ଲେଖା: ଋଷିରାଜ ପଟ୍ଟନାୟକ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ସେବାୟତ ପୁରୀର ନୁହନ୍ତି। ଯେମିତି ପୁରୀ ବାହାରେ ରହିଛନ୍ତି ବଡ଼ଠାକୁରଙ୍କ ଘଣ୍ଟସେବକ । ସମଗ୍ର ଭଟ୍ଟିମୁଣ୍ଡା ହେଉଛି ସେବକମାନଙ୍କ ଆସ୍ଥାନ। ବର୍ଷସାରା ଶାଳରେ କଂସା-ବାସନ ତିଆରି କରି ଏମାନେ ବିକ୍ରୟ କରିଥା’ନ୍ତି । ଓଡ଼ିଶାର ଏକାଧିକ ଗ୍ରାମ ଯଥା – କଣ୍ଟିଲୋ, ରେମୁଣା, ଭୁବନ ଓ ତରଭା ଆଦି କୌଳିକ ବୃତ୍ତିଧାରୀ କଂସାରୀଙ୍କ ବାସସ୍ଥାନ ହୋଇଥିଲେ ହେଁ ଶ୍ରୀଜଗନ୍ନାଥ ସଂସ୍କୃତି ସହ ମୁଖ୍ୟତଃ ଭଟ୍ଟିମୁଣ୍ଡା କଂସାରୀମାନେ ଜଡ଼ିତ ଏବଂ କଂସାରୀ କୁଳରେ ଏମାନଙ୍କ ସ୍ଥାନ ସ୍ୱତନ୍ତ୍ର ।
ଶ୍ରୀମନ୍ଦିରରେ ଶାଢ଼ୀବନ୍ଧା ଶୁଦ୍ର ସେବକ ବଂଶାନୁକ୍ରମିକ ଘଣ୍ଟସେବା କରନ୍ତି । ଭଟ୍ଟିମୁଣ୍ଡା ଗାଁରେ ରହନ୍ତି ବଡ଼ଠାକୁରଙ୍କ ଘଣ୍ଟସେବକ ବଂଶଧର । ଗାଁଟି କଟକ ଠାରୁ ୧୨ କିଲୋମିଟର ଦୂରରେ ଥିବା ବିରୂପା ନଦୀକୂଳରେ ଅବସ୍ଥିତ। ଏହି ଗାଁରେ ପନ୍ଦରଶହରୁ ଅଧିକ ପରିବାର ବାସ କରନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପିତ୍ତଳ ଓ କଂସା କାରିଗର। ଆଜକୁ ବହୁ ପୁରାତନ ସମୟରୁ ସେମାନେ କଂସା ପିତ୍ତଳ ତିଆରି କରିଆସୁଛନ୍ତି । ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ କଂସା ପିତ୍ତଳ କାରିଗର ଅଛନ୍ତି; କିନ୍ତୁ ଏହି ସ୍ଥାନର କାରିଗରମାନଙ୍କ ଏକ ଭିନ୍ନ ସ୍ୱତନ୍ତ୍ର ପରିଚୟ ରହିଛି। ଏହି ଗ୍ରାମର କଂସାରୀମାନେ ଶ୍ରୀମନ୍ଦିରର ସେବାୟତ ଗୋଷ୍ଠୀ ଅନ୍ତର୍ଭୁକ୍ତ।
ପ୍ରତ୍ୟେକ ପର୍ବପର୍ବାଣି ଯାତ୍ରା ଓ ବେଢାରେ ଘଣ୍ଟ ବାଦନ ସହ ମାଆ ବିମଳାଙ୍କ ଷୋଳପୂଜା, ତ୍ରିକାଳପୂଜା, ପ୍ରତି ଗୁରୁବାର ମାଜଣା, ପାର୍ଶ୍ୱଦେବତାଙ୍କ ପର୍ବପର୍ବାଣି, ଆଜ୍ଞାମାଳ ବିଜେ, ପ୍ରତ୍ୟେକ ଦେବାଦେବୀଙ୍କ ବିଜେ, ସ୍ନାନପୁର୍ଣିମାରେ ଜଳଛେକ ବିଜେ, ହାତୀବେଶ, ପ୍ରତ୍ୟେକ ବେତ, ଖଳିଖଡ଼ି ବିଜେ, ଚାପ, ଚନ୍ଦନଦୋଳପୂର୍ଣ୍ଣିମା ଆଦି ସମୟରେ କାହାଳୀ ବାଜିବା ସହିତ ଘଣ୍ଟ ମଧ୍ୟ ବାଜିଥାଏ। ଏଥି ନିମନ୍ତେ ମାସକରେ ଛଅଟି ପରିବାର ମଧ୍ୟରେ ଏହି ସେବାକୁ ଆବଣ୍ଟିତ କରାଯାଇଛି। ସେମାନଙ୍କୁ ଭିତର ଘଣ୍ଟସେବକ ବୋଲି କୁହାଯାଏ।
କଂସା, ପିତ୍ତଳର ଉତ୍କୃଷ୍ଟ ବାସନକୁସନ ପ୍ରସ୍ତୁତ ତଥା ଏହି ଧାତୁର କମନୀୟ ହସ୍ତକଳା ନିମନ୍ତେ ପ୍ରସିଦ୍ଧ କଟକ ଜିଲ୍ଲାର ଭଟ୍ଟିମୁଣ୍ଡା ଗ୍ରାମର ଘଣ୍ଟୁଆ ସେବାୟତମାନେ ମହାପ୍ରଭୁଙ୍କ ଏହି ସେବା ପାଇଁ ଶ୍ରୀକ୍ଷେତ୍ରକୁ ପ୍ରତିବର୍ଷ ଆସିଥା’ନ୍ତି ।
କଂସାରୀ ଓ ଖରୁଡ଼ା ଗୋଷ୍ଠୀର ନାୟକ, ଚୌଧୁରୀ, ନାଏକ, ସାହୁ, ମହାରଣା, ପୃଷ୍ଟି ଆଦି ସଂଜ୍ଞାଧାରୀ ଏହି ସେବାରେ ନିୟୋଜିତ ହୋଇଥାନ୍ତି । ଏହି ସେବା ସମ୍ବନ୍ଧୀୟ ଶ୍ରୀମନ୍ଦିର ସତ୍ୱଲିପିରେ ୨୦୩ ନମ୍ବର ଓ ମାଦଳାପାଞ୍ଜିରେ ଏହି ସେବା ଓ ସେବାୟତ ଅଧିକାର ଏବଂ କର୍ତ୍ତବ୍ୟ ସଂପର୍କରେ ଉଲ୍ଲେଖ ରହିଛି।
ଶ୍ରୀଜୀଉଙ୍କର ଘଣ୍ଟସେବା ବୃତ୍ତିରେ ନିଜକୁ ନିୟୋଜିତ କରି ଏହି କଂସାରୀଗଣ ନିଜକୁ ଧନ୍ୟ ମନେ କରନ୍ତି । ଏହି ସେବାୟତମାନେ ପ୍ରଜାସତ୍ୱ ବଳରେ ପୂର୍ବତନ ଗଜପତି ମହାରାଜାଙ୍କଠାରୁ ଅଧିକାରପତ୍ର ପ୍ରାପ୍ତ ହୋଇଥିଲେ । ଶ୍ରୀମନ୍ଦିର ଇତିହାସ ସୂତ୍ରରୁ ପ୍ରମାଣ ମିଳେ ଯେତେବେଳେ ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ୱ ସରକାରଙ୍କ ହାତକୁ ଗଲା ନିଜେ ଶ୍ରୀ ଗଜପତି ଏହି ଘଣ୍ଟୁଆ ସେବକଙ୍କୁ ସେବାଜନିତ ପାଉଣା ନିମନ୍ତେ ରାଜ୍ୟସରକାରଙ୍କୁ ଦରଖାସ୍ତ କରନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ।
ମାତ୍ର କଂସାରୀ ଘଣ୍ଟୁଆ ସେବକମାନଙ୍କ ଉତ୍ତର ଥିଲା, ଆମେ ଠାକୁରରାଜା ଗଜପତିଙ୍କ ପ୍ରଜା ଏବଂ ଶ୍ରୀଜଗନ୍ନାଥଙ୍କ ସେବକ ହୋଇଥିବା ହେତୁ କୌଣସି ରାଜସ୍ୱ ବା ଦେବସ୍ୱ ଅଧିକାର ଗ୍ରହଣ କରିବୁ ନାହିଁ। ତେଣୁ ଗଜପତି ବୀରକିଶୋର ଦେବଙ୍କ କନିଷ୍ଠଭ୍ରାତା ଥାଟରାଜ ଶ୍ରୀ ରାଜରାଜ ଦେବ ନିର୍ଦ୍ଦେଶ କ୍ରମେ ବିନା ପାଉଣାରେ ସେମାନେ ଶ୍ରୀଜୀଉଙ୍କ ଘଣ୍ଟସେବା ସେବେଠାରୁ କରିଆସୁଛନ୍ତି। ଘଣ୍ଟସେବକଙ୍କ ଆଜି ମଧ୍ୟ ସେହି ଅଧିକାର ପତ୍ରକୁ ଯତ୍ନର ସହିତ ସାଇତି ରଖିଛନ୍ତି।
ଅଧିକାରପତ୍ରରେ ଲିପିବଦ୍ଧ ଥିବା ଧାଡ଼ିଟି ସୁଚାଇ ଦିଏ ତାଙ୍କର ମହାପ୍ରଭୁଙ୍କ ପାଇଁ ଥିବା ଅଟଳ ଭକ୍ତିଭାବ ଓ ନିଷ୍ଠାପର ସେବା କର୍ତ୍ତବ୍ୟ ।【” यावत् सूर्य चन्द्र तारका: सन्ति, तावत् इदृशी सेवा प्रचलति प्रचलिष्यति वा।”】ଅର୍ଥାତ ସଂସାରରେ ଯେତେଦିନ ପର୍ଯ୍ୟନ୍ତ ସୂର୍ଯ୍ୟଚନ୍ଦ୍ର ଥିବେ ସେତେଦିନ ପର୍ଯ୍ୟନ୍ତ ଏହି ସେବା ରହିଥିବ।
ଏହି କଂସାରୀ ସେବାୟତମାନେ ଶ୍ରୀଜୀଉଙ୍କର ରତ୍ନସିଂହାସନରୁ ବାହାରକୁ ବିଜେ କରିବା ସମୟରେ, ମୁଖ୍ୟତଃ ଦେବସ୍ନାନ ପୂର୍ଣ୍ଣିମା ଏବଂ ଗୁଣ୍ଡିଚା ଯାତ୍ରାରେ ଘଣ୍ଟସେବା କରିଥାନ୍ତି। ଏହି ସେବା  ଛ’ ଟି ପର୍ଯ୍ୟାୟରେ ବିଭକ୍ତ। ରତ୍ନସିଂହାସନରୁ ସ୍ନାନବିଜେ, ସ୍ନାନମଣ୍ଡପରୁ ଅଣସରଘରକୁ ବିଜେ, ଅଣସର ପିଣ୍ଡିରୁ ରଥ ଉପରକୁ, ରଥଉପରୁ  ଆଡ଼ପମଣ୍ଡପକୁ, ଆଡ଼ପମଣ୍ଡପରୁ ରଥଉପରକୁ(ବାହୁଡ଼ା ପହଣ୍ଡି) ରଥଉପରୁ ରତ୍ନସିଂହାସନକୁ ଅର୍ଥାତ ନୀଳାଦ୍ରିବିଜେ ସମୟରେ ଘଣ୍ଟସେବା ହୋଇଥାଏ।
ଘଣ୍ଟତାଳକୁ ବୁଝିବାକୁ ହେଲେ ଏହା ବିଭିନ୍ନ ପ୍ରକାର ଯଥା ଆଳାପ ତାଳ, ପପଟ ତାଳ, ବିଷମ ଏକ ତାଳ, ୨୨ କାଠି,ଏକ ତାଳ, ଝମ୍ପା ତାଳ, ୧୬ କାଠି, ୧୮ କାଠି, ଭଙ୍ଗା ଝମ୍ପା, ବିଜେ ତାଳ, ଆଦି। ତାଳରେ ମଗ୍ନ ଥିବା ସମୟରେ ସେବାୟତଗଣ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶନପୂର୍ବକ ଘଣ୍ଟ ବଜାଇଥାନ୍ତି।
ଘଣ୍ଟସେବା କରୁଥିବା ସେବାୟତଙ୍କ ସଂଖ୍ୟା ନିର୍ଦ୍ଦିଷ୍ଟ ହୋଇନଥାଏ ବିଶେଷ କରି ପହଣ୍ଡି ବିଜେ ସମୟରେ ଓ ନୀଳାଦ୍ରି ବିଜେ ସମୟରେ ଏମାନଙ୍କ ସଂଖ୍ୟା ଦୁଇଶହ ପାଖାପାଖି ହୋଇଥାଏ ମାତ୍ର ତିନି ରଥଉପରେ ସମୁଦାୟ ୮୪ ଜଣ ସେବକ ରହିବାକୁ ଶ୍ରୀମନ୍ଦିର ପ୍ରଶାସକ ସ୍ୱୀକୃତି ଦେଇଛନ୍ତି। ତେଣୁ ଶ୍ରୀଜଗନ୍ନାଥଙ୍କ ରଥଉପରେ ୩୨ଜଣ, ଶ୍ରୀବଳଭଦ୍ରଙ୍କ ରଥଉପରେ ୨୮ଜଣ ଓ ମା’ ସୁଭଦ୍ରାଙ୍କ ରଥରେ ୨୪ଜଣ ଘଣ୍ଟସେବା କରିଥାନ୍ତି । ବର୍ତ୍ତମାନ କିନ୍ତୁ ଏହି ସଂଖ୍ୟାକୁ ହ୍ରାସ କରି ରଥଉପରେ ଯଥା ୧୬, ୧୪ ଓ ୧୨ ଜଣରେ ସୀମିତ ରଖାଯାଇଅଛି ।
ଏହି ସେବକମାନଙ୍କୁ ଘଣ୍ଟସେବା ନିମନ୍ତେ ଜଗନ୍ନାଥଙ୍କ ଶ୍ରେଷ୍ଠ ପ୍ରସାଦ ଚଢ଼େଇନଦା ଭୋଗ ପ୍ରଦାନ କରାଯାଇଥାଏ । ରଥଯାତ୍ରାର ପୂର୍ବରୁ ଦଶମୀ ଦିନ ଦିଅଁଙ୍କ ସେନାପଟ୍ଟାନୀତି ସମାପନ ହେବା ସମୟରେ ଦେଉଳକରଣଙ୍କ ଦ୍ୱାରା ମୁଖ୍ୟ ଘଣ୍ଟସେବକଙ୍କ ମୁଣ୍ଡରେ ଦିଅଁଙ୍କ ଏକ ସୂତା ଶାଢ଼ୀ ପଗଡ଼ି ସଦୃଶ ବନ୍ଧାଯାଇଥାଏ । ରଥଯାତ୍ରା ସମୟରେ ଘଣ୍ଟୁଆଳଙ୍କ ରହିବାକୁ କହ୍ନେୟାଲାଲ ବଗଲା ଧର୍ମଶାଳାର ବ୍ୟବସ୍ଥା ହୋଇଥାଏ। ମହାପ୍ରସାଦ ସେବନ ଓ ଯାତାୟାତ ଖର୍ଚ୍ଚ ବାବଦକୁ ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନ ବହନ କରିଥାଏ ।
ଧନ୍ୟ ବଡ଼ଠାକୁର ! ଧନ୍ୟ ବଡ଼ଠାକୁରଙ୍କ ଘଣ୍ଟସେବକ !
Information: Sunil Jayprakash
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago