ଲେଖା: ଦେଵ ତ୍ରିପାଠୀ
~ ତୀର୍ଥମଠ ~
ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରାର ପ୍ରାଥମିକ ରୂପରେଖ ପ୍ରସ୍ତୁତି ସମୟରେ #ଜଗତସିଂହପୁର ଜିଲ୍ଲାର ଐତିହ୍ୟସ୍ଥଳୀ ଗୁଡ଼ିକର ତାଲିକା ପ୍ରସ୍ତୁତି ପାଇଁ ଯେତେବେଳେ ସେଠାକାର ବନ୍ଧୁମାନଙ୍କୁ ଜିଜ୍ଞାସା କଲି, ସେମାନଙ୍କର କୁଣ୍ଠିତ ତଥା ନକରାତ୍ମକ ଉତ୍ତରରେ ବିସ୍ମିତ ହୋଇ ନ ଥିଲି ଆଦୌ ! ମନେ ପଡ଼ୁଥିଲା, #କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ #ଇତିହାସବିମୁଖ_ଜାତି ପରି ବିଦ୍ରୁପର ବାକ୍ୟ ! ଭାବୁଥିଲି, ଉତ୍କର୍ଷ କଳାର ଦେଶ ଉତ୍କଳ ଭୂଇଁରେ ସାକ୍ଷରତା, ଭାଷା, ସାହିତ୍ୟ, କୃଷି, ଜ୍ଞାନବିଜ୍ଞାନ ତଥା ଆଧ୍ୟାତ୍ମିକ ଦର୍ଶନ କ୍ଷେତ୍ରରେ ଯେଉଁ ଅଞ୍ଚଳଟିର ନାମ ସର୍ବାଗ୍ରେ ଏବଂ ସଶ୍ରଦ୍ଧେ ଉଚ୍ଚାରିତ ହୁଏ, ଅକଳନ ଗାରିମାମୟ ଇତିହାସର ସ୍ବାକ୍ଷର ବହନ କରେ ଯେଉଁ କ୍ଷୁଦ୍ର ଭୂଖଣ୍ଡ, ସେଇ ମହନୀୟ ଜଗତସିଂହପୁର ଜିଲ୍ଲା ଯେ ଉନ୍ନତ ସ୍ଥାପତ୍ୟ ଓ ଅନୁପମ ଭାସ୍କର୍ଯ୍ୟରହିତ ହେବ କିପରି ?
(ଷଡ଼ଭୁଜ ଗୌରାଙ୍ଗ ଓ ରାଧାକୃଷ୍ଣ ଦ୍ୱାରପାଳ)
(ଏ ପୀଠରେ ନାରାୟଣୀୟ ମହିମା ପ୍ରକଟ କରୁଥିବା ଭାସ୍କର୍ଯ୍ୟଗୁଡ଼ିକ ହେଲେ
ଯଥାକ୍ରମେ ପର୍ଶୁରାମ ମୂର୍ତ୍ତି ୨ଟି, ବିଷ୍ଣୁ ମୂର୍ତ୍ତି ୩ଟି, ଅନନ୍ତଶାୟୀ ବିଷ୍ଣୁ ମୂର୍ତ୍ତି ୧ଟି, ତ୍ରିବିକ୍ରମ ମୂର୍ତ୍ତି ୧ଟି ଓ ନୃସିଂହ ମୂର୍ତ୍ତି ୧ଟି !
ବିରଳ ପର୍ଶୁରାମଙ୍କ ବିଗ୍ରହ ନବମ ଶତାବ୍ଦୀରେ ଖୋଦିତ ହୋଇଥିବାର ଅନୁମାନ କରାଯାଏ ।
ଉକ୍ତ ସମୟରେ ଏହିଠାରେ ସେ ମୁଖ୍ୟ ଦେବତା ଥିଲେ କିମ୍ବା ଏକ ବିଶାଳ ବିଷ୍ଣୁ ମନ୍ଦିରର ପାର୍ଶ୍ବଦେବତା ଥିଲେ ବା
ଏକ ବିରାଟ ବିଷ୍ଣୁ ମନ୍ଦିରର ପାଟ ପଥରରେ ସ୍ଥାନିତ ଦଶାବତାର ମଧ୍ୟରୁ ଗୋଟିଏ ଥିଲେ ଏବଂ
ଅନ୍ୟ ଦେବବିଗ୍ରହ ଗୁଡ଼ିକ ବିଲୁପ୍ତ ହୋଇଯାଇଛନ୍ତି, ତାହା କହିବା ଅସମ୍ଭବ ।
ମସ୍ତକରେ ବୃତ୍ତାକାର କୀରିଟ ଧାରଣ କରିଥିବା ଏହି ବିଗ୍ରହର ଅନିନ୍ଦ୍ୟ ସୁନ୍ଦର କାନ୍ତି
ଉନ୍ନତ କଳାନୈପୁଣ୍ୟର ପରିଚୟ ପ୍ରଦାନ କରେ । ଦକ୍ଷିଣ ହସ୍ତଦ୍ୱୟରେ ପର୍ଶୁ ଓ ତୀର ଧାରଣ କରିଥିବା
ବେଳେ ବାମ ଭୂଜଦ୍ୱୟରେ ଶଙ୍ଖ ଓ ଧନୁ ଧାରଣ କରିଛନ୍ତି । ପାଦ ପାର୍ଶ୍ବରେ ଦୁଇ ଦିଗରେ ପୂଜାରିଣୀ ପ୍ରତିମା ଖୋଦିତ ।
ମସ୍ତକରେ ପ୍ରଭାମଣ୍ଡଳ ଅଣ୍ଡାକୃତି ହୋଇଥିବାବେଳେ ଉଭୟ ଦିଗରେ ବିଦ୍ୟାଧାରୀ ମୂର୍ତ୍ତି ଖୋଦିତ ହୋଇଛି
ସର୍ବାଙ୍ଗରେ ସୂକ୍ଷ୍ମ ଅଳଙ୍କାର ପ୍ରସସ୍ଥ ଛାତି ସୁଠାମ କଟିଦେଶରେ କଟିଦାମ
ଓ ଝୀନ ବସ୍ତ୍ର ଦେହରେ ଜଡ଼ିଗଲା ପରି ସୁନିପୁଣ ଶିଳ୍ପୀ ହସ୍ତରେ ଖୋଦିତ)
ଜିଲ୍ଲାର କୋଣେ ଅନୁକୋଣେ ବିଛାଡ଼ି ହୋଇ ପଡ଼ିଥିବା ତଥା ଆମ ପ୍ରାଚୀନ ସଂସ୍କୃତିର ଗୌରବମୟ ସାକ୍ଷ୍ୟ ବହନ କରୁଥିବା ବୌଦ୍ଧ, ଜୈନ ଓ ବୈଷ୍ଣବ ସଂସ୍କୃତିର ମଠ, ମନ୍ଦିର ଓ ବିଗ୍ରହଗୁଡ଼ିକୁ ଯେଉଁ ଦୃଷ୍ଟିରୁ ଦେଖିଲେ #ପର୍ଶୁରାମକ୍ଷେତ୍ର ବା ତୀର୍ଥମଠର ମହତ୍ୱ ସ୍ପଷ୍ଟ ପ୍ରତିଭାତ ହୁଏ !
ଜଗତସିଂହପୁର ଜିଲ୍ଲାର କଟକ ପାରାଦୀପ ଜାତୀୟ ରାଜପଥରେ ମଣିଜଙ୍ଗା ଠାରୁ ନରୁଆ ଛକ ରାସ୍ତା ଦେଇ ୧୪କି.ମି. ଦୂରରେ ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତର #ତଅଁରା ଠାରେ ଅବସ୍ଥିତ ପ୍ରାଚୀନ ଧର୍ମପୀଠ #ତୀର୍ଥମଠ
ଆଭ୍ୟନ୍ତରିଣ ଗ୍ରାମ୍ୟ ଅଥଚ ଅତ୍ୟନ୍ତ ମନଲୋଭା ପରିବେଶର ସେଇ ବୃହତ ବିଜେସ୍ଥଳୀଟି ସୁଦୃଶ୍ୟ ତୋରଣ, ପୁଷ୍କରିଣୀ ଓ ଦେବପୀଠ ସହିତ ସବୁଜ ବୃକ୍ଷରାଜିରେ ପରିଶୋଭିତ ! ଅତ୍ୟନ୍ତ ଶାନ୍ତ, ସ୍ନିଗ୍ଧ ଓ ମନୋହର ! ଜଗତସିଂହପୁର ଜିଲ୍ଲାର ମଠସଂସ୍କୃତି ଇତିହାସରେ ମାହାତ୍ମ୍ୟମୟ ଏ ତୀର୍ଥମଠ ପୀଠ ! ଅନନ୍ୟ ଏହାର ଅତୀତର ଗରିମା ଓ ଉନ୍ନତ କଳାଭାସ୍କର୍ଯ୍ୟର ପ୍ରତ୍ନତାତ୍ତ୍ୱିକ ବିଭବ !
(ପୀଠରେ ଦୃଶ୍ୟମାନ ଚାମୁଣ୍ଡା ମୂର୍ତ୍ତିଦ୍ୱୟ ଅଷ୍ଟଭୂଜା, କଙ୍କାଳସାର, କୋଟରଗତ ଉଦର
ଓ ଗଳାରେ କପାଳମାଳ ଧାରଣ କରିଛନ୍ତି । ବିଭିନ୍ନ ହସ୍ତରେ ଘଣ୍ଟି, ମାଳା, ଧନୁ ଓ ଖଡ୍ଗ
ଧାରଣ କରିଛନ୍ତି । ବାମ ପାର୍ଶ୍ବରେ ଏକ ହସ୍ତ କାଣି ଆଙ୍ଗୁଠିକୁ କାମୁଡ଼ି ଧରିଛନ୍ତି ।
ଏକ ହସ୍ତ ବରଦ ମୁଦ୍ରାରେ ରହିଛି । ଶବ ଉପରେ ପ୍ରସ୍ଫୁଟିତ ପଦ୍ମ ଆସନରେ
ବାମଜାନୁକୁ ଟେକି ଦକ୍ଷିଣ ପାଦରେ ଅର୍ଥ ଚକ୍ରାସନରେ ଉପବେଶନ କରିଛନ୍ତି)
ବୌଦ୍ଧ ଓ ଜୈନ ଧର୍ମର ପ୍ରଭାବରେ ଦୁର୍ବଳ ହୋଇ ପଡ଼ିଥିବା ବ୍ରାହ୍ମଣ୍ୟ ଧର୍ମଧାରାକୁ ପୁନଃ ପ୍ରତିଷ୍ଠିତ କରିଥିବା ଆଦିଗୁରୁ #ଶଙ୍କରାଚାର୍ଯ୍ୟ ସନାତନ ଧର୍ମ ଭିତରେ ଥିବା ବହୁ ବିଭେଦକୁ ଦୂରୀଭୂତ କରି ଯେଉଁ ସମନ୍ବୟ ସ୍ଥାପନ କରିଥିଲେ; ଉଭୟ ବୈଦିକ ଦେବତା ଏବଂ ଗଣଦେବତାଙ୍କ ସମୟରେ ହିନ୍ଦୁ ଧର୍ମର ପଞ୍ଚ ପ୍ରମୁଖ ସମ୍ପ୍ରଦାୟକୁ ଏକତ୍ରିକରଣ କରି #ପଞ୍ଚଦେବ ଉପାସନାର ଯେଉଁ ମାର୍ଗ ପ୍ରଚଳନ କରିଥିଲେ ! ଏ ପୀଠରେ ତାହାର ପ୍ରତିଫଳନ ଘଟିଥିଲା ସେହି କାଳରୁ, ଯେଉଁ ସମୟରେ କି ଗାଣପତ୍ୟ, ବୈଷ୍ଣବ, ଶୈବ, ଶାକ୍ତ ଓ ସୌର ପରିବାରକୁ ଏକତ୍ର ପୂଜା ବିଧାନ ପ୍ରଚଳନ ହେଲା ! ଭାରତୀୟ ଧାର୍ମିକ ପରମ୍ପରାରେ ! ଓଡ଼ିଶାରେ ମଧ୍ୟ ଏହି ସମୟରେ ଚଣ୍ଡିଖୋଲ #ମହାବିନାୟକ ଗଣେଶଙ୍କର, ଶ୍ରୀକ୍ଷେତ୍ର ବିଷ୍ଣୁଙ୍କର, ଲିଙ୍ଗରାଜ ମନ୍ଦିର ଶିବଙ୍କର, ଯାଜପୁର #ବିରଜାକ୍ଷେତ୍ର ଅମ୍ବିକା ବା ଦୁର୍ଗାଙ୍କର ଏବଂ କୋଣାର୍କ କ୍ଷେତ୍ର ସୂର୍ଯ୍ୟଙ୍କ ଉପାସନାର କେନ୍ଦ୍ର ପାଲଟିଯାଇ ପଞ୍ଚଦେବତାଙ୍କ ଉପାସନା ପୀଠ ଭାବରେ ଉତ୍କଳୀୟ ଭକ୍ତିଭାବନାକୁ ସମନ୍ଵୟ ଚେତନାରେ କେନ୍ଦ୍ରିଭୂତ କରିଥିଲା ! 
(ମହିଷାମର୍ଦିନୀ)
(ଏହି ପୀଠର ସୂର୍ଯ୍ୟମୂର୍ତ୍ତି ଓଡ଼ିଶାରେ ଉପଲବ୍ଧ ପ୍ରାଚୀନ ସୂର୍ଯ୍ୟ ବିଗ୍ରହମାନଙ୍କ ମଧ୍ୟରୁ ଅନ୍ୟତମ ।
ଉକ୍ତ ବିଗ୍ରହ ଦୁଇ ହସ୍ତରେ ପୁଷ୍ପ ଧାରଣ କରିଛନ୍ତି । ଜାନୁର ସମ୍ମୁଖ ଭାଗରେ
ସାରଥୀ ଅରୁଣଙ୍କର ବିଗ୍ରହ ଖୋଦିତ ହୋଇଥିବାବେଳେ ନିମ୍ନଭାଗ ଖୋଦିତ ହୋଇନାହିଁ ।
ଦୁଇପାର୍ଶ୍ବ ନିମ୍ନଭାଗରେ ଉଷା ଓ ପ୍ରତ୍ୟୁଷ ମୂର୍ତ୍ତି ଖୋଦିତ । ମସ୍ତକରେ ଗୋଲାକୃତି କୀରିଟ
ଧାରଣ କରିଛନ୍ତି । ସୋମବଂଶୀ ରାଜାମାନଙ୍କ ରାଜତ୍ଵ ସମୟରେ ଖୋଦିତ
ଏହି ବିଗ୍ରହ ନବମ ଦଶମ ଶତାଦ୍ଦୀର ହୋଇଥିବା ସମ୍ଭବ)
ତୀର୍ଥମଠ ପୀଠର ଆଦି ସଂସ୍ଥାପକ ଏହି ପଞ୍ଚଦେବତାର ସମନ୍ଵୟ ଆଣିଥିଲେ ! ଜଗତସିଂହପୁରର ବିଭିନ୍ନ କ୍ଷେତ୍ରରେ ଏକାଧିକ ଦେବବିଗ୍ରହ ପୂଜା ପାଉଥିଲେ ମଧ୍ୟ ଏହି ପଞ୍ଚଦେବତାଙ୍କର ପୂର୍ଣ୍ଣ ପ୍ରତିନିଧିତ୍ଵ କେବଳ ତୀର୍ଥମଠ ଏବଂ ନାଉଗାଁ ବ୍ଲକର #କୁଣ୍ଡେଶ୍ଵର ମନ୍ଦିରରେ ଦେଖିବାକୁ ମିଳେ । (ଅବଶ୍ୟ ଅନ୍ୟ ଏକ କ୍ଷୁଦ୍ର ସୂର୍ଯ୍ୟମୂର୍ତ୍ତି ଭ୍ରାନ୍ତିବଶତଃ ଗ୍ରାମଦେବତୀ ଭାବରେ ଜଗତସିଂହପୁର ନିକଟସ୍ଥ ମାଧପୁର ଗ୍ରାମରେ ପୂଜା ପାଉଛନ୍ତି !) ଜିଲ୍ଲାର ଅନ୍ୟ କୌଣସି ସ୍ଥାନରେ ସୂର୍ଯ୍ୟମୂର୍ତ୍ତି ଥିବାର ପ୍ରମାଣ ଆମେ ପାଇନାହୁଁ ।
(ଅନ୍ଧକାସୁର ବଧ ପ୍ରତିମା)
ଭଗବାନ ଶିବାବତାର ଆଚାର୍ଯ୍ୟ ଶଙ୍କରଙ୍କ ଅଦ୍ୱୈତବାଦ ସିଦ୍ଧାନ୍ତକୁ ସ୍ବୀକାର କରିଥିବା ଶଙ୍କରପନ୍ଥୀମାନଙ୍କ ମଧ୍ୟରେ କାଳକ୍ରମେ ସୃଷ୍ଟିହୋଇଥିବା ଗିରି, ପୁରି, ପର୍ବତ, ସାଗର, ପ୍ରଭୃତି ଦଶନାମୀ ସମ୍ପ୍ରଦାୟ ମଧ୍ୟରେ #ତୀର୍ଥ ସମ୍ପ୍ରଦାୟ ଅନ୍ୟତମ । ସମ୍ଭବତଃ ଏହି ପୀଠରେ ସମୟ କ୍ରମେ ଅବସ୍ଥାନ କରିଥିବା ଆଦି ସନ୍ନ୍ୟାସୀ ‘ତୀର୍ଥ’ ସମ୍ପ୍ରଦାୟର ହୋଇଥିବାରୁ ଏହି ପୀଠର ‘ତୀର୍ଥମଠ’ ନାମଟି ଚଳି ଆସୁଛି ବୋଲି ଅନୁମାନ କରାଯାଏ !
(ସଂଗ୍ରହାଳୟରେ ସଂରକ୍ଷିତ ବିଗ୍ରହମାନଙ୍କ ମଧ୍ୟରେ ଅନ୍ୟତମ ବୈଷ୍ଣବ ମୂର୍ତ୍ତି ହେଉଛି
ଅନନ୍ତଶାୟୀ ବିଷ୍ଣୁଙ୍କର । ଅନନ୍ତ ନାଗର କ୍ଷୁଦ୍ର ତଥା ତ୍ରିଶାଖା ବିଶିଷ୍ଟ ଫଣାରେ
ଯୋଗନିଦ୍ରା ଯାଇଥିବା ବିଷ୍ଣୁଙ୍କର ନାଭି ମଧ୍ୟରୁ ତ୍ରିଶାଖା ହୋଇଛି ପଦ୍ମ ।
ମଧ୍ୟ ପଦ୍ମ ଉପରେ ଚତୁର୍ଭୁଜ ବ୍ରହ୍ମା ଉପବେଶନ କରୁଥିବା ବେଳେ ଦୁଇପାର୍ଶ୍ବର ପଦ୍ମପତ୍ର ଉପରେ
ଲକ୍ଷ୍ମୀ ଓ ସରସ୍ବତୀ ଉପବେଶନ କରିଛନ୍ତି । ମୂର୍ତ୍ତିର ଉଦେଶର ଦୁଇ ପାର୍ଶ୍ଵରେ
ଗନ୍ଧର୍ବ ଓ ବିଦ୍ୟାଧର ଅଛନ୍ତି । ଆନୁମାନିକ ନବମ ଶତାଦ୍ଦୀର ଖୋଦିତ ଏହି ମୂର୍ତ୍ତିରେ
ବ୍ରହ୍ମା, ବିଷ୍ଣୁ ବିଗ୍ରହ ଅନୁପାତରେ ବୃହତ ଓ ଅଧିକ ସୁସ୍ପଷ୍ଟ)
ବହୁ ପୁରାତନ ଏହି ତୀର୍ଥମଠ ପୀଠର ଐତିହାସିକ ତଥ୍ୟ ଅଜ୍ଞାତ ! ଭୂଗର୍ଭରୁ ଅନେକ ପ୍ରାଚୀନ ଦେବବିଗ୍ରହ ଉଦ୍ଧାର କରାଯାଇଥିବାରୁ ଅନ୍ୟଧର୍ମ ପୀଠମାନଙ୍କ ପରି ଏଠାରେ ମଧ୍ୟ ଏକ ଲୋକବିଶ୍ବାସ ତଥା ଜନଶ୍ରୁତି ଚଳିଆସୁଛି । ଏହି କ୍ଷେତ୍ର ଉନକୋଟି ଦେବତାଙ୍କ ପୀଠସ୍ଥଳୀ ହୋଇଥିଲେ ମଧ୍ୟ ଗୋଟିଏ ଦେବତାଙ୍କ ଅଭାବରୁ ଶ୍ରୀକ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର ହୋଇପାରିଲା ନାହିଁ ! ଏହା ସ୍ଥାନୀୟ ଲୋକମାନଙ୍କର ଭକ୍ତି ଓ ଭାବପ୍ରବଣତାର କଥା !
ବିଭିନ୍ନ ଲୋକକଥାକୁ ଆଧାର କରି ତଅଁରା ଗ୍ରାମର ଆଡଭୋକେଟ ସୁଧୀରଚନ୍ଦ୍ର ଖୁଣ୍ଟିଆ ମହାଶୟଙ୍କ କହିବା ଅନୁଯାୟୀ, ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଧନୁ ମାଧ୍ୟମରେ ଭଗବାନ ପର୍ଶୁରାମଙ୍କ ଅବତାର କଳାକୁ ହରଣ କରିନେଲେ, ଅତି ନମ୍ରତାର ସହିତ ! ଶକ୍ତିହୀନ ହୀନପ୍ରଭ ଶ୍ରୀପର୍ଶୁରାମ ଏହାପରେ ନିଜେ ରାମଚନ୍ଦ୍ରଙ୍କ ଅଲୌଜିକ ମହିମାକୁ ଅନୁଭବ କରି ତାଙ୍କ ଉଦ୍ଦେଶ୍ୟରେ ସ୍ଥାନ ଏବଂ କାଳକୁ ଉତ୍ସର୍ଗ କରି ତପଶ୍ଚରଣ କରିବାକୁ ଚାହିଁଲେ ! କିନ୍ତୁ ପର୍ଶୁରାମ ଥିଲେ ଚିରଞ୍ଜୀବୀ ! ତେଣୁ ତାଙ୍କୁ ତାଙ୍କ ଚିରକାଳ ତପସ୍ୟାର ସ୍ଥଳୀ ଦର୍ଶାଇବାକୁ ଯାଇ ଦୟାମୟ ରାମଚନ୍ଦ୍ର ନିଜ ଧନୁରେ ତୀର ସନ୍ଧାନ କରି ପୂର୍ବାଭିମୂଖୀ ହୋଇ ଏକ ବାଣ ପ୍ରୟୋଗ କଲେ; ଏବଂ ସେ ବାଣ ଯେଉଁଠି ପଡ଼ିବ ସେହିଠାରେ ପର୍ଶୁରାମଙ୍କ ଆସ୍ଥାନ ନିମନ୍ତେ ଉପଯୁକ୍ତ ବୋଲି ସୂଚାଇଦେଲେ !
(ଶୈବ ସଂସ୍କୃତିର ପ୍ରତିନିଧୂତ୍ର କରନ୍ତି ପ୍ରଭୁ ବାଣେଶ୍ବର ଓ ଶିବଙ୍କର ।
ଅନ୍ଧକାସୁର ବଧ ମୂର୍ତ୍ତି ! ବାଣେଶ୍ବର ମହାଦେବ ଶକ୍ତି ରୂପରେ ପୂଜିତ ଏବଂ
ପାତାଳୀ ଲିଙ୍ଗ ହୋଇଥିବା ହେତୁ ଏହାଙ୍କ ଆଦ୍ୟ ଆବିର୍ଭାବ କାଳ ଜାଣିବା ସମ୍ଭବ ନୁହେଁ ।
ସଂଗ୍ରହାଳୟରେ ସୁରକ୍ଷିତ ଶିବଙ୍କର ବିରାଟ ଭୈରବ ମୂର୍ତ୍ତି, ଶୂଳମୂନରେ ଅନ୍ଧକାସୁରକୁ ଟେକି ଧରିଛନ୍ତି ।
ଅଷ୍ଟଭୂଜରେ ଆୟୁଧ ଗୁଡ଼ିକ କାଳ ଦନ୍ତାଘାତରେ ବିଦାରିତ ହୋଇ ଅସ୍ପଷ୍ଟ ହୋଇଗଲାଣି ।
କପାଳମାଳା ପରିହିତ ଭୟଙ୍କର ରୂପରେ ଅନ୍ୟ ଏକ ରାକ୍ଷସକୁ ଚାପି ଧରିଛନ୍ତି ।
ଉର୍ଦ୍ଧ୍ବଲିଙ୍ଗ ଉଲଗ୍ନ ମୂର୍ତ୍ତିର ଦୁଇପାଦ ମଧ୍ୟରେ ବୃଷଭ ମନୋହର ଦିଶୁଥିବା ବେଳେ
ପାଉଁଜି ପିନ୍ଧିଥିବା ଦୁଇ ପାଦ ଅତ୍ୟନ୍ତ କମନୀୟ ।
ଏହା ନବମ ଶତାଦ୍ଦୀର କଳାକୃତି ହୋଇଥିବାର ଅନୁମେୟ)
ତେବେ ସେଇ ବାଣପତିତ ସ୍ଥାନରେ ଆବିର୍ଭୁତ ଥିଲେ ମହାଦେବ ! ପବିତ୍ର ସ୍ଥାନଟିରେ ସ୍ବ ସ୍ବ ଆସ୍ଥାନ ପାଇଁ ମହାଦେବ ଓ ପର୍ଶୁରାମଙ୍କ ମଧ୍ୟରେ ଦ୍ଵନ୍ଦ ଉପୁଜନ୍ତେ ପର୍ଶୁରାମଙ୍କ ମାତା #ରେଣୁକା ଦେବୀ ଉଭୟଙ୍କ ମଧ୍ୟରେ ଆବିର୍ଭୂତା ହୋଇ କଳହର ସମାଧାନ କଲେ ! ସେଇଦିନୁ ପୀଠରେ ତିନିଦିଅଁ ଏକତ୍ର ଅବସ୍ଥାନ କଲେ ! ସୂଚନା ଯୋଗ୍ୟ ଯେ, ଶିବଙ୍କର #ବାଣେଶ୍ୱର ନାମ ଓ ପର୍ଶୁରାମଙ୍କ ବିଗ୍ରହ ଦ୍ଵୟର ଅବସ୍ଥିତିକୁ ଆଖି ଆଗରେ ରଖି ଏହି ସ୍ଥାନରେ ଥିବା ପାର୍ବତୀ ବିଗ୍ରହକୁ ରେଣୁକା ନାମରେ ପୂଜା କରିଆସୁଥିବା ହେତୁ ଏ ପ୍ରକାର କାଳ୍ପନିକ ଜନଶ୍ରୁତି ପ୍ରଚଳିତ ହୋଇଛି । ଫଳରେ । ଏଠାରେ ଥିବା ଅନ୍ୟ ବିଷ୍ଣୁ ବିଗ୍ରହ ଗୁଡ଼ିକୁ ବଳରାମ, #ହଳରାମ, #ନୀଳରାମ#ଯମଦଗ୍ନି ନାମରେ ପରିଚୟ ଦିଆଯାଇଛି ! ଏହା ମଧ୍ୟ ଏକ ପ୍ରକାର ଅତିଭାକ୍ତିକ ପ୍ରବଣତା !
ତୃତୀୟ କିମ୍ବଦନ୍ତୀଟି ସୃଷ୍ଟି ହୋଇଛି ଏ ଅଞ୍ଚଳର ଅଧିଷ୍ଠିତା ମା’ #ଶାରଳା ଙ୍କୁ ନେଇ । ଭଗବାନ ପର୍ଶୁରାମଙ୍କ ତୀର୍ଥାଟନ କାଳରେ ତାଙ୍କ ଦିବ୍ୟ ବୈଷ୍ଣବଧନୁର ଭାର ସମ୍ଭାଳି ନ ପାରି ଭୂମି ଦବି ଯାଉଥିଲା ! ମାତ୍ର ଏଠାରେ ସେପରି ନହୋଇ ବରଂ ଧନୁଟି ଭୂମି ସ୍ପର୍ଶ ନକରି ଭାସମାନ ଅବସ୍ଥାରେ ଥିଲା । ଏହି ସ୍ଥାନର ରହସ୍ୟ ବା ମାହାତ୍ମ୍ୟ ଜାଣିବା ପାଇଁ ଭଗବାନ ପର୍ଶୁରାମ ମାଟିଖୋଳି ସେଠାରୁ ଏକ ଦିବ୍ୟ ବ୍ରହ୍ମଶିଳା ପ୍ରାପ୍ତ ହେଲେ ଏବଂ ଶର ମୁନରେ ମାଟି ଖୋଳି ଏକ ଦେବୀମୂର୍ତ୍ତିର ଆବିଷ୍କାର କଲେ । ଏବଂ ସେଠାରେ ଦେବୀମୂର୍ତ୍ତିକୁ ପ୍ରତିଷ୍ଠା କଲେ ! ପର୍ଶୁରାମଙ୍କ ଶରମୁନରେ ଖୋଦିତ ହୋଇଥିବାରୁ ଦେବୀ #ସାରଳା ନାମରେ ନାମିତ ହେଲେ ! ଏବେ ଏହି କିମ୍ବଦନ୍ତୀର ସ୍ମୃତି ବହନ କରେ ଶାରଳା ମନ୍ଦିରର ଅନତି ଦୂରରେ ଥିବା #ଭେଟବର ପୀଠ !
(ନୃସିଂହ ମହାପ୍ରଭୁଙ୍କ ପ୍ରତିମା,
ଏହାର ଖୋଦନ କଳା ନବମ ଶତାବ୍ଦୀର ବୋଲି ଅନୁମେୟ)
ଦେବୀଙ୍କ ଆଦେଶରେ ପର୍ଶୁରାମ ନିଜର ଆସ୍ଥାନର ସ୍ଥାନ ନିରୂପଣ କରିବା ପାଇଁ ସେହିଠାରୁ ଏକ ବାଣ ମାରିଲେ, ବାଣଟି ଯେଉଁ ସ୍ଥାନରେ ପତିତ ହେଲା, ସେଇ ସ୍ଥାନରେ ନିଜର ଆରାଧ୍ୟ ଗୁରୁ ଭଗବାନ ଶିବଙ୍କୁ ସ୍ଥାପନ କରି ନିଜେ ସେହିଠାରେ ରହିଗଲେ ! ଆଉ ସେଇଦିନୁ ସେ ସ୍ଥାନଟି ପର୍ଶୁରାମଙ୍କ କ୍ଷେତ୍ର ରୂପେ ପରିଚିତ ହେଲା !
ପର୍ଶୁରାମ କ୍ଷେତ୍ର ତୀର୍ଥମଠ ପରିସରରେ ଦୃଶ୍ୟମାନ ବିଭିନ୍ନ ବିଗ୍ରହଗୁଡ଼ିକୁ ଅନୁଧ୍ୟାନ କଲେ ଜଣାଯାଏ, ଏଠାରେ ପୂର୍ବରୁ ଏକ ସମୃଦ୍ଧ ମନ୍ଦିର ବା ଧର୍ମପୀଠ ଥିଲା ଏବଂ କାଳକ୍ରମେ ତାହା ଭାଙ୍ଗିଯାଇ ଧୂଳିସାତ ହୋଇଯାଇଛି । ଏହାର ଭଗ୍ନାବଶେଷ ମାଟିତଳେ ପୋତି ହୋଇ ଥାଇପାରେ ।
ଜଗତସିଂହପୁର ଜିଲ୍ଲାରେ ସପ୍ତମ/ଅଷ୍ଟମ ଶତାଦ୍ଦୀରୁ ବିଭିନ୍ନ ଧର୍ମଧାରାର ପ୍ରବହମାନ କ୍ଷେତ୍ରଥିଲା, ବୈଷ୍ଣବ, ଶୈବ, ଶାକ୍ତ, ଗାଣପତ୍ୟ ଓ ସୌର ଧର୍ମର ପ୍ରସାର ଓ ସମନ୍ଵୟ ଘଟିଥିଲା । ବିଶେଷତଃ ଭୌମବଂଶୀୟ ରାଜାଙ୍କ ପୂର୍ବରୁ ଏଠାରେ ଜନବସତି ଗଢି ଉଠିଥିଲା ଏବଂ ଏକ ସମୃଦ୍ଧ ସଂସ୍କୃତିର ଅଭ୍ୟୁଥାନ ହୋଇଥିଲା । ଯେଉଁ ଲୁପ୍ତ କୀର୍ତ୍ତିର ଅବଶେଷମାନ ବର୍ତ୍ତମାନର ତୀର୍ଥମଠ ପରିସରରେ ଦୃଶ୍ୟମାନ ହେଉଛି ସେସବୁ ଅଷ୍ଟମ/ନବମ ଶତାବ୍ଦୀ କାଳର ବୋଲି ଅନୁମେୟ !
ଐତିହ୍ୟପ୍ରେମୀ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ନବେ ଦଶକ ଶେଷ ଭାଗକୁ ତୀର୍ଥମଠ ନିକଟରେ ସ୍ଥାପିତ ହୋଇଛି ଏକ ସଂଗ୍ରହାଳୟ ! ତେବେ ସେଠାରେ ସଂରକ୍ଷିତ ଉକ୍ତ ପ୍ରାଚୀନ ଦେବବିଗ୍ରହଗୁଡ଼ିକର ପ୍ରତ୍ନତାତ୍ତ୍ୱିକ ଅନୁଶୀଳନ କରାଯିବା ସର୍ବାଦୌ ଆବଶ୍ୟକ !
(ଏଇ ଐତିହ୍ୟ ଯାତ୍ରା ସମ୍ପାଦନ ସହିତ ତଥ୍ୟ ସଂଗ୍ରହ ନିମନ୍ତେ ଅଧମ ଶାରଳାପୀଠର ବଡ଼ପଣ୍ଡା ତଥା ହାଇକୋର୍ଟର ଆଇନଜୀବୀ ଶ୍ରୀ ରଞ୍ଜନ କୁମାର ପଣ୍ଡା, ତାଙ୍କର ପୁତ୍ରଦ୍ଵୟ ଶ୍ରୀ କୈବଲ୍ୟ ପଣ୍ଡା ଓ ଶ୍ରୀ ଅମୃତମୟ ପଣ୍ଡା ତଥା ତଅଁରା ଗ୍ରାମର ଆଇନଜୀବୀ ଶ୍ରୀ ସୁଧୀରଚନ୍ଦ୍ର ଖୁଣ୍ଟିଆଙ୍କ ନିକଟରେ ସ୍ବତନ୍ତ୍ର ଭାବେ ଋଣୀ )
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 months ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago