ଲେଖା: ଶ୍ରୀକାନ୍ତ ସିଂହ

~ ଅମଙ୍ଗେଇକୁଦ ପଶ୍ଚିମେଶ୍ବର ମନ୍ଦିର, ବ୍ଲକ ଆଠଗଡ଼, ଜିଲ୍ଲା କଟକ, ଓଡ଼ିଶା ~
ଯଶସ୍ବୀ ଭାରତ ଆମ ଯଶସ୍ବୀ ଉତ୍କଳ l ଅସୁମାରୀ କଳା, ଭାସ୍କର୍ଯ୍ୟ ତଥା ଐତିହାସିକ କୀର୍ତ୍ତିରାଜିରେ ସୁସମୃଦ୍ଧ ଆମ ଏ ରାଜ୍ୟ ଉତ୍କୃଷ୍ଟ କଳାର ଦେଶ ଉତ୍କଳ ପ୍ରଦେଶ l ଅଜସ୍ର ସୃଷ୍ଟି ସମ୍ଭାର, ପୁଣି ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମଠ ଓ ମନ୍ଦିର, ଆଉ ନିଖୁଣ ପ୍ରସ୍ତର ମୂର୍ତ୍ତି ଆଦି ନିର୍ମାଣ କରି ଅତୀତର ଶିଳ୍ପୀକୂଳ ଆମକୁ କରିଯାଇଛନ୍ତି ମହିମାମଣ୍ଡିତ l
(ଅମଙ୍ଗେଇକୁଦର ପଶ୍ଚିମେଶ୍ୱର ମନ୍ଦିର)
ଏହି ମନ୍ଦିର ଆଦି ନିର୍ମାଣ ପଛରେ ଥିବା ରାଜନ୍ୟବର୍ଗଙ୍କୁ ବି ଅନେକ ଧନ୍ୟବାଦ, ଯେ କି ନିଜର ସୁଖ ସୁବିଧା ପାଇଁ ଐଶ୍ବର୍ୟ୍ଯମୟ ମହଲ, ପ୍ରାସାଦ, ଦୁର୍ଗ ଆଦି ନିର୍ମାଣ ପରିବର୍ତ୍ତେ ସମୂହ ଜାତିର ଉତ୍କର୍ଷକୁ ଅଗ୍ରାଧିକାର ଦେଇ ସୁନ୍ଦର ସୁନ୍ଦର ମନ୍ଦିରମାନ ନିର୍ମାଣ କରି ଆମକୁ ଗୌରବାନ୍ୱିତ କରିବା ସହିତ ମୂର୍ତ୍ତିକାରମାନେ ମଧ୍ୟ ନିହାଣ ମୁନରେ ନିର୍ଜୀବ ପାଷାଣକୁ ଚମତ୍କାର ରୂପ ଦେଇ ସଜୀଵ କରିଯାଇଛନ୍ତି l
(ପଶ୍ଚିମେଶ୍ୱର ମହାଦେବ)
(ଭଗ୍ନ ଅଥଚ ଟିଣଛାତ ଦିଆ ନାଟମଣ୍ଡପ)
ସେହି ଅନନ୍ୟ ସୃଷ୍ଟିମାନଙ୍କ ମଧ୍ୟରେ କଟକ ଜିଲ୍ଲା ଆଠଗଡ଼ ପ୍ରଗଣାର କନ୍ଦରପୁର ଗ୍ରାମ ନିକଟସ୍ଥ ମହାନଦୀ ଗର୍ଭରେ ଥିବା ଅମଙ୍ଗେଇକୁଦ ପଶ୍ଚିମେଶ୍ୱର ମନ୍ଦିର ହେଉଛି ଅନ୍ୟତମ l କଟକରୁ ଆଠଗଡ ଛକ, ଆଉ ସେଠାରୁ ପ୍ରାୟ ଆଠ କିଲୋମିଟର ଦୂରରେ ରହିଛି କନ୍ଦରପୁର ଗ୍ରାମ, ସେଇ ଗ୍ରାମଠାରୁ ନୌକାରେ ଗୋଟେ କିଲୋମିଟର ଜଳପଥ ଅତିକ୍ରମ କଲା ପରେ ପଡ଼ିବ ଅମଙ୍ଗେଇକୁଦ ଆଉ ସେଇ କୁଦ ବା ଟାପୁରେ ରହିଛି ଶତାବ୍ଦୀ ପ୍ରାଚୀନ ପଶ୍ଚିମେଶ୍ବର ଶିବ ମନ୍ଦିର l
(ସୂର୍ଯ୍ୟ କିରଣରେ ଉଦ୍ଭାସିତ ମହାନଦୀର ନୀଳାଭ ଜାଳରାଶୀ
ଓ ଦୂରରୁ ଦୃଶ୍ୟମାନ ଅମଙ୍ଗେଇକୁଦ)
ଅରୁଣ କିରଣରେ ଉଦ୍ଭାସିତ ରବିବାସରୀୟ ଶୀତୁଆ ସକାଳରେ ଆମେ ବାହାରିପଡିଥିଲୁ ଆମ ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରାରେ l ତରୀରେ ନଦୀ ପାର ହୋଇ ପହଞ୍ଚିଥିଲୁ ଅମଙ୍ଗେଇକୁଦରେ l ବୃକ୍ଷଲତା ପରିବେଷ୍ଟିତ ଅମଙ୍ଗେଇକୁଦ ପରିବେଶଟି ଖୁବ୍ ମନୋରମ l ଭ୍ରମଣାର୍ଥୀକୁ କିଛି ସମୟ ନିଜ ଭିତରେ ବାନ୍ଧି ରଖିବାରେ ପ୍ରକୃତି ନିଜକୁ ଅନେକ ରୂପରେ ସଜେଇ ରଖିଛି l କେଉଁଠି ମହାନଦୀର ସ୍ୱର୍ଣ୍ଣାଭ ବାଲୁକାରାଶି ତ କେଉଁଠି ପୁଣି ସୁଗଭୀର ସୁନୀଳ ଜଳରାଶି ଆଉ ପୁଣି ସହସ୍ର ବର୍ଷ ସମୀର ସ୍ପର୍ଶେ କ୍ଷୟିଷ୍ଣୁ ବିଚିତ୍ରବର୍ଣ୍ଣା ପାହାଡ଼ ଚଟାଣ, ଏସବୁକୁ ନେଇ ଏକ ଅପରୂପ ବର୍ଣ୍ଣାଢ୍ୟ ପରିବେଶ ସୃଷ୍ଟିହୋଇଛି ଅମଙ୍ଗେଇକୁଦ ମହାନଦୀ ଟାପୁରେ l
(କ୍ଷୟିଷ୍ଣୁ ପାହାଡ଼ ଚଟାଣ)
(ମନ୍ଦିର ବିମାନରେ ଥିବା କାରୁକାର୍ଯ୍ୟ)
ମନ୍ଦିରର ଗଠନଶୈଳୀ ଓ କଳାକୃତି ଆଦିକୁ ଦେଖିଲେ ଏହା ସପ୍ତମ ବା ଅଷ୍ଟମ ଶତାବ୍ଦୀର ନିର୍ମାଣ ଯାହାକି ଭୌମକର ଶାସକଙ୍କ ଶାସନ ସମୟରେ ନିର୍ମାଣ ହୋଇଥିବା ଅନୁମାନ କରାଯାଏ l ଏହି ମନ୍ଦିରର ନିର୍ମାଣ ଶୈଳୀ ଓ ଖୋଦିତ କାରୁକାର୍ଯ୍ୟ ଆଦି ପ୍ରାୟତଃ ମାହାଙ୍ଗା ବ୍ଲକ ଶୁକ୍ଳେଶ୍ୱର ଗ୍ରାମରେ ଥିବା ମାଣିକେଶ୍ବର ମନ୍ଦିର ତଥା ଢେଙ୍କାନାଳ ଶଙ୍କରପୁର ନିକଟରେ ଥିବା ସିଦ୍ଧେଶ୍ୱରପଶ୍ଚିମ ସୋମନାଥ ମନ୍ଦିର ଗଠନ ଶୈଳୀ ସହିତ ସାମଞ୍ଜସ୍ୟ ଥିବା ଜଣାପଡ଼େ l
(ମନ୍ଦିର ବିମାନରେ ଥିବା ପ୍ରାଚୀନ ଶିଳାଲିପି)
(ଅମଙ୍ଗେଇକୁଦର ପଶ୍ଚିମେଶ୍ୱର ମନ୍ଦିର
ଗର୍ଭଗୃହରେ ଥିବା ନୃସିଂହ ପ୍ରତିମା)
(ଭଗ୍ନ ପାର୍ଶ୍ୱଦେବତା)
ସ୍ୱଳ୍ପ ଉଚ୍ଚର ଏହି ପଶ୍ଚିମେଶ୍ବର ମନ୍ଦିର ଗୋଟେ ସମୟରେ କଳାପାହାଡ଼ ଦ୍ୱାରା ଖଣ୍ଡିତ ହୋଇଥିଲା ମାତ୍ର ପରବର୍ତ୍ତୀ ସମୟରେ ପୁନଃ ନିର୍ମାଣ କରାଯାଇଛି l ଅଁଳାବେଢ଼ାର ନିମ୍ନ ଭାଗରେ ଦୁଇଗୋଟି ପ୍ରାଚୀନ ପାଷାଣ ଶିଳାଲେଖ ସ୍ପଷ୍ଟ ରୂପେ ଦୃଷ୍ଟି ଗୋଚର ହୁଏ l ପାର୍ଶ୍ଵ ଦେବଦେବୀଙ୍କ ମୂର୍ତ୍ତିଗୁଡ଼ିକ ପ୍ରାୟତଃ ଖଣ୍ଡିତ ଅବସ୍ଥାରେ ରହିଛି l ଗର୍ଭଗୃହର ମଧ୍ୟ ଭାଗରେ ବୃତ୍ତାକାର ଯୋନିପୀଠରେ ଶିବଲିଙ୍ଗ ରହିଥିବାବେଳେ ପ୍ରବେଶ ଦ୍ୱାରର ବାମପାର୍ଶ୍ୱରେ ତ୍ରିବିକ୍ରମ ବାମନଙ୍କ ସହିତ ଏକ ଲକ୍ଷ୍ମୀନୃସିଂହ ପ୍ରତିମା ରହିଛି l ସେହିପରି ଦକ୍ଷିଣପାର୍ଶ୍ୱରେ ଏକ ନୃତ୍ୟରତ ମହାଦେବଙ୍କ ପ୍ରତିମା ବା ନଟରାଜଙ୍କ ମୂର୍ତ୍ତି ରହିଛି l
(ଦେବୀ ପ୍ରତିମା)
(ଭଗ୍ନ ପାର୍ଶ୍ୱଦେବତା)
(ଅମଙ୍ଗେଇକୁଦର ପଶ୍ଚିମେଶ୍ୱର ଶିବ ମନ୍ଦିର
ଗର୍ଭଗୃହରେ ଥିବା ନଟରାଜ ପ୍ରତିମା)
ପଶ୍ଚିମେଶ୍ବର ମନ୍ଦିର ବାମପାର୍ଶ୍ୱରେ ଏକ ଛୋଟିଆ ମନ୍ଦିରରେ ଅମଙ୍ଗେଇ ଠାକୁରାଣୀଙ୍କ ପ୍ରତିମା ରହିଛି l ପୂଜକ ଚିନ୍ତାମଣି ରଣାଙ୍କ କହିବାନୁଯାୟୀ ଅମଙ୍ଗେଇ ଠାକୁରାଣୀଙ୍କ ପ୍ରାଚୀନ ମୂର୍ତ୍ତିଟି କିନ୍ତୁ ନଦୀ ଗର୍ଭରେ ଏକ ପଥର ଚଟ୍ଟାଣରେ ବୁଡ଼ି ରହିଛି l ବହୁ ବର୍ଷ ପୂର୍ବେ ଏଠାରେ ଜଳଧାର ନଥିଲା ଓ ପୂଜକ ପାହାଡ଼ ତଳକୁ ଯାଇ ଠାକୁରାଣୀଙ୍କୁ ପୂଜା କରୁଥିଲେ l ଠାକୁରାଣୀଙ୍କ ମସ୍ତକ ଉପରେ ଏକଦା ଏକ ସୁବର୍ଣ୍ଣ ଘାଣ୍ଟ ଥିଲା ବୋଲି ତାଙ୍କ ପୂର୍ବପୁରୁଷଙ୍କ ଠାରୁ ଶୁଣିଥିବା ପୂଜକ କୁହନ୍ତି l
(ପୂଜକଙ୍କ କହିବାନୁଯାୟୀ ମହାନଦୀ ଗର୍ଭର ଏହିଠାରେ ରହିଛି
ପ୍ରାଚୀନ ଅମଙ୍ଗେଇ ଠାକୁରାଣୀଙ୍କ ମନ୍ଦିର ଓ ପ୍ରତିମା)
(ଅମଙ୍ଗେଇକୁଦର ପଶ୍ଚିମେଶ୍ୱର ଶିବ ମନ୍ଦିର ପରିସରରେ ଥିବା
ଅମଙ୍ଗେଇ ଠାକୁରାଣୀଙ୍କ ପ୍ରତିମା)
ଅପରାହ୍ଣ ପ୍ରାୟ ସାଡ଼େ ଚାରିଟାବେଳକୁ ଆମେ ଅମଙ୍ଗେଇକୁଦରୁ ଫେରିଆସିଥିଲୁ l ଫେରିବା ବାଟରେ ଆଠଗଡ଼ ନିକଟ ପାହାଡ଼ ପାଦଦେଶରେ ଅନେକ ଗୁଡି଼ଏ ମୟୂରଙ୍କୁ ବନଭୂମିରେ ବିଚରଣ କରୁଥିବାର ଦେଖିଲୁ l ପଶ୍ଚିମାକାଶ ଦିଗବଳୟରେ ସୂର୍ଯ୍ୟଦେବତା ଅସ୍ତ ଯିବାରେ ବ୍ୟଗ୍ର ଥାଆନ୍ତି ଆଉ ଆମେ ସ୍ୱଗୃହକୁ ପ୍ରସ୍ଥାନରେ ବ୍ୟଗ୍ର ଥାଉ l
(ମନ୍ଦିର ପରିସରରେ ଥିବା ନୂତନ ନିର୍ମାଣ – କଳ୍କୀ ପ୍ରତିମା)
(ମନ୍ଦିର ପରିସରରେ ଥିବା ଏକ ନୂତନ ନିର୍ମାଣ)

 

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago