ଲେଖା: ନିରଞ୍ଜନ ସାହୁ

ପାଲା ! ଓଡ଼ିଶାର ନିଜସ୍ଵ ଲୋକସଂସ୍କୃତି !       

ସଂସ୍କୃତି ଏକ ବେଗଗାମୀ ସ୍ରୋତସ୍ଵିନୀ । ଏହା ଚିର ପ୍ରବହମାନ । ଉନ୍ନତ ଚିନ୍ତା, ମାର୍ଜିତ ରୁଚି, ଶାଳୀନତା ଯୁକ୍ତ ପରମ୍ପରା – ଏ ସବୁକୁ ନେଇ ପ୍ରକାଶିତ ହୁଏ ସଂସ୍କୃତି । ପର୍ବତ କନ୍ଦରରୁ କଳକଳ ନାଦ କରି ବହି ଆସୁଥିବା ଝରଣାଟି ସମୟକ୍ରମେ ପୁଷ୍ଟ କରେ ସ୍ରୋତସ୍ଵତୀକୁ । ସେହିପରି କଳା, ସଙ୍ଗୀତ, ସ୍ଥାପତ୍ୟ, ସାହିତ୍ୟ ଆଦି ଝରଝର ହୋଇ ପ୍ରବହମାନ ସଂସ୍କୃତିରୂପୀ ସ୍ରୋତସ୍ଵତୀରେ ଝାସ ଦିଅନ୍ତି । ସମାଜ, ସଂସ୍କୃତି, ସଭ୍ୟତା — ଏ ତ୍ରୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ସଭ୍ୟତା ସମାଜର ପୋଷାକ ଏବଂ ସଂସ୍କୃତି, ପରମ୍ପରା ତା’ର ପ୍ରାଣ । ରୁଚି ଅନୁସାରେ ପୋଷାକର ପରିପାଟୀ ପରିବର୍ତ୍ତିତ ହୁଏ । ସେହିପରି ସଭ୍ୟତାର ଢାଞ୍ଚା ବଦଳି ଚାଲେ । ଏହି ପରିବର୍ତ୍ତନ ଫଳରେ ସଂସ୍କୃତି ହୁଏ ପରିମାର୍ଜିତ । ତେଣୁ ଗତିଶୀଳତା ହିଁ ସଂସ୍କୃତିର ଧର୍ମ । ସଂସ୍କୃତି ଗୋଟିଏ ଦେଶ ଓ ଜାତିର ଜ୍ଞାନ ତଥା ଗୈାରବର ସ୍ମୃତିପୀଠ । ସଂସ୍କୃତି ଦର୍ପଣରେ ଜାତି ଅତୀତର ପ୍ରତିବିମ୍ବ ଦେଖିବାକୁ ପାଏ, ବର୍ତ୍ତମାନକୁ ନେଇ ଉଲ୍ଲସିତ ହୁଏ ଏବଂ ଭବିଷ୍ୟତ ପାଇଁ ସାଇତିରଖେ ସ୍ମୃତି । ଉନ୍ନତ ସଂସ୍କୃତିସମ୍ପନ୍ନ ଅତୀତ ଯେ କୌଣସି ଜାତି ପ୍ରାଣରେ ଗର୍ବ, ଗୌରବ, ଭାବାବେଗର ସ୍ପନ୍ଦନ ତୋଳେ । 

ପୁଣି ସାହିତ୍ୟ ହେଉଛି ସଂସ୍କୃତିର ଏକ ଅଙ୍ଗ। କାବ୍ୟ, ଗଦ୍ୟ, ନାଟକ, ସଙ୍ଗୀତ ଏସବୁ ସାହିତ୍ୟ ଜନନୀର ସନ୍ତାନ । ଭାଷା ହେଉଛି ସାହିତ୍ୟର ବାହକ । ସାହିତ୍ୟ ଆନନ୍ଦ ପ୍ରଦାନ କରେ, ସେ ଯେଉଁ ରୂପରେ ହେଉନା କାହିଁକି । ବିଶେଷ କରି ସଙ୍ଗୀତ ସର୍ବଦା ବିମଳ ଆନନ୍ଦ ଦେଇଥାଏ । ପକ୍ଷୀର କାକଳି, ଝରଣାର କୁଳୁକୁଳୁ ନାଦ, ଜଳଦର ଗମ୍ଭୀର ଗର୍ଜନ, ପତ୍ରର ମର୍ମର ଧ୍ଵନି ଇତ୍ୟାଦିରୁ ଯେଉଁ ଶବ୍ଦ, ଧ୍ଵନି ଗୁଞ୍ଜରିତ ହୁଏ, ତାହାକୁ ରସଗ୍ରାହୀ କେବଳ ଉପଲବ୍ଧି କରିପାରିବ । ଓଁ କାର ହେଉଛି ବିଶ୍ଵ ବ୍ରହ୍ମାଣ୍ଡର ଆଦ୍ୟ ଝଙ୍କାର, ଯାହା ହିଁ ସଙ୍ଗୀତ । ସଙ୍ଗୀତର ମୂର୍ଚ୍ଛନା ଅତି ସହଜରେ ହୃଦୟ ମଧ୍ୟରେ ପ୍ରବେଶ କରେ । ସଙ୍ଗୀତର ମଧୁର ଝଙ୍କାର ବିଷଧର ସର୍ପକୁ ବଶୀଭୂତ କରାଏ ।

ପ୍ରଥମେ ଅପୌରୁଷେୟ ବେଦରେ ସଙ୍ଗୀତର ଝଙ୍କାର ଦେଖିବାକୁ ମିଳେ ବୋଲି ବିଦ୍ୱାନମାନେ ମତ ଦେଇଛନ୍ତି । ବିଭିନ୍ନ ଛନ୍ଦ, ରାଗ, ତାଳ ମାଧ୍ୟମରେ ଗାନ କରିବାକୁ ବୈଦିକ ଋଷିଗଣ ପରାମର୍ଶ ଦେଇଛନ୍ତି ଓ ଏହା ସାରସ୍ଵତ କଳା ବୋଲି ଉଲ୍ଲେଖ କରିଛନ୍ତି । ବେଦ ଗାନରୁ ଯେଉଁ ଅପୂର୍ବ ଝଙ୍କାର ସୃଷ୍ଟି ହୁଏ, ଶୁଷ୍କ ତରୁ ପଲ୍ଲବିତ ହୋଇଥାଏ ବୋଲି ବର୍ଣ୍ଣନା ପୁରାଣମାନଙ୍କ ପୃଷ୍ଠା ମଣ୍ଡନ କରିଛି। କେହି କେହି ଏହାକୁ ନାପସନ୍ଦ କରିବା ମଧ୍ୟ ସ୍ଵାଭାବିକ । ତେବେ ଆଜିକାଲି ବୈଜ୍ଞାନିକ ଯୁଗରେ ବିଜ୍ଞାନଭିତ୍ତିକ ଗବେଷଣା ବୋଧହୁଏ ସମ୍ମତ ହେଲେଣି ଯେ, ସଙ୍ଗୀତର ପ୍ରଭାବ ସୁସ୍ପଷ୍ଟ ହୃଦୟ ଓ ମସ୍ତିଷ୍କ ଉପରେ । ଔଷଧ ସେବନ ସହ ସଙ୍ଗୀତର ମୂର୍ଚ୍ଛନା ବ୍ୟାଧି ପାଇଁ ଉପଯୋଗୀ, ଏହାକୁ ମଧ୍ୟ ଆମେ କ୍ରମେ କ୍ରମେ ଗ୍ରହଣ କରିବାକୁ ଆଗେଇ ଆସିଲେଣି ।

ଖ୍ରୀଷ୍ଟୀୟ ନବମ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ସଙ୍ଗୀତ ଥିଲା ସାହିତ୍ୟର ପ୍ରାଣକେନ୍ଦ୍ର । ସଙ୍ଗୀତ କଳାକୁ ଅତି ସୁନ୍ଦର ଭାବରେ, ମନୋରମ ଶୈଳୀରେ ସାହିତ୍ୟ (କାବ୍ୟ) ମଧ୍ୟରେ ଖୁନ୍ଦି ଦେଇଥିଲେ ମହାନ କବିଗଣ। ଆମ ଭାରତୀୟ ସଙ୍ଗୀତର ୬ ରାଗ, ୩୬ ରାଗିଣୀ ସାହିତ୍ୟକୁ ଅଳ୍ପ ବହୁତେ ପ୍ରଭାବିତ କରିବା ଦୃଷ୍ଟିଗୋଚର ହୁଏ । ଉତ୍କଳ ସାହିତ୍ୟ ମଧ୍ୟ ସେଇମିତି । ଉତ୍କଳୀୟ ମାନେ କେବଳ ପ୍ରସ୍ତର ଶିଳ୍ପୀ ନଥିଲେ, ସଙ୍ଗୀତର ଶିଳ୍ପୀ ମଧ୍ୟ ଥିଲେ । ପଥର ଦେହରେ, ନିହାଣ ମୁନରେ ଯେଉଁ କଳା ସୌଷ୍ଠବର ପରିପ୍ରକାଶ ଘଟିଛି ଉତ୍କଳୀୟ ଶିଳ୍ପୀମାନଙ୍କର, ସେହିପରି ରାଗ ରାଗିଣୀ ପ୍ରକାଶିତ ହୋଇଛି ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ମଧ୍ୟରେ । ସେଇଥିପାଇଁ ତ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ଅକଳଙ୍କ ଯଶର ଅଧିକାରୀ ଭାରତବର୍ଷ କାହିଁକି ସମଗ୍ର ବିଶ୍ଵରେ । କେବଳ ଏତିକି ନୁହେଁ, ଓଡ଼ିଶାର ଲୋକନୃତ୍ୟ, ନାଟକ, କାବ୍ୟ ଆଦିରେ ସଙ୍ଗୀତର ଅଖଣ୍ଡ ପ୍ରଭାବ ପରିଲକ୍ଷିତ ହୋଇଥାଏ ।


ଆମ ଓଡ଼ିଶାର ପାଲା ସେହି ସଙ୍ଗୀତର ଅମୂର୍ତ୍ତ ପରିପ୍ରକାଶ । ଏହା ଉତ୍କଳଖଣ୍ଡର ଏକ ବିଶିଷ୍ଟ ସାରସ୍ଵତ କଳା, ସାଧନା । ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଶାର ଜନଜୀବନ ଓ ସାଂସ୍କୃତିକ ଚେତନା ସହ ନିବିଡ଼ ସମ୍ପର୍କ ରକ୍ଷାକାରୀ ହେଉଛି ଆମର ପାଲା । ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରେ କାବ୍ୟକୁ ନାଟକ ଭାବେ ଗ୍ରହଣ କରାଯାଇ ଏହାକୁ ଶ୍ରାବ୍ୟକାବ୍ୟ ଓ ଦୃଶ୍ୟକାବ୍ୟ ବୋଲି ବିଭକ୍ତ କରାଯାଇଛି । କାବ୍ୟକୁ ସଙ୍ଗୀତ ପୁଟରେ ସଜାଇ ଦେଇ ଉପସ୍ଥାପନା କଲେ ତାହାର ମାଧୁର୍ଯ୍ୟ ଦ୍ଵିଗୁଣିତ ହୋଇଥାଏ । ଯଦି କାବ୍ୟଟି ସଙ୍ଗୀତର ସ୍ଵର ବିଭବ ମଧ୍ୟରେ ଗାନ କରାଯିବା ସହ ସାମାନ୍ୟ ଅଭିନୟର ପ୍ରଲେପ ଦିଆଯାଏ, ତାହା ଆହୁରି ମର୍ମସ୍ପର୍ଶୀ, ରସାଳ, ଭାବୋଦ୍ଦୀପକ ଓ ଭାବରଞ୍ଜିତ ହୋଇଉଠେ । ଏହାହିଁ ଓଡ଼ିଶାର ପାଲା । ଏହା ଦୃଶ୍ୟକାବ୍ୟ ।

ସାହିତ୍ୟ ପାଲାର ପ୍ରାଣକେନ୍ଦ୍ର । ସାଂସ୍କୃତିକ, ଆଧ୍ୟାତ୍ମିକ, ବୌଦ୍ଧିକ ଚେତନା ତାହାର ଅଙ୍ଗ ପ୍ରତ୍ୟଙ୍ଗ। ସାରସ୍ବତ ମୂଲ୍ୟବୋଧ ପ୍ରଚାର ପ୍ରସାର କରିବା ସହ, ସ୍ଥଳେ ସ୍ଥଳେ ଓଡ଼ିଶାର ଚଳଣୀ, ସାମାଜିକ ପରମ୍ପରା, ବିଧି, ପ୍ରାଚୀନତା ଆଦିର ଉପସ୍ଥାପନା ହିଁ ପାଲାର ବଳିଷ୍ଠ ଅବଦାନ । ଏହି ଦୃଷ୍ଟିରୁ ପାଲା ଓଡ଼ିଶାର ଏକ ଲୋକପ୍ରିୟ ସାଂସ୍କୃତିକ ଅନୁଷ୍ଠାନ । ପ୍ରାଚୀନ ଓଡ଼ିଆ ସାହିତ୍ୟକୁ ଛନ୍ଦ, ସ୍ଵର, ତାଳ, ଲୟରେ ଗୁନ୍ଥି ଦେଇ ଲୋକଙ୍କ ମଧ୍ୟରେ, ସାରା ଓଡ଼ିଶାରେ ଜୀବନ୍ତ କରି ରଖିଥିବା ଅନୁଷ୍ଠାନ ହେଉଛି ପାଲା । ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତ ସୁଲଳିତ ସ୍ବର, ଛନ୍ଦ ଦେଇ ଗାନ କରିବା ଦ୍ୱାରା ଏହା ଶିକ୍ଷିତ, ଅର୍ଦ୍ଧଶିକ୍ଷିତ, ଅଶିକ୍ଷିତ ଓ ସବୁବର୍ଗର ଓଡ଼ିଆଙ୍କ ହୃଦୟରେ ଲାଖି ରହିଗଲା । ଅନ୍ୟ ପକ୍ଷରେ ଉପେନ୍ଦ୍ର, ଦୀନକୃଷ୍ଣ, ଅଭିମନ୍ୟୁ, ଯଦୁମଣି, ଗୋପାଳକୃଷ୍ଣ, ବଳଦେବ, ଜୟଦେବ, ଭକ୍ତଚରଣ, ବନମାଳୀ ଆଦି ଯୋଗଜନ୍ମା କବିମାନଙ୍କ ରଚନା ସମୂହକୁ ସାବଲୀଳ ଛନ୍ଦ ଓ ଅଭିନୟ ସହ ତରଳ, ରସ-ପ୍ରସବଣ ସୃଷ୍ଟି କରି ବର୍ଷ ବର୍ଷ ଧରି ଲୋକମାନଙ୍କ ପାଖରେ ପହଞ୍ଚାଇ, ରଚନାର ସାରସ୍ଵତତା ପ୍ରମାଣିତ କରି, ସେମାନଙ୍କୁ ପ୍ରତି ଓଡ଼ିଆ ହୃଦୟରେ ଅବସ୍ଥାପିତ କରାଇ ପାରିଛନ୍ତି ପାଲା ଅନୁଷ୍ଠାନ ଗୁଡ଼ିକ । ଏହି ଅନୁଷ୍ଠାନ ମାନଙ୍କର ଅନୁପସ୍ଥିତିରେ ହୁଏତ ଜୀବନ୍ତ ସମାଧି ନେଇସାରିଥାନ୍ତେ ଏହି ବରେଣ୍ୟ, ପ୍ରାତଃସ୍ମରଣୀୟ ଅସାଧାରଣ କବିବୃନ୍ଦ !

ପାଲା ଗୀତ, ନୃତ୍ୟ, ବାଦ୍ୟ, ପାଣ୍ଡିତ୍ୟ, ଆଶୁକବିତ୍ଵ, ମନୋରଞ୍ଜନ ଓ ପ୍ରତିଭାର ମିଳନପୀଠ । କବି ପ୍ରଣୀତ କାବ୍ୟାବଳୀ ସହଜରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରେ ନାହିଁ । ସେହି କାବ୍ୟ ମାନଙ୍କୁ ଗଣମୁଖୀ କରାଇବା ପାଇଁ ଆବଶ୍ୟକତା ପଡ଼ିଥାଏ ବ୍ୟାଖ୍ୟାକାରଙ୍କର । କଠିନ କାବ୍ୟର ପଦାବଳୀକୁ ସରଳ ତରଳ ଭାଷାରେ ଉପମା ମଣ୍ଡିତ କରି ପହଞ୍ଚାଇ ଦିଏ ବ୍ୟାଖ୍ୟାକାର ଲୋକମାନଙ୍କ ମଧ୍ୟରେ ।

କିନ୍ତୁ ପାଲା ?

ଗାୟକ ଓ ସହକର୍ମୀଗଣ ଗାୟନ, ବ୍ୟାଖ୍ୟାନ, ସଙ୍ଗୀତ, ବାଦ୍ୟ, ଅଭିନୟ, ହାସ୍ୟରସ ମାଧ୍ୟମରେ ଦର୍ଶକ, ଶ୍ରୋତା ଆଗରେ ଉପସ୍ଥାପନା କରିଦିଅନ୍ତି ଶାସ୍ତ୍ରୀୟ, କଠିନ କାବ୍ୟ ସମୂହକୁ । ଅଳଙ୍କାରିକ ବିଶ୍ଵନାଥ କବିରାଜଙ୍କ ମତରେ ‘ତନ୍ତ୍ରାଭିନେୟ ଦୃଶ୍ୟମ୍’, ବାମନାଚାର୍ଯ୍ୟଙ୍କ ଉକ୍ତିରେ ଏହା  ‘ଅଭିନୟାତ୍ମକଂ କାବ୍ୟଂ ନାଟ୍ୟମ୍’ । ତେଣୁ ଏହି କଥା ବିଚାର କଲେ ପାଲା ହେଉଛି ଅଖଣ୍ଡ ରସ ସୃଷ୍ଟିକାରୀ ମାଧ୍ୟମ ଯାହା ରସଗ୍ରାହୀ ଦର୍ଶକ ହୃଦୟରେ ସିଧାସଳଖ ପ୍ରବେଶ କରେ ।

ଓଡ଼ିଶାର ସଂସ୍କୃତିକୁ ବହୁ ଭାବରେ ସମୃଦ୍ଧ କରିଛି ପାଲା । ସଂଖ୍ୟାତୀତ ଗ୍ରନ୍ଥ ଅଧ୍ୟୟନ କରି, ସେଥିରୁ ଅମୂଲ୍ୟ ଉପାଦାନ ସଂଗ୍ରହ କରି, ଗାଭୀରୂପୀ ଗ୍ରନ୍ଥମାନଙ୍କୁ ଦୋହନ କରି ତା’ର ଲବଣୀ ତୁଲ୍ୟ ନିର୍ଯ୍ୟାସ ଦର୍ଶକ, ଶ୍ରୋତାଙ୍କ ନିକଟରେ ପରଶି ଦେବା ହିଁ ଓଡ଼ିଶାର ପାଲା । ଚିତ୍ତବୃତ୍ତିର ଉଦବେଳନ ସହ ଜୀବନ୍ତ ସଙ୍ଗୀତ, ଅଭିନୟ, ସରସ କଥା, ଉପକଥା ପ୍ରକାଶ କରାଇବାର ଅନ୍ୟ ନାମ ପାଲା । ବିଧିବଦ୍ଧ ଆଲୋଚନା, ପାଣ୍ଡିତ୍ୟ ପୂର୍ଣ୍ଣ ତର୍କ, ସଂସ୍କୃତିର, ଭାଷାର ମୂଲ୍ୟାୟନ ହିଁ ଓଡ଼ିଶାର ପାଲା । ଓଡ଼ିଆ ସାହିତ୍ୟ, ସଂସ୍କୃତି, ପରମ୍ପରା, ଚଳଣୀର ଭିତ୍ତିଭୂମିକୁ ଦୃଢ଼ କରିବା ହିଁ ଓଡ଼ିଶାର ପାଲା । 


ପ୍ରତିବେଶୀ ମାନଙ୍କ ଦୃଷ୍ଟିରେ, “ଆମ ଭାଷା କୁଆଡ଼େ ସ୍ଵତନ୍ତ୍ର ନୁହେଁ ! ଆମେ କୁଆଡ଼େ ଗୋଟିଏ ଅର୍ବାଚୀନ, ହେୟ ଭାଷାର ପ୍ରଦେଶ ! ଆମେ କୁଆଡ଼େ ସ୍ଵାତନ୍ତ୍ର୍ୟ ରହିତ ! ଏପରି ଭାବନାର ଉର୍ଦ୍ଧ୍ୱରେ ହିଁ ଓଡ଼ିଆ ସାହିତ୍ୟର ପ୍ରତିଟି ବିଭାଗ । ଓଡ଼ିଆ ମଣିଷ ନିଜର ଯଶ ନିଜେ ଗାଏ ନାହିଁ । ନିଜେ ପ୍ରଚାର ସର୍ବସ୍ୱ ନୁହେଁ । ସେଇଥିପାଇଁ ବୋଧେ ଅନେକ କିଛି ସଂଗୋପିତ ! ତନ୍ମଧ୍ୟରୁ ଓଡ଼ିଆ ପାଲା ଅନ୍ୟତମ । ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଅନୁଷ୍ଠାନ ଥିଲେ ମଧ୍ୟ ଓଡି଼ଶାର ପାଲା ସଦୃଶ ଅନୁଷ୍ଠାନ ଦୃଶ୍ୟମାନ ହୁଅନ୍ତି ନାହିଁ । ଏହା ଓଡ଼ିଶାର ସମ୍ପୂର୍ଣ୍ଣ ନିଜସ୍ଵ, ଏହା ପ୍ରାଚୀନ, ଏହା ଏକ ରୁଦ୍ଧିମନ୍ତ ସାହିତ୍ୟ ଅନୁଷ୍ଠାନ ।

ଓଡ଼ିଶାର ସଂସ୍କୃତିକୁ ବହୁ ଭାବରେ ସମୃଦ୍ଧ କରିଥିବା ପାଲା ଆଜି ଯେମିତି ଅବକ୍ଷୟମାଣ ! ଓଡ଼ିଶାକୁ ବାଦ୍ ଦେଲେ ଏଭଳି ସଂସ୍କୃତି ମୂଳକ ଅନୁଷ୍ଠାନ ପ୍ରାୟତଃ ଅନ୍ୟ କୌଣସି ପ୍ରଦେଶରେ ଦୃଶ୍ୟମାନ ହୁଏ ନାହିଁ, ବଙ୍ଗଳା ଓ ଆସାମକୁ ଛାଡ଼ି । ଅବଶ୍ୟ ଏହା ଉପରୋକ୍ତ ଦୁଇ ରାଜ୍ୟରେ ସର୍ବତ୍ର ହେଉଥିବା ଦୃଷ୍ଟିରେ ପଡ଼େ ନାହିଁ । ଅପର ପକ୍ଷରେ କିନ୍ତୁ ଓଡ଼ିଶା ଭୂଖଣ୍ଡରେ ସର୍ବତ୍ର ଏହି ଅନୁଷ୍ଠାନମାନ ରହିଛି । ଯେ କୌଣସି ଅଞ୍ଚଳର ଅଧିବାସୀଟିଏ ପାଲା କହିଲେ ବୁଝିଯାଏ ଓ ତା ଆଖି ଆଗରେ ନାଚି ଉଠେ ପାଲାର ଛବି, ପରିବେଷଣ ସହ ବେଦିକା, ମଞ୍ଚ, ଗାୟକ ଓ ଆୟୋଜନ ସ୍ଥଳ । ଏହି ପାଲା ଓଡ଼ିଶାରେ କେବେ ଆରମ୍ଭ ହେଲା ସେ ବିଷୟରେ ମାନସମନ୍ଥନ କରିବାକୁ ସମୟ ନଥାଏ ତା’ର । ମାତ୍ର କହିଦେଇ ପାରେ, “ଏତେ ବର୍ଷ ହେଲା ଆମ ଗାଆଁରେ ହେଉଛି, ପାଖ ଗାଁରେ ହେଉଛି, ଅମୁକ ଗାୟକ ଅମୁକ ବର୍ଷ ଏଇଠି ଉଠିଥିଲେ” ଇତ୍ୟାଦି ଇତ୍ୟାଦି । ଓଡ଼ିଆ ମଣିଷଙ୍କ ମାନସ ପଟରେ ଚିତ୍ରିତ ଏହି ପାଲା, ଯାହାର ଉଦ୍ଭବ କେମିତି, କେଉଁଠୁ – ତାହା ସ୍ଵଳ୍ପ କିଛି ଗବେଷକ ମାନଙ୍କ ମତରେ ଭିନ୍ନ ଭିନ୍ନ ।

~ ପାଲା – ଏପରି ନାମକରଣ କାହିଁକି ~
~ ପାଲ୍ୟତେ ~
କେତେକଙ୍କ ମତରେ ସଂସ୍କୃତ ଶବ୍ଦ ‘ପାଲ୍ୟତେ’ର ଅପଭ୍ରଂଶ ହେଉଛି ପାଲା ଶବ୍ଦ । “ପାଲ୍ୟେତେ ଇତି ପାଲା” ଯଥାର୍ଥ ହୋଇପାରେ । ଧର୍ମ ବା ଈଶ୍ଵରଙ୍କ ମହିମା ଗାନ ପାଲାର ମୂଳଉତ୍ସ । ଭଗବାନଙ୍କ ଲୀଳାବର୍ଣ୍ଣନା, ଧର୍ମ ପ୍ରତି ଆସ୍ଥାବାନ ହେବା ପାଲା ମାଧ୍ୟମରେ ପରିବେଷିତ ହେଉଥିବାରୁ ଲୋକ ଚେତନାରେ ଧର୍ମ ଓ ଈଶ୍ଵରଙ୍କ ପ୍ରତି ଭକ୍ତି ସଞ୍ଜାତ ହେବା ସହ, ଈଶ୍ଵରଙ୍କୁ ଅବମାନନାରେ ଦଣ୍ଡ ମିଳେ । ଧର୍ମ ପ୍ରତି ଅନୁରକ୍ତ ହେବା ଓ ଈଶ୍ଵରଙ୍କୁ ବିଶ୍ୱାସ କରିବା ଉପଦେଶମାନ ପ୍ରାୟତଃ ପାଲାରେ ଅଧିକ ଆଲୋଚିତ ହୁଏ । ପାଲା ମାଧ୍ୟମରେ ଏହି ଦୁଇଟି ଲକ୍ଷ୍ୟ ପ୍ରତିପାଦନ ହେଉଥିବା ହେତୁ ପାଲ୍ୟତେ ମୂଳ ଶବ୍ଦରୁ ପାଲା ଶବ୍ଦ ଉତ୍ପତ୍ତି ବୋଲି ଅନେକ ଅନୁମାନ କରନ୍ତି । ତେବେ ପାଲାରେ ତ ସାହିତ୍ୟଚର୍ଚ୍ଚା, ହାସ୍ୟ ପରିବେଷଣ ଓ ଅଭିନୟ ମାଧ୍ୟମରେ ଅନେକ କିଛି ଉପସ୍ଥାପିତ ହୁଏ ! ଅତଏବ ଏହି ପାଲା ଶବ୍ଦ ପାଲ୍ୟତେ ଶବ୍ଦରୁ ଆସିବା ଯଥାର୍ଥ ନୁହେଁ ବୋଲି ପ୍ରତିପକ୍ଷ ଆଲୋଚକ ମତ ଦିଅନ୍ତି ।

~ ପାଞ୍ଚାଲି ~
କେତେକଙ୍କ ମତରେ ବଙ୍ଗଦେଶରେ ପ୍ରଚଳିତ ‘ପାଞ୍ଚାଲି’ ଶବ୍ଦର ଅପଭ୍ରଂଶ ସମ୍ଭବତଃ ପାଲା ଶବ୍ଦ । ପାଞ୍ଚାଲି ବଙ୍ଗଦେଶରେ ପୂଜା ଅନୁଷ୍ଠାନମାନଙ୍କରେ ପ୍ରଚଳିତ ଶବ୍ଦ । ଓଡ଼ିଆ ବୋହୂମାନେ ସାଧାରଣତଃ ନାଗଚତୁର୍ଥୀ, ସାବିତ୍ରୀବ୍ରତ, ବାଟଓଷା ଇତ୍ୟାଦି ଅନୁଷ୍ଠାନମାନ ସମ୍ମିଳିତ ଭାବେ ପୁରୋହିତ, ଗୃହସ୍ଥ ବ୍ରାହ୍ମଣଙ୍କ ଦ୍ଵାରା ଠାକୁର ସ୍ଥାପନ କରାଇଥାନ୍ତି । ଏଥିରେ ଛନ୍ଦବଦ୍ଧ କବିତା ମାଧ୍ୟମରେ ପୌରାଣିକ ଆଖ୍ୟାନର ବ୍ୟାଖ୍ୟାନ କରାଯାଏ । ଏହା ଆମ ପଡ଼ୋଶୀ ବଙ୍ଗଦେଶର ପୂଜା ସହ ସାମଞ୍ଜସ୍ୟ ରଖେ। ଏହା ପାଞ୍ଚାଲି ନାମେ ବିଦିତ । ପାଲା ଅନୁଷ୍ଠାନଟି ଏହାଠାରୁ ପୃଥକ ନିଶ୍ଚିତ। ଏହି ମତବାଦର ପ୍ରଖ୍ୟାପକମାନେ କବିକର୍ଣ୍ଣଙ୍କ ଷୋଳପାଲା ପାଞ୍ଚାଳୀ ବୃତ୍ତରେ ବା ରାଗରେ ରଚିତ ବୋଲି ମତ ଦିଅନ୍ତି । ତେଣୁ ସେମାନଙ୍କ ମତରେ ପାଞ୍ଚାଲି ହିଁ ପାଲା । ଅଳଙ୍କାର ଶାସ୍ତ୍ର ମତରେ ମାଗଧି, ଗୌଡ଼ୀ, ପାଞ୍ଚାଳୀ (ପାଞ୍ଚାଲି ନୁହେଁ) ଓ ଲାଟ୍ୟା ସ୍ଵତନ୍ତ୍ର ରୀତି ଭାବେ ସ୍ଵୀକୃତ । ସ୍ଥାନ ଓ କାଳବିଶେଷରେ ବିଶିଷ୍ଟ ପଦ ବା ସଂଘଟନ ବା ଶୈଳୀ ହିଁ ରୀତି । ସେହି ଶୈଳୀମାନଙ୍କ ମଧ୍ୟରୁ “ପାଞ୍ଚାଳୀ” ରାଗ ଭାବରେ କୌଣସି ଅଳଙ୍କାର ଶାସ୍ତ୍ରରେ ସ୍ଵୀକୃତ ନୁହେଁ । ଧରି ନିଆଯାଉ ଯଦି କବିକର୍ଣ୍ଣ ବିରଚିତ ଷୋଳପାଲା ପାଞ୍ଚାଳୀ ରୀତିରେ ରଚିତ, ତେବେ ତାହାକୁ ପାଞ୍ଚାଳୀ ରାଗ କହିବା ଅସମୀଚୀନ । ଆଉ ଏକ ଦୃଷ୍ଟି କୋଣରୁ କବିକର୍ଣ୍ଣ  ଷୋଳପାଲା ବଙ୍ଗଭାଷାରେ ରଚିତ ହୋଇଥିବାରୁ, ଏହାର ଉତ୍ପତ୍ତି ବଙ୍ଗଳାରୁ ବୋଲି ଧରାଯାଏ, ତେବେ ପାଞ୍ଚାଳୀ ରାଗ ତ ତାଙ୍କ ଆବିଷ୍କୃତ ରାଗ ନୁହେଁ ! ତେଣୁ ଷୋଳପାଲା ରଚନା ବେଳକୁ ସେ ଏହି ରାଗଟିକୁ ବାଛି ଥିବେ ନିଶ୍ଚୟ । ଲୋକପ୍ରିୟ ଏହି ରାଗଟି କ’ଣ କେବଳ କବିକର୍ଣ୍ଣଙ୍କ ଜନ୍ମ ସ୍ଥାନରେ ପ୍ରଚଳିତ ଥିଲା ? ଏହା ଅନ୍ୟତ୍ର ବି ବ୍ୟବହୃତ ହେଉଥିବ ! ତେବେ ଆଶ୍ଚର୍ଯ୍ୟ ଲାଗେ, “ଓଡ଼ିଶାରେ କାହିଁକି ‘ପାଞ୍ଚାଳୀ’ ଶବ୍ଦରୁ ପାଲା ଶବ୍ଦ ଉତ୍ପତ୍ତି ହେଲା, ଅଥଚ ଅନ୍ୟ କେଉଁ ପ୍ରଦେଶରେ ବା ଅଞ୍ଚଳରେ, ଅନ୍ୟ ଭାରତୀୟ ଭାଷାରେ ପ୍ରଚଳନ ହେବା ପରିଦୃଷ୍ଟ ହେଲା ନାହିଁ ?” ଦ୍ବିତୀୟତଃ ଏହି ଦୁଇ ଶବ୍ଦ “ପାଞ୍ଚାଲି ଓ ପାଞ୍ଚାଳୀ ” ମଧ୍ୟରେ ଭାବଗତ ଓ ଉଚ୍ଚାରଣ ଗତ ପାର୍ଥକ୍ୟ ଅନେକ ।

~ ପାଳିଆରୁ ପାଲା ~
ଅନେକ ସମାଲୋଚକ ମତ ଦିଅନ୍ତି ଯେ, ପାଲା ଶବ୍ଦ ପାଲା ଗାୟନ ପ୍ରଣାଳୀରୁ ଉତ୍ପନ୍ନ । ପାଲାରେ ଗାୟକ ସହ ପାଞ୍ଚ ଜଣ ପାଳିଆ ଥାଆନ୍ତି, ଯେଉଁମାନେ ପାଳି ଧରନ୍ତି । ପାଳିଧରା ରୀତି ପାଲାରେ ପ୍ରଚଳିତ ଥିବାରୁ ପାଳିଆ ଶବ୍ଦଟି ଅପଭ୍ରଂଶ ଓ ପରିମାର୍ଜିତ ହୋଇ ପାଲା ଶବ୍ଦ ଉତ୍ପତ୍ତି ହୋଇଥାଇପାରେ ! ତେବେ ଏଠାରେ ଆଉ ଗୋଟିଏ କଥା ଚିନ୍ତା କରିବା । ଯେତେବେଳେ ମିଳିତ ଭାବେ କୌଣସି ଗୀତ ବୋଲାଯାଏ, ସେ ସ୍ଥଳରେ ପ୍ରଥମେ ଜଣେ ଗାଆନ୍ତି, ପରେ ଅନ୍ୟମାନେ ସେହି ଗୀତକୁ ଅନୁକରଣ କରି ପାଳି ଧରନ୍ତି । ଏ ରୀତି ବା ପ୍ରଥା ବଡ଼ ବଡ଼ ସଙ୍ଗୀତ ଆସର ମାନଙ୍କରେ ବି ଦେଖିବାକୁ ମିଳେ । ଏ ରୀତି ସର୍ବତ୍ର ପ୍ରଚଳିତ ଥିଲେ ମଧ୍ୟ ଅନ୍ୟ କୌଣସି ପ୍ରଦେଶରେ/ସ୍ଥାନରେ ପାଲା ଶବ୍ଦ ବ୍ୟବହାର ହେବା ଦେଖାଯାଏ ନାହିଁ । ତେଣୁ ପ୍ରତିପକ୍ଷ ସମାଲୋଚକ ମାନେ ଏହାକୁ ନାପସନ୍ଦ କରିଛନ୍ତି ।

~ ପର୍ଯ୍ୟାୟ ଶବ୍ଦର ବିବର୍ତ୍ତନ ~
ବଙ୍ଗଳାରେ ପାଲା ଅର୍ଥ ପାଳି, ପର୍ଯ୍ୟାୟ ବା ବିଷୟ । ପର୍ଯ୍ୟାୟ ସଂସ୍କୃତ ଶବ୍ଦ । ପାଲା ପ୍ରତିଯୋଗିତାରେ ଜଣେ ଗାୟକ ମଞ୍ଚ ଉପରେ ନିଜର ପାଲା ପରିବେଷଣ କରିବା ପରେ ତାଙ୍କ ପ୍ରତିଯୋଗୀ ଗାୟକ ରଙ୍ଗମଞ୍ଚରେ ଅବତୀର୍ଣ୍ଣ ହୋଇ ପ୍ରଥମ ଗାୟକ ତାଙ୍କ ଉଦ୍ଦେଶ୍ୟରେ ରଖି ଯାଇଥିବା ପ୍ରଶ୍ନର ସମାଧାନ କରି ଅନ୍ୟ ପ୍ରସଙ୍ଗକୁ ଯାଆନ୍ତି । ପରିଶେଷରେ ଦ୍ଵିତୀୟ ଗାୟକ ତା’ପର ଦିନ ପାଇଁ ପ୍ରଶ୍ନ ରଖିଦେଇ ମଞ୍ଚରୁ ବିଦାୟ ନିଅନ୍ତି । ଏହା ପର୍ଯ୍ୟାୟକ୍ରମେ ଚାଲେ ସେହି ମଞ୍ଚରେ ପାଲା ଅନୁଷ୍ଠାନ ବଢ଼ିବା ପର୍ଯ୍ୟନ୍ତ । ତେଣୁ ପାଲା ପରିବେଷଣ କ୍ରିୟା ଏକାନ୍ତ ପର୍ଯ୍ୟାୟବାଚୀ ହୋଇ ଥିବାରୁ ଏହି ପାଲା ଶବ୍ଦର ଉତ୍ପତ୍ତି ପର୍ଯ୍ୟାୟ ଶବ୍ଦର ବିବର୍ତ୍ତନ ବୋଲି ଏହି ମତକୁ ସମର୍ଥନ କରନ୍ତି ଅନେକ ଆଲୋଚକ ।

ପାଲା ଗାୟକମାନେ ଯେଉଁ ସଙ୍ଗୀତ ଆବୃତ୍ତି କରନ୍ତି, ସେହି ସଙ୍ଗୀତ ଶେଷରେ ଖୋଳ ଓ ଝାଞ୍ଜ ସାହାଯ୍ୟରେ ଓଡ଼ିଶୀ ବାଦ୍ୟର ନିୟମାନୁସାରେ ତାଳ ଦିଆଯାଏ । ଏହି ତାଳ ଦେବା ରୀତିକୁ ପାଲାରେ ମାନ କୁହାଯାଏ । ଓଡ଼ିଶାର ପାଲାରେ ପର୍ଯ୍ୟାୟମାନ ବିଶେଷ ପରିଚିତ ଓ ଲୋକପ୍ରିୟ । ବିଷୟ ପରିବେଷଣ କଲା ବେଳେ ସଙ୍ଗୀତର ସମତା ରକ୍ଷା କରି ରୀତି, ବୃତ୍ତ, ତାଳ ଓ ଲୟରେ ସଙ୍ଗୀତ ପରିବେଷଣ ହୁଏ ଓ ଶେଷରେ ମାନ ଦିଆଯାଏ । ଏହି ଗାୟନ ଓ ମାନର ଭିନ୍ନ ଭିନ୍ନ ପର୍ଯ୍ୟାୟ ରହିଛି । ତେଣୁ ପାଲାରେ ଏ ପ୍ରକାର ସ୍ଵର, ବୃତ୍ତ, ତାଳ, ମାନ ପର୍ଯ୍ୟାୟ କ୍ରମେ ଆସୁଥିବାରୁ ଏହା ପର୍ଯ୍ୟାୟମାନ ଭାବେ କଥିତ । “ପର୍ଯ୍ୟାୟକ୍ରମ” ର ସମତା ରକ୍ଷା ହେତୁ ପର୍ଯ୍ୟାୟ ଶବ୍ଦରୁ ପାଲା ଶବ୍ଦ ଉତ୍ପତ୍ତି ଓ ବ୍ୟୁତ୍ପତ୍ତି ଲାଭ କରିଥିବା ବିଚିତ୍ର ନୁହେଁ !!

~ ପାଓ ଲାଓ ~
ଏ ଶବ୍ଦର ବିଶ୍ଳେଷଣ ଟିକେ ଦେଖିବା । ପାଓ ଅର୍ଥ ପାଅ, ଲାଓ ଅର୍ଥ ଦିଅ । ବିଶେଷ ଅର୍ଥରେ ଭଗବାନଙ୍କୁ ପାଅ ଏବଂ ସତ୍ୟପୀର କହିଲେ ଦିଅ (ଶିରିଣି) । କେହି କେହି କହନ୍ତି “ପାଅ ଆଲ୍ଲା” ଅର୍ଥାତ୍ ପୂଜା କରି ଭଗବାନ ବା ଆଲ୍ଲାଙ୍କୁ ପାଅ । ତେବେ ଏହା କବିକର୍ଣ୍ଣ ବିରଚିତ ଷୋଳପାଲା, ଯହିଁରେ ସତ୍ୟନାରାୟଣ ‘ସତ୍ୟପୀର’ ଭାବେ ନାମିତ । କିନ୍ତୁ ସତ୍ୟପୀର ପାଲା ଓଡ଼ିଶାକୁ ପ୍ରବେଶ କଲା ୧୭୧୬ ମସିହା ବେଳକୁ (ଉତ୍କଳ ଇତିହାସ, ଐତିହାସିକ କୃପାସିନ୍ଧୁ ମିଶ୍ର) । ମାତ୍ର କବିକର୍ଣ୍ଣ ବିରଚିତ ଷୋଳପାଲା ୧୨୬୨ ସାଲରେ ଲିଖିତ (ପରବର୍ତ୍ତୀ ଅଧ୍ୟାୟରେ ଆଲୋଚିତ ହେବ) । ଯେତେବେଳେ ଓଡ଼ିଶାର ପାଲା ବହୁ ପ୍ରାଚୀନ, ସେତେବେଳେ ଅଷ୍ଟାଦଶ ଶତାବ୍ଦୀରେ ଆମଦାନୀ ହୋଇଥିବା ସତ୍ୟପୀର ପାଲାର ଆଲ୍ଲା ଭଗବାନଙ୍କ “ପାଓ ଲାଓ” (ଯାବନିକ ଶବ୍ଦ)ରୁ ପାଲା ଶବ୍ଦ ଉତ୍ପତ୍ତି ବିଭ୍ରାନ୍ତିକର ।

~ ‘ପାଲି’ ଶବ୍ଦ ବିଚାର୍ଯ୍ୟ
ପାଲି କିମ୍ବା ପାଲୀ, ଏହି ସଂସ୍କୃତ ଶବ୍ଦର ଅର୍ଥ ହେଉଛି ପ୍ରଶଂସା । ପାଲା ମାଧ୍ୟମରେ ଭଗବାନଙ୍କର, ମହାପୁରୁଷମାନଙ୍କର, ଶାସ୍ତ୍ରକାର ମାନଙ୍କର ଓ ସତକବି ମାନଙ୍କର ପ୍ରଶଂସା କରାଯାଇଥାଏ । ପ୍ରାଚୀନ କଳିଙ୍ଗର ଭାଷା ଥିଲା ‘ପାଲି’ । ପ୍ରଖ୍ୟାତ ଐତିହାସିକ ଡ. ନବୀନ କୁମାର ସାହୁ ତାଙ୍କର ଓଡ଼ିଆ ଜାତିର ଇତିହାସରେ ମତ ଦିଅନ୍ତି, “ପାଳିର ଉତ୍ପତ୍ତି ତଥା ଲାଳନ ଭୂମି ସମ୍ପର୍କରେ ସାଧାରଣତଃ ଯେଉଁ ମତମାନ ପ୍ରକାଶିତ ହୋଇଅଛି ପ୍ରଥମେ ସେଗୁଡ଼ିକ ବିଶ୍ଳେଷଣ କରାଯାଉ । ବୁଦ୍ଧ ଓ ମହାବୀର ନିଜ ନିଜ ଧର୍ମ ମତ ଜନସାଧାରଣରେ ପ୍ରଚାର କରିବା ନିମନ୍ତେ କେଉଁ ଭାଷାର ଆଶ୍ରୟ ନେଇଥିଲେ ତାହା ଏବେ ନିଶ୍ଚିତ ରୂପେ ଜାଣିବାର ଉପାୟ ନାହିଁ । ମାତ୍ର ବୁଦ୍ଧଙ୍କ ବାଣୀ ପରେ ଯେଉଁ ଭାଷାରେ ଲିପିବଦ୍ଧ ହୋଇଅଛି, ତାହା ହିଁ ପାଳି । ପାଳି  ସାହିତ୍ୟରେ ପାଳି ଶବ୍ଦ ବିଭିନ୍ନ ଅର୍ଥରେ ବ୍ୟବହୃତ ହୋଇଛି । ଅଭିଧମ୍ମପଦ ଦୀପିକା ସ୍ତୁତିରେ ଲେଖାଅଛି, “ପାଲି ଶବ୍ଦ ବୌଦ୍ଧଧର୍ମ, ତଡ଼ାଗଶ୍ରେଣୀ ଆଦି ଅର୍ଥରେ ବୁଝାଏ । ପାଳନ ଓ ରକ୍ଷା କରିବା ଆଦି ଅର୍ଥରେ, ବ୍ୟାପ୍ତି ବା ବିସ୍ତୃତି ଆଦି ଗୁଣ ରୂପରେ ଏବଂ ତ୍ରିପିଟକର ଧର୍ମ ହିସାବରେ ମଧ୍ୟ ପାଳି ଶବ୍ଦର ବ୍ୟବହାର ଦେଖାଯାଏ । ମାତ୍ର ଭାଷା ଦୃଷ୍ଟିରେ ପାଳି ବା ପାଲି ଏକ ସ୍ବତନ୍ତ୍ର ଉନ୍ନତ ଭାଷା, ଯାହା ମାଧ୍ୟମରେ ବୌଦ୍ଧଧର୍ମର ସାହିତ୍ୟ ଓ ଦର୍ଶନ ସମୃଦ୍ଧି ଲାଭ କରିଅଛି ।  ଅର୍ଥାତ୍ ଭଗବାନ ବୁଦ୍ଧଙ୍କ ବାଣୀ, ତାର ଅର୍ଥ, ତା’ର ବ୍ୟବହାର ଓ ତା’ର ପ୍ରକାଶ ସୂଚକ ଶବ୍ଦ ହେଉଛି ପାଳି । ବୁଦ୍ଧଙ୍କ ଉପଦେଶ ତାଙ୍କ ନିର୍ବାଣ ପରେ ସଂସ୍କୃତ ଭାଷାରେ ପ୍ରଚାର କରାଯିବ କି ବୋଲି ପ୍ରଶ୍ନ ହେବାରୁ ବୁଦ୍ଧ କହିଲେ, “ନିଜ ନିଜ ଭାଷାରେ” । ଏଠାରେ ସୂଚାଇ ଦିଆଯାଇପାରେ କି ପାଲି ପ୍ରାଚୀନ କଳିଙ୍ଗର ଭାଷା ଥିଲା ଓ ଏହା ମାଗଧୀ ଠାରୁ ସ୍ଵତନ୍ତ୍ର ଥିଲା । ପ୍ରାଚୀନ କଳିଙ୍ଗର ଏହି ଭାଷାକୁ ଦେଶବିଦେଶରେ ଲୋକମାନେ ଭଲରେ ବୁଝି ପାରୁଥିଲେ । ଏହି ପାଳି ଭାଷାରେ ପ୍ରଚାର କରିଥିଲେ ବୁଦ୍ଧଙ୍କ ପ୍ରଥମ ଦୁଇ ଶିଷ୍ୟ, ତାପସି ଓ ଭଲ୍ଲିକ, ଯେଉଁମାନେ କଳିଙ୍ଗର ଅଧିବାସୀ । ପରେ ସମ୍ରାଟ ଅଶୋକ ମଧ୍ୟ ଏହି କଳିଙ୍ଗର ଅଧିବାସୀ ମାନଙ୍କ ଦ୍ଵାରା ବୌଦ୍ଧଧର୍ମ ପ୍ରଚାର କରାଇଥିଲେ ।”

ସେ ସମୟର କଥା ଚିନ୍ତା କରାଯାଉ । ସେତେବେଳେ ଏହି ପାଲି ଭାଷା ସର୍ବାଦୃତ ଓ ଲେଖାଗୁଡ଼ିକ ପାଲିରେ ହେଉଥିବା ସ୍ଥଳେ, ପ୍ରଚାର ପ୍ରସାର ସେ ଅଞ୍ଚଳର କଥିତ ଭାଷା ଅନୁସାରେ ହେଉଥିବ । ତେବେ ପାଳି ବା ପାଲି ପ୍ରାଚୀନ କଳିଙ୍ଗର ଭାଷା, ଏଥିରେ ଦ୍ଵିମତ ହେବାର ନାହିଁ ।

କେତେ ଦୂର ସତ୍ୟତା ?

ଉପରୋକ୍ତ ଆଲୋଚିତ ଶବ୍ଦ ସମୂହ (ନାମକରଣ) ଗବେଷକ ମାନଙ୍କ ଦ୍ଵାରା ବିଭିନ୍ନ ସମୟରେ ଉପସ୍ଥାପିତ ହୋଇଛି । ତେବେ ସେ ସବୁ ଯୁକ୍ତିନିଷ୍ଠ ନୁହେଁ ! ଟିକେ ଗଭୀର ଭାବରେ ତର୍ଜମା କଲେ ପାଲ୍ୟତେ, ପାଞ୍ଚାଲି, ପାଞ୍ଚାଳୀ, ପାଳିଆ, ପର୍ଯ୍ୟାୟ, ପାଓ ଲାଓ, ପାଲି ବା ପାଳି ଶବ୍ଦଚୟ ଆପଣା ଛାଏଁ ଦୂରେଇ ଯିବେ। ଅତୀତରେ ପ୍ରଖ୍ୟାତ ଓଡ଼ିଆ ଗବେଷକବୃନ୍ଦ ଏହି ନାମକରଣକୁ କେବଳ ଆନୁମାନିକତା ଭିତ୍ତିରେ ଆମ ପାଖରେ ପହଞ୍ଚାଇଛନ୍ତି, କିନ୍ତୁ ଏ ସବୁ କୌଣସି ବଳିଷ୍ଠ ଯୁକ୍ତି ଦ୍ଵାରା ସମର୍ଥିତ ନୁହେଁ । ନିଜର ମତକୁ ପ୍ରମାଣ କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବା ହେଉଛି ଶ୍ରେୟସ୍କର ।

ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଅତୀତରେ ଏବଂ ଅଦ୍ୟାବଧି ଗବେଷକ ମାନେ ବେଶ୍ ଧ୍ୟାନ ଦେଇଛନ୍ତି । କିନ୍ତୁ ପାଲା ଉପରେ ଆଧାରିତ ଗବେଷଣା ହାତ ଗଣତି । ଲୋକରତ୍ନ ଡ. କୁଞ୍ଜବିହାରୀ ଦାଶ, ପ୍ରଖ୍ୟାତ ସାହିତ୍ୟିକ, ଗାୟକ ଡ. ନିରଞ୍ଜନ ପଣ୍ଡା, ନାଟ୍ୟକାର ଧୀରେନ୍ ଦାଶ ଅବଶ୍ୟ କିଛି ବାଟ ଆଗେଇ ନେଇଛନ୍ତି ଓ ଓଡ଼ିଶାର ପାଲା ଉପରେ କିଛି କିଛି ଆଲୋଚନା କରିଛନ୍ତି, କିନ୍ତୁ ଏତେ ବଡ଼ ଅନୁଷ୍ଠାନ ଯାହା କି ପାଲା ଓ ତାହା ଯେ ଶାସ୍ତ୍ରୀୟ , ତାହା ଉପରେ ଗବେଷଣାତ୍ମକ ନିବନ୍ଧ ହୋଇପାରି ନାହିଁ । ତେଣୁ ଅନ୍ଧକାରରେ ରହିଯାଇଛି ପାଲାର ଶାସ୍ତ୍ରୀୟ ଗଭୀରତା, ଯାହା ଆମ ପାଇଁ ଦୁଃଖଦ । ତେବେ ଆମ ସମୟର ବିଶିଷ୍ଟ ଆଲୋଚକ, ଗବେଷକ ଡ. ସନ୍ତୋଷ କୁମାର ମହାପାତ୍ର ତାଙ୍କର ଦଶବର୍ଷ ବ୍ୟାପୀ ଗବେଷଣା ଫଳରେ ଓଡ଼ିଶାର ପାଲାକୁ ଏକ ଶାସ୍ତ୍ରୀୟ ନାଟକ ରୂପେ ପ୍ରତିପାଦନ କରିଛନ୍ତି । ଓଡ଼ିଆ ଶାସ୍ତ୍ରୀୟ ଭାଷା, ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ, ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ  ଯେମିତି, ସେହିପରି ପାଲା ହିଁ ହେଉଛି ଓଡି଼ଶାର ଶାସ୍ତ୍ରୀୟ ନାଟକ । ଡ. ମହାପାତ୍ରଙ୍କ ତାଙ୍କ ପୂର୍ବରୁ ଆଲୋଚକମାନଙ୍କ ଓଡ଼ିଶାର ପାଲା ଉପରେ ସହଜିଆ ମତାମତ ତାଙ୍କ ଦ୍ଵାରା ଖଣ୍ଡିତ ! ଯୁକ୍ତିନିଷ୍ଠ ଉପସ୍ଥାପନା ମାଧ୍ୟମରେ – “କୌଣସି ବୁଦ୍ଧବଚନ, ସତ୍ୟପୀର ପାଲା, ପାଞ୍ଚାଳୀ, ପାଞ୍ଚାଲି, ପର୍ଯ୍ୟାୟ, ପାଓ ଲାଓରୁ ଆନୀତ ନୁହେଁ, ବରଂ ପାଲା ହେଉଛି ବିଶୁଦ୍ଧ ହିନ୍ଦୁ ଶାସ୍ତ୍ରୀୟ ନାଟକ । ଏହା ଭାରତୀୟ ନାଟ୍ୟ ପରମ୍ପରାର କାବ୍ୟନାଟକ, ଯାହା ଓଡ଼ିଶାର ମୌଳିକ !!”

 

ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ସାହିତ୍ୟ ପ୍ରତି ଉପଯୁକ୍ତ ରୁଚି ଅଭାବରୁ ଜନମାନସରେ ପୋଷକତା ହରାଉଛି ଆମ ଓଡ଼ିଶାର ପାଲା । ଏବେ ଲୋକେ ଯାତ୍ରା, ସିନେମା ଆଡ଼କୁ ଅଧିକ ଆକୃଷ୍ଟ । ଲୋକପ୍ରିୟତା ଓ ପୋଷକତାର ଅଭାବ ଏବେ ପରିଦୃଷ୍ଟ ଓଡ଼ିଶାର ପାଲା କ୍ଷେତ୍ରରେ । ତେବେ ଅଳ୍ପ ବହୁତେ ଏବେ ବି ପାଲା ଦେଖିବାକୁ ମିଳେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ, ଅଥଚ ଅନେକଙ୍କ ମନରେ ଥିବା ପାଲାର ଉଦ୍ଭବ ହୋଇଥିବା ଦୁଇ ରାଜ୍ୟରେ (ବଙ୍ଗଳା ଓ ଆସାମ) ଏହା ଲୁପ୍ତ !! ଏହାର ତର୍ଜମା କେବଳ ଏଇଥିପାଇଁ ଯେ କିଛି ଗବେଷକ ଏହା ସେହି ଦୁଇଟି ରାଜ୍ୟରୁ ଆସିଥିବା ମତ ଦିଅନ୍ତି ! କେତେକ ସମାଲୋଚକ କହନ୍ତି, ସତ୍ୟପୀର ପାଲା ହିଁ ଓଡ଼ିଶାର ପାଲାର ଜନ୍ମଦାତା । ପ୍ରଶ୍ନ ଆସେ ସେହି ଯଦି ଏହାର ଉତ୍ପତ୍ତି ସ୍ଥଳ ବଙ୍ଗଳା ବା ଆସାମ ହୁଏ, ତେବେ ସେହି ସଂସ୍କୃତିର ଧାରଟି ହଠାତ୍ କିମିତି ଉଭେଇ ଗଲା ? ଦ୍ବିତୀୟତଃ ଯଦି ସତ୍ୟପୀର ପାଲା ଦୁଇ ସମ୍ପ୍ରଦାୟର, ତେବେ କେତେ ମୁସଲମାନ ପରିବାରରେ ଏହିପରି ପାଲା ଅନୁଷ୍ଠିତ ହେଉଛି ? ଏମିତି ଅନେକ ଅସମାହିତ ପ୍ରଶ୍ନ ଓ ମନ୍ତବ୍ୟ ! ଓଡ଼ିଶାରେ ଏ ସମ୍ପର୍କରେ କୌଣସି ଗବେଷକ ଯଥେଷ୍ଟ ଖୋରାକ ନ ଯୋଗାଇ, ଗୁରୁତ୍ଵ ନ ଦେଇ, ଯୁକ୍ତିନିଷ୍ଠ ଗବେଷଣା ନ କରି ବୋଧହୁଏ ଏଭଳି ମତାମତ ଦେଇଅଛନ୍ତି ! ମନେହୁଏ ୨୦୧୮ ମସିହା ପର୍ଯ୍ୟନ୍ତ ଉଚିତ ଗବେଷଣା ନାହିଁ ଏ ଦିଗରେ। ତେବେ ଆମ ସମୟର ବିଶିଷ୍ଟ ଆଲୋଚକ ଓ ଗବେଷକ ଡ. ସନ୍ତୋଷ କୁମାର ମହାପାତ୍ର ତାଙ୍କର ଦଶବର୍ଷ ବ୍ୟାପୀ ଗବେଷଣା ମାଧ୍ୟମରେ ଘୋଷଣା କରିଛନ୍ତି ଯେ, #ପାଲା ଓଡ଼ିଶାର ନିଜସ୍ଵ କଳା ଓ ଏହା ଶାସ୍ତ୍ରୀୟ ନାଟକ !!
ପ୍ରଥମେ ପାଲା ଉପରେ ଆଧାରିତ ବିଭିନ୍ନ ଆଲୋଚକ ମାନଙ୍କର ମନ୍ତବ୍ୟଗୁଡି଼କ ଦୃଷ୍ଟିକୁ ନେବା ବିଧେୟ:
ଡ. କୁଞ୍ଜବିହାରୀ ଦାଶ କହନ୍ତି – “ମୁସଲମାନମାନେ ଓଡ଼ିଶା ଅଧିକାର କରିବାର ବହୁ ପୂର୍ବରୁ ଏଠାକୁ ମୁସଲମାନ ସାଧକମାନେ ଆସିଥିଲେ। ସେମାନେ ହିନ୍ଦୁଙ୍କର ଧର୍ମ ସାଧନା ସହିତ ନିଜର ଧର୍ମୀୟ ଚିନ୍ତାଧାରାକୁ ମିଶାଇ ଦେଇଥିଲେ । ବଲ୍ଲଭାଚାର୍ଯ୍ୟ ସମ୍ପ୍ରଦାୟର ବୈଷ୍ଣବ ମାନଙ୍କ ମଧ୍ୟରେ ଇସଲାମୀ ଗୁରୁ ମାନେ ଧର୍ମ ପ୍ରଚାର କରୁଥିଲେ । ” (ଏଠାରେ କିନ୍ତୁ ଡ. ଦାଶ କେଉଁ ମୁସଲମାନ ସନ୍ଥ ଆସିଥିଲେ ଲେଖି ନାହାଁନ୍ତି । ସମସ୍ତ ଲେଖାରେ ଯୁକ୍ତି ମୂଳକ ଆଲୋଚନା ନାହିଁ, ବରଂ ଏହା ଏକ ଅନୁମାନ ମୂଳକ ତଥ୍ୟ)
ଗବେଷକ ଡ. ରଶ୍ମି ରଞ୍ଜନ ମହାନ୍ତିଙ୍କ ମତରେ – “ଆକବରଙ୍କ ଶାସନ କାଳରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଐକ୍ୟଭାବ ଓ ମୈତ୍ରୀ ବନ୍ଧନକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଥିଲା । ଏହି ପଦକ୍ଷେପ ସ୍ୱରୂପ ପାଲାର ଜନ୍ମ ହୋଇଥିବା ଜଣାଯାଏ ।”
ଡ. ରତ୍ନାକର ଚଇନି କହିଛନ୍ତି – “ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ପରସ୍ପର ଅସହିଷ୍ଣୁତା ଦେଖାଦେଇଥିବା କାଳରେ ଦାସକାଠିଆ ଜନ୍ମ ହୋଇଥିବା ସ୍ଥଳେ ସେମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଆସିବା ସମୟରେ ପାଲାର ଜନ୍ମ ।”
ପାଲାର ଜନ୍ମ ଜାତକ ନେଇ ଅନେକ ମଧ୍ୟ ସନ୍ଦିହାନ !
ସର୍ବେଶ୍ଵର ଦାସ କହନ୍ତି – “ପାଲାରେ ମୂଖ୍ୟ ଗାୟକ ପ୍ରଥମେ ଗାଆନ୍ତି ଏବଂ ପରେ ଅନ୍ୟ ସହଯୋଗୀ ବା ପାଳିଆମାନେ ପାଳିଧରି ଉକ୍ତ ଗୀତର ପୁନରାବୃତ୍ତି କରନ୍ତି । ଏହି କାରଣରୁ ଏହାର ନାମ ପାଲା । ପାଲା ମୁସଲମାନ ପ୍ରଭାବର ଫଳ, ହିନ୍ଦୁ ମୁସଲମାନ ଏକତାର ପ୍ରତୀକ ସତ୍ୟପୀର ବା ସତ୍ୟନାରାୟଣ ପୂଜାରୁ ଏହାର ସୃଷ୍ଟି ।” (ତେଣୁ ଗୋଟିଏ ପଟେ ଏହା ସଂସ୍କୃତରୁ ଜନ୍ମ ଏବଂ ଅନ୍ୟତ୍ର ହିନ୍ଦୁ ମୁସଲମାନ ସଂସ୍କୃତିରୁ ସୃଷ୍ଟ — ଏହାହିଁ ଗବେଷକ ମାନଙ୍କ ମୂଖ୍ୟ ସମସ୍ୟା । ସତ୍ୟନାରାୟଣ ପୂଜାରୁ ଯାହାର ଜନ୍ମ ତାହା ହିନ୍ଦୁ ମୁସଲମାନ ସୌହାର୍ଦ୍ଦ୍ୟର ପରିଚୟ ହେବ କିପରି ? ଯାହା ସତ୍ୟନାରାୟଣ ବ୍ରତର ଏକ ଅଂଶ, ତାହା ସତ୍ୟପୀର ପାଲାରୁ ଜନ୍ମ ହେବ ବା କିପରି !!)
ଗାୟକ ସୁବାଷ ଚନ୍ଦ୍ର ମଲ୍ଲିକ କହନ୍ତି – “ଇତିହାସରୁ ପ୍ରମାଣ ମିଳେ ଯେ ୧୭୧୨ ଖ୍ରୀଷ୍ଟାବ୍ଦରେ ଓଡ଼ିଶାରେ ନିଯୁକ୍ତ ମୋଗଲ ସୁବାଦାର ସୁଜାଉଦ୍ଦିନ ମହମ୍ମଦ ଖାଁ କଟକରେ ସୁପ୍ରସିଦ୍ଧ ମସଜିଦ୍ କଦମ ରସୁଲ ପ୍ରତିଷ୍ଠା କରି ହିନ୍ଦୁ ଓ ମୁସଲମାନ ଉଭୟଙ୍କ ପାଇଁ ଏହାର ଦ୍ବାର ଉନ୍ମୁକ୍ତ ରଖିଥିଲେ ଓ ଉଭୟ ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ରକ୍ଷା ନିମିତ୍ତ ସତ୍ୟପୀର ପାଲା ବା ତାଙ୍କର ପାଲାକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଯୋଗାଇ ଥିଲେ ।” (ପ୍ରଶ୍ନ ଆସେ, କ’ଣ ମୁସଲମାନ ମାନେ ଏହି ପାଲାକୁ ଗ୍ରହଣ କରିଥିଲେ ? ଯଦି ହଁ ତେବେ କେତେ ଜଣଙ୍କ ଘରେ ଏ ପାଲା ଅନୁଷ୍ଠିତ ହୁଏ ? ଏମିତି ପ୍ରାୟ ଉଦାହରଣ ନିଶ୍ଚିତ ଭାବେ ନାହିଁ !)
ଗାୟକ କେଶବ ଚନ୍ଦ୍ର ଦାସଙ୍କ ମତରେ – “ଆକବର ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଭ୍ରାତୃଭାବ ସୃଷ୍ଟି କରିବା ପାଇଁ ଏକ ନୂତନ ଶାସନ ପଦ୍ଧତି ପ୍ରଚଳନ କଲେ ଏବଂ ଏହି ପାଲା ତହିଁର ଏକ ଅଂଶ ବିଶେଷ । ଏହି ନୂତନ ପଦ୍ଧତି ପାଇଁ ଭାରତର ଏକତା ଅଖଣ୍ଡତା ରକ୍ଷା ହେବା ସଙ୍ଗେ ସଙ୍ଗେ ଭାରତ ଇତିହାସରେ ଆକବର ଚିର ସ୍ମରଣୀୟ । କାଳକ୍ରମେ ନବାବ ହୁସେନଙ୍କ ସଭା ପଣ୍ଡିତ ବଙ୍ଗୀୟ କବି କବିକର୍ଣ୍ଣ ଷୋଳପାଲା ରଚନା କଲେ । (ତେବେ ଷୋଳପାଲାରୁ କ’ଣ ପାଲା ଉଦ୍ଭବ ?)
ଗାୟକ କାର୍ତ୍ତିକେଶ୍ଵର ଲେଙ୍କାଙ୍କ ମତରେ – “ଓଡ଼ିଶାର ଏହି ଲୋକନାଟ୍ୟ ପାଲାର ସୃଷ୍ଟି ଓ ବିକାଶ ସମ୍ପର୍କରେ ବହୁ ମତାମତ ସୃଷ୍ଟି ହୋଇଛି । ମାତ୍ର ଏହାକୁ ସତ୍ୟପୀରଙ୍କ ସହ ସଂଲଗ୍ନ କରାଯାଇଥିବାରୁ ଏହାକୁ ମୁସଲମାନ ସଂସ୍କୃତିର ଭିନ୍ନ ରୂପ ଭାବିବା ଭୁଲ୍ ।”
ଗବେଷକ ପ୍ରଫୁଲ୍ଲ କୁମାର ପାଇକରାୟ: “ପାଲା ଓଡ଼ିଶାର ଏକ ନିଜସ୍ୱ କଳା । ଏହା ଯୁଗ ଯୁଗ ଧରି ଉତ୍କଳୀୟ ମାନଙ୍କୁ ଆନନ୍ଦ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ସାହିତ୍ୟ ସଂସ୍କୃତିର ଉନ୍ନତିରେ ସହାୟକ ହୋଇ ଆସୁଛି ।”
ଆଲୋଚକ ସୁରେନ୍ଦ୍ର କୁମାର ସ୍ୱାଇଁ: “ଆଜି ପାଲା କହିଲେ ଆମେ ଯାହା ବୁଝୁ ବିଗତ ଅତୀତରେ ଏହା ସେହି ଅର୍ଥକୁ ପ୍ରକାଶ ନକରି ଭିନ୍ନ ଅର୍ଥକୁ ପ୍ରକାଶ କରୁଥିଲା । ଏଣୁ ସତ୍ୟନାରାୟଣ ପୂଜାରୁ କାଳକ୍ରମେ ପୂଜା ଶବ୍ଦଟି ବାଦ୍ ପଡ଼ି ତା’ ସ୍ଥାନରେ ପାଲା ଶବ୍ଦଟି ଯୁକ୍ତ ହୋଇଛି ଏବଂ ପାଲା ଶବ୍ଦ ତା’ର ମୂଳ ଅର୍ଥକୁ ବାଦ୍ ଦେଇ ଆଜିର ଏପ୍ରକାର ଅର୍ଥରେ ସୀମାବଦ୍ଧ ରହିଛି ଏବଂ ପାଲାବାଲାମାନଙ୍କୁ ପୂଜାବାଲା ବୋଲି ଲୋକେ ଏଯାବତ୍ କହିଥାଆନ୍ତି ।”
ସମାଲୋଚକ ଡ. ବୈଷ୍ଣବ ଚରଣ ସାମଲ: “ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସଂପ୍ରୀତି ଓ ସଂହତି ସ୍ଥାପନ ଉଦ୍ଦେଶ୍ୟରେ ପାଲାର ଉଦ୍ଭବ ହୋଇଥିଲା । ହିନ୍ଦୁମାନଙ୍କର ସତ୍ୟ ଓ ମୁସଲମାନଙ୍କର ପୀର ଏହି ଦୁଇ ଶବ୍ଦର ମିଳନରୁ ସତ୍ୟପୀରଙ୍କ ଜନ୍ମ ।”
ପଣ୍ଡିତ ନୀଳକଣ୍ଠ ଦାସ: “ଯେଉଁ ପାଲା କଥା କୁହାଯାଉଥିଲା ସେ ଆସିଛି – ଏଇ ମୁସଲମାନମାନଙ୍କ ଠାରୁ ପରାଧିନ ଓଡ଼ିଶାକୁ । ପାଲାର ଭାଷା ପୁରା ଓଡ଼ିଆ ନୁହେଁ । ଏହା ପୁରୁଣା ବଙ୍ଗଳା ବା ବଙ୍ଗଳା ମିଶା ପାରସିକ ଓ ଆରବୀ ଉପନ୍ୟାସର ଅଦ୍ଭୁତ କଳ୍ପନା ସଙ୍ଗେ ଶାବରୀ ବିଦ୍ୟା ମିଶି ଏଇ ପାଲାର ନିରଙ୍କୁଶ ଯୌନପ୍ରୀତି ମୂଳକ କ୍ଷୁଦ୍ରକାବ୍ୟ ସବୁ ତିଆରି ହୋଇଛି ।”
ଆଲୋଚକ ହୃଷୀକେଶ ପଣ୍ଡାଙ୍କ ମତ: “୧୫୧୦ ଖ୍ରୀଷ୍ଟାବ୍ଦରେ ଶ୍ରୀଚୈତନ୍ୟ ଓଡ଼ିଶାକୁ ଆସିଥିଲେ । ତାଙ୍କ ସହିତ ବଙ୍ଗଳାରୁ ପାଲା ଓଡ଼ିଶାକୁ ଆସିଥିବା ଅନେକ ମତ ଦିଅନ୍ତି । ପାଳିଆ ପାଳି ଧରୁଥିବାରୁ ପାଲା କୁହାଯାଏ । ପଞ୍ଚଦେବତାଙ୍କ ପ୍ରତୀକାତ୍ମକ ଭାବରେ ପାଲାରେ ପାଞ୍ଚଜଣ ଗାୟକ ପାଲା ପରିବେଷଣ କରିବା ଓ ପ୍ରାରମ୍ଭରେ ପଞ୍ଚଦେବତାଙ୍କ ପ୍ରମୁଖ ଗଣେଶ, ଭାସ୍କର, ଶିବ ଓ ଦୁର୍ଗାଙ୍କ ବନ୍ଦନା ଗାନ କରିବାର ପରମ୍ପରା ପ୍ରଚଳିତ ହେଲା । ନାରାୟଣଙ୍କ ଶ୍ରେଷ୍ଠତ୍ଵ ପ୍ରତିପାଦନ କରାଇବା ପାଇଁ ପାଳିଆ, ଶ୍ରୀପାଳିଆ ମାନଙ୍କ ଠାରୁ ଅଲଗା ଜରିର ପୋଷାକ ଓ ମୁଣ୍ଡରେ ମୁକୁଟ ପରିଧାନ କରି, ଗାହାଣ ନାରାୟଣଙ୍କ ପ୍ରତୀକ ଭାବେ ଲୋକ ବିଶ୍ଵାସରେ ତାଙ୍କର ଶ୍ରେଷ୍ଠତ୍ଵକୁ ପ୍ରତିପାଦନ କରିବାର ପ୍ରୟାସ କରନ୍ତି । ଗାୟକଙ୍କ ଚାମରକୁ ବିଷ୍ଣୁଙ୍କ ଚକ୍ର, ମୃଦଙ୍ଗକୁ ଶିବଙ୍କ ଡମ୍ବରୁ, ନୂପୁରକୁ ଦେବୀଙ୍କ ପାଦଭୂଷଣ, ରାମକାଠିକୁ ସୂର୍ଯ୍ୟଙ୍କ ରଥର ବଲଗା, କରତାଳକୁ ଗଣେଶଙ୍କ ଅଙ୍କୁଶ ଭାବରେ ବିଚାର କରାଯାଏ । ମୋଗଲ ଶାସନ କାଳରେ ବିଶେଷତଃ ଆକବରଙ୍କ ରାଜତ୍ଵ କାଳରେ ତାଙ୍କ ଉଦାରବାଦୀ ଧର୍ମ ଦୀନ-ଇ-ଲାହୀ ପ୍ରଭାବରେ ବଙ୍ଗଳା ଓ ଓଡ଼ିଶାରେ ମୁସଲମାନ ଓ ହିନ୍ଦୁମାନଙ୍କ ମଧ୍ୟରେ ପାଲା ହିଁ ମିଳନର ପ୍ରତୀକ ହୋଇଥିଲା ।” (ଏ ବିଚାର କେଉଁଠୁ ଆସିଲା ? ଏ ବାବଦରେ କୌଣସି ସୂଚନା ନାହିଁ !)
ଗାୟକ ରାଧେଶ୍ୟାମ ପଣ୍ଡା: “ସଂସ୍କୃତ ପାଳକ ଶବ୍ଦରୁ ପାଲାର ସୃଷ୍ଟି ବୋଲି ଅନୁଭୂତ ହୁଏ । ପାଳଃ ଶବ୍ଦର ଅର୍ଥ ପାଳନ କରିବା । ଗାଈ ପାଳନ କରୁଥିବା ବ୍ୟକ୍ତି ଗୋପାଳ, ରାଜ୍ୟ ପାଳନ କରୁଥିବା ବ୍ୟକ୍ତି ରାଜ୍ୟପାଳ ଓ ଉଦ୍ୟାନ ପାଳନ କରୁଥିବା ବ୍ୟକ୍ତି ଉଦ୍ୟାନପାଳ ବୋଲି କୁହାଯାଏ । ପାଳଃର ବହୁବଚନ ପାଳାଃ ବା ପାଲାଃ ଅର୍ଥାତ୍ ପାଳନକାରୀଗଣ । ସତ୍ୟନାରାୟଣ ପାଲା — ସତ୍ୟନାରାୟଣଙ୍କର ପାଳନକାରୀଗଣ ।” ( ସତ୍ୟନାରାୟଣଙ୍କୁ କିଏ ପାଳନ କରେ କି !!)
ଗାୟକ କମଳାକାନ୍ତ ନାୟକ: “ପା – ପାଳନ କରିବା, ଲା – ବିତରଣ କରିବା, ଶ୍ରୀମନନାରାୟଣଙ୍କ ଲୀଳା ହିଁ ପାଲା । ସର୍ବପ୍ରଥମେ ଭଗବାନଙ୍କ ଆଦେଶ କ୍ରମେ ବହୁ ପୁରାତନ କାଳରେ ପାଞ୍ଚଜଣ ପାଲା ଆରମ୍ଭ କଲେ, ହିନ୍ଦୁ ତିନି ଜଣ ଓ ମୁସଲମାନ ଦୁଇ ଜଣ ମିଶି ଯେଉଁ ପାଲା ଆରମ୍ଭ କଲେ ସତ୍ୟପୀର ବା ସତ୍ୟନାରାୟଣ ବୋଲି ନାମକରଣ ହେଲା । ହିନ୍ଦୁର ଚିହ୍ନ ମୟୂର ପୁଚ୍ଛ ଓ ମୁସଲମାନର ଚିହ୍ନ ତୀର ରଖି ନାରାୟଣଙ୍କ ଗୁଣ ଗାଇଲେ ।”
ଗାୟକ ହରିବଂଶ ମହାନ୍ତି: ଭାରତରେ ମୁସଲମାନ ଶାସନ କାଳରେ ହିନ୍ଦୁ ଓ ମୁସଲମାନ ଉଭୟେ ଧର୍ମଯାଜକ ଓ ଜ୍ଞାନୀ ବ୍ୟକ୍ତିମାନେ ମିଳିତ ଭାବେ ଉଭୟ ଦେବତା ଓ ପୂଜା ଏକତ୍ରିତ ଭାବେ କିପରି ହେବ ଓ କେଉଁ ପୂଜା ହେବ ଏହା ବିଚାର କରି ଏକ ନୂତନ ପୂଜାର ଆରମ୍ଭ କରିଥିଲେ । ତାହା ହେଲା — ପିଆର ଆଲ୍ଲା ପାଲା ।” (ଗବେଷଣା କରିବା ସମୟରେ ଡଃ ସନ୍ତୋଷ କୁମାର ମହାପାତ୍ର ଏ ତଥ୍ୟ କେଉଁଠୁ ଆସିଲା ବୋଲି ପଚାରିବାରେ ସେ ସଠିକ୍ ଉତ୍ତର ପାଇଲେ ନାହିଁ !)
ଐତିହାସିକ କୃପାସିନ୍ଧୁ ମିଶ୍ର: “ଏଭଳି ଉଭୟ ଧର୍ମର ମୌଳିକ ଏକତ୍ଵ ଭାବ ଜନସାଧାରଣଙ୍କ ମଧ୍ୟରେ କ୍ରମେ ପଶିଲା । କଦମରସୁଲରେ ହିନ୍ଦୁ ଓ ମୁସଲମାନ ମାନେ ଏକତ୍ର ପୂଜା କରନ୍ତି । ହିନ୍ଦୁମାନେ ପିରଙ୍କ ନାମରେ ସତ୍ୟନାରାୟଣ ପାଲା ଅଦ୍ୟାପି କରୁଛନ୍ତି ।”
ଗାୟକ ଚୈତନ୍ୟ ବିଶ୍ଵାଳଙ୍କ ମତରେ: “ପାଲା ଏକ ଶାସ୍ତ୍ରୀୟ କଳା । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଭରତ ମୁନିଙ୍କ ଦ୍ଵାରା ନାଟ୍ୟଶାସ୍ତ୍ର ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ଆମ ଓଡ଼ିଶାର ପାଲା ସଂସ୍କୃତ ନାଟ୍ୟ ବେଦର ଅବିଚ୍ଛେଦ୍ୟ ଅଙ୍ଗ, ଏଥିରେ ସନ୍ଦେହ ନାହିଁ ।”
ଗାୟକ ଶରତ ଚନ୍ଦ୍ର ପଣ୍ଡା: ପାଲା ମୂଖ୍ୟତଃ ଏକ ବିଷୟର ନାଟକୀୟ ପରିବେଷଣ । ଏକାଧାରରେ ଏହା ନୃତ୍ୟ ଅଭିନୟ, ସଙ୍ଗୀତ, ବାଦ୍ୟ, ଉପାଖ୍ୟାନ ଓ ଚରିତ୍ର ସଂଳାପ ଆଦିର ସମ୍ମିଳିତ ଅଭିବ୍ୟକ୍ତି । ଏଥିରେ ଅଭିନୟ ସୀମିତ ହେଲେ ମଧ୍ୟ ଏହାକୁ ଅଭିନୟ କଳା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶାର ଏକ ପ୍ରାଚୀନ ମୌଳିକ ଲୋକକଳା ।”
ସମାଲୋଚକ ଡ. ପଠାଣି ପଟ୍ଟନାୟକ: “ଓଡ଼ିଶାର ପାଲା ସଂସ୍କୃତି ଇସଲାମ ଶାସନର ଅବଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଷୋଡ଼ଶ ଖ୍ରୀଷ୍ଟାବ୍ଦରେ ବଙ୍ଗ ଦେଶରେ ହୁସେନସାହୀ ରାଜତ୍ଵ କାଳରେ ପାଲାର ଅଭ୍ୟୁଦୟ ହୋଇଥିଲା ବୋଲି ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଶାର ସୁବେଦାର ସୁଜାଉଦ୍ଦିନ୍ ମହମ୍ମଦ ଖାଁଙ୍କ ରାଜତ୍ଵ କାଳରେ ଓଡ଼ିଶାରେ ପାଲାର ପ୍ରବର୍ତ୍ତନ କରାଯାଇଥିଲା । ଉଭୟେ ହିନ୍ଦୁ ଓ ମୁସଲମାନ ଧର୍ମ ଧାରଣାର ସମନ୍ୱୟ ପାଇଁ ଏହି ପାଲାର ପ୍ରଚଳନ କରାଯାଇଥିଲା ବୋଲି କୁହାଯାଏ । ସେଥିପାଇଁ ଓଡ଼ିଶାରେ ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ଅତୁଟ ବୁଝାମଣା ଆଜି ପର୍ଯ୍ୟନ୍ତ ରହିଆସିଛି । ଯାହା ଭାରତର ଅନ୍ୟ ପ୍ରାନ୍ତରେ ଦୁର୍ଲଭ ମନେହୁଏ ।”
ଅଧ୍ୟାପକ ବସନ୍ତ ରାଉତଙ୍କ ମନ୍ତବ୍ୟରେ: “ସତ୍ୟନାରାୟଣ ପାଲା ବା ସତ୍ୟପୀର ପାଲା ସାମ୍ପ୍ରଦାୟିକ ସଦଭାବନାର ସାମସଙ୍ଗୀତ ଗାନ କରି ହିନ୍ଦୁ ମୁସଲମାନ ସଂସ୍କୃତିର ସମନ୍ୱୟ ଦିଗରେ ଏକ ଅଭିନବ ପ୍ରେରଣା ସୃଷ୍ଟି କରିଛି । ଓଡ଼ିଶାର ମୁସଲମାନ ଶାସନକାଳୀନ ସାମାଜିକ ଆଧ୍ୟାତ୍ମିକ ସଦଭାବନାର ସୁରକ୍ଷା ପାଇଁ ସତ୍ୟନାରାୟଣଙ୍କୁ ସତ୍ୟପୀର ନାମରେ ଆରାଧନା କରିବାର ପରମ୍ପରା ପାଲା କଳାରେ ସମୃଦ୍ଧ ହୋଇପାରିଛି ।”
ପାଲା ସମ୍ପର୍କରେ କିଛି ଆଲୋଚନା, ମନ୍ତବ୍ୟ, ଉକ୍ତି ପଢ଼ିବା ପରେ ମନେ ହୁଏ, କୌଣସି ଗବେଷକ ବୋଧହୁଏ ଚିନ୍ତା କରି ନାହାଁନ୍ତି ଓଡ଼ିଶାରେ କିଛି ଗୋଟାଏ ନିଜସ୍ଵ କଳା ଥାଇପାରେ ବୋଲି । ମରହଟ୍ଟା, ମୁସଲମାନ ଓ ଇଂରେଜମାନଙ୍କ ଦ୍ଵାରା ବହୁବାର ଲୁଣ୍ଠିତ ହୋଇଛି ଏ ରାଜ୍ୟ । ସମୟର ତାଡ଼ନାରେ ଜଗନ୍ନାଥଙ୍କୁ ଲୁଚାଯାଇଛି, ଗଜପତି ମୁସଲମାନ ହୋଇଛନ୍ତି, ରାଜ୍ୟର ସୀମା ସୀମିତ ହୋଇ ରହି ଯାଇଛି ! ହେଲେ ଓଡ଼ିଆର ଧମନୀରେ ପ୍ରବାହିତ ବୀର ରକ୍ତ ! ତା’ର ସାହିତ୍ୟକୁ ବିଚାର କଲେ ତା’ ଉପରେ ବୈଦେଶିକ ପ୍ରଭାବ ନଗଣ୍ୟ । ସଂସ୍କୃତ ଭାଷାର ପ୍ରତିସ୍ପର୍ଦ୍ଧି ଭାବରେ ଉଭା ହୋଇଛନ୍ତି ଉପେନ୍ଦ୍ର, ଦୀନକୃଷ୍ଣ, ଧନଞ୍ଜୟ, ବ୍ରଜନାଥ ! ଏ ଜାତିର ସାହିତ୍ୟ ଦର୍ପଣ ମଧ୍ୟରେ ଛବି ଉଙ୍କିମାରିଛି ସଂସ୍କୃତି ଓ ସାମାଜିକ ଚିତ୍ର ! ଉଦାରତାର ନିଦର୍ଶନ ତା’ର ହୃଦୟରେ ! ସେ ପୁଣି ଧର୍ମଭୀରୁ !! ଯାହା ହେଲେ ବି ସେ ତା’ର ଜଗନ୍ନାଥଙ୍କୁ ଛାଡ଼ି ନପାରେ !
ବିଶିଷ୍ଟ ବିଦ୍ୱାନ ନୀଳମଣି ମିଶ୍ର କହନ୍ତି – “ଗଙ୍ଗମାନଙ୍କ ସମୟରୁ ପୁରୀ – ବୈଷ୍ଣବ କ୍ଷେତ୍ର, ଭୁବନେଶ୍ୱର – ଶୈବ କ୍ଷେତ୍ର, କୋଣାର୍କ – ସୌର କ୍ଷେତ୍ର, ଯାଜପୁର – ଶାକ୍ତ କ୍ଷେତ୍ର ଓ ମହାବିନାୟକ – ଗଣପତି କ୍ଷେତ୍ର ରୂପେ ପ୍ରସିଦ୍ଧି ଅର୍ଜନ କଲା । ପଞ୍ଚଦେବତାଙ୍କ ଉପାସନା ରାଜଧର୍ମ ରୂପେ ସ୍ଵୀକୃତ ହେବାରୁ ଓଡ଼ିଶାର ପ୍ରତ୍ୟେକ ପୂଜା ପାର୍ବଣରେ ପଞ୍ଚ ଦେବତାଙ୍କ ଉପାସନା ଉପରେ ଗୁରୁତ୍ବ ଆରୋପ କରାଗଲା । ଏହି ପଞ୍ଚୋପସନା ପରିକଳ୍ପନାରୁ ଓଡ଼ିଶାରେ ସତ୍ୟନାରାୟଣ ପାଲାର ସୃଷ୍ଟି ।” ଗଙ୍ଗବଂଶ ପ୍ରତିଷ୍ଠା ହୋଇଥିଲା ୫୦୦ ଖ୍ରୀଷ୍ଟାବ୍ଦରେ । ଅତଏବ ଯଦି ପଣ୍ଡିତ ନୀଳମଣି ମିଶ୍ରଙ୍କ ଉକ୍ତିକୁ ଧରାଯାଏ, ତେବେ ସତ୍ୟନାରାୟଣ ପାଲା ସେବେଳର (ଗଙ୍ଗବଂଶ), ସତ୍ୟପୀର ପାଲାର ବହୁ ପୂର୍ବରୁ ! ପୁଣି ସତ୍ୟନାରାୟଣ ବ୍ରତ ସ୍କନ୍ଦ ପୁରାଣରେ ବର୍ଣ୍ଣିତ, ହିନ୍ଦୁ ଧର୍ମର ଧର୍ମୀୟ ଆଚାର ବ୍ୟବହାରରେ ପ୍ରତିଷ୍ଠିତ ।
ଦ୍ବିତୀୟତଃ ଯଦି ସୌହାର୍ଦ୍ଦ୍ୟ ନିମିତ୍ତ ସତ୍ୟପୀର ପାଲାର ପ୍ରଚଳନ ହୋଇଥିଲା, ତାହା ବୋଧହୁଏ ଯୁକ୍ତିଯୁକ୍ତ ନୁହେଁ । ଲୋକରତ୍ନ ଡ. କୁଞ୍ଜବିହାରୀ ଦାଶ କହନ୍ତି, “ଷୋଡ଼ଶ ଶତାବ୍ଦୀରେ ବଙ୍ଗଳାର କୃତବିଦ୍ୟ ନବାବ୍ ହୋସେନ୍ ସାହା ହିନ୍ଦୁ ମୁସଲମାନ ମିଳନ ଲାଗି ପ୍ରଯତ୍ନ କରିଥିଲେ, ଯାହା ବଙ୍ଗୀୟ ସମାଲୋଚକ ଦିନେଶ ଚନ୍ଦ୍ର ସେନ୍ ତାଙ୍କ ‘ବଙ୍ଗଭାଷା ଓ ସାହିତ୍ୟ’ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି । ଏହି ସମୟରେ ମୁସଲମାନ ଦେବତାଙ୍କୁ ସମ ଆସନରେ, ସମୟ ସମୟରେ ଉର୍ଦ୍ଧ୍ଵାସନରେ ବସେଇବାର ପ୍ରଚେଷ୍ଟା ମଧ୍ୟ ହୋଇଥିଲା । ଏହି ପ୍ରଚେଷ୍ଟାରୁ ସତ୍ୟପୀର ନାମକ ଏକ କୋଠ ଠାକୁର ସୃଷ୍ଟି ହୋଇଛନ୍ତି । ହିନ୍ଦୁ ଧର୍ମ ଶାସ୍ତ୍ରରେ ତାଙ୍କର ମହିମା ବର୍ଣ୍ଣିତ, କିନ୍ତୁ ମୁସଲମାନ ଧର୍ମ ଶାସ୍ତ୍ରରେ ତାଙ୍କର ସଙ୍କେତ ସୁଦ୍ଧା ମିଳେନା !” (ତେବେ ସୌହାର୍ଦ୍ଦ୍ୟର କଥା ଆସିଲା କୁଆଡ଼ୁ ?)
ଓଡ଼ିଶା ପୁଣ୍ୟ ମାଟିର ଦେଶ । ଓଡ଼ିଆଏ ଧର୍ମଭୀରୁ ! ଓଡି଼ଆର ହୃଦୟରେ ଜଗନ୍ନାଥ କେନ୍ଦ୍ରିତ ହୋଇଥିଲେ ମଧ୍ୟ ବହୁ ସମୟରେ ବୋଲବମ୍, ସନ୍ତୋଷୀ ଓଷା, ଧନତରାସ୍ ଆଦି ଧସେଇ ପଶି ଯାଇଛନ୍ତି ଓଡ଼ିଆଙ୍କ କୋମଳ ହୃଦୟରେ । ସେଇମିତି ସତ୍ୟପୀର ପାଲାକୁ ଆପଣେଇ ନେବା କେତେ ସମୟ ବା ଲାଗିଥିବ, ଯେଉଁଠି ପୂଜା ନକଲେ, ଏଇମିତିଆ ଭୋଗ ନୈବେଦ୍ୟ ନଦେଲେ ପୁଅର ଅମଙ୍ଗଳ ହେବ ବୋଲି ଉଲ୍ଲିଖିତ । ତେଣୁ ସତ୍ୟପୀର ପାଲା ଖୁବ୍ ସହଜରେ ପ୍ରବେଶ କଲା ଓଡ଼ିଆ ପରିବାରରେ କିନ୍ତୁ ବିଡ଼ମ୍ବନା ଏହି ଯେ, ସାମ୍ପ୍ରଦାୟିକ ସଦଭାବର ଅନ୍ୟ ଗୋଟିଏ ପକ୍ଷ ମୁସଲମାନ ଭାଇଙ୍କ ପରିବାରରେ ପ୍ରବେଶ କଲା କି ?
ଏହା ହିନ୍ଦୁଧର୍ମର ସତ୍ୟନାରାୟଣ ପୂଜାର ଏକ ସଂସ୍କରଣ ! ଅନୁସୃଜନ ମାତ୍ର ! ଏହା ଓଡ଼ିଶାର ପାଲା ନୁହେଁ । ଓଡ଼ିଆ ପାଲା ତ ଶାସ୍ତ୍ରୀୟ !! ଆମର ପାଲା ତ ବହୁ ପ୍ରାଚୀନ ! ଏହା ତ ଶାସ୍ତ୍ରୀୟ ନାଟକ !!
~ ସତ୍ୟନାରାୟଣ ପୂଜା – ଏକ ପରିବର୍ତ୍ତିତ ସଂସ୍କରଣ ~
ହିନ୍ଦୁ ଧର୍ମରେ ସତ୍ୟନାରାୟଣ ପୂଜାର ଏକ ମୁସଲମାନୀ ସଂସ୍କରଣ ତିଆରି କରିବାରେ ଉଦାର ପ୍ରୟାସ ହେଉଛି ଓଡ଼ିଶାରେ ପ୍ରଚଳିତ ସତ୍ୟପୀର ପୂଜା ବା ପାଲା । ଏହା ସତ୍ୟନାରାୟଣ ପୂଜାର ଏକ ଅନୁସୃଜନ ମାତ୍ର । ହିନ୍ଦୁ ମୁସଲମାନ ସମସ୍ୟା କ୍ରମେ ଜଟିଳ ହେବାରୁ ସମନ୍ୱୟ ରକ୍ଷା ପାଇଁ ସତ୍ୟନାରାୟଣ ପ୍ରବର୍ତ୍ତିତ ହେଲେ ସତ୍ୟପୀରକୁ !
~ ସତ୍ୟପୀରଙ୍କ ଜନ୍ମ ଓ ବିକାଶ ~
ହିନ୍ଦୁ ମାନଙ୍କର ସତ୍ୟ ଓ ମୁସଲମାନ ମାନଙ୍କ ପୀର ଶବ୍ଦ ମିଶାଇ ଉଭୟ ସମ୍ପ୍ରଦାୟର ମଙ୍ଗଳ ନିମିତ୍ତ ହିନ୍ଦୁ ମାନେ ଏକ ନୂତନ ଦେବତା ଗଢ଼ିଲେ । ସେ ବିଦିତ ହେଲେ #ସତ୍ୟପୀର ଭାବରେ । ସତ୍ୟ ଅର୍ଥ ବିଷ୍ଣୁ , ପାରସ୍ୟ ଭାଷାରେ ପୀର ଶବ୍ଦର ଅର୍ଥ ହେଲା ବୃଦ୍ଧ ବା କୌଣସି ଧର୍ମ ସମ୍ପ୍ରଦାୟର ପ୍ରତିଷ୍ଠିତ ପୁରୋହିତ । ଏହି ପୀର ଶବ୍ଦ ବଙ୍ଗଳା ଓ ଓଡ଼ିଶାରେ ଫକୀର ଅର୍ଥରେ ବ୍ୟବହୃତ ହୁଏ । ଫକୀର ମୁସଲମାନ ଧର୍ମ ଅନୁଷ୍ଠାନ ସହ ସଂପୃକ୍ତ; ହିନ୍ଦୁ ବାବାଜୀଙ୍କ ପରି ସେମାନେ ଅଘଟଣ ଘଟାଇ ଦେଇ ପାରନ୍ତି । ତେଣୁ ସେମାନେ ଭକ୍ତି ଓ ଭୟର ପାତ୍ର ! ବୌଦ୍ଧ ଓ ଶୈବ ସିଦ୍ଧାଚାର୍ଯ୍ୟ ତାନ୍ତ୍ରିକ ମାନଙ୍କ ପରି ସେମାନେ ମଧ୍ୟ ତନ୍ତ୍ର ବିଦ୍ୟାରେ ପାରଙ୍ଗମ ଥିଲେ । ତେଣୁ ସେମାନେ ପ୍ରଭାବ ବିସ୍ତାର କରିବା ତ ସାଧାରଣ କଥା ! ଶାସନ ବିଭାଗରେ ହସ୍ତକ୍ଷେପ ହେତୁ ସେମାନେ ଶକ୍ତିଶାଳୀ ହୋଇ ଉଠିଲେ ସମାଜରେ । ଅଷ୍ଟାଦଶ ଶତାବ୍ଦୀରେ ରଚିତ #ସେଖ୍ #ଶୁଭୋଦୟା ରେ ଲିଖିତ ରହିଛି —
“ମକଦମ ସେକ ସାହ ଜଲାଲ
ତବ ରେଜ ତବ ପାଦେ କରେଁ ପରଣାମ
ଚୌଦ୍ଦିଶ ବୋଲି ଜାନିବେ ଯାହାର ନାମ୍
ବାରେକ ରକ୍ଷା କର ମୋର ଧନ ପ୍ରାଣ
ଦେଶେ ଗଲେ ଦିବେ ତୋମାର୍
ନାମେ ଅର୍ଦ୍ଧେକ ଦାନ୍
ମଧ୍ୟେ ଅଛେ ପୀରେର ମୋକାମ୍
ତସ୍ୟୋପରି ବିଦ୍ୟତେ ପ୍ରଧାନ ପୁରୁଷେର୍ ସ୍ଥାନ୍”
ସେହି ପୀରଙ୍କର ଦେବ ସଂସ୍କରଣ ହେଉଛନ୍ତି ସତ୍ୟପୀର । ପୀର ମାହାତ୍ମ୍ୟରେ ବର୍ଣ୍ଣିତ ପୀର ମାନଙ୍କ ଗୁଣାବଳୀ ପ୍ରତିଫଳିତ ହେଲା ସତ୍ୟପୀର ପୂଜାରେ ପୂଜିତ ହେଉଥିବା ସତ୍ୟପୀରଙ୍କ ଚରିତ୍ରରେ।
~ କିମ୍ବଦନ୍ତୀ ଅନୁସାରେ ସତ୍ୟପୀର ~
(୧) ମାଲଞ୍ଚର ରାଜା ମୈଦାନବାନନ୍ଦଙ୍କର ଅନୁଢା଼ କନ୍ୟା ସନ୍ଧ୍ୟାବତୀ ନଦୀରେ ସ୍ନାନ କରୁ କରୁ ଭାସମାନ କୌଣସି ପୁଷ୍ପ ଆଘ୍ରାଣ କରି ଗର୍ଭବତୀ ହେଲେ । ପିତାମାତା ଏହା ଜାଣିପାରି ଲୋକ ନିନ୍ଦା ଭୟରେ କନ୍ୟାକୁ ନିର୍ବାସନ କଲେ । ଗର୍ଭସ୍ଥ ଶିଶୁ ସତ୍ୟପୀରଙ୍କ ଆଦେଶରେ ହାମିଲା (ବିଶ୍ଵକର୍ମା) ତାଙ୍କ ଲାଗି ଏକ ସୌଧ ନିର୍ମାଣ କଲେ । ସେଥିରେ କିଛି ଦିନ ବାସ କରିବା ପରେ ସନ୍ଧ୍ୟାବତୀଙ୍କ ଗର୍ଭରୁ ଏକ ରକ୍ତପିଣ୍ଡ ଜନ୍ମ ନେଲା । ସେ ତାକୁ ବେଗବତୀ ନଦୀରେ ଭସାଇ ଦେଇ ଦେଖିଲେ ଗୋଟିଏ କଚ୍ଛପିନୀ ଧାଇଁ ଆସି ଗିଳି ଦେଲା । କଚ୍ଛପିନୀ ଗର୍ଭରୁ ଜାତ ହେଲେ ସତ୍ୟପୀର ଓ ସେହି କଚ୍ଛପିନୀ ମୁକ୍ତ ହୋଇ ସ୍ଵର୍ଗକୁ ଗଲା ।
ସତ୍ୟପୀର ବେଗବତୀ ସ୍ରୋତରେ ଭାସି ଆସି କୂଳରେ ଲାଗିଲେ । ମୈଦାନବାନନ୍ଦଙ୍କ ପୁରୋହିତ କୁଶଲ ଠାକୁର ସତ୍ୟପୀରଙ୍କୁ ନେଇ ମଣିଷ କଲେ । ଦିନେ ବାଳକ ସତ୍ୟପୀର ମାଲଞ୍ଚ ନଗରୀର ନୂର୍ ନଦୀକୂଳରେ ଚାଲୁଥିବା ସମୟରେ ଗୋଟିଏ ପୋଥି ପାଇଲେ । କୁଶଲ୍ ଠାକୁର ଦେଖିଲେ ସେହି ପୋଥି ଗୋଟିଏ କୋରାନ୍ । ବ୍ରାହ୍ମଣ ପକ୍ଷରେ କୋରାନ୍ ପାଠ କରିବା ନିଷିଦ୍ଧ ବୋଲି କୁଶାଲ୍ ଠାକୁର କହିଲେ ଓ ସେହି ପୋଥିକୁ ନେଇ ଯଥାଶୀଘ୍ର ପୂର୍ବ ସ୍ଥାନରେ ରଖି ଦେବାକୁ ଆଦେଶ ଦେଲେ । ସତ୍ୟପୀର ତର୍କରେ ପ୍ରତିପାଦନ କଲେ ଯେ, କୋରାନ୍ ଓ ପୁରାଣ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ହିନ୍ଦୁ ମୁସଲମାନ ଧର୍ମ ପରସ୍ପର ବିରୋଧୀ ନୁହନ୍ତି । ଦିନକୁ ଦିନ ଏହି ବାଳକ ଠାରେ ଅପୂର୍ବ ଶକ୍ତି ପ୍ରକଟିତ ହେଲା ଓ ଏହାଙ୍କ ଦ୍ବାରା ସତ୍ୟପୀରଙ୍କ ପୂଜା ପ୍ରଚଳିତ ହେଲା ।
(୨) ମକାଉ ଦେଶର ରାଜା ପୀରଜାଦାଙ୍କର ସାହାଜାଦୀ ନାମରେ କନ୍ୟାଟିଏ ଥିଲା । ସେ କନ୍ୟା ଅନୂଢ଼ା । ଏକଦା ସଖିମାନଙ୍କ ସଙ୍ଗରେ ସରୋବରକୁ ସ୍ନାନ କରିବାକୁ ଯାଇ ଅପୂର୍ବ ପଦ୍ମ ଫୁଲଟିଏ ଦେଖି ସଖୀମାନଙ୍କୁ ସେ ଫୁଲ ଆଣିବା ପାଇଁ ନିର୍ଦ୍ଦେଶ ଦେଲା । ରାଜଜେମାଙ୍କ ଇଚ୍ଛା ପୂରଣ କରିବା ପାଇଁ ସଖୀମାନେ ସେ ଫୁଲଟିକୁ ଆଣି ଦିଅନ୍ତେ ଜେମା ତାହାକୁ ଶୁଂଘି ଦେଲେ । ଫଳରେ ସେ ଅନ୍ତସତ୍ତ୍ବା ହେଲେ । ପୀରଜାଦା ଏ ଖବର ପାଇ କନ୍ୟାକୁ ବ୍ୟଭିଚାରିଣୀ ବୋଲି ମାରିବାକୁ ଚାହିଁଲେ । ମାତ୍ର ମନ୍ତ୍ରୀଙ୍କ ପରାମର୍ଶ କ୍ରମେ ତାଙ୍କୁ ବନ୍ଦୀ କଲେ । ବନ୍ଦୀଘରେ ସତ୍ୟପୀର ଜନ୍ମ ହୋଇ ଚତୁର୍ଭୁଜ ରୂପ ଧାରଣ କରି ମା’କୁ ଦେଖାଦେଲେ ଓ ଜଗତର କଲ୍ୟାଣ ପାଇଁ ଜନ୍ମ ହେଲେ ବୋଲି କହି ଅନ୍ତର୍ଦ୍ଧାନ ହୋଇଗଲେ । ରାଜପୁରରେ ସମ୍ବାଦ ପ୍ରଚାରିତ ହୋଇଗଲା ଯେ, ସାହାଜାଦୀ ଛୁଆ ଜନ୍ମ କରି ତାକୁ ଖାଇଦେଇଛି । ରାଜା ଝିଅକୁ ବଣଜନ୍ତୁଙ୍କ ମୁହଁରେ ମରିଯାଉ କହି ତାକୁ ନେଇ ଜଙ୍ଗଲରେ ଛାଡ଼ିଦେଲେ। ସତ୍ୟପୀର ସଙ୍ଗେ ସଙ୍ଗେ ବିଶ୍ଵକର୍ମାଙ୍କୁ ଆଦେଶ ଦେଇ ନିଜ ମାଁ ଙ୍କ ପାଇଁ ସେ ବଣରେ ଗୋଟିଏ ପ୍ରାସାଦ ତୋଳାଇଦେଲେ ଯାହାର ନାମ ରଖିଥିଲେ “ବିଚିତ୍ର ପୁରେକ” । କିଛିକାଳ ଅନ୍ତେ ନାରାୟଣଙ୍କ ଆଦେଶରେ ଦୁଇଟି ମହାବଳ ବାଘ ଯାଇ ପୀରଜାଦାଙ୍କ ରାଜ୍ୟରେ ଉପଦ୍ରବ କଲେ। ସେହି ଦୁଇଟି ବାଘର ନାମ ଥିଲା ‘ହାମାମ୍ ଓ ହୁମାସ୍’ । ରାଜାଙ୍କ ଦ୍ଵାରା ନିଯୁକ୍ତ ସମସ୍ତ ଯୋଦ୍ଧା ବାଘ ଦୁଇଟି ଦ୍ଵାରା ନିହତ ହେବାରୁ ରାଜା ନିଜେ ବାଘ ମାରିବାକୁ ଆସିଲେ । ରାଜାଙ୍କୁ ଦେଖି ଆଶ୍ଚର୍ଯ୍ୟ ଜନକ ଭାବେ ଜଙ୍ଗଲକୁ ଧାଇଁଲେ ଯେଉଁଠାରେ ପୂର୍ବରୁ ସାହାଜାଦୀ ରହୁଥିଲେ । ବାଘଙ୍କୁ ଅନୁସରଣ କରି ରାଜା ସେଠାରେ ପହଞ୍ଚି ଜଙ୍ଗଲ ମଧ୍ୟରେ ଥିବା ସୁରମ୍ୟ ପ୍ରାସାଦ ଦେଖି ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ ଓ ପ୍ରାସାଦ ମଧ୍ୟରେ ପ୍ରବେଶ କରନ୍ତେ ନିଜ ଝିଅକୁ ଦେଖିଲେ । ଅସତ୍ କାର୍ଯ୍ୟ ଓ ଉପାୟ ଦ୍ଵାରା ସାହାଜାଦୀ ଏ ସମ୍ପତ୍ତିର ମାଲିକ ହୋଇଛି ବୋଲି ଭାବି ନିଜ କନ୍ୟାକୁ ହତ୍ୟା କରିବାକୁ ଉଦ୍ୟତ ହୁଅନ୍ତେ ସତ୍ୟପୀର ଶଙ୍ଖ,ଚକ୍ର, ଗଦା,ପଦ୍ମ ଧାରଣ କରି ରାଜାଙ୍କୁ ବିନାଶ କରିବା ପାଇଁ ଆଗେଇ ଆସିଲେ । ମାଁ ସାହାଜାଦୀ ତାଙ୍କୁ ଏପରି କାର୍ଯ୍ୟରୁ ନିବୃତ୍ତ ହେବା ପାଇଁ ଅନୁରୋଧ କରିଥିଲେ । ମାଁ ଙ୍କ ଅନୁରୋଧ କ୍ରମେ ସତ୍ୟପୀର ରାଜାଙ୍କୁ କ୍ଷମା କରି ମୁକ୍ତି ଦେଲେ ଓ ସତ୍ୟପୀରଙ୍କ ପୂଜା କରିବା ପାଇଁ ଆଦେଶ ଦେଲେ । ରାଜା ଝିଅକୁ ଧରି ରାଜପ୍ରାସାଦକୁ ଫେରି ଆସି ସତ୍ୟପୀର ପୂଜା ଆରମ୍ଭ କଲେ ଓ ତାହା କ୍ରମେ କ୍ରମେ ପରିବ୍ୟାପ୍ତ ହେଲା ।
~ ସତ୍ୟପୀର ପୂଜା/ପାଲାର ବିକାଶ ~
ସତ୍ୟପୀର ପୂଜା ଉପରେ ଯେତେ କିଛି ଆଲୋଚନା ଆଦି କରାଯାଇଛି, ପ୍ରାୟତଃ ସମସ୍ତେ ଏକମତ ଯେ, ଏହି ପୂଜା/ପାଲା ହିନ୍ଦୁ ଧର୍ମର ସତ୍ୟନାରାୟଣ ପୂଜାର ଏକ ଅନୁସୃଜନ ଓ ଦୁଇ ସମ୍ପ୍ରଦାୟର ସମନ୍ୱୟ ନିମିତ୍ତ ସୃଷ୍ଟି ।
“ଆମି ସେହି ଦେବତା ଅଲେଖ ନିରାକାର,
ସ୍ଵର୍ଗ ମର୍ତ୍ତ୍ୟ ରସାତଲେ କରଣି ଆମାର୍ ।
ଜଗନ୍ନାଥ ରୂପେ ଆମି ଓଡ଼ିଶାତେ ଆର୍,
ହିନ୍ଦୁ ମୁସଲମାନ ସବୁ କରି ଏକାକାର ।
ରାମ ରହିମାନ ଜାନ କୋରାନ ପୁରାନେ,
ଦେଖିବ କେମନ ରୂପ ମାନେ କି ନା ମାନେ ।‌
ଦରିଆତେ ଦାରୁବ୍ରହ୍ମ ରୂପେତ ଭାସେନ,
ପଦ୍ମ ଫୁଲ ରୂପ ହଇୟା ସତ୍ୟନାରାୟଣ ।”
(କବିକର୍ଣ୍ଣ)
ଏହି ସତ୍ୟପୀର ପୂଜା କ୍ରମେ କ୍ରମେ ବିସ୍ତାର ଲାଭ କଲା ସାରା ଓଡ଼ିଶାରେ । ଆମ ରାଜ୍ୟର ଜନଜୀବନକୁ ଲକ୍ଷ୍ୟ କଲେ ଆମେ ନିଶ୍ଚିତ ଭାବେ ଏକମତ ହେବା ଯେ, ଆମ ଓଡ଼ିଆ ମାନଙ୍କ ରକ୍ତ କଣିକାରେ ଭଗବାନଙ୍କ ନାଁରେ ଭକ୍ତି, ଭୟ, ଅନ୍ଧବିଶ୍ବାସ ଖୁନ୍ଦି ହୋଇ ରହିଛି । ତେଣୁ ପୂର୍ବ ସଂସ୍କୃତି ପ୍ରତି କ୍ରମଶଃ ବିମୁଖ ହୋଇ ପଡ଼ୁଥିବା ଆମମାନଙ୍କ ପାଖରେ ନୂତନ ଭାବେ ପ୍ରଚାରିତ ହେଉଥିବା ପୂଜା ଇତ୍ୟାଦି ଆପଣେଇବାକୁ କେତେ ସମୟ ବା ଲାଗିପାରେ ! ନହେଲେ ଆମ ସଂସ୍କୃତିରେ ପୂର୍ବରୁ ନଥିବା ରକ୍ଷାବନ୍ଧନ, ଧନତରାସ୍, ବହୁଳଭାବେ ହନୁମାନ ମୂର୍ତ୍ତି ପ୍ରତିଷ୍ଠା, ସାଇ ମନ୍ଦିର , ସନ୍ତୋଷୀ ମା ମନ୍ଦିର, ଦାଣ୍ଡିଆ, ଛଠ୍ ପୂଜା ଇତ୍ୟାଦି ଆସ୍ଥାନ ଜମେଇ ପାରିଥାନ୍ତେ କିପରି ? ଆମେ ତ ସହଜେ ଦେଖାଶିଖା ଓଡ଼ିଶା ! ପୁଣି ଗାଁ ମାଇପିଏ ବା ନୀରିହ ସ୍ଵାମୀ ଶୁଣିବାକୁ ପାଏ ବା କେହି କହିଦିଏ ପୁଅର ମଙ୍ଗଳ ପାଇଁ ଅମୁକ ପୂଜା (ନୂଆ ଆମଦାନୀ ହୋଇଥିବା ) କରିବାକୁ, ତାହେଲେ ବିନା ଦ୍ବିଧାରେ ମା’ ଓ ବାପାକୁ ଲମ୍ପ ଦେବାରେ କେହି ଅଟକାଇ ପାରିବେ ନାହିଁ ! ଏହି ନ୍ୟାୟରେ ସତ୍ୟପୀରଙ୍କ ପୂଜା କେତେ ସମୟ ବା ଲାଗିଥିବ ଓଡ଼ିଶାର ପୁରପଲ୍ଲୀରେ ପ୍ରବେଶ କରିବା ପାଇଁ ! ଯଦିଓ ପାଲା ସମ୍ପର୍କରେ ଗବେଷକ ଓ ଆଲୋଚକ ମାନେ କହନ୍ତି ଯେ, ସତ୍ୟପୀର ପୂଜା ପଶ୍ଚାତରେ ରହିଥିଲା ଦୁଇ ସମ୍ପ୍ରଦାୟର ସମନ୍ୱୟ ଓ ଉତ୍ତମ ସମ୍ପର୍କ ସୃଷ୍ଟି । ତେବେ କଥା ଉଠେ, କେତେଜଣ ମୁସଲମାନ ସମ୍ପ୍ରଦାୟର ଅଛନ୍ତି ଯେଉଁମାନେ ସତ୍ୟପୀରଙ୍କ ପୂଜା ବା ଆମ ଘରେ ପ୍ରଚଳିତ ସତ୍ୟପୀର ଜନ୍ମ ପାଲା କରନ୍ତି ? (ଆଦୌ ନୁହେଁ !) କିନ୍ତୁ ଓଡ଼ିଶାର ହିନ୍ଦୁମାନଙ୍କ ଘରେ ଜନ୍ମଦିନ ପାଲା କହିଲେ କେବଳ ବୁଝାଇଥାଏ ସତ୍ୟପୀରଙ୍କ #ଷୋଳ #ପାଲା । (ପୁଣି ବୟସ ଅନୁସାରେ ଭିନ୍ନ ଭିନ୍ନ )
~ ଓଡ଼ିଶାକୁ ପ୍ରବେଶ ~
କ୍ରମଶଃ ପୀରଙ୍କ ମାହାତ୍ମ୍ୟ ବଢ଼ିଥିବା ପରେ ବିଷ୍ଣୁଙ୍କ ସହ ଏକୀକରଣ ହେବାରେ ଆଉ କୌଣସି ଅସୁବିଧା ରହିଲା ନାହିଁ । ସତ୍ୟନାରାୟଣ ଓ ସତ୍ୟପୀର କ୍ରମେ ଏକ ଠାକୁରଙ୍କୁ ବୁଝାଇଲା । ଏମିତିକି ସତ୍ୟପୀର ଶେଷକୁ ଜଗନ୍ନାଥ ରୂପେ ମିଳିତ ହେଲେ । ସେ ଅଖଣ୍ଡ କ୍ଷମତାପନ୍ନ ସ୍ଵର୍ଗ ମର୍ତ୍ତ୍ୟ ପାତାଳର ଦେବତା । ଦିନେ ଦାରୁବ୍ରହ୍ମ ରୂପରେ ଦରିଆରେ ଭାସୁଥିଲେ । ପରେ ଜଗନ୍ନାଥ ରୂପରେ ପ୍ରତିଷ୍ଠିତ ହେଲେ । ଶବର, ଜୈନ, ବୌଦ୍ଧ, ହିନ୍ଦୁ ଠାକୁର ହୋଇ ଶେଷକୁ ହିନ୍ଦୁ ମୁସଲମାନଙ୍କର କୋଠ ଠାକୁର ହୋଇଗଲେ ! ( ଯାହା ସତ୍ୟପୀରଙ୍କ ପୂଜା କିମ୍ବଦନ୍ତୀ ଅନୁସାରେ )। ରଚୟିତା ଲେଖିଲେ-
“ବଉଧ ରୂପେତ ନୀଲାଚଲେ ବିଜେ କରି,
ପତିତପାବନ ରୂପେ ପତିତ ଉଦ୍ଧାରି ।
ଶଚୀ ଗର୍ଭେ ଜନମିଲ ନଦିଆ ନଗର,
ସେହି ମହାବାହୁ ଏବେ କଲି ତେ ଫକୀର ।”
ଏମିତିକି ମତ୍ସ୍ୟ, କଚ୍ଛପ, ବରାହ, ନରସିଂହ, ବାମନ, ପର୍ଶୁରାମ, ରାମ ଅବତାର ପରେ ସତ୍ୟନାରାୟଣ ହୋଇଗଲେ ବୁଦ୍ଧ, ଚୈତନ୍ୟ ଏବଂ ଶେଷରେ ଫକୀର ଅବତାର ଗ୍ରହଣ କଲେ ସତ୍ୟପୀରଙ୍କ ପୂଜା/ପାଲାରେ ! (ମର୍ଦ୍ଦଗାଜୀ ପାଲା) !!
~ ସତ୍ୟପୀର ପୂଜା ପ୍ରଚାରକ/ଲେଖକ ~
ଯାହା ଦେଖାଯାଏ ସତ୍ୟପୀର ପୂଜା ଓଡ଼ିଶା, ବଙ୍ଗଳା ଓ ଆସାମର ହିନ୍ଦୁ ମାନେ କରିଥାନ୍ତି । କିନ୍ତୁ ସତ୍ୟନାରାୟଣ ପୂଜା ଉତ୍ତର ଭାରତ, ଦକ୍ଷିଣ ଭାରତ ଓ ଅନ୍ୟାନ୍ୟ ରାଜ୍ୟରେ ବହୁ କାଳରୁ ପ୍ରଚଳିତ ହୋଇ ଆସୁଛି । ତେବେ ଏହି ସତ୍ୟପୀରଙ୍କ ପୂଜା ରୂପ ନେଇଥିଲା #କବିକର୍ଣ୍ଣ, #ରୂପରାମ, #ସୀତାରାମ #ଦାସ#ଭୃଗୁରାମ ନାମକ କବି ମାନଙ୍କର ରଚନାରେ ।
ଆଧାର:  ଡ. ସନ୍ତୋଷ କୁମାର ମହାପାତ୍ରଙ୍କ ଗବେଷଣାତ୍ମକ ଗ୍ରନ୍ଥ ‘ଓଡ଼ିଶାର ଶାସ୍ତ୍ରୀୟ ନାଟକ ପାଲା’ ଲୋକରତ୍ନ ଡଃ କୁଞ୍ଜବିହାରୀ ଦାଶଙ୍କ ଗବେଷଣା ଭିତ୍ତିକ ପୁସ୍ତକ ‘ଓଡ଼ିଶାର ଲୋକଗୀତ’ ଡଃ ନିରଞ୍ଜନ ପଣ୍ଡା ଓ ସାହିତ୍ୟିକ ଧୀରେନ୍ ଦାଶଙ୍କ ପୁସ୍ତକ ‘ଓଡ଼ିଶାର ପାଲା’, ଐତିହାସିକ ଡ. ନବୀନ କୁମାର ସାହୁ; କବି ମାଧବ ଚନ୍ଦ୍ର ମିଶ୍ରଶର୍ମାଙ୍କ ବିଭିନ୍ନ ଆଲୋଚନା

PALA Images: PRATHANA TV

admin

View Comments

  • ଉପସ୍ଥାପନା ପାଇଁ ଅଜସ୍ର ପାଠକୀୟ ଶ୍ରଦ୍ଧା ଓ ସ୍ନେହ ଜଣାଉଛି।

Share
Published by
admin
Tags: ପାଲା

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

1 week ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

1 week ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

1 week ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago