ଲେଖା: ଅକ୍ଷୟ ଓଝା ଗାଆଁର ଏକ ଶେଷ ମୁଣ୍ଡରେ ଦଣ୍ଡାୟମାନ ଏହି ପୁରୁଣା ବରଗଛ ରୁକୁଣି ପଡିଆ ଗୋଚର ଭୂଇଁର ମଧ୍ୟ ଭାଗରେ । ଖରା ବେଳେ ଗାଈମାନେ ବିଶ୍ରାମ କରନ୍ତି ଏହି ବିଶାଳ ବୃକ୍ଷ ଛାୟାରେ । କେହି କେବେ କ୍ଷେତରୁ ଫେରୁଥିବା କୃଷକ କିମ୍ବା କୃଷକ ପରିବାର ଏହି ବୃକ୍ଷ ଛାୟାରେ ବିଶ୍ରାମ ନିଏ । କେହି ପାଦଚଲା ପଥିକ ଏଇ ବରଗଛ ମୂଳେ ଥକା ମେଣ୍ଟାଇ ଥାଏ । ବଡ଼ ଶାନ୍ତିପ୍ରିୟ ସ୍ଥାନଟିଏ ଆମ ଗାଁ ବାସିନ୍ଦା ପାଇଁ । ପିଲାବେଳେ ଆମେ ସବୁ ଗାଆଁ ପିଲାମାନେ ଏକତ୍ର ହେଇ ଯାଉଥିଲୁ ଏହି ଗଛ ମୂଳେ । ଡାଳମାଙ୍କୁଡି, ଗିଲ୍ଲୀଦଣ୍ଡା, ହୁପ୍ପା ସବୁ ପ୍ରକାର ଖେଳ ଆମେ ଖେଳୁ ଏହି ଗଛ ମୂଳେ । ଏହି ଏକାନ୍ତ ବରଗଛକୁ ନାନା ପ୍ରକାର ଚଢେଇ ଆସନ୍ତି । ଖୁବ୍ କୋଳାହଳ ଲାଗିଥାଏ ଚଢ଼େଇଙ୍କର ଏହି ଗଛରେ । ଏହି ବିରାଟ ଘଞ୍ଚ ପତ୍ର ଗହଳ ବରଗଛ କାଉ, କୋଇଲି, ଶୁଆ, ହଳଦୀ ବସନ୍ତ, ଭଦଭଦଳିଆ, କପୋତ, ବଣି ଚଢ଼େଇ, ସବୁ ପ୍ରକାର ପକ୍ଷୀ ମାନଙ୍କର ଆଡ୍ଡା ବନିଥାଏ ଏହି ବିଶାଳ ବରଗଛ । ଗୁଣ୍ଡୁଚିମାନଙ୍କ ଛକାପଞ୍ଝା ଖେଳ ଖୁବ୍ କୌତୁହଳ ଲାଗେ । କୋଇଲି ବସନ୍ତରେ ଲୁଚି ଲୁଚି ଖୁବ୍ ମନଭରି ଗାଏ ଏହି ଗଛ ଡାଳରେ । ଖୁବ୍ ମଧୁର ଓ ଆତ୍ମ ସନ୍ତୋଷ ଲାଗେ ଏହି କୋଇଲିର ସ୍ଵର । ପଲ୍ଲୀ ଜୀବନର ଆତ୍ମାକୁ ଛୁଇଁ ଯାଏ ଏହି କୋଇଲିର ସ୍ଵରମୂର୍ଚ୍ଛନା । ବେଳେ ବେଳେ ଦୁଷ୍ଟ ମାଙ୍କଡ଼ମାନେ ଆସି ଉତ୍ପାତ କରନ୍ତି ଏହି ବରଗଛରେ ।କେବେ କେବେ ଆସନ୍ତି ମାଙ୍କଡ଼ ଦଳଗତ ଭାବରେ । ପୁଣି ଦିନେ ଦୁଇ ଦିନରେ ଚାଲି ଯାଆନ୍ତି କୁଆଡେ । ଆର ଗାଆଁ ଆଡେ । ଖରାଦିନେ ଥରେ ମୁଁ ବହି ବହିଟିଏ ଧରି ଚାଲିଗଲି ସେଇ ବରଗଛ ମୂଳକୁ । ମାଟ୍ରିକ ପରୀକ୍ଷା ଆଗରେ । ପଢାପଢିର ଚାପ ଥାଏ ବହୁତ୍ । ଅତି ଗରମ ହେଲାରୁ ସାହିତ୍ୟର ଗଳ୍ପମାଳା ବହି ଧରି ମୁଁ ଚାଲିଗଲି ଏଇ ବରଗଛ ମୂଳକୁ । ଅତି କମରେ ଦୁଇଟି ଗଳ୍ପ ତ ପଢି ପାରିବି । ଏଇ ଇଛା ନେଇ ବରଗଛ ପାଖରେ ପହଂଚିଲି । ଗଛ ଠାରୁ କିଛି ଦୂରରେ ଚଟେଇଟିଏ ପକେଇ ଗଛ ଛାଇରେ ବସି ପଡ଼ିଲି । ମୁଁ ମୋ ବହି ସହିତ ମଜ୍ଜି ଗଲି । ମୋ ଅଜାଣତରେ ଜଣେ ନଳୁଆ କେଳା କେତେ ବେଳେ ସେଠି ପହଞ୍ଚି ଯାଇଥିଲା । ବୃକ୍ଷର ଅପର ପାର୍ଶ୍ଵରେ ସେ ତା ନଳ ଯୋଡିବାରେ ଲାଗିଥିଲା । ଘଞ୍ଚ ବରଗଛ ଡାଳରେ କୋଇଲି ଟିଏ ଖରାରେ ଥକି ବରଗଛ ଡାଳରେ ଥକା ମେଣ୍ଟାଉ ଥିଲା । ମୋ ଦୃଷ୍ଟିର ଅନ୍ତରାଳରେ କେଳା ତା ଶିକାର ପାଇଁ ପ୍ରସ୍ତୁତ ହେଉଥିଲା । ନଳ ପରେ ନଳ ଯୋଡ଼ି ଚାଲିଥିଲା ଓ ଶେଷରେ ସେ କୋଇଲି ପାଖରେ ପହଞ୍ଚିଗଲା ଓ ଖୁବ୍ ଜୋରରେ ନଳ ଯୋଡ଼ା ବାଉଁଶ ଅଗରେ ଲାଗିଥିବା ତୀରରେ କୋଇଲିର ଶରୀରକୁ ବିଦ୍ଧ କଲା । ହଠାତ ଏକ ଆର୍ତ୍ତ ଚିତ୍କାରରେ ଗଗନ ପବନ ପ୍ରକମ୍ପିତ ହେଇଦେଲା । ଅତି କରୁଣ ଚିତ୍କାର ଥିଲା ଚଢ଼େଇର । ମୁଁ ଚମକି ପଡ଼ିଲି ସେ ଚିତ୍କାରରେ । ଡରି ଗଲି କ୍ଷଣଟିଏ । ଉଠି ଛିଡ଼ା ହେଇ ଗଲି । ଜଲ୍ଦୀ ପାଦରେ ଚାଲିଲି ଶିକାରୀ ଆଡକୁ । ନଳ ଖୋଲି ଖୋଲି ଶିକାରୀ ତଳକୁ କରୁଥିଲା ଶିକାର କୋଇଲିକୁ । ମୃତ୍ୟୁ ବେଳର ମର୍ମଦୁନ୍ତ୍ ଚିତ୍କାର ର ଧିମି ଆସୁଥିଲା । ହାତ ପାଖକୁ ଆସିବା ମାତ୍ରେ ସେ ଚଢ଼େଇର ବେକ ମୋଡ଼ି କାନ୍ଧରେ ଥିବା ଝୁଲାରେ ପୁରେଇ ଜଲ୍ଦୀ ପାଦରେ ଚାଲି ଗଲା ସେଠାରୁ । ମୁଁ ହତବାକ ଥିଲି । ମାେ ମୁହଁରେ ଶବ୍ଦ ନଥିଲା । ମୋ ଆଖିରେ ଲୁହ । କାହାରି ମର୍ମଦୁନ୍ତ ମୃତ୍ୟୁର ଶେଷ ଚିତ୍କାର ମୁଁ ପ୍ରତ୍ୟକ୍ଷ ଦେଖି ନିଜକୁ ବିଶ୍ଵାସ କରି ପାରୁନଥିଲି । ଆଖିରେ ଲୁହ ଭରି ଘରକୁ ଫେରିଲି । ବହୁତ୍ ଭାଙ୍ଗି ପଡିଲି ଅନେକ ଦିନ ଏହି ଘଟଣାକୁ ନେଇ । ଏଥର ଗାଆଁକୁ ଆସିଲା ପରେ ବହୁତ ଇଛା ହେଲା ସେଇ ବରଗଛ ମୂଳକୁ ଟିକେ ବୁଲି ଯିବାକୁ । କିନ୍ତୁ ଗାଆଁରେ ଥିବା ସାଙ୍ଗ ମାନେ କହିଲେ ସେ ଗଛରେ ଏବେ ଡାଆଣି, ଚିରୁକୁଣି ରହିଲେଣି । ଦିନରେ ବି ଲୋକେ ଡରୁଛନ୍ତି । ଗଛ ମୂଳରେ ନାନା ଜାତିର ସରୀସୃପ ବାସ କଲେଣି । | | |