ସୌରଭିତ ସୃଷ୍ଟି: କବୀ ଅପର୍ଣ୍ଣା ଦେବୀ

ଶ୍ରୀମତୀ ଅପର୍ଣ୍ଣା ଦେବୀ, ଆମ ସାହିତ୍ୟରେ ଜଣେ ଅନାଲୋଚିତ କବୀ ପ୍ରତିଭା। ପ୍ରାକ-ସ୍ଵାଧୀନତା କାଳରେ ଜନ୍ମିତ ଏହି ପ୍ରତିଭା ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଛନ୍ତି ଅନେକ ଗଳ୍ପ, କାବ୍ୟ, ଉପନ୍ୟାସ, କବିତା ରଚନା କରି । ଆଜି ଓଡ଼ିଶାର ପାଲାଗାୟକଗଣ ପାଲା ପରିବେଷଣ କରିବା ସମୟରେ ତାଙ୍କରି କାବ୍ୟର ଅନେକ ଉଦ୍ଧୃତି ଦେଇ ଥାଆନ୍ତି । ତାଙ୍କ ରଚନାବଳୀ ସରଳ ଭାଷାରେ ଲିଖିତ, ଯାହା ଲୋକଙ୍କ ହୃଦୟରେ ସିଧା ସଳଖ ପହଞ୍ଚିଥାଏ । କିନ୍ତୁ ପରିତାପର ବିଷୟ ଯେ, ଏଯାବତ ସେ ପ୍ରତିଭା ଅନାଲୋଚିତ ! କାରଣ ସାହିତ୍ୟ ସମାଲୋଚକମାନଙ୍କୁ ଜଣା ! ୧୮୯୮ ମସିହାରେ ଜନ୍ମଗ୍ରହଣ କରି ୧୯୬୨ ମସିହାରେ ପରଲୋକ ଘଟିଥିଲା ଶ୍ରୀମତୀ ଅପର୍ଣ୍ଣା ଦେବୀଙ୍କର । ତାଙ୍କର ରଚନାବଳୀ ମଧ୍ୟରେ ଇନ୍ଦୁମତୀ କାବ୍ୟ, କବିତାଞ୍ଜଳି, ବାରମାସୀ, ଦେବୀରାଣୀ, ଚିନ୍ତା, କବିତା କଳ୍ପଲତା, ଶତଦଳ ଇତ୍ୟାଦି କବିତା ଗୁଚ୍ଛ, ଦଶକୁମାର ଚରିତ, ଦଶକୁମାରୀ ଚରିତ ଆଦି ଗଳ୍ପ ଓ କଳାବତୀ, ଆର୍ଯ୍ୟ ଲଳନା ଇତ୍ୟାଦି ଉପନ୍ୟାସ ପ୍ରମୁଖ । 

ତାଙ୍କ ରଚିତ ‘କବିତା କଳ୍ପଲତା’ରୁ ଗୋଟିଏ କବିତା ‘ତୁହିଟି କି’, ଉତ୍କଳ ଜନନୀଙ୍କ ଅତୀତର ଗୌରବମୟ ଗାଥା ବହନ କରେ । ଏତେ ସୁନ୍ଦର ହୋଇପାରେ ଏହି କବିତାଟି, ଥରେ ପଢ଼ିଲା ପରେ ମନରେ ସ୍ବତଃ ପ୍ରଶ୍ନ ଆସେ, “ମୁଁ କେତେ ମହିୟସୀ ମାଁ କୋଳରେ ଜନ୍ମିତ !”

ବୀର୍ଯ୍ୟ ବିକ୍ରମେ ସୂର୍ଯ୍ୟ ସଦୃଶ
ଶୌର୍ଯ୍ୟ ସୌଖିନେ ଯା ପୋଏ ମାତି ,
ଆର୍ଯ୍ୟ ଭୂମିର କାର୍ଯ୍ୟ ସାଧିଲେ
ଧୈର୍ଯ୍ୟ ସାହସେ ପରାଣ ପାତି ,
ଅକ୍ଷୟ କୀର୍ତ୍ତି ଅକ୍ଷୟ ଦୀପ୍ତି
ଅକ୍ଷୟେ ଥାପି ଅବନୀ ପର ,
ତୁହିଟି କି ସେହି ମହୀୟସୀ ମହୀ
ଉତ୍କଳ ଜନନୀ ଅଟୁ ଆମର ? ୧।

ବୀର ବୀରତ୍ଵେ ସାରା ଜଗତେ
ଯା ବୀରପୁତ୍ରେ ଚିର ବନ୍ଦିତ ,
ଯା ତୁର୍ଯ୍ୟଘୋଷେ ଛନକା ତ୍ରାସେ
ବଇରୀ ବୁକୁ ହୁଏ କମ୍ପିତ ,
ଶତ୍ରୁ ନିପାତି ମାତୃ ହିତେ ଯେ
ମରଣେ ବରି ହେଲେ ଅମର ,
ତୁହିଟି କି ସେହି ମହୀୟସୀ ମହୀ
ଉତ୍କଳ ଜନନୀ ଅଟୁ ଆମର ? ୨।

କଳାକୁଶଳେ ଯା’ର କୁମରେ
ଝଲସାଇଲେ ଅଖିଳ ଧରା ,
ଶିଳ୍ପଚାତୁର୍ଯ୍ୟ ସୁଷମା ରାଜି
ଆର୍ଯ୍ୟ ଗୌରବ ମୁକୁଟ ପରା ,
ବିରାଜେ ବକ୍ଷେ ଯା’ର ପ୍ରତ୍ୟକ୍ଷେ
ପୁରୀ କୋଣାରକ ଭୁବନେଶ୍ୱର ,
ତୁହିଟି କି ସେହି ମହୀୟସୀ ମହୀ
ଉତ୍କଳ ଜନନୀ ଅଟୁ ଆମର ? ୩।

ସାଗର ବୁକୁ ଚିରି ଯା ପୋଏ
ତରଣୀ ବାହି ଅତୁଳୋତ୍ସବେ ,
ଦେଶ ଦେଶାନ୍ତେ ବଣିଜ ଅର୍ଥେ
ବ୍ୟାପିଲେ ଦୃପ୍ତେ ବିଦ୍ୟୁତ ପ୍ରାୟେ ,
ଯା ଭାଗ୍ୟରାଶି ଥିଲା ଆକର୍ଷି
ମାନସରସ ଇତରଙ୍କର ,
ତୁହିଟି କି ସେହି ମହୀୟସୀ ମହୀ
ଉତ୍କଳ ଜନନୀ ଅଟୁ ଆମର ? ୪।

ଉତ୍କଳ ରାଣୀ ଉତ୍କଳ ବାଣୀ
ଗୌରବମଣି-ହୀରା ସମାନେ ,
ଅମରାକ୍ଷରେ ନାମ ରଖିଲେ
କାଳ ବକ୍ଷରେ ଯା’ର ସନ୍ତାନେ ,
ସାହିତ୍ୟ ରମ୍ୟ ସୁମନଦାମେ
ଭରି ଭାରତୀ-ଭାଷା-ଭଣ୍ଡାର ,
ତୁହିଟି କି ସେହି ମହୀୟସୀ ମହୀ
ଉତ୍କଳ ଜନନୀ ଅଟୁ ଆମର ? ୫।

ଗୋଦାବରୀରୁ ଜାହ୍ନବୀ ଯାଏ
ଯା’ ପୋଏ ଏକଛତ୍ରାଧିଶ୍ଵର ,
ଦର୍ପଭରେ ଯା ଜାତୀୟ ଧ୍ଵଜା
ଉଡ଼ିଲା ବ୍ୟାପି ବିଶ୍ଵ ଅମ୍ବର ,
ଏହିଟି କି ମାଗୋ ତୋର ସେ ସୁଆଗ
ସଂଖାଳି ସୁତଙ୍କ ଶୋଣିତ ଧାର ,
ତୁହିଟି କି ସେହି ମହୀୟସୀ ମହୀ,
ଉତ୍କଳ ଜନନୀ ଅଟୁ ଆମର ? ୬।

ଉପସ୍ଥାପନା: ଶ୍ରୀମତୀ ସୁକାନ୍ତି ସାହୁ

admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

1 week ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

1 week ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

1 week ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago