ଲେଖା: ଦେଵ ତ୍ରିପାଠୀ
ଜଗତର ନାଥଙ୍କ ଉଦ୍ଦେଶ୍ୟରେ ତାଙ୍କର ଶେଷ ଗୀତ ଥିଲା: ” . . .ବାହୁଡ଼ାରେ ମୋତେ ବାହୁଡ଼ାଇ ନିଅ ହେ ମହାପ୍ରଭୂ”, ଏବଂ ସେଇ ମରମଛୁଆଁ ପଦ ହୋଇଥିଲା କାଳଜୟୀ I ଭକ୍ତପ୍ରବରଙ୍କ ଇଛା ବି ପୂରଣ କରିଥିଲେ ମହାପ୍ରଭୂ I ୧୯୮୩ ମସିହାରେ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ାଦିବସରେ ଅଗଣିତ ଭକ୍ତିରସପ୍ରେମୀ ଶ୍ରୋତାଙ୍କୁ ପର କରି ପରଲୋକ ଗମନ କରିଥିଲେ ବାଣୀକଣ୍ଠ ପଦ୍ମଶ୍ରୀ ନିମାଇଁ ଚରଣ ହରିଚନ୍ଦନ  I
ନିମାଇଁ ଚରଣ ହରିଚନ୍ଦନ ଥିଲେ ଓଡ଼ିଶାର ପ୍ରଥମ ପେଶାଦାର କଣ୍ଠଶିଳ୍ପୀ । ପ୍ରଚଣ୍ଡ ପ୍ରତିଭାସମ୍ପନ୍ନ ଏହି କଣ୍ଠଶିଳ୍ପୀ ଓ ସୁରକାର ଯେ କେବଳ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ସାଲବେଗ, ଗୋପାଳକୃଷ୍ଣ, ବନମାଳୀ, ଗୌରହରି, ସାରିଆ ଭିକ, ବଳରାମ ଦାସ, ଦନାଇ ଦାସ, ଭକ୍ତଚରଣ ଦାସ, ସୂର୍ଯ୍ୟମଣି ଜେମାଦେଈଙ୍କ ଭଳି ଅନେକ ଭକ୍ତଙ୍କ ଭକ୍ତିଭାବଭରା ରଚନାର ଓଡିଶୀ, ଛାନ୍ଦ, ଚମ୍ପୂ, ଭଜନ ଓ ଜଣାଣ ତଥା ପ୍ରେରଣାପ୍ରଦ ଗୀତମାନ ସେ ନିଜସ୍ୱ ଶୈଳୀରେ ଗାନ କରି ସଂଗୀତ ଜଗତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଯାଇନାହାନ୍ତି, ବରଂ ସେଇ ପରମପୂଜ୍ୟ ସ୍ରଷ୍ଟାମାନଙ୍କ କୃତିସବୁକୁ ବହୁଳ ଭାବରେ ଜନାଦୃତ କରିପାରିଛନ୍ତି I
କେନ୍ଦ୍ରାପଡ଼ାର ଏକ ଜମିଦାର ପରିବାରରେ ୧୯୦୧ ଜୁଲାଇ ୯ ତାରିଖରେ ଜନ୍ମିତ ନିମାଇଁ ଚରଣ ବାଲ୍ୟକାଳରୁ ଗୁରୁ ଗୋକୂଳ ଶ୍ରୀଚନ୍ଦନଙ୍କ ଠାରୁ ମୃଦଙ୍ଗ ଓ ହାରମୋନିଅମ ସହ ସଙ୍ଗୀତ ଶିକ୍ଷା ଏବଂ ପରବର୍ତ୍ତୀ ସମୟରେ ଓସ୍ତାଦ ମାଧୋରାଓଙ୍କ ସଂଗୀତ ଶିକ୍ଷା କରିଥିଲେ । ଗୁରୁ କୃପାରୁ ନିମାଇଁ କଲିକତା ଯାଇ ବାବାଜୀ ରାମଦାସଙ୍କ ଠାରୁ ଶାସ୍ତ୍ରୀୟ ସଙ୍ଗୀତ ଗାଇବା ସହିତ ଅଧିକ ପ୍ରଶିକ୍ଷଣପ୍ରାପ୍ତ ହୋଇଥିଲେ । କଲିକତାରୁ ଫେରି ଆଠଗଡ଼ ରାଜସଭାର ରାଜ ସଂଗୀତଜ୍ଞ ଭାବେ ନିଯୁକ୍ତ ପାଇଥିଲେ ।
ନିଜର ସୁଲଳିତ ସ୍ଵର ଓ ଶୈଳୀରେ ଓଡିଆସଙ୍ଗୀତପ୍ରେମୀଙ୍କ ହୃଦୟ ଜିଣିଲା ବେଳକୁ ୧୯୩୩ ମସିହାରେ ତାଙ୍କ ସୁମଧୁର ସଂଗୀତ ଗୁଡ଼ିକୁ “ହିଜ ମାଷ୍ଟର୍ସ ଭୟେସ୍ (ଏଚ୍.ଏମ୍.ଭି)” କମ୍ପାନୀ ରେକର୍ଡ଼ିଙ୍ଗ କରି ଓଡ଼ିଶାର ଅପହଞ୍ଚ ସ୍ଥାନରେ ପହଁଚାଇ ଦେଲା ଏବଂ ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରାଇଦେଲା । ଉକ୍ତ କମ୍ପାନୀ ହିଁ ତାଙ୍କୁ ଭୂଷିତ କରାଇଥିଲେ ‘ବାଣୀକଣ୍ଠ’ ଉପାଧିରେ ।
ବାଣୀକଣ୍ଠ ସାଙ୍ଗୀତିକ ଜୀବନର ଜୟଯାତ୍ରା ଏଇଠି ଅଟକି ନ ଥିଲା । ପରେ ପରେ ୧୯୩୪ ମସିହାରେ କଲିକତା ରେଡ଼ିଓ ଷ୍ଟେସନର ଆଗଧାଡ଼ିର କଳାକାର ଭାବେ ପରିଗଣିତ ହେଲେ ବାଣୀକଣ୍ଠ । ୧୯୩୮ରେ ଶ୍ରେଷ୍ଠ ଓଡ଼ିଶୀ ସଂଗୀତ ଗାନ ପାଇଁ ତାଙ୍କୁ ମିଳିଲା ଉତ୍କଳ ସଂଗୀତ ସମାଜ ସ୍ୱର୍ଣ୍ଣପଦକ ଓ ଆଠଗଡ଼ ରାଜଦରବାର ସ୍ୱର୍ଣ୍ଣପଦକ । ୧୯୪୭ ଡିସେମ୍ବର ୨୮ ତାରିଖରେ ପ୍ରଥମ ଥର ପାଇଁ ଆକାଶବାଣୀ କଟକ କେନ୍ଦ୍ରରୁ ତାଙ୍କ ସଂଗୀତର ମୂର୍ଚ୍ଛନା ଶୁଣିବାକୁ ମିଳିଲା । ୧୯୫୪ ଦିଲ୍ଲୀ ଲାଲକିଲ୍ଲାରେ ସଂଗୀତ ନାଟକ ଏକାଡ଼େମୀ ନିମନ୍ତ୍ରଣ କ୍ରମେ ସଙ୍ଗୀତ ଗାନ କରି ନିମାଇଁ ଚରଣ ହରିଚନ୍ଦନ ସମଗ୍ର ଦେଶରେ ଓଡ଼ିଶୀ ସଂଗୀତ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଆଣିଦେଇଥିଲେ ।
ଏତଦବ୍ୟତୀତ ଏହି ମହାନ ଚିରସ୍ମରଣୀୟ କଣ୍ଠଶିଳ୍ପୀଙ୍କୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, ପ୍ରଜାତନ୍ତ୍ର ପ୍ରଚାର ସମିତି ତରଫରୁ ବିଷୁବ ପୁରସ୍କାର, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ଓ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଇ ଦେଶବାସୀ ନିଜକୁ ଧନ୍ୟ କରିଛନ୍ତି ।
ପୁରୀର ଗଜପତି ମହାରାଜା ନିମାଇଁଙ୍କୁ ଶ୍ରୀମନ୍ଦିରରେ “ଚାମର ସେବା” ପ୍ରଦାନ କରିଥିଲେ । ୧୯୭୦ ମସିହାଠାରୁ, ସେ ପୁରୀରେ ହିଁ ରହି ମନ୍ଦିରରେ ଚାମର ସେବା କରୁଥିଲେ ଓ ଜଣାଣ ଗାଉଥିଲେ ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago