ଲେଖା: ଶିଶିର ସାହୁ ମନୋଜ
ଓଡ଼ିଶାରେ Julus ଜାତୀୟ ପାଞ୍ଚ ଛଅ ପ୍ରକାରର ପୋକ ଦେଖାଯାଆନ୍ତି, ସେମାନଙ୍କୁ ସାମୁହିକଭାଵେ ତେଲୁଣି ପୋକ କୁହାଯାଏ । ତୈଳିନୀ ଶବ୍ଦର ଓଡ଼ିଆ ସମଦ୍ଧୃତ ରୂପ ତେଲୁଣି କିନ୍ତୁ ତେଲୁଣୀ ଲେଖାଗଲେ ଏ ଶବ୍ଦର ଅର୍ଥ ଆମ ଭାଷାରେ ତେଲିର ସ୍ତ୍ରୀଵାଚକ ହୁଏ । ସିଧା ଝାଙ୍କାଳିଆ ବୁଦା ଓ ପଲମକୁ ବି ଆମ ଭାଷାରେ ତେଲୁଣୀ କୁହାଯାଏ ।
ଏଇ ପୋକଙ୍କର ଦୁଇଟି ନିଶ ଥାଏ । ଏମାନଙ୍କର ଚୁଙ୍ଗଡ଼ି ମାଛର ଖୋଳପା ପରି ପଟି ପଟି କାତି ଥାଏ । ଏ ପୋକ ନାଲି, କୋଳଥିଆ ଓ ନାଲି ଉପରେ କଳା ଲମ୍ବା ଡ଼ୋରିଆ ପଡ଼ିଥିବା ରଙ୍ଗ ଦେଖାର ଦେଖଆନ୍ତି । କେତେକ ଜାତୀୟ ତେଲୁଣି ପୋକ କଳା ଓ ମାଟିଆ ରଙ୍ଗର ହେଉଥିଵା ଦେଖାଯାଏ ।
ଏମାନଙ୍କ ଉପରେ ଆଘାତ ଲାଗିଲେ ଏମାନେ କୁଣ୍ଡଳାକୃତି ହୋଇ ଯାଆନ୍ତି। ଏମାନଙ୍କର ଥରକେ ସହସ୍ର ସହସ୍ର ଛୁଆ ହୁଅନ୍ତି। ଏମାନେ ସାଧାରଣତଃ ନଡି଼ଆ ପାଣି ପାନାର୍ଥେ ଵ୍ଯଵହୃତ ନଳାକାର ମୋଟ ଓ ଚାରି ଆଙ୍ଗୁଳ ଲମ୍ବ ହୁଅନ୍ତି। କିନ୍ତୁ ପାର୍ଵତ୍ଯ ଦେଶରେ ଏମାନେ ଅଧ ଇଞ୍ଜ ଵ୍ଯାସଵିଶିଷ୍ଟ ଓ ୧୨ ଆଙ୍ଗୁଳ ଲମ୍ବ ପର୍ଯ୍ୟନ୍ତ ବଢ଼ିପାରନ୍ତି ।
ଏମାନଙ୍କ ଦେହରେ ଏକ ପ୍ରକାର ବିଷାକ୍ତ ପଦାର୍ଥ ଅଛି। ପିଲାମାନେ ଭୁଲରେ ଏହି ପୋକକୁ ପାଟିରେ ପୁରାଇ ଦେଲେ ପାଟି ନାଲ ହୋଇ ଘା ହେଇଯାଏ । ଏ ପୋକ ଭୁଲରେ ମଣିଷର କାନ ମଧ୍ୟରେ ପଶିଗଲେ କାନ ପଚିଯିଵା ମଧ୍ୟ ଶୁଣାଯାଏ ।
ଓଡ଼ିଶାରେ ସାଧାରଣତଃ ଚାରି ପାଞ୍ଚ ପ୍ରକାରର ତେଲୁଣି ପୋକ ଦେଖାଯାଆନ୍ତି ଏଵଂ ଏକ ଫୁଟ ପର୍ଯ୍ୟନ୍ତ ବଢନ୍ତି ।ବ୍ଯାସ ଅଧ ଇଞ୍ଚ ହୋଇଥାଏ । ସାଧାରଣ ତେଲୁଣି ପୋକର ଵର୍ଣ୍ଣ କଳା ଓ ନାଲିଆ ମିଶା। ଅନ୍ୟ ଏକ ଜାତୀୟ ତେଲୁଣି ପୋକ କେଵଳ ନାଲି ହୋଇଥାଏ । ଏକ ଜାତୀୟ ତେଲୁଣି ପୋକ ସମ୍ପୂର୍ଣ୍ଣ କଳା ରଙ୍ଗର ହୋଇଥାଏ (ଗଉଡୁଣୀ ପୋକ ନୁହେଁ) । ଏକ ଜାତୀୟ ତେଲୁଣି ପୋକ କଳା ଓ ନାଲି ଡୋରିଆ ଯୁକ୍ତ ହେଲାଵେଳେ ଆଉ ଏକ ଜାତୀୟ ତେଲୁଣି ପୋକ ରିବିରିବିଆ କଳା ଓ ନାଲିଆ ଦାଗ ହୋଇଥାଆନ୍ତି ।
ଏ ପୋକକୁ ଇଂରାଜୀରେ galley worm ଓ Millipedes କୁହାଯାଏ । ଏମାନଙ୍କର ୧୨୦୦ରୁ ଅଧିକ ପ୍ରଜାତି ସାରା ଵିଶ୍ଵରେ ରହିଅଛି। କିଛି ତେଲୁଣି ପୋକ ହୋଇଥିଵାଵେଳେ ଆଉ କେତେକ ମାଂସାସୀ ହୋଇଥାଆନ୍ତି । ମୃତ ଜୀଵଙ୍କୁ ଖାଉଥିଵା ତେଲୁଣି ପୋକ ପ୍ରଜାତି ବି ରହିଛି । ମଣିଷ ଦେହରେ ଭୁଲଵଶତଃ ତେଲୁଣି ପୋକ ପସିଗଲେ ଏଇଭଳି ଭାବେ ଭୀଷଣ କ୍ଷତି ଘଟାନ୍ତି । ଆଗକାଳରେ ତେଲୁଣି ପୋକ ପସି ଲୋକେ ମରିଯାଉଥିଵାର ମଧ୍ୟ ଶୁଣାଯାଏ । ଏମାନଙ୍କ ଶରୀର ଅନେକ ଖଣ୍ଡକୁ ନେଇ ଗଠିତ ହୋଇଥାଏ ଓ ପ୍ରତ୍ଯେକ ଖଣ୍ଡରେ ଏକ ଯୋଡା଼ ପାଦ ଥାଏ ଓ ଏହି ଖଣ୍ଡର ସଂଖ୍ୟା ୧୦୦ରୁ ଅଧିକ ମଧ୍ୟ ହୋଇପାରେ !
ପ୍ରାୟ ଅନେକ ପଦଯୁକ୍ତ ହୁଅନ୍ତି ବୋଲି ଏମାନଙ୍କୁ ଶତପଦୀ ମଧ୍ୟ କୁହାଯାଏ । ଏ ପୋକ ନିଜ ରକ୍ଷା ହେତୁ ଏକ ପ୍ରକାରର ଗନ୍ଧଯୁକ୍ତ ରସାୟନ ଛାଡ଼ନ୍ତି ଯାହା ଅମ୍ଳୀୟ ପ୍ରକୃତିର ହୋଇଥାଏ । ଏହି ରସାୟନ ଯୋଗୁଁ ଶିକାରୀଙ୍କ ଉପରେ ତାହାର ହାନିକାରକ ପ୍ରଭାଵ ପଡି଼ଥାଏ । ତେଲୁଣି ପୋକ କେଞ୍ଚୁଅ ଵା ଜିଆଙ୍କ ପରି ମାଟି ଉର୍ଵର କରିଵାରେ ସାହାଯ୍ୟ କରିଥାନ୍ତି । କ୍ଷାରୀୟ ମାଟିକୁ ଚାଷୋପଯୋଗୀ କରିଵାରେ ଏମାନଙ୍କର ବଡ଼ ଯୋଗଦାନ ରହିଛି ତେଣୁ ଏମାନଙ୍କୁ କେଞ୍ଚୁଅଙ୍କ ପରି ଧରିତ୍ରୀମିତ୍ର ଅଭିହିତ କରାଯାଏ । ତେଵେ କେତେକ ଜାତୀୟ ତେଲୁଣି ପୋକ ପର୍ଣ୍ଣଭୋଜୀ ହୋଇଥିଵା ହେତୁ ଶସ୍ଯକ୍ଷେତ୍ରରେ ହାନୀ ବି ଘଟାଇ ଥାଆନ୍ତି ।
ତେଲୁଣି ପୋକ ଵା ତୈଳିନୀ ପୋକକୁ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଵିଭିନ୍ନ ନାମରେ ଜଣାଯାଏ । ଯେପରିକି;
୧. କେଞ୍ଚିଡୀ଼ ପୋକ (ଦେଓଗଡ଼):
କେଞ୍ଚୁଅ ପୋକ ଆକାର ଓ ପରି ହୋଇଥିଵା ହେତୁ ଏ ପୋକକୁ କେଞ୍ଚିଡୀ ପୋକ କୁହାଯାଏ
୨. ମଳା କେଚେଣ୍ଡି/କେଚେଣ୍ଡି ପୋକ (ବାଲେଶ୍ଵର):
କେଞ୍ଚୁଅ ଓ କେଞ୍ଚିଡୀ ଶବ୍ଦର ଅନ୍ୟ ଏକ ରୂପ କେଚେଣ୍ଡି ଅଟେ ।
୩. ଗମ୍ ପୋକ, ଗହ୍ମା ପୋକ, ଗହମ୍ ପୋକ (ଗଡ଼ଜାତ), ଗମା ପୋକ (ଢେଙ୍କାନାଳ):
ଗହ୍ମା ମାସ ଅର୍ଥାତ୍ ଶ୍ରାଵଣ ମାସରେ ସାଧାରଣତଃ ଏ ପୋକର ପ୍ରାଦୁର୍ଭାଵ ଅଧିକ ହେଉଥିଵା ହେତୁ ଏ ପୋକକୁ ଗହ୍ମା,ଗମ୍ ଓ ଗମା ପୋକ ଆଦି କୁହାଯାଇଥାଏ ।
୪. ଗୋମ୍ କୀଡା଼ (ଭତ୍ରୀ ଓଡ଼ିଆ, ଵସ୍ତର):
ଓଡ଼ିଶାର ଶେଷ ସୀମାରେ ମଧ୍ୟ ଉତ୍କଳୀୟ ସଂସ୍କୃତିର ନିଦର୍ଶନ ସ୍ଵରୂପ ସେଇ ଗହ୍ମା ମାସର ନାମାନୁସାରେ ନାମିତ ଗହ୍ମାପୋକର ପରିଵର୍ତ୍ତିତ ନାମ ଗୋମ୍ କୀଡା଼ ଆଜି ବି ଭତ୍ରୀ ଭାଷାରେ ଚଳୁଅଛି ।
୫. ଚାରଣୀ ପୋକ(ଢେଙ୍କାନାଳ, କଟକ):
ଢେଙ୍କାନାଳ ଓ କଟକରେ ତେଲୁଣି ପୋକକୁ ଚାରଣୀ ପୋକ କହିଥାଆନ୍ତି । ସାଧାରଣତଃ ଲମ୍ବ ହୋଇ ଚାଲୁଥିଵା ଏ ଶତପଦୀ ଜୀଵ ଦେହରେ ହାତ ବଜେଇ ଦେଲେ ତାହା ହଟାତ୍ ପ୍ରତିକ୍ରିୟାଶୀଳ ହୋଇ ମୁଣ୍ଡଳାକାର ହୋଇ ରକ୍ଷାତ୍ମକ ହୁଏ । ସେତେଵେଳେ ଏହା ଠିକ୍ ଚାରଣୀ ପଇସା ଆକାରର ହେଉଥିଵା ହେତୁ ଏହାର ଏକ ନାମ ଚାରଣୀ ପୋକ ହୋଇଅଛି ।
୬. ନଳା ପୋକ (ଗଞ୍ଜାମ):
ଗଞ୍ଜାମରେ ତେଲୁଣି ପୋକକୁ ନଳାପୋକ କୁହାଯାଏ । ଏ ପୋକ ନଳ ଆକାରର ଏଵଂ ଶତପଦରେ ଚାଲିଲାଵେଳେ ନଳ ଭଳି ଦୃଶ୍ୟ ହୁଏ ବୋଲି ସମ୍ଭଵତଃ ଏଭଳି ନାମକରଣ ହୋଇଛି ।
୭. ଗେଣ୍ଡୁମଳା (ଦକ୍ଷିଣୀ ଓଡ଼ିଆ):
ମୁଣ୍ଡୁଳା ମାରିଵାକୁ ଓଡ଼ିଆ ଭାଷାରେ ମଳା କୁହାଯାଏ । ଓଡ଼ିଆ ଭାଷାରେ ଗଣ୍ଡୁପଦ, ଗଣ୍ଡୁପଦୀ ଓ ଗଡୁ଼ ଶବ୍ଦର ଅର୍ଥ ଜିଆ ଅଟେ । ସମ୍ଭଵତଃ ଏ ଶବ୍ଦ ଦକ୍ଷିଣ ଓଡ଼ିଶାରେ ଗେଣ୍ଡୁ ହୋଇଅଛି ଏଵଂ ଜିଆ ଆକାର ପ୍ରକାରର ଯୋଉ ଶତପଦୀ ଜୀଵ ଆଘାତ ପାଇଲେ ମଳା, ମନ୍ଦା ଵା ମୁଣ୍ଡଳା ମାରିଦିଏ ତାକୁ ଗେଣ୍ଡୁମଳା କୁହାଯାଉଛି ।
୮. ପଇସା ପୋକ (ଅନୁଗୁଳ, ଗଡ଼ଜାତ):
ଏ ପୋକ ଆଘାତ ପାଇଲେ ପଇସା ଆକରର ହୋଇଯାଏ ବୋଲି ଏହାର ଏକ ନାମ ପଇସା ପୋକ ହୋଇଥିଵା ସହଜେ ଅନୁମେୟ ।
ସେଇଭଳି ଉତ୍ତର ଭାରତରେ ଏ ପୋକର ଵିଭିନ୍ନ ନାମ ପ୍ରଚଳିତ । ମଧ୍ଯପ୍ରଦେଶର ମାଳଵାଞ୍ଚଳରେ ଏ ପୋକ ରେଳ ଗାଡି଼ ଭଳି ଦେଖାଯାଏ ବୋଲି ଏହାକୁ ରେଲ୍ କୁହାଯାଏ । କେଉଁଠି କେଉଁଠି ରେଲ୍ ଗାଡୀ ଓ ଲୀଲୀ ଘୋଡି଼ ବି କୁହନ୍ତି ।
ତୈଳିନୀ ଓ ତେଲୁଣି ଶବ୍ଦ ସହ ସମଦ୍ଧୃତ ତେଲନ୍ ଶବ୍ଦ ଛତିଶଗଡ଼ ଅଞ୍ଚଳର ଲରିଆ ଭାଷାରେ ଚଳୁଅଛି । ନିମାଡ଼ରେ ତେଲୁଣି ପୋକ ବାନିୟା ଭାବେ ଜଣାଯାଏ ।
ତେଵେ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଏ ପୋକକୁ ଗଜାଈ, ଗିଜାଈ, ଗିଝାଈ, ଗଜାଈ, ଗିଂଜାଇ, ଗୀଜ୍ ଗୀଜାଈ ଓ ଗୋଜର ଆଦି କୁହାଯାଏ। ଏ ସମସ୍ତ ଶବ୍ଦଗୁଡ଼ିକ ସମ୍ଭଵତଃ କୌଣସି ଏକ ମୂଳରୁ ଜାତ ହୋଇଥିଵେ ତେଣୁ ପାରସ୍ପରିକ ସାମ୍ଯତା ଦୃଶ୍ୟ ହୋଇଥାଏ । ସମ୍ଭଵତଃ ଏହା ଗଜରା ଶବ୍ଦ ସମଦ୍ଧୃତ ହୋଇଥିଵ କାରଣ ଏହା ଆଘାତ ପାଇଲେ ଯାକି ହୋଇଯାଏ ଓ ସ୍ତ୍ରୀଙ୍କର ଖୋସାରେ ଗଜରା ଭଳି ଦୃଶ୍ୟ ହୁଏ ।
ତେଲୁଣି ପୋକକୁ ଉତ୍ତର ଭାରତର ଵିଭିନ୍ନ କଥିତ ଭାଷାରେ ଧିନାଇଁ, ଗାୟ୍ ଗ୍ଵାଲନ୍, ଗ୍ଵାଲିନ୍, ଭୁଇଲୀ (ଭୋଜପୁରୀ), ଗାଁଡଗୌଵାର (ଝାଡ଼ଖଣ୍ଡ) ଓ ଗଣଗୋଆର (ବିହାର) ଇତ୍ୟାଦି ମଧ୍ୟ କୁହାଯାଇଥାଏ ।
© ଶବ୍ଦଭେଦ
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…