ଲେଖା: ରବୀନ୍ଦ୍ର କୁମାର ରଣା

ଅନୁଗୁଳ ଜିଲ୍ଲାର ଏକ ପ୍ରାଚୀନ ଐତିହ୍ୟପୂର୍ଣ୍ଣ ଗ୍ରାମ ହେଉଛି ଗଡ଼ତଳମୂଳ। ଏହି ଗ୍ରାମରେ ଦଶମ ଶତାବ୍ଦୀରେ ସୋମବଂଶୀ ରାଜାମାନଙ୍କ ଦ୍ଵାରା ନିର୍ମିତ ମା ଦୁର୍ଗାଦେବୀ ମନ୍ଦିର ଓ ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗ ରାଜାଙ୍କ ଦ୍ଵାରା ନିର୍ମିତ ଭୋଳେଶ୍ବର ମହାଦେବ ମନ୍ଦିର ଅବସ୍ଥିତ।

ଇତିହାସ କହେ ଯେ ଏହି ଗଡ ତଳମୂଳ ଅଞ୍ଚଳରେ ଭୌମକର ମାନଙ୍କ ଅଧସ୍ତନ ନନ୍ଦୋଦ୍ଭବ ରାଜା ମାନେ ଶାସନ କରୁଥିଲେ ଯେଉଁମାନେ କି ପରବର୍ତ୍ତୀ ସମୟରେ ସୋମବଂଶୀମାନଙ୍କ ସାମନ୍ତ ରାଜା ଥିଲେ। ତେବେ ସୋମବଂଶୀମାନଙ୍କ ଶାସନ ସମୟରେ ଏଠାରେ ପ୍ରାଚୀନ ଦୁର୍ଗା ଦେବୀ ମନ୍ଦିର ନିର୍ମାଣ କରାଯାଇଥିଲା। ହିନ୍ଦୋଳରୁ ମହିଧରପୁର ଦେଇ ବଅଁରପାଳ ଯାଇଥିବା ମୁଖ୍ୟ ରାସ୍ତାରେ ତଳମୂଳ ଗ୍ରାମ ଅବସ୍ଥିତ। ରାସ୍ତାକଡ଼ରେ ପ୍ରାଚୀନ ଦୁର୍ଗା ମନ୍ଦିର ଓ ସେଠାରୁ ମାତ୍ର ୫୦୦ ମିଟର ଦୂରରେ ଭୋଳେଶ୍ୱର ମହାଦେବ ମନ୍ଦିର ଅବସ୍ଥିତ।


ଦୁର୍ଗା ମନ୍ଦିର ପରିସର ଅତୀବ ସୁନ୍ଦର। ମନ୍ଦିରକୁ ପ୍ରବେଶ କରିବା ମାତ୍ରେ ଏହାର ପ୍ରାଚୀନତା ବାରି ହୋଇଯାଏ। ମହିଷାମର୍ଦ୍ଦିନୀ ମା’ ଦୁର୍ଗାଙ୍କ ବିଶାଳ ମୂର୍ତ୍ତି ସମ୍ମୁଖରେ ପ୍ରାୟ ଛାତିଏ ଉଞ୍ଚ ହେବ ଦଶଟି ପ୍ରାଚୀନ ସ୍ତମ୍ଭ ରହିଛି। ଏହାକୁ ଲୋକେ “ଦଶଖୁମ୍ବ” ବୋଲି କୁହନ୍ତି। ଏଗୁଡିକ ଦଶ ଦିଗପାଳଙ୍କୁ ସୂଚାଏ। ପୂଜକଙ୍କ କହିବା ଅନୁସାରେ ଏହା ଏକ ପ୍ରାଚୀନ ତନ୍ତ୍ରପୀଠ ଅଟେ। ପୂର୍ବେ ଲୋକମାନେ ଏଠାରେ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ବିଭିନ୍ନ କାର୍ଯ୍ୟରେ ଶପଥ ପାଠ କରୁଥିଲେ। ଇତିହାସ କହେ ଯେ ଏବେ ଢେଙ୍କାନାଳ ବଜାରରେ ଅବସ୍ଥିତ ୧୭୦୦ ମସିହାରେ ନିର୍ମିତ ବଳରାମ ମନ୍ଦିରର ବଳରାମଙ୍କ ମୂର୍ତ୍ତି ପ୍ରଥମେ ତଳମୂଳ ଗ୍ରାମର ଏହି ଦଶଖୁମ୍ବ ମନ୍ଦିର ପ୍ରାଙ୍ଗଣରେ ପୂଜା ପାଉଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ପର୍ଯ୍ୟାୟ ଦେଇ ସେହି ମୂର୍ତ୍ତି ଏବେ ଢେଙ୍କାନାଳର ବଳରାମ ମନ୍ଦିରରେ ପୂଜା ପାଉଛନ୍ତି।


ତେବେ ଏହି ଦୁର୍ଗା ମନ୍ଦିର ଠାରୁ ଅଳ୍ପ ଦୂରରେ ଅବସ୍ଥିତ ଗଙ୍ଗ ରାଜାଙ୍କ ଦ୍ଵାରା ନିର୍ମିତ ଭୋଳେଶ୍ୱର ମହାଦେବ ମନ୍ଦିର। ମନ୍ଦିରଟି ଛୋଟ କିନ୍ତୁ ଏହାର ପରିସର ବହୁତ ସୁନ୍ଦର। ଏହି ମନ୍ଦିର କଡ଼ରେ ଏକ ବିଶାଳ ପଥର ଭୂମି ଭେଦ କରି ପଡ଼ି ରହିଛି। ଲୋକେ ଏହାକୁ ଅର୍ଜୁନଙ୍କ ଶର ବୋଲି କୁହନ୍ତି। ତେବେ ଏହି ପ୍ରାଚୀନ ଗଡ଼ ତଳମୂଳ ଗ୍ରାମ ପୂର୍ବେ ଅନୁଗୁଳ ରାଜାଙ୍କ ଗଡ ଥିଲା ଓ ଏଠାରେ ରାଜାଙ୍କ ସୈନ୍ୟ ବାହିନୀ ରହୁଥିଲେ କିନ୍ତୁ ଗଡ଼ ଆଉ ଦୃଷ୍ଟି ଗୋଚର ହେଉନାହିଁ। ମାତ୍ର ଏହି ଗ୍ରାମ ଓ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଓ ଦେବଙ୍କ ପ୍ରାଚୀନ ପୀଠ ଏବେ ଗ୍ରାମର ଐତିହ୍ୟ ବହନ କରୁଛନ୍ତି।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago