ଲେଖା: ନିରଞ୍ଜନ ସାହୁ ରାଧାନାଥ ଥିଲେ ତାଙ୍କ ସମୟର ଜଣେ ନିର୍ମାଣ ପୁରୁଷ । ସାହିତ୍ୟ ସର୍ଜନା ଜରିଆରେ ଓଡ଼ିଶାର ଏକ ପ୍ରାଦେଶିକ ତଥା ସାଂସ୍କୃତିକ ପରିଚୟ ଗଠନ କରିଥିଲେ ନୂତନ ସଂସ୍କାର, ନୂତନ ଚେତନା, ଜାତୀୟ ଇତିହାସ ସୃଷ୍ଟି କରି । ରୀତି ଯୁଗୀୟ କବିଗଣ ଏପରି ପରିଯୋଜନାର ସ୍ଵପ୍ନ ଦେଖି ନଥିଲେ ମଧ୍ୟ ! ଗୋଟିଏ ଅବିଭାଜ୍ୟ ଭୂଗୋଳର ଛବି ଆଙ୍କିବା ତାଙ୍କ ପୂର୍ବରୁ ସମ୍ଭବ ହୋଇ ନ ଥିଲା । ଓଡ଼ିଆ ସାହିତ୍ୟରେ ରେନେସାଁର ପ୍ରବର୍ତ୍ତନ ହିଁ ଆରମ୍ଭ ହୋଇଥିଲା ତାଙ୍କରି ସମୟରେ । ଦରବାରୀ କବିତା ନଥିଲା ତାଙ୍କର କାବ୍ୟ ସମୂହ। କିନ୍ତୁ ଦରବାର କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟର ଶ୍ରୀବୃଦ୍ଧି ସହ ଏହା ହୋଇଥିଲା କାଳଜୟୀ ରଚନା । ଦରବାରୀ କବିତା ନ ଲେଖିଲେ ମଧ୍ୟ ତଦନାନ୍ତୀନ ଅନେକ ରାଜା, ମହାରାଜା ତାଙ୍କର ପ୍ରଥମ ସ୍ତାବକ ହୋଇ ପଡ଼ିଥିଲେ ! ଏହାହିଁ ବୈଶିଷ୍ଟ୍ୟ ତାଙ୍କ ରଚନାର । ଢେଙ୍କାନାଳ ଅଧୀଶ୍ଵର ଶ୍ରୀ ଶୂରପ୍ରତାପ, ତାଳଚେରାଧୀଶ ଶ୍ରୀ କିଶୋର ଚନ୍ଦ୍ର, ଲହଡ଼ାଧୀଶ ଶ୍ରୀ ଗଣେଶ୍ୱର, ବାଲେଶ୍ଵର ମହାରାଜା ଶ୍ରୀ ଶିବାନନ୍ଦ, ଶ୍ରୀ ବୈକୁଣ୍ଠ ନାଥ, ମୟୂରଭଞ୍ଜ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର, ଶ୍ରୀରାମଚନ୍ଦ୍ର, ଖଡ଼ିଆଳ ରାଜା ଶ୍ରୀ ଶିବନାରାୟଣ, ବାମଣ୍ଡାଧୀଶ ଶ୍ରୀ ବାସୁଦେବ ସୁଢ଼ଳଦେବ, ଶ୍ରୀ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ, ଓଡ଼ିଶାର ଅପ୍ରତିଦ୍ଵନ୍ଦୀ ମୁକୁଟବିହୀନ ସମ୍ରାଟ ମଧୁସୂଦନ, କଥାସମ୍ରାଟ ଫକୀରମୋହନ, ବିଦେଶୀ ଓଡ଼ିଆପ୍ରାଣ ଜନ୍ ବିମ୍ସ ଇତ୍ୟାଦି ମହାନୁଭବ ବ୍ୟକ୍ତିବିଶେଷ ରାଧାନାଥ ସାହିତ୍ୟର ସ୍ତାବକ ହୋଇ ପଡ଼ିଥିଲେ ସେ ସମୟରେ। ସେ ସମୟର ରାଜନ୍-ବୃନ୍ଦ ତାଙ୍କ ଆତିଥ୍ୟ ଲାଭ ପାଇଁ ବ୍ୟାକୁଳତା ପ୍ରକାଶ କରୁଥିବା ଶୁଣିବାକୁ ମିଳେ ରାଧାନାଥ ରାୟଙ୍କ କ୍ଷୁଦ୍ର ଆତ୍ମଜୀବନୀ ଓ ତାଙ୍କୁ ଲେଖିଥିବା ପତ୍ରମାନଙ୍କର କିୟଦଂଶରେ । ୧୯୦୩ ମସିହା ସେପ୍ଟେମ୍ବର ମାସରେ ଅବସର ଗ୍ରହଣ କରିବା ପରେ, କଟକରେ ଅବସ୍ଥାନ କଲେ ରାଧାନାଥ । ସେତେବେଳକୁ ମାନସିକ ଅସ୍ଥିରତା ଭିତରେ ଗତି କରୁଥିଲେ । ଦୀର୍ଘ ଚାରି ବର୍ଷ ମଧ୍ୟରେ ଅବସନ୍ନ ହୋଇ ପଡ଼ିଥିବା କବିବର ୧୯୦୮ ମସିହା ପ୍ରାରମ୍ଭରେ ଚିତ୍ତ ପରିବର୍ତ୍ତନ ସକାଶେ ଗଡ଼ଜାତ ଭ୍ରମଣରେ ବହିର୍ଗତ ହେଲେ । ସେ ବେଳକୁ ଗଡ଼ଜାତ ଅଞ୍ଚଳର ସମସ୍ତ ରାଜନ୍ ଅତ୍ୟନ୍ତ ଉଦବେଗ ସହ ନିମନ୍ତ୍ରଣ ଜଣାଇ ସାରିଥିଲେ, ତାଙ୍କ ରାଜ୍ୟ ମାନଙ୍କରେ ଅତିଥି ଭାବେ ଯୋଗଦେଇ କିଛି ଦିନ ପ୍ରକୃତିସୁନ୍ଦରୀଙ୍କ କ୍ରୋଡ଼ରେ ସମୟ ଅତିବାହିତ କରିବାକୁ । ସେହି ପର୍ଯ୍ୟଟନ ସମୟରେ ସେ ଶେଷ ଅତିଥି ହୋଇଥିଲେ ବାମଣ୍ଡାଧୀଶ ସଚ୍ଚିଦାନନ୍ଦ ତ୍ରିଭୂବନଦେବଙ୍କର । ଦେବଗଡ଼ର ରାଜପ୍ରାସାଦରେ ରହିବା ସହ ଅନେକ ନୈସର୍ଗିକ ଶୋଭା ମଣ୍ଡିତ ପ୍ରଧାନପାଟ ଓ ତୁଡି଼ଖୋଳ ଘାଟି ନିମ୍ନରେ ଆତପକ୍ଲେଶ ନିବାରଣ ନିମନ୍ତେ ରାଜନ୍ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ସବୁ କିଛି ବନ୍ଦୋବସ୍ତ କରିଥିଲେ । ବାମଣ୍ଡାରୁ ପ୍ରତ୍ୟାବର୍ତ୍ତନ ସମୟରେ କବିବର କିଛି ସମୟ ପାଇଁ ବିଶ୍ରାମ ନେଇଥିଲେ ତୁଡ଼ିଖୋଳ ଘାଟି ପାଦଦେଶରେ । ଏହା ଥିଲା କବିବରଙ୍କର ଶେଷ ପର୍ଯ୍ୟଟନ । ଗୁଣଗ୍ରାହୀ ରାଜନ୍ ପରେ ତାହାରି ସ୍ମାରକୀ ସ୍ଵରୂପ ତୁଡି଼ଖୋଳ ଘାଟି ନିମ୍ନରେ ଏକ ବେଦିକା ନିର୍ମାଣ କରାଇ ପ୍ରସ୍ତରଫଳକରେ ସ୍ଵଲିଖିତ କବିତା ଲେଖିଥିଲେ, ରାଧାନାଥଙ୍କ ଉଦ୍ଦେଶ୍ୟରେ । (ଏବେ ପ୍ରସ୍ତର ବେଦିକା ଅଛି, କିନ୍ତୁ ପ୍ରସ୍ତରଫଳକ ? ଏହାହିଁ ବୈଶିଷ୍ଟ୍ୟ ଆମ ଜାତିର!) ~ ତୁଡ଼ିଖୋଳ ଘାଟି ରେ ପ୍ରସ୍ତରଫଳକର କବିତା ~ସାହିତ୍ୟ-କାନନଚାରୀ ବସନ୍ତ-କୋକିଳ, କବିବର ରାଧାନାଥ ରାୟ ବାହାଦୁର, ଊନବିଂଶ ଶତାଧିକ ଅଷ୍ଟ ଶତାବ୍ଦୀରେ, କରିଥିଲ ବାମଣ୍ଡାକୁ ଶୁଭ ଆଗମନ ।ପ୍ରତ୍ୟାବୃତ୍ତକାଳେ ଏହି ଶିଖରିଶିଖରେ, ଦୈବଯୋଗେ ଭାରବାହୀ ବଳିବର୍ଦ୍ଦପଦ ଖଞ୍ଜ ଯୋଗୁଁ, ଦେଖି ତାକୁ କର୍ତ୍ତବ୍ୟ ବିମୁଖ ଦୟାର୍ଦ୍ର ହୃଦୟ ତବ ହେଲା ଦ୍ରବୀଭୂତ, ବିଧକର ସଂସ୍ପର୍ଶରେ ବିଧୁମଣି ଯଥା । ଏକେ ମଧୁମାସ ପୁଣି ମଧ୍ୟାହ୍ନ ସମୟ, ଭୋଗିଛ ସେ ଦିନ ଯେଉଁ କଷ୍ଟ କବିମଣି ଶେଷକରି ଏହି ଯାତ୍ରା ପ୍ରବେଶି ଆଳୟେ ତେଣୁ ଏହି ଚୂତମୂଳେ ଏ ରମ୍ୟ ବେଦିକା “ଆଧୁନିକ ଉତ୍କଳର କବୀଶ୍ଵର ରାଧାନାଥ ସ୍ଵୀୟ ପ୍ରଜ୍ଞା-କୁଞ୍ଚିକା ବଳରେ ସାହିତ୍ୟକୋଷ ଉଦଘାଟନ କରି ଉତ୍କଳଭାରତୀଙ୍କୁ ମନୋହର ଆଭରଣରେ ସମଳଙ୍କୃତ କରିଅଛନ୍ତି । ତାଙ୍କର ନବରସମୟୀ ଲେଖାବଳୀ ପ୍ରାଚୀନ ଉତ୍କଳସାହିତ୍ୟ ଅପେକ୍ଷା କେତେକ ଅଂଶରେ ଉନ୍ନତ ପଦବୀ ଲଭିବାର ଉପଯୁକ୍ତ । ନବଯୁଗର ସାହିତ୍ୟ ସଂସାରରେ ଯେଭଳି ରଚନାସୈାଷ୍ଠବ ଅଦ୍ଵିତୀୟ ହେଉଅଛି, କବିବର ରାଧାନାଥ ସେହି ଉତ୍କୃଷ୍ଟ ପନ୍ଥା ଅବଲମ୍ବନ କରି ତାଙ୍କର ନିରବଦ୍ୟ ପଦ୍ୟାବଳୀ ରଚନା କରିଅଛନ୍ତି । ପ୍ରାଚୀନ ଉତ୍କଳର ବନ୍ଦନୀୟ କବିବୃନ୍ଦ ଶବ୍ଦ ଏବଂ ଭାବରାଜ୍ୟର ସମ୍ରାଟ ପଦବୀରେ ସମାସୀନ ହେଲେ ହେଁ ସେମାନଙ୍କ ମଧ୍ୟରେ ରାଧାନାଥଙ୍କ ସଦୃଶ ଈଶ୍ୱର ପ୍ରେରିତ ନିସର୍ଗ ଉପଦେଷ୍ଟାର ଅନନ୍ୟମନା ଅନ୍ତେବାସୀ ଏକାନ୍ତ ବିରଳ କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ । ରାଧାନାଥଙ୍କ କବିତାର ପ୍ରତ୍ୟେକାଂଶରେ କମନୀୟ-କାନ୍ତି ଉତ୍କଳ ପ୍ରକୃତିର ବର୍ଣ୍ଣନା ଦୃଷ୍ଟ ହୁଏ । ତାଙ୍କର କବି-ଜନ-ସୁଲଭ ରଙ୍ଗାଜୀବତ୍ଵ ପ୍ରକୃତି ସୁନ୍ଦରୀଙ୍କ ସୌନ୍ଦର୍ଯ୍ୟ ଚିତ୍ରଣରେ ସର୍ବତୋଭାବରେ ପରିସ୍ଫୁଟ – ଏହାହିଁ କବିବରଙ୍କର ବିଶେଷତ୍ଵ । କିନ୍ତୁ ବୀର, କରୁଣ ଏବଂ ଶୃଙ୍ଗାରାଦି ରସସମୂହର ଅବତାରଣା ସମ୍ବନ୍ଧରେ କବିବର ଯେଉଁ ଅପୂର୍ବ ରଚନାକୌଶଳ ପ୍ରଦର୍ଶନ କରିଅଛନ୍ତି, ତାହା ଉତ୍କଳ-ସାହିତ୍ୟ-ଲକ୍ଷ୍ମୀଙ୍କ ରମଣୀୟ ମୁକୁଟାଳଙ୍କାର ସଦୃଶ ଚିରଦିନ ଦେଦୀପ୍ୟମାନ ରହିବ । ଏତଦ୍ଦୃଷ୍ଟେ ଯଦି କବିବରଙ୍କୁ ଅସାଧାରଣ ମୌଳିକତାସମ୍ପନ୍ନ “କବିସମ୍ରାଟ” ବୋଲାଯାଏ, ତାହାହେଲେ ବୋଧହୁଏ, ଅତ୍ୟୁକ୍ତି ଦୋଷ ଘଟିବ ନାହିଁ । ତାଙ୍କର ସୁଧା-ସ୍ୟନ୍ଦିନୀ ମୌଳିକ କବିତାବଳୀ କ୍ରମଶଃ ଜନମାନସରେ ପ୍ରଚାରିତ ହୋଇ କାଳକ୍ରମେ ସାହିତ୍ୟ ସେବକବୃନ୍ଦର ସର୍ବୋତ୍କୃଷ୍ଟ ସମାଦର ଲାଭ କରିବ । କାବ୍ୟ-ସମ୍ବନ୍ଧିନୀ ରାଧାନାଥ କୀର୍ତ୍ତି ଯଥାର୍ଥ ନିରୂପାୟ ରୂପେ ଉତ୍କଳ କାବ୍ୟ ଜଗତରେ ଶ୍ରବଣେନ୍ଦ୍ରିୟର ପୀୟୂଷ-ପ୍ରସବଣ ସ୍ଵରୂପ ପରିଗୃହୀତ ହେବ ।” ଆଧାର: ଶ୍ରୀ ଆର୍ତ୍ତତ୍ରାଣ ଶତପଥୀ, ହଂସନାବାଦ, କଟକ, ୧୯୦୨
|
|