ନିଜାମ୍

ଲେଖା: ଅମୃତେଶ ଖଟୁଆ

~ ଓଡ଼ିଆ ଚଳଚ୍ଚିତ୍ର ଜଗତର ଗୀତିମୟ ବ୍ୟକ୍ତିତ୍ଵ – ନିଜାମ୍ ~
“ସିକ୍ୟୁଏନ୍ସ ଥିଲା ହିରୋଇନ୍ ଆସିନି । ହିରୋଇନ୍ ଅପେକ୍ଷା କରିଛି, ବିରହରେ ସେ ଏହି ଗୀତଟି ଗାଇବ । ସଂଗୀତକାର ଜଲାଲ୍ ଆଦାନୀ ମୋତେ ଅନେକ ସ୍ଵର ଶୁଣାଇଥିଲେ । ମୋତେ ସେ ସ୍ଵର ସବୁ ଭଲ ଲାଗି ନଥିଲା । କିନ୍ତୁ ଯେହେତୁ ମୁଁ ନୂଆ ଗୀତିକାର ତାଙ୍କୁ, କିଛି କହିପାରୁନଥିଲି । ତେବେ ମୋ ଭାବଭଙ୍ଗୀ ଦେଖି ସେ ଅନୁମାନ କରିନେଇଥିଲେ, କହିଲେ ‘ବୋଧେ ତମ ମନକୁ ପାଉନି ।’ ମୁଁ କହିଲି, ‘ହଁ, ମୋତେ କାହିଁକି ଟିକେ ଖଟକା ଲାଗୁଛି’ । ସେ କହିଲେ, ‘ହଉ, ଠିକ୍ ଅଛି, ଚାଲ ଯିବା ସେକେଣ୍ଡ ସୋ’ ସିନେମା ଦେଖି ଆସିବା, ତା’ ପରେ ତମେ ଚିନ୍ତା କରିବ।’
ସେକେଣ୍ଡ ସୋ’ ସିନେମା ଦେଖି ଫେରୁଛୁ, ମୁଁ କହିଲି , ‘ଆପଣ ତ ଆଗରୁ ଅନେକ ସ୍ଵର କରିଥିବେ, ଆପଣ ସେଥିରୁ କିଛି ମୋତେ ଶୁଣାନ୍ତୁ, ମୋତେ ଯଦି ଭଲ ଲାଗିବ, ମୁଁ କହିବି ।’ ସେ ମୋତେ ଦି ତିନିଟା ସ୍ଵର ଶୁଣାଇଲେ । ସେସବୁ ଆଗରୁ ସେ ଡ୍ରାମା ପାଇଁ କରିଥିଲେ । ତା ଭିତରେ ଥିଲା ଏଇ ‘ନିଦ ଭରା ରାତି’ର ସ୍ଵର । ମୋତେ ବହୁତ ବଢିଆ ଲାଗିଲା । ମୁଁ କହିଲି, “ଆଦାନୀ ବାବୁ, ୟାରି ଉପରେ କରିବା ।” ସେ କହିଲେ, ‘ହଉ ଠିକ୍ ଅଛି, ଆଜି ତ ନୁହେଁ କାଲି କରିବା ।’ ଘରକୁ ଫେରିଲି । ସେଇ ରାତିରେ ହିଁ ମୁଁ ‘ନିଦ ଭରା ରାତି’ ର ଘୋଷାଟା ଲେଖିଦେଲି । ଆଦାନୀ ବାବୁଙ୍କ ସ୍ଵର ଉପରେ ଏ ଲେଖା ବେଶ୍ ଖାପ୍ ଖାଇଲା ।
ଯେତେବେଳେ ସେ ଏହି ଗୀତ ଗାଇବା ପାଇଁ କଲିକତାର ନିର୍ମଳା ମିଶ୍ରଙ୍କୁ କଣ୍ଟାକ୍ଟ୍ କରିଥିଲେ । ସେତେବେଳେ ନିର୍ମଳା ଆଉ ଓଡ଼ିଆ ଗୀତ ପ୍ରାୟ ଗାଉନାହାନ୍ତି । ସେ ପ୍ରଥମେ ମନା ବି କରିଥିଲେ । କିନ୍ତୁ ଆଦାନୀ ବାବୁଙ୍କ ଅନୁରୋଧରେ ଯେତେବେଳେ ସ୍ଵର ଓ ଗୀତଟି ତାଙ୍କଠୁ ଶୁଣିବାକୁ ସାଙ୍ଗେ ସାଙ୍ଗେ କହିଥିଲେ, ‘ମୁଁ ଏ ଗୀତଟି ନିଶ୍ଚୟ ଗାଇବି ।’
ଇଏ ଥିଲା ସେଇ ଚିରପରିଚିତ ଗାୟନଶିଳ୍ପର ଅନୁରଞ୍ଚନ । ସେଇ ବହୁମୁଖୀ ନାମଧେୟଙ୍କ ଅନୁଭୂତିରୁ କେଇପଦେ । ଓଡ଼ିଆ ଜୀବନ ମଧ୍ୟରେ ଆଜିର ଚଳଚ୍ଚିତ୍ର ଜଗତ ଅନେକତଃ ରୁଚିହୀନ ଜଣାଯାଉ ଥିଲାବେଳେ, ବିଗତ ସ୍ଵର୍ଣ୍ଣିମ ଚଳଚ୍ଚିତ୍ର ଯୁଗରେ ସିନେମା ଏକ ଭିନ୍ନ ଟ୍ରେଣ୍ଡ୍ ବା ଅଭିନବ ପରମ୍ପରାଟେ ଆରୋପିତ କରିଥିଲେ ।
ଭାବର ଦ୍ରୋହ, ମନର କାରୁଣ୍ୟ ଓ ଦେହ ତଥା ଦେହାନ୍ତରର ପ୍ରେମ ଓ ପ୍ରେମିକତା ଦେଇ ଗୀତିମୟତା ଅନୁରୂପ ଭାବୋଦ୍ଦୀପକ । ଆଜି ବି ଶିକାରୀ ହସ ନେଇ ମଖମଲୀ ରୋମାଞ୍ଚ ଧରି ସ୍ମୃତିର ସେଇ ଜାଙ୍ଗଲିକ ବିରହରେ ମନ ଘୂରିବୁଲେ ଖୋଜା ଲୋଡା କରି ରୂପେଲି ପ୍ରେକ୍ଷାପଟର ଆଲୁଅ ଝରା କେତେ ଧରାଛୁଆଁ ହୃଦୟର କଥା ।
କଥାରେ ଅଛି ଯେ ଏ ଜଗତର ମରମ ପରଶୀ ସମସ୍ତ କଥା ନାତିଦୀର୍ଘ ଓ ଦୁର୍ଲ୍ଲଭ । ଏଣୁ କରି ଆମ୍ଭର ଗୀତିମୟ ସତ୍ତାର ଚଳଚ୍ଚିତ୍ର ରୂପାୟନରେ ଯେ ନିର୍ମୂଳି ଲତା ପରି ଗୀତ ସବୁ ଖେଳି ଯାଇଛନ୍ତି, ସେଥିରେ ପୁଣି ରହିଯାଇଛି ଆମରି ଭାବପ୍ରବଣତା । ସେହିପରି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଗୀତିମୟ ସୁରରେ ନିଝୁମ୍ କରେଇଥିବା ବ୍ୟକ୍ତିତ୍ଵ – ନିଜାମ୍ (Nizam)
କଟକର ସୂତାହାଟ ଠାରେ ୨ ଅକ୍ଟୋବର ୧୯୫୧ ମସିହାରେ ପିତା ଆସାଦ୍ ନଜିମ୍’ଙ୍କ ଔରସରେ ଭୂମିଷ୍ଠ ହୋଇଥିଲେ ନିଜାମ୍ । ତାଙ୍କ ମାଆ ଚାହୁଁଥିଲେ, ପୁଅ ହାଇଦରାବାଦର ‘ନିଜାମ-ଉଲ-ମୁଲ୍‌କ’ ମାନଙ୍କ ଭଳି ପ୍ରସିଦ୍ଧ ହେଉ; ‌ତେଣୁ, ନାମ ରଖିଥିଲେ – ନିଜାମ୍
ତାଙ୍କ ସଂପର୍କରେ ଏକ ଉଲ୍ଲେଖନୀୟ କଥା ସେ ଥିଲେ ନିଜ ସମୟର ଜଣାଶୁଣା ଫୁଟ୍‌ବଲ୍‌ ଖେଳାଳି । ଖେଳରେ କୃତିତ୍ବ ହାସଲ କରି, ପୋଷ୍ଟାଲ୍‌ ଆକାଉଣ୍ଟ୍‌ସରେ ଚାକିରି ପାଇଥିଲେ । ତାଙ୍କ ପିତା ପୁଲିସ୍‌ରେ ଚାକିରି କରୁଥିଲେ । ସେ ମଧ୍ୟ ଥିଲେ ଓଡିଶା ଫୁଟ୍‌ବଲ୍‌ ଦଳର ଦଶବର୍ଷ ପ୍ରତିନିଧିତ୍ଵ କରୁଥିବା ଖେଳାଳି । ପିତା ହିଁ ତାଙ୍କୁ ଫୁଟ୍‌ବଲ୍‌ ଖେଳିବା ପାଇଁ ତାଲିମ ଦେଇଥିଲେ ।
ଜନୈକ ବରିଷ୍ଠ (ହର୍ଷ ରାଉତରାୟ ନାମଧେୟ)ଙ୍କ ଅନୁଭୂତିରୁ ଯାହା ସେ ଏକ ସାକ୍ଷାତକାର କର୍ତ୍ତୃକ ଆଲୋଚନା କ୍ରମେ ବିବୃତ କରିଛନ୍ତି, ତାହା ସେ ଏପରି ଭାବବ୍ୟଞ୍ଜକ ଶବ୍ଦରେ ଅନୁଭୂତ ଅତୀତର ସାକ୍ଷ୍ୟରେ ବେଶ୍ ସ୍ପଷ୍ଟତଃ କୁହନ୍ତି: “୧୯୭୫ ମସିହା । ସେତେବେଳେ ମୁଁ ଏମ୍.ଏଲ୍. ଏ. ହଷ୍ଟେଲ୍’ରେ ଅବସ୍ଥାନ କରୁଥାଏ । ବମ୍ଵେ ଠାରେ ହେବାକୁ ଥିବା ଏକ ଜାତୀୟ ବ୍ୟାଡମିଣ୍ଟନ୍ ନିମନ୍ତେ ପ୍ରସ୍ତୁତ ହେଉଥାଉ ! “… ସମସ୍ତ ଗ୍ରାସାଚ୍ଛାଦନ ଆମ ଦଳର ହଷ୍ଟେଲ୍ ରହଣି ଲାଗି ଖଞ୍ଜା ଯାଇଥାଏ । ଅକସ୍ମାତ୍, ନିଜାମ୍ ଓ ତାଙ୍କ ମୈତ୍ର ରମଜାନ୍ ତାଙ୍କୁ ମୋ ସହ ନେଇଯିବାକୁ ଅନୁରୋଧ କରିଲେ ଯାହା ଦ୍ବାରା ସେମାନେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତାଙ୍କୁ ଭେଟି ପାରିବେ । ମୁଁ ସେମାନଙ୍କ ସହ ସେତେବେଳେ ରାଜି ହେଲି । ମାତ୍ର, ରମଜାନ୍ ଯିବା ବେଳେ ନିଜାମ୍ ଜ୍ଵରରେ ରହିବାରୁ ଯାଇ ପାରିନଥିଲେ ।
ନିଜାମ୍ ସେ ସମୟରେ କଟକର ‘ପୋଷ୍ଟାଲ୍ ଅଡିଟ୍’ ଏବଂ ‘ଆକାଉଣ୍ଟ୍ ଟିମ୍’ ଲାଗି ଖେଳୁଥିଲେ । ଏହା ସେ ସମୟରେ ଓଡ଼ିଶାର ଶ୍ରେଷ୍ଠ ଦଳମାନଙ୍କ ଭିତରେ, ଏପରିକି ଆଜି ସୁଦ୍ଧା ପରିଗଣିତ । ସେହି ସମୟରେ ମୁଁ ୧୯୭୪-୧୯୭୮ ମସିହା ପର୍ଯ୍ୟନ୍ତ ଉକ୍ତ ଦଳର ସଚିବସ୍ତରରେ ଥାଏ । ନିଜାମ୍ ଏ ଦଳର ପ୍ରମୁଖ ଖେଳାଳି ଥିବାବେଳେ ରମଜାନ୍ ପ୍ରତିପକ୍ଷ ରୋଧକ ମେଳିର ଜଣେ ପାରଙ୍ଗମ ଖେଳାଳି ଥିଲେ ।
ଏକଦା ସେ ମୋ ଘରକୂ ଆସି ମୋ ପିତାଙ୍କ ସହ ଏକ ଆଲୋଚନା ଆୟୋଜନ ଲାଗି ଜଣାନ୍ତି । ମୋ ପିତା ଜଣେ ପୂର୍ବତନ ଫୁଟବଲ୍ ଖେଳାଳି ସହ ଖ୍ୟାତନାମା କବି ଥିଲେ । ମୋ ପିତା ଓଡ଼ିଆ ସାହିତ୍ୟକୁ ଅନେକ ଯୌଗିକ ଶବ୍ଦ ସହ ପରିଚିତି ଦେଇଥିଲେ । ଏହି ସମ୍ପର୍କରେ ନିଜାମ ଆଲୋଚନା କରି କହିଲେ ଯେ ଏହି ଅଧଘଣ୍ଟାର ଆଲୋଚନା ତାଙ୍କ ଲାଗି ଏକ ଅବିସ୍ମରଣୀୟ ଗାଥା ପରି . .”
କଟକରେ ଫୁଟ୍‌ବଲ୍‌ ଖେଳର ଲୋକପ୍ରିୟତା ଅଧିକ । ନିଜାମ୍ ‘ମିସନ୍‌ ସ୍କୁଲ୍‌’ରେ ପଢ଼ିବା ବେଳେ ହତା ବାହାରେ ଦହିବରା-ଆଳୁଦମ ବିକୁଥିଲେ ବିଡ଼ାନାସୀ ଗ୍ରାମର ଠୁସିଭାଇ । ଯେଉଁମାନେ ଫୁଟ୍‌ବଲ୍‌ ଖେଳୁଥିଲେ ଠୁସିଭାଇ ସେମାନଙ୍କୁ ମାଗଣା ଖୁଆଉଥିଲେ ଏବଂ ବିଭିନ୍ନ ଟୁର୍ନାମେଣ୍ଟ୍‌ରେ ଖେଳାଉଥିଲେ । ନିଜାମ୍ ୧୯୮୦ ପର୍ଯ୍ୟନ୍ତ ଫୁଟ୍‌ବଲ୍‌ ଖେଳୁଥିଲେ । ଦହିବରା ଆଳୁଦମ, କଟକୀ ବିରିୟାନୀ ଏବଂ ବିଭୂତି ପଟ୍ଟନାୟକପ୍ରତିଭା ରାୟଙ୍କ ଉପନ୍ୟାସ ଥିଲା ତାଙ୍କର ପ୍ରିୟ ।
ଶୈଶବରୁ ନିଜାମ୍ ଥିଲେ ସଂଗୀତପ୍ରିୟ । ‘ମିସନ୍‌ ସ୍କୁଲ୍‌’ରେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ଜଣେ ବନ୍ଧୁ, ଅକ୍ଷୟ ମହାନ୍ତି ରଚିତ ‘ଗୀତି’ ନାମକ ଗଜଲ୍ ପୁସ୍ତକଟିଏ ଦେଇଥିଲେ । ସେହି ପୁସ୍ତକ ହିଁ ତାଙ୍କୁ ଗୀତିକାର ହେବାକୁ ଅନୁପ୍ରାଣିତ କରିଥିଲା । ସେ ଥିଲେ ଅକ୍ଷୟଙ୍କ ପ୍ରଶଂସକ । ତେବେ, ଅକ୍ଷୟ ମହାନ୍ତି ବା ଆମ ଖୋକାଭାଇଙ୍କ ସହ କାମ କରିବା ପାଇଁ ଅନେକ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା ।
ନିଜାମଙ୍କର ଗୀତିକାର ଜୀବନ ଏହାର ବହୁ ପୂର୍ବରୁ ଆରମ୍ଭ ହୋଇସାରିଥିଲା। କଟକସ୍ଥିତ ‘ଖ୍ରୀଷ୍ଟ ମହାବିଦ୍ୟାଳୟ’ ରେ ପଢ଼ୁଥିଲେ । ୧୯୬୮ – ୬୯ର କଥା । କଟକ ଆକାଶବାଣୀର ‘ଯୁବବାଣୀ’ କାର୍ଯ୍ୟକ୍ରମରେ ତାଙ୍କର ପ୍ରଥମ ଗୀତ ପ୍ରସାରିତ ହୋଇଥିଲା । ଗୀତଟି ଥିଲା- ‘ସହରର ବତି ଗଲାଣି ଲିଭି, ସରିନି ମୋ ପତ୍ର ଲେଖା, ଯାଉନି ହାତ ଲେଖିବା ପାଇଁ, ଇତି ତୁମ ଚିତ୍ରଲେଖା . . . ’
ଗୀତଟି ଶୁଣିବା ପରେ ସଂଗୀତ ନିର୍ଦେଶକ ଜେ ଆଦାନୀ, ତାଙ୍କୁ ଡକାଇଥିଲେ ଏବଂ ‘ଅନୁତାପ’ ଫିଲ୍ମ ପାଇଁ ଲେଖିବାକୁ ସୁଯୋଗ ଦେଇଥିଲେ। ‌ନିଜାମ୍ ଲେଖିଥିଲେ- ‘ନିଦ ଭରା ରାତି . . ’‘ନୂପୁର କାହିଁକି ମୁଁ ବାନ୍ଧିଲି . . ‘ । ଗୀତି ଦୁଇଟି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା ଏବଂ ତାଙ୍କ ପେସାଦାର ଗୀତିକାର ଜୀବନ ଆଗକୁ ବଢ଼ିଥିଲା ।
୧୯୭୫ ମସିହାର ଏହି ଲୋକପ୍ରିୟ ଚଳଚ୍ଚିତ୍ର ଏକ ଅପାସୋରା ସୃଷ୍ଟି । ଆମ୍ଭର ପୂର୍ବ କଥିତ ସଂଗୀତ ନିର୍ଦ୍ଦେଶକ ଜଲାଲ୍ ଆଦାନୀ ସେହି ସମୟରେ ରେଳବାଇ ଯନ୍ତ୍ରୀର ଚାକିରି ପରିତ୍ୟାଗ କରି ଚଳଚ୍ଚିତ୍ର ଶିଳ୍ପରେ ପଦଚାରଣା କରିଥିଲେ । ସେ ସମୟର ପ୍ରସିଦ୍ଧ ଅଭିନେତା ସୁରେଶ ମିଶ୍ର ଓ ଅଭିନେତ୍ରୀ ସୌଦାମିନୀଙ୍କୁ ଘେନି ତଥା ବିଖ୍ୟାତ କଣ୍ଠଶିଳ୍ପୀ ତାନସେନ୍ ସିଂଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପଦାର୍ପଣ କରାଇଥିଲେ ।
ଭାବନା ନିବିଡ଼ ସହିତତାର ପଦଚୟ ମଧ୍ୟରେ ଯେଉଁ କଣ୍ଠଦାନ କରିଥିଲେ ସୁଗାୟିକା ତଥା ବର୍ଷୀୟାନ୍ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର, ତାହା ଆଜି ବି ଓଡ଼ିଆ ଲୋକଙ୍କ ମନରୁ ଆଜି ବି ନଛୋଡ଼ବନ୍ଧା ହୋଇ ଚିରକାଳ ମୁଖରିତ ହେଉଅଛି । ଆଉ ଦ୍ଵିତୀୟ ଗୀତଟି ତାନସେନ୍ ସିଂଙ୍କ କଣ୍ଠରେ ଅହୋରାତ୍ର ପ୍ରସିଦ୍ଧି ପାଇଥିଲା, ଯାହା କେବଳ ଓଡିଶାରେ ନୁହେଁ, ଓଡିଶା ବାହାରେ ସୁଦ୍ଧା ଲୋକଙ୍କ ମନଛୁଆଁ ହୋଇ ପାରିଥିଲା ।
“ନୂପୁର କାହିଁକି ମୁଁ ବାନ୍ଧିଲି
ପାଷାଣ ସେ ବୁଝିବ କିପରି
ଛନ୍ଦ କାହିଁକି ତୋଳିଲି ।
ନୂପୁର କାହିଁକି ମୁଁ ବାନ୍ଧିଲି . . .”
ତାହା ପରେ ୧୯୭୯ ମସିହାରେ ଆସେ ‘ସମର ସଲିମ ସାଇମନ’ । ଅମିତାଭ ବଚ୍ଚନ, ବିନୋଦ ଖାନ୍ନା ଓ ଋଷିକପୁରଙ୍କ ମିଳିତ ଅଭିନୟର ‘ଅମର୍ ଆକବର୍ ଆନ୍ଥନୀ’ ପରି ସେତେବେଳେ ଜଣେ ତରୁଣ ଓଡ଼ିଆ ପ୍ରଯୋଜନକ ଶୈଳବାନନ୍ଦଙ୍କର ଏ ଓଡ଼ିଆ ସିନେମାର ରୋଚକ ନାମକରଣଟି ଦର୍ଶକଙ୍କ ମନରେ ରେଖାପାତ କରେ । ଏ କ୍ଷେତ୍ରରେ ଏକ ବ୍ୟବସାୟିକ ଦୃଷ୍ଟିକୋଣଟି ବେଶ୍ ତୀକ୍ଷ୍ଣ ଥିଲା ।
ସମକାଳୀନ ସଂଗୀତ ନିର୍ଦ୍ଦେଶକ ମୁସୀର (ମହମ୍ମଦ ମୁସୀର)ଙ୍କ ସହିତ ପ୍ରଥମ ଥର ସୁଯୋଗପ୍ରାପ୍ତ ହୋଇଥିଲେ ନିଜାମ୍ । ଆଉ ମୁସୀରଙ୍କ ନିର୍ଦ୍ଦେଶନା ସହିତ ନିଜାମଙ୍କ ଯୋଜନଗନ୍ଧା ଗୀତର ଛାପ ଏତେ ଉପମା ଓ ଭାଷାରେ ଶକ୍ତିଶାଳୀ ଥିଲା ଯେ ତାହାର ଦୃଷ୍ଟାନ୍ତ ଦେବା ବୋଧହୁଏ ମୋ ପକ୍ଷରେ ଧୃଷ୍ଟତା ଜଣା ପଡିପାରେ । କାରଣ ତାଙ୍କ ଏହି ସକ୍ରିୟ ଗୀତିଜୀବନର କଳନା ଆମ ହୃଦୟବାନ ଓଡ଼ିଆ ତଥା ଅଗଣିତ ରସିକଙ୍କର ଆଦୃତି ଦିଏ ।
ଅନେକ ଗୀତରେ ସେ ସର୍ବବିଦିତ ଗୁଲଜାରଙ୍କ ପରି ଶବ୍ଦବିନ୍ୟାସ ଅତି ଉଚ୍ଚଧରଣର ଓ ହୃଦୟଗ୍ରାହୀ ପଦଯୋଡ ଦେଉଥିଲେ । କେତେକଙ୍କ ମତରେ ସେ ଊର୍ଦ୍ଦୁ ଗୀତିକବିତାରୁ ଶବ୍ଦ ଆହରଣ କରି ନିଜ ଗୀତରେ ବ୍ୟବହାର କରିଛନ୍ତି । କିନ୍ତୁ ତାଙ୍କ ଅସଂଖ୍ୟ ଗୀତର ନିଚ୍ଛକତା ମଧ୍ୟରେ ଆମ୍ଭେମାନେ ଓଡ଼ିଆ ଶବ୍ଦ ଯାଦୁଗରୀରେ ଥିବା ଭାବର ଆତ୍ମିକ ପରିପ୍ରକାଶ ସ୍ଵୟଂସମ୍ପୂର୍ଣ୍ଣ ଥିବାର ସର୍ବତଃ ଜଣା । ଆଉ ତାଙ୍କୁ ଆଜି ବି ଲୋକପ୍ରିୟ କରିଛି ସେହିପରି ଏକ ଗୀତ, ଯାହା ବିଫଳ ସିନେମାର ସଫଳ ଗୀତଟି ଥିଲା ।
ଚିରହରିତ ରୋମାଣ୍ଟିକ୍ ଗୀତ ‘ହୃଦୟର ଏହି ଶୂନ୍ୟତାକୁ..’ ଗୀତଟିକୁ ସେ ପୂର୍ବରୁ ଲେଖିଥିଲେ । ତାହାକୁ ଶୁଣିବା ପରେ ନିର୍ଦ୍ଦେଶକ ପ୍ରଫୁଲ୍ଲ ମହାନ୍ତି ଫିଲ୍ମରେ ସ୍ଥାନ ଦେବାକୁ ଇଚ୍ଛା କରିଥିଲେ । ଗୀତଟିକୁ ଶେଖର ଘୋଷଙ୍କ କଣ୍ଠରେ ରେକର୍ଡିଂ କରାଯାଇଥିଲା। ଫିଲ୍ମଟି ବ୍ୟବସାୟିକ ସଫଳତା ନ ପାଇ ବିଫଳତା ବରଣ କରେ; ତେବେ, ଗୀତଗୁଡ଼ିକ ଆଜି କାଳଜୟୀ ଓ ମନୋମୁଗ୍ଧକର । ସେହି ଗୀତର ପଦ ସମସ୍ତଙ୍କ ଲାଗି:
“ହୃଦୟର ଏଇ ଶୂନ୍ୟତାକୁ
ଆଜି ପଚାରି ମୁଁ ଯେବେ ଶୁଣେ
ପ୍ରତାରଣା କିଏ କାହାକୁ ଦେଇଛି
ପ୍ରତିଧ୍ଵନି କହେ ତୁମେ, ତୁମେ . . “
ଥିଲା ସେ କିପରି ଭାବପ୍ରବଣତା
ହସୁଛି ମୁଁ ମନେ ମନେ,
ତୋଳିବାକୁ ଏକ କୁହୁଡ଼ିର ଘର,
ବାହାରିଥିଲି ମୁଁ ଦିନେ ।
ସେ କୁହୁଡ଼ି ଘର ଗଲା ଭାଙ୍ଗି ଯା’ର,
ପ୍ରୀତିର ପ୍ରାଚୀର ଥିଲ ତୁମେ
ପ୍ରତାରଣା କିଏ କାହାକୁ ଦେଇଛି
ପ୍ରତି ଧ୍ଵନି କହେ ତୁମେ, ତୁମେ . . “
ପେସାଦାର ଗୀତିକାର ଭାବେ ସଫଳତାର ଶୀର୍ଷ ଛୁଇଁଥିଲେ ନିଜାମ୍ । ତାଙ୍କ ଦୁଆତର ଧାରରେ ଓଡ଼ିଆ ‘ହୃଦୟର ଏହି ଶୂନ୍ୟତାକୁ…’, ‘ଏହି ତାରା ଭରା ଜହ୍ନ ରାତି . . ’, ‘ନିଦ ଭରା ରାତି…’, ‘ନୂପୁର କାହିଁକି ମୁଁ ବାନ୍ଧିଲି…’ , ‘ଶୋଇଯା ମାମା ଶୋଇଯା’, ‘ତ୍ରିରଙ୍ଗାର ଛଳନା ରଙ୍ଗରେ . .’ ଆଦି ଅବିସ୍ମରଣୀୟ ଚଳଚ୍ଚିତ୍ର ସଂଗୀତ । ‌ଗୀତିକାର ଭାବେ ପ୍ରାୟ ଚାରି ଦଶନ୍ଧି ସେ ସକ୍ରିୟ ଥିଲେ । ଦୀର୍ଘ ବର୍ଷ ପରେ ‘ଫୁଲ ଚନ୍ଦନ’ ଫିଲ୍ମ ପାଇଁ ଖୋକାଭାଇ, ତାଙ୍କୁ ପ୍ରଥମ ସୁଯୋଗ ଦେଇଥିଲେ ।
ନିଜାମଙ୍କ ରଚିତ ‘ତୋ ବିନା ଲାଗେନା ଭଲ କିଛି . . ’ ଗୀତଟି ନିଜେ ସେ ଗାଇଥିଲେ । କେବଳ ସେତିକି ନୁହେଁ, ଅନେକ ବର୍ଷ ଧରି ଯାତ୍ରାଜଗତରେ ଯୁଗଧର୍ମୀ ନାଟ୍ୟାୟନ ଦ୍ଵାରା ନିଜ ସଂଳାପକାର ଭାବରେ ପ୍ରତିଭାନ୍ଵିତ ଅବଦାନ ଦେଇ ଅଛନ୍ତି । ତାରିଣୀ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ ପରି ଯାତ୍ରା ନାଟ୍ୟକୁ ‘ଚିଠିରେ ଚିଠିରେ ଚଉଠି ରାତି’ , ‘ନଈ ସେପାରି କନକଗୋରୀ’, ‘ମେଘ ପାଲିଙ୍କିରେ ଜହ୍ନ ଆସୁଛି’, ‘ସଜନା ଗଛର ଛାଇ’ ପ୍ରଭୃତି ସଂଖ୍ୟାଧିକ ନାଟ୍ୟାବଦାନ ଅନ୍ୟତମ ।
‘ମାନିନୀ’ (୧୯୮୬), ‘ରଜନୀଗନ୍ଧା’ (୧୯୮୯), ‘ଜୀବନ ସାଥୀ’ (୧୯୯୭) ଓ ‘ଲକ୍ଷ୍ମୀ ପ୍ରତିମା’ ଭଳି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଗୀତକାର ରୂପେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏବଂ ‘ଶୁଭ ବିବାହ’, ‘ମନ ମୋର ପ୍ରଜାପତି’, ‘ଡନ୍’, ‘ଏଇ ମିଳନ ଯୁଗଯୁଗର’, ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’ ଭଳି ଶତାଧିକ କଥାଚିତ୍ରରେ ପାଞ୍ଚ ଶହରୁ ଊର୍ଦ୍ଧ୍ଵଗୀତ ଭେଟିଦେଇ ଆଜି ନିଜାମ୍ ସ୍ଵର୍ଣ୍ଣାକ୍ଷରରେ ସାର୍ଥକନାମା ।
ଏପରିକି ଅନେକ ଚଳନ୍ତି ଧାରାବାହିକ ସହ ଜଡ଼ିତ ରହି ଆସିଥିଲେ ନିଜାମ୍ । ୨୦୦୭ ରେ ଦୂରଦର୍ଶନରେ ‘ରହସ୍ୟ’ ନାମକ ଧାରାବାହିକ ପ୍ରସାରଣ ସମୟରେ ନିଜାମଙ୍କୁ ଗୀତ ରଚନାର ଦାୟିତ୍ବ ନ୍ୟସ୍ତ କରାଯାଇଥାଏ । ଅନୁଭୂତିରୁ ଆଜି ବି ଯାହା ତାଙ୍କ ସୁପୁତ୍ର ଆସାଦ୍ ନିଜାମ ସ୍ମରଣୀୟ କୁହନ୍ତି, ତା ହେଉଛି ପିତା ନିଜାମ୍ ତାଙ୍କୁ ଏଇ ଧାରାବାହିକ ମାଧ୍ୟମରେ ପ୍ରଥମ କରି ସଂଗୀତ ନିର୍ଦ୍ଦେଶନାର ଦାୟିତ୍ୱ ଦେଇ ସଫଳ କରାଇଥିଲେ ।
ଆଜି ବି ‘ଆକାଶର ତାରା ଫୁଲ ହୋଇ ଆଜି . . ‘, ‘ମୁଁ ପରଦେଶୀ ଚଢେଇ . . ‘, ‘ତୁ ମୋ ସ୍ଵପ୍ନର ସୁନେଲି ସନ୍ଧ୍ୟା . . ‘, ‘ଡେଉଁଛି ମୋ ବାଁ ଆଖି, ଆଜି କିଏ ଆସିବକି . . ‘, ‘ପ୍ରଥମ ପ୍ରେମର ପ୍ରଥମ ଚିଠି . . ‘ ଭଳି ସ୍ମୃତିସଜଳ ଗୀତ ସମଗ୍ର ସହ ଅନେକ ଶ୍ରୀଜଗନ୍ନାଥଙ୍କ ଭଜନ ମଧ୍ୟ ରଚନା କରି ଯାଇ ଅଛନ୍ତି । ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ବାଳୁଙ୍ଗା ଟୋକା’ । ଶାନ୍ତନୁ ମହାପାତ୍ର ଓ ସରୋଜ ନନ୍ଦ ଭଳି ବର୍ଷୀୟାନ ସଂଗୀତଜ୍ଞଙ୍କ ସହ ସେ ସଂଲଗ୍ନ ଥିଲେ ।
୨୦୧୫ ମସିହା ସେପ୍ଟେମ୍ବର ୨୧ ତାରିଖରେ ତାଙ୍କର ଦେହାବସାନ ଘଟେ । ହେଲେ ଆଜି ବି ତାଙ୍କ ସହୃଦୟ ଅନୁରକ୍ତ ଓଡ଼ିଆ ଓ ପ୍ରଶଂସକମାନଙ୍କ ମଧ୍ୟରେ ଶୁଭେ ‘ନିଜାମ୍ ମରନ୍ତିନି !’
ସତରେ ନିଜାମ୍ ଆଜି ଗୀତିମୟ ଜଗତରେ ଚିରହରିତ, ସ୍ମୃତିସଜଳ ଏବଂ ଏକ ଅଭିମନ୍ତ୍ରିତ ଧାରା । ତାଙ୍କରି ସ୍ମୃତିଚାରଣରେ ତାଙ୍କ ପୁଣ୍ୟତିଥି ଅବସରରେ ହିଆ ନତ କରାଇ ତାଙ୍କ ପାଥେୟର ଶ୍ରଦ୍ଧାର୍ଘ୍ୟ ଅର୍ପଣ କରୁଅଛୁ ।
© ପ୍ରିୟତମ ପାଥେୟର ସରଣୀ: ଅମୃତେଶ

1 thought on “ନିଜାମ୍”

  1. ପ୍ରକୃତପକ୍ଷେ ସେ ହିଁ ଗୀତିମୟ ବ୍ୟକ୍ତିତ୍ଵ ?

Leave a Comment

Your email address will not be published. Required fields are marked *

Scroll to Top