Categories: କୋଥଳି

ଉପଯୁକ୍ତ ବେଶ ପକାଇ ଆସ

ସୌରଭିତ ସୃଷ୍ଟି: ଗଳ୍ପସମ୍ରାଟ ମନୋଜ ଦାସ
ପ୍ରଥମ ଠାରୁ ଦ୍ଵାଦଶ ଶ୍ରେଣୀ ଓଡ଼ିଆ ସାହିତ୍ୟ ବହିଗୁଡି଼କ ମଧ୍ୟରେ କେଵଳ ପଞ୍ଚମ ଓ ଦ୍ଵାଦଶ ଶ୍ରେଣୀର ସାହିତ୍ୟ ବହିରେ ମନୋଜ ଦାସଙ୍କ ଦୁଇଗୋଟି ଗଳ୍ପ ସ୍ଥାନ ପାଇଛି । ପ୍ରୋକ୍ତ ‘ଉପଯୁକ୍ତ ବେଶ ପକାଇ ଆସ’ କାହାଣୀଟି ପଞ୍ଚମ ଶ୍ରେଣୀ ଓଡ଼ିଆ ସାହିତ୍ୟ ବହିରୁ ସଂଗୃହୀତ ।
~ ଉପଯୁକ୍ତ ବେଶ ପକାଇ ଆସ ~
ଗୋଟିଏ ରାଜ୍ୟ ଜୟ କଲେ ରାଜା ତାଙ୍କ ପୋଷାକରେ ଖଣ୍ଡିଏ ନୂଆ ହୀରା ଲଗାନ୍ତି । ରାଜ୍ୟ ପରେ ରାଜ୍ୟ, ଚାରି ଛଅ ରାଜ୍ୟ ଜୟ କରି, ପଗଡ଼ି ଓ ପରିଧେୟରେ ଚାରି ଛଅ ଚେକା ହୀରା ଝଲସାଇ ରାଜା ନିଜ ନଅରକୁ ପ୍ରତ୍ୟାଵର୍ତ୍ତନ କରୁଥିଲେ । ଡେରା ପଡ଼ିଥିଲା ଗୋଟିଏ ପର୍ଵତର ପାଦଦେଶରେ । ଦୁଇ-ରାଜ୍ୟ ମଝିରେ ଏଇଟା ଗୋଟାଏ ଜନହୀନ ପ୍ରାୟ ବଣ ମୁଲକ । ସୈନ୍ୟଵାହିନୀ ଶୋଇ ପଡ଼ିଥିଲେ । ରାଜା ତାଙ୍କ ଶିଵିର ବାହାରେ ନିଶାର୍ଦ୍ଧରେ ପଦଚାରଣା କରୁଥିଲେ । ହଠାତ୍ ସମ୍ମୁଖଵର୍ତ୍ତୀ ପର୍ଵତ ଉପରେ ଏକ ଅଦ୍ଭୁତ ନୀଳାଭ ଆଲୋକ ତାଙ୍କର ଦୃଷ୍ଟିଗୋଚର ହେଲା । ତାଙ୍କ ହୃଦୟ ଵିସ୍ମୟ, ଚମକ ଏବଂ ଆନନ୍ଦରେ ଭରିଗଲା । ସେ ଆଲୋକ ଯେ ଅସାଧାରଣ, ସେଥିରେ ସନ୍ଦେହର ଅଵକାଶ ନ ଥିଲା ।
ଵିସ୍ମିତ ରାଜା ମନ୍ତ୍ରୀଙ୍କୁ ନିଦରୁ ଉଠାଇଲେ ଓ ସେ ଆଲୋକ ଦେଖାଇଲେ । ମନ୍ତ୍ରୀ ଅତି ସ୍ବାଭାଵିକ ଭାବରେ କହିଲେ, “ମହାରାଜ, ମୁଁ ସନ୍ଧ୍ୟାବେଳେ ଆଖପାଖ ଲୋକଙ୍କଠୁଁ ଶୁଣିଥିଲି କି ସେ ପର୍ଵତ ଉପରେ ଜଣେ ସନ୍ନ୍ୟାସୀ ରହନ୍ତି । ଶୀତ ରାତି । ସେ ନିଆଁ ଜାଳିଛନ୍ତି ।”
“ମନ୍ତ୍ରୀ । ତୁମକୁ ସେ ଆଲୋକ କିପରି ଲାଗୁଛି ?” ରାଜାଙ୍କ ପ୍ରଶ୍ନରେ ଵିସ୍ମିତ ହୋଇ ମନ୍ତ୍ରୀ କହିଲେ, “ମଣିମା। ଶୁଖିଲା କାଠପତ୍ର ଜାଳିଲେ ନିଆଁ ଯେପରି ହେଵା କଥା, ଏହା ସେହିପରି ।”
“ଆଚ୍ଛା, ଶୋଇଵ ଯାଅ ।” କହିଲେ ରାଜା । ସେ ବୁଝିଲେ ଯେ ଆଲୋକର ଯେଉଁ ଵିଶେଷତ୍ଵ ସେ ଦେଖୁଛନ୍ତି, ମନ୍ତ୍ରୀ ତାହା ଦେଖିପାରୁ ନାହାନ୍ତି । ପ୍ରଭାତ ହେଲା । ରାଜା ସନ୍ନ୍ୟାସୀଙ୍କୁ ଭେଟିଵାର ଅନୁମତି ପ୍ରାର୍ଥନା କରି ଦୂତ ପଠାଇଲେ । ଦୂତ ଫେରିଆସି କହିଲେ, “ସନ୍ନ୍ୟାସୀ କହୁଛନ୍ତି କି, ତାଙ୍କୁ ଭେଟିଵାକୁ ହେଲେ ରାଜା ଉପଯୁକ୍ତ ବେଶ ପକାଇ ଯିଵା ଦରକାର ।” “ଅଵଶ୍ୟ” କହି ରାଜା ତାଙ୍କର ରତ୍ନଖଚିତ ପୋଷାକ ଓ ପଗଡ଼ି ଲଗାଇ ବାହାରି ପଡ଼ିଲେ । ସେ ପର୍ଵତ ଅଧା ଚଢ଼ିଵା ବେଳକୁ ସନ୍ନ୍ୟାସୀଙ୍କର ଜଣେ ଚେଲା ଆସି କହିଲେ, “ଗୁରୁଦେଵ ମଣିମାଙ୍କୁ ଦୂରରୁ ଦେଖିଛନ୍ତି । ସେ କହିଲେ କି ଆପଣ ଉପଯୁକ୍ତ ବେଶ ପକାଇ ଆସିଵା ଦରକାର ।”
ରାଜା ନୀରଵରେ ଶିଵିରକୁ ଆସି ରତ୍ନପୋଷାକ ଉତାରି, ଜଣେ ସାଧାରଣ ନାଗରିକର ପୋଷାକ ପିନ୍ଧିଲେ ଓ ନିଜକୁ ନିଜେ କହିଲେ, “ଵାସ୍ତଵିକ୍ ରାଜ-ପୋଷାକରେ ସନ୍ନ୍ୟାସୀଙ୍କ ପାଖକୁ ଯିଵାକୁ ଵାହାରିଵାଟା ବୋକାମି ଛଡ଼ା ଆଉ କ’ଣ ।” ସେ ପର୍ଵତ ଚଢ଼ିଵାକୁ ଆରମ୍ଭ କରନ୍ତେ ପୁଣି ଜଣେ ଚେଲା ଆସି କହିଲା, “ମହାରାଜ । ଗୁରୁଦେଵ କହୁଛନ୍ତି କି, ଆପଣ ଉପଯୁକ୍ତ ବେଶରେ ଆସନ୍ତୁ । ରାଜା ଅଗତ୍ୟା ତମ୍ବୁକୁ ଫେରିଲେ ଓ ଏଥର ଗେରୁଆ ଲୁଗାପଟା ଯୋଗାଡ଼ କରି ପିନ୍ଧି, ପୁଣି ପର୍ଵତ ଚଢ଼ିଵାକୁ ଆରମ୍ଭ କଲେ ।
“ମହାରାଜ ! ଗୁରୁଦେବ କହିଲେ କି ଆପଣ ଉପଯୁକ୍ତ ବେଶ ପକାଇ ଆସନ୍ତୁ । ” ତୃତୀୟ ଚେଲାଟାଏ ତାଙ୍କୁ ଆସି କହିଲା । ରାଜା କାନ୍ଦ କାନ୍ଦ ଦେଖାଗଲେ । ମନ୍ତ୍ରୀ ତାଙ୍କ କାନରେ କହିଲେ, “ମହାରାଜ ! ସେ ଉଦ୍ଧତ ସାଧୁକୁ ଏହିକ୍ଷଣି ଧରି ଆଣି ଆପଣଙ୍କ ଆଗରେ ହାଜର କରିଦେବି ।”
ରାଜା ଧୀର କଣ୍ଠରେ କହିଲେ, “ମନ୍ତ୍ରୀ। କେତେ ରାଜା ମହାରାଜାଙ୍କୁ ବନ୍ଦୀ କରି ତ ମୋ ଆଗରେ ତମେ ଓ ସେନାପତି ହାଜର କରିଛ । ଜଣେ ନିରସ୍ତ, ନିର୍ଵାକ୍ ସାଧୁଙ୍କୁ ଧରି ଆଣିଵାରେ ବାହାଦୁରି କ’ଣ ?” ଶିଵିର ଭିତରେ ଏକାକୀ ରାଜା ଅଶ୍ରୁରୋଧ କରିପାରିଲେ ନାହିଁ । ଵାସ୍ତଵିକ, ଆଜିଯାଏଁ ସେ ନିଜକୁ କେଡ଼େ ପ୍ରଭାଵଶାଳୀ, କ୍ଷମତାଶାଳୀ ମନେ କରି ଆସିଥିଲେ । ଇଏ ହେଲା କ’ଣ ? ବେଶ ବୋଇଲେ ସାଧୁ କ’ଣ ବୁଝାଉଛନ୍ତି ? ଯୋଗ୍ୟତା ? ଵାସ୍ତଵିକ, ସେ କ’ଣ ଜଣେ ସାଧୁଙ୍କୁ ଭେଟିଵାକୁ ଯୋଗ୍ୟ ? ସେ ଏ ପ୍ରଶ୍ନ ଉପରେ ଯେତିକି ଚିନ୍ତା କଲେ, ସେତିକି ଵିମର୍ଷ ବୋଧ କଲେ । ଅର୍ଥାତ ଜୀଵନରେ ସେ ଯେତେ ଵିଜୟପ୍ରାପ୍ତି କରିଛନ୍ତି, ଯେତେ ମୁଣ୍ଡ କାଟ କରି ତଳେ ଲୋଟାଇ ଦେଇଛନ୍ତି, ସେ ସବୁ ତାଙ୍କୁ ଅନ୍ୟମାନଙ୍କ ଆଖରେ ଵିରାଟ କରି ଥାଇପାରେ, କିନ୍ତୁ ସାଧୁଙ୍କ ଆଖିରେ ସେ ଅଯୋଗ୍ୟ !
“ପୁଅ ! ଏ ବେଶରେ ତମେ କେତେ ସୁନ୍ଦର ଦିଶୁଛ ।”
ଏ ଅପୂର୍ଵ କଣ୍ଠସ୍ଵର ରାଜାଙ୍କୁ ଚମକାଇ ଦେଲା । ସେ ଅନାଇଵା ବେଳକୁ ତାଙ୍କ ଆଗରେ ଉଭା ସ୍ଵୟଂ ସନ୍ନ୍ୟାସୀ । ରାଜା ତାଙ୍କ ପାଦରେ ଲୋଟିଗଲେ । ସନ୍ନ୍ୟାସୀ ତାଙ୍କୁ ଉଠାଇ କୁଣ୍ଢାଇ ପକାଇ କହିଲେ, “ହୃଦୟରେ ଏହିଭଳି ନମ୍ରତା ବୋଧଠୁଁ ବଳି ସୁନ୍ଦର ସାଜ ଆଉ କିଛି ନାହିଁ” ।
“ମହାଭାଗ ! ମୁଁ କେଡ଼େ ମୂର୍ଖ ଥିଲି । ରାଜ୍ୟ ପରେ ରାଜ୍ୟ ଜୟ କରି ନିଜକୁ ଗୌରଵାନ୍ବିତ ବୋଧ କରୁଥିଲି ।” ରାଜା ମୃଦୁକଣ୍ଠରେ କହିଲେ ।
“ହଁ ଵତ୍ସ । ସେ ଗୌରଵବୋଧ ଅଜ୍ଞାନପ୍ରସୂତ । ଆଜି ତମେ ଜ୍ଞାନର ଉଷାଲୋକରେ ଉପନୀତ ।” ସନ୍ନ୍ୟାସୀ ରାଜାଙ୍କୁ ଆଶୀର୍ଵାଦକରି ବୁଲିପଡ଼ି ଚାଲିଗଲେ ।
ଉପସ୍ଥାପନା: ଶିଶିର ସାହୁ ମନୋଜ
Spread the love
admin

Share
Published by
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

4 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

4 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

5 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

1 month ago