ଲେଖା: ନିରଞ୍ଜନ ସାହୁ

ରୀତିଯୁଗର ଅନ୍ୟତମ ପ୍ରତିଭା ସନ୍ଥକବି ଦୀନକୃଷ୍ଣ ଦାସ !

“କୃପାସିନ୍ଧୁ ବଦନ କରି ଅବଲୋକନ,
କେଉଁ କରମହୀନ ଜନ,
କାକୁସ୍ତଭର ହୋଇ କର ଯୋଡ଼ି ଜଣାଇଁ
ଗରୁଡ଼ ସ୍ତମ୍ଭ ସନ୍ନିଧାନ ହେ ମହାପ୍ରଭୁ !
କୃପା ସରିତ ପତି ହୋଇ କର୍ମହୀନ ଜନର ତହିଁ,
କରୁଣା କଲ ନାହିଁ କିମ୍ପା ହେ ଭାବଗ୍ରାହୀ !
ଏହା ମୁଁ ବିଚିତ୍ର ମଣଇ, ହେ ମହାପ୍ରଭୁ।”

ବିଧାତାର ଦାରୁଣ ଅଭିଶାପରେ ବ୍ୟାଧିଗ୍ରସ୍ତ, ଦାରିଦ୍ର୍ୟର କଷାଘାତରେ କଷିତ, ନିର୍ଯ୍ୟାତିତ ସାଙ୍ଗକୁ ପୁରୀ ଗଜପତି ମହାରାଜାଙ୍କର ଆକ୍ରୋଶର ଶିକାର ହୋଇଥିବା ଭକ୍ତକବିଟିଏ, ତା’ର ଅନ୍ତର୍ବେଦନାର ସ୍ଵରଝଙ୍କାର ତୋଳିଥିଲା ଜଗତପତିଙ୍କ ସମୀପରେ ଥିବା ଗରୁଡ଼ ସ୍ତମ୍ଭ ପଛରେ।

କିଏ ଏହି ମଣିଷ ! କଣ୍ଠରେ ହୃଦୟଭରା କୋହ, ସମର୍ପିତ ଭଣିତା, ସୁଲଳିତ ସ୍ବରର ଝଙ୍କାର ସଅଁପି ଦେଉଛି ବଡ଼ଦେଉଳର ଏକ କୋଣରୁ ! ଏ ସଙ୍ଗୀତ ତ ଜୀବନର ନିଷ୍ଠୁର ସତ୍ୟର ସଙ୍ଗୀତ। ଅବିଚଳିତ ମଣିଷ, ଦୁଃଖର ନୈବେଦ୍ୟ ପରଶି ଦେଇ ମହାପ୍ରଭୁଙ୍କୁ ଚାହିଁ ରହିଛି ଲୋତକ ଭରା ନୟନରେ। ଶ୍ରୀକ୍ଷେତ୍ର ଛାଡ଼ିବାକୁ ଗଜପତିଙ୍କ ନିର୍ଦ୍ଦେଶ !

ରୀତିଯୁଗର କବି ଭାବରେ ଯାହାଙ୍କ ରଚନାବଳୀ ଓଡ଼ିଆ ସାହିତ୍ୟକୁ ଦେଇଥିଲା ନୂତନ ଦିଗଦର୍ଶନ, ଯାହାଙ୍କ କାବ୍ୟ ହେଉଛି ରସର ଅସରନ୍ତି ଉତ୍ସ, ସେ ଜଣକ ହେଉଛନ୍ତି କବି ଦୀନକୃଷ୍ଣ ଦାସ, ଓଡ଼ିଆ ସାହିତ୍ୟର ଜଣେ ସ୍ମରଣୀୟ ଅସାଧାରଣ ପ୍ରତିଭା।

ଉପେନ୍ଦ୍ର ଭଞ୍ଜ, ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା, ଅଭିମନ୍ୟୁ ସାମନ୍ତସିଂହାର, ଯଦୁମଣି ମହାପାତ୍ର, ବ୍ରଜନାଥ ବଡ଼ଜେନା, କବିସୂର୍ଯ୍ୟ ବଳଦେବ ରଥ ପ୍ରଭୃତି ଏହି ଯୁଗରେ ସ୍ଵକୀୟ ପ୍ରତିଭାର ଉଜ୍ଜ୍ୱଳ କିରଣ ବିଛୁରଣ କରିଥିଲେ। କିନ୍ତୁ ଦୀନକୃଷ୍ଣ ରୀତି ଯୁଗର କବି ଭାବରେ ସ୍ଵତନ୍ତ୍ର ସ୍ଥାନର ଅଧିକାରୀ।ତାଙ୍କ କାବ୍ୟ ହେଉଛି ରସର ଅସରନ୍ତି ଉତ୍ସ ଓ ଭକ୍ତିର ମାଧୁର୍ଯ୍ୟପୂର୍ଣ୍ଣ ସ୍ରୋତସ୍ଵିନୀ। ସପ୍ତଦଶ ଶତାବ୍ଦୀର ଆଦି ପାଦରେ ତାଙ୍କର ଜନ୍ମ। ଏକ ଦୁଃଖଦ ଅବସ୍ଥାର ମଣିଷ ସିଏ। ମାତ୍ର ଜୀବନର ସମସ୍ତ ଦୁଃଖକଷ୍ଟକୁ ନୀଳକଣ୍ଠ ସମ ଆକଣ୍ଠ ପାନ କରି ସେ ଦେଇ ଯାଇଛନ୍ତି ଓଡ଼ିଆ ସାହିତ୍ୟକୁ ତାଙ୍କର ପ୍ରସିଦ୍ଧ କାବ୍ୟ ‘ରସକଲ୍ଲୋଳ’, ‘ଆର୍ତ୍ତତ୍ରାଣ ଚଉତିଶା’ ଏବଂ ଆହୁରି ଅନେକ।

ତାଙ୍କ ରଚିତ ରସବିନୋଦ, ପ୍ରସ୍ତାବସିଦ୍ଧୁ, ଧର୍ମସାଗର, ମହିମା ସାଗର, ନାମରତ୍ନ ଗୀତା, ନାମବ୍ରହ୍ମ ଗୀତା, ଅମୃତ ସାଗର, ଗୁଣ ସାଗର, ମାଘ ମାହାତ୍ମ୍ୟ, ଭୂତକେଳି, ଅଳଙ୍କାର ବୋଲି, ନାବକେଳି, କମଳାକାନ୍ତ ଚଉତିଶା, ସଂସାର ବୋଧନ ଏବଂ ଅନେକ ଅନେକ ଜଣାଣ ଓଡ଼ିଆ ସାହିତ୍ୟର ରସ ଓ ଭକ୍ତିର ଗନ୍ତାଘର। ଭାବ, ସଙ୍ଗୀତ ଓ ନିର୍ମଳ କବିତ୍ୱର ସ୍ତାବକ ଦୀନକୃଷ୍ଣଙ୍କ ଦୃଷ୍ଟିରେ କବିତା ହେଉଛି ଏକ ରୂପଶ୍ରୀ ତରୁଣୀ, କବି ଦୀନକୃଷ୍ଣ ଦାସ ହେଉଛନ୍ତି ସେହି ତରୁଣୀର ଜନକ। କେବଳ ରସିକ ପାଠକର ଉପଭୋଗରେ କବିତାର ମର୍ଯ୍ୟାଦା ରକ୍ଷା ହୁଏ। ସେଇଥିପାଇଁ —
“କବି ହୋଇ କରୁଥିବ ନିର୍ମଳ କବିତ୍ଵ,
 କର୍ଣ୍ଣ ଦେଇ ଶୁଣୁଥିବ ରସିକ ପଣ୍ଡିତ ।”

ପୁନଶ୍ଚ –
“କବିତା ବନିତା କବିତା ପିତା,
କହିବା ଲୋକ ତା’ର ଉପମାତା
କଲେ ତାକୁ ଭୋଗ ରସିକ ନେତା
କେତେ ହେଁ ଅବା ରହଇ ଯୋଗ୍ୟତା
କୁମତି ଗୁଆଁର,
କେବଳ ବଇମାତ୍ର ଭାଇ ତା’ର।”

ରସକଲ୍ଲୋଳ କାବ୍ୟରେ ବହୁ ସ୍ଥଳରେ ଭାବଧାରାର ଅନୁବର୍ତ୍ତୀ ହୋଇ ଆଳଙ୍କାରିକ ପଦ ସଂଯୋଜନା କରିବା ଓ ଉପମା ପ୍ରୟୋଗରେ ଶାସ୍ତ୍ରୀୟତା ରକ୍ଷା କରିବା ସହ ସଂସ୍କୃତ ସାହିତ୍ୟର ଉପମାବଳୀ ସହ ସମକକ୍ଷ କରାଇଛନ୍ତି ଦୀନକୃଷ୍ଣ। କବିଙ୍କର ରସକଲ୍ଲୋଳ କାବ୍ୟ କୃଷ୍ଣଭକ୍ତି କୈନ୍ଦ୍ରିକ ହେଲେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ବହୁ ପ୍ରସଙ୍ଗରେ ଅବତାରଣା ହୋଇଛି। ଏହି କାବ୍ୟ କାନ୍ତକୋମଳ ଲଳିତ ପଦାବଳୀରେ ପୂର୍ଣ୍ଣଗର୍ଭା। ଏହି କାବ୍ୟ ହେଉଛି ସନ୍ଥକବି ଦୀନକୃଷ୍ଣଙ୍କର ପ୍ରତିଭାର ସାର୍ଥକରତ୍ନ। ରୀତିକାବ୍ୟ ଭାବରେ ଏହାର ତୁଳନା ନାହିଁ। ଏହା ସବୁ ଦୃଷ୍ଟିରୁ ମହିମାମଣ୍ଡିତ। ଆଦ୍ୟରେ ‘କ’ ଯୋଗ କରାଯାଇ ପଦମାନ ସରଳ ଛାନ୍ଦରେ ରଚିତ। ଗୋଟିଏ ଉଦାହରଣ –

“କମ୍ଭୁକଣ୍ଠେ କଉସ୍ତୁଭମଣି ନାୟକ
 କଳୁଷ ଅନ୍ଧକାରକୁ ଦୀନ ନାୟକ।
 କଷ୍ଟ ମହୀଧର ମହୀଧର କଣ୍ଟକ
 କଳମଷ ବାରଣ ବାରଣ ଅନ୍ତକ।
 କର ଆଜ୍ଞା ଆଜ୍ଞା ସୁର ପ୍ରଭୁ ଏତେକ
 କହୁ ଦୀନକୃଷ୍ଣ କୃଷ୍ଣ କଥା ଅନେକ।”

କବି ଦୀନକୃଷ୍ଣ ଦାସ ଥିଲେ ଦରିଦ୍ର, କିନ୍ତୁ ପ୍ରଚଣ୍ତ ସ୍ଵାଭିମାନୀ। କବିତା ଲେଖି ରାଜାଙ୍କୁ ସମର୍ପଣ କରି ନାହାନ୍ତି କେବେ। ସେଇଥିପାଇଁ ରାଜାନୁଗ୍ରହରୁ ବଞ୍ଚିତ। ରାଜା ଠାରୁ ବଳୀୟାନ ତାଙ୍କର ପ୍ରଭୁ। ରାଜକୋପର ଶରବ୍ୟ ହେଲେ ବି ସାଲିସ୍ କରିବା ପାଇଁ କେବେ ବି ଭାବି ନାହାଁନ୍ତି। ଏସବୁ ଆଘାତ ବରଂ ତାଙ୍କର କଲମ ଚଳାଇବା ପାଇଁ ଦେଇଥିଲା ଅଜସ୍ର ଖୋରାକ୍। ନିଜର କବି ଭାବନାକୁ ସ୍ପଷ୍ଟ କରି ରସକଲ୍ଲୋଳ କାବ୍ୟରେ ସେଇଥିପାଇଁ ଲେଖିଲେ –
“କୃଷ୍ଣ ଆଶ୍ରା କରି ସୁବିଦ୍ୟା ଆଚରି ପାଷାଣ୍ଡକୁ ଯାହା ସ୍ତୁତି,
କୃଷ୍ଣ ଦାସ କହେ କିଛି ଭଲ ନୋହେ କେବଳ ଛାତିକି କାତି।”

କବିର ଆତ୍ମମର୍ଯ୍ୟାଦା କେବେ କମ୍ ନୁହେଁ। ମୂର୍ଖଙ୍କ ସହ ସାଲିସ କରିବାକୁ ଶିଖି ନଥିଲେ ଏହି ଅଦ୍ୱିତୀୟ କବି। ତାଙ୍କରି ଭାଷାରେ-

“କବି ଯା କରେ ମୂର୍ଖକୁ ସ୍ତୁତି,
ଏଥିରୁ ନାହିଁ ବଡ଼ ବିପତ୍ତି,
ଏଥିକି ପ୍ରତି ଛାତିରେ କାତି ମାରିବା ଭଲ ହେ”  

କୃଷ୍ଣଭକ୍ତିରେ ନିଜକୁ ସମର୍ପିତ କରିଛନ୍ତି କବି ଦୀନକୃଷ୍ଣ ଦାସ ଜୀବନବ୍ୟାପି। ସେ ସନ୍ଥକବିର ମାନ୍ୟତା ଲାଭ କରିଛନ୍ତି ବହୁ ସମାଲୋଚକମାନଙ୍କ ଦ୍ଵାରା । ଉପେନ୍ଦ୍ର ଭଞ୍ଜଙ୍କ ଦୃଷ୍ଟିରେ ଦୀନକୃଷ୍ଣ ଥିଲେ ଅନନ୍ୟ। 

ଏହି ସ୍ଵାଭିମାନୀ, ରସଗ୍ରାହୀ, ଭକ୍ତିମାର୍ଗର ମହାନ୍ କବି ଦୀନକୃଷ୍ଣ ଦାସ ରୀତିଯୁଗ କାହିଁକି, ଏପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରେ ଏକ ସ୍ବତନ୍ତ୍ର ଜାଜ୍ଜ୍ୱଲ୍ୟମାନ ତାରକା। ଯୁଗେ ଯୁଗେ ଦୀନକୃଷ୍ଣ ରହିଥିବେ ଓଡ଼ିଆମାନଙ୍କ ହୃଦୟରେ।

#ପୂଜ୍ୟପୂଜା

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago