ଦେବସ୍ନାନ ପୂର୍ଣ୍ଣିମା

ଲେଖା: ବନ୍ଧନ ଦଳେଇ
କଳା ମେଘମାଳା ଆକାଶର ଅଗଣା ଛାଡ଼ି ଲମ୍ବି ଆସିଲେ ମାଟିକୁ, ମାଟିହୁଏ ମହୋତ୍ସବମୟ। ବଡ଼ଠାକୁରଙ୍କ ନୀତିକାନ୍ତିରେ ନୂଆ ଅଙ୍ଗରାଗ ସୃଷ୍ଟି ହୁଏ ବିହ୍ୱଳ ଭକ୍ତସମାଜ ପାଇଁ ଭକ୍ତ ଭଗବାନଙ୍କ ମିଳନର ପର୍ବର ଉନ୍ମେଷ ଘଟେ।
ଜ୍ୟେଷ୍ଠମାସ ପୂର୍ଣ୍ଣମୀ ତିଥି ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧାମୂର୍ତ୍ତି #ଶ୍ରୀମନ୍ଦିର ଛାଡ଼ି ସ୍ନାନମଣ୍ଡପକୁ ବିଜେ କରନ୍ତି । ଗ୍ରୀଷ୍ମର ଡହକକୁ ଦୂରେଇ ଦେବାପାଇଁ #ସୁନାକୂଅ ର ସୁଶୀତଳ ଜଳରେ ମହାପ୍ରଭୁ ସ୍ନାନ କରନ୍ତି। #ଧାଡ଼ିପହଣ୍ଡି ରେ ଚତୁର୍ଦ୍ଧାବିଗ୍ରହ ବିଜେ କରନ୍ତି ସ୍ନାନମଣ୍ଡପକୁ ।
ଓଃ ! କି ଅପୂର୍ବ ସେ ଦୃଶ୍ୟ ! ଭକ୍ତ ଓ ଭଗବାନଙ୍କର ମହାମିଳନ !
ମୁଣ୍ଡ ଉପରେ ଶୋଭା ପାଉଥାଏ #ଟାହିଆ ! ପରମ୍ପରା କ୍ରମେ #ରାଘବଦାସ_ମଠ ଶ୍ରୀଜୀଉମାନଙ୍କ ଲାଗି ସୋଲ, ବାଉଁଶପାତିଆ, ଦୁବ, ତୁଳସୀ ଓ ବିଭିନ୍ନ ରଙ୍ଗର ଫୁଲମାଳରେ ଟାହିଆ ପ୍ରସ୍ତୁତ କରି ଠାକୁରଙ୍କ ମଥାଲାଗି କରନ୍ତି। ଏ ଟାହିଆ ଦେଖିଲେ ବିହ୍ୱଳିତ ଭକ୍ତଜନ ଲମ୍ବିଯା’ନ୍ତି ଦ୍ୱାପର ଯୁଗକୁ । ମାତା ଯଶୋଦାଙ୍କ କୋଳଛାଡି଼ ଗୋପପୁରକୁ ଦୁଇଭାଇ କୃଷ୍ଣ-ବଳରାମ ଗୋଧନ ପଲ ସହ ଯାଉଥିଲେ ଜଙ୍ଗଲକୁ । ଖଟାମିଠା ଫଳ ଖାଇ ଫୁଲପତ୍ରରେ ସଜାଇ ହେଉଥିଲେ ନିଜକୁ। ପାଚିଲା ଜାମୁଡାଳ ମଥାରେ ଖୋସୁଥିଲେ।
ବନଫୁଲର ବାସ୍ନାରେ ମହକି ଉଠୁଥିଲା ଦେହ। ଗୋଧୂଳି ବେଳାର ସୂର୍ଯ୍ୟ ସୁନାରଙ୍ଗ ବିଞ୍ଚି ଦେଉଥିଲା ଗୋପଦାଣ୍ଡରେ। ବାଛୁରୀଙ୍କ କଣ୍ଠବନ୍ଧା ଘଣ୍ଟିର ନିକ୍ୱଣରେ ସୃଷ୍ଟି ହେଉଥିଲା ଏକ ଅପୂର୍ବ ନାଦ। ପକ୍ଷୀମାନେ ଉଡିଆସି ଏ ଶୋଭାଯାତ୍ରାରେ ଯୋଗ ଦେଉଥିଲେ। ଆକାଶରେ ଛଳଛଳ ମେଘ, ଗାଁ ଦାଣ୍ଠରେ ଗୋପବାଳାଙ୍କ ପ୍ରତୀକ୍ଷିତ ଆଖି ଓ କୃଷ୍ଣଙ୍କ ଓଠରେ ବାଉଁଶର ବଂଶୀ।
ଉଛୁଳି ଉଠୁଛି ଯମୁନା, ତ୍ରିଭଙ୍ଗୀ ଠାଣିରେ ପୀତବସନ ପିନ୍ଧି ନାଚି ନାଚି ଆସୁଛନ୍ତି ଶ୍ରୀକୃଷ୍ଣ। କି ଅପୂର୍ବ ସମ୍ଭାର ! ଅଣ୍ଟା ଭଙ୍ଗା ନୃତ୍ୟରେ ନଇଁପଡୁଛି ମୁଣ୍ଡର #ଜାମୁଡ଼ାଳି । ସପ୍ତଫଣା ଆଚ୍ଛାଦିତ ସର୍ପ ଯେପରି ସୁରକ୍ଷା ଦେଉଛି ଶ୍ରୀବିଷ୍ଣୁଙ୍କୁ କ୍ଷୀର ସମୁଦ୍ରରେ; ଠିକ୍ ସେମିତି ରଙ୍ଗବେରଙ୍ଗ ଛାମୁଡାଳି ଟାହିଆ ପରି ନାଚି ଉଠୁଛି କୃଷ୍ଣଙ୍କ ମୁଣ୍ଡରେ।
ସେ ସମୟର ରଙ୍ଗବେରଙ୍ଗ ଜାମୁଡ଼ାଳି ଆଜି ବଦଳିଯାଇଛି ରାଘବଦାସ ମଠର ଟାହିଆରେ ! ବିନା ଟାହିଆରେ କଣ ଶ୍ରୀଜୀଉଙ୍କ ପହଣ୍ଡି କଳ୍ପନା କି କରିହୁଏ ? ପହଣ୍ଡି ସମୟରେ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ମସ୍ତକରେ ଧାରଣ କରିଥିବା ଟାହିଆର ଗଠନରେ ଉନ୍ନତ କଳାତ୍ମକ ରୁଚିବୋଧର ପରିଚୟ ମିଳିଥାଏ।
ଏହି ଟାହିଆ ଭୂଷଣରେ ରହି ମହାପ୍ରଭୁ କୋଟି କୋଟି ଭାବପ୍ରବଣ ହୃଦୟକୁ କାଳକାଳ ଧରି ଆଲୋଡ଼ିତ କରିଆସିଛନ୍ତି। ମହାପ୍ରଭୁ ଢଳି ଢଳି ପହଣ୍ଡିରେ ଆସିବା ସମୟରେ ଏହି ଟାହିଆ ସତେ ଯେପରି ତାଙ୍କ ସହିତ ଝୁଲିଝୁଲି ତାଳ ଦେଉଥାଏ ! ପହଣ୍ଡି କାଳୀନ ଏହି ରୂପକୁ ତ୍ର୍ୟୈଲୋକ୍ୟ ସୁଖଦାୟକ ବୋଲି #ନୀଳାଦ୍ରୀ_ମହୋଦୟ ରେ ବର୍ଣ୍ଣିତ ଅଛି। ପହଣ୍ଡି ସମୟରେ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ମସ୍ତକ ଉପରେ ଶୋଭାପାଉଥିବା ଏହି ଦୋଳାୟମାନ ଟାହିଆ ଯେଉଁ ମହାନ ସତ୍ୟ ଘୋଷଣା କରେ; ତାହା ଓଡ଼ିଆ କବିଙ୍କ ଲେଖନୀରେ ଚିର ଜୀବିତହୋଇଛି। ଯଥା:
“ଯାତ୍ରା ବେଳେ ଟାହିଆ ଭାଷଇ
ବ୍ରହ୍ମ ସଂସାରେ ସତ୍ୟ ଅଟଇ।”
ଅର୍ଥାତ ବ୍ରହ୍ମ ସତ୍ୟ ଓ ଜଗତ ମିଥ୍ୟା ଏହି ମହାନ ବାଣୀ ଟାହିଆର ଦୋଳନ ଫଳରେ ପ୍ରଚାରିତ ହୋଇଥାଏ।
ଜ୍ୟେଷ୍ଠ ପୂର୍ଣିମା ତିଥି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ମଙ୍ଗଳାର୍ପଣ କରାଯାଇ ଡୋରଲାଗି ପରେ ପହଣ୍ଡି ଆରମ୍ଭ ହୋଇଥାଏ । ପବିତ୍ର ସ୍ନାନପୂର୍ଣ୍ଣିମାରେ ଶ୍ରୀବିଗ୍ରହମାନେ #ପହଣ୍ଡିବିଜେ ରେ ରତ୍ନସିଂହାସନରୁ #କଳାହାଟଦ୍ୱାର, #ଜୟବିଜୟଦ୍ୱାର, #ନାଟମଣ୍ଡପ, #ସାତପାହାଚ, #ପାଟଅଗଣା ଓ #ଆନନ୍ଦବଜାର ଦେଇ #ସ୍ନାନବେଦୀକୁ #ଧାଡିପହଣ୍ଡିରେ ଆସିଥାନ୍ତି।
ଠାକୁରମାନେ ସ୍ନାନପରେ #ହାତୀବେଶ ବା #ଗଜାନନ ବେଶ ହୁଅନ୍ତି। ସୋଲ, ଜରି, ଜମ୍ବୁରା, କଦଳୀ ପାଟୁକାରେ ତରାସଚୂଳ ଓ କରପଲ୍ଲବ ଆଦି ଲାଗିକରି ବଳଭଦ୍ରଙ୍କୁ ଧଳାହାତୀ ଓ ଶ୍ରୀଜଗନ୍ନାଥଙ୍କୁ କଳାହାତୀ ରୂପରେ ସଜାଇ ଦିଆଯାଏ। ସ୍ନାନମଣ୍ଡପ ଓ ବଡଦାଣ୍ଡରେ ଭକ୍ତଗଣ ଠିଆହୋଇ ଏ ଅପୂର୍ବ ବେଶ ଦର୍ଶନ କରିଥାଆନ୍ତି।
ଏ ପ୍ରସଙ୍ଗରେ ଏକ କାହାଣୀ ରହିଛି।
ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଶ୍ରୀ ଗଣପତିଭଟ୍ଟ ଶ୍ରୀକ୍ଷେତ୍ର ଆସି ଶ୍ରୀଜଗନ୍ନାଥ ଯେ ତାଙ୍କ ଈଷ୍ଟ ଗଣପତି ନୁହଁନ୍ତି ବୋଲି ପ୍ରଣିପାତ କଲେ ନାହିଁ ଓ ନିରାଶ ହୋଇ ଶ୍ରୀକ୍ଷେତ୍ର ତ୍ୟାଗକରି ମୁକ୍ତେଶ୍ୱରଙ୍କ ପର୍ଯ୍ୟନ୍ତ ଚାଲିଗଲେ। ଭାବଗ୍ରାହୀ ଶ୍ରୀଜଗନ୍ନାଥ ସ୍ୱପ୍ନାଦେଶ କଲେ ଗଣପତି ଭଟ୍ଟଙ୍କୁ । ସେ ଦେବସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀକ୍ଷେତ୍ରକୁ ଆସି ଦେଖିଲେ ସ୍ନାନବେଦୀରେ ଧଳାଗଣେଶ କଳାଗଣେଶ ଶୋଭା ପାଉଛନ୍ତି । ସେ ପ୍ରଣିପାତ କରି ପ୍ରାର୍ଥନା କଲେ-
“ତ୍ୱମେବ ବକ୍ରତୁଣ୍ଡଶ୍ଚ, ତ୍ୱମେବ ଗଣନାୟକଃ
ଶୁକ୍ଲବର୍ଣ୍ଣ ସ୍ୱରୁପେଣ, ଗୌରୀପୁତ୍ର ବିନାୟକଃ।।
କୃଷ୍ଣରୂପମୟ କୃଷ୍ଣ, ଶିବରୂପମୟ ହରଃ
ସାକ୍ଷାତ୍ ଦେବଜଗନ୍ନାଥଃ ବିଘ୍ନବିନାୟକ ସ୍ୱୟଂ”।।
ଦେବସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀଜଗନ୍ନାଥ ମହାଗଣପତି, ବଳଭଦ୍ର ଖଦିର ଗଣପତି ଓ ସୁଭଦ୍ରା #ମାତଙ୍ଗୀବେଶ ଧାରଣ କରିଥାନ୍ତି। ଏହି ରୂପରେ ପ୍ରତିବର୍ଷ ଦର୍ଶନ ଦେବା ପଛର କାହାଣୀ ଐତିହାସିକ ସତ୍ୟ ଅପେକ୍ଷା ବେଶି କିମ୍ବଦନ୍ତୀପ୍ରସୂତ, ଯାହାକି ପ୍ରାଣକୁ ଛୁଏଁ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago