ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ

 

~ ହଜିଯାଇଥିଵା ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ‘ଦାରାକ୍ଷ’ ~
ଅଙ୍ଗୁର କୋଳିକୁ କିଏ ନ ଜାଣେ ? ସାରା ପୃଥିଵୀର ଯେକୌଣସି ହାଟବଜାରରେ ଆଉ କିଛି ମିଳୁ କି ନ ମିଳୁ ଅଙ୍ଗୁର କୋଳି ନିଶ୍ଚୟ ମିଳିଯାଏ । ସାଧାରଣତଃ Vitis ପ୍ରଜାତିର ୮୧ରୁ ଅଧିକ ଜାତିର ଗଛମାନଙ୍କୁ ଅଙ୍ଗୁର ଵା grapevine ଵିଦିତ କରାଯାଇଥାଏ। ତନ୍ମଧ୍ୟରେ ୬୫ଟି ଅଙ୍ଗୁର ଜାତୀୟ ପାଦପ ଏସିଆରେ, ୨୫ଟି ଜାତିର ଅଙ୍ଗୁର ଗଛ ଆମେରିକା ତଥା Vitis Vinifera ନାମକ ଅଙ୍ଗୁର ଜାତି ୟୁରୋପରେ ମୂଳତଃ ଉତ୍ପତ୍ତି ଲଭିଥିଵା ଜଣାଯାଇଛି । କେତେକ ଗଵେଷକ କୁହନ୍ତି ଯେ ଭାରତକୁ ଦ୍ରାକ୍ଷାଫଳ ଵା ଅଙ୍ଗୁରକୁ ପୂର୍ଵ ଏସିଆରୁ ପାରସ୍ୟର ଲୋକେ ୧୩୦୦ ଖ୍ରୀଷ୍ଟାବ୍ଦରେ ଆଣିଥିଲେ ।
କିନ୍ତୁ କେତେକ ପୁରାତନ ସଂସ୍କୃତ ଗ୍ରନ୍ଥରେ ଦ୍ରାକ୍ଷାର ଉଲ୍ଲେଖ ଏହି ମତ ପ୍ରତି ସନ୍ଦେହ ଜାତ କରାଇଥାଏ । ନିମ୍ନରେ ପ୍ରାଚୀନ ଗ୍ରନ୍ଥରେ ଦ୍ରାକ୍ଷା ଶବ୍ଦ ପ୍ରୟୋଗ ହୋଇଥିଵାର କେତେକ ଉଦାହରଣ ପ୍ରଦତ୍ତ ହେଲା . .
“ଅଭୟାମଳକଂ ଦ୍ରାକ୍ଷା ପିପ୍ପଳୀ କଣ୍ଟକାରିକା ।
ଶୃଙ୍ଗୀ ପୁନର୍ନଵା ଶୁଣ୍ଠୀ ଜଗ୍ଧା କାସଂ ନିହନ୍ତି ଵୈ ॥”
(୧,୧୯୩.୧୧, ଗରୁଡ଼ପୁରାଣ)
“ପୁନ୍ନାଗା ଶୋକ ବକୁଳ ଶମୀ ତିଳକ ଚମ୍ପକାନ୍।
ଦାଡ଼ିମୀ ପିପ୍ପଳୀ ଦ୍ରାକ୍ଷା ତଥା କୁସୁମମଣ୍ଡପାନ୍ ॥”
(ମତ୍ସ୍ୟ ପୁରାଣ, ଅଧ୍ୟାୟ ୨୫୫)
“କାରଵ୍ଯଜାଜୀମରିଚଂ ଦ୍ରାକ୍ଷା ଵୃକ୍ଷାମ୍ଲଦାଡ଼ିମମ୍ ।
ସୌଵର୍ଚ୍ଚଳଂ ଗୁଡ଼ଂ କ୍ଷୌଦ୍ରଂ ସର୍ଵାରୋଚନନାଶନମ୍ ॥”
(ଅଗ୍ନିପୁରାଣ ଅଧ୍ୟାୟ ୨୮୫)
ବହୁଭାର୍ଯ୍ୟା ନାରିକେଳା ଦ୍ରାକ୍ଷା ସର୍ଵାଙ୍ଗସୁନ୍ଦରୀ।
ରତିପ୍ରଦା ତଥା କୋଳୀ କେତକୀ ଶତ୍ରୁନାଶିନୀ ॥”
(ପଦ୍ମପୁରାଣ, ସୃଷ୍ଟି ଖଣ୍ଡ)
“ମାଂସାକ୍ଷଂ ଦୁଵିଶାକଂ ଚ ବୁବୁଚେତା କୁରସ୍ତଥା ।
କଫାଳକଂ କଣା ଦ୍ରାକ୍ଷା ଲକୁଚଂ ଚୋଚମେଵ ଚ ॥”
(ବ୍ରହ୍ମାଣ୍ଡପୁରାଣ, ମଧ୍ଯଭାଗ)
“ଉଦୁମ୍ବରଂ ନାଳିକେରଂ ଦ୍ରାକ୍ଷା ଚ ବୃହତୀଦ୍ଵୟମ୍ ।
କଙ୍କାଳୀ କାକତୁଣ୍ଡୀରଂ କରୀରକୁଟଜଂ ଶମୀ ॥”
(ଭଵିଷ୍ୟପୁରାଣ, ଉତ୍ତରପର୍ଵ)
“ଅମ୍ଲଂ ପରୂଷକଂ ଦ୍ରାକ୍ଷା ବଦରାଣ୍ଯାରୁକାଣି ଚ ।
ପିତ୍ତଶ୍ଲେଷ୍ମପ୍ରକୋପୀଣି କର୍କନ୍ଧୁନିକୁଚାନ୍ଯପି ॥”
(ଚରକ ସଂହିତା – ୧,୨୭)
ତେବେ କେହି କେହି ଦ୍ରାକ୍ଷା ଶବ୍ଦର ଶାସ୍ତ୍ରରେ ପ୍ରୟୋଗକୁ ଅର୍ଵାଚୀନ କହିପାରନ୍ତି କାରଣ ପୂର୍ଵେ ପ୍ରାଚୀନ ଶାସ୍ତ୍ର ଏକ ପିଢ଼ିରୁ ଅନ୍ୟ ପିଢି଼କୁ ଜ୍ଞାନ ଆକାରରେ ପ୍ରଦାନ କରାଯାଉଥିଵାରୁ ତହିଁରେ ସମୟ ସହ ପରିଵର୍ତ୍ତନ ହୋଇଥିଵା ସମ୍ଭଵ । ହେଲେ ଏମନ୍ତ ହୋଇପାରେ ଯେ ଭାରତରେ ଅଙ୍ଗୁର କୋଳି ଵିଷୟରେ ବହୁତ ଆଗରୁ ଲୋକେ ଜାଣିଥିବେ ତେଣୁ ଏହାର ଅନେକ ଭାରତୀୟ ନାମ ଦିଆଯିଵା ସହ ଏଥିରୁ ଵିଭିନ୍ନ ପାନୀୟ ପ୍ରସ୍ତୁତ ହେଉଥିଲା ଫଳରେ ତହିଁର ଅନେକ ଶାସ୍ତ୍ରୀୟ ନାମ ଥିଵା ଜଣାଯାଏ । ଅଙ୍ଗୁର କୋଳିରୁ ପ୍ରସ୍ତୁତ ମଦ୍ୟକୁ ପରିସ୍ରୁତା, ମଦ୍ଧିକ, ମାଧ୍ଵୀକ, ମାର୍ଦ୍ଦିକସ୍ଵାଦୁରସା ଆଦି କୁହାଯାଉଥିଲା । ପୁନଶ୍ଚ ରାଗଷଡ଼ଵ ନାମରେ ଅଙ୍ଗୁର କୋଳିର ରସରୁ ଏକ ପ୍ରକାରର ଉତ୍କୃଷ୍ଟ ପାନୀୟ ମଧ୍ୟ ପ୍ରସ୍ତୁତ ହେଉଥିଲା ।‌ ଆଗେ ମୁଗର ୟୂଷରେ ଡ଼ାଳିମ୍ବର ଓ ଦ୍ରାକ୍ଷାର ରସ ମିଶ୍ରିତ କରି ଯେଉଁ ସୁଖକର ପାନୀୟ ପ୍ରସ୍ତୁତ ହେଉଥିଲା ତାକୁ ରାଗଷଡ଼ଵ କୁହାଯାଉଥିଲା ।
ଏ ଦେଶରେ “ଅଙ୍ଗୁର କୋଳି” ପ୍ରାଚୀନ କାଳରୁ ଅନ୍ତତଃ ୨୦୦୦ ଵର୍ଷ ପୂର୍ଵରୁ ଖାଦ୍ୟ ରୂପେ ଵ୍ୟଵହୃତ ଅତଃ ଏହାର ଅନେକ ଶାସ୍ତ୍ରୀୟ ନାମ ରଖାଯାଇଥିଲା ।
ଅଙ୍ଗୁର କୋଳିର ଦ୍ରାକ୍ଷା, ମୃଦ୍ଵୀକା, ଗୋସ୍ତନୀ, ସ୍ଵାଦ୍ଵୀ, ମଧୁରସା, ଚାରୁଫଳ, କୃଷ୍ଣା, ପ୍ରିୟାଳା, ତାପସପ୍ରିୟା, ଗୁଚ୍ଛଫଳା, ରସାଳା, ଯକ୍ଷ୍ମଘ୍ନୀ, ଶତଵୀର୍ଯ୍ୟା, ହରହ୍ବରା, ଅମୃତଫଳା, ହାରଭୂରା, କ୍ଷୌଦ୍ରରସା ଇତ୍ୟାଦି ଅନେକ ଶାସ୍ତ୍ରୀୟ ନାମ ରହିଛି ତେବେ ଏହି ସବୁ ନାମ ମଧ୍ୟରେ ଦ୍ରାକ୍ଷା ନାମଟି ଅଧିକ ଲୋକପ୍ରିୟ ।‌
ଅଙ୍ଗୁର କୋଳିର ଶାସ୍ତ୍ରୀୟ ନାମ ‘ଦ୍ରାକ୍ଷା’ର ନିରୁକ୍ତି ଵିଷୟରେ କଳ୍ପଦ୍ରୁମ ସଂସ୍କୃତ ଅଭିଧାନରେ ଲେଖାଅଛି . . “ଦ୍ରାଙ୍କ୍ଷ୍ଯତେ କାଙ୍କ୍ଯତେ ଇତି । ଦ୍ରାକ୍ଷି କାଙ୍କ୍ଷେ + ଘଞ୍ ।ଆଗମଶାସନସ୍ଯାନିତ୍ଯତ୍ଵାତ୍ ନ ଲୋପଃ ।”
କିନ୍ତୁ ଓଡ଼ିଆ ଭାଷାରେ ଦ୍ରାକ୍ଷା ଶବ୍ଦଟି ସାହିତ୍ୟରେ ହିଁ ସୀମିତ ଭାବେ ଵ୍ୟଵହୃତ ଏଵଂ କଥିତ ଓଡ଼ିଆ ଭାଷାରେ ସାଧାରଣତଃ ଅଙ୍ଗୁର ଶବ୍ଦ ହିଁ ପ୍ରଚଳିତ ଅଛି । କିନ୍ତୁ ଅନେକ ଓଡ଼ିଆ ଜାଣିନଥିବେ ଯେ ଏହି ଅଙ୍ଗୁର ଶବ୍ଦଟି ଏକ ଵୈଦେଶିକ ଶବ୍ଦ ଏଵଂ ଏହି ଶବ୍ଦଟି ପାର୍ସୀ ମୂଳର ଶବ୍ଦ ଅଟଇ ।
ଆଜି ଏସିଆ ମହାଦେଶର ଅନେକ ଭାଷାରେ ଅଙ୍ଗୁର ଶବ୍ଦ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ଏମନ୍ତକି ପ୍ରାଚୀନ ଗ୍ରୀକ୍ ଭାଷାରେ ମଧ୍ୟ ଅଙ୍ଗୁର ଶବ୍ଦଟି άγγουρα (ángoura) ରୂପେ ପ୍ରଚଳିତ ଥିଵା ଜଣାଯାଏ । ‘vitis’ Genus ଅନ୍ତର୍ଗତ ଅନେକ speciesର ଲତିକାକୁ ଅଙ୍ଗୁର କୁହାଯାଏ । ଉତ୍ତର ଆମେରିକା, ମଧ୍ୟ ଏସିଆ,ହିମାଳୟ ପର୍ଵତମାଳା ତଥା ପୂର୍ଵ ଏସିଆରେ ଏ ଲତିକାଟି ଭିନ୍ନ ଜାତିରେ ମିଳିଥାଏ ଏଵଂ ଆଧୁନିକ ଗ୍ରାଫ୍ଟିଙ୍ଗ୍ ଯୋଗୁଁ ଆଜି ନୂଆ ନୂଆ କିସମର ଅଙ୍ଗୁର କୋଳି ଆମେ ଵିପଣିମାନଙ୍କରେ ଦେଖିଵାକୁ ପାଇଥାନ୍ତି ।
ଅଙ୍ଗୁର ଶବ୍ଦର ମୂଳ ଅସ୍ପଷ୍ଟ କିନ୍ତୁ ଏହା ପାର୍ସୀ ତଥା ଗ୍ରୀକ୍ ଭାଷାରେ ଚଳୁଥିଵା ଜଣାଯାଏ ‌। ଆରବୀରେ ଅଙ୍ଗୁରକୁ عِنَب (ʿinab) କୁହାଯାଏ । ଭାଷାଵିଦମାନେ ଏହାର ମୂଳ ଆରବିକ୍ ଧାତୁରୂପ ع ن ب (ʿ-n-b) ନିର୍ଣ୍ଣୟ କରିଛନ୍ତି । ପ୍ରାକ୍ ସେମେଟିକରେ *ʿanbab ଶବ୍ଦ ଫଳ ଓ ପୁଷ୍ପ ଅର୍ଥରେ ପ୍ରୟୋଗ ହେଉଥିଲା । ଆରବିକ୍ عُنَّاب‎ (ʿunnāb, “jujube”), ହିବ୍ରୁ עֵנָב‎ (ʿēnāḇ, “grape”) ଓ עֲנָבָה‎ (ʿănāḇā), ଆରାମାଇକ୍ עֲנָבָא‎ (ʿănnāḇā, “stalk of grapes”) , עִנְּבָא‎ (ʿinneḇā, “cluster of grapes”), עִנְבְּתָא‎ (ʿinbəṯā, “berry”), ଶାସ୍ତ୍ରୀୟ ସିରିଆଇକ୍‌ରେ Syriac ܥܷܢܒ݂݁ܳܬܐ‎ (ʿinbəṯā, “berry”), ୟୁଗାରିଟିକ୍‌ରେ ??? (ġnb, “grape(s)”), ସାବାଇଆନରେ ???‎ (ʿnb, “vineyard”), ଗୀଜ୍ ଭାଷାରେ ሕንባብ (ḥənbab), ሕባብ (ḥəbab, “grape; grain”), ଓ thus حَبّ‎ (ḥabb, “seed”), ତଥା ଆକ୍କାଡି଼ଆନ୍ ଭାଷାରେ ? (inbum, “fruit”) ଇତ୍ୟାଦି ଶବ୍ଦ ଏହା ସହିତ ସମୋଦ୍ଧୃତ । ସେହିପରି ଇଂରାଜୀ ଭାଷାରେ ଅଙ୍ଗୁରକୁ grape କୁହାଯାଏ ଯାହା ଫ୍ରେଞ୍ଚ୍ ମୂଳର grape, grappe, crape (“ଫଳ ଵା ଫୁଲର ପେନ୍ଥା,ଅଙ୍ଗର ପେନ୍ଥା) ଶବ୍ଦରୁ ନିଆଯାଇଛି । Grape ଶବ୍ଦର ମୂଳ ଭାରୋପୀୟ ଶବ୍ଦରୂପ *ger- (“to turn, bend, twist”) ବୋଲି ପାଶ୍ଚାତ୍ୟ ଭାଷାଵିଦମାନଙ୍କ ମତ ।
ଏହା ଜାଣି କେହି କେହି ଆପଣା ମନରେ ଭାବି ପାରନ୍ତି ଯେ ସେମେଟିକ୍ ମୂଳର ʿanbab ଓ ଭାରୋପୀୟ ମୂଳର *ger ମୂଳ ଶବ୍ଦଦ୍ଵୟକୁ ଯୁକ୍ତ କରି ପାର୍ସୀରେ ଅଙ୍ଗୁର ଶବ୍ଦଟି ସୃଷ୍ଟି ହୋଇଥାଇପାରେ କିନ୍ତୁ ଏହା ହେଵା ସେତେଟା ସହଜ ନୁହେଁ କି ଏମିତି ଗୋଟିଏ ଶବ୍ଦ ସହଜରେ ପୁଣି ତତ୍କାଳୀନ ଵିଶ୍ଵରେ ସୃଷ୍ଟି ହୋଇନପାରେ ।
ମତାନ୍ତରେ ସଂସ୍କୃତ ଅଞ୍ଜୀର ଶବ୍ଦ ସହିତ ଅଙ୍ଗୁର ଶବ୍ଦ ସମୋଦ୍ଧୃତ ହୋଇଥିଵା ସମ୍ଭଵ । କଳ୍ପଦ୍ରୁମ ସଂସ୍କୃତ ଅଭିଧାନରେ ଅଞ୍ଜୀର ଶବ୍ଦର ନିରୁକ୍ତି ଲେଖାଅଛି, “ଅଞ୍ଜ + ଭାଵେ ଇଞ୍ ସ୍ତ୍ରିୟାଂ ଵା ଙୀପ୍ ଅଞ୍ଜୀମ୍ ଅଗ୍ନିକାରିତ୍ଵାଦି ଗୁଣଂ ରାତି ଦଦାତି ଅଞ୍ଜୀ ଆତୋଽନୁପସର୍ଗେ ଇତି କର୍ତ୍ତରି କଃ । ଅଥଵା ଅଞ୍ଜ + ଈରମ୍” ସାଧାରଣତଃ ଡିମ୍ବିରି ଫଳକୁ ସଂସ୍କୃତ ଭାଷାରେ ଅଞ୍ଜୀର କୁହାଯାଏ । ସମ୍ଭଵତଃ ଅଞ୍ଜୀର ଵା ଡିମ୍ବିରି ଭଳି ଦୃଶ୍ୟ ହେଉଥିଵାରୁ ଏଵଂ ଏକ ସ୍ଥାନରେ ପେନ୍ଥା ପେନ୍ଥା ହୋଇ ଫଳୁଥିଵାରୁ ସେହି ଅର୍ଥ ଘେନି ଅଙ୍ଗୁର ଫଳର ପ୍ରଥମେ ପାର୍ସୀରେ ଅଞ୍ଜୀର ନାମକରଣ ହୋଇଥିଲା ଏଵଂ ପରେ ତାହା ପରିଵର୍ତ୍ତିତ ହୋଇ ଅଙ୍ଗୁର ଶବ୍ଦ ରୂପେ ଚଳୁଅଛି ।
କିଛି ଲୋକ ସଂସ୍କୃତ ଅଙ୍ଗୁଳ ଶବ୍ଦ ସହିତ ପାର୍ସୀରେ ଅଙ୍ଗୁର୍ ଶବ୍ଦର ଵାହ୍ୟ ସାମଞ୍ଜସ୍ୟ ଦେଖି ଅନୁମାନ କରନ୍ତି ଯେ ଏ ଉଭୟ ଶବ୍ଦ ସମୋଦ୍ଧୃତ ହୋଇଥିବେ । ସେମିତି ବି ଅଙ୍ଗୁର କୋଳିର ଆକାର ଆଙ୍ଗୁଠି ପରି ହୋଇଥାଏ । କିନ୍ତୁ ପାର୍ସୀରେ ଆଙ୍ଗୁଠିକୁ انگشد‎(angošt) ଓ انگشت(angošd) କୁହାଯାଏ ଏଵଂ ଏହାର ମଧ୍ୟଯୁଗୀୟ ଶବ୍ଦରୂପ ʾngwst ଥିଲା । ସେହିପରି ଅଙ୍ଗୁର୍ ଶବ୍ଦର ମଧ୍ୟଯୁଗୀୟ ପାର୍ସୀ ରୂପ ngwl (angūr, “grape”) ଥିଲା ତଥା ଏହା ସଂସ୍କୃତ ଅଙ୍ଗୁଷ୍ଠ ସହିତ ସମୋଦ୍ଧୃତ ।
ଅନ୍ୟ ଏକ ଶବ୍ଦ ଅଛି ଯହିଁ ସହିତ ଅଙ୍ଗୁର ଶବ୍ଦର ସଗୋତ୍ରୀୟ ସମ୍ପର୍କ ଥିଵା ଅନୁମାନ କରାଯାଇପାରେ । ସେହି ଶବ୍ଦଟି ହେଉଛି ଅଙ୍କୁଡି଼ ଵା ଆଙ୍କୁଡି଼ ! କିନ୍ତୁ କେମିତି ? ଅଙ୍କୁଡି଼ ଵା ଆଙ୍କୁଡି଼ କେମିତି ଅଙ୍ଗୁର ଶବ୍ଦ ସହିତ ସମୋଦ୍ଧୃତ ହୋଇପାରେ ତାହା ଜାଣିଵା ପାଇଁ ଆମକୁ ଇଂରାଜୀ ଭାଷାରେ ପ୍ରଚଳିତ Grape ଶବ୍ଦର ନିରୁକ୍ତି ଵିଷୟରେ ଜାଣିଵାକୁ ହେଵ ।
ଆମେ ସମସ୍ତେ ଜାଣନ୍ତି ଯେ ଇଂରାଜୀ ଭାଷାରେ ଅଙ୍ଗୁରକୁ Grape କୁହାଯାଏ ଏଵଂ କେତେକ ଭାଷାଵିଦ କୁହନ୍ତି ପ୍ରାଚୀନ ଜର୍ମାନ‌ର krapfo(hook) ଶବ୍ଦଟି ହିଁ ଆଜି ପରିଵର୍ତ୍ତିତ ହୋଇ ଇଂରାଜୀ ଭାଷାରେ Grape ହୋଇଅଛି । ଅନ୍ୟ କେତେକଙ୍କ ମତରେ ଫ୍ରାଙ୍କିସ୍ ଭାଷାର krappō(Hook) ଶବ୍ଦ ପରେ Grape ହୋଇଅଛି । ତେବେ “Grape” ! ଏହି ଶବ୍ଦଟି ପ୍ରୋକ୍ତ ଦୁଇଗୋଟି ଶବ୍ଦ ମଧ୍ୟରୁ ଯେଉଁ ମୂଳରୁ ବି ଆସିଥାଉ ଏହାର ପ୍ରାଚୀନ ଶବ୍ଦରୂପର ପ୍ରାରମ୍ଭିକ ଅର୍ଥ ଥିଲା Hook ଵା ଅଙ୍କୁଶ/ଆଙ୍କୁଡି଼ । ପାର୍ସୀ ସାଧାରଣତଃ ଭାରୋଇରାନୀୟ ଭାଷାଶାଖାର ଭାଷା ହୋଇଥିଵାରୁ ସମ୍ଭଵତଃ ଅଙ୍ଗୁର ଶବ୍ଦଟି ମଧ୍ୟ ଅଙ୍କୁଶ କିମ୍ବା ଆଙ୍କୁଡି଼ ଵା ଅଙ୍କୁଡି଼ ସହିତ ସମୋଦ୍ଧୃତ କୌଣସି ଇରାନୀୟ ଶବ୍ଦରୁ ସୃଷ୍ଟି ହୋଇଥିଵା ସମ୍ଭଵ ।
ଅସ୍ତୁ ଅଙ୍ଗୁର ଶବ୍ଦ କେଉଁ ଶବ୍ଦ ମୂଳରୁ ସୃଷ୍ଟି ହୋଇଅଛି ତାହା ଏଯାଵତ୍ ଭାଷାଵିଦମାନେ ସମାଧାନ କରିପାରିନାହାନ୍ତି । ତେବେ ଏ ଦେଶକୁ ମୁସଲମାନ ଆଗମନ ପୂର୍ଵରୁ ଅଙ୍ଗୁରକୁ ଅଙ୍ଗୁର ନୁହେଁ ଵରଂ ଦ୍ରାକ୍ଷା କୁହାଯାଉଥିଲା । ଦ୍ରାକ୍ଷା ହିଁ ଅଙ୍ଗୁର ଶବ୍ଦର ମୁଖ୍ୟ ଭାରତୀୟ ପ୍ରତିଶବ୍ଦ । ପଣ୍ଡିତ ଜଗନ୍ନାଥ ଦାସ ଓଡ଼ିଆ ଭାଗଵତରେ ଦ୍ରାକ୍ଷା ଶବ୍ଦର ପ୍ରୟୋଗ କରିଯାଇଛନ୍ତି ।
“ଦ୍ରାକ୍ଷା ଈକ୍ଷୁ ଯେ ରମ୍ଭାଵନ ।
ବଦରୀ ଅଭୟା ଯେ ଦ୍ରୁମ ॥”
(ଅଷ୍ଟମ ସ୍କନ୍ଧ,ଭାଗଵତ)
ସେହିପରି ଲାଵଣ୍ୟଵତୀ ତଥା ଵୈଦେହୀଶ ଵିଳାସ ଭଳି ଵିଶିଷ୍ଟ କାଵ୍ୟରେ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ମଧ୍ୟ ଦ୍ରାକ୍ଷା ଶବ୍ଦ ପ୍ରୟୋଗ କରିଛନ୍ତି
“ଏକମୁଖୀ ରୁଦ୍ରାକ୍ଷ ଗ୍ରହଣ ଯୋଗୀ କରେ ବାଳକେ କିଣନ୍ତି ଦ୍ରାକ୍ଷା କେଵଳ କୋଳିରେ ଯେ ।”
(ଲାଵଣ୍ୟଵତୀ, କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ)
“ବୃକଧୂପରେ ଧୂପିତ ସେ ଓକ କଲେ ନିରତ ଦ୍ରାକ୍ଷା ଅଶନରେ ହୋଇ ତୋଷ ଯେ ।”
(ଵୈଦେହୀଶ ଵିଳାସ, କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ)
ମୁସଲମାନ ଆଗମନ ପୂର୍ଵରୁ ଭାରତରେ ଏହି ଦ୍ରାକ୍ଷା ଶବ୍ଦ ହିଁ ଲୋକମୁଖରେ କଥିତ ହେଉଥିଲା ଏଵଂ ଏହା ସହିତ ସମୋଦ୍ଧୃତ ଅନେକ ଦେଶଜ ପ୍ରତିଶବ୍ଦ ଵିଭିନ୍ନ ଭାରତୀୟ ଭାଷାରେ ପ୍ରଚଳିତ ଥିଲା । ହିନ୍ଦୀରେ ଅଙ୍ଗୁରକୁ ଦାଖ୍, ଅହମିଆରେ ଅଙ୍ଗୁରକୁ দাক্ষা (dakha), ବଙ୍ଗାଳୀରେ দ্রাক্ষা (drakkha) ତଥା ଓଡ଼ିଆ ଭାଷାରେ ଅଙ୍ଗୁରକୁ ଦ୍ରାକ୍ଷା ଓ ଦାରାକ୍ଷ କୁହାଯାଉଥିଲା ।
ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଆମେ ଅଙ୍ଗୁର ଅର୍ଥରେ ଦ୍ରାକ୍ଷା ଓ ଵିଶେଷତଃ ଦାରାକ୍ଷ ଶବ୍ଦ ପ୍ରୟୋଗ ହୋଇଥିଵା ଦେଖିଵାକୁ ପାଆନ୍ତି । ସାରଳା ମହାଭାରତରେ ସାରଳା ଦାସ ଅଙ୍ଗୁର ଅର୍ଥରେ “ଦାରାକ୍ଷ” ଶବ୍ଦକୁ ଏମନ୍ତ ଭାବେ ପ୍ରୟୋଗ କରିଛନ୍ତି,
“ସନ୍ୟ ସାଗର ଆଦି ଯେତେକ ରାଜାର ତୁଲେ ଥିଲେ ।
ଆମ୍ୱ ପଣସ କଦଳୀ ଦାରାକ୍ଷ ସମସ୍ତେ ଭୁଞ୍ଜିଲେ ॥”
ସେହିପରି ପଣ୍ଡିତ ବଳରାମ ଦାସଙ୍କ ଜଗମୋହନ ରାମାୟଣରେ ମଧ୍ୟ ଦାରାକ୍ଷ ଶବ୍ଦ ଵ୍ୟଵହାର ହୋଇଅଛି,
“ବେଲ ଯେ ବକୁଳ ଆଉ ତାଳ ଯେ ତିନ୍ତୁଳି ।
ଜାଇଫଳ ଦାରାକ୍ଷ କପିଥ ଚାରକୋଳି ॥”
ଵିଚି ରାମାୟଣରେ କଵି ଵିଚିତ୍ର ଖୁଣ୍ଟିଆ ପୁଷ୍ପ ଫଳର ଵର୍ଣ୍ଣନା ମଧ୍ୟରେ ଦାରାକ୍ଷ ଫଳର ଉଲ୍ଲେଖ କରିଯାଇଛନ୍ତି,
“ବଇଁଚ ଗଙ୍ଗଶିଉଳି ପିରିଖ ଯେ କସି ।
ମଞ୍ଜସାର ଶିରୀଷ ଯେ କେନ୍ଦୁ ବେଲ ମିଶି ।
ଆମ୍ବ ଦାରାକ୍ଷ ଖଜୁରୀ ପଣସ ଓଶସ୍ତ ।
ଏସନେକ ବୃକ୍ଷମାନେ ଅଛନ୍ତି ସମସ୍ତ ।”
××××××××××
“ଆମ୍ବ ଖଜୁରୀ ଦାରାକ୍ଷ ବେତ ବରକୋଳି ।
ଆଖୁ ଅଦା ନରକୋଳି କରମଙ୍ଗା ଓଉ ।
ପାଚଲା ପିଜୁଳି ଯେ ମହୁଲ ଘିଅ ମହୁ ।
କନ୍ତାରୀ ବଙ୍ଗାଳ କୁଣିଆରୀ ଯେ କଂସାରୀ ।
ପରଷନ୍ତି ସଙ୍ଗେ ସଙ୍ଗେ ଭଜା ତରକାରୀ ।
ଯେ ଯାହା ଇଚ୍ଛା କରନ୍ତି ସେ ତାହା ପାଆନ୍ତି ।
ଲୋଭୀ ପେଟୁ ଲୋକେ ଯେ ଲୋଭେଣ ଖାଇଯାନ୍ତି ।”
ତେବେ ଏହି ଦାରାକ୍ଷ ଶବ୍ଦ ଆଜି ବି ଦକ୍ଷିଣ ଓଡ଼ିଶାର କଥିତ ଭାଷାରେ ବଞ୍ଚି ରହିଛି ହେଲେ ଏ ଶବ୍ଦ ଏହି ଅଞ୍ଚଳରେ ଦୁଇଗୋଟି ଭିନ୍ନ ଅର୍ଥରେ ମଧ୍ୟ ପ୍ରୟୋଗ ହୋଇଥାଏ। ପ୍ରଥମତଃ କିସମିସ ଵା ଶୁଖିଲା ଅଙ୍ଗୁରକୁ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ଦାରାକ୍ଷ କୁହାଯାଏ । ସେହିପରି ଆଜିକାଲି ଏକ ଜାତୀୟ ଛଣା ଖାଦ୍ୟଦ୍ରଵ୍ୟକୁ ମଧ୍ୟ ଗଞ୍ଜାମ ଜିଲ୍ଲାରେ ଦାରାକ୍ଷ କୁହାଯାଉଛି । ଏହି ଦାରାକ୍ଷ ନାମକ ଛଣା ଖାଦ୍ୟଦ୍ରଵ୍ୟଟି ଦେଖିଵାକୁ ଅଙ୍ଗୁର ଆକାରର ହୋଇଥିଵାରୁ ଅଙ୍ଗୁରର ପୁରୁଣା ଓଡ଼ିଆ ନାମ ଆଧାରରେ ଏହାକୁ ଦାରାକ୍ଷ କୁହାଯାଉଥିଵା ସହଜେ ଅନୁମେୟ ।
ଦାରାକ୍ଷ ଛଣାଖାଦ୍ୟର ଗଢି଼ଵା ପ୍ରଣାଳୀ ନିମ୍ନରେ ସରଳ ଭାବରେ ଲିଖିତ ହେଲା । ମୁଗଡ଼ାଲିକୁ ବତୁରେଇ ବାଟିଵା ଉତ୍ତାରୁ ସାମାନ୍ୟ ଲୁଣ ପକାଇ ଭଲ ଭାବରେ ଫେଣ୍ଟି କିଛି ସମୟ ରଖିଲା ପରେ ତାହା ସାମାନ୍ୟ ଶୁଖିଯାଏ । ଵିଶେଷ ପ୍ରକାରର ଛାଞ୍ଚ ଵ୍ୟଵହାର କରି ଛଣାଯାଏ ସେହି ମୁଗଡାଲି ବଟାକୁ ତେଲରେ ଛଣାଯାଏ । ଚିନି ସିରା ପ୍ରସ୍ତୁତ କରି ସେଥିରେ ବୁଡ଼ାଇ ପ୍ରସ୍ତୁତ କରାଯାଏ ଦାରାକ୍ଷ ଛଣାଖାଦ୍ୟ ।
ଓଡ଼ିଆ ‘ଦାରାକ୍ଷ’ ଶବ୍ଦଟି ଵୈଦେଶିକ ‘ଅଙ୍ଗୁର’ ଶବ୍ଦ ସହିତ ସଂଘର୍ଷ କରି ପ୍ରାୟ ଅଞ୍ଚଳରୁ ହଜିଯାଇଛି କିନ୍ତୁ ଦକ୍ଷିଣ ଓଡ଼ିଶାରେ ‘ଦାରାକ୍ଷ’ ଶବ୍ଦ ଲୋକମୁଖରେ ଭିନ୍ନ ଅର୍ଥରେ ହେଉ ପଛେ ବଞ୍ଚି ରହିଛି । କିନ୍ତୁ ଏଠାରେ ଵିଚାର କରିଵା କଥା ଯେ ଆମ ଓଡ଼ିଆ ଭାଷାର ଗୋଟିଏ ପ୍ରାଚୀନ ଶବ୍ଦ ‘ଦାରାକ୍ଷ’ ଆଜି କାହିଁକି ଅପ୍ରଚଳିତ ହୋଇଗଲା ?
କାରଣ ଆମେ ଗୋଟିଏ ଵୈଦେଶିକ ଶବ୍ଦ ‘ଅଙ୍ଗୁର’କୁ ଏତେ ମାତ୍ରାରେ ପ୍ରୟୋଗ କଲେ ଯେ ଆମ ଭାଷାରେ ପ୍ରଚଳିତ ‘ଦାରାକ୍ଷ’ ଶବ୍ଦଟି ମାନକ ଭାଷାରୁ ନିଜର ସ୍ଥାନ ହରାଇ ପ୍ରାଚୀନ ଓଡ଼ିଆ ସାହିତ୍ୟ ତଥା ଦକ୍ଷିଣ ଓଡ଼ିଶାର କଥିତ ଓଡ଼ିଆ ଶୈଳୀରେ ବଞ୍ଚିରହିଗଲା ।
Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

5 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

5 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

6 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

1 month ago