ଲେଖା: ଦେଵ ତ୍ରିପାଠୀ
“ତଟିନୀବଳୟିତ ତରୁକୁଳପୁଲକିତ
ବାଳ ମହୀଧରବାସିନ୍,
ଜୟ ଜୟ ଶଙ୍କର ସର୍ବଶୁଭଙ୍କର
ଭକ୍ତ ବିପତ୍ତିବିନାଶିନ୍ II”
(କବିବର ରାଧାନାଥ ରାୟ)
ମା’ କଟକଚଣ୍ଡୀ, ଗଡଚଣ୍ଡୀ ପରି ପ୍ରାଚୀନ ଶକ୍ତିପୀଠ ପାଇଁ କଟକ ମହାନଗର ଶକ୍ତିପୀଠ ଭାବେ ଖ୍ୟାତିମାନ ହୋଇଥିଲେ ମଧ୍ୟ ନଗର ମଧ୍ୟରେ ପ୍ରତିଷ୍ଠିତ ଅମରେଶ୍ୱର ମନ୍ଦିର ତଥା ମହାନଗର ସୀମାସଂଲଗ୍ନ ଭାବରେ ନୈସର୍ଗିକ ଶୋଭାରାଜି ମଧ୍ୟରେ ବିରାଜମାନ କରିଥାନ୍ତି ଧବଳେଶ୍ଵର, ସିଦ୍ଧେଶ୍ୱର ଓ ସର୍ପେଶ୍ୱର ପରି ପ୍ରାଚୀନ ଐତିହାସିକ ଶୈବପୀଠ ସମ୍ପୃକ୍ତ ଅଞ୍ଚଳରେ ଶୈବଧର୍ମର ପ୍ରାଚୀନତା ତଥା ବ୍ୟାପକତାର ଚିହ୍ନ ବହନ କରନ୍ତି । ତେବେ ନଗରବାସୀଙ୍କ ଜନଜୀବନକୁ ସ୍ପନ୍ଦିତ କରିବା ଏବଂ ରାଜ୍ୟ ତଥା ପଡୋଶୀ ରାଜ୍ୟର ଶିବଭକ୍ତମାନଙ୍କୁ ଆକର୍ଷିତ ଓ ମହିମାମଣ୍ଡିତ କରିବା ଦିଗକୁ ଧ୍ୟାନ ଦେଲେ କଟକର ମର୍କତନଗର ନିକଟସ୍ଥ ମହାନଦୀ ତ୍ରିକୋଣଭୂମି କୁଦରେ ଅବସ୍ଥିତ ଶ୍ରୀ ଧବଳେଶ୍ୱର ମହାପ୍ରଭୁଙ୍କ ମନ୍ଦିର ବହୁ ସ୍ବାତନ୍ତ୍ର୍ୟ ବହନ କରେ ।
~ ଦିବ୍ୟକ୍ଷେତ୍ର ଧବଳେଶ୍ଵର ~
ଦ୍ଵାଦଶ ଶତାବ୍ଦୀରେ କେଶରୀବଂଶ ରାଜାମାନଙ୍କ ଦ୍ୱାରା ଏହି ଧବଳେଶ୍ଵର ମନ୍ଦିର ନିର୍ମିତ ହେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଭଗ୍ନ ମନ୍ଦିରକୁ ସୂର୍ଯ୍ୟବଂଶୀ ଗଜପତି ପ୍ରତାପରୁଦ୍ରଦେବ ଏହାର ପୁନର୍ନିମାଣ କରିଥିଲେ । ୧୭ ଏକରର ସବୁଜସୁନ୍ଦର ତ୍ରିକୋଣ ଭୂମି ଧବଳେଶ୍ଵର ପଠାରେ ଅବସ୍ଥିତ ଏବଂ କଳିଙ୍ଗଶୈଳୀରେ ନିର୍ମିତ ଏହି ମନ୍ଦିର ମଧ୍ୟ ମହାନଦୀ ତଟର ଅନ୍ୟ ସମସ୍ତ ମନ୍ଦିର ପରି ପଶ୍ଚିମମୁଖା । ୭୫ଫୁଟ ଉଚ୍ଚତା ବିଶିଷ୍ଟ ଏହି ଭବ୍ୟ ମନ୍ଦିରର ଗର୍ଭଗୃହରେ ଅନନ୍ତନାଗ ପରିବେଷ୍ଟିତ ଧବଳେଶ୍ଵରଙ୍କ ସ୍ବୟମ୍ଭୁଲିଙ୍ଗ । ଦ୍ୱାରଦେଶରେ ବାହନ ବୃଷଭ ସହ ପଶ୍ଚାତଭାଗରେ ନନ୍ଦୀ ଓ ମହାକାଳ ମୂର୍ତ୍ତି । ମନ୍ଦିରର ସମ୍ମୁଖ ଭାଗରେ ନୃସିଂହଙ୍କ ହିରଣ୍ୟକଶିପୁ ବିଦାରଣର ଅନନ୍ୟ ମୂର୍ତ୍ତି ସହ ବଳିବାମନ ମୂର୍ତ୍ତି । ସ୍ବୟମ୍ଭୁ ମହାଦେବଙ୍କ ସହିତ ଦୁଇ ଦୁଇଟି ବିଷ୍ଣୁ ଅବତାରୀ ପୂଜିତ ହେବା ନିଶ୍ଚିତ ଭାବରେ ବିରଳ । ମନ୍ଦିରରେ କାର୍ତ୍ତିକେୟ, ବେଢ଼ାକାଳୀ, ବିଦ୍ୟାଦାତା ଗଣପତି ଏବଂ ଧବଳଦୁର୍ଗା ମା’ ପାର୍ବତୀଙ୍କ କମନୀୟ ଆକର୍ଷଣୀୟ ପ୍ରତିମା । ମୁଖଶାଳା ର ବାମ ପାର୍ଶ୍ୱରେ ରହିଛି ଅନନ୍ତ ବାସୁଦେବଙ୍କ ମନ୍ଦିର । ଏ ପୀଠରେ ଅନନ୍ତ ବାସୁଦେବଙ୍କ ପୂଜା ପରମ୍ପରା ଅତୀବ ପ୍ରାଚୀନ । ବୋଧହୁଏ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରି ହରି ଓ ହରଙ୍କ ମିଳନର ଆଉ ଏକ ବିରଳ ସ୍ଥଳ ଏହି ମହାର୍ଘ ଧବଳେଶ୍ଵର ମନ୍ଦିର ।
~ ଲୋକସଂସ୍କୃତିରେ ଧବଳେଶ୍ଵର ~
ପଦ୍ମପୁରାଣ ଉତ୍ତରଖଣ୍ଡରେ ଧବଳେଶ୍ଵରକୁ ନେଇ ରହିଛି ଅସୁମାରୀ କଥା ଓ କିମ୍ବଦନ୍ତୀ । ବିଭିନ୍ନ ଐତିହାସିକ ଏଇ ମହାନପୀଠର ମାହାତ୍ମ୍ୟ ବର୍ଣ୍ଣନା ରେ ହୋଇଛନ୍ତି ପ୍ରଶଂସାମୁଖର । ବହୁ କବି ଓ ସାହିତ୍ୟ ସାଧକଙ୍କର ଏ ପୀଠ ହୋଇଛି ଆକର୍ଷଣର କେନ୍ଦ୍ର । ମହାପ୍ରଭୁଙ୍କ ଗାରିମା ଓ ପୀଠର ନୈସର୍ଗିକ ଶୋଭା ସ୍ଥାନପାଇଛି କେତେ କେତେ କବିଙ୍କ ଲେଖନୀରେ ।
~ ଦିବ୍ୟନୀତି ~
ବ୍ରାହ୍ମମୁହୂର୍ତ୍ତରୁ ମହାପ୍ରଭୁଙ୍କର ପହଡ଼ ଫିଟିଲା ପରେ ପ୍ରାତଃ ଆଳତି ଏବଂ ମାଜଣା ଅନୁଷ୍ଠିତ ହୁଏ, ପରେ ଚନ୍ଦନବେଶ ହୋଇ ବଲ୍ଲଭଭୋଗ ଲାଗି ହୁଏ, ଦ୍ବିପହରରେ ଅନ୍ନଭୋଗ ହୋଇ ପହଡ଼ ହୁଏ, ଅପରାହ୍ଣରେ ଟେରାପଣା, ସନ୍ଧ୍ୟାରେ ସନ୍ଧ୍ୟା ଆଳତି ପରେ ବଡ଼ସିଂହାର ବେଶ ଅନୁଷ୍ଠିତ ହୁଏ ।
~ ବଡ଼ଓଷା ~
ଧବଳେଶ୍ଵରଙ୍କଠାରେ ପାଳିତ ହେଉଥିବା ସବୁଠାରୁ ବଡ଼ ଏବଂ ସ୍ବତନ୍ତ୍ର ପର୍ବ ବଡ଼ଓଷା। ବଡ଼ଓଷା କରୁଥିବା ଶ୍ରଦ୍ଧାଳୁମାନେ କାର୍ତ୍ତିକମାସ ପ୍ରଥମ ସୋମବାରଠାରୁ ବ୍ରତ ଆରମ୍ଭ କରିଥାନ୍ତି । ଧର୍ମମାସ କାର୍ତ୍ତିକରେ ଧବଳେଶ୍ୱର ପୀଠରେ ମାସବ୍ୟାପୀ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ଏଇ ପବିତ୍ର ମାସରେ ପାଳନ କରାଯାଉଥିବା ପଞ୍ଚୁକପର୍ବର ଶେଷ ସୋମବାର ପ୍ରବଳ ଜନସମାଗମ ହୋଇଥାଏ ।
ପ୍ରଭାତରୁ କଟକର ଚହଟା ଘାଟରୁ ଶ୍ରଦ୍ଧାଳୁମାନେ ଡଙ୍ଗାଯୋଗେ ପୀଠକୁ ଆସୁଥିବାବେଳେ ମଞ୍ଚେଶ୍ୱର ପଟରୁ ଝୁଲାପୋଲରେ ଯିବା ପାଇଁ ଧାଡ଼ି ଲଗାଇଥାନ୍ତି । ନଦୀପଥରେ ମଧ୍ୟ ଯାତ୍ରୀମାନେ ଡଙ୍ଗାରେ କୁଦକୁ ଯିବା ଆସିବା କରନ୍ତି । ଏବେ ଅବଶ୍ୟ କଟକରୁ ଆଠଗଡକୁ ଯିବା ପାଇଁ ନୂତନ ପୋଲ ନିର୍ମାଣ ହୋଇଛି । ଭୋରସମୟରୁ ପ୍ରାୟ ୫ରୁ ୬ ଲକ୍ଷ ଭକ୍ତ ଧବଳେଶ୍ୱର ମହାଦେବଙ୍କ ବଡ଼ସିଂହାର ବେଶ ଓ ବିଭିନ୍ନ ନୀତି ଦର୍ଶନ କରିବା ସହିତ ଭୋଗରାଗ ପୂଜା କରିଥାନ୍ତି । ଅର୍ଦ୍ଧରାତ୍ରିରେ ଭୋଗହୋଇ ପାହାନ୍ତା ପହରରେ ଧବଳେଶ୍ୱରଙ୍କ ପ୍ରସିଦ୍ଧ ସ୍ବତନ୍ତ୍ର ଗଜଭୋଗ ବାହାରୁଥିବାରୁ ଏହାକୁ ସେବନ କରି ଓଷା ଉଜେଇଁବା ଲକ୍ଷ୍ୟରେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଓଷେଇତି ମନ୍ଦିର ପ୍ରାଙ୍ଗଣରେ ଉଜାଗର ରହି ଦୀପ ଦାନ କରନ୍ତି ।
ଏହିଦିନ ସ୍ନାନ ପରେ ମହାଲିଙ୍ଗ ଉପରେ ୧୦୮ ବେଲପତ୍ର ଲାଗିକରି ଭକ୍ତମାନେ ମହାପ୍ରଭୁଙ୍କ ନାମଜପ କରନ୍ତି । ସଞ୍ଜବେଳେ ଅରୁଆ ଚାଉଳ ଚୂନାରେ ଗୁଡ଼, ନଡ଼ିଆ, କ୍ଷୀର, ଅଦା, ମରିଚ, ତେଜପତ୍ର ଆଦି ମିଶାଇ ସ୍ବତନ୍ତ୍ର ଭାବେ ତରଣ ପ୍ରସ୍ତୁତ ହୋଇ ଭୋଗଲାଗି ହୁଏ । ଏହି ଗଜଭୋଗ ଓ ତରଣ ଏହି ମନ୍ଦିରର ସ୍ଵାତନ୍ତ୍ର୍ୟ । ଏହି ବଡ଼ଓଷା ତିଥିରେ ହୁଏ ମହାପ୍ରଭୁଙ୍କ ବିରଳ ଯୋଗୀବେଶ ।
~ ଗମନାଗମନ ~
ମେଘୁଆ ପାଗ ନହେଲେ ଶୀତଋତୁ ଏ ସ୍ଥାନକୁ ଯିବାର ପ୍ରକୃଷ୍ଟ ସମୟ ।ଏହି ଦ୍ଵୀପରେ ଦଶମ ଓ ଏକାଦଶ ଶତାବ୍ଦୀର ପଥର ଖୋଦେଇ କଳାକୃତିମାନ ଦେଖିବାକୁ ମିଳେ । ଏଠାରେ ହବିଷ ଓ ସାତ୍ତ୍ଵିକ ଅନ୍ନବ୍ୟଞ୍ଜନ ପ୍ରସାଦର ଆନନ୍ଦ ସହିତ ନୌକାବିହାରର ସୁଯୋଗ ମଧ୍ୟ ମିଳେ । ମହାନଦୀରୁ ଧବଳେଶ୍ଵର ମନ୍ଦିରର ଦୃଶ୍ୟ ଅତ୍ୟନ୍ତ ମନୋରମ । ଏହି ମନୋରମସ୍ଥଳୀକୁ ଦେଖିବା ସହିତ ମହାନଦୀରେ ବୁଡ଼ ପକାଇ ବିଜେ ଶ୍ରୀ ଧବଳେଶ୍ୱର ଜୀଉଙ୍କୁ ଦର୍ଶନକଲେ ଅଶେଷ ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ବର୍ଷର ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ତଥା ରାଜ୍ୟ ବାହାରୁ ମଧ୍ୟ ଭକ୍ତ ଏବଂ ପର୍ଯ୍ୟଟକମାନେ ଏଠାକୁ ଛୁଟି ଆସିଥାନ୍ତି ।
କଟକରୁ ନରାଜ, ମୁଣ୍ଡଳି ଦେଇ କିମ୍ବା ଚୌଦ୍ବାର ଦେଇ ଝୁଲାପୋଲ ସାହାଯ୍ୟରେ କିମ୍ବା ବିଡାନାସୀ ଚହଟା ଘାଟରୁ ଡଙ୍ଗାଯୋଗେ ଯାଇହୁଏ ଧବଳେଶ୍ଵର ଦ୍ଵୀପକୁ। ଏବେ ନୂତନ ସେତୁରେ ସ୍ବଳ୍ପ ସମୟରେ ପହଞ୍ଚିବା ସମ୍ଭବ ହେଉଛି ।
~ ଝୁଲାପୋଲ ~
ପୂର୍ବରୁ ଲୋକେ ଏଇ ପୀଠକୁ କେବଳ ଡଙ୍ଗା ଦେଇ ଯାଉଥିଲେ । କାର୍ତ୍ତିକ ମାସରେ ବର୍ଦ୍ଧିତ ପର୍ଯ୍ୟଟକ ଓ ବଢୁଥିବା ଦୁର୍ଘଟଣାକୁ ଦେଖି ଓଡ଼ିଶା ସରକାର ୨୦୦୬ ମସିହାରେ ଏଠାରେ ଏକ ପାଦଚଲା ଝୁଲାପୋଲ ନିର୍ମାଣ କରିଛନ୍ତି । ଏହା ଭାରତର ଦୀର୍ଘତମ (୨୫୪ ମିଟର) ପାଦଚଲା ଝୁଲାପୋଲ । ଝୁଲାପୋଲର ଦ୍ୱାର ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହେ । ରାତିରେ କେତୋଟି ପୂଜାରୀଙ୍କ ବାଦଦେଲେ ସ୍ଥାନଟି ଜନଶୁନ୍ୟ ହୋଇଯାଏ । ଏଠାରେ ରାତ୍ରୀରହଣି ପାଇଁ ପାନ୍ଥଶାଳା ଓ ଲଜ ବ୍ୟବସ୍ଥା ଅଛି ।
ତଥ୍ୟ ଆଧାର: “ସମାଜ”
ସୁନ୍ଦର ଉପସ୍ଥାପନା କରିଛନ୍ତି ବନ୍ଧୁ । ଧନ୍ୟବାଦ। ପୁରୁଣା ଶୈବପୀଠ ଧବଳେଶ୍ୱର ଉପରେ ଲେଖା ଟି ବାସ୍ତବିକ ଅତ୍ୟନ୍ତ ସୁନ୍ଦର ଭେଟି ‘ଅନ୍ତରଙ୍ଗ କଳିଙ୍ଗ’ପୃଷ୍ଠାରେ ।