ଇତିହାସ

ବଣିଆପଡ଼ାର ଧୀରସାମନ୍ତ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
~ ଢେଙ୍କାନାଳର କଥା: ବଣିଆପଡ଼ାର ଧୀରସାମନ୍ତ ~
ଢେଙ୍କାନାଳରେ କରମୂଳ ଅଞ୍ଚଳରେ “ଦା” ଯୁକ୍ତ ଛଅଗୋଟି ଗାଆଁ ରହିଛି । ସେଗୁଡି଼କ ହେଲା, ଏଣଦା, କୁଶିଦା, ବରଦା, ଝାରଦା, ଆଙ୍କୁର୍ଦା ଓ କୋକୀଦା । ଢେଙ୍କାନାଳ ନିଵାସୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କ “ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି” ପୁସ୍ତକରେ ଏହି ନାମକରଣ ପଛର ଐତିହାସିକ କାରଣ ଲିପିବଦ୍ଧ କରିଛନ୍ତି ।‌
ଶ୍ରୀଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଏହି ପୁସ୍ତକ ଅନୁସାରେ ପୂର୍ଵେ କରମୂଳ ନଗରୀର ଦକ୍ଷିଣ ପାର୍ଶ୍ଵସ୍ଥିତ ଭୂଖଣ୍ଡ କରମୂଳ ରାଜ୍ୟଭୁକ୍ତ ଥିଲା କିନ୍ତୁ ବଣିଆପଡ଼ାର ଧୀରସାମନ୍ତ ମାନେ ଏହି ଭୂଖଣ୍ଡର ଭୂମ୍ୟାଧିକାରୀ ବୋଲାଇ ଆପଣାକୁ ସ୍ଵାଧୀନ ଘୋଷଣା କରିଥିଲେ । ଡମରାଜା କଟକରେ ରାଜତ୍ଵ କରୁଥିଵା ନାଗବଂଶୀୟ ରାଜାମାନଙ୍କୁ ପରାସ୍ତ କରି ଧୀର କ୍ଷତ୍ରିୟଵୃନ୍ଦ ଏହି ରାଜ୍ୟ ଅଧିକାର କରିଥିଲେ ହେଁ କରମୂଳ ଅଧିପତିଙ୍କର ସାମନ୍ତ ଭୂମ୍ୟାଧ୍ୟାକାରୀ ରୂପେ ପରିଗଣିତ ହେଉଥିଲେ । କିନ୍ତୁ ପରେ ବଣିଆପଡ଼ାର ଧୀରସାମନ୍ତ କ୍ଷତ୍ରିୟ ବଂଶଜ ରାଜାମାନେ କରମୂଳ ରାଜାଙ୍କ ଦୁର୍ଵଳତାର ସୁଯୋଗ ନେଇ ଆପଣା ଅଞ୍ଚଳକୁ ସ୍ଵାଧୀନ ଘୋଷଣା କରିଦେଲେ ।
ଧୀର ରାଜବଂଶର ରାଜନ୍ୟଵୃନ୍ଦ ଶୈଵ ଧର୍ମାବଲମ୍ବୀ ଥିଲେ ବୋଲି ଜଣାଯାଏ । ବଣିଆପଡ଼ାରେ ସ୍ଥିତ ଶୈଵପୀଠ ସ୍ଵପ୍ନେଶ୍ଵର ମନ୍ଦିର ଏହି ବଂଶର କୀର୍ତ୍ତି । ଗଙ୍ଗାଧର ଧୀର ନାମରେ ଏହି ରାଜବଂଶର ଜଣେ ରାଜା ପଞ୍ଚରଥ ଶୈଳୀରେ ବଣିଆପଡ଼ାରେ ସପ୍ନେଶ୍ବର ମନ୍ଦିର ନିର୍ମାଣ କରିଵା ସହିତ ନୀତିନିଯୋଗ ଓ ଯାନିଯାତ୍ରା ନିମିତ୍ତ ଭୂସମ୍ପତ୍ତି ଖଞ୍ଜା କରିଥିଲେ ବୋଲି ମନ୍ଦିର ଗାତ୍ରରେ ଥିଵା ଉଲ୍ଲେଖରୁ ଜଣାଯାଏ । କିନ୍ତୁ ସପ୍ନେଶ୍ବର ମନ୍ଦିର ଛଡ଼ା ବଣିଆପଡ଼ାର ଧୀରସାମନ୍ତ ବଂଶର ଅନ୍ୟ କୌଣସି କୀର୍ତ୍ତି ଆଵିଷ୍କୃତ ହୋଇନାହିଁ ।
ହରିସିଂହ ବିଦ୍ୟାଧର ବଣିଆପଡ଼ାର ଏହି ଧୀରସାମନ୍ତମାନଙ୍କୁ କର ଦେବାକୁ ସନ୍ଦେଶ ପଠାଇବାରୁ ଧୀରସାମନ୍ତ ଚିଟାଉରେ ଲେଖି ପଠାଇଲେ ଯେ “ଵିନା ଯୁଦ୍ଧରେ ଆମ୍ଭେ ଛଦାମ ଦେବୁ ନାହିଁ ।” ଏଠାରେ ଛଦାମ ଶବ୍ଦ ସମ୍ବନ୍ଧରେ ସାମାନ୍ୟ ଆଲୋଚନା କରିଦେଲେ ଉଚିତ ହେଵ ।
ଓଡ଼ିଆ ଭାଷାରେ ଏହି ଛଦାମ ଶବ୍ଦଟି ଅନେକ ଅର୍ଥରେ ପ୍ରୟୋଗ କରାଯାଏ । ପୂର୍ଵେ ଏକ ପଇସାର ଚାରିଭାଗରୁ ଏକଭାଗକୁ ଛଦାମ କୁହାଯାଉଥିଲା । ପରେ ଏକ ପଇସି ଦୁଇପଇସି ଇତ୍ୟାଦିର ପ୍ରଚଳନ ବନ୍ଦ ହୋଇଗଲା । ତହୁଁ କେତେକ ଅଞ୍ଚଳରେ ଚାରଣିକୁ ମଧ୍ୟ ଏକଟଙ୍କାର ଚାରିଭାଗରୁ ଭାଗେ ଅଂଶ ହୋଇ ଥିଵାରୁ ଛଦାମ କୁହାଯାଉଥିଲା ।ପଇସାର ଚାରିଭାଗର ଭାଗେ ହୋଇଥିଵାରୁ ଛଦାମ ଅତି ଅଳ୍ପ ଅର୍ଥ ପରିମାଣକୁ ବୁଝାଇଥାଏ । ଫଳତଃ ଏହି ଛଦାମ ଶବ୍ଦଟି ଓଡ଼ିଆ ଭାଷାରେ ଅଳ୍ପ ଅର୍ଥରେ ପ୍ରୟୋଗ କରାଯାଏ ପୁଣି ଆଜି ବି ଯାଜପୁର ଜିଲ୍ଲାର କେତେକ ଗ୍ରାମାଞ୍ଚଳରେ “ସାମାନ୍ୟ ଟିକିଏ ମଧ୍ୟ” ଅର୍ଥରେ “ଛଦାମେ” ଶବ୍ଦ ଵ୍ୟଵହୃତ ହୋଇଥାଏ । ସମ୍ଭଵତଃ କ୍ଷୁଦ୍ରମ୍ ଶବ୍ଦ ସହିତ ଏହାର ସମ୍ପର୍କ ଥାଇପାରେ କାରଣ ଏହା ଏକଦା ଭାରତୀୟ ମୂଦ୍ରାର ସର୍ଵନିମ୍ନ ମୂଲ୍ୟ ଥିଲା । କଥିତ ଓଡ଼ିଆ ଶବ୍ଦକୋଷରୁ ଜଣାଯାଏ ଯେ ଛଦାମ ଶବ୍ଦଟି “ଟଙ୍କାପଇସା” ଅର୍ଥରେ ମଧ୍ୟ ପ୍ରୟୋଗ କରାଯାଏ ।
କିନ୍ତୁ ଏଠାରେ ଯୁଦ୍ଧ ଵିନା ଛଦାମ ଦେବୁ ନାହିଁ ଅର୍ଥ ସମ୍ଭଵତଃ ଵିନା ଯୁଦ୍ଧରେ କର ଵା ଧନ ଦେବୁ ନାହିଁ ହୋଇଥାଇପାରେ । ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କ ‘ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି’ ପୁସ୍ତକରେ ଛଦାମ ଶବ୍ଦର ଅର୍ଥ ସ୍ପଷ୍ଟ କରିନାହାନ୍ତି । ସେ ଯାହା ହେଉ ବଣିଆପଡ଼ାର ଧୀର ସାମନ୍ତମାନଙ୍କଠାରୁ ଏଭଳି ପ୍ରତ୍ୟୁତ୍ତର ପାଇଵାରୁ କ୍ରୁଦ୍ଧ ହୋଇ ହରିସିଂହ ଧୀରସାମନ୍ତଙ୍କ ଵିପକ୍ଷରେ ଯୁଦ୍ଧ ଘୋଷଣା କରିଦେଲେ । କିଛି ଦିନ ଉତ୍ତାରୁ ଆଜିର ଗଁଦିଆ ନିକଟରେ ଦୀର୍ଘ ଦଶଦିନ ଧରି ଦୁଇପକ୍ଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଥିଲା । ଏହି ଯୁଦ୍ଧରେ ବଣିଆପଡ଼ାର ଧୀରସାମନ୍ତ ପରାଜିତ ହୋଇ ପଳାୟନ କଲେ ଏଵଂ ପରଵର୍ତ୍ତୀ କାଳରେ ବ୍ରାହ୍ମଣୀ ଉତ୍ତର ତୀରସ୍ଥ ବଳରାମପୁରଠାରେ ଗଡ଼ ନିର୍ମାଣପୂର୍ଵକ ଏକ କ୍ଷୁଦ୍ର ରାଜ୍ୟ ଗଠନ କଲେ । ଏପଟେ ହରି ଵିଦ୍ୟାଧରଙ୍କ ବଣିଆପଡ଼ା ଅଞ୍ଚଳ ଵିଜୟ ପରେ କରମୂଳ ନଗରୀଠାରୁ କପିଳାସ ପୀଠ ପର୍ଯ୍ୟନ୍ତ ସମଗ୍ର ଭୂଖଣ୍ଡ କରମୂଳ ରାଜ୍ୟଧୀନ ହୋଇଥିଲା ।ଏହାଦ୍ଵାରା କରମୂଳ ରାଜ୍ୟ ତାହାର ପୂର୍ଵ ଗୌରଵ ଫେରି ପାଇଥିଲା ।
ଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ମହାଶୟ ଏହାପରେ ତାଙ୍କର ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି ପୁସ୍ତକରେ ଢେଙ୍କାନାଳରେ ଗଁଦିଆ ନିକଟରେ ଥିଵା ଛଅଗୋଟି ଗ୍ରାମ ଯଥା: ପଦ ଏଣଦା, କୁଶିଦା, ବରଦା, ଝାରଦା, ଆଙ୍କୁର୍ଦା ଓ କୋକୀଦାରେ “ଦା’ କାହିଁକି ଲାଗିଛି ତାହା ଉଲ୍ଲେଖ କରିଅଛନ୍ତି ।
ଶ୍ରୀ ମିଶ୍ରଙ୍କ ଅନୁସାରେବଣିଆପଡ଼ାର ଧୀରସାମନ୍ତ ଵିନାଯୁଦ୍ଧରେ ଛଦାମ ଦେଵାକୁ ମନା କରିଥିଵାରୁ କରମୂଳ ରାଜା ହରିଵିଦ୍ୟାଧର ଵିଜିତ ଅଞ୍ଚଳରେ ଛଅ ଗୋଟି ‘ଦା’ ଯୁକ୍ତ ଗ୍ରାମ ସ୍ଥାପନ କରାଇଥିଲେ । ସେହି ଗ୍ରାମଗୁଡ଼ିକ ଅଦ୍ୟାଵଧି ମଧ୍ୟ ଵିଦ୍ୟମାନ । ଏ ଅଞ୍ଚଳରେ କିମ୍ବଦନ୍ତୀ ରହିଛି ଯେ ହରିଵିଦ୍ୟାଧର କପିଳାସ ଠାକୁରଙ୍କ କୃପାରୁ ଏହି ଅଞ୍ଚଳ ଜୟଲାଭ କରିଥିଲେ ତେଣୁ ସେ ରାଜା ସେହି ଗ୍ରାମଗୁଡ଼ିକ ଶିଖରେଶ୍ଵରଙ୍କ ସେଵା ପୂଜା ନିମିତ୍ତ ଦାନ କରିଥିଲେ । ଵର୍ତ୍ତମାନ ମଧ୍ୟ ସେହି ଗ୍ରାମମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଦେବୋତ୍ତର ଜମି ରହିଅଛି ବୋଲି ଶ୍ରୀ ମିଶ୍ର ମହାଶୟ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ।
କିନ୍ତୁ ଏଣଦା, କୁଶିଦା, ବରଦା, ଝାରଦା, ଆଙ୍କୁର୍ଦା ଓ କୋକୀଦା ଆଦି ଗ୍ରାମ ଛଡ଼ା ନିକଟସ୍ଥ ଯୋରନ୍ଦା ଓ ବାଲି ଯୋରନ୍ଦା ଗ୍ରାମର ନାମ ଶେଷରେ ମଧ୍ୟ ଦା ଵର୍ଣ୍ଣ ଥିଵା ଦୃଷ୍ଟିଗୋଚର ହୋଇଥାଏ । ସେହିପରି ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଆମର୍ଦା ବୋଲି ଏକ ଅଞ୍ଚଳ ରହିଛି ଏଵଂ ଓଡ଼ିଶାରେ ଏହି ଭଳି ‘ଦା’ ପଦଯୁକ୍ତ ଆହୁରି ଗ୍ରାମ ଥାଇପାରେ । ଆମର ଗାଆଁ ନାମ ସହିତ ପୁର, ପାଳ, ପାଲି, ପଡ଼ା, ସାହି, ସିଙ୍ଗା, ତୈଳା, ବେରଣା ଓ ପଦର ଆଦି ଯେତେ ଶବ୍ଦ ଯୁକ୍ତ ହୋଇଥାଏ ସେସବୁ ଏକ ଵିଶିଷ୍ଟ ସ୍ଥାନକୁ ଦର୍ଶାଇଥାଏ । ସମ୍ଭଵତଃ ଏହି “ଦା” ପଦଟି ସେହି ଧରଣର ଏକ ଶବ୍ଦ ହୋଇଥାଇପାରେ ।
ତଥ୍ୟ ଉତ୍ସ: ପୂର୍ଣ୍ଣଚନ୍ଦ୍ର ଭାଷାକୋଷ; ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି, ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର

© ଶିଶିର ସାହୁ ମନୋଜ  

DhiraSamantas of Baniapada, Dhenkanal
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago