ଲେଖା: ଦେଵ ତ୍ରିପାଠୀ
କୁଆଁର ପୁନେଇଁ ରାତି ! ଜ୍ୟୋତ୍ସ୍ନା ମାୟାରେ ବର୍ଷାଧୂଆ ଓ କାକରଭିଜା ଧୂଳିକଣା ବିରହିତ ପବନରେ ମନ ଆଜି ମତୁଆଲା ! ଉଚ୍ଚାଟ ଆଜି କୁଆଁରୀ ଝିଅଙ୍କ ମନ !
ଦିଗବଳୟର ମଥାନକୁ ରୂପାଥାଳି ପରି ପୂର୍ଣ୍ଣମୀର ଜହ୍ନ ଉଠିଲା ବେଳକୁ, ଶଂଖ, ହୁଳହୁଳି ଶବ୍ଦରେ ଉଛୁଳିପଡ଼ିବ ଗାଁ ଦାଣ୍ଡ ! ଚାନ୍ଦପୂଜା ହେବ ! ଏମିତି ମୁକୁଳା ଜହ୍ନପରି ଜୀବନ ହୋଇଉଠୁ ପରିପୂର୍ଣ୍ଣ, ଚନ୍ଦ୍ରପରି ଶାନ୍ତ, ସୁକୁମାର ପତିଟିଏ ମିଳୁ ! ମନାସିବେ କୁଆଁରୀଏ !
ଏ ଭିତରେ ଦୂରରୁ ଭାସି ଆସୁଥିବ ‘କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ’ ଗୀତ ଅବା ‘ପୁଚି ଲୋ ଘୁଞ୍ଚି ଯା, ଗୋଡ଼ ଦୁଇଟା ଲୁଚି ଯା’ ! ଗାଁ ମୁଣ୍ଡରେ ପୁଚିଖେଳର ପର୍ବ । #କୁଆଁର_ପୁନେଇଁ ସଞ୍ଜର ସଙ୍ଗୀତମୟ ଉଲ୍ଲାସର ପରିବେଶ !
ଦିନ ଥିଲା, କୁଆଁର ପୁନେଇଁ ସହିତ ପୁଚିଖେଳର ସ୍ମୃତି ବଡ ତୀବ୍ର ଓ ଗହନ ଥିଲା ଓଡ଼ିଆଣୀଙ୍କ ଜୀବନରେ ! ଜୀବନସାରା ରହୁଥିଲା ଉଜ୍ଜୀବିତ ! ଅବଶ୍ୟ ଅଶୀ ନବେ ଦଶକ ପରେ ଜନ୍ମିଥିବା ଆମ ଓଡ଼ିଆ ଝିଅବୋହୂଏ ସେଇ ପୁଲକ ଆଉ ସ୍ମୃତିରୁ ବଞ୍ଚିତ ଥିବେ ପ୍ରାୟ !
ତେବେ ଏଇ #ପୁଚିଖେଳ ଆମ ଓଡ଼ିଶାର ଏକାନ୍ତ ନିଜସ୍ଵ ! ଭାରତର ଅନ୍ୟ କୌଣସି ସ୍ଥାନରେ ଏ ଖେଳର ପ୍ରଚଳନ ଥିବା ଜଣାଯାଏ ନାହିଁ ! ପୁଅପିଲାଙ୍କ ପରି ଓଡ଼ିଆ ଝିଅମାନେ ଡୁଡ଼ୁ, କବାଡ଼ି ପ୍ରଭୃତି ଖେଳିପାରୁ ନ ଥିବାରୁ ସେମାନଙ୍କ ପାଇଁ ଏହି ଖେଳ କାଇଁ କେଉଁ କାଳରୁ ପ୍ରଚଳିତ ।
ପୁଚିଖେଳ ଆମ ଓଡ଼ିଆ ଝିଅଙ୍କର ଏକ ଗୀତିମୟ କସରତ । ଏହି କ୍ରୀଡ଼ା ଦ୍ଵାରା ଯୌବନ ପୂର୍ବରୁ କନ୍ୟାର ଜନନେନ୍ଦ୍ରିୟ ନିରୋଗ ଓ ସୁଦୃଢ଼ ହୁଏ, ଜଙ୍ଘ ଓ କଟିର ମାଂସପେଶୀ ମଧ୍ୟ ସବଳ ହୁଏ । ଫଳରେ ଏହା ଭବିଷ୍ୟତରେ ସହଜ ପ୍ରସବରେ ସହାୟକ ହୁଏ !
ଏହି ଖେଳ ମାଧ୍ୟମରେ ବାଳିକାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲେ । ଜଣେ ଅନ୍ୟ ଜଣକୁ ହରାଇବା ପାଇଁ ଚେଷ୍ଟା କରି ତା’ ଆଡ଼କୁ ମାଡ଼ିଯାଏ । ଖେଳ ସହିତ ସେ ଗାଉଥାଏ:
“ପୁଚି ଲୋ ଘୁଞ୍ଚି ଯା,
ଗୋଡ଼ ଦୁଇଟା ଲୁଚି ଯା”,
ଅବା
“ଗହୀର ବିଲରେ ମଇଁଷି…”
କିମ୍ବା
‘‘କଳା ବାଇଗଣ ଧଳା ବାଇଗଣ କାଟିଦେଲି ଗଉଣିଏ,
ମୋ ସାଙ୍ଗେ ଯେ ପୁଚି ଖେଳିବ, ମାରିଦେବି କହୁଣିଏ”
କିମ୍ବା
‘‘ତେଣିକି ଯା, ତେଣିକି ଯା,
ତେଣିକି ନ ଗଲେ ଗୋଇଠା ଖା”
ଶେଷରେ ବିଜୟିନୀ ଝିଅଟି ପରାଜିତା ଝିଅ ଉଦ୍ଦେଶ୍ୟରେ ବିଦ୍ରୁପର ବାଣୀ ଶୁଣାଏ:
‘‘ହଟାଇଲିରେ ହଟାଇଲି,
ଚୁଡ଼ା ଦୁଇମାଣ କୁଟାଇଲି,
ଅଇଁଠା ପତର ଚଟାଇଲି ।’’
ପୁଚିଖେଳ ଦୁଇ ପ୍ରକାରର, ବସା ପୁଚିଠିଆ ପୁଚି । ଠିଆ ପୁଚିରେ ବାଳିକାଗଣ ଠିଆହେବା ଅବସ୍ଥାରେ ମୁଣ୍ଡ ଉପରେ ଦୁଇହାତକୁ ରଖୁ ଦୁଇଗୋଡ଼କୁ ପ୍ରସାରିତ ଓ ସଂକୁଚିତ କରନ୍ତି ଆଉ ତା’ ତାଳେ ତଳେ ଗାଆନ୍ତି,
‘‘ଠିଆ ପୁଚି ନାରଙ୍ଗ
ଗୋଡ଼ ଦିଇଟା ସାରଙ୍ଗ,
ସାରଙ୍ଗ ବାଡ଼ିକି ଯାଇଥିଲି
ନାରଙ୍ଗ ଦିପୁଞ୍ଜା ଆଣିଥିଲି .. ” ଇତ୍ୟାଦି
ସେକାଳ ପଖାଳ ତ ଏବକୁ ନାହିଁ ! ନହେଲେ ଆମ ଉପକୂଳିଆ ଜିଲ୍ଲାଗୁଡି଼କର ଗାଁ ଦାଣ୍ଡରେ ନିଇତି ସନ୍ଧ୍ୟାରେ ଆମେ ପୁଚିଖେଳ ପ୍ରତିଯୋଗିତା ଦେଖୁଥାଆନ୍ତେ ! ମାଟ୍ରିମୋନିଆଲ ସାଇଟ ଓ ଲିଭ-ଇନ୍ ରିଲେସନସିପର ସଂସ୍କୃତି ଭିତରେ ଆଜିର କୁଆଁରୀ ଚାନ୍ଦ ପାଖରେ ମାନସିକ କରି ମନର ମଣିଷକୁ ଖୋଜିବାକୁ ଆଉ ଉପଯୁକ୍ତ ମନେକରୁନି ! ତେଣୁ ଯେମିତି ହଜିଯାଇଛି କୁଆଁର ପୁନେଇଁର ପୁଲକ ସେମିତି ଆମ ଓଡ଼ିଆ ଚଳଣିରୁ ଉଭେଇ ଯାଇଛି ପୁଚିଖେଳର ଉଲ୍ଲାସ !
କୃତଜ୍ଞତା ପୂର୍ବକ ତଥ୍ୟ ଆହରଣ: ଡ. ସୁରେନ୍ଦ୍ର କୁମାର ମହାରଣା, ଲୋକରତ୍ନ ଡ. କୁଞ୍ଜବିହାରୀ ଦାଶ ଓ ପୁରାତନ ‘ସମାଜ’
ଫଟୋ: Ravindra Kumar Saha, Saumya Ranjan
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago