ଅଙ୍ଗେନିଭା କଥା

ପଦ୍ମପୋଖରୀର ଗାଁ କଣ୍ଟିଗଡ଼ିଆ

ଲେଖା: ତରୁଣ କୁମାର ରଥ

ପିଲାଙ୍କୁ ‘ଗାଁ’ର ଚିତ୍ର ଆଙ୍କିବା ପାଇଁ ମାଷ୍ଟ୍ରେ କହିଛନ୍ତି। କାଗଜ ଉପରେ ରଙ୍ଗ ପେନ୍ସିଲରେ ଆଙ୍କି ହେଇ ଯାଉଛି ଛବି। କୁଞ୍ଚୁକୁଞ୍ଚିଆ ପାହାଡ଼ ଖୋଲରୁ ଉଇଁ ଆସୁଛି ସୂର୍ଯ୍ୟ,ପାହାଡ଼ ତଳେ ଆମ୍ବ ତୋଟାକୁ ଭିଜେଇ ଅଙ୍କା ବଙ୍କା ଗତିରେ ବହି ଯାଉଛି କ୍ଷୀଣକାୟା ଜୋରଟିଏ, ଜୋର ପରେ ମନ୍ଦିର, ମନ୍ଦିରକୁ ବେଢ଼ି ଧାଡି ଧାଡି ଘର। ବାସ୍, ଏଇ ହେଲା ଗାଁ’ର ଚିତ୍ର। ଏଇ ଚିତ୍ରଟିକୁ ଯଦି ଏକ ଭୂଖଣ୍ଡ ବୋଲି ଭାବି ନିଅନ୍ତି, ସେଇଟି ମୋ ଗାଁ; ପଦ୍ମପୋଖରୀର ଗାଁ କଣ୍ଟିଗଡ଼ିଆ। ଆମ ପ୍ରିୟ ଓଡ଼ିଶାର ୫୩୮୪୫ ଟି ଗାଁ ମଧ୍ୟରୁ ଗୋଟିଏ ଯାହାକି ଓଡ଼ିଶାର ଓଡ଼ିଆତ୍ୱ ରଖିବାରେ ସତତ ଚେଷ୍ଟିତ, ମୋ ଗାଁ- କଣ୍ଟିଗଡ଼ିଆ

ଅଧୁନା ଯାଜପୁର ଜିଲ୍ଲାର ଚଣ୍ଡୀଖୋଲର ଅନତି ଦୂରରେ, ପାରାଦୀପ ରାସ୍ତା କଡରେ ଏଇ ଗାଁଟି ଅତୀତରେ ‘ଦର୍ପଣୀ’ ଜମିଦାରୀର ଏକ ପ୍ରଖ୍ୟାତ ଗ୍ରାମ। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏଇ ଗାଁରେ ପ୍ରତିଷ୍ଠିତ ହୋଇଥିବା ‘ଗୋପୀନାଥ ସଂସ୍କୃତ ଟୋଲ‘, ୧୯୧୯ରେ ପ୍ରାଥମିକ ବିଦ୍ୟାଳୟ ଗାଁ ସରହଦ ଡେଇଁ ଆଖପାଖ ଅଞ୍ଚଳର ଜ୍ଞାନପିପାସୁଙ୍କୁ ଆକୃଷ୍ଟ କରିଥିଲା ଆମ ଗାଁ’କୁ।

ଓଡିଶା ପ୍ରସିଦ୍ଧ ‘ମହାବିନାୟକ’ ପୀଠ ପରେ ଏ ଅଂଚଳରେ, ଆମ ଗାଁ ‘ମଧୁକେଶ୍ୱର’ ପୀଠ ଏକ ପ୍ରସିଦ୍ଧ ଶୈବପୀଠର ମାନ୍ୟତା ଲାଭ କରିଛି। ଏହା ଛଡ଼ା, ଜଗନ୍ନାଥ ମନ୍ଦିର, ଶ୍ରୀରାମ ମନ୍ଦିର ,ଲକ୍ଷ୍ମୀ ମନ୍ଦିର ରାଧାକୃଷ୍ଣ ମନ୍ଦିର ଏ ଗାଁ ଲୋକଙ୍କ ଧର୍ମ ଧାରଣାକୁ ପରିପୁଷ୍ଟ କରିଛି। ପ୍ରସିଦ୍ଧ ବୌଦ୍ଧପୀଠ ‘ପୁଷ୍ପବିହାର’ (ରତ୍ନଗିରି, ଲଳିତଗିରି ଓ ଉଦୟଗିରି)ର ନିକଟବର୍ତ୍ତି ଅଂଚଳ ହୋଇଥିବାରୁ ଏ ଅଂଚଳ ହୀନଯାନ ବୌଦ୍ଧଧର୍ମର ପ୍ରଭାବରେ ପ୍ରଭାବିତ ହୋଇ ଥିଲା, ତାହା ଆମ ଗାଁ ପାହାଡରେ ଥିବା ଗୁମ୍ଫା, ଯକ୍ଷମୂର୍ତି, ଅବଲୋକିତେଶ୍ୱରଙ୍କ ଭଗ୍ନ ମୁର୍ତି ଓ ଆହୁରି ଅନେକ ବୌଦ୍ଧ କୀର୍ତିରାଜିର ଭଗ୍ନାବଶେଷ ଏବେବି ମୁକ ସାକ୍ଷୀ। ଅନେକ ବୌଦ୍ଧ ମୂର୍ତ୍ତି ପରବର୍ତୀ ସମୟରେ ହିନ୍ଦୁ ଦେବ- ଦେବୀ ଭାବେ ଏବେବି ମନ୍ଦିରରେ ପୂଜା ପାଉଛନ୍ତି।

ପଦ୍ମପୋଖରୀ; ବଡ଼ପୋଖରୀ ଓ ଚଦନ ପୋଖରୀରୁ ପଦ୍ମ ବାସ୍ନାରେ ବାସ୍ନାୟିତ ଗ୍ରାମ୍ୟଜୀବନ, ପାହାଡ଼ତଳ ମଠରୁ ବାବାଜୀଙ୍କ ଆଶୀର୍ବଚନ, ମାଆ ବୁଢ଼ୀ ଜାଗୁଳେଇ, ମାଆ ବଉଳେଇ, ମାଆ ବାସୁଳେଇଙ୍କ କାନି ତଳେ ଆଶ୍ରା ପାଇଥିବା ଆମ ପଦ୍ମପୋଖରୀର ଗାଁ କଣ୍ଟିଗଡ଼ିଆ କେବଳ ପ୍ରାକୃତିକ ସୁଷମାରେ ବିମଣ୍ଡିତ ନୁହେଁ, ଏହାର ବୈଶିଷ୍ଟ୍ୟ ଏହାର ଲୋକ ଚରିତ୍ରରୁ ଜଣାଯାଏ। ଜାତି ନିର୍ବିବେଶରେ ପରସ୍ପର ପ୍ରତି ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ର ସମ୍ପର୍କ ଏ ଗାଁକୁ ଏକ ସୂତ୍ରରେ ବାନ୍ଧି ରଖିଥିଲା ବୋଲି ତ ଏ ଗାଁରେ ଭାରତର ସ୍ବାଧୀନତା ପରେ ପରେ ସମୂହ ପ୍ରଚେଷ୍ଟାରେ ଗଢି ଉଠିଥିଲା ମହିଳା ସମିତି, ପୂର୍ଣ୍ଣିମା କ୍ଲବ, ବୀଣାପାଣି ପାଠାଗାର ।

ସଞ୍ଜ ନଇଁଲେ ମହାଦେବ ମନ୍ଦିରର ଘଣ୍ଟଧ୍ୱନି, ଭାଗବତ ଟୁଙ୍ଗିରୁ ପୁରାଣ ପାଠ, ରାତିରେ ପାଲା, ଦାସକାଠିଆ, ପର୍ବପର୍ବାଣୀରେ ଯାତ୍ରା ଆମ ଗାଁ ଲୋକଙ୍କ ମନରେ ଭରି ଦେଉଥିଲା ଜୀବନୀଶକ୍ତି, ପରସ୍ପରକୁ ଭଲ ପାଇବାର ମନ୍ତ୍ରରେ ମନ୍ତ୍ରିତ ହେଉଥିଲେ ସମସ୍ତେ।

ଅଷ୍ଟପ୍ରହରିରେ ଝାଞ୍ଜ-ମୃଦଙ୍ଗର ଯୁଗଳ ବନ୍ଦୀ, ରଜପର୍ବରେ ବାଗୁଡି ଖେଳ, ଦୋଳି ଖେଳ, ଭାଦ୍ରବ ମାସରେ ଭାଲୁକୁଣୀଓଷା, ଦଶହରାର ଦୁର୍ଗାପୂଜା, ସୁହାଗ ସିନାନ, ଗଜଲକ୍ଷ୍ମୀ ପୂଜା, କୁଆଁର ପୁନେଇଁ ପୁଚି ଖେଳ, କାର୍ତ୍ତିକ ମାସରେ ଆକାଶ ଦୀପର କ୍ଷୀଣ ଅଥଚ ଦୀପ୍ତ ଆଲୋକ, ଡଙ୍ଗା ଭସା, ମଗୁଶିର ମାସରେ ମାଟି କାନ୍ଥରେ ଝୋଟି ଚିତାର ଚମକ, ଦୋଳ ମେଲଣରେ ଗୋପାଳଙ୍କ ଓଗାଳ, ଶ୍ରୀରାମ ନବମୀରେ ରାମଲୀଳା ଓ ରାମଚରିତ ମାନସ ପାରାୟଣ ଓ ଆହୁରି ଅନେକ ପୂଜାପାର୍ବଣ, ଓଷାବ୍ରତ ଗ୍ରାମ୍ୟଜୀବନକୁ ରସାପ୍ଲୁତ କରି ରଖିଛି ଆଜି ଯାଏଁ।

ଏବେ ସମୟ ସାଥିରେ ବଦଳି ଯାଉଛି ଅନେକ କିଛି। ଚାଳଛପର ବଦଳରେ କୋଠା ଘର, କଚ୍ଚା ରାସ୍ତା ବଦଳରେ ଢଳେଇ ରାସ୍ତା, ଲଣ୍ଠଣରୁ ବିଜୁଳିବତୀ, ହାତପଙ୍ଖାରୁ ବିଜୁଳି ପଙ୍ଖା-ଏସି, ଶଗଡରୁ ଅତ୍ୟାଧୁନିକ ଯାନ ଏବଂ ସର୍ବୋପରି ‘ଆମେ’ ରୁ ‘ମୁଁ’କୁ ଯାତ୍ରାରେ ଗାଁ’ର ସମ୍ପନ୍ନତା ଭିତରେ କୋଉଠି କେମିତି ଆତ୍ମୀୟତାର ସ୍ୱର ହଜି ଗଲା ପରି ଲାଗୁଛି।

ସମସ୍ତଙ୍କ ଭାଗ୍ୟରେ ମା’ର କୋଳ ଓ ଗାଁ’ର କୋଳ ହୁଏତ ଲେଖା ନଥାଏ। କେବେ କେମିତି ଗାଁକୁ ଗଲେ, ନିଃଶବ୍ଦ ରାତିରେ କିଏ ଯେମିତି କାନ ପାଖରେ ଫୁସଫୁସ ହୋଇ କହେ, “ଆରେ ପାଗଳ, କେତେଦିନ ଆଉ ଯାଯାବର ହୋଇ ବୁଲିବୁ? ଆ, ମୋ’ କୋଳରେ ମୁଣ୍ଡଦେଇ ଘଡ଼ିଏ ଶୋଇପଡ଼ . . !

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago