ଲେଖା: ତ୍ରିଲୋଚନ ସ୍ୱାଇଁ
~ ନୃସିଂହନାଥ ମନ୍ଦିର ~
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ବିଶ୍ୱପ୍ରସିଦ୍ଧ “ଧନୁଯାତ୍ରା” ପାଇଁ, ବରଗଡ଼ ଜିଲ୍ଲା ଯେତିକି ପ୍ରସିଦ୍ଧ ନୃସିଂହନାଥ ଭଗବାନଙ୍କ ପ୍ରାଚୀନ ମନ୍ଦିର, ଝରଣା ଓ ଘଞ୍ଚ ବନ୍ୟଭୂମି ପାଇଁ ମଧ୍ୟ ସେତିକି ପ୍ରସିଦ୍ଧ l ଭଗବାନ ନୃସିଂହନାଥଙ୍କ ଏହି ପ୍ରାଚୀନ ମନ୍ଦିରଟି ବରଗଡ଼ର ପାଇକମାଳ ନିକଟରେ ଥିବା ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଅବସ୍ଥିତ l ଅବିଶ୍ୱସନୀୟ ତଥା ଅକଳ୍ପନୀୟ ନୈସର୍ଗିକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପରିବେଶରେ ପ୍ରାୟ ପଚାଶ ଫୁଟ ଉଚ୍ଚତା ବିଶିଷ୍ଟ ନୃସିଂହନାଥ ମନ୍ଦିର ଦଣ୍ଡାୟମାନ l
ବରଗଡ଼ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରୁ ପ୍ରାୟ ଶହେ ପଚାଶ କିଲୋମିଟର ଦୂରରେ ଅବସ୍ଥିତ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ଏହି ନୃସିଂହନାଥ ମନ୍ଦିରକୁ ପାଟଣାଗଡ଼ର ଚୌହାନ ରାଜବଂଶର ଶାସକ ନିର୍ମାଣ କରିଥିଲେ l କେହି କେହି ଐତିହାସିକଙ୍କ ମତରେ, ମନ୍ଦିରଟିର ନିର୍ମାଣ ସମୟ ଅଷ୍ଟମରୁ ନବମ ଶତାବ୍ଦୀ ମଧ୍ୟରେ ହୋଇଥିବା ଅନୁମାନ କରାଯାଏ ଏବଂ ପରବର୍ତ୍ତୀ ସମୟରେ ଚୌହାନ ରାଜବଂଶୀ ଶାସକଙ୍କ ଦ୍ୱାରା ଏହାର ପୁନଃ ନିର୍ମାଣ କରାଯାଇଥାଇପାରେ l
ମନ୍ଦିରର ଜଗମୋହନଟି ସୁକ୍ଷ୍ମ କାରୁକାର୍ଯ୍ୟ ବିଶିଷ୍ଟ ଚାରିଗୋଟି ଖମ୍ବ ଉପରେ ଦଣ୍ଡାୟମାନ l କୁହାଯାଏ ଜଗମୋହନଟି ମୂଳ ବିମାନ ଠାରୁ ମଧ୍ୟ ବହୁ ପ୍ରାଚୀନ l ମନ୍ଦିର ପ୍ରବେଶପଥ ବା ଦ୍ୱାରର ଚତୁଃପାର୍ଶ୍ୱରେ ମଧ୍ୟ ଅନେକ ସୁକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ମିଳେ l
ରେଖ ଶୈଳୀରେ ନିର୍ମିତ, କାରୁକାର୍ଯ୍ୟପୂର୍ଣ୍ଣ ଏହି ମନ୍ଦିରର ଗର୍ଭଗୃହରେ ଭଗବାନ ବିଷ୍ଣୁଙ୍କର ମାର୍ଜାର ମୁଖ ବିଶିଷ୍ଟ ନୃସିଂହ ଅବତାର ବା ମାର୍ଜାରକେଶରୀ ପୂଜା ପାଉଛନ୍ତି l ଗର୍ଭଗୃହରେ ମୂଳ ବିଗ୍ରହଙ୍କ ସହିତ ଆଉ ଏକ ସ୍ଥାପିତ ବିଗ୍ରହ ମଧ୍ୟ ରହିଛନ୍ତି l କୌଣସି ସମୟରେ ମୂଳ ବିଗ୍ରହ ଚୋରି ହୋଇଯାଇଥିଲେ ଏବଂ ତାଙ୍କ ସ୍ଥାନରେ ଅନ୍ୟ ଏକ ବିଗ୍ରହଙ୍କୁ ସ୍ଥାପନା କରି ପୂଜାର୍ଚ୍ଚନା କରାଯାଉଥିଲା l ପରବର୍ତ୍ତୀ ସମୟରେ ମୂଳ ବିଗ୍ରହ ମିଳିବା ପରେ ଆସ୍ଥାନରେ ଏବେ ଉଭୟ ମୂର୍ତ୍ତି ପୂଜା ପାଉଛନ୍ତି l ଭିତର ଜଗମୋହନରେ ଜଟାନୃସିଂହଙ୍କ ଏକ ମୂର୍ତ୍ତି ପୂଜା ପାଉଛନ୍ତି l ସେହିପରି ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ଦାରୁବିଗ୍ରହ ମଧ୍ୟ ପୂଜା ପାଉଛନ୍ତି l
କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ନୃସିଂହନାଥ ମନ୍ଦିରର ବିମାନ ଯେପରି ସୁନ୍ଦର ଏହାର ଜଗମୋହନଟି ମଧ୍ୟ ସେହିପରି ସୁନ୍ଦର l ବିମାନର ପଶ୍ଚିମ ପାର୍ଶ୍ୱରେ ବିଷ୍ଣୁଙ୍କ ନୃସିଂହ ଅବତାର ପୂଜା ପାଉଥିବାବେଳେ, ପୂର୍ବ ଓ ପଶ୍ଚିମ ପାର୍ଶ୍ୱରେ ବାମନ ଓ ବରାହ ଅବତାର ପୂଜା ପାଉଛନ୍ତି l ପାର୍ଶ୍ୱଦେବତା ନୃସିଂହ ଭଗବାନଙ୍କ ସମ୍ମୁଖରେ ପାହାଡ଼ କାନ୍ଥରେ ଦୁଇଟି ଖୋଲ ରହିଛି l କୁହାଯାଏ ଏହି ଖୋଲରେ ଅତ୍ୟାଚାରି ଦୈତ୍ୟ ମୂଷିକ ରୂପ ଧାରଣ କରି ଲୁଚି ରହିଛି ଆଉ ଭକ୍ତବତ୍ସଳ ଭଗବାନ ବିଷ୍ଣୁ ମାର୍ଜାରକେଶରୀ ରୂପରେ ସେଇ ଦିନୁ ଦୈତ୍ୟ ମୂଷିକକୁ ଜଗିରହିଛନ୍ତି ଫଳରେ ଲୋକମାନେ ମଧ୍ୟ ସେହି ଦୈତ୍ୟର ଅତ୍ୟାଚାରରୁ ମୁକ୍ତି ପାଇଛନ୍ତି l
ନୃସିଂହନାଥ ମନ୍ଦିରକୁ ପ୍ରବେଶ କଲାବେଳେ ଦକ୍ଷିଣ ପାର୍ଶ୍ୱରେ ପାହାଡ଼ କାନ୍ଥରେ ଏକ ବିରାଟ ଅଷ୍ଟଭୁଜ ଗଣେଶଙ୍କ ପ୍ରତିମା ରହିଛନ୍ତି l ଏହାଙ୍କ ପାର୍ଶ୍ୱରେ ସହଦେଵଙ୍କ ପ୍ରତିମା ମଧ୍ୟ ରହିଛି l ଗନ୍ଧମାର୍ଦ୍ଦନ ପର୍ବତର ଅନ୍ୟ ଏକ ସ୍ଥାନରେ ବାକି ଚାରିଜଣ ପାଣ୍ଡବଙ୍କ ପ୍ରତିମା ପର୍ବତ କାନ୍ଥରେ ଖୋଦିତ ହୋଇଛି l ସେଠାରେ ମଧ୍ୟ ଶ୍ରୀ ଗଣେଶଙ୍କର ଏକ ବିରାଟ ପ୍ରତିମା ଦେଖିବାକୁ ମିଳେ l ଏହି ସ୍ଥାନକୁ ପଞ୍ଚୁପାଣ୍ଡଵ ବୋଲି କୁହାଯାଏ l ଏହାର ଅନତି ଦୂରରେ, ପାହାଡ଼ କାନ୍ଥରେ ବ୍ରହ୍ମl ଓ ବିଷ୍ଣୁଙ୍କ ପ୍ରତିମା ମଧ୍ୟ ଖୋଦିତ ହୋଇଛି l ବିଷ୍ଣୁଙ୍କ ବାମପାର୍ଶ୍ଵ ଉପରି ଭାଗରେ ଗଣେଶଙ୍କ ପ୍ରତିମା ରହିଥିବାବେଳେ ଉଭୟ ପାର୍ଶ୍ଵର ନିମ୍ନ ଭାଗରେ ନମସ୍କାର ମୁଦ୍ରାରେ ଦୁଇଟି ନାରିମୂର୍ତ୍ତି ଦଣ୍ଡାୟମାନ ହୋଇଛନ୍ତି l କାରୁକାର୍ଯ୍ୟ ବିହୀନ ଏହି ପ୍ରତିମାଗୁଡ଼ିକର ନିର୍ମାଣ ସମୟ ସେହି ଅଷ୍ଟମ ବା ନବମ ଶତାବ୍ଦୀର ହୋଇଥିବା ଅନୁମାନ କରାଯାଏ l
ଗନ୍ଧମାର୍ଦ୍ଦନ ପର୍ବତ ଶିଖରରେ ଥିବା ଜଳପ୍ରାପତରୁ ଚିରସ୍ରୋତା ଝରଣାର ଜଳ ଅନବରତ ବହିଆସୁଅଛି l ଏହି ଝରଣା ପର୍ବତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ଜଣା l ବିଶେଷକରି ଭୀମଧାର ଝରଣା, କପିଳଧାର ଝରଣା ଓ ପଞ୍ଚୁପାଣ୍ଡଵ ଝରଣାର ଦୃଶ୍ୟ ଖୁବ୍ ସୁନ୍ଦର ଓ ଅନନ୍ୟ l ନୃସିଂହନାଥ ଭଗବାନଙ୍କ ଏହି ପୀଠରେ ଈଶ୍ୱରାନୁଭୂତି ହେବା ସହିତ ପ୍ରକୃତିର ନୈସର୍ଗିକ ରୂପ, ପ୍ରତି ମଣିଷକୁ ମନ୍ତ୍ରମୁଗ୍ଧ କରିବାରେ ସକ୍ଷମ l ଏଠାକାର ପ୍ରକୃତି କୋଳରେ ଯେ କେହି ମଣିଷ ଆତ୍ମବିଭୋର ହେବା ସ୍ୱାଭାବିକ l
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago