ଲେଖା: ଶ୍ରୀକାନ୍ତ ସିଂହ
~ ତା’ ସାଥେ ମୋର ଭାବ ~
ଏଇ ସନ ଦୋଳପୂର୍ଣ୍ଣିମାରେ ମୋର ଐତିହ୍ୟଦର୍ଶନ ବୁଲାରେ ମୁଁ ପିପିଲି ଜଟଣୀ ରାସ୍ତାରେ ଯାଇ ଚୁଡ଼ାଖିଆ ସୋମନାଥ, କାକୁଡ଼ିଆ ଗୋପୀନାଥ ଦେଖିଲା ପରେ ନିମାପଡ଼ା କାକଟପୁର ରାସ୍ତାରେ ଯାଇ ବୟାଳିଶବାଟିରେ ଗଙ୍ଗେଶ୍ୱରୀ ମନ୍ଦିର ବୁଲି ଦେଖିଲି l ସେଠାରୁ ଫେରିବା ବାଟରେ ଗୋପ ଛକରେ ଛିଡା ହୋଇ ଭାବିଲି ଜଗା ଦେଖିଯିବି ନା କଟକ ଫେରିଯିବି l
ଏହା ଭାବୁ ଭାବୁ, ରାସ୍ତାରେ ଥାଇ ଜଣେ ସ୍ଥାନୀୟ ଲୋକଙ୍କୁ ପଚାରିଲି, ଏଠୁ ଆଜ୍ଞା କଟକ କେତେଦୂର ହେବ ??
ସେ କହିଲେ ୩୪ କିଲୋମିଟର . .
ଆଉ ପୁରୀ ??
ପ୍ରାୟ ୩୦ – ୩୨ କିଲୋମିଟର ହେବ l
ମନ ଡାକିଲା ଯିବି ପୁରୀ, ଆଜି ପରା ଜଗାର ସୁନାବେଶ l ଦିନ ଆସି ଚାରିଟା ବାଜିଲାଣି, ସେ ଯାଏଁ କିଛି ଖାଇନି ପେଟରେ ପ୍ରବଳ ଭୋକ l ଆଉ କୋଉଠି ରହି କିଛି ଟିକେ ଖାଇନେବାକୁ ବେଳ ବି ନାହିଁ କାରଣ ଡେରି ହୋଇଯିବ l ଜଗାକୁ ଦେଖିଲା ପରେ ମୋର ଯେ ପୁଣି କଟକ ଫେରିବାର ଅଛି l
ଗୋପ ପୁରୀ ରାସ୍ତାରେ ମୋଟର ଗାଡ଼ି ୬୦ ପରେ ଚାଲୁଥାଏ l କିଛି ଦୂର ଗଲାପରେ ଗାଡ଼ି ସାମନାରେ ଗୋଟେ ସଳଖ ସୁନ୍ଦର ଅଳ୍ପ ବୟସ ଟୋକାଟିଏ ଛିଡ଼ା ହୋଇ ରାସ୍ତା ତଳକୁ ଗାଡ଼ି ଗଡେଇବାକୁ କହିଲା l
ମୁଁ ହଠାତ କିଛି ବୁଝିପାରିଲିନି l ପଚାରିବାରୁ କହିଲା, ଆଜି ଦୋଳ ତ ଆମର ଏଠି ଟିକେ ପ୍ରସାଦ ଖାଇ ଯିବେ l ମୁଁ ମୋର ବିଳମ୍ବ ହେବା କଥା କହିବାରୁ, ସେ ପିଲାଟି କହିଲା, ନାହିଁ ଆଜ୍ଞା ଟିକେ କ୍ଷୀରି ନ ହେଲେ ଖାଇ ଦେଇ ଯିବେ ଆସନ୍ତୁ l
ତା’ କଥା ଅନୁସାରେ ମୁଁ ଗଲି l ଗୋଟେ ପତରରେ ବେଲାଏ କ୍ଷୀରି ସେ ପରଶି ଦେଲା l ସବୁ ତକ କ୍ଷୀରି ହାପୁଡି ଦେଇ, ମୋ ବୋତଲରୁ ପେଟେ ପାଣି ପିଇ, ତାକୁ ଧନ୍ୟବାଦ ଜଣାଇ ଆଗକୁ ମାଡ଼ି ଚାଲିଲି l
କିଛି ଦୂର ଗଲା ପରେ ଭାବିଲି, ମୋ ପେଟ ଭୋକ ଦେଖି ଜଗାର ଏତକ ଯୋଗାଡ଼ ନୁହେଁ ତ !! ସେ ଯେ ଆମ ଭାବଦିଆ ଠାକୁର l ସେହି ସମୟରେ ଅନ୍ୟ କୌଣସି ବାଟୋଇକୁ ପ୍ରସାଦ ଖାଇବାକୁ ସେମାନେ ଡାକିବା ଦେଖିନି l ଆଖି ମୋର ଲୁହରେ ଭରିଗଲା l ନିଜେ ଷାଠିଏ ପଉଟି ଖାଇ, ଭାବ ବନ୍ଧନରେ ବନ୍ଧା ତା’ର ଭକ୍ତକୁ ଭୋକରେ କେମିତି ବା ରଖନ୍ତା ସେ ??
ବଳିଆରଭୁଜ, ଜୟ ଜଗନ୍ନାଥ ଡାକି ଯାଇ ପୁରୀରେ ପହଞ୍ଚିଲି l ମୋଟର ଗାଡ଼ି ରଖି ଭିତରକୁ ଗଲି, ପ୍ରବଳ ଭିଡ଼ l ମନେ ମନେ ଭାବୁଥାଏ, କେମିତି ଟିକେ ଜଲଦି ଦର୍ଶନ ହେଇଗଲେ କଟକ ଫେରିଯାଆନ୍ତି l
ଏହା ଭାବୁ ଭାବୁ, ହୁଣ୍ଡିରେ ପଇସା ପକେଇ ଆଗକୁ ଠେଲି ହୋଇ ଯାଇ କଳାକାଠ ପାଖେ ଛିଡା ହେଲି, ଜକ ଜକିଆ ସୁନା ବେଶରେ ଜଗାକୁ ମନ ଭରି ଦେଖିଲି l
ବଳଭଦ୍ରଙ୍କୁ ଚାହିଁ ଦେଲି, ଆପେ ପାଟିରୁ ମୋ ବାହାରି ଆସିଲା “ଭୁଜ ତଳେ ମୋତେ ରଖ ମହାବାହୁ, ବାହୁ ତଳେ ମୋତେ ରଖ ବିପୁଳ ଭୁଜ ବିସ୍ତାରି ଦେଲେ, କି କରି ପାରିବ ଦୁଃଖ” l ମାଆ ସୁଭଦ୍ରା ଓ ସୁଦର୍ଶନଙ୍କୁ ଚାହିଁ ତରତର ହୋଇ ଫେରିଲି l
ମୁକ୍ତି ମଣ୍ଡପ ସମ୍ମୁଖରେ ପାଦୁକ ପାଇ, ବଟଗଣେଶଙ୍କୁ ଦର୍ଶନ ସାରି ଫେରିଲା ବେଳେ ମନ ହେଲା ଜଗାକୁ ଆଉ ଥରେ ନିରେଖି ଦେଖିବି, ପାଦ ମୋର ପୁଣି ମାଡିଚାଲିଲା ଆଗକୁ l
ଭିତରକୁ ଯାଇ, ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁନାବେଶ ମନଭରି ଆଉଥରେ ଦେଖି ଫେରିବା ବେଳେ ପଣ୍ଡାଏ ମୋଠିଁ ଅଭିର ବୋଳିଲେ, ଭାବିଲି ଏତକ ପରା ବାକିଥିଲା ଏଣୁ ଜଗା ଆଉ ଥରେ ଦେଖା କରିବାକୁ ଡାକିଲା . . ଜୟ ଜଗନ୍ନାଥ !!
ସତରେ, ତା’ ସାଥେ ମୋର ଭାବ ଟିକିଏ ଅଲଗା l