ଲେଖା: ଦେଵ ତ୍ରିପାଠୀ

“ହୋଇ ଏକତ୍ରିତ ସ୍ୱର୍ଗ ଦେବଗଣ
କରିବେ ଯଦି ମୋ ଜୀବନ ହରଣ,
ନ ତେଜିବି ସତ୍ୟପଥ ସଦାଶୟ
ଦେବି ନାହିଁ କେବେ ମିଥ୍ୟାକୁ ପ୍ରଶୟ” ।

ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ଜଣେ ନିର୍ଭୀକ ସ୍ବାଧୀନଚେତା ପତ୍ରିକା ସମ୍ପାଦକଙ୍କର ଏଇ ପଦଟି ଥିଲା ନିଜସ୍ବ ଆଦର୍ଶ । ସେ କେବଳ ପତ୍ରିକା ସମ୍ପାଦକ ନ ଥିଲେ; ଓଡ଼ିଆ ଭାଷାର ଶୁଦ୍ଧ ଉଚ୍ଚାରଣ, ଶୁଦ୍ଧ ଲିଖନ, ଓଡ଼ିଆ ଭାଷା ସୁରକ୍ଷାର ଜାଗ୍ରତପ୍ରହରୀ ତଥା ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା । ନିଜର ଅଗାଧ ପାଣ୍ଡିତ୍ୟବଳରେ ସେକାଳର ବହୁ ରାଜାମହାରାଜାମାନଙ୍କୁ ପରାମର୍ଶ ପୂର୍ବକ ଓଡ଼ିଆ ଭାଷାଭାଷୀ ମାନଙ୍କୁ ଏକତ୍ରିତ କରି ଏକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସେ ଥିଲେ ଆଜୀବନ ଚେଷ୍ଟିତ । ନିଜର ଜ୍ଞାନଗାରିମାରେ ହରାଇ ପାରିଥିଲେ ଦୁର୍ଦ୍ଧର୍ଷ ବ୍ରିଟିଶ ସରକାରକୁ, ଅଗଣିତ ଜନତାର ହୃଦୟକୁ ଜିତିଥିଲେ ରତ୍ନତୂଲ୍ୟ ।

ସେ ନୀଳମଣି ମିଶ୍ର, ଲୋକମୁଖରେ ନୀଳମଣି ବିଦ୍ୟାରତ୍ନ ।

~ ଏ ମାଟିର ଯଥାର୍ଥ ରତ୍ନ ~
ଦାରିଦ୍ର୍ୟର ତାଡନାରେ ବିଦ୍ୟାଳୟ ପାଠ ଶେଷ କରିପାରି ନ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିଷ୍ଠା ଓ ଅଧ୍ୟବସାୟ ବଳରେ ନୀଳମଣି ଉଭୟ ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ ହାସଲ କରିଥିଲେ ଅସାଧାରଣ ବ୍ୟୁତ୍ପତ୍ତି । ୫୦ରୁ ଊର୍ଦ୍ଧ୍ବ କାଳଜୟୀ କାବ୍ୟ, କବିତା ଓ ପ୍ରବନ୍ଧ ମାନ ରଚନା କରି ସେ ଛାଡିଯାଇଛନ୍ତି ନିଜର ଅସାଧାରଣ ପ୍ରତିଭାର ସ୍ବାକ୍ଷର ।

ଜୀବନର ଅର୍ଦ୍ଧାଧିକ କାଳ ରୋଗାକ୍ରାନ୍ତ ଓ ଅର୍ଥାଭାବରେ ଭାରାକ୍ରାନ୍ତ ଥାଇ ମଧ୍ୟ ସାହିତ୍ୟସାଧନା ସହିତ ଭାଷାର ପ୍ରସାର, ସାହିତ୍ୟିକ ମାନଙ୍କର ପୃଷ୍ଠପୋଷକତା ଏବଂ ସମ୍ବାଦପତ୍ରର ସମ୍ପାଦନାରେ ନିରପେକ୍ଷତା ଅବଲମ୍ବନ ଏବଂ ନିର୍ଭୀକତାର ପରିପ୍ରକାଶ ଦିଗରେ ଥିଲେ ସତତ ଚେଷ୍ଟିତ । ସମାଜ ସଂସ୍କାରକ ଭାବରେ ସମାଜରୁ ରୁଢିବାଦୀ ଚିନ୍ତାଧାରାର ବିରୋଧ କରି ସେ ହୋଇଥିଲେ ବୃହତ୍ତର ବ୍ରାହ୍ମଣସମାଜର ଚକ୍ଷୁଶୂଳ ।

~ ଅନନ୍ୟ ଭାଷାସଂଗ୍ରାମୀ ~
ବଙ୍ଗଳା, ବିହାର ଓ ତେଲେଙ୍ଗାମାନଙ୍କର ଓଡ଼ିଆ ଭାଷା ପ୍ରତି ଯେଉଁ ଅସୂୟା ଭାବ ଥିଲା, ତାହାକୁ ସେମାନଙ୍କ ଆଗରେ ବୀରଦର୍ପରେ ବଖାଣିବା ନିମନ୍ତେ ସେ ଓଡ଼ିଆ ଭାଷାର ସ୍ଥାୟିତ୍ୱ ଓ ଅବିନଶ୍ୱର ରୂପକୁ ପ୍ରତିଷ୍ଠିତ କରାଇଥିଲେ ନୀଳମଣି ବିଦ୍ୟାରତ୍ନ । ଏଇ ମାଟିର ଭାଷା ବଦଳରେ ସମ୍ବଲପୁରରେ ହିନ୍ଦୀଭାଷା ଏବଂ ଗଞ୍ଜାମରେ ତେଲୁଗୁଭାଷା ପ୍ରୟୋଗର ଘୋର ବିରୋଧ ତଥା ପତ୍ରିକା ମାଧ୍ୟମରେ ସଂଗ୍ରାମର ବାର୍ତ୍ତାପ୍ରେରଣ କରି ସେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ହୀନମନା ହିନ୍ଦୀଭାଷୀ ଓ ତେଲେଙ୍ଗାମାନଙ୍କର । କେବଳ ଦେଶଗଠନ ପାଇଁ ଯେ ତାଙ୍କର ଭୂମିକା ଥିଲା ଗୁରୁତ୍ଵପୂର୍ଣ୍ଣ ତାହା ନୁହେଁ, ବ୍ରିଟିଶ ସରକାର ବିରୋଧରେ ପତ୍ରିକା ମାଧ୍ୟମରେ ରଣହୁଙ୍କାର ଦେଇ ଓ ଜନଜାଗରଣ ସୃଷ୍ଟି କରି ସେ ବ୍ରିଟିଶ ସରକାରର ବନିଯାଇଥିଲେ ମହାଶତ୍ରୁ ।

୧୮୮୭ ମସିହାରେ ସମ୍ବଲପୁରରେ ହିତୈଷିଣୀ ପତ୍ରିକାର ସମ୍ପାଦନା କାଳରେ ନୀଳମଣି ବିଦ୍ୟାରତ୍ନ, ଧରଣୀଧର ମିଶ୍ର, ଶ୍ରୀପତି ମିଶ୍ର, ବଳଭଦ୍ର ସୁପକାର, ବୈକୁଣ୍ଠନାଥ ପୂଜାରୀ, ଉମାବଲ୍ଲଭ ଦାସ ଇତ୍ୟାଦି ଭାଷାସଂଗ୍ରାମୀମାନଙ୍କ ସହାୟତାରେ ସମ୍ବଲପୁର କୋର୍ଟରେ ସାର୍ ଉଡବଣ୍ଟଙ୍କ ପ୍ରଚଳିତ ହିନ୍ଦୀଭାଷା ପରିବର୍ତ୍ତେ ୧୯୦୩ ଜାନୁୟାରୀ ୧ ତାରିଖଠାରୁ ଓଡ଼ିଆ ଭାଷାର ପ୍ରଚଳନ କରାଇଥିଲେ ।

~ ଜାତୀୟତା ପ୍ରାଣରେ ଉଦବୁଦ୍ଧ ଆଦର୍ଶବାଦୀ ନୀଳମଣି ~
ନୀଳମଣିଙ୍କ ଉଚ୍ଚକୋଟୀର ବାଗ୍ମୀତା ଏବଂ ନେତୃତ୍ୱରେ ସମ୍ବଲପୁର ଭାଷା ଆନ୍ଦୋଳନ ସଫଳ ହୋଇଥିଲା । ଭାରତ ସରକାରଙ୍କ ଗୃହସଚିବ ରିସେଲ୍ ମଧ୍ୟପ୍ରଦେଶର ଛତିଶଗଡ଼ ଡିଭିଜନରୁ ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବାମଣ୍ଡା, ରେଢ଼ାଖୋଲ, ସୋନପୁର ଏବଂ ଛୋଟନାଗପୁର ଡିଭିଜନରୁ ଗାଙ୍ଗପୁର ଓ ବଣାଇ ଅଞ୍ଚଳକୁ ଓଡ଼ିଶାକୁ ହସ୍ତାନ୍ତର କରିବାକୁ ସର୍କୁଲାର୍ ଜାରି କରିଥିଲେ ।

ବ୍ରିଟିଶ ସରକାରର ଚକ୍ରାନ୍ତରେ କଟକର ପ୍ରେସ ବନ୍ଦ ହେବା, ବ୍ରାହ୍ମଣ, ହିନ୍ଦୀଭାଷୀ, ତେଲେଙ୍ଗାମାନଙ୍କ ଦ୍ଵାରା ବାରମ୍ବାର ଧମକଚମକ ଏବଂ ମରଣାନ୍ତକ ଆକ୍ରମଣ ନୀଳମଣିଙ୍କ ମନୋବଳକୁ ଚହଲାଇ ପାରି ନ ଥିଲା । ବରଂ ନୂତନ ପ୍ରେରଣାରେ ସେ ସଂସ୍କାର, ବିଜୁଳି, ଆଲୋଚନା, ପ୍ରଜାବନ୍ଧୁ, ଗଞ୍ଜାମ ଗୁଣଦର୍ପଣ, ଉତ୍କଳମଧୂପ, ସମ୍ବଲପୁର ହିତୈଷିଣୀ, ଉତ୍କଳ ଦୀପିକା ପରି ପତ୍ରିକା ଗୁଡିକରେ ନିର୍ଭୀକ ସମ୍ପାଦନାପୂର୍ବକ ସାମାଜିକ ସଂସ୍କାର, ବିଧବା ବିବାହ, ଶିକ୍ଷା ସଂସ୍କାର, ଓଡ଼ିଆ ଭାଷାପ୍ରଚାର ଏବଂ ସର୍ବୋପରି ସାହିତ୍ୟ ତଥା ସାହିତ୍ୟିକ ମାନଙ୍କ ପ୍ରୋତ୍ସାହନ ଦିଗରେ ସେ ନିରନ୍ତର ଯୁଦ୍ଧ କରିଚାଲିଥିଲେ ।

~ ଆଦର୍ଶ ଦେଶପ୍ରେମୀ ନୀଳମଣି ~
୧୯୦୩ ମସିହା ଜାନୁଆରୀ ୯ ତାରିଖରେ ମହାରାଜା ହରିହର ମର୍ଦ୍ଦରାଜଙ୍କ ନେତୃତ୍ବରେ ଗଞ୍ଜାମର ରମ୍ଭାଠାରେ ଅନୁଷ୍ଠିତ ‘ଗଞ୍ଜାମ ଜାତୀୟ ସଭା’ରେ ସ୍ବାଗତ ଭାଷଣରେ ନୀଳମଣି ବିଦ୍ୟାରତ୍ନ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ସଂଗ୍ରାମ ହେବା ବିଧେୟ ବୋଲି ପ୍ରକାଶ କରିବା ସହିତ “ଜୟ ଉତ୍କଳ ଜନନୀ” ଉଦଘୋଷ କରି ଓଡ଼ିଶା ପରିବର୍ତ୍ତେ ଉତ୍କଳ ନାମ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ଦେଇଥିଲେ । ମଧୁବାବୁଙ୍କ ସମେତ ସଭାସ୍ଥ ସଭିଏଁ ସାଦରେ ଗ୍ରହଣ କରିଥିଲେ ଏ ପ୍ରସ୍ତାବ ।

~ ଓଡ଼ିଶା ମାଟିର ବରପୁତ୍ର ନୀଳମଣି ~
ଆଦର୍ଶ ଦେଶପ୍ରେମୀ ସମ୍ପାଦକ ବ୍ୟତୀତ ନୀଳମଣି ବିଦ୍ୟାରତ୍ନ ଥିଲେ ପ୍ରତଣ୍ଡ ଗୁଣଗ୍ରାହୀ । ଯେଉଁ କବିବରଙ୍କ ପାଇଁ ସେ ଦିନେ କଲମ ଧରିଥିଲେ ସେଇ କବିବରଙ୍କୁ ‘କବିବର’ କରାଇବାରେ ପ୍ରଚ୍ଛନ୍ନ ହାତ ଥିଲା ନୀଳମଣିଙ୍କର । କେବଳ କବିବର ନୁହଁନ୍ତି, ବ୍ୟାସକବି, ଭକ୍ତକବି, ଗଙ୍ଗାଧର, ବାଗ୍ମୀ ବିଶ୍ଵନାଥ, ଚିନ୍ତାମଣି ମହାନ୍ତିଙ୍କ ସମେତ ବହୁ ପ୍ରତିଷ୍ଠିତ ସାହିତ୍ୟିକଙ୍କର ସେ ଥିଲେ ପୃଷ୍ଠପୋଷକ, ସେ ମଧ୍ୟ ସୃଷ୍ଟି କରାଇଥିଲେ ଅଗଣିତ ନୂତନ ସାହିତ୍ୟିକ । ପଠାଣିସାମନ୍ତଙ୍କ ଅନବଦ୍ୟ ଗ୍ରନ୍ଥ ସିଦ୍ଧାନ୍ତଦର୍ପଣ ନିମନ୍ତେ ଗବେଷଣା ଜନିତ ଖର୍ଚ୍ଚ ମଧ୍ୟ ତୁଲାଇଥିଲେ ନୀଳମଣି । ସିଦ୍ଧାନ୍ତ ଦର୍ପଣକୁ ଓଡ଼ିଆରେ ଅନୁବାଦ କରି ସେ ପରିଚୟ ଦେଇଥିଲେ ନିଜ ଅଗାଧ ପାଣ୍ଡିତ୍ୟର ।

କଟକ ଜିଲ୍ଲାର ସାହିତ୍ୟ ଓ ସଂସ୍କୃତିର ଅନ୍ୟତମ ସଙ୍ଗମସ୍ଥଳ ବାଙ୍କୀର ବ୍ରଜବିହାରୀପୁର ଶାସନରେ ୧୮୬୭ ସାଲ ଡିସେମ୍ବର ୧୪ ତାରିଖରେ ଜନ୍ମିତ ନୀଳମଣିଙ୍କୁ ତାଙ୍କର ଅସାମାନ୍ୟ ପାଣ୍ଡିତ୍ୟ, ଧୀଶକ୍ତି, କାଳଜୟୀ ସୃଷ୍ଟି, ଅଦମ୍ୟ ସାହସ, ନିଷ୍ଠାପରତା, ପରୋପକାରୀତା, ପ୍ରଗାଢ ଦେଶପ୍ରେମ, ସଂସ୍କାରଧର୍ମୀ ଚେତନା, ଜନଜାଗରଣର ଅଖଣ୍ଡ କୌଶଳ, ଭାଷାପ୍ରୀତି ଇତ୍ୟାଦି ନିମନ୍ତେ ତତ୍କାଳୀନ ବଡ଼ମ୍ବା ରାଜ୍ୟର ଗୁଣଗ୍ରାହୀ ମହାରାଣୀ କୁସୁମବତୀ ଏବଂ ମହାରାଜା ଦାଶରଥି ମଙ୍ଗରାଜ “ବିଦ୍ୟାରତ୍ନ” ଉପାଧିରେ ଭୂଷିତ କରିଥିଲେ । ସାହିତ୍ୟ ସଂସ୍କୃତି ପ୍ରତି ସମର୍ପିତ ବାମଣ୍ଡାର ମହାରାଜା ସୁଢଳଦେବଙ୍କ ସହ କେତେ କେତେ ରାଜାମହାରାଜାଙ୍କଠାରୁ ଅସୁମାରୀ ସମ୍ମାନରେ ମଣ୍ଡିତ ହୋଇଥିଲେ ।

୧୯୨୩ ମସିହା ଜୁଲାଇ ୨୬ ତାରିଖରେ ଓଡ଼ିଶା ମାଟିର ସେଇ ମହାନ ଯୁଗପୁରୁଷଙ୍କ ଦେହାବସାନ ଘଟିଥିଲା ।

ତଥ୍ୟସୂତ୍ର: ପ୍ରଜାତନ୍ତ୍ର, ବିଦ୍ୟାରତ୍ନ ସ୍ମରଣିକା, ଯଶୋଦେହେ ଆୟୁଷ୍ମାନ, ଅନୁପମ ଭାରତ

Spread the love
admin

View Comments

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago