ଲେଖା: ଶିଶିର ସାହୁ ମନୋଜ ଚୀନର ଜଣେ ଵୀରାଙ୍ଗନା 花木蘭 (ହୁଆ ମୁଲାନ)ଙ୍କୁ ଅଳ୍ପ ବହୁତେ ସମସ୍ତେ ଜାଣିଥିଵେ । ଏକାଦଶ ଵା ଦ୍ଵାଦଶ ଶତାବ୍ଦୀର ଲେଖକ Guo Maoqian ପ୍ରଥମେ ଏହାଙ୍କ ସମ୍ବନ୍ଧରେ ପ୍ରଚଳିତ ପୁରାତନ ଲୋକକଥାର ପଦ୍ଯାଵଳୀଗୁଡି଼କୁ ଲିଖିତ ଆକାରରେ ସଂଗ୍ରହ କରିଥିଲେ । ଐତିହାସିକଙ୍କ ଅନୁସାରେ ହୁଆ ମୁଲାନଙ୍କ କାହାଣୀ “ଉତ୍ତର ୱି(Wei) ଯୁଗ” ସମୟର ହୋଇଥିଵା ସମ୍ଭଵ । ଏହାର ସମୟକାଳ ଖ୍ରୀଷ୍ଟାବ୍ଦ ୩୮୬ରୁ ଖ୍ରୀଷ୍ଟାବ୍ଦ ୫୩୫ ମଧ୍ୟରେ ବୋଲି ଐତିହାସିକ ମାନେ ଅନୁମାନ କରିଅଛନ୍ତି । ମାଣ୍ଡାରିନରେ mùlán ଏକ ଚୀନଦେଶୀୟ ଫୁଲ Magnolia liliiflora ର ନାମ ଏଵଂ ହୁଆ ଶବ୍ଦର ଅର୍ଥ ଫୁଲ ଅଟେ । ହୁଆ ଏକ ପ୍ରସିଦ୍ଧ ଚୀନଦେଶୀୟ ଉପନାମ ମଧ୍ୟ ଅଟଇ । ହୁଆ ମୁଲାନଙ୍କ କିମ୍ବଦନ୍ତୀ ଅନୁସାରେ ନିଜ ଦେଶ ଉପରେ ପଡୋ଼ଶୀ ରାଜ୍ଯର ସୈନ୍ୟ ଆକ୍ରମଣ ଯୋଗୁଁ ହୁଆ ମୁଲାନଙ୍କ ପିତା ସମେତ ଅଧିକାଂଶ ଯୋଦ୍ଧାଙ୍କୁ ଯୁଦ୍ଧକ୍ଷେତ୍ରରେ ଯୋଗ ଦେଵାକୁ ରାଜାଙ୍କ ଦ୍ଵାରା ଆଦେଶପତ୍ର ପ୍ରେରଣ କରାଗଲା । ହୁଆ ମୁଲାନଙ୍କର ପିତା ଅସୁସ୍ଥ ଥିଵାରୁ ସେ ପୁରୁଷ ବେଶ ଧାରଣ ପୂର୍ଵକ ଉକ୍ତ ଯୁଦ୍ଧରେ ଯୋଗ ଦେଇ ଦେଶ ପାଇଁ ସଂଗ୍ରାମ କରିଥିଲେ । କେତେକ ଅଞ୍ଚଳର ଲୋକକଥା ଅନୁସାରେ ହୁଆମୁଲାନ ଯୁଦ୍ଧରେ ଵିଜୟୀ ହୋଇଥିଲେ ତ ଆଉ କେତେକ କିମ୍ବଦନ୍ତୀରେ ସେ ଯୁଦ୍ଧ କରି କରି ପ୍ରାଣଵଳି ଦେଇଥିଵା ଵର୍ଣ୍ଣିତ ହୋଇଅଛି । ଇଏ ତ ଗଲା ଚୀନ ଦେଶୀୟ ଵୀରାଙ୍ଗନା ହୁଆ ମୁଲାନଙ୍କ କାହାଣୀ, କିନ୍ତୁ କ’ଣ ଆପଣ ଜାଣିଛନ୍ତି ଆମ ଆଧୁନିକ ଓଡ଼ିଆ ସାହିତ୍ୟରେ ମଧ୍ୟ ଏଭଳି ଜନୈକା ଵୀରାଙ୍ଗନାଙ୍କର ଵର୍ଣ୍ଣନା ରହିଛି । ଇଏ ହେଉଛନ୍ତି ପ୍ରଥମ ଶତାବ୍ଦୀର ଵୀରାଙ୍ଗନା ଓ ସମ୍ରାଟ ଖାରବେଳଙ୍କର ଦ୍ଵିତୀୟ ପତ୍ନୀ ଧୂସି ଓ ତାଙ୍କର କାହାଣୀ । ପଣ୍ଡିତ ନୀଳକଣ୍ଠ ତାଙ୍କର “ଖାରବେଳ” କାଵ୍ଯରେ ଇତିହାସ ଓ କଳ୍ପନାକୁ ମିଶାଇ ଅତୀଵ ସୁନ୍ଦର ଭାବେ ତାହା ଵର୍ଣ୍ଣନା କରିଅଛନ୍ତି । ନୀଳକଣ୍ଠଙ୍କର “ଖାରବେଳ” କାଵ୍ଯର କଥାନୁସାରେ ସେତେବେଳେ ଭାରତର ସମ୍ରାଟ ଥାଆନ୍ତି ପ୍ରଵଳ ପ୍ରତାପୀ ଐରପୁତ୍ର ଖାରବେଳ । ତାଙ୍କ ଵିଶାଳ ସାମ୍ରାଜ୍ୟକୁ ଲାଗି ସିନ୍ଧୁନଦୀର ପଶ୍ଚିମ ଦିଗରେ ଅବସ୍ଥିତ ଥିଲା ଦ୍ରାଵିଡ଼ମାନଙ୍କ ଦ୍ଵାରା ଅଧ୍ଯୁଷିତ ଏକ କୃଷକ ରାଜ୍ୟ କୃଷକପୁର ଯହିଁର ରାଜଧାନୀ ଥିଲା ସିଂହପଥ । ବଲୁଚିସ୍ଥାନର Kalat ଅଞ୍ଚଳକୁ ସେହି ଅଞ୍ଚଳ ଭାବେ ଚିହ୍ନଟ କରା ଯାଇପାରେ ଯେଉଁଠି ଆଜି ବି ଗୋଟାଏ ଦ୍ରାଵିଡ଼ ଭାଷା ଚଳୁଅଛି ତାହାର ନାମ Brahui । ଏହି ରାଜ୍ୟର ବୃଦ୍ଧ ରାଜା ଵର୍ତ୍ତମାନର ଆଫଗାନିସ୍ଥାନ ଓ ବେଲୁଚିସ୍ଥାନ ପୂର୍ଵରେ ଥିଵା ସେହିସମୟର ବଜିର ରାଜ୍ୟର କନ୍ଯା ‘ଧୂସି’ଙ୍କୁ ପାଳନ କରିଥିଲେ । ଖାରବେଳ ପ୍ରଥମେ “ପଟଳ”ରେ ଛାଉଣୀ କରି କୃଷକମାନଙ୍କୁ ଯୁଦ୍ଧରେ ସାଥୀ କରିବାକୁ ଲୋଡ଼ୁଥାନ୍ତି । ଏହିପରି ସମୟରେ ଦିନେ ସଞ୍ଜବେଳେ ଘୋଡ଼ାରେ ଚଢ଼ି ନଈ ପଶ୍ଚିମ ପାଖକୁ ବୁଲିବାକୁ ଯାଇ ଫେରିବା ବାଟ ଜାଣି ପାରିଲେ ନାହିଁ। ଦୂରରେ କେତେଗୁଡ଼ିଏ କୃଷକ ବାଳିକା ଖେଳୁଥିଲେ ଓ କୂଳରେ ପଥର ଉପରେ ବସିଥିଲେ “ଧୂସି” । ଖାରବେଳ ଧୂସିଙ୍କୁ ବାଟ ପଚାରି ଫେରି ଆସିଥିଲେ । ଏହି “ଧୂସି”ଙ୍କ ସହିତ ପ୍ରଥମ ସାକ୍ଷାତରେ ହିଁ ଉଭୟଙ୍କର ପ୍ରଣୟର ସୂ୍ତ୍ରପାତ ହୋଇଥିଲା । ଏହାପରେ କୃଷକ ଜାତି ଖାରବେଳଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଵାପରେ କୃଷକ ରାଜାଙ୍କ ସୈନ୍ଯମାନଙ୍କୁ ନେଇ ଧୂସି ବଜିର ରାଜପୁ୍ତ୍ରର ଛଦ୍ମବେଶରେ ଖାରବେଳଙ୍କ ସୈନ୍ଯବାହିନୀରେ ଯୋଗ ଦେଇଥିଲେ। ଏହି ସମୟରେ ଦତ୍ତିମ (ଡିମେଟ୍ରିୟସ୍; କାଵ୍ଯରେ ନୀଳକଣ୍ଠ ଏହାଙ୍କର ଦତ୍ତିମ ନାମ ରଖିଛନ୍ତି) ଚକ୍ରାନ୍ତ କରି ରାତିରେ ବଜିର ରାଜଧାନୀ ସିଂହପଥ ଆକ୍ରମଣ କରିଥିଲେ । ସେନାପତି “ଧୂସି” ଆଗରୁ ଏହା ଜାଣିପାରି କେତେକ କୃଷକ ଓ କଳିଙ୍ଗସେନା ନେଇ ବାହାରପଟୁ ଦତ୍ତିମଙ୍କୁ ଘେରି ରହିଲେ । ଦତ୍ତିମ ଉଭୟଆଡ଼ୁ ଆକ୍ରାନ୍ତହୋଇ ପରାସ୍ତ ହେଲେ, ଖାରବେଳ ମଧ୍ଯ ଯୁଦ୍ଧରେ ଆହତ ହୋଇଥିଲେ। ଏହାପରେ ଖାରବେଳ ସୁସ୍ଥ ହୋଇ ରାଜଧାନୀ ‘ପଟଳ’କୁ ଫେରିଵା ପରେ କୃଷକପୁରରେ ଖାରବେଳ ଧୂସିଙ୍କୁ ଚିହ୍ନିଲେ । ଏଇଠାରେ ହିଁ କାବ୍ୟର ମିଳନାତ୍ମକ ସମାପ୍ତି ଘଟିଛି । ଦତ୍ତିମ ଵା ଡିମେଟ୍ରିୟସ୍’ଙ୍କୁ ଖାରବେଳ ସିନ୍ଧୁନଦୀର ପଶ୍ଚିମ ପାର୍ଶ୍ଵରୁ ପରାସ୍ତ କରି ଖେଦି ଦେଇଥିଵା ଜଣାଯାଏ ସେଇଭଳି ରାଣୀଗୁମ୍ଫାର ଉପରମହଲାରେ ଥିଵା ଚିତ୍ରାବଳୀରେ ଧୂସିଙ୍କର ଵୀରତାର କଥା ରହିଛି । ସମ୍ଭଵତଃ ପଣ୍ଡିତ ନୀଳକଣ୍ଠ ଏଇ ଚିତ୍ରାବଳୀ ସହ ଇତିହାସର ସମ୍ମିଶ୍ରଣରେ କାହାଣୀଟି ସୃଷ୍ଟି କରିଅଛନ୍ତି । ହୁଆ ମୁଲାନ ଚରିତ୍ରକୁ ନେଇ ଅନେକ ଚଳଚ୍ଚିତ୍ର ଆସି ସାରିଛି । ୨୦୦୯ର Mulan: Rise of a Warrior ଓ ଏ ଵର୍ଷର mulan ଚଳଚ୍ଚିତ୍ର ଛଡ଼ା Disney ଦ୍ଵାରା ଦୁଇଗୋଟି ଆନିମେସନ ମୁଵି ବି ତିଆରି ହୋଇଅଛି । ତେବେ ଦୁଃଖର ଵିଷୟ “ଖାରବେଳ ଓ ଧୂସି”ଙ୍କ ପ୍ରେମକାହାଣୀ ଓ ସଂଘର୍ଷକୁ ନେଇ ବଲିଉଡ କି ଓଲିଉଡରେ ଆଜିଯାଏଁ କୌଣସି ଚଳଚ୍ଚିତ୍ର ନିର୍ମାଣ ହେଵା ଶୁଣାଯାଏ ନାହିଁ । କଳିଙ୍ଗ ଦେଶରେ କଥା କାହାଣୀର ଅଭାଵ ନାହିଁ କିନ୍ତୁ କାହିଁକି କେଜାଣି ଏଠାକାର ଚଳଚ୍ଚିତ୍ର ନିର୍ମାତା ନିଜ ଅଞ୍ଚଳର ସହସ୍ରାଧିକ କାହାଣୀ ଥାଉ ଥାଉ ଆନ ଭାଷାର ଚଳଚ୍ଚିତ୍ରକୁ ଅଵିକଳ ନକଲ କରିଵାକୁ ସର୍ଵଦା ଚେଷ୍ଟା କରିଚାଲିଛନ୍ତି ? © ଶିଶିର ସାହୁ ମନୋଜ
| |
~ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର ~ ଲେଖା: ତ୍ରିଲୋଚନ ସ୍ୱାଇଁ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ…
~ ରଘୁନାଥ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ମହା ଐତିହ୍ୟକ୍ଷେତ୍ର କଟକ ସହରରେ ଯେଉଁ କେତୋଟି ପ୍ରାଚୀନ ମଠ…