଡି଼କ ଵିରହୀଗୀତ। ପ୍ରେମୀ, ପତି, ପୁତ୍ର ଇତ୍ୟାଦିଙ୍କର ଵିରହରେ ପ୍ରେମିକା, ପତ୍ନୀ ଓ ମାତାଙ୍କ ମନର ଭାଵନା ଯେଉଁ ଗୀତ ମଧ୍ୟରେ ବାରମାସର ଉଲ୍ଲେଖ ପୂର୍ଵକ ପ୍ରକାଶ ପାଉଥିଲା ତାକୁ ବାରମାସୀ ଗୀତ କୁହାଯାଉଥିଲା । 

ନିମ୍ନରେ କେତେକ ବାରମାସୀ ଗୀତର ଉଦାହରଣ ଦିଆଗଲା . .

୧. ମାତୃ ଵିଳାପ:
ପୁତ୍ର ଵିୟୋଗରେ ମାତା କୌଶଲ୍ଯାଙ୍କର ଵିଳାପ କରୁଛନ୍ତି !

ଏ ଯେ ମଗୁଶୀର ମାସ,
କାକର ପଡେ଼ ଵିଶେଷ
ଶୀତଳ ପଵନ ବହେ ଘନ ଘନ
ମୋ ପୁତ୍ର କରିଵ କିସ
କୋଇଲି ଶୁଣ ଲୋ ।।

ବଇଶାଖ ଖରା ଚାହିଁ,
ବାହାରକୁ ନୋହେ ଯାଇ
କେଉଁ ଵୃକ୍ଷମୂଳେ ଜୀଵନ ଵିକଳେ
ଥିଵ ମୋର ପୁତ୍ର ରହି
କୋଇଲି ଶୁଣ ଲୋ ।।

ଦେଖ ଧାରା ଶିରାବଣ,
ଜଳ ପଡେ଼ ଅନୁକ୍ଷଣ
ଘର ଘାଟ ନାହିଁ ମୋ ଦୁଃଖୀ ସଙ୍ଖାଳି
କି ରୂପେ କାଟିଵ ଦିନ
କୋଇଲି ଶୁଣ ଲୋ ।।

ମାଘରେ ତହୁଁ ଅଧିକ,
ଗରିଵ ଦୁଃଖଦାୟକ
ଅମୂଲ୍ୟ ସୁପାତି ତେଜି ରଘୁପତି
ବୁଲଇ କାନନଯାକ
କୋଇଲି ଶୁଣ ଲୋ ।।

୨. ସ୍ତ୍ରୀ ଵିଳାପ:
ଚଇତ୍ରେ ଫୁଟଇ ମଲ୍ଲି
କହି ଯାଇଥିଲେ ଆସିଵେ
ବୋଲି ହେ ମଧୁଵନ !
ବାଟ ଚାହିଁ ଚାହିଁ ମଲି ।।

୩. ପ୍ରେମ ପ୍ରସଙ୍ଗ:
ଆଶିଣ ମାସରେ କୁଆଁରୀ ଜହ୍ନ
ଯୁଗ ଖେଳିଵାକୁ ହେଉଛି ମନ
ଅଷ୍ଟସଖି ଆମେ ଗାଧେଇ ଯିଵା
ବରଣମାଳାରେ ବରି ଆଣିଵା
କ୍ଷମା କରୁଣାନିଧି
ତେଜିଗଲେ କୃଷ୍ଣ ନସ୍ଫୁରେ ବୁଦ୍ଧି ।।

ସ୍ତ୍ରୀ: କାର୍ତ୍ତିକେ ଦିପାଳୀ ଜାଳି ଦେଖୁଥିଵି ମୁଖ
ନାହିଁ ପ୍ରୀତି ସୁଖୁଁ ବଳି ଆଉ କିଛି ସୁଖ ହେ !
ତୁମ ଵିନା ଝୁରି ଝୁରି ମରିଯିବି ସିନା  ।।

ପୁ: କାର୍ତ୍ତିକ ଧରମ ମାସ ଶୁଭେ ସଂକୀର୍ତ୍ତନ
କୁଳପୁତ୍ର ଲାଗି କରିବି ରମଣ
ଗୋ ପ୍ରେମମୟୀ !
ଜୟ କରେ ମନ ତୋର ଛଇ ।।

୪. ଖାଦ୍ୟ ବାରମାସୀ:
ମାଗୁଶୀରେ ନୂଆ ଭାତ ଚୁଙ୍ଗୁଡି଼ମାଛ ରସ
ଆଶିଣରେ ଘିଅପିଠା କାର୍ତ୍ତିକେ ହଵିଷ୍ଯ
ପୁଷମାସେ ମୂଳା ମୁଢି଼ ଖାଇଵାକୁ ମିଠା
ଘନ ଆଉଟା ପାଟକପରା ଚକଟା ପୋଡ଼ପିଠା ।
×××  ×××  ×××
ଜେଷ୍ଠରେ ପାଚିଲା ଆମ୍ବ ଆଶାଢେ଼ କଣ୍ଟାଳ
ଣ୍ରାଵଣେ ତାଳ ଭାଦ୍ରରେ ନୂଆ ଚୁଡା଼ ଗୁଡ଼ ।
×××  ×××  ×××
ବାରମାସରେ ବାର ଖାଇଲୁ ଆଉ ଖାଇବୁ କି ?
ପଖାଳ ଭାତରେ ବାଇଗଣପୋଡା଼ ଖେଚୁଡ଼ି ଭାତରେ ଘି !

~ ଛମାସୀ ~
ବାରମାସୀ ଭଳି ଏକଜାତୀୟ ଛମାସୀ ଗୀତ ବି ରହିଛି ଯେଉଁଥିରେ ଛମାସର କଥା କୁହାଯାଏ । ଯଥା:
“କାତିକି ― ଶୀତ କରେ ରାତିକି
ମଗୁଶିରୀ ― ଶୀତ କରେ ଶିରି ଶିରି
ପୁଷ୍ ― ଶୀତ କରେ ଭୁଷ୍ ଭୁଷ୍
ମାଘ୍ ― ଶୀତର ବଡ଼ ରାଗ୍
ଫଗୁଣ ― ଶୀତ କରେ ଦିଗୁଣ
ଚଇତ ― ଶୀତ ଯାଏ ବୋଇତ ।”

ବାରମାସୀ ଲୋକଗୀତ, କଵିତାର ଭାଵ ଓ ସଙ୍ଗୀତର ସ୍ଵର ସଂଯୋଗରେ ଅନଵଦ୍ଯ ହୋଇଯାଏ । ଅନ୍ତରରୁ ରସଧାରା ସଙ୍ଗେ ଯେଉଁ ସ୍ଵର, ଯେଉଁ ଛନ୍ଦ ଆପେ ଆପେ ବାହାରି ଆସେ, ବାରମାସୀ ସେହି ସ୍ଵର ସେହି ଛନ୍ଦରେ ଲେଖା ହୋଇଥାଏ ।

ବାରମାସୀ ନାରୀର ନିଜସ୍ୱ । ଏହା ଅତୀତ ସ୍ମୃତିର କରୁଣରସରେ ଝଙ୍କୃତ, ଦୁଃଖମୟ ଜୀଵନ ଅନୁଭଵ ଆଶଙ୍କାରେ ଆତଙ୍କିତ । ମୁର୍ମୁରଦାହର ଉଷ୍ମତା, ନିର୍ଜ୍ଜନ ସନ୍ଧ୍ୟାରେ ଏକମାତ୍ର ଵୀଣାଝଙ୍କାରର କରୁଣତା, ସବୁଜ ଅନ୍ତରର ସଜୀଵତା ଏଥିରୁ ମିଳିଥାଏ ।

ସନ୍ଦର୍ଭ: ଓଡ଼ିଆ ଲୋକଗୀତ ଓ କାହାଣୀ (ଡ. କୁଞ୍ଜ ଵିହାରୀ ଦାଶ); ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago