ଲେଖା: ଦେବ ତ୍ରିପାଠୀ
ଦିଗନ୍ତ ବିସ୍ତାରି ପାହାଡ଼ର ପହଣ୍ଡି ‘ଦିଗପହଣ୍ଡି’ । ଦିଗ ଓ ପୁଦିଆ ସର୍ଦ୍ଦାରଙ୍କ କିମ୍ବଦନ୍ତୀର ଗାଁ ଦିଗପହଣ୍ଡି । ଭୀମସେନ ପାଣିଗ୍ରାହୀଙ୍କ ‘ଖେମୁଣ୍ଡି ଇତିହାସ’ (୧୯୦୯) ବିବର୍ତ୍ତିତ ଇତିହାସର ସ୍ବାକ୍ଷର ବହନ କରେ ଦିଗପହଣ୍ଡି ।
ଢୁମ୍ପା, କଳାସଂସ୍କୃତି, ସାହିତ୍ୟ, ଗଡ଼ଜାତୀୟ ଇତିହାସ ଓ ଐତିହ୍ୟ ସୁରଭିତ ଦିଗପହଣ୍ଡି ମାଟି ମଧ୍ୟ ଗର୍ବ କରେ ଜଣେ ଡ୍ରଇଂ ମାଷ୍ଟ୍ରଙ୍କ ପାଇଁ !
ସେ ଦିଗପହଣ୍ଡିର ଡ୍ରଇଂମାଷ୍ଟ୍ରେ ଡ. ଦିନନାଥ ପାଠୀ ।
କେନ୍ଦ୍ରୀୟ ବିଦ୍ୟାଳୟରୁ “ଦିଗପହଣ୍ଡିର ଡ୍ରଇଂମାଷ୍ଟ୍ରେ”ର ପରିଚିତିରୁ ଆଗକୁ ଯାଇ ସେ ହୋଇଥିଲେ ନୃତ୍ୟ, କଳା ଓ ଇତିହାସର ଗବେଷକ ତଥା ଦିଗ୍ଗଜ ପଣ୍ଡିତ I ନାଟକର ପରଦା ଅଙ୍କନରୁ ଚିତ୍ର ଆରମ୍ଭ କରି ସେ ବନିଯାଇଥିଲେ ଓଡ଼ିଶା ଚିତ୍ରକଳା ଜଗତର ସୁଯୋଗ୍ୟ ବିନ୍ଧାଣୀ I
ଶିକ୍ଷକତାରୁ ରାଜ୍ୟ ସଂଗ୍ରହାଳୟରେ କ୍ୟୁରେଟର, ଓଡ଼ିଶା ପର୍ଯ୍ୟଟନର ଡିଭିଜନାଲ ମ୍ୟାନେଜର, ବିଭୂତି କାନୁନ୍ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ, ନୂଆଦିଲ୍ଲୀସ୍ଥିତ ଏକାଡେମୀ ଅଫ ଆର୍ଟର ସମ୍ପାଦକ ତଥା ପ୍ରଥମ ଓଡ଼ିଆ ଭାବରେ କେନ୍ଦ୍ର ଲଳିତ କଳା ଏକାଡେମୀର ସଚିବ ଭାବରେ ଦିନନାଥ ପାଠୀ ଆଙ୍କିଥିଲେ କଳାଜଗତର ଅନେକ ଫର୍ଦ, ଗଢିଥିଲେ ଅନେକ ସଫଳ ଚିତ୍ରକରଙ୍କୁ I
ଦେଶବିଦେଶରେ ବିଭିନ୍ନ ଚାରୁକଳା ପ୍ରଦର୍ଶନୀରେ ତାଙ୍କ କଳାକୃତି ପ୍ରଦର୍ଶିତ ହୋଇ, ସେ ଓଡ଼ିଶା ଚାରୁକଳାକୁ ଦେଇଥିଲେ ସ୍ୱତନ୍ତ୍ର ପରିଚୟ । ସୋଭିଏତ ସଂଘ ଓ ସୁଇଡେନ ହୋଇଥିବା ଭାରତ ଉତ୍ସବ, ବାଲି-ଇଣ୍ଡୋନେସିଆରେ କଳିଙ୍ଗ-ବାଲିଯାତ୍ରା, କାଏରୋରେ ଅନୁଷ୍ଠିତ ୪ର୍ଥ ବିନାଲେ, ବେଇଜିଙ୍ଗର ଆର୍ଟ ଏକ୍ସପୋ, ଓ ସପ୍ତମ ଭାରତ ଟ୍ରିନାଲେ ଆଦି ଜାତୀୟ କଳା-ପ୍ରକଳ୍ପର ସେ ଥିଲେ ମୁଖ୍ୟ ବିନ୍ଧାଣୀ । ଜୀବଦ୍ଦଶାରେ ସେ ଆଙ୍କିଥିଲେ ପ୍ରାୟ ୬୦୦ରୁ ଉର୍ଦ୍ଧ୍ୱ ଚିତ୍ର ।
ଓଡ଼ିଆ ଚାରୁକଳା ଜଗତର ସୁବର୍ଣ୍ଣଯୁଗର ନିୟନ୍ତା ଥିଲେ ସେ, ସାହିତ୍ୟ, ଇତିହାସର ଗବେଷଣା କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ଅବଦାନ ଥିଲା ଡଃ ପାଠୀଙ୍କର I
ବିଷୁବ ପୁରସ୍କାର, ରାଷ୍ଟ୍ରପତିଙ୍କ ରଜତ ଫଳକ (କଳା ଇତିହାସର ଗବେଷଣା ପାଇଁ), ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଜବାହରଲାଲ ଫେଲୋସିପ, ଚାଇନା ଆର୍ଟ ଏକ୍ସପୋଜିସନ ପରି ସମ୍ମାନରେ ମଣ୍ଡିତ ହୋଇ ଦିନନାଥ ପାଠୀ ଓଡ଼ିଶାବାସୀଙ୍କୁ କରିଛନ୍ତି ଗୌରବାନ୍ୱିତ I
ବିଶ୍ୱଭାରତୀ ଶାନ୍ତିନିକେତନ ଓ ଉତ୍କଳ ବିଶ୍ଵବିଦ୍ୟାଳୟରୁ ପି.ଏଚ.ଡି ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଡ଼ି.ଲିଟ୍ ପ୍ରାପ୍ତି ତାଙ୍କର ନିରବଛିନ୍ନ ଅଧ୍ୟୟନଲିପ୍ସାର ପରିଚୟ ଦିଏ I
ସାମାଜିକ କଥାବସ୍ତୁ ଓ ମାଟି ମା’ର କଥା ତାଙ୍କ ଚିତ୍ର ଓ ସାହିତ୍ୟ ମାଧ୍ୟମରେ ପ୍ରକାଶ ପାଇଥାଏ । ତାଙ୍କ ଆତ୍ମଜୀବନୀ “ଦିଗପହଣ୍ଡିର ଡ୍ରଇଂ ମାଷ୍ଟ୍ରେ” ଦାରିଦ୍ର୍ୟର ଅନାଟନରୁ କଳାଜଗତର ତୁଙ୍ଗଶିଖରକୁ ଯାତ୍ରା ବିଷୟରେ ସୂଚାଏ I
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…