ଲେଖା: ଦେଵ ତ୍ରିପାଠୀ
କାର୍ତ୍ତିକ ପୂର୍ଣ୍ଣିମା । କଟକରୁ କୋଚିନ୍ ସୁରଟରୁ ମିରଟ ଯେଉଁଠାରେ ବି ଆମେ ଓଡ଼ିଆଏ ଆସ୍ଥାନ ଜମାଇ ସାରିଛେ, ସବୁଠି ଆବାଳ-ବୃଦ୍ଧ-ବନିତା, ରାତି ନ ପାହୁଣୁ ବିଛଣା ଛାଡି, ଆଖପାଖ ନଦୀନାଳ, ଗାଡିଆପୋଖରୀରେ (ଏପରିକି ଚୁଆପାଣିରେ) ବୁଡ ପକାଇ ସୋଲ ତିଆରି ଖେଳଣା ଡଙ୍ଗା (କ୍ଵଚିତ କଦଳୀବାହୁଙ୍ଗା ଡଙ୍ଗା)ରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଉତ୍ ଫୁଲ୍ଲିତ ଚିତ୍ତରେ ‘ଆ କା ମା ଭୈ, ପାନ ଗୁଆ ଥୋଇ ପାନ ଗୁଆ ତୋର’ ଗୀତ ଗାଇ ମାସକର ଧର୍ମ ଅକ୍ତିଆର କରିନେଉ, ନିଜକୁ “ଖାଣ୍ଟି ଓଡ଼ିଆ” ଭାବେ ସଜାଇଦେଉ । ତେବେ ଏଇ ଖେଳଣା ଡଙ୍ଗାକୁ ନେଇ  ଡ଼ଙ୍ଗାଭସା ପାଳିବାର କାରଣ ଆଉ ଧରମ ଅର୍ଜିବାର ତତ୍ତ୍ଵ ପଚାରିଲେ ଆମେ ନିର୍ଲଜପଣର ସୀମା ଲଙ୍ଘି ଦାନ୍ତ ନେଫେଡାଇଦେଉ ସିନା, ଏଇ ପର୍ବଟିର ଅସଲ ଅସ୍ତିତ୍ବକୁ ଧରିପାରୁନା । ଏଇ ପର୍ବର ଅସଲ ଗାରିମା ଓ ସ୍ପନ୍ଦନଠାରୁ ଆମେ କାହିଁ କେତେ ଦୂରରେ ଅଛୁ ।
ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ ‌ଏଇ ପର୍ବଟି ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟଭାବନା ସହିତ ଓତଃପ୍ରୋତ ଭାବେ ଜଡ଼ିତ । ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ଏତେ ନିବିଡ଼ ଭାବରେ ସଂପୃକ୍ତ ଯେ ଏହି ଦିବସର ଗୁରୁତ୍ଵକୁ ବାଦ ଦେଲେ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ସମ୍ପର୍କରେ ଚିନ୍ତା ବି କରାଯାଇପାରେ ନାହିଁ । ଆମେ ଆମର ଅତୀତର ଅତୂଲ୍ୟ ବାଣିଜ୍ୟିକ, ସାମାଜିକ ତଥା ଆର୍ଥନୀତିକ ଉତ୍କର୍ଷତାକୁ ତଉଲି ପାରିବା ନାହିଁ । ଧର୍ମଗତ ତଥା ଐତିହାସିକ ଉଭୟ ଦୃଷ୍ଟିକୋଣରୁ ଏହାର ମୂଲ୍ୟବୋଧ ବର୍ତ୍ତମାନ ପିଢୀ ଓ ବୁର୍ଜୁଆ ଗୋଷ୍ଠୀ ପାଇଁ ଯେତେ ଅପ୍ରାସଙ୍ଗିକ ବା ମୂଲ୍ୟହୀନ ମନେହେଲେ ହେଁ ବାସ୍ତବିକ ଅତୀବ ବୈଶିଷ୍ଟ୍ୟ ପରିପୂର୍ଣ୍ଣ ।
ବାଲିଯାତ୍ରା (ଡ଼ଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ମଧ୍ୟ ଜଣା) ଏକ ଓଡ଼ିଆ ପର୍ବ । ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ଵୟଭିତ୍ତିକ ଯାତ୍ରା । ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ରୂପ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ ।
ଦିନ ଥିଲା, ଓଡ଼ିଆ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାରବଣିଜ କରିବାକୁ ଯାଉଥିଲେ ଆଉ ପରିପୁଷ୍ଟ କରିଥିଲେ ଏ ମାଟିର ଅର୍ଥନୀତିକୁ, ସେସବୁ ଦେଶରେ ସ୍ଥାପିଥିଲେ ଏ ମାଟିର ସଂସ୍କୃତିକୁ, ସେଇ ସାଧବମାନଙ୍କର ସାହସ, ସଫଳତା ଓ ଗାରିମାର ସ୍ମୃତିରେ ଆଜିର ଏଇ ବୋଇତ ବନ୍ଦାଣ । ସେଇ ନୌବାଣିଜ୍ୟ ଆଜି ଲୁପ୍ତ, କିନ୍ତୁ ଛାଡିଯାଇଛି ମହାର୍ଘ ଇତିହାସ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଖ୍ରୀଷ୍ଟାବ୍ଦ ଷଷ୍ଠ ଶତାବ୍ଦୀରେ ରଚିତ ମଞ୍ଜୁଶ୍ରୀମୂଳକଳ୍ପରେ ବଙ୍ଗୋପସାଗରକୁ “କଳିଙ୍ଗ ସାଗର” ବୋଲି କୁହାଯାଇଛି । ଏହା ସେହି ସମୟର ସାମୁଦ୍ରିକ ବାଣିଜ୍ୟରେ କଳିଙ୍ଗର ଏକଛତ୍ର ପ୍ରଭାବର ସୂଚନା ଦିଏ । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ପାଳିତ ହେଉଥିବା ବାଲିଯାତ୍ରା, ବୋଇତ ବନ୍ଦାଣ ଏହି ମହାନ ଇତିହାସର ଜୀବନ୍ତ ସାକ୍ଷୀ । ଏହି ପୂର୍ଣ୍ଣିମା ଅବକାଶରେ ପ୍ରାଚୀନ ଉତ୍କଳର ରାଜଧାନୀ ଐତିହାସିକ କଟକନଗରୀ ଉପକଣ୍ଠସ୍ଥ ବାରବାଟୀ ଦୁର୍ଗ ନିକଟବର୍ତ୍ତୀ ପଡ଼ିଆରେ ଅନୁଷ୍ଠିତ ବାଲିଯାତ୍ରାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।
ବିଶ୍ଵାସ ରହିଛି ଯେ ଏହିଦିନ ପ୍ରତ୍ୟୁଷରୁ ସ୍ନାନପୂର୍ବକ ଦେବଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ । ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ- ପୌରାଣିକ ଅନୁଧ୍ୟାନରୁ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଏବଂ ଦେବଦେବୀଙ୍କ ଉପାସନା ସକାଶେ ଅତ୍ୟନ୍ତ ଅନୁକୂଳ । ତେଣୁ ଏହି ଚାରିମାସର ଆଦ୍ୟବର୍ଣ୍ଣ ‘ଆ କା ମା ଭୈ’ ଜନଜୀବନକୁ ଯେ ପ୍ରଭାବିତ କରୁ ନ ଥିବ ତାହା କୁହାଯାଇ ନପାରେ । ହୁଏତ ଗଙ୍ଗା ବା ଲକ୍ଷ୍ମୀନାରାୟଣ ଉପାସନା କରିବା ଛଳରେ ଓଡ଼ିଶାର ନରନାରୀ ଡ଼ଙ୍ଗାଭସା ଅବସରରେ ଜଳରେ ସ୍ଵଦେଶ ସଂସ୍କୃତିର ପ୍ରତୀକ ଉପାସନା ସାମଗ୍ରୀ ତାମ୍ବୁଳ, ଅକ୍ଷତ ଓ ତିଳ ନିକ୍ଷେପ ପୂର୍ବକ ପ୍ରତିଦାନ ସ୍ଵରୂପ ଦେବତାଙ୍କ ଠାରୁ ପୁଣ୍ୟ କାମନା କରିଥାନ୍ତି I
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago