~ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର ~
ଲେଖା: ତ୍ରିଲୋଚନ ସ୍ୱାଇଁ
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ। ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର। ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ। ଗୌରବମୟ ଆମ ଅତୀତ ଓ ଇତିହାସ।
ଯାଜପୁରର ଅନ୍ୟତମ ଏକ ପ୍ରାଚୀନ ଶୈବପୀଠ ହେଉଛି ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର। ବିରଜା ମନ୍ଦିର ନିକଟରୁ ଯାଜପୁର-ସିଂହପୁର ରାସ୍ତାରେ ପ୍ରାୟ ଗୋଟେ କିଲୋମିଟର ଦୂର ଗଲାପରେ ରାସ୍ତାର ବାମପାର୍ଶ୍ୱରେ ଏହି ପ୍ରାଚୀନ ମନ୍ଦିରଟି ଦୃଷ୍ଟିଗୋଚର ହୁଏ। ପଶ୍ଚିମାଭିମୁଖୀ ତ୍ରିଲୋଚନେଶ୍ୱର ମନ୍ଦିରକୁ ସିଦ୍ଧିଲାଭର ପ୍ରକୃଷ୍ଟ ପୀଠ ତଥା ଭାରତର ଅନ୍ୟତମ ସ୍ୱୟଂଭୁ ଶିବଲିଙ୍ଗ ଭାବରେ ଗ୍ରହଣ କରାଯାଏ।
ତ୍ରିଲୋଚନେଶ୍ୱର ମନ୍ଦିରର କଳା ଓ ଭାସ୍କର୍ଯ୍ୟକୁ ପରିଲକ୍ଷିତ କଲେ, ଏହା ଗଙ୍ଗ ରାଜତ୍ୱ କାଳର ଦ୍ୱାଦଶ କିମ୍ବା ତ୍ରୟୋଦଶ ଶତାବ୍ଦୀର ନିର୍ମାଣ ବୋଲି ଅନୁମାନ କରାଯାଏ। ମନ୍ଦିରର ଗର୍ଭଗୃହ ରେଖଶୈଳୀର ହୋଇଥିବାବେଳେ ମୁଖଶାଳାଟି ପୀଢ଼ ଶୈଳୀରେ ନିର୍ମିତ। ଏହାର ଗଠନ ଶୈଳୀ ଖୁବ୍ ଚମତ୍କାର। ମନ୍ଦିର ପରିସରରେ ଅନେକ ଗୁଡ଼ିଏ ଶିବଲିଙ୍ଗ ସହିତ ଅନ୍ୟ ଦେବଦେବୀଙ୍କ ଭଗ୍ନ ପ୍ରତିମା ଦେଖିବାକୁ ମିଳେ। ଅଧିକାଂଶ ଶିବଲିଙ୍ଗ ବିଧର୍ମୀ କଳାପାହାଡ଼ ଆକ୍ରମଣ ଦ୍ୱାରା ଭଗ୍ନ।
୧୫୬୮ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ଗଜପତି ମୁକନ୍ଦଦେବ ଗୋହିରାଟିକିରୀ ଯୁଦ୍ଧରେ ନିହତ ହେବା ପରେ, ଯାଜପୁରର ପ୍ରାୟ ସମସ୍ତ ମନ୍ଦିର ଓ କୀର୍ତ୍ତିରାଜି କଳାପାହାଡ଼ର ପ୍ରଚଣ୍ଡ ଆକ୍ରମଣର ଶିକାର ହୋଇଥିଲା। ଦେବଦେବୀଙ୍କ ବିଗ୍ରହକୁ ଭାଙ୍ଗି ବିକଳାଙ୍ଗ କରାଯିବା ସହିତ ଅନେକ ପ୍ରତିମାକୁ ବୈତରଣୀ ନଦୀରେ ଫିଙ୍ଗି ଦିଆଯାଇଥିବାର ଅନୁମାନ କରାଯାଏ। ଏହି ମନ୍ଦିରଟି ମଧ୍ୟ କଳାପାହାଡ଼ର ଘୋର ଆକ୍ରମଣର ଶିକାର ହୋଇଥିଲା।
ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର ପରିସରରେ ପୂଜା ପାଉଥିବା ତିଳଭାଣ୍ଡେଶ୍ୱର ଶିବଲିଙ୍ଗ ଯାଜପୁରର ସର୍ବବୃହତ ଶିବଲିଙ୍ଗ। କଥିତ ଅଛି, ପୂର୍ବେ ଏହି ଶିବଲିଙ୍ଗର ଆକାର ଉଭୟ ଉଚ୍ଚତା ଓ ସ୍ଥୁଳତାରେ ବୃଦ୍ଧି ପାଇବାରୁ, ମନ୍ଦିର ଦ୍ୱାର ବନ୍ଦ ହେବା ପରି ପରିସ୍ଥିତି ସୃଷ୍ଟି ହେଲା। ପୂଜା କରିବାରେ ପୂଜକଙ୍କୁ ଅସୁବିଧା ହେବାରୁ, ଦିନେ ଗଡୁ ଦ୍ୱାରା ଶିବଲିଙ୍ଗ ଉପରେ ସେ ଆଘାତ କରିଥିଲେ, ଏହାପରେ ଶିବଲିଙ୍ଗ ଆଉ ବୃଦ୍ଧି ପାଇଲେ ନାହିଁ। ଏହି ଶିବଲିଙ୍ଗ ଉପରି ଭାଗରେ ଗଡୁ ଆଘାତର ଫାଠ ଚିହ୍ନ ଏବେ ବି ଦେଖିବାକୁ ମିଳେ।
ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର ପରିସରସ୍ଥ ଆଉ ଏକ ମନ୍ଦିରରେ ଅଷ୍ଟାଦଶଭୁଜା ଏକ ଚାମୁଣ୍ଡା ବିଗ୍ରହ କାଳୀ ରୂପରେ ପୂଜା ପାଉଛନ୍ତି। ଏହି ମନ୍ଦିରର ଉଚ୍ଚତା ନଅ ହାତ ହୋଇଥିବାବେଳେ ଦେବୀଙ୍କର ଭୁଜା ସଂଖ୍ୟା ଅଠର। ଏଣୁ ସ୍ଥାନୀୟ ଲୋକେ ଏହାଙ୍କୁ “ନଅହାତ ଦେଉଳରେ ଅଠରହାତ କାଳୀ” ବୋଲି କହିଥାନ୍ତି।
 
ଏହି ପ୍ରତିମାଟି ଭୌମକର ଶାସନ କାଳ ଅଷ୍ଟମ-ନବମ ଶତାବ୍ଦୀର ନିର୍ମାଣ ବୋଲି ଐତିହାସିକମାନେ ମତ ଦିଅନ୍ତି। ଦେବୀଙ୍କ ଅଠର ଗୋଟି ହାତରେ ଖପୁରିମାଳ, ନରମୁଣ୍ଡ, ଖଡ୍ଗ, ତ୍ରିଶୂଳ, ସର୍ପ ଧନୁଶର, ଶଙ୍ଖ, ଡମ୍ବରୁ ଆଦି ବିଭିନ୍ନ ଆୟୁଧ ଶୋଭା ପାଉଥିବା ପୂଜକଙ୍କ ଠାରୁ ଜଣାଯାଏ। ମା’ଙ୍କ ଏହି ମନ୍ଦିର ନିକଟରେ ଏକ କୁଣ୍ଡ ରହିଛି ଏବଂ ଏହି କୁଣ୍ଡ ନିକଟରେ ଏକ ଗରୁଡ଼ ମୂର୍ତ୍ତି ମଧ୍ୟ ରହିଛି।
ଭୌମକରମାନଙ୍କ ଶାସନ କାଳରେ ଯାଜପୁର ଠାରେ ଅନେକ ଗୁଡ଼ିଏ ଚାମୁଣ୍ଡା ମୂର୍ତ୍ତି ନିର୍ମାଣ ହୋଇ ପ୍ରତିଷ୍ଠିତ ହୋଇଥିଲେ। ଏହି ମୂର୍ତ୍ତିଗୁଡ଼ିକ ମଧ୍ୟରେ ଦ୍ବିଭୁଜା, ଚତୁର୍ଭୁଜା, ଷଡ଼ଭୁଜା ଓ ଦଶଭୁଜା ଚାମୁଣ୍ଡା ମୂର୍ତ୍ତି ରହିଛନ୍ତି। ଏହି ମନ୍ଦିର ପରିସରରେ ଅନ୍ୟ ଏକ ଦଶଭୁଜା ଚାମୁଣ୍ଡା ମୂର୍ତ୍ତି ରହିଛନ୍ତି। ଦେବୀ ମୂର୍ତ୍ତିର ବାମ ଦୁଇହସ୍ତ ଭଗ୍ନ ଏବଂ ହସ୍ତରେ ଧାରଣ କରିଥିବା ଆୟୁଧ ଗୁଡ଼ିକ ମଧ୍ୟ ଅସ୍ପଷ୍ଟ।
ଭୌମକର ଶାସନ କାଳରେ ନିର୍ମାଣ ହୋଇଥିବା ପ୍ରାଚୀନ ମନ୍ଦିରମାନଙ୍କର ଭଗ୍ନାବଶେଷ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର ପରିସରରେ ଦେଖିବାକୁ ମିଳେ। କେତେକ ଭଗ୍ନାବଶେଷରେ ପ୍ରାଚୀନ ଶିଳାଲିପି ଥିବା ମଧ୍ୟ ପରିଲକ୍ଷିତ ହୁଏ। ଏହି ମନ୍ଦିରଟି ଯାଜପୁରର ଏକ ସୁପ୍ରସିଦ୍ଧ ଶୈବପୀଠ।
ତଥ୍ୟ : ପତ୍ରିକା “ଋତମ୍ଭରା”
© Trilochan Swain
Trilochaneswar Mahadev Temple  Jajapur
Maa Biraja
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago