ଲେଖା: ବିଷ୍ଣୁ ମୋହନ ଅଧିକାରୀ
ଓଡ଼ିଆ ଭାଷା ଓ ଜାତିର ବିପର୍ଯ୍ୟୟର ଗଡ଼ଢାଳିକା ମଧ୍ୟରେ ପ୍ରସ୍ଫୁଟିତ ହୋଇଥିଲେ କେତେକ ବହୁମୁଖୀ ପ୍ରତିଭାର ପ୍ରଜ୍ଞାପୁରୁଷ ନାଟ୍ୟକାର ଆପନ୍ନା ପରିଚ୍ଛା । ସେ ଥିଲେ ଏକଧାରରେ କବି, ନାଟ୍ୟକାର, ସମାଜସେବୀ, ଜାତିପ୍ରେମୀ ଓ ସର୍ବୋପରି ପ୍ରାକୃତିକ ଓଡ଼ିଶାର ପ୍ରଥମ ଭ୍ରାମ୍ୟମାଣ ରାସଦଳର ପ୍ରତିଷ୍ଠାତା।
୧୮୭୯ ମସିହା ମଇ ମାସ ୨୨ ତାରିଖରେ ଦକ୍ଷିଣ ଓଡିଶାର ସାଂସ୍କୃତିକ ରାଜଧାନୀ ପାରଳାଖେମୁଣ୍ଡିରେ ଜନ୍ମ ଗ୍ରହଣ କରିଥିଲେ ଆପନ୍ନା। ପିତା ଲକ୍ଷ୍ମୀନରାୟଣ ଥିଲେ ଗାନ୍ଧିବାଦୀ ସଂଗ୍ରାମୀ ଓ ଏକ ବିତ୍ତଶାଳୀ ମଠର ପରିଚାଳକ, ଯାହା ଓଡିଶାର ଆନନ୍ଦମଠ ରୂପେ ଖ୍ୟାତ ! ସର୍ବଦା ସଙ୍ଗୀତ, ନୃତ୍ୟ ଓ ନାଟକର ପୃଷ୍ଠଭୂମି ରୂପେ ପରିଚିତ ଥିଲା। ଏଭଳି ପରିବେଶ ଆପନ୍ନାଙ୍କୁ ଓଡ଼ିଶାରେ ସାମାଜିକ ନାଟ୍ୟପରମ୍ପରାର ଆଦ୍ୟ ଆବାହକ ରୂପେ ଗଢି ତୋଳିବାରେ ସହାୟକ ହୋଇଥିଲା। ଚଉଦ ବର୍ଷ ବୟସରେ ସେ ପ୍ରଥମେ ଲେଖିଥିଲେ ଜୈମିନୀ ମହାଭାରତର ଏକ ଆଖ୍ୟାୟିକା ଉପରେ ପର୍ଯ୍ୟବେସିତ “ଚନ୍ଦ୍ରହାସ” ନାଟକ ! ଯାହା ଶ୍ୟାମସୁନ୍ଦର ରାଜଗୁରୁଙ୍କ ପୃଷ୍ଠପୋଷକତାରେ ମଞ୍ଚସ୍ଥ ହୋଇ ପ୍ରଚୁର ଲୋକପ୍ରିୟତା ସାଉଁଟି ପାରିଥିଲା ଉକ୍ତ ନାଟକ। ବାଲ୍ୟଜୀବନର ଏଇ ପ୍ରଥମ କୃତିତ୍ୱ ତାଙ୍କୁ ଏ ଦିଗରେ ଅଗ୍ରସର ହେବାପାଇଁ ପ୍ରେରିତ କରିଥିଲା।
~ ପ୍ରଥମ ଭ୍ରାମ୍ୟମାଣ ରାସଦଳର ଜନ୍ମଦାତା ~
ନାଟ୍ୟକାର ଆପନ୍ନା ପରିଚ୍ଛା ନିଜସ୍ୱ ମଠ ସମେତ ପ୍ରାଚୀନ କଳିଙ୍ଗର ମୁଖଲିଙ୍ଗ, କୂର୍ମ, ଚାଙ୍ଗୁଡି, ବାଘଶଳା, ତରଳା, ଟିକାଲି, ପୁରୁଷୋତ୍ତମପୁର ମଠମନ୍ଦିର ଆଦିର ପରିଚାଳନା କରିବାରେ ସିଦ୍ଧ ଥିଲେ। ଓଡିଶାରେ ଭକ୍ତିକୈନ୍ଦ୍ରିକ ସ୍ଥଳକୁ ଉତ୍କଳୀୟ ବୈଷ୍ଣବ ଧର୍ମ ଧାରାରେ ଜଡିତ କରି “ବୈଷ୍ଣବାନନ୍ଦ ଦାୟିନୀ ସମାଜ” ନାମକ ରାସଦଳ ଗଢ଼ିଥିଲେ। ଏହା ଓଡିଶାର ପ୍ରଥମ ରାସଦଳ ଯାହା ଭିନ୍ନ ଭିନ୍ନ ସ୍ଥାନରେ ହରିନାମ ଦ୍ୱାରା ଓଡ଼ିଆଙ୍କୁ ଏକତା ରଜ୍ଜୁରେ ବାନ୍ଧିଥିଲା। ଏହା ପରେ ତରଳା ରାଜଭ୍ରାତା ଗୋବିନ୍ଦଚନ୍ଦ୍ର ଶୁରଦେଓ ନୟାଗଡ଼ରେ ଓ ପରେ ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରୀରେ ରାସଦଳ ଗଢିଥିଲେ।
~ ଦକ୍ଷିଣ ଓଡ଼ିଶାର ପ୍ରଥମ ଅସ୍ଥାୟୀ ଓ ସ୍ଥାୟୀ ରଙ୍ଗମଞ୍ଚ ~
ଓଡ଼ିଶାରେ ଲୀଳା, ସୁଆଙ୍ଗ, ସଂକୀର୍ତ୍ତନ ପ୍ରତି ଆଗ୍ରହ କେଉଁ ଅନାଦି କାଳରୁ ଥିଲା। କିନ୍ତୁ ମଞ୍ଚନାଟକର ବ୍ୟବସ୍ଥାଟି ଉନବିଂଶ ଶତାବ୍ଦୀରେ ଲୋକଙ୍କୁ ବେଶ ଆଦୃତ କରିପାରିଥିଲା ଏହା ନିଃସନ୍ଦେହ। ପରିବର୍ତ୍ତିତ ସମାଜକୁ ଧରି କଳାର ପୃଷ୍ଠଭୂମିକୁ ବଦଳାଇବାରେ ସକ୍ଷମ ହୋଇଥିଲେ ନାଟ୍ୟକାର ଆପନ୍ନା ପରିଚ୍ଛା। ସେ ସ୍ୱଉଦ୍ୟମ ବଳରେ ପ୍ରଥମେ ୧୮୯୩ରେ ଗଢ଼ିଥିଲେ ”ଶ୍ରୀ ଶ୍ରୀ ରସିକରାଜ ପ୍ରସାଦୈକ ସୁଜ୍ଞଜନ ମନୋରଞ୍ଜନ ନାଟ୍ୟମଣ୍ଡପ” । ଏହା ଓଡିଶାରେ ଦ୍ଵିତୀୟ ଅସ୍ଥାୟୀ ରଙ୍ଗମଞ୍ଚ ରୂପେ ମଧ୍ୟ ପରିଚିତ (ପ୍ରଥମଟି କଟକର ରାଧାକାନ୍ତ ରଙ୍ଗମଞ୍ଚ)। ଏହା ପରେ ଯଦି ସ୍ଥାୟୀ ରଙ୍ଗମଞ୍ଚକୁ ବି ଦେଖାଯାଏ, ତାହାଲେ ମଧ୍ୟ ଆପନ୍ନାଙ୍କ ଭୂମିକାକୁ ବାଦ ଦିଆଯାଇପାରେନା। ୧୮୮୨ ମସିହାରେ ନିର୍ମିତ ପାରଳାର ରଙ୍ଗମଞ୍ଚ, ଯାହା ପରବର୍ତ୍ତୀ ସମୟ ରେ ଆପନ୍ନା ଙ୍କ ପ୍ରସ୍ତାବ କ୍ରମେ ୧୯୦୫ ମସିହାରେ “ପଦ୍ମନାଭ ରଙ୍ଗାଳୟ”ରେ ନାମିତ ହୋଇଥିଲା । ଓଡ଼ିଶା ତଥା ଓଡ଼ିଶା ବାହାରେ ଉକ୍ତ ରଙ୍ଗମଞ୍ଚ ବେଶ ସୁଖ୍ୟାତି ପାଇପାରିଥିଲା। ସାହିତ୍ୟ ଅନୁରାଗୀ ରାଜଭ୍ରାତା ପଦ୍ମନାଭଙ୍କ ନାମରେ ଏହା ନାମିତ ହୋଇଥିଲା। ଏହାର ପରିଚାଳନାର ସମସ୍ତ ଦାୟିତ୍ୱ ନେଇଥିଲେ ନାଟ୍ୟକାର ଆପନ୍ନା ପରିଚ୍ଛା । ଧ୍ରୁବ, ପ୍ରହ୍ଲାଦ, ଦାନ ପରୀକ୍ଷା, ଉଷାପରିଣୟ, ଅହଲ୍ୟା ଶାପମୋଚନ ଭଳି କାଳଜୟୀ ନାଟକ ମଞ୍ଚସ୍ଥ ହୋଇପାରିଥିଲା ଏଇ ମଞ୍ଚରେ ।
[ପଦ୍ମନାଭ ରଙ୍ଗାଳୟର କଳାକାରଙ୍କ ଗହଣରେ ଆପନ୍ନା ପରିଚ୍ଛା (ଦ୍ଵିତୀୟ ଧାଡି ଡାହାଣରୁ ୩ୟ)]
କେବଳ ଯେ ନାଟକ ମଞ୍ଚସ୍ଥ କରିବାରେ ସେ ନିପୁଣ ନଥିଲେ। ସେ ଲେଖିଯାଇଥିଲେ ଅନେକ ନାଟକ। ବିଜୟ ବସନ୍ତ, ନବାନୁରାଗ, ସିନ୍ଧୁ ଉପସିନ୍ଧୁ, ଚଞ୍ଚଳା କୁମାରୀ, ହେମଚନ୍ଦ୍ର, ସ୍ଵର୍ଣ୍ଣଲତା, କନୌଜ କୁମାରୀ, ହେମଲତା ଭଳି ସୁପ୍ରସିଦ୍ଧ ନାଟକ ସେ ରଚି ଓଡ଼ିଶାରେ ଐତିହାସିକ ନାଟକ ଧାରାକୁ ପ୍ଲାବିତ ଯେ ଖାଲି କରିନଥିଲେ, ଠିକ ସେହି ଭଳି ମାନଭଞ୍ଜନ, ରାଧାକୃଷ୍ଣ ମିଳନ, ବିଲ୍ଵମଙ୍ଗଳ ଓ ଗୋଷ୍ଠମିଳନ ଭଳି ପୌରାଣିକ ଓ ସାଂସ୍କୃତିକ ନାଟକର ପ୍ରବହମାନ ଧାରାକୁ ବି ବଜାୟ ରଖିଥିଲେ।
~ ସ୍ୱାଧୀନତା ଆନ୍ଦୋଳନ ଓ ନାଟ୍ୟକାର ଆପନ୍ନା ପରିଚ୍ଛା ~
ଜାତୀୟ ଆନ୍ଦୋଳନର ପ୍ରାରମ୍ଭିକ ସୋପାନ ରେ ହିଁ ଆପନ୍ନା ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ସେ ଥିଲେ ଗୋପବନ୍ଧୁଙ୍କ ଅନ୍ୟତମ ଅନ୍ତରଙ୍ଗ ବନ୍ଧୁ। ଗୋପବନ୍ଧୁ ତାଙ୍କର ଭ୍ରମଣ କାଳରେ ଆପନ୍ନାଙ୍କ ମଠରେ ହିଁ ରହୁଥିଲେ । ଖାଲି ସେତିକି କାହିଁକି ଗାନ୍ଧୀଜୀଙ୍କ ପାରଳା ଗସ୍ତ ସମୟରେ ମଧ୍ୟ ପରିଚ୍ଛା ମଠ ହିଁ ଏକ ମାତ୍ର ଜାତୀୟବାଦୀ ଆନ୍ଦୋଳନର ଆଲୋଚନା ଗୃହ ପାଲଟି ଥିଲା। ସେ ନିଜ ପୁଅ ପୁତୁରାଙ୍କ ଠାରୁ ଆରମ୍ଭ କରି ସହରର ଅନେକ ମେଧାବୀ ଛାତ୍ରଙ୍କୁ ସତ୍ୟବାଦୀ ବନବିଦ୍ୟାଳୟକୁ ପଠାଇଥିଲେ।
୧୯୨୪ରେ ଗଞ୍ଜାମ ରୟତ ଆନ୍ଦୋଳନ ହୋଇଥିଲା, ସେଥିରେ ନିର୍ଭୀକତାର ସହ ଚାଷୀମାନଙ୍କ ସପକ୍ଷରେ ସମର୍ଥନ ଦେଇଥିଲେ। ଏହା ବ୍ୟତୀତ ନୀଳକଣ୍ଠ, ଗୋଦାବରୀଶ , ଅନନ୍ତଙ୍କ ଦେଶମିଶ୍ରଣ ଆନ୍ଦୋଳନ ପାଇଁ ପାରଳା ଆସି ଆପନ୍ନାଙ୍କ ସହ ଅନେକ ଚର୍ଚ୍ଚା କରିବାର ପ୍ରମାଣ ରହିଛି । ଏଥି ସହିତ ଆପନ୍ନା ମଞ୍ଜୁଷା, ମୁକ୍ତାପୁର ଆଦି ବିଛିନ୍ନାଞ୍ଚଳରେ ପଲ୍ଲୀ ସମ୍ମିଳନୀ ଆୟୋଜନର ଗୁରୁଦାୟିତ୍ୱ ବହନ କରିଥିଲେ।
~ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଆପନ୍ନା ପରିଚ୍ଛା ~
ମାତ୍ର ସାତ ବର୍ଷ ଶିଶୁ ବୟସରୁ ହିଁ ସେ ଯୋଗ ଦେଇଥିଲେ ଉତ୍କଳ ସମ୍ମିଳନୀର ଆଦ୍ୟ ସ୍ୱରୂପ “ଉତ୍କଳ ହିତୈଷିଣୀ ସମାଜ”ରେ। ଓଡ଼ିଆଙ୍କ ଦୁର୍ଦଶା ତାଙ୍କୁ ଭାରି ବ୍ୟଥିତ କରିଥିଲା। ୧୮୮୬ ରେ ନିର୍ମିତ ଏହି ସଭା ୧୯୧୨ରେ ଶ୍ୟାମସୁନ୍ଦର ରାଜଗୁରୁଙ୍କ ମୃତ୍ୟୁ ପରେ ଶିଥିଳ ହୋଇପଡିଥିଲା। ଏହା ପରେ ଏହି ସଭାର ମଙ୍ଗ ଧରିଥିଲେ ଆପନ୍ନା ପଣ୍ଡା, ବୃନ୍ଦାବନ ସାହୁ ଓ ଆପନ୍ନା ପରିଚ୍ଛାଙ୍କ ଭଳି ବ୍ୟକ୍ତିବୃନ୍ଦ। ଏହାର ମୁଖ୍ୟ ଉଦେଶ୍ୟ ଥିଲା ଗଞ୍ଜାମରେ ଇଂରାଜୀ, ତେଲୁଗୁ ଆଦି ପତ୍ରିକା ବନ୍ଦ କରି ନବସମ୍ବାଦ, ମଧୁପର ପ୍ରଚାର, ମାଡ୍ରାସରେ ଓଡ଼ିଆଛାତ୍ରଙ୍କୁ ଓଡ଼ିଆ ପଢ଼ିବା ବନ୍ଦୋବସ୍ତ ଓ କଚେରୀ ଓଡ଼ିଆ ଭାଷାକୁ ଅକ୍ଷୁର୍ଣ୍ଣ ରଖିବା।
ସେତେବେଳେ ପାରଳା ସହର ସହ ଉପାନ୍ତ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସିରେ ଥିଲା। ତେଣୁ ତେଲେଙ୍ଗାଙ୍କ ପ୍ରଭାବ ମହାବିଦ୍ୟାଳୟରେ ଅଧିକ ଥାଏ। ଦକ୍ଷିଣାତ୍ୟ ରୀତିରେ ଓଡ଼ିଆ ଛାତ୍ରମାନଙ୍କୁ ମଧ୍ୟ ଟୋପି ପିନ୍ଧିବା ବାଧ୍ୟତାମୂଳକ ଥିଲା । ଆପନ୍ନା ଏହାକୁ ବିରୋଧ କରି ନାଲି ଗାମୁଛା ପରିଧାନ ପ୍ରଚଳନ ଆରମ୍ଭ କରିଥିଲେ। ଏହା କେବଳ ନିୟମ ବଦଳାଇବା ପାଇଁ ନଥିଲା, ବରଂ ଓଡ଼ିଆ ଯୁବଗୋଷ୍ଠୀକୁ ପ୍ରଦେଶ ଗଠନ ପାଇଁ ଏକତ୍ର ଆହ୍ଵନସମ ଥିଲା।
ଉତ୍କଳ ସମ୍ମିଳନୀର ଯେଉଁ ଦଶମ ଅଧିବେଶନଟି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା, ତାର ପ୍ରଚ୍ଛଦପଟର ନାୟକ ଆପନ୍ନା ଥିଲେ ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ। ୧୯୧୩ ମସିହା ପୁରୀ ଅଧିବେଶନ ଚାଲିଥାଏ। ସେଥିରେ ପରିଚ୍ଛା ଯୋଗ ଦେଇ ଗୋରଚାନ୍ଦ ମିଶ୍ରଙ୍କ ଜରିଆରେ ପାରଳା ଅଧିବେଶନର ଆବଶ୍ୟକତାର ପ୍ରମାଣ ଦେଇ ଏକ ପ୍ରସ୍ତାବ ଦେଇଥିଲେ। ଖାଲି ଏତିକି ନୁହଁ ଦଶମ ଅଧିବେଶନର ସମସ୍ତ ଗୁରୁ ଦାୟିତ୍ୱ ତାଙ୍କରି ଉପରେ ନ୍ୟସ୍ତ ଥିଲା। ସେ ଅତିଥିଙ୍କ ରହଣି ହେଉ କି ସମ୍ମିଳନୀ ଶେଷରେ ନାଟକ ପରିବେଷଣ। ଏଥିରୁ ତାଙ୍କ ଜାତିପ୍ରେମ ଧାରା ସୁସ୍ପଷ୍ଟ। ପାରଳାଖେମୁଣ୍ଡିର ସଙ୍ଗୀତ ଓ ସାଂସ୍କୃତିକ ଉତ୍କର୍ଷତାରେ ବିଭୋର ହୋଇ ଅନେକ ମହାପୁରୁଷ କଳାକାରମାନଙ୍କ ସହ ଆପନ୍ନାଙ୍କ ଭୁୟସୀ ପ୍ରଶଂସା କରିଥିଲେ।
କେବଳ ନାଟକ ନୁହେଁ, ସଙ୍ଗୀତ ବିଦ୍ୟାପ୍ରତି ମଧ୍ୟ ତାଙ୍କର ଗଭୀର ଅନୁରାଗ ଥିଲା। ସ୍ୱଲିଖିତ ନାଟକରେ ସେ କୌଣସି ପ୍ରକାରେ କର୍ଣ୍ଣାଟକୀ କିମ୍ବା ଉତ୍ତର ଭାରତୀୟ ରାଗ ନିର୍ଦେଶ ଦେଇ ନଥିଲେ। ଏହା ତଙ୍କର ଓଡ଼ିଆ ରାଗରାଗିଣୀ ପ୍ରେମର ନିଦର୍ଶନ। ବିଶେଷ କରି ତାଙ୍କରି ବହୁ ପ୍ରସିଦ୍ଧ ନାଟକ “ବିଜୟ ବସନ୍ତ” ଯାହାକି ସମଗ୍ର ଓଡ଼ିଶାରେ ଥରେ ଅଧେ ସେ କାଳର ଲୋକେ ଦେଖିଛନ୍ତି, ସେଥିରେ ଏକମାତ୍ର ଗୀତର ରାଗ କୌଣସି ବାହ୍ୟ ସଙ୍ଗୀତ ଶାସ୍ତ୍ରରୁ ଆହରଣ କରାଯାଇନାହିଁ। ଯେପରି,
ରାଗ: ଝିଞ୍ଜୋଟି ରୂପକ ତାଳ
“ଶୁଭଦିନ ଆଜି ମୋହର ଅଟଇଟି ନିକର
ପାଇଅଛି ଯାହା , ପାଦ ସେବନ ତୁମ୍ଭର ।
ସୁଧାମୟ ପ୍ରେମ,ପବିତ୍ର ସ୍ନେହ ଆଜି ପାଇଣ,
ନିଶ୍ଚୟ ପାଇବ ଚିର ସୁଖ ଏ ଜୀବନ”।।
ଖାଲି ସଙ୍ଗୀତ ରଚନା ନୁହେଁ, ସଙ୍ଗୀତର ଉନ୍ନତି ସକାଶେ ଓଡ଼ିଶାର ସୁରଦାସ ଆପନ୍ନା ପାଣିଗ୍ରାହୀଙ୍କ ଭଳି ଲୋକଙ୍କୁ ସେ ସଙ୍ଗୀତ ଶିକ୍ଷା ଦେଇଥିଲେ। ପୁଣି ସେତିକି ନୁହଁ ମଞ୍ଚଶ୍ରୀ ସତ୍ୟନାରାୟଣ ପଣ୍ଡା ଯେ କି ପସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର “ମହାଲକ୍ଷ୍ମୀ ପୂଜା”ର ସଙ୍ଗୀତ ଲେଖକ ଓ ନିର୍ଦେଶକ ଥିଲେ, ତାଙ୍କରି ଗୁରୁ ହେବାର ସୌଭାଗ୍ୟ ଆପନ୍ନାଙ୍କୁ ମିଳିଥିଲା। ନାରାୟଣ ସଦେଇଙ୍କ ଭଳି ମହାନ ବ୍ୟକ୍ତି ମଧ୍ୟ ଆପନ୍ନାଙ୍କୁ ଗୁରୁ ରୂପେ ମଣିଥିଲେ। ପୁଣି ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁଙ୍କ ସେ ଥିଲେ ନାଟ୍ୟଗୁରୁ। ସେ ପାରଳାର ତଥା ଉତ୍କଳର ସର୍ବପ୍ରାଚୀନ ନୃତ୍ୟ ସଖୀନାଟର ଧାରାକୁ ବଜାୟ ରଖିବାରେ ସକ୍ଷମ ହୋଇପାରିଥିଲେ। ମଠ ଓ ମନ୍ଦିରର ସହର ପାରଳାରେ ବର୍ଷକରେ ଦୁଇ ଥର ଝୁଲଣ ହୁଏ। ଏ ଉତ୍ସବରେ ଆପନ୍ନା ପରିଚ୍ଛାଙ୍କ ମଠରେ ଏଭଳି ଓଡ଼ିଆ ନୃତ୍ୟ, ନାଟକର ଆସର ଜମିରହୁଥିବା କଥା ଇତିହାସ କୁହେ।
ଉପାନ୍ତ ଅଞ୍ଚଳରେ ଭାଷା, ସାହିତ୍ୟର ବିକାଶ, ନାଟ୍ୟକାଦିର ପ୍ରଚାର ଯେତେ ସହଜ ଶୁଭାଯାଉଛି ସେତେ ସରଳ କାର୍ଯ୍ୟ ନଥିଲା। ତାହା ପୁଣି ତେଲୁଗୁ ଭାଷାଭାଷୀ ଲୋକଙ୍କ ଗହଳି ମଧ୍ୟରେ ସତେ ଯେପରି ଥିଲା ଏକ ଦୁରୁହ ବ୍ୟାପାର। ଏଥି ସହ ନିଜସ୍ୱ ପ୍ରଚେଷ୍ଟାରେ ଏ ୫୦୦୦ ରୁ ଅଧିକା ବହି ସଂଗ୍ରହ କରି ଏକ ପଠାଗାରର ନିର୍ମାଣ କରାଇଥିଲେ ପରିଚ୍ଛା ମହାଶୟ। ଫଳତଃ ଅନେକ ଶିକ୍ଷାର୍ଥୀ ଉପକୃତ ହୋଇ ଆସିଛନ୍ତି। ତାଙ୍କ ଜୀବନକାଳରେ ଅନେକ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ ସହ ମଠରେ ରହିବା, ଖାଇବା ବ୍ୟବସ୍ଥା କରିଦେଉଥିଲେ । ଏହା ତାଙ୍କ ଉଦାର ମାନବିକତାର ପରିଚୟ ଦିଏ।
ବାସ୍ତବରେ ନାଟ୍ୟକାର ଆପନ୍ନା ପରିଚ୍ଛା ଥିଲେ ସାହିତ୍ୟ, ସଙ୍ଗୀତ ଓ କଳାର ଉଦୀୟମାନ ସାରସ୍ୱତ ସାଧକ। ୧୯୩୯ ଜୁଲାଇ ୧୪ ରେ ଇହଧାମ ପରେ ତାଙ୍କ ଚିହ୍ନ ରହିଲାନି ସତ। କିନ୍ତୁ ତାଙ୍କ ଜୀବନର ଅମ୍ଳାନସ୍ମୃତି କଦାଚିତ ବିସ୍ମୃତ ହେବନାହିଁ। ଯଦି ଓଡ଼ିଆ ସାହିତ୍ୟ ଓ ସମାଜର ଧାରାବାହିକ ଇତିହାସ ଲେଖାଯାଏ, ତାହାଲେ ଆପନ୍ନାଙ୍କ ବିନା ଏହା ଅସମ୍ପୂର୍ଣ୍ଣ।