ଲେଖା: ଦେଵ ତ୍ରିପାଠୀ
~ ଦିବ୍ୟନୀତି ୧ ~
~ ମଙ୍ଗଳ ଆରତୀ ~
ସେବକମାନେ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିବା ପରେ ଦିଅଁ ଶୟନ କରିଥିବା ଖଟଶେଯ ଇତ୍ୟାଦିକୁ ‘ଖଟଶେଯ ମେକାପ’ ସେବକ ଶେଯଘରକୁ ନେଇଯା’ନ୍ତି । ଦିଅଁମାନଙ୍କର ଶଯ୍ୟାତ୍ୟାଗ ପରେ ହୁଏ ମଙ୍ଗଳ ଆଳତି ।
ମଙ୍ଗଳ ଆଳତିରେ ତିନୋଟି ରୂପାଥାଳିରେ କର୍ପୁର, ଏକୋଇଶିଟି ବତୀ ଓ ପିଠଉବଟା ବ୍ୟବହାର କରାଯାଏ । ଏହି ୩ ପ୍ରକାରର ଆଳତିରେ ଦିଅଁ ମାନଙ୍କୁ ବନ୍ଦାପନା କରାଯାଏ, ଶେଷରେ ପିଠଉବଟା ଆଳତି ବା ଖଡିଆଳତି କରାଯାଇଥାଏ । ଏଥିରେ ଚାଉଳଚୂନା ଦହିରେ ଚକଟାଯାଇ ଆଳତି କାଠି ଉପରେ ଦିଆଯାଇ ମଧ୍ୟରେ ଘିଅବତୀ ଦିଆଯାଇଥାଏ । ଭିତରଛ ମହାପାତ୍ରଙ୍କ ସହ ଅନ୍ୟ ଦୁଇ ଜଣ ପୁଷ୍ପାଳକ ସେବକ ରତ୍ନବେଦୀ ତଳେ ଛିଡ଼ାହୋଇ ଏହି ନୀତି ସମ୍ପାଦନା କରିଥା’ନ୍ତି । ଏହି ଆଳତି ଶେଷରେ କର୍ପୁରର ଅବଶିଷ୍ଟାଂଶ ଏବଂ ପିଠଉ ପ୍ରସାଦରୂପେ ବଣ୍ଟାଯାଏ ।
ଏହାପରେ ଦିଅଁଙ୍କର ମଇଲମ ନୀତି ସମ୍ପାଦନା ହୁଏ ।
~ ଦିବ୍ୟନୀତି ୨ ~
~ ମଇଲମ ~
ପ୍ରାୟତଃ ସକାଳ ୬ଘଣ୍ଟା ସମୟରେ ‘ମଇଲମ’ କରାଯିବାର ବିଧି ଥିଲେ ମଧ୍ୟ ମଙ୍ଗଳ ଆଳତି ସରିବା ସମୟ ଉପରେ ଏହା ନିର୍ଭର କରେ । ୩ଜଣ ପୁଷ୍ପାଳକଙ୍କ ସହ ଖୁଣ୍ଟିଆ, ଚାଙ୍ଗଡ଼ା ମେକାପ ଓ ଧୋବାଙ୍କୁ ନେଇ ଏହି ନୀତି କାର୍ଯ୍ୟକାରୀ ହୋଇଥାଏ ।
ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କ ଶ୍ରୀ ଅଙ୍ଗରୁ ବସ୍ତ୍ର ବଦଳାଇଥା’ନ୍ତି । ଶ୍ରୀ ଅଙ୍ଗରୁ ପୂର୍ବଦିନ ଲାଗି ହୋଇଥିବା ଲୁଗା, ଫୁଲ, ତୁଳସୀ ଇତ୍ୟାଦି ବାହାର କରି ଶ୍ରୀଜୀଉମାନଙ୍କୁ ସଫାବସ୍ତ୍ର ପିନ୍ଧାଇ ଦିଆଯାଏ । ତଉଲିଆ ସଦୃଶ ଏହି ସୂତାବସ୍ତ୍ରଗୁଡିକୁ ‘ତଡପ’ ବା ‘ଉତ୍ତରୀୟ’ କୁହାଯାଏ । ସ୍ନାନ ପାଇଁ ବ୍ୟବହାର ହେଉଥିବା ଏହି ବସ୍ତ୍ରଗୁଡିକୁ ‘ଧୋବା ସେବକ’ ସଫା କରିଥାନ୍ତି । ଏଇ ଧୋବା ସେବକ ପ୍ରକୃତରେ ଜଣେ ବ୍ରାହ୍ମଣ ସେବକ । ଏହି ନୀତି ସମୟରେ ଅଖଣ୍ଡ ମେକାପ ଦେଉଳ ମଧ୍ୟରେ ଅଖଣ୍ଡ ବଇଠା ଜଳାଇ ରଖିଥା’ନ୍ତି, ଏହିଦୀପ ‘ରାତ୍ର ପହଡ’ ଅର୍ଥାତ୍ ଶ୍ରୀ ଜୀଉମାନେ ଶୋଇବା ପର୍ଯ୍ୟନ୍ତ ଜଳାଇ ରଖାଯାଏ ।
ଏହାପରେ ଜୀଉମାନଙ୍କର ‘ଅବକାଶ’ ନୀତି ସମ୍ପାଦନା ହୋଇଥାଏ ।
~ ଦିବ୍ୟନୀତି ୩ ~
~ ଅବକାଶ ~
ମଇଲମ ଉପରାନ୍ତେ ଦିଅଁଙ୍କର ଦନ୍ତମାର୍ଜନ କର୍ମ ଆରମ୍ଭ ହୁଏ । ଏଥିପାଇଁ ୩ଟି ମେଜ ଓ ୩ଟି ପିଢ଼ା ପକାଯାଏ । ଗରାବଡୁ ୩ଟି ଗଡୁ ରେ ପାଣି ଆଣନ୍ତି, ଆସ୍ଥାନ ପ୍ରତିହାରୀ ୩ଟି ଦର୍ପଣ ଦେବବିଗ୍ରହମାନଙ୍କର ସମ୍ମୂଖରେ ରଖନ୍ତି । ଏଇ ଦର୍ପଣୀ ଏକ ଉଜ୍ଜ୍ୱଳ କାଂସ୍ୟ ନିର୍ମିତ ଦର୍ପଣ, ଏହାର ବଇଠି ଅଷ୍ଟଧାତୁରେ ନିର୍ମିତ ହୋଇ ତଳେ ଏକ ପାତ୍ରରେ ସଂଯୁକ୍ତ ହୋଇଥାଏ ।
ଏହି ଦର୍ପଣି ଦିଅଁ ମାନଙ୍କ ସମ୍ମୁଖରେ ରଖିବା ପରେ ସେଥିରେ ବିଗ୍ରହମାନଙ୍କ ପ୍ରତିବିମ୍ବ ପଡ଼ିଲେ ୩ ଜଣ ସେବକ କିଛି ଦୂରରେ ରହି କୁମ୍ଭାଟୁଆ ଦାନ୍ତକାଠି ନେଇ ଦାନ୍ତ ଘଷନ୍ତି ଏବଂ ସ୍ବର୍ଣ୍ଣ ନିର୍ମିତ ଜିଭଛେଲାରେ ଜିଭ ପରିଷ୍କାର କରନ୍ତି । ଏହାକୁ ‘ଅବକାଶ’ କୁହାଯାଏ ।
ଏହାପରେ ବିଗ୍ରହମାନଙ୍କର ସ୍ନାନ କାର୍ଯ୍ୟ ସମ୍ପାଦନ ହୁଏ । ଏହି ନୀତି ପୁଷ୍ପାଳକ, ସୁଆରବଡୁ, ପଣିଆପାଟ, ମୁଖପଖାଳ ପଢିଆରୀ, ଅଁଳା ଘଟୁଆରୀ, ଭଣ୍ଡାର ମେକାପ, ମହାଭୋଇ, ଖୁରି ନାୟକ ସମ୍ପାଦନ କରିଥା’ନ୍ତି । ପୁଷ୍ପାଳକ ତିନିଜଣ ରତ୍ନ ବେଦୀ ତଳେ ବସି ସାଧାରଣ ପୂଜା କରିଥା’ନ୍ତି, କର୍ପୁର, ଦହି, ଅଁଳା ଓ ଘୋର ଚନ୍ଦନ ମିଶ୍ରିତ ଜଳକୁ ପ୍ରାୟ ଦୁଇ ଫୁଟ ଉଚ୍ଚ ତିନୋଟି ପିତ୍ତଳ ଦର୍ପଣ ଉପରକୁ ଜଳ ସିଞ୍ଚି ପ୍ରତୀକ ସ୍ନାନ କରାଇଥା’ନ୍ତି ।
ପ୍ରଥମେ ଦିଅଁ ମାନେ ପଞ୍ଚାମୃତ ରେ ସ୍ନାନ କରିଥାନ୍ତି, ପରେ ଉଷ୍ଣ ଜଳ, ତୀର୍ଥ ଜଳ, ମନ୍ତ୍ରଜଳ ଏବଂ ବସ୍ତ୍ରକ୍ଷାଳିତ ସୁବାସିତ ଜଳ ସଂସ୍କାର ପୂର୍ବକ ବ୍ୟବହାର କରାଯାଏ । ଦିଅଁଙ୍କର ସେବାପୂଜା ପାଇଁ ବ୍ୟବହୃତ ହେଉଥିବା ସମସ୍ତ ଜଳ ବିମଳାଦେବୀଙ୍କ ସମ୍ମୁଖରେ ଥିବା କୁଅରୁ ଅଣାଯାଏ । ମାତ୍ର ବର୍ଷକରେ ଥରେ କେବଳ ସ୍ନାନ ପୂର୍ଣ୍ଣିମା ଦିନ ଦିଅଁ ମାନେ ଶୀତଳାଦେବୀଙ୍କ ସମ୍ମୁଖରେ ଥିବା କୁଅରୁ (ଏହି କୁଅ ସୁନାକୁଅ ବୋଲି ଜଣା) ଜଳ ଆଣି ବ୍ୟବହାର କରାଯାଏ । ଏହି ସମସ୍ତ ନୀତି ଚାଲିଯିବା ବେଳେ ଖୁରି ନାୟକ ପାଞ୍ଜି ପଢ଼ି ସେଦିନର ତିଥି ଓ ଅନ୍ୟାନ୍ୟ ଗ୍ରହନକ୍ଷତ୍ର ର ସ୍ଥିତି ସମ୍ବନ୍ଧରେ ଶ୍ରୀ ଜୀଉମାନଙ୍କୁ ଶୁଣାଇଥା’ନ୍ତି । ଦିଅଁ ମାନଙ୍କର ଏହି ସ୍ନାନକୁ ‘ମାଜଣା ଅବକାଶ’ କୁହାଯାଏ ।
~ ଦିବ୍ୟନୀତି ୪ ~
~ ସିଂହାର ~
ସ୍ନାନ ଉପରାନ୍ତେ ଦେବ ବିଗ୍ରହମାନଙ୍କର ଶ୍ରୀଅଙ୍ଗ ଶୁଷ୍କବସ୍ତ୍ର ଦ୍ଵାରା ପୋଛା ହୁଏ । ଏଥିରେ ୩ ଜଣ ସିଂହାରୀ ସିଂହାସନ ଉପରକୁ ଉଠି ଦିଅଁ ମାନଙ୍କୁ ପଟ୍ଟବସ୍ତ୍ର ପରିଧାନ ଓ ଅଳଙ୍କାରରେ ଭୂଷିତ କରନ୍ତି । ସ୍ନାନ ପରର ଏହି ବେଶକୁ ‘ସିଂହାର’ କିମ୍ବା ‘ଶୃଙ୍ଗାର’ କୁହାଯାଏ । ସିଂହାର ପରେ ପରେ ମନ୍ଦିର ର ପ୍ରଧାନ ଦ୍ଵାର ସର୍ବସାଧାରଣ ଙ୍କ ପାଇଁ ଖୋଲିଦିଆଯାଏ । ଏହାକୁ ‘ସାହାଣମେଲା’ କୁହାଯାଏ ।
ସାହାଣମେଲା ସମୟରେ ସମ୍ପୃକ୍ତ ସେବକମାନେ ହେଲେ ପୁଷ୍ପାଳକ, ଖୁଣ୍ଟିଆ, ମେକାପ, ତଡଉ କରଣ, ଗୋଚ୍ଛିକାର, ପ୍ରତିହାରୀ, ସୁଆରବଡୁ ଓ ଅନ୍ୟାନ୍ୟ ମନ୍ଦିର କର୍ମଚାରୀ ।
ଦେବ ବିଗ୍ରହମାନଙ୍କର ସିଂହାର ପରେ ମନ୍ଦିର ସ୍ଥଳୀକୁ ଧୌତ କରି ପରିଷ୍କାର କରାଯାଏ । ଏହାକୁ ‘ଧୋପଖାଳ’ କୁହାଯାଏ । ଏଥିପାଇଁ ଆବଶ୍ୟକୀୟ ଜଳ ପାଣିଆପାଟ ସେବକ ଯୋଗାଇଥା’ନ୍ତି । ମନ୍ଦିର ସ୍ଥଳୀ ସଙ୍ଗେ ସଙ୍ଗେ ଶ୍ରୀମନ୍ଦିରର ରୋଷଘର ‘ରୋଷ-ଧୋପଖାଳିଆ’ଙ୍କ ଦ୍ଵାରା ପରିଷ୍କାର କରାଯାଏ ।
ରୋଷପାଇକ ହୋମ ନିମନ୍ତେ କାଠ ଲଗାନ୍ତି, ଅମୋଣିହା ପରିଚ୍ଛା ଏବଂ ମହାସୂପକାର ପୂଜାପଣ୍ଡାଙ୍କୁ ହୋମ ପ୍ରସ୍ତୁତି ସମ୍ବନ୍ଧରେ ଜଣାଇବା ପରେ ପୂଜାପଣ୍ଡା ରୋଷଘରେ ‘ରୋଷହୋମ’ କରନ୍ତି । ହୋମରେ ଗୋଟିଏ ନଡିଆ ପୋଡାଯାଏ । ହୋମ ପରେ ସେଥିରୁ ଅଗ୍ନି ନେଇ ରୋଷକାର୍ଯ୍ୟ ଆରମ୍ଭ ହୁଏ ।
ପୂଜାପଣ୍ଡା ମୁକ୍ତିମଣ୍ଡପ ନିକଟରେ ଥିବା ସୂର୍ଯ୍ୟ ମନ୍ଦିର ରେ ସୂର୍ଯ୍ୟପୂଜା କରନ୍ତି, ୟା ଭିତରେ ପତ୍ରିବଡୁ ଆବଶ୍ୟକୀୟ ଫୁଲ, ତୁଳସୀ, ଘଣ୍ଟ,, ଶଂଖ ଆଦି ସମସ୍ତ ପୂଜା ସାମଗ୍ରୀ ନେଇ ଜୟବିଜୟ ଦ୍ଵାର ନିକଟରେ ରଖିବା ପରେ ପୂଜାପଣ୍ଡା ଦ୍ଵାରପାଳଙ୍କୁ ପୂଜା କରନ୍ତି ସୂର୍ଯ୍ୟ ଓ ଦ୍ଵାରପାଳ ପୂଜାର ଧୂପ ପାଇଁ ଅଗ୍ନି ରୋଷଘରୁ ଅଣାଯାଇଥାଏ ।
~ ଦିବ୍ୟନୀତି ୫ ~
~ ଗୋପାଳବଲ୍ଲଭ ସକାଳଧୂପ ~
ଦ୍ଵାରପାଳ ପୂଜା ପରେ ପ୍ରାୟ ୯ଟା ବେଳକୁ ପୂଜା ଉପଚାର ଆରମ୍ଭ ହୁଏ । ପ୍ରଥମେ ଅଣସରପିଣ୍ଡିରେ ‘ଗୋପାଳବଲ୍ଲଭ’ ଭୋଗ ଲାଗି କରାଯାଏ । ଏଥିରେ ଖଇ, କୋରା, ପାଚିଲା କଦଳୀ, ଦହି, ଲହୁଣୀ, ପଇଡ଼ ଆଦି ନିଃସଖୁଡି ଭୋଗ ଅର୍ପଣ କରାଯାଏ । ଏହା ଜୀଉମାନଙ୍କର ପ୍ରାତଃଭୋଜନ ବା ଜଳଯୋଗ ।
ଗୋପାଳ ବଲ୍ଲଭର ପ୍ରାୟ ଏକ ଘଣ୍ଟା ପରେ ‘ସକାଳଧୂପ’ ଆରମ୍ଭ ହୁଏ । ଧୂପ ପାଇଁ ପୂଜାସ୍ଥାନ ପରିଷ୍କାର କରାଯାଇ ମୁରୁଜ ପଡ଼େ ଏବଂ ଭୋଗ ସାମଗ୍ରୀ ମାନ ସିଂହାସନ ତଳେ ରଖାଯାଇ ପୂଜା କରାଯାଏ । ଏହି ଭୋଗରେ ଖେଚୁଡ଼ି, କାନିକା, ମାଠପୁଳି, କାକତୁଆ, ବୁନ୍ଦି ଝିଲି, କାନ୍ତି, ଏଣ୍ଡୁରି, ହଂସପୁଳି, କ୍ଷିରୀ ଇତ୍ୟାଦି ସଂଖୁଡି ଭୋଗ କରାଯାଇଥାଏ । ପୂଜା ସମୟରେ “ସୁଆରବଡୁ”, ପୂଜାପଣ୍ଡାଙ୍କ ନିକଟରେ ଦର୍ପଣୀ ଧରି ଠିଆ ହୁଅନ୍ତି । ବିଗ୍ରହମାନଙ୍କର ପ୍ରତିଛବି ଦର୍ପଣୀ ଉପରେ ପଡ଼ିବା ପରେ ପ୍ରତିଛବିକୁ ଧ୍ୟାନ କରି ଭୋଗ କରାଯାଏ ।
ପୂଜା ସମୟରେ ଧୂପ ଦୀପ ଆଦି ଦିଆଯାଏ, ଶଂଖ ବଜାଯାଏ । ଭଜନୀ ଝାଞ୍ଜ ବଜାଇ ମନ୍ଦିରର ଚତୁଃପାର୍ଶ୍ଵ ପ୍ରଦିକ୍ଷଣ କରୂଥା’ନ୍ତି । ଶ୍ରୀଜଗନ୍ନାଥଙ୍କ ପୂଜା ଅଷ୍ଟାଦଶ ଅକ୍ଷର ଗୋପାଳ ମନ୍ତ୍ରରେ, ଶ୍ରୀ ବଳଭଦ୍ରଙ୍କ ପୂଜା ଭଗବତ ବାସୁଦେବ ମନ୍ତ୍ରରେ ଏବଂ ସୁଭଦ୍ରା ଦେବୀଙ୍କ ପୂଜା ଏକାକ୍ଷରୀ ଭୁବନେଶ୍ଵରୀ ମନ୍ତ୍ରରେ କରାଯାଏ ।
ପୂଜାପୂର୍ବରୁ ରତ୍ନଦ୍ଵାର ବନ୍ଦ କରାଯାଏ, ଏହାକୁ ‘ଟେରା ପକାଇବା’ କୁହାଯାଏ। ଏହାପରେ ପୂଜାପଣ୍ଡା ୩ ଖଣ୍ଡ ବିଡିଆ ରୂପାବଟାରେ ରଖି ଦିଅଁଙ୍କୁ ଲାଗିକରାନ୍ତି । ବିଡିଆଲାଗି ପରେ କର୍ପୁର ଆଳତି ଏବଂ ୨୧ ବତୀ ଆଳତି କରାଯାଏ । ପୂଜା ପରେ ପରେ ଦ୍ଵାର ଖୋଲିଦିଆଯାଏ ଓ ବୋଝିଆମାନେ ଭୋଗକୁ ବାହାରକୁ ନେଇ ଯା’ନ୍ତି ।
~ ଦିବ୍ୟନୀତି ୬ ~
~ ଭୋଗମଣ୍ଡପ ~
ସକାଳଧୂପ ପରେ ପରେ ଶ୍ରୀଜୀଉମାନେ ପୁନର୍ବାର ବେଶ ପରିବର୍ତ୍ତନ କରିଥା’ନ୍ତି, ଏହାକୁ ‘ସିଂହାର’ ବା ‘ଶୃଙ୍ଗାର’ କୁହାଯାଏ ।
ସିଂହାର ପରେ ‘ଭୋଗମଣ୍ଡପ’ (ଲୋକମୁଖରେ ‘ଭଅଣ୍ଡ’ ବୋଲି କଥିତ) ଆରମ୍ଭ ହୋଇଥାଏ । ଏ ସମୟରେ ଦିଅଁମାନେ ପାଟବସ୍ତ୍ର ପରିଧାନ କରିଥାନ୍ତି, ଏଥିପାଇଁ କିନ୍ତୁ ଦର୍ପଣୀର ଆବଶ୍ୟକତା ନ ଥାଏ । ଏହି ଭୋଗମଣ୍ଡପ ହେଉଛି ଅତିରିକ୍ତ ଭୋଗ ଯାହାର ପରିମାଣ ଯାତ୍ରୀ ବା ଭକ୍ତମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଧାର୍ଯ୍ୟ କରାଯାଇଥାଏ ।
ଭୋଗମଣ୍ଡପ ପରେ ଦିଅଁ ଙ୍କର ‘ମଧ୍ୟାହ୍ନ ଧୂପ’ ହୋଇଥାଏ । ଏହି ମଧ୍ୟାହ୍ନଧୂପର ସମସ୍ତ ନୀତି ସକାଳ ଧୂପ ପରି ହୋଇଥାଏ ।
ମଧ୍ୟାହ୍ନ ଧୂପ ପରେ ଦିଅଁଙ୍କର ‘ପହୁଡ଼’ ହୋଇଥାଏ । ଏଥିପାଇଁ ଦିଅଁଙ୍କର ବସ୍ତ୍ର ବଦଳାଯାଇଥାଏ । ଗନ୍ତାଘରୁ ୩ଟି ପଲଙ୍କ ଆଣାଯାଇ ଦିଅଁମାନଙ୍କ ସମ୍ମୁଖରେ ରଖାଯାଏ । ବିଜୟା ଦ୍ଵାର ବନ୍ଦକରି ବଡଦ୍ଵାର ପଢିହାରୀ “ମଣିମା ମଣିମା ରତ୍ନସିଂହାସନ ଛାଡ଼ି ରତ୍ନ ପଲଙ୍କରେ ବିଜେ ହୁଅନ୍ତୁ” ବୋଲି ଡାକ ଦେଇ କଳାହାଟ ଦ୍ବାର ବନ୍ଦ କରନ୍ତି ଓ ମୁଦୁଲି ତାଲା ପକାନ୍ତି । ଏହି ପହୁଡ ପ୍ରାୟତଃ ସନ୍ଧ୍ୟା ୫ଟା ଯାଏଁ ଚାଲେ ।
ପହୁଡ ଭାଙ୍ଗିବା ପାଇଁ ମନ୍ଦିର ଦ୍ବାର ଖୋଲା ହେବାପରେ ସେବାୟତଗଣ ଦିଅଁମାନଙ୍କୁ ନିଦ୍ରାଭଙ୍ଗ କରିବାକୁ ନିବେଦନ କରିଥା’ନ୍ତି ।
~ ଦିବ୍ୟନୀତି ୭ ~
~ ସନ୍ଧ୍ୟାଆଳତି, ସନ୍ଧ୍ୟାଧୂପ, ଚନ୍ଦନଲାଗି, ସାହାଣମେଲା ~
ମଧ୍ୟାହ୍ନଧୂପର ପହୁଡ଼ ଭାଙ୍ଗିବା ପରେ ଦିଅଁମାନଙ୍କର ବସ୍ତ୍ର ବଦଳାଯାଇ ପୁଷ୍ପରେ ସଜ୍ଜିତ କରାଯାଇଥାଏ ଏବଂ ଏହାପରେ ‘ସନ୍ଧ୍ୟାଆଳତି’ ହୁଏ ।
ସନ୍ଧ୍ୟାଆଳତି ପରେ ପ୍ରାୟ ୭ଟା ବେଳକୁ ‘ସନ୍ଧ୍ୟାଧୂପ’ କରାଯାଏ । ଏହି ଧୂପରେ ଅବଢ଼ା, ପିଠା, ଡାଲି, ଶାଗ, ବିଭିନ୍ନ ପ୍ରକାରର ତରକାରୀ ଅର୍ପଣ କରାଯାଇଥାଏ ।
ସନ୍ଧ୍ୟାଧୂପ ପରେ ଦିଅଁ ମାନଙ୍କୁ ‘ଚନ୍ଦନଲାଗି’ କରାଯାଏ । ରାତ୍ର ପ୍ରାୟ ୯ଟାରୁ ୧୦ଟା ପର୍ଯ୍ୟନ୍ତ ପୁନଃ ‘ସାହାଣମେଲା’ ହୋଇଥାଏ ।
~ ଦିବ୍ୟନୀତି ୮ ~
~ ବଡସିଂହାର ବେଶ, ବଡଶୃଙ୍ଗାର, ବଡସିଂହାର ଧୂପ ~
ସନ୍ଧ୍ୟାଧୂପ ପରେ ରାତି ପ୍ରାୟ ୧୦ଟା ବେଳକୁ ଦିଅଁମାନଙ୍କର ବେଶ ପରିବର୍ତ୍ତନ କରାଯାଇ ଦେହରେ କର୍ପୁର, କେଶର, କସ୍ତୁରୀମିଶ୍ରିତ ଚନ୍ଦନ ଲେପନ କରାଯାଏ । ଏହାକୁ ‘ବଡସିଂହାର ବେଶ’ କୁହାଯାଏ । ଏହାକୁ ଅନ୍ୟ ପ୍ରକାରେ ‘ବଡ ଶୃଙ୍ଗାର’ ମଧ୍ୟ କୁହାଯାଇଥାଏ । ଏହି ବେଶରେ ବହୁ ଅଳଙ୍କାର ଓ ବିଭିନ୍ନ ପ୍ରକାର ଫୁଲମାନ ବ୍ୟବହୃତ ହୋଇଥାଏ । ଯେଉଁ ପାଟବସ୍ତ୍ର ଦିଅଁମାନେ ପରିଧାନ କରନ୍ତି ସେଥିରେ ଜୟଦେବଙ୍କ ରଚିତ ଗୀତଗୋବିନ୍ଦର ଶ୍ଳୋକମାନ ଲେଖା ଯାଇଥାଏ ।
ବଡ଼ସିଂହାର ବେଶ ପରେ ରାତ୍ର ପ୍ରାୟ ୧୧ଟା ବେଳକୁ ‘ବଡ଼ସିଂହାର ଧୂପ’ ହୋଇଥାଏ । ଏହି ଧୂପରେ ପଖାଳ, କାଞ୍ଜି, କ୍ଷିରୀ, ପଣା, ଦହି, କଦଳୀ ଆଦି ୧୨ ପ୍ରକାରର ଭୋଜ୍ୟଦ୍ରବ୍ୟ ଅର୍ପଣ କରାଯାଏ । ପୂଜାପଣ୍ଡା ଅନ୍ୟ ସମସ୍ତ ଭୋଗ ସିଂହାସନ ଉପରେ ବସି କରୁଥିବାବେଳେ ଏହି ଭୋଗ ସିଂହାସନ ତଳେ ବସି କରିଥା’ନ୍ତି ।
~ ଦିବ୍ୟନୀତି ୯ ~
~ ଶୟନଠାକୁର ବିଜେ ~
ବଡ଼ସିଂହାର ଧୂପ ପରେ ପ୍ରାୟ ରାତ୍ର ୧୧.୪୫ ରୁ ୧୨ଘଟିକା ମଧ୍ୟରେ ଦିଅଁ ମାନଙ୍କର ଶୟନ ଏବଂ ପହୁଡ଼ ହୋଇଥାଏ । ଶୟନ ନିମନ୍ତେ ଖଟଶେଯମେକାପ ରତ୍ନ ସିଂହାସନ ସମ୍ମୁଖରେ ଶେଯ ପଡିଥିବା ୩ଟି ପଲଙ୍କ ପକାନ୍ତି । ଗରାବଡୁ ୩ଟି ଗଡୁରେ ଘଷାଜଳ ରଖିଥାନ୍ତି । ଶୟନ ନିମନ୍ତେ ନିର୍ଦ୍ଦିଷ୍ଟ ଥିବା ଚଳନ୍ତି ପ୍ରତିମାକୁ ଅଣାଯାଇଥାଏ । ଶୟନ ଠାକୁର ବୋଲି ଭଣ୍ଡାରଘରେ ସୁବର୍ଣ୍ଣ ପ୍ରତିମା ଥା’ନ୍ତି । ଏହି ଶୟନ ଠାକୁରଙ୍କୁ ଗରାବଡୁ ଏବଂ ପୁଷ୍ପାଳକ ଆଣି ସିଂହାସନରେ ବସାଇ ଆଳତି କରି ପରେ ଠାକୁରମାନଙ୍କୁ ଜୟବିଜୟ ଦ୍ଵାର ନିକଟକୁ ନିଆଯାଇ ସେଠାରେ ଥିବା କଳାଡମ୍ବରୁ ଉପରେ ସ୍ଥାପନା କରନ୍ତି । ଏ ସମୟରେ ‘ବୀଣାକର’ ବୀଣା ବଜାନ୍ତି, କାହାଳିଆ କାହାଳୀ ବଜାନ୍ତି । ଏହାପରେ ଶୟନ ଠାକୁରଙ୍କୁ ନେଇ ରତ୍ନ ପଲଙ୍କରେ ଶୁଆଇ ଦିଆଯାଏ ।
ଣୟନଠାକୁର ବିଜେ ହୋଇ ଆସିବା ପରଠାରୁ ଯିବା ପର୍ଯ୍ୟନ୍ତ ସିଲ୍କ କିମ୍ବା ପାଟବସ୍ତ୍ର ପରିହିତା ଜଗନ୍ନାଥଙ୍କ ‘ଦେବଦାସୀ’ ବା ‘ଭିତରଗାୟାଣୀ’ ‘ଗୀତଗୋବିନ୍ଦ’ ଗାନ କରିବାର ନୀତି ରହିଛି (ବର୍ତ୍ତମାନ ଅବଶ୍ୟ ଏହି ଦେବଦାସୀ ସେବାକାର୍ଯ୍ୟ ହେଉନାହିଁ) । ଗୀତଗୋବିନ୍ଦ ଗାନ ପରେ ଆଲୋକ ଓ ଦୀପ ଲିଭାଇ ଦିଆଯାଏ । ମୁଦୁଲି ଭିତର କବାଟ ବନ୍ଦ କରି ତାଲା ପକାନ୍ତି । ତଳିଛୁ ମହାପାତ୍ର ତାଲାକୁ ମାଟିରେ ମୁଦ ଦିଅନ୍ତି । ଏହାପରେ ଦିଅଁ ମାନଙ୍କର ଗୋଟିଏ କର୍ମମୟ ଦିନର ସମାପ୍ତି ଘଟେ ।
ସୌଜନ୍ୟ: “ସମାଜ”
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…
View Comments
ଜୟ ଜଗନ୍ନାଥ ସ୍ଵାମୀ, ନୟନ ପଥଗାମୀ ଭବତୁ ମେ।
ଜୟ ଜଗନ୍ନାଥ ଭାଇ, ଅଶେଷ ଅଶେଷ ଧନ୍ୟବାଦ, ସର୍ବମଙ୍ଗଳ ହେଉ ❤️❤️????