ଜଣା ଅଜଣା

ତ୍ରିଖଣ୍ଡି ମଜୁରା (ଢେଙ୍କାନାଳ ଗଡ଼ଜାତର କଥା)

ଲେଖା: ଶିଶିର ମନୋଜ ସା‌ହୁ

ଢେଙ୍କାନାଳ ଗଡ଼ଜାତରେ ରାଜାଙ୍କୁ ସମ୍ମାନ ଦେଵାର ଏକ ଵିଚିତ୍ର ଵ୍ଯଵସ୍ଥା ବିଂଶ ଶତାବ୍ଦୀର ପ୍ରାରମ୍ଭିକ ଦଶନ୍ଧିଯାଏ ଚଳୁଥିଵାର ଜଣାଯାଏ । ଏହି ସମ୍ମାନ ପ୍ରଦର୍ଶନ ପରମ୍ପରାକୁ ସେ ସମୟରେ ତ୍ରିଖଣ୍ଡି ମଜୁରା କୁହାଯାଉଥିଲା ।

ଢେଙ୍କାନାଳ ରାଜା ସୁରପ୍ରତାପ ମହେନ୍ଦ୍ର ବାହଦୁର ଜଣେ ପ୍ରଜାଵତ୍ସଳ ରାଜପୁରୁଷ ଥିଲେ ଓ ପୁରୀ ଗଜପତି ମହାରାଜାଙ୍କ ପରେ ତାଙ୍କୁ ଦ୍ଵିତୀୟ ମଉଡ଼ମଣି ଭାବେ ଗଣାଯାଉଥିଲା । ଏହାଙ୍କର ଉଚ୍ଚଗୁଣର ଵର୍ଣ୍ଣନା ଚୈତନ୍ଯ ଚରିତାମୃତରେ ଭକ୍ତ ସନ୍ଯାସୀ ପଦ୍ମଚରଣ ଦାସ କରିଯାଇଛନ୍ତି ।

ସୁରପ୍ରତାପଙ୍କୁ ତାଙ୍କ ପ୍ରଜା ସ୍ଵତଃ ଭକ୍ତି କରୁଥିଲେ, ତେବେ ତାଙ୍କ ପରଵର୍ତ୍ତୀ ରାଜା ଶଙ୍କର ପ୍ରତାପଙ୍କ ସମୟରେ ଏହି ଭକ୍ତି ବାଧ୍ଯତାମୂଳକ ହୋଇଗଲା । ଏଇ ସମୟର ରାଜଭକ୍ତି ସମ୍ବନ୍ଧୀୟ ଵିଚିତ୍ର ପରମ୍ପରା ତ୍ରିଖଣ୍ଡି ମଜୁରା ଢେଙ୍କାନାଳ ଗଡ଼ଜାତରେ ପ୍ରଚଳିତ ଥିଲା ।


ତ୍ରିଖଣ୍ଡି ମଜୁରା ଶବ୍ଦ ଓ ଏହାର ଵିଧି:
ତ୍ରିଖଣ୍ଡି ମଜୁରା ତିନିଗୋଟି ଚରଣରେ ହେଉଥଲା । ତେଣୁ ଏହାର ଏଭଳି ନାମକରଣ ହୋଇଛି । ଏ ଶବ୍ଦ କ୍ଷେତ୍ରରେ:୧. ତ୍ରି ଶବ୍ଦର ଅର୍ଥ ତିନି ସଂଖ୍ୟକ;
୨. ଖଣ୍ଡ ଶବ୍ଦର ଆମ ଭାଷାରେ ଵିଭିନ୍ନ ଅର୍ଥ ରହିଛି । ତନ୍ମଧ୍ୟରୁ  ଏଠାରେ ଖଣ୍ଡ, ଅଂଶ, ଵିଭକ୍ତ, ଆଚରଣ, ଧରଣ, ପ୍ରଣାଳୀ ଵା ଵ୍ଯଵହାର ଅର୍ଥରେ ଖଣ୍ଡ ଶବ୍ଦ ପ୍ରୟୋଗ ହୋଇଥାଇପାରେ ।ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଜୁରାର ଦୁଇଗୋଟି ଅର୍ଥ ଉଲ୍ଲେଖ କରାଯାଇଛି ।
୧. ପୂର୍ଵରୁ ଦିଆଯାଇଥିଵା ଧନକୁ ପରେ ହିସାବ ସମୟରେ କାଟିଵା ଵା ଭରଣା ଦେଵା;
୨. ଗଡ଼ଜାତରେ ରାଜାଙ୍କୁ କରାଯିଵା ପ୍ରଣାମ ଵା ଅଭିଵାଦନ

ଢେଙ୍କାନାଳର କଵି ବ୍ରଜନାଥ ବଡ଼ଜେନା ଏଇ ଅର୍ଥରେ ସମରତରଙ୍ଗ ଐତିହାସିକ କାଵ୍ଯରେ ଲେଖିଅଛନ୍ତି, “ମଜୁରକା କରି ହୁକୁମ ପାଇଯାନ୍ତି ସତ୍ବର।” ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ମଜୁରା ଶବ୍ଦ ମୂଳତଃ ଆରବୀ ଶବ୍ଦ ଅଟେ ।

ବ୍ରଜକିଶୋର ଧଳ ତାଙ୍କ “ଭୂଲିବୁ ନାହିଁ” ପୁସ୍ତକରେ ତ୍ରୀଖଣ୍ଡି ମଜୁରାର ନିମ୍ନୋକ୍ତ ଵିଧି ଉଲ୍ଲେଖ କରିଅଛନ୍ତି . .
୧. ପ୍ରଜାଜଣକ ରାଜାଙ୍କୁ ପ୍ରଥମେ ହାତଯୋଡି ନତମସ୍ତକ ହେଉଥିଲା ଓ ମୁଣ୍ଡରେ ଦୁଇ ହାତ ଲଗାଉଥିଲା ।
୨. ଦ୍ଵିତୀୟରେ ଦୁଇହାତକୁ ଭୂଇଁରେ ଛୁଉଁଥିଲା ।
୩. ତୃତୀୟରେ ହାତ ଯୋଡି଼ ଛାତିକୁ ଛୁଉଁଥିଲା ।

ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗଡ଼ଜାତିଆ ମଜୁରା ଵିଷୟରେ ସାମାନ୍ୟ ଭିନ୍ନ ଭାବରେ ଵର୍ଣ୍ଣନା ହୋଇଅଛି । ଯଥା:
୧. ମଜୁରା କରିଵା ଲୋକ ରାଜାଙ୍କୁ ଆଗ କରି ମୁଣ୍ଡକୁ ତଳେ ଲଗାଉଥିଲା ।
୨. ପରେ ଆପଣା ହାତକୁ ମୁଣ୍ଡରେ, ବେକରେ ଓ ଶେଷରେ ପେଟରେ ଛୁଆଁଉଥିଲା । ଏଥିର ଅର୍ଥ ଏହିକି ମୁଣ୍ଡ ଛାମୁଙ୍କର ଏ ବେକ ଛାମୁଙ୍କର ଅଟେ ଓ ଏ ପେଟ ଛାମୁଙ୍କ ଅନ୍ନରେ ପାଳିତ ହେଉଅଛି ।

ତେବେ ବ୍ରଜକିଶୋର ଧଳ ମହାଶୟଙ୍କ ଅନୁସାରେ ତ୍ରିଖଣ୍ଡି ମଜୁରା କରିଵାର ଭାଵାର୍ଥ – ଏ ଦେହ, ଏ ମୁଣ୍ଡ, ଏ ମାଟି ସବୁ ଶ୍ରୀଛାମୁଙ୍କର, ମୁଁ ନିମିତ୍ତ ମାତ୍ର ।

ଉଭୟଙ୍କ ଵର୍ଣ୍ଣନା ମଧ୍ୟରେ କେଉଁଟି ଠିକ୍ କେଉଁଟି ଭୁଲ୍ ତାହା ଗବେଷଣା ସାପେକ୍ଷ, ତେବେ ରାଜାଙ୍କୁ ମଜୁରା କରିଵା ଵିଧି ନଜାଣି ତାହା ନକଲେ ପ୍ରଜାଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉଥିଵା ଶ୍ରୀ ବ୍ରଜକିଶୋର ଧଳ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ।


ଶ୍ରୀ ବ୍ରଜକିଶୋର ଧଳଙ୍କ ଅନୁସାରେ ଢେଙ୍କାନାଳର ପ୍ରଜା ଏଭଳି ପ୍ରଥାକୁ ନେଇ ଅତ୍ଯନ୍ତ ଭୟଭୀତ ହେଇ ରହୁଥିଲେ । ବାଟରେ ଗାଡ଼ିମଟର ଆସୁଥିଵାର ଶବ୍ଦ ଶୁଣିଲାମାତ୍ରେ ଘରେ ପସିଯାଉଥିଲେ କିମ୍ଵା ରାସ୍ତା ଛାଡ଼ି ପଳାଉଥିଲେ । ଶଙ୍କର ପ୍ରତାପଙ୍କ ରାଜଶାସନ କାଳରେ ଢେଙ୍କାନାଳର ପ୍ରଜା ଭଲ ଘରଖଣ୍ଡେ କରିଵାକୁ ସୁଦ୍ଧା ଡରୁଥିଲେ । ଅନ୍ଯାୟ ଅର୍ଥ ସଂଗ୍ରହ ଓ ବେଠୀରେ ଵ୍ଯତିଵ୍ଯସ୍ତ ହୋଇ ଅନେକ ପ୍ରଜା ଅନ୍ଯତ୍ର ଯାଇ କୁଲିଗିରି କରି ଚଳୁଥିଲେ ।ସେତେବେଳେ ଓଡ଼ିଶାର ଅନ୍ୟ ଅଞ୍ଚଳରେ ଢେଙ୍କାନାଳକୁ ନେଇ ଯେଉଁ କେତୋଟି ପ୍ରଵାଦ ଚଳୁଥିଲା ତାହା ସେଇ କଥାକୁ ଆହୁରି ସ୍ପଷ୍ଟ ପ୍ରମାଣିତ କରେ । ଯଥା:
୧. ‘ଢେଙ୍କାନାଳିଆ ଶାସନ’, ଅତ୍ଯନ୍ତ ପ୍ରଜାପୀଡ଼କ ଶାସନ ଅର୍ଥରେ ଏ ପ୍ରଵାଦ ଵ୍ଯଵହୃତ ହେଉଥିଲା । ସ୍ଵାମୀକୁ ସ୍ତ୍ରୀ କହୁଥିଲା, “ତମ ଢେଙ୍କାନାଳିଆ ଶାସନ ଆଉ ସହିବି ନାଇଁ ମୁଁ ବାପ ଘର ଯାଉଚି” ।ଢେଙ୍କାନାଳରେ ଶାସନ ଵ୍ଯଵସ୍ଥା କେତେ ନିମ୍ନମାନର ଓ ପ୍ରଜାପୀଡ଼କ ଥିଲା ତାହା ଏହି ଲୋକଵାଣୀରୁ ସ୍ପଷ୍ଟ ହୁଏ ।୨. “ଢେଙ୍କାନାଳ ! ନିଜ କୀଳା ନିଜେ ସମ୍ଭାଳ”, ଲୋକେ ଆଜି ବି ଏହି ପ୍ରଵାଦକୁ ଭିନ୍ନଭିନ୍ନ ଭାବେ ଵ୍ଯଵହାର କରୁଅଛନ୍ତି । ଓଡ଼ିଶାର ଆନ ଅଞ୍ଚଳର ଲୋକେ ସତେ ଯେମିତି ଏଇ ପ୍ରଵାଦ ଦ୍ଵାରା ଢେଙ୍କାନାଳିଆଙ୍କୁ କହିଦେଇଥିଲେ ଯେ “ହେ ଢେଙ୍କାନାଳିଆମାନେ, ଆମେ ତମକୁ ସାହାଯ୍ୟ କରିନପାରୁ, କାରଣ ଆମର ନିଜର ଅଵସ୍ଥା ଦି ଗଣ୍ଡା ବାର ବିଶ୍ଵା ପ୍ରାୟ, ଵରଂ ତମେ ତୁମ ଅସୁଵିଧା ଓ କଷ୍ଟ ନିଜେ ସମ୍ଭାଳ ।

୩. “ଯେବେ ଢେଙ୍କାନାଳେ କରିବୁ ଘର,
ଦାଣ୍ଡ ଘର ଖଣ୍ଡି ଅଛୁଆଁ କର ।”
ଗଡ଼ଜାତରେ ଵିଶେଷତଃ ଢେଙ୍କାନାଳରେ କେମିତି ଅନ୍ଯାୟ ଉପାୟରେ ଲୋକଙ୍କୁ ଲୁଟାଯାଉଥିଲା ତାହା ଏଇ ପ୍ରଵାଦରେ କୁହାଯାଇଛି । ଦାଣ୍ଡଘର ଖଣ୍ଡକ ଅଛୁଆଁ ଅର୍ଥାତ ଛାଆଣି ନ କରିଵାକୁ କୁହାଯାଇଛି । ଅର୍ଥାତ ଗଡ଼ଜାତିଆ ଲୋକେ ନିଜକୁ ଦୀନଦରିଦ୍ର ଦେଖାଇଵାକୁ ତତ୍କାଳୀନ ସମାଜରେ ବାଧ୍ଯ ହୋଇଥିଲେ ।

୪. “ଢେଙ୍କାନାଳିଆ ଓଲୁ(ଭାଲୁ)”, ଢେଙ୍କାନାଳର ଓ ଗଡ଼ଜାତର ଲୋକଙ୍କ ପ୍ରତି ଘୃଣାଭାଵ ବୃଦ୍ଧି ସମୟରେ ଗଡ଼ଜାତିଆମାନଙ୍କ ଅପାରଗତାକୁ ବଖାଣିଵା ପାଇଁ ଉପକୂଳାଞ୍ଚଳରେ ଗୋଟାଏ କାହାଣୀ ପ୍ରଚଳିତ ହୋଇଥିଲା ।

କାହାଣୀଟି ଏଇଭଳି. .
ଦୁଇଜଣ ଗଡ଼ଜାତିଆ ଲୋକ ଲୁଗା ବିକିଵାକୁ ଉପକୂଳକୁ ଆସିଥିଲେ, କିନ୍ତୁ ଏଠାକାର ଲୋକଙ୍କ ଚାଲାକିର ଶିକାର ହୋଇ ମାଗଣାରେ ସେସବୁ ବାଣ୍ଟି ଦେଇଥିଲେ । ରାତିରେ ସେମାନେ କଟକ ନଗର ଦେଇ ଯାଉଥିଵା ଵେଳେ ମଦ ନିଶାରେ ଗୋଟାଏ କୋଠାକୁ ପେଲି ପେଲି ଆପଣା ରାଜ୍ଯକୁ ନେଵାକୁ ଚେଷ୍ଟା କରୁଥିଲେ ଇତ୍ୟାଦି ଇତ୍ୟାଦି. .

ତେବେ ସେ ଯାହା ହେଉ ନା କାହିଁକି ତ୍ରିଖଣ୍ଡି ମଜୁରାରେ କୌଣସି ଵ୍ଯତିକ୍ରମ ହେଲେ ମାଡ଼ଠାରୁ ପ୍ରାଣହାନି ଯାଏଁ ଦଣ୍ଡଵିଧାନ ଥିଵାରୁ ଗଡ଼ଜାତର ଲୋକେ ରାଜପୁରୁଷଙ୍କୁ ବାଟରେ ଘାଟରେ ଆସୁଥିଵାର ଜାଣିଲେ ଭୟରେ ପଳାୟନ କରୁଥିଵା ଶ୍ରୀ ବ୍ରଜକିଶୋର ଧଳ ଉଲ୍ଲେଖ କରିଛନ୍ତି ।

କୁହାଯାଏ, ଢେଙ୍କାନାଳ ରାଜା କିଂଵା ତାଙ୍କ ପୁତ୍ର ଭ୍ରାତାଦି ଉଆସରୁ ଢେଙ୍କାନାଳ ବଜାର ଦେଇ ଯାଉଥିଲା ବେଳେ ଲୋକେ ଦରଜା କବାଟ କିଳି ଦେଉଥିଲେ । ଯେଉଁମାନେ ଦୈଵାତ୍ ମୁହାଁମୁହିଁ ହେଉଥିଲେ ସେମାନେ ପ୍ରାଣଭୟରେ ତ୍ରୀଖଣ୍ଡି ମଜୁରା କରିଵାକୁ ବାଧ୍ୟ ହେଉଥିଲେ ।


ଏଭଳି ଅତ୍ଯାଚାର ଯୋଗୁଁ ଢେଙ୍କାନାଳ ଗଡ଼ଜାତକୁ ତତ୍କାଳୀନ ଓଡ଼ିଆ ସମାଜର ମାନ୍ଯଗଣ୍ଯ ଵ୍ଯକ୍ତିଵିଶେଷମାନେ ଆସିଵାକୁ କୁଣ୍ଠାବୋଧ କରୁଥିଲେ ଏମିତିକି ଗଡ଼ଜାତିଆ ପ୍ରଜାଙ୍କର ମୋଗଲବନ୍ଦୀ ଅଞ୍ଚଳରେ ଵାସକରୁଥିଵା ବନ୍ଧୁବାନ୍ଧବମାନେ ବି ସେମାନଙ୍କଠାରୁ ସମ୍ପର୍କ ଛିନ୍ନ କରି ଦେଇଥିଲେ  । କୁହାଯାଏ ଶଙ୍କର ପ୍ରତାପଙ୍କ ଶାସନକାଳରେ ଢେଙ୍କାନାଳ ଉଆସରେ ଏକ ଷୋଡଶୀ କନ୍ଯାର ବଳାତ୍କାର ଉତ୍ତାରୁ ଗଡ଼ଜାତର ଲୋକଙ୍କ ପ୍ରତି ଵିଶେଷତଃ ଢେଙ୍କାନାଳର ଲୋକଙ୍କ ପ୍ରତି ରାଜ୍ୟରେ ଘୃଣାଭାଵ ବୃଦ୍ଧି ପାଇଥିଲା । ଯେଉଁ ରାଜ୍ୟରେ ଝିଅଵୋହୂଙ୍କ ମାନସମ୍ମାନକୁ ସ୍ଵୟଂ ରାଜଦରବାରରେ ନିଲାମ କରାଗଲା ସେ ରାଜ୍ୟରେ କିଏ ବା ନିଜର ଝିଅ ଦେଵାକୁ ଚାହିଁଵ ?ଏଇ ବଳାତ୍କାର ସେ ସମୟରେ ସାରା ଭାରତରେ ଚର୍ଚ୍ଚାର ଵିଷୟ ପାଲଟିଥିଲା । ଏମନ୍ତକି ତତ୍କାଳୀନ ବ୍ରିଟିଶ ପାର୍ଲିଆମେଣ୍ଟର ନାରୀ ସଭ୍ଯା Miss Agatha Harrison ଏ ପାଶଵିକ ଅତ୍ଯାଚାର ସମ୍ବନ୍ଧରେ ପ୍ରମାଣ ସହ ଅଭିଯୋଗ କରିଥିଲେ ହେଁ “ବଡ଼ବଡି଼ଆଙ୍କୁ ଉତ୍ତର ନାହିଁ” ନ୍ଯାୟରେ ଅପରାଧୀମାନେ ଦଣ୍ଡିତ ହୋଇନଥିଲେ ।ଏହି ନାରୀ ଅତ୍ଯାଚାରର ପ୍ରାରମ୍ଭିକ ଦଣ୍ଡ ଭୋଗିଲା କିଏ ? ଢେଙ୍କାନାଳ ଓ ଅନ୍ୟ ଗଡ଼ଜାତର ସାଧାରଣ ଲୋକ ଏହାର ଦଣ୍ଡ ଅନେକ ଦିନ ଯାଏଁ ଭୋଗକରିଵାକୁ ବାଧ୍ୟ ହେଲେ ।  ଢେଙ୍କାନାଳ ଓ ଏଠାକାର ପ୍ରଜା ଏଵଂ ସାରା ଗଡ଼ଜାତର ଲୋକ ଅନେକ ଦିନ ଯାଏଁ ଅପମାନର ଶିକାର ହୋଇଥିଲେ ଏଵଂ ଊଣା ଅଧିକେ ଆଜି ବି ହେଉ ଅଛନ୍ତି ।

ଆଜି କାଳଗର୍ଭରେ ରାଜଶାସନ ଧୂଳିସାତ୍ ହୋଇଅଛି କିନ୍ତୁ ରହିଯାଇଛି ସେଇ ଅଯାଗା ଘାଆ ଯାହା ସମସ୍ତଙ୍କୁ ଦେଖେଇ ହୁଏନାହିଁ ସବୁଠି କହି ହୁଏ ନାହିଁ କିନ୍ତୁ ପ୍ରଜାମେଳୀ ଦ୍ଵାରା ତତ୍କାଳୀନ ପ୍ରଜା ସେହି ଅହଂକାରୀ ବଡ଼ବଡି଼ଆଙ୍କର ପରେ ଅଵଶ୍ୟ ଗର୍ଵ ଚୂର୍ଣ୍ଣ କରିଅଛନ୍ତି ।

(ଢେଙ୍କାନାଳ ଗଡ଼ଜାତର ଏଇଭଳି ଅପ୍ରିୟ ସତ୍ୟ ସବୁ ଜାଣିଵାକୁ ଚାହୁଁଥିଲେ ବ୍ରଜକିଶୋର ଧଳଙ୍କ ଭୁଲିବୁ ନାହିଁ ପୁସ୍ତକ ନିଶ୍ଚୟ ପାଠ କରନ୍ତୁ । ପ୍ରୋକ୍ତ ଆଲେଖ୍ୟଟି ଏହି ପୁସ୍ତକ ଆଧାରରେ ପ୍ରସ୍ତୁତ କରାଯାଇଅଛି ।)

Image Courtesy: 1st & 2nd Dhenkanal Khati FB Page; 3rd Bijaya Kumar Senapati
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago