ଲେଖା: ନିରଞ୍ଜନ ସାହୁ

ଓଡିଶା ସ୍ଵତନ୍ତ୍ର ପ୍ରଦେଶ ଗଠନ ଦିଗରେ କୁଳବୃଦ୍ଧ ପଣ୍ଡିତ ହରିହର ମିଶ୍ର ନାମଟି ଓଡିଶାବାସୀଙ୍କ ହୃଦୟରେ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କର ବହୁମୁଖୀ ପ୍ରତିଭା ଓ ସ୍ବଦେଶପ୍ରୀତି ଓଡିଶାର ଜାତୀୟ ଜୀବନରେ ଏକ ଅମୂଲ୍ୟ ସମ୍ପଦ । ମହାନ ଦେଶପ୍ରେମୀ ପଣ୍ଡିତ ହରିହର ମିଶ୍ର ୨୪ ଫେବୃଆରୀ ୧୮୮୭ ମସିହାରେ ବୌଦଗଡ଼ର ରାଜ ପୁରୋହିତ ବଂଶରେ ଜନ୍ମ ହୋଇଥିଲେ । କିନ୍ତୁ ୧୯୨୦ ମସିହାରେ ବୌଦଗଡରୁ ଆସି ସେ ଜୟପୁରରେ ନିଜ ପରିବାର ସହ ବାସ କରିଥିଲେ । ତେଣୁ କହିବାକୁ ଗଲେ ତାଙ୍କର ସାରାଜୀବନ ସେ ଜୟପୁରରେ ହିଁ କଟାଇଥିଲେ ।

ହରିହର ଯୌବନାବସ୍ଥାରେ ରାଜନୀତି ପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ବୌଦର ରାଜା ଇଷ୍ଟ ଷ୍ଟେଟସ୍ ଏଜେନ୍ସିର ରାଜାମାନଙ୍କ ମଧ୍ୟରେ ପ୍ରସିଦ୍ଧ ଥିଲେ । ରାଜାଙ୍କ ଦ୍ଵାରା ତାଙ୍କ ନାମରେ ଉଆରେଣ୍ଟ  ବାହାରିବା ଖବର ପାଇ ପଣ୍ଡିତ ହରିହର ମିଶ୍ର ରାତି ରାତି ବୌଦର ପୂର୍ଣ୍ଣଗର୍ଭା ମହାନଦୀରେ ପହଁରି ପହଁରି ନଦୀ ପାର ହୋଇ ଆଦିବାସୀ ଗ୍ରାମମାନଙ୍କରେ ଲୁଚି ଲୁଚି  ସମ୍ବଲପୁରରେ ପହଞ୍ଚି ଟ୍ରେନ୍ ଯୋଗେ  କଳିକତା ଚାଲିଯାଇଥିଲେ । କଲିକତାରେ ରୂପ ଓ ନାମ ବଦଳାଇ ଜଣେ ଶିଖ ବ୍ୟକ୍ତିଭାବେ ପରିଚିତ ହେଲେ । ଗୁରୁଦ୍ଵାରରେ ନୂଆ ନାମରେ ରେଜିଷ୍ଟ୍ରେସନ ହେଲା । ସେ ଗୁରୁମୁଖି ଭାଷା ଶିକ୍ଷାକଲେ ଏବଂ କଲିକତାରେ ଥିବା ଶିଖ  ସମ୍ପ୍ରଦାୟର ଜଣେ ମେମ୍ବର ହୋଇ ରହିଲେ ।

ପରେ ପରେ କଲିକତାରେ ସେ ମାଟ୍ରିକୁଲେସନ ପାଶ କରି ଓକିଲାତି ପାଠ ପଢ଼ିଲେ । ବଙ୍ଗଳାର ବିଶିଷ୍ଟ ନେତା ଚିତ୍ତରଞ୍ଜନ ଦାସଙ୍କ ସଂସ୍ପର୍ଶରେ ଆସି କିଛିଦିନ ଆଇନକାନୁନ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିଥିଲେ । ଏଥିରେ ତାଙ୍କୁ କିଛି ଦିନ ବଙ୍ଗଳାରେ ରହିବାକୁ ପଡିଥିଲା । କଲିକତାରେ ଥିବା ସମୟରେ ସେ ଓଡ଼ିଆମାନଙ୍କୁ ଏକାଠି କରି ଓଡିଆର ଚେତନା ଜାଗରଣ ଦିଗରେ ଉଦ୍ୟମ କରିଥିଲେ । ସେ ଟିଉସନ କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ ।

ସେ ସମୟରେ ତାଙ୍କର କେତେକ ଛାତ୍ର ପରବର୍ତ୍ତୀ କାଳରେ ମଧ୍ୟ ଆସି ତାଙ୍କୁ ଶ୍ରଦ୍ଧାରେ ଦେଖା କରୁଥିଲେ । ଓକିଲାତି ପାଶ୍ କରି ସେ କଲିକତା ହାଇକୋର୍ଟରେ କେତେବର୍ଷ ଆଇନ ବ୍ୟବସାୟ କରିଥିଲେ । ପୂର୍ବ ଉଆରେଣ୍ଟରେ ସମୟ ସୀମା ବାରବର୍ଷ ପାରିହେଲା ପରେ ସେ ନିଜ ପରିଚୟ ଅନ୍ୟମାନଙ୍କୁ ଜଣାଇଲେ ।

ଉଦୀୟମାନ ଯୁବକ ହରିହର ମିଶ୍ର ଦେଶ ଓ ଦଶର ସେବା କରିବାପାଇଁ ମାତୃଭୂମି ଉତ୍କଳ ମାଟିକୁ ବାଛିନେଇ ସତ୍ୟବାଦୀରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଦେଖାକଲେ । ତାଙ୍କ ସହିତ ବିଶ୍ବନାଥ ଦାସ ମଧ୍ୟ ମିଶିଲେ । ଏହା ୧୯୧୭ ସାଲର କଥା । ଉତ୍କଳ ପ୍ରଦେଶ ଗଠନ ଆନ୍ଦୋଳନ ତେଜି ଉଠିଥିଲା । ଗୋପବନ୍ଧୁ ବିଶ୍ଵନାଥ ଦାସଙ୍କୁ ଗଞ୍ଜାମ ଅଞ୍ଚଳ ମିଶ୍ରଣ ଦାୟିତ୍ବ ଦେଲେ ଏବଂ ହରିହର ମିଶ୍ରଙ୍କୁ ଜୟପୁର ରାଜ୍ୟର ମିଶ୍ରଣ ଦାୟିତ୍ବ ଦେଲେ । ଗଞ୍ଜାମ ଓ ଜୟପୁର ଅଞ୍ଚଳ ସେ ସମୟରେ ବିଶାଖାପାଟଣା ଜିଲ୍ଲା ଅନ୍ତର୍ଭୁକ୍ତ ଥିଲା ।

ଏହା ବ୍ୟତୀତ ପଣ୍ଡିତ ହରିହର ମିଶ୍ର ଜିଲ୍ଲାବୋର୍ଡ, ତାଲୁକ ବୋର୍ଡର ଜଣେ ସକ୍ରିୟ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ । ଗୋପବନ୍ଧୁଙ୍କ ସହିତ ମିଶି ବନ୍ୟା, ବାତ୍ୟା, ଦୁର୍ଭିକ୍ଷ ଅଞ୍ଚଳ ବୁଲି ବୁଲି ଅସହାୟ ମାନଙ୍କୁ ଚୁଡ଼ା, ଚାଉଳ ବାଣ୍ଟିବାରେ ପୂର୍ଣ୍ଣପ୍ରାଣରେ ସାହାଯ୍ୟ କରୁଥିଲେ । ଏପରିକି ମାସ ମାସ ଧରି ଭୋକ ଉପାସରେ ମଧ୍ୟ ପରିଶ୍ରମ କରୁଥିଲେ । ସେ ଜଣେ ସେବାପରାୟଣ ବ୍ୟକ୍ତି ଥିଲେ ଓ ଅନ୍ୟାନ୍ୟ କାମ ଅପେକ୍ଷା ସେବା କାମକୁ ଅଧିକ ଗୁରୁତ୍ବ ଦେଉଥିଲେ । 

ସତ୍ୟବାଦୀରୁ ପଣ୍ଡିତ ହରିହର ମିଶ୍ର ରେଳଗାଡ଼ିରେ ଆସି ସାଲୁର ଷ୍ଟେସନରେ ଓହ୍ଲାଇଲେ । ହିଂସ୍ରଜନ୍ତୁପୂର୍ଣ୍ଣ ନିବିଡ଼ ଜଙ୍ଗଲ ଦେଇ, ଘାଟିଗୁଡ଼ିକ ଅତିକ୍ରମ କରି,
ରାତିରେ ବିଭିନ୍ନ ସ୍ଥାନରେ ଅଟକି ସାତଦିନ ପରେ ଶଗଡ଼ ଗାଡ଼ି ଦ୍ଵାରା ଯାତ୍ରା ଶେଷ କରି ଜୟପୁରରେ ପହଞ୍ଚିଲେ । ଏହା ୧୯୨୦ ମସିହାର କଥା ।

ଜୟପୁର ଯାତ୍ରା ପୂର୍ବରୁ ସାଲୁରଠାରେ ଓଡ଼ିଆ ଲୋକମାନଙ୍କୁ ଏକତ୍ରିତ କରି “ଉତ୍କଳମାତାର ଜୟ” ଧ୍ଵନିରେ ସେ ଉତ୍ସାହିତ କରିଥିଲେ ।

ପଣ୍ଡିତ ହରିହର ମିଶ୍ର ଏ ଅଞ୍ଚଳର ଏକମାତ୍ର ଇଂରାଜୀ କହିବା ଓକିଲ ଥିଲେ । ଅନ୍ୟ ଓକିଲମାନେ ତେଲୁଗୁ ଭାଷା ବ୍ୟବହାର କରୁଥିଲେ । ବସ୍ତର, କୋରାପୁଟ ଓ ବିଶାଖାପାଟଣାର କୋର୍ଟ ମାନଙ୍କରେ ଓକିଲାତି କରି କରି ସେ ଜୟପୁରରେ ଅବସ୍ଥାନ କଲେ ।

୧୯୨୬ରେ ଜୟପୁରଠାରେ ଉତ୍କଳ ସମ୍ମିଳନୀର ବିରାଟ ସଭାର ଆୟୋଜନ କରି ପଣ୍ଡିତ ହରିହର ମିଶ୍ର ଓଡ଼ିଶାର ବରେଣ୍ୟ ନେତା ବିଶ୍ବନାଥ ଦାସ, ରାଧାନାଥ ରଥ ଆଦିଙ୍କୁ ନିମନ୍ତ୍ରଣ କରି ଆଣିଥିଲେ ।

୧୯୨୯ରେ ପଣ୍ଡିତ ହରିହର ମିଶ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନର ଜଣେ ବିଶିଷ୍ଟ ନେତାଭାବେ ଭାରତର ଭାଇସରାୟ ଲର୍ଡ ରିପନଙ୍କ ସହିତ ସାକ୍ଷାତ ଆଲୋଚନା ନିମନ୍ତେ ସିମଳା ଯାତ୍ରା କରିଥିଲେ ।

୧୯୩୦ରେ ଲର୍ଡ ରିପନ୍ ଜାତୀୟଗୌରବ ମଧୁସୂଦନ ଦାସଙ୍କ ନିମନ୍ତ୍ରଣ କ୍ରମେ ଓଡିଶା ଅଞ୍ଚଳ ପରିଦର୍ଶନରେ ଆସିଥିଲେ । ଭାଇସରାୟଙ୍କ ଉପଦେଶ କ୍ରମେ ଜୟପୁର, କୋରାପୁଟ ଅଞ୍ଚଳରେ ଲୋକମତ ସଂଗ୍ରହ ଆୟୋଜନ କରାଯାଇଥିଲା । ପଣ୍ଡିତ ହରିହର ମିଶ୍ର ନିଜେ ସମସ୍ତ ଖର୍ଚ୍ଚ ବହନ କରି ଜନଗଣନା ସମାପନ କରିଥିଲେ । ଏହି କାର୍ଯ୍ୟ ସକାଶେ ଲର୍ଡ ରିପନଙ୍କ ଠାରୁ ସେ ଧନ୍ୟବାଦ ପତ୍ର ପାଇଥିଲେ । ତାଙ୍କର ଏହି କାର୍ଯ୍ୟ କୋରାପୁଟ ଅଞ୍ଚଳର  ଓଡିଶା ସହ ମିଶ୍ରଣ ସକାଶେ ବିଶେଷ ସହାୟକ ହେଲା ।

୧୯୩୨ରେ ହରିହର ମିଶ୍ର ବିକ୍ରମଦେବ ମହାରାଜାଙ୍କ ତରଫରୁ ମାନ୍ଦ୍ରାଜ ଉଚ୍ଚନ୍ୟାୟାଳୟରେ କେସ୍‌ ଲଢ଼ି ଜିଣିଥିଲେ । ଏହାପରେ ବିକ୍ରମଦେବଙ୍କୁ ଜୟପୁର ରାଜ ସିଂହାସନ ଆରୋହଣ କରିବାରେ ସେ ତତ୍ପରତା ଦେଖାଇଥିଲେ ।

୧୯୩୬ ଏପ୍ରିଲ ୧ ତାରିଖରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠିତ ହେଲା । ନେତାମାନଙ୍କର ଅଦମ୍ୟ ଚେଷ୍ଟା ସତ୍ତ୍ଵେ ମଞ୍ଜୁଷା, ବସ୍ତର, ଫୁଲଝର, ଚାଇଁବାସା ତଥା ମେଦିନୀପୁର ଅଞ୍ଚଳ ଓଡିଶା ବାହାରେ ରହିଗଲା ।

ଜୟପୁର ମହାରାଜାଙ୍କ ଅବୈତନିକ ଦେଵାନ ଭାବରେ ପଣ୍ଡିତ ହରିହର ମିଶ୍ର କିଛି ବର୍ଷ କାର୍ଯ୍ୟ ତୁଲାଇଥିଲେ । ପରେ ଷଢ଼େଇକଳା, ଖରସୁଆଁରୁ ମହାରାଜାଙ୍କ ଜ୍ଵାଇଁ ବିଦ୍ୟାଧର ସିଂହଦେଓ ଆସି ଦେଵାନ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

ଏହି ସମୟରେ ପଣ୍ଡିତ ହରିହର ମିଶ୍ର ଜୟପୁର ମ୍ୟୁନିସିପାଲଟିର ଚେୟାରମ୍ୟାନ ପଦବୀ ଅଳଙ୍କୃତ କରି ଜୟପୁର ସହରର ଆଧୁନିକୀକରଣ, ଡେଲି ମାର୍କେଟ୍ ପ୍ରତିଷ୍ଠା ଇତ୍ୟାଦି ଜନହିତକର କାର୍ଯ୍ୟ ସୂଚାରୁରୂପେ ତୁଲାଇଥିଲେ ।

୧୯୪୫ ଡିସେମ୍ବର ମାସରେ ଶ୍ରୀ ରାଧାନାଥ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଉତ୍କଳ ସମିଳନୀର ୩୫ତମ ଅଧିବେଶନରେ ଅଭ୍ୟର୍ଥନା କମିଟିର ସେ ଥିଲେ ଅଧ୍ୟକ୍ଷ ।

୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ବାଧୀନ ହେଲା । ପଣ୍ଡିତ ହରିହର ମିଶ୍ର ଗଣତନ୍ତ୍ର ପରିଷଦ ନାମରେ ଗୋଟିଏ ପାର୍ଟି ଗଠନରେ ସାହାଯ୍ୟକରି ତାର ସଭାପତି ମଧ୍ୟ ହୋଇଥିଲେ । ୧୯୫୧ ନିର୍ବାଚନରେ ଜୟପୁର ନିର୍ବାଚନ ମଣ୍ଡଳୀର ଓଡିଶା ବିଧାନସଭାକୁ ଗଣତନ୍ତ୍ର ପରିଷଦ ପାର୍ଟିରୁ ନିର୍ବାଚିତ ହେଲେ ସେ । ତାଙ୍କ ନେତୃତ୍ବରେ କୋରାପୁଟ ଜିଲ୍ଲାରୁ ୧୭ଟି ସ୍ଥାନରୁ ୧୧ଟି ସ୍ଥାନରେ ଗଣତନ୍ତ୍ର ପରିଷଦ ପ୍ରାର୍ଥୀମାନେ ଜୟଯୁକ୍ତ ହୋଇଥିଲେ । ଓଡିଶା ବିଧାନସଭାର ପ୍ରଥମ ଚିଫ ହୁଇପ୍ କାର୍ଯ୍ୟ ପଣ୍ଡିତ ହରିହର ମିଶ୍ର ତୁଲାଇଥିଲେ । ୧୯୫୬ ନିର୍ବାଚନରେ ମଧ୍ୟ ଜୟପୁରଠାରୁ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

୧୯୫୧ରୁ ୧୯୭୫ ପର୍ଯ୍ୟନ୍ତ ହରିହର ମିଶ୍ରଙ୍କର ଜୟପୁରରେ ବାନପ୍ରସ୍ଥ ଜୀବନ ବିତିଥିଲା । ତାଙ୍କର ଜୟପୁର ବାସଭବନ ଏକ ଅତିଥି ଭବନରେ ପରିଣତ ହୋଇଥିଲା ଏବଂ ‘ହରିହର ଅନ୍ନଛତ୍ର’ ବ୍ୟବସ୍ଥା ଦ୍ବାରା ବହୁ ଗରିବ ଜନସାଧାରଣ ଉପକୃତ ହେଉଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କୁ ନିଜ ଘରେ ରଖି ପାଠ ପଢ଼ାରେ ସାହାଯ୍ୟ କରି ନେତା ଭାବରେ ପ୍ରତିଷ୍ଠିତ କରାଇବାରେ ତାଙ୍କର ଅବଦାନ ଅତୁଳନୀୟ ।

~ ଡୁଡୁମା ଥାଉ ପ୍ରାଣ ଯାଉ ~
କୋରାପୁଟ ଜିଲ୍ଲାରେ ପ୍ରଥମ କରି ଯେଉଁ ଜଳବିଦ୍ୟୁତ ପ୍ରକଳ୍ପ ସ୍ଥାପନ କରାଯାଇଛି, ତାହା ଡୁଡୁମା ଜଳବିଦ୍ୟୁତ ପ୍ରକଳ୍ପ, ତଥା ମାଛକୁଣ୍ଡ ଜଳପ୍ରପାତ ନାମରେ ନାମିତ ହୋଇଛି । ଏହି ଜଳପ୍ରପାତ ଯେ ହରିହରଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ତାଙ୍କର ଉତ୍ସାହ ଓ ଆଗ୍ରହ ନଥିଲେ ଏ ଜଳପ୍ରପାତଟି ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଧିନରେ ରହି ଯାଇଥାନ୍ତା । ପଣ୍ଡିତ ହରିହର ମିଶ୍ର କୋରାପୁଟ ଜିଲ୍ଲାର ଲୋକମାନଙ୍କୁ ଏକଜୁଟ କରି ଆନ୍ଧ୍ର ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ତାଙ୍କର ସ୍ଲୋଗାନ ଥିଲା ‘ଡୁଡୁମା ଥାଉ, ପ୍ରାଣ ଯାଉ’। ତାଙ୍କର ନିଷ୍ଠାପର ଉଦ୍ୟମ ଓ କର୍ମ ଯୋଗୁଁ ଡୁଡୁମା ଜଳବିଦ୍ୟୁତ ପ୍ରକଳ୍ପ ଓଡି଼ଶା ସରକାରଙ୍କ ଅଧୀନରେ ରହିପାରିଛି । ଯେତେଦିନ ପର୍ଯ୍ୟନ୍ତ ଡୁଡୁମା ଜଳପ୍ରପାତ ପରିଚାଳିତ ହେଉଥିବ, ସେତେଦିନ ପର୍ଯ୍ୟନ୍ତ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ ।

ପଣ୍ଡିତ ହରିହର ମିଶ୍ର ଉତ୍କଳ ସମ୍ମିଳନୀର ଜଣେ ବରିଷ୍ଠ ଓ ସକ୍ରିୟ କର୍ମୀ ଥିଲେ । ସେ ଜାତୀୟତାବାଦୀ, ଆଦର୍ଶ ଆଇନଜ୍ଞ ତଥା ବିଶିଷ୍ଟ ସମାଜସେବୀ ମଧ୍ୟ ଥିଲେ । ବୃଦ୍ଧାବସ୍ଥାରେ ଥିବା ସମୟରେ ମଧ୍ୟ ସେ ନିଜକୁ ଯୁବକ ମଣୁଥିଲେ ଓ ଦେଶମିଶ୍ରଣ କାର୍ଯ୍ୟରେ ସର୍ବଦା ଲାଗି ପଡ଼ିଥିଲେ । ତାଙ୍କର ଅସୀମ ଧୈର୍ଯ୍ୟ ଥିଲା । ନିଜ ପରିବାର ପ୍ରତି ଆଶା ନରଖି ଜନତାଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିବା ଏହି ମଣିଷ ଥିଲେ ସମସ୍ତଙ୍କ ପ୍ରିୟପାତ୍ର ।

ସେତେବେଳେ ଜୟପୁରରେ ଏକମାତ୍ର ସାପ୍ତାହିକ ସମ୍ବାଦପତ୍ର ଥିଲା ପ୍ରଜାବାଣୀ । ସେ ଥିଲେ ଏହାର ସମ୍ପାଦକ । ନିର୍ଭୀକ, ନିରପେକ୍ଷ ସମ୍ବାଦପତ୍ର ଭାବେ ପରିଚିତ ଥିଲା ଏହି ସାପ୍ତାହିକ । ଜଣେ ଜଣାଶୁଣା ସମାଜସେବୀ, ଆଦର୍ଶ ମଣିଷ, ନିଷ୍ଠାପର ରାଜନୈତିକ ସଂଗ୍ରାମୀ ଜୀବନ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିଥିଲେ ପୂଜ୍ୟ ପଣ୍ଡିତ ହରିହର ମିଶ୍ର । କର୍ମମୟ ଜୀବନର ଶେଷ ହୋଇଗଲା ୮୮ ବର୍ଷ ବୟସରେ, ୧୯୭୫ ମସିହା ଅକ୍ଟୋବର ମାସ ୩୧ ତାରିଖରେ । ଉତ୍କଳ ହରାଇଲା ଜଣେ ସ୍ଵାର୍ଥହୀନ, ଆଦର୍ଶ, ସମାଜସେବୀ ଓ ରାଜନୀତିଜ୍ଞ ମଣିଷକୁ ।

ଜୟପୁରବାସୀ ତାଙ୍କର ପ୍ରିୟ ମଣିଷଙ୍କୁ ଭୁଲି ପାରି ନଥିଲେ ଓ ଏବେ ମଧ୍ୟ ଭୁଲି ନାହାଁନ୍ତି । ଶ୍ରଦ୍ଧାଞ୍ଜଳି ଦେଇ ପ୍ରତିଷ୍ଠା କରିଛନ୍ତି ଏକ ପ୍ରତିମୂର୍ତ୍ତି ଜୟପୁରର ଗଙ୍ଗାନଗର ତ୍ରିକୋଣ ଛକରେ ।

ଆଧାର: “ଆମେ ଓଡ଼ିଆ”, ନୃସିଂହ ଚରଣ ସାହୁ
ଫଟୋ ସୌଜନ୍ୟ: ସ୍ନିଗ୍ଧା ବେହେରା, ଜୟପୁର 

admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

2 weeks ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

2 weeks ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

2 weeks ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago