ଲେଖା: ଶିଶିର ସାହୁ ମନୋଜ

ଜୟପୁର ରାଜାଙ୍କ ଚାରି ପୁତ୍ର ଜଗନ୍ନାଥ ଦର୍ଶନ ଲାଗି ପୁରୀ ଆସିଥିଲେ । ସେମାନେ ସୂର୍ଯ୍ୟବଂଶୀ ଓ ରାଣା ଠାକୁରଙ୍କ ବଂଶଧର ବୋଲି ବଡ଼ ଗର୍ବ କରୁଥିଲେ ଏବଂ ସେହି ହେତୁ ପୁରୀ ରାଜାଙ୍କୁ ଦଣ୍ଡବତ କଲେ ନାହିଁ, ତାଙ୍କୁ ତିରଷ୍କାର କରିବା ସହ ଗାଳିମନ୍ଦ କଲେ ।

ପୁରୀ ରାଜା ସେମାନଙ୍କୁ ଜଗନ୍ନାଥ ଦର୍ଶନ କରିବାକୁ ବାରଣ କରନ୍ତେ ସେମାନେ ଜୋରଜବଦସ୍ତ ମନ୍ଦିର ପ୍ରବେଶ କରିବାକୁ ଚେଷ୍ଟା କଲାରୁ ଖଣ୍ଡାୟତ ସୈନିକଙ୍କ ହାତରେ ସେମାନଙ୍କ ମଧ୍ଧରୁ ଦୁଇଜଣ ନିହତ ହେଲେ । ଅନ୍ୟ ଦୁଇଭାଇ ପଳାୟନ କରି ଢ଼େଙ୍କାନାଳ ରାଜ୍ୟ ନାଧରାରେ ରହିଲେ ଏବଂ ସେଠାରେ ଦୁର୍ଗନଗରୀ ନାମକ ଦୁର୍ଗ ନିର୍ମାଣ କଲେ । ଦୁର୍ଗ ନିକଟରେ ଗୋଟିଏ ଦେଉଳ ନିର୍ମାଣ କରି ସେଠାରେ ରାମଚଣ୍ଡୀ ଠାକୁରାଣୀଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଇଲେ ।

ଉକ୍ତ ରାଜ୍ୟ ବସିଲା ବେଳେ ରାଜ୍ୟର ଉତ୍ତରସୀମା ବାମଣ୍ଡାର ଗଙ୍ଗାନାଳ ପର୍ଯ୍ୟନ୍ତ ଥିଲା । ଦକ୍ଷିଣ ସୀମା ଢ଼େଙ୍କାନାଳର କାମଳାଙ୍ଗ ପର୍ଯ୍ୟନ୍ତ ଥିଲା । ପୂର୍ବରେ ଢେଙ୍କାନାଳର ସୀମା ଆଲଟମା ଯାଏଁ ଥିଲା, ପଶ୍ଚିମ ସୀମା ବାମଣ୍ଡା ଓ ଅନୁଗୁଳ ପର୍ଯ୍ୟନ୍ତ ଥିଲା ।

ତେବେ ପୁରୀ ରାଜାଙ୍କ ସହ ତାଳଚେର ରାଜାଙ୍କ ଯୁଦ୍ଧ ହେଲାରୁ ପୁରୀ ରାଜା ବିଜୟୀ ହେଲେ ଏବଂ ନାଧରା ରାମଚଣ୍ଡୀ, ପରଜଙ୍ଗ, ପଲାଶୁଣୀ ସୁବଳୟା ଅଧିକାର କରିନେଇ ଡ଼େଙ୍କାନାଳ ରାଜାଙ୍କୁ ଅର୍ପଣ କଲେ । ଗାଙ୍ଗନାଳ ବାମଣ୍ଡା ରାଜା ନେଇଗଲେ । ଏ ରାଜବଂଶ ସୋନପୁର ରାଜ୍ୟର ସୁବଳୟା ପର୍ଯ୍ୟନ୍ତ ରାଜତ୍ଵ କରିଥିଲେ ସତ, କିନ୍ତୁ କାଳକ୍ରମେ ସେଠାରୁ ବିତାଡ଼ିତ ହେଲେ । 


ଏକଦା ଏ ବଂଶର ଜଣେ ରାଜା ବ୍ରାହ୍ମଣୀ ନଦୀ ପାର ହୋଇ ଶିକାରକୁ ଯାଇଥିଲେ । ତାଳେଶ୍ଵରୀ ଠାକୁରାଣୀଙ୍କ ନିକଟରେ ରାଜାଙ୍କ କୁକୁରକୁ ଆଶ୍ଚର୍ଯ୍ୟଜନକ ଭାବେ ଠେକୁଆଟିଏ ମାରି ପକାଇଲା । ରାଜା ସେଠାରେ ଗୋଟିଏ ଦୁର୍ଗ ନିର୍ମାଣ କରାଇଲେ । ମାତ୍ର କେତେଦିନ ପରେ ସ୍ଥାନୀୟ କନ୍ଧମାନଙ୍କ ଦ୍ଵାରା ପରାଜିତ ହୋଇ ପଳାୟନ କଲେ ।

ଦିନେ ଜଙ୍ଗଲରେ ଶୋଇଥିବା ବେଳେ ହେଙ୍ଗୁଳା ଦେବୀ ସ୍ଵପ୍ନରେ କହିଲେ “ତୁମ୍ଭେ ଯେବେ ମୋତେ ଓ କାଳେଶ୍ଵରୀ ଦେବୀଙ୍କୁ ପୂଜାକରିବ ତେବେ ଯାଇ ଶତ୍ରୁକୁ ଜିଣିବ ! ଏ ସ୍ଥାନର ନାମ ତାଳଚେର ହେବ ।” ରାଜା ଏହି ବର ପାଇ ଯୁଦ୍ଧ କଲେ । ଯୁଦ୍ଧ ବେଳେ ହେଙ୍ଗୁଳା ଦେବୀ ବ୍ୟାଘ୍ରରୁପରେ ଶତ୍ରୁକୁ ନିହତ କଲେ । ପରେ ରାଜା ଶୋଇଥିବା ବେଳେ ଦେବୀ ପୁଣି ସ୍ଵପ୍ନରେ କହିଲେ ଯେ “ଯେଉଁ ବ୍ୟାଘ୍ର ଶତ୍ରୃ ନିହତ କଲା ସେ ବ୍ୟାଘ୍ର ନୁହେଁ ସେ ସ୍ଵୟଂ ଠାକୁରାଣୀ ।”

ରାଜା ସ୍ଥାନର ନାମ ଦେଲେ ତାଳଚେର ଏବଂ ପଦ୍ମନାଭପୁରରେ ବ୍ରାହ୍ମଣଶାସନ ବସାଇ ସେଇ ଗ୍ରାମ ସହ ଆଉ କିଛି ଭୂଭାଗ ବ୍ରାହ୍ମଣଙ୍କୁ ଦାନ ଦେଇଥିଲେ । 
+++   +++   +++

ତାଳଚେରର ନାମକରଣ ସଂକ୍ରାନ୍ତିୟ ଏହି କିମ୍ବଦନ୍ତୀଟି ଐତିହାସିକ ଜଗବନ୍ଧୁ ସିଂହଙ୍କ ପୁସ୍ତକ ‘ପ୍ରାଚୀନ ଉତ୍କଳ’ର ଦ୍ଵିତୀୟ ଭାଗରୁ ନିଆଯାଇଅଛି ।

ଏକଥା ସତ ଯେ, କିମ୍ବଦନ୍ତୀ, ଇତିହାସ ନୁହେଁ । କିନ୍ତୁ ସମ୍ପୁର୍ଣ୍ଣ ମିଥ୍ୟା ମଧ୍ୟ ନୁହେଁ । ନିଶ୍ଚିତ ଭାବେ ଯୁଦ୍ଧ ହୋଇଥିଲା ଏବଂ ସେଥିରେ ପରାଜିତ ହୋଇ ଏଠିକା ରାଜପରିବାର ପୁନଃ ଯୁଦ୍ଧ କରିଥିବେ ଏବଂ ଅକସ୍ମାତ ଶତ୍ରୁ ଉପରେ ବାଘ ଆକ୍ରମଣ କରିବା ଫଳରେ ରାଜା ବିଜୟୀ ହୋଇ ତାଳକେଶ୍ଵରୀଙ୍କ ନାମାନୁସାରେ ତାଳଚେରର ନାମକରଣ କରିଥିବେ ।

ଆଗକାଳେ ଓଡ଼ିଶାରେ ବ୍ରାହ୍ମଣଶାସନ ବସାଇବା ରାଜାମାନଙ୍କ ପାଇଁ ପ୍ରତିଷ୍ଠା ତଥା ଗୌରବର ବିଷୟ ଥିଲା । ତେଣୁ ଯଥାସମ୍ଭବ ତାଳଚେର ରାଜା ନିଜରାଜ୍ୟରେ ଅନେକ ଗୁଡ଼ିଏ ବ୍ରାହ୍ମଣ ଶାସନ ବସାଇ ସେମାନଙ୍କ ପୃଷ୍ଠପୋଷକତ୍ଵ ଗ୍ରହଣ ପୂର୍ବକ ନିଜରାଜ୍ୟ ପ୍ରତି ସ୍ଥାନୀୟ ଲୋକଙ୍କ ଆସ୍ଥା ବଢ଼ାଇଥିବା ଅନୁମିତ ହୁଏ !!

ତାଳଚେରର ନାମକରଣ ବାବଦରେ କଥା ଏତିକି !

© ଶିଶିର ସାହୁ ମନୋଜ

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago