ଲେଖା: ଜଗନ୍ନାଥ ଦୋରା

ଐତିହ୍ୟ, କଳା, ସଂସ୍କୃତି ଓ ଧର୍ମସ୍ଥଳୀରେ ଭରା ଗରିମାମୟ ଗଞ୍ଜାମ ଜିଲ୍ଲାର ଅନନ୍ୟ ଏକ ଶକ୍ତିପୀଠ ହେଉଛି “ମା’ ତାରାତାରିଣୀ ମନ୍ଦିର” l

ଏହି ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଠାରୁ ମାତ୍ର ୭ କିଲୋମିଟର ଏବଂ ଗଞ୍ଜାମର ପେଣ୍ଠସ୍ଥଳୀ ବ୍ରହ୍ମପୁର ସହର ଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ l


ଆମ ଦେଶର ବିଭିନ୍ନ ସ୍ଥାନରେ ଥିବା ଏକାବନ (୫୧) ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ l ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଛନ୍ତି । ଏହି ପୀଠର ମହିମା ଯୋଗୁଁ ରାଜ୍ୟ ଏବଂ ଦେଶର କୋଣ ଅନୁକୋଣରୁ ଅନେକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଓଡ଼ିଶାରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରେ ମା ତାରାତାରିଣୀଙ୍କ ପୀଠର ସ୍ୱାତନ୍ତ୍ର୍ୟ ରହିଛି । ଏହି ପୀଠ ବୌଦ୍ଧ, ବୈଷ୍ଣବ, ତନ୍ତ୍ର ଓ ଶକ୍ତିପୀଠ ଭାବରେ ପ୍ରସିଦ୍ଧି ଲାଭ କରିଛି ।

ଅତୀତ କଥା ବସ୍ତୁ ଓ ଜନଶ୍ରୁତିରୁ ଯାହା ଜଣାଯାଏ, ଗଞ୍ଜାମର ଆଠଗଡ଼ ଅନ୍ତର୍ଗତ ବୀର ଜଗନ୍ନାଥପୁର ଶାସନରେ କୁମାରୀ ନାମକ ଛୋଟ ଗାଁରେ ଏକ ମଧ୍ୟବିତ୍ତ ପରିବାରରେ ବସୁ ପ୍ରହରାଜ ନାମରେ ଜଣେ ମହାଜ୍ଞାନୀ ଓ ତାନ୍ତ୍ରିକ ରହୁଥିଲେ। ମାତ୍ର ସେ ନିଃସନ୍ତାନ ଥିବା ହେତୁ ଦୁଇଟି କନ୍ୟା ସନ୍ତାନ ଆଣି ଲାଳନପାଳନ କରିଥିଲେ । ସେହି ଦୁଇ କନ୍ୟାଙ୍କ ଲାଳନପାଳନରେ ବସୁ ପ୍ରହରାଜ କୌଣସି ଅବହେଳା କରି ନଥିଲେ । ଦିନେ ସେ ଦୁଇ ଝିଅ ହଠାତ୍ ସମସ୍ତଙ୍କ ଅଜ୍ଞାତସାରରେ ଗୃହତ୍ୟାଗ କଲେ l ବାଟରେ କୌଣସି କାଚରାଠାରୁ ଚୁଡ଼ି ପିନ୍ଧି ବସୁ ପ୍ରହରାଜ ଠାରୁ ପ୍ରାପ୍ୟ ନେଇଯିବା ପାଇଁ କହିଥିଲେ l ବାସୁ ପ୍ରହରାଜ କନ୍ୟା ଦୁହିଁଙ୍କୁ ବହୁତ ଖୋଜା ଖୋଜି କଲେ ମାତ୍ର ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।



କିଛିଦିନ ଉତ୍ତାରୁ ସ୍ୱପ୍ନରେ ଦେବୀଦ୍ୱୟ ବସୁ ପ୍ରହାରାଜଙ୍କୁ ଦର୍ଶନ ଦେଇ ସବୁକିଛି ବର୍ଣ୍ଣନା କରିଥିଲେ ଯେ ସେ ଦୁଇ ଭଉଣୀ ପୂର୍ଣ୍ଣଗିରି ପର୍ବତ ଉପରେ ଅବସ୍ଥାନ କରୁଛନ୍ତି । ସେଦିନ ରାତି ଶେଷ ପ୍ରହରରେ ଶଯ୍ୟାତ୍ୟାଗ କରି ସମସ୍ତଙ୍କ ଅଜ୍ଞାତସାରରେ ବସୁ ପ୍ରହରାଜ ଏକୁଟିଆ ପୂର୍ଣ୍ଣଗିରି ପର୍ବତ ଉପରେ ପହଞ୍ଚିଲେ । ସେଠାରେ ଦେଖିଲେ ସ୍ଥନାକୃତି ଦୁଇଟି ଶିଳା ପୂର୍ଣ୍ଣଗିରି ପର୍ବତ ଉପରେ ଅବସ୍ଥାନ କରୁଛନ୍ତି । ଶେଷରେ ବସୁ ପ୍ରହରାଜ ମାଆଙ୍କ ମହିମା ଜାଣିବା ପରେ ଦୁଇଟି ବିଗ୍ରହ ପ୍ରତିଷ୍ଠା କରି ତନ୍ତ୍ର ସାଧନାଦ୍ୱାରା ସେଥିରେ ପ୍ରାଣ ପ୍ରତିଷ୍ଠା କଲେ । ଏହାପରେ ବିଶିଷ୍ଟ କାରିଗରଙ୍କୁ ଡକାଇ ବିଧି ଅନୁସାରେ ଅକ୍ଷୟତୃତୀୟା ଦିନ ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ କରିଥିଲେ । ସେ ଦୁଇ ମୂର୍ତ୍ତି ଅଧୁନା ତାରା ତାରିଣୀ ନାମରେ ବିଖ୍ୟାତ ।


ପୁରାଣ ଓ ତନ୍ତ୍ର ଶାସ୍ତ୍ର ମତରେ ପୂର୍ଣ୍ଣଗିରି ପର୍ବତ ବହୁ ପ୍ରାଚୀନ କାଳରୁ ଏକ ପ୍ରସିଦ୍ଧ ତନ୍ତ୍ରପୀଠ ଥିଲା । ସବୁଜ ବନାନୀ ଭିତରେ ଏହି ଜନଶୂନ୍ୟ ସ୍ଥାନଟି ତନ୍ତ୍ରସାଧନ ପାଇଁ ପ୍ରକୃଷ୍ଟ ସ୍ଥାନ ହୋଇଥିବା ଦୃଷ୍ଟିରୁ ଏହା ଏକ ତନ୍ତ୍ରପୀଠ ଥିଲା ବୋଲି ପ୍ରମାଣିତ ହୁଏ । ବର୍ତ୍ତମାନ ମନ୍ଦିର ଦେହରେ ଦେବୀଙ୍କ ଦଶମହାବିଦ୍ୟା ତଥା ଷୋଡ଼ଶୀ, ବଗଳା, ଛିନ୍ନମସ୍ତା, ଧୁମାବତୀ, ମାତଙ୍ଗୀ, କମଳା, ଭୁବନେଶ୍ୱରୀ, ଭୈରବୀ କାଳୀଙ୍କର ପ୍ରସ୍ତରମୂର୍ତ୍ତି ଖୋଦିତ ହୋଇଛି l


ପ୍ରଚଳିତ ମାନ୍ୟତା ଅନୁଯାୟୀ ନିଃସନ୍ତାନ ଥିବା ବ୍ୟକ୍ତି ସନ୍ତାନ ଆଶା କରି ଓ ରୋଗଗ୍ରସ୍ତ ଶିଶୁର ଆରୋଗ୍ୟ କାମନା ପାଇଁ ବାପାମା’ ସନ୍ତାନର ପ୍ରଥମ କେଶ ମା’ଙ୍କ ପୀଠରେ ମୁଣ୍ଡନ କରାଇଥାନ୍ତି l ବିଶେଷତଃ ଚୈତ୍ର ମଙ୍ଗଳବାରରେ ଏଠାରେ ପ୍ରବଳ ଭିଡ଼ ହୋଇଥାଏ l


ତାରାତାରିଣୀ ମନ୍ଦିରକୁ ଯିବାକୁ ହେଲେ ୯୯୯ ପାହାଚ ଅତିକ୍ରମ କରିବାକୁ ହୁଏ l ଏହା ବ୍ୟତୀତ ଏଠାକୁ ଯିବା ପାଇଁ ସୁନ୍ଦର ରାସ୍ତା ସହ ରାଜ୍ୟ ସରକାରଙ୍କ ଦ୍ଵାରା ବସ୍’ର ବ୍ୟବସ୍ଥା ମଧ୍ୟ୍ୟ କରାଯାଇଛି l ସୁବୁଜ, ସୁନ୍ଦର ପ୍ରକୃତିକୁ ଉପଭୋଗ କରି ରୋପ୍‌ୱେ ଦ୍ୱାରା ମଧ୍ୟ ମନ୍ଦିରପାଖରେ ପହଞ୍ଚି ହୁଏ l

ପ୍ରତି ବର୍ଷ ରାଜ୍ୟ ଏବଂ ରାଜ୍ୟ ବାହାରୁ ତାରାତାରିଣୀ ପୀଠକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଲାଗି ଏବଂ ମନ୍ଦିରର ରକ୍ଷଣା ବେକ୍ଷଣ ଲାଗି ରାଜ୍ୟ ସରକାର ବହୁ ଉନ୍ନତିମୂଳକ କାର୍ଯ୍ୟମାନ ଗ୍ରହଣ କରିଛନ୍ତି l ଏଥି ମଧ୍ୟରେ ମନ୍ଦିରର ଚତୁର୍ପାର୍ଶ୍ୱର ସୌନ୍ଦର୍ଯ୍ୟକରଣ, ମୁଣ୍ଡନମଣ୍ଡପ, ଭୋଗମଣ୍ଡପ ସହ ୱାଚ ଟାୱାର ନିର୍ମାଣ କାର୍ଯ୍ୟ ଚାଲିଅଛି l


ମା’ ତାରାତାରିଣୀ ପୀଠକୁ ଯେପରି ସରକାର ବିଶେଷ ଧ୍ୟାନ ଦେଇଛନ୍ତି, ଠିକ ସେହିପରି ଯଦି ପବିତ୍ର ଉତ୍କଳ ମାଟିରେ ଥିବା ଅନ୍ୟ ସମସ୍ତ ଐତିହାସିକ କୀର୍ତ୍ତିରାଜି ଓ ଧର୍ମସ୍ଥଳୀ ପ୍ରତି ଧ୍ୟାନ ଦିଅନ୍ତେ ତେବେ ସେହି ସ୍ଥାନଗୁଡିକ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବା ସହ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇ ପାରନ୍ତା ଏବଂ ବିଶ୍ୱଦରବାରରେ ଆମ ରାଜ୍ୟର ଏକ ସ୍ୱତନ୍ତ୍ର ପରିଚୟ ବି ସୃଷ୍ଟି ହୋଇ ପାରନ୍ତା । 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago