ଲେଖା: ଅକ୍ଷୟ ଓଝା
ରଜ ସରୁ ସରୁ ବର୍ଷା ଆସିଯାଏ ଆମ ଗାଆଁରେ । ଖୁବ୍ ଝୁମି ଝୁମି ବର୍ଷେ । ଚାଳରୁ ବୋହି ପଡେ ବର୍ଷା । ପାଣି ଫୋଟକା ହୋଇ କିଛି ସମୟ ପାଇଁ ଖେଳି ବୁଲେ ପାଣିରେ । ପୁଣି କୁଆଡେ ଉଭାନ ହେଇଯାଏ । ଚାଳ ପାଣିରୁ ଦାଣ୍ଡ ଭରେ ପୁଣି ଗଡ଼ିଯାଏ ଗାଡିଆ ଆଡେ । ଆମେମାନେ ଓଦା ସର ସର ହେଇ ଡଙ୍ଗା ଭସାଉ । କାଗଜଡଙ୍ଗା । ଘଡ଼ଘଡି ମାରେ । ଡରି ପଳେଇ ଆସୁ ପିଣ୍ଡା ଆଡକୁ । ପୁଣି ଦାଣ୍ଡରେ । ଓଦା ସରସର । ଯେ ପର୍ଯ୍ୟନ୍ତ କାହାରି ଆକଟ କିମ୍ବା ପାଟି ନ ଶୁଣିଚୁ । ବାଲ୍ୟ ଜୀବନର ଅସଲି ରଙ୍ଗରେ ରଙ୍ଗେଇ ହେଉ ଯାଉ ଘଡ଼ିଏ ।
ଝଡିପୋକ ଉଡେ଼ । ଇଆଡ଼େ ସିଆଡ଼େ ସବୁଆଡେ । ବର୍ଷାରେ ଭିଜି କଜଳପାତି ଝଡିପୋକ ଧରେ । ବର୍ଷାରେ ଲଟପଟ ହୁଏ । ଚାଳରୁ ପଣସ ଗଛ ଆଡକୁ । ପୁଣି ଉଡିଯାଏ ସଜନାଗଛ ଆଡ଼େ । ଦୁଷ୍ଟ ପିଲା ଭଳି ଖେଳୁଥାଏ ପବନରେ ଓ ବର୍ଷାରେ । ଅନ୍ୟ ଛୋଟ ଚଢେଇମାନେ ବି ଉଡି ବୁଲନ୍ତି ଝଡିପୋକ ଉଦ୍ଦେଶ୍ୟରେ । ଗଛପତ୍ର ଦୋହଲିଥାଏ ସ୍ମିତ ପବନରେ । ବର୍ଷାରେ ଯେମିତି ଏକ ରାଗିଣୀରେ ରା ଧରିଥାଏ ।ଝରକାରୁ କେବେ ପିଣ୍ଡା ଉପରେ ବସି ଖୁବ୍ ଆନନ୍ଦ ଲାଗେ ପକ୍ଷୀ ଓ ବୃକ୍ଷର ଆନନ୍ଦଭରା ଦୃଶ୍ୟ ଦେଖି ।
ଚାଳ ଉପରେ ମାଡ଼ିଥିବା କଖାରୁଲଟାରେ ବଡ଼ ବଡ଼ ପତ୍ର ଆସିଯାଏ । ହଳଦିଆ ଫୁଲରେ ଆଉ ଛୋଟ ଛୋଟ କଖାରୁ କଷିରେ ପିଢ଼ା ଶୋଭନୀୟ ହେଇଯାଏ । ପବନରେ ଖୁବ୍ ଦୋହଲନ୍ତି ଲତାପତ୍ର । ରୋଷେଇ ଘର ଚାଳରୁ ବର୍ଷାମିଶା ଧୂଆଁ କୁଣ୍ଡଳୀ ମାରି ଆକାଶରେ ଉଭାନ ହେଇଯାଏ । ଚମତ୍କାର ଆତ୍ମବିଭୋର କଲା ଭଳି ଦୃଶ୍ୟ ମନ ଛୁଇଁଯାଏ । ଚମତ୍କାର ସବୁଜିମାରେ ଭରିଉଠେ ଗାଆଁ ଉପକଣ୍ଠ । କି ଯାଦୁ ଥାଏ ଏହି ବର୍ଷାରେ ସବୁଜିମା ରଙ୍ଗର ତୂଳୀରେ ପ୍ରକୃତି ଚିତ୍ର ଆଙ୍କି ଦିଏ । କେତେବେଳେ ଆକାଶରେ ଇନ୍ଦ୍ରଧନୁ କଳା ବାଦଲ କେବେ କେବେ ଭସା ବାଦଲ ଆକାଶରେ ରାଜୁତି କରେ ।
ଝିପି ଝିପି ବର୍ଷାରେ ମୁଣ୍ଡରେ ଛତାଟାଏ ଦେଇ ବୋଉ ଖଣ୍ଡେ କାଠିରେ ଖଡାଶାଗ ଟିଏ ପୋତି ଦେବାକୁ ବାହାରି ପଡେ ବାରିଆଡେ । ବୋଉ ହାତରେ ଗଛ ଖୁବ ବଢେ । ଖଡା, ଲେଉଟିଆ, ଛଞ୍ଚିଣା, ଭେଣ୍ଡି, ଜହ୍ନି ଗଛରେ ଆମ ବାଡ଼ି ଭରିଉଠେ । ହଳଦିଆ କଖାରୁ, ଜହ୍ନି ଫୁଲରେ ଆମ ବାଡ଼ି ହସିଉଠେ ବର୍ଷାଦିନେ । ବାରିଆଡ ଭରିଉଠେ ଗଛ ପତ୍ରରେ । ଅରମା ହେଇଯାଏ ଆମ ତଳ ବାଡ଼ି ।
କୃଷକ ଭାଇ ମୁଣ୍ଡରେ ପଖିଆ ଦେଇ ବଳଦଯୋଡ଼ି ସହିତ ଲାଗିପଡ଼େ ବିଲରେ । ହଳ କରେ । ତଳି ଓପାଡେ । ତଳି ରୁ୍ଏ । ଆଣ୍ଠୁଏ ପାଣି କାଦୁଅରେ । ବେଳେବେଳେ ପ୍ରବଳ ବର୍ଷାରେ ଘଡଘଡି ଛାତି ଥରାଏ । ଚଡ଼କ ମାରେ । ବିଜୁଳି ଖେଳେ ଆକାଶରେ । ଜୀବନକୁ ପାଣି ଛଡାଇ କ୍ଷେତରେ କାମ କରେ ବର୍ଷାରେ । ଜୀବନ, ଜୀବିକା ପରିପୁରକ ହେଇଥାନ୍ତି ସେତେବେଳେ ।
ଗାଆଁ ଦାଣ୍ଡ କାଦୁଅ ସରସର ହେଇଯାଏ । ଅସ୍ତବ୍ୟସ୍ତ ହେଇଯାଏ ଜନ ଜୀବନ ଘଡ଼ିଏ । ପିଲାଏ ଓଦା ହେଇ କାଦୁଅ ସରସର ହେଇ ଫେରନ୍ତି ସ୍କୁଲରୁ । ତାଳ ଚଟ ମୁଣ୍ଡରେ ରଖି ଫେରୁ ସ୍କୁଲ୍’ରୁ । ସାଇକଲ ବାଲା ବାଟୋଇ ସାଇକେଲରୁ ଓହ୍ଲେଇ ଧକ୍କା ମାରେ କାଦୁଅ ରାସ୍ତାରେ । କ୍ଷେତ ବାଡ଼ିରେ ବର୍ଷାପାଣି ଲହଡ଼ି ଭାଙ୍ଗେ ହାଲୁକା ପବନରେ ।
ଲଗାଣ ବର୍ଷା ପରେ ବନ୍ୟା ଆସେ ନଦୀରେ । କୂଳ ଲଙ୍ଘି ମାଡ଼ି ଆସେ ଗାଆଁ ସମତଳ ଭୂମି ଆଡକୁ । ଖାଲଖମା ଭରିଯାଏ, ଜଳବର୍ଣ୍ଣ ହେଇଯାଏ ଉପକୂଳ ଅଞ୍ଚଳ । କେତେ ଗାଆଁ ବିଛିନ୍ନ ହେଇଯାଏ ଜଳ ରାଶିରେ । ପୂର୍ଣ୍ଣଗର୍ଭା ନଈ ଭୟଙ୍କର ରୁପ ଧାରଣ କରେ । ଜଳମୟ ହେଇଯାଏ ନଦୀ ତଟବର୍ତ୍ତୀ ଅଞ୍ଚଳ । ପ୍ରବଳ ପାଣି ପ୍ରବାହରେ ସଙ୍କଟାପନ୍ନ ପରିସ୍ଥିତି ଉପୁଜିଥାଏ । କିଛି ଅଞ୍ଚଳ ଦ୍ଵୀପ ପରି ଲାଗେ । ଗମନାଗମନ ବିଛିନ୍ନ ହେଇଯାଏ। କଦଳୀ ଭେଳାରେ ଗମନାଗମନ ହୁଏ । ଏକ ଅବ୍ୟବସ୍ଥା ଭିତରେ ପଲ୍ଲୀଜୀବନ ଚାଲିଥାଏ ସମୟ ତାଳରେ ।
ଗ୍ରାମ୍ୟ ବର୍ଷାଋତୁ ଏକ ଉନ୍ମାଦ କଲା ଭଳି ଆନନ୍ଦ ଅନୁଭବ । ସମସ୍ତଙ୍କୁ ଆନନ୍ଦ ଦେଇଥାଏ । ପିଲାଦିନ ଆଉ ବର୍ଷାଋତୁ ଏକ ଅଭୁଲା ସ୍ମୃତି ଯାହା ସମସ୍ତଙ୍କ ଜୀବନକୁ ପ୍ରଭାବିତ କରିଥାଏ । ପ୍ରକୃତି ସତରେ ଗାଁରେ ବସିଥାଏ । ସବୁ କିଛିର ସମ୍ଭାର ଗାଆଁରେ । ଗଛଲତା, ଫୁଲଫଳ ପଶୁପକ୍ଷୀ ଶାନ୍ତି ଓ ସତ୍ୟର ଜୀବନଚର୍ଯ୍ୟା ଗାଁରେ । ଆମେ କେବଳ ଅଧିକ ସୁଖ ପାଇଁ ନିଜେ ପଥଭ୍ରଷ୍ଟ, କିନ୍ତୁ ଇଶ୍ଵରଙ୍କ ସୃଷ୍ଟି ନିଆରା । ଆମେ ପ୍ରାୟ ବୁଝି ପାରୁନା ।
ହଁ ମୁଁ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଦେଖିଛି । ଇଶ୍ୱରଙ୍କ ସୁନ୍ଦର ସୃଷ୍ଟିକୁ ଦେଖିଛି । ମୋ ଗାଁରେ । ପୁର ପଲ୍ଲୀରେ । ସହରରେ କୁତ୍ରିମ ସୃଷ୍ଟି । ମଣିଷର ।
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…