ଲେଖା: ନିରଞ୍ଜନ ସାହୁ
~ ଓଡ଼ିଆପୁଅ ଜୟଦେବ ~
“ଲଳିତଲବଙ୍ଗଲତା ପରିଶୀଳନ କୋମଳ ମଳୟ ସମୀରେ
ମଧୁକରନିକର କରଂବିତ କୋକିଳ କୂଜିତ କୁଞ୍ଜକୁଟୀରେ,
ନୃତ୍ୟତି ଯୁବତୀଜନେନ ସମଂ ସଖି ବିରହିଜନସ୍ୟ ଦୁରନ୍ତେ।”
ଗୀତଗୋବିନ୍ଦ ଅଙ୍ଗସୌଷ୍ଠବ ଓଡ଼ିଆ ପାଣି ପବନରେ ଓ ପରିବେଶ ତଥା ଭାବଧାରାରେ ଗଠିତ। ଗୀତଗୋବିନ୍ଦର ନାଟ୍ୟାଭିନୟ ନିଆଳି ସ୍ଥିତ ପ୍ରାଚୀନ ଶୋଭନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଉଦୟାନଚାର୍ଯ୍ୟଙ୍କ ନିର୍ଦ୍ଦେଶନାରେ ଅଭିନୀତ ହୋଇଥିଲା। ଜୟଦେବଙ୍କ ପରମ ମିତ୍ର ଥିଲେ ଉଦୟନ। ଗୀତଗୋବିନ୍ଦ କାବ୍ୟର ପ୍ରଥମ ଟୀକା ଉଦୟନାଚାର୍ଯ୍ୟ ପ୍ରଣୟନ କରିଥିଲେ। ପ୍ରମାଣିତ ହୋଇ ସାରିଛି, ଗୀତଗୋବିନ୍ଦର ଟୀକା ଓ ଗୀତଗୋବିନ୍ଦ ଅନୁକରଣରେ ବହୁତ କିଛି ଗ୍ରନ୍ଥ ଆମରି ଓଡ଼ିଆ ମାଟିରେ ରଚିତ ହୋଇସାରିଛି, ଯାହାକି ଅନ୍ୟ ଭାଷାଭାଷୀ ଅଞ୍ଚଳରେ ସମ୍ଭବ ହୋଇପାରିନାହିଁ।
ଏହା ବ୍ୟତୀତ ଜୟଦେବଙ୍କ ଦ୍ଵାରା ରଚିତ ଗୀତଗୋବିନ୍ଦ ଯଦି ଓଡ଼ିଆ ଓ ବଙ୍ଗୀୟ ଶିକ୍ଷାର୍ଥୀମାନଙ୍କ ଦ୍ଵାରା ଆବୃତ୍ତି କରାଯାଏ ତେବେ ଓଡ଼ିଆ ଶିକ୍ଷାର୍ଥୀର ଉଚ୍ଚାରଣ ସବୁ ଜୟଦେବଙ୍କ ଗୀତଗୋବିନ୍ଦ ସହ ମିଶିଯାଏ, ମାତ୍ର, ବଙ୍ଗୀୟ ଉଚ୍ଚାରଣ ନୁହେଁ। ମୋର ଦୀର୍ଘ ୪୫ ବର୍ଷ ଗବେଷଣାରୁ ମୁଁ ଏହି ସିଦ୍ଧାନ୍ତରେ ଉପନୀତ ଯେ, ଜୟଦେବ ଓଡ଼ିଶାର ପ୍ରାଚୀନଦୀ କୂଳରେ ଥିବା ‘କେନ୍ଦୁଲି’ ଶାସନରେ ଜନ୍ମଗ୍ରହଣ କରିଥିଲେ।”ଅନ୍ୟ ପକ୍ଷରେ ଆଉ ଗୋଟିଏ କଥା କହିବା। ଶ୍ରୀ ଜୟଦେବ ଭଣିତ କେତୋଟି ଓଡ଼ିଆ ଭଜନ କଥା ଆଲୋଚନା କରିବା । ଏପରି ଗୋଟିଏ କବିତା ଆମର ଜୟଦେବ ବୋଲି ଦାବି କରୁଥିବା ପଡୋଶୀଙ୍କ ସାହିତ୍ୟରେ ସେହି ଭାଷାରେ ପାଇବେ କି ? ଓଡ଼ିଆ ଭାଷାରେ ରଚିତ ଏହି ଜଣାଣ ଜୟଦେବଙ୍କ ଦ୍ଵାରା ରଚିତ ବୋଲି ଡ. ବଂଶୀଧର ମହାନ୍ତି ଯୁକ୍ତି ଉପସ୍ଥାପିତ କରିଛନ୍ତି (ଝଙ୍କାର/୧୯୭୦, ବିଷୁବ ସଂଖ୍ୟା), ଏହିପରି ଭାବେ ଅନେକ ଜଣାଣ ! ଏଠାରେ ଗୋଟିଏ ଜଣାଣ ପରୀକ୍ଷା ସ୍ବରୂପ ନେବା:
“ଭଜ ହୋ ମନ ମୋହନ ବେଣୁଧର!
ବ୍ରଜ ସୁଖ ସାଗର ପ୍ରେମ ଉଜାଗର,
ନାଗର ବହୁରସ ରଙ୍ଗ
ନବଘନ ସୁନ୍ଦର ସରସ ମନୋହର
ସୁଲଳିତ ଲଳିତ ତ୍ରିଭଙ୍ଗ ।୧।
ରସିକ ରସାୟନ ରସବତୀ ଜୀବନ
ରସମୟ ରାସ ବିହାରୀ
ପୁଛ ମୁକୁଟ ଶିର ପୀତାମ୍ବର ଧର
ମୁରଲୀଧର ଗିରିଧାରୀ ।୨ ।
କୁଳ ବନିତା ଘନ କୁଳ ବିଭଞ୍ଜନ
ନୟନାଞ୍ଜନ କୃତ ଭଙ୍ଗ
ବୃନ୍ଦାବନ ବନ ଆନନ୍ଦ ଦାୟକ
ମୋଦଦାୟକ ଭବ ରଙ୍ଗ ।୩ ।
ଗୋପ ଯୁବତୀ ପତି ଲମ୍ପଟବର ବର
କେଳୀ ଚପଳ ସୁଖରାଶି
ବୃନ୍ଦାବନ ରମଣୀ ମନ ମୋହନ
ରତିପତି ରଙ୍ଗାଭିଳାସୀ ।୪ ।
ଶ୍ରୀ ଜୟଦେବ ଭଣିତ ମିତି ଗୀତଂ ଜୟ ଜୟ ଆନନ୍ଦ କନ୍ଦେ,
ରହିତେ ଚରଣ କମଳରେ, ଶୋଭାକୃତ ଜନବନ୍ଦେ ।୫ ।
ଏହି ଭଜନ ପାଠ କଲେ ନିଃସନ୍ଦେହରେ କୁହାଯାଇପାରେ ଯେ, ଏହି ଓଡ଼ିଆ ରଚନା କରିଛନ୍ତି ଓଡ଼ିଆ କବି ଶ୍ରୀ ଜୟଦେବ ଗୋସ୍ୱାମୀ। (ଏହି ଭାବେ ପାଞ୍ଚଟି ଜଣାଣ ମୂଳ ପୋଥିରୁ ଉଦ୍ଧାର କରିଛନ୍ତି ଗବେଷକମାନେ, ଏ ପର୍ଯ୍ୟନ୍ତ। ଏହା ସମ୍ପୂର୍ଣ୍ଣ ଓଡ଼ିଆ ସାହିତ୍ୟରେ, ଯାହା ଅନ୍ୟ ପଡୋଶୀଙ୍କ ପାଖରେ ଉପଲବ୍ଧ ନୁହେଁ।)
ଜନମାନସରେ ଲୁକ୍କାୟିତ ଅବସ୍ଥାରେ ରହିଯାଇଥିବା ଅନେକ ରଚନା ଦିନେ ନା ଦିନେ ଗବେଷକଗଣ ଓଡ଼ିଆ ସାହିତ୍ୟର ପୃଷ୍ଠାକୁ ନେଇ ଆସିବେ, ସେଥିରେ ସନ୍ଦେହ ନାହିଁ। ତେବେ ସଗର୍ବରେ ଆମେ କହିପାରିବା ଯେ, ‘ଜୟଦେବ’ ଜଣେ ଓଡ଼ିଆ ଏବଂ ସୂର୍ଯ୍ୟଚନ୍ଦ୍ର ଆତଯାତ ହେଉଥିବା ପର୍ଯ୍ୟନ୍ତ କହିଚାଲିଥିବା ଜୟଦେବ ଜଣେ ଓଡିଆପୁଅ।
ଶ୍ରୀ ଜୟଦେବ ଓଡ଼ିଆ ବୋଲି ଅଧିକ ପ୍ରମାଣର ଆବଶ୍ୟକତା ନ ଥିଲେ ସୁଦ୍ଧା କେଉଁମାନେ ତାଙ୍କୁ ଉତ୍କଳବାସୀ ବୋଲି ସ୍ଵୀକାର କରିଅଛନ୍ତି, ସେମାନଙ୍କ ବିଷୟରେ କିଞ୍ଚିତ କଥା କହିରଖେ –
ପ୍ରସିଦ୍ଧ ବଙ୍ଗୀୟ କବି କୃଷ୍ଣଦାସ ସ୍ବରଚିତ ଭକ୍ତମାଳା ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ ଜୟଦେବ ଓଡ଼ିଆ, ସେହିଭଳି ମରାଠୀ କବି ମହୀପତିଙ୍କ ‘ଭକ୍ତ ବିଜୟ’, ଆସାମରେ ଲିଖିତ ‘ସମ୍ପ୍ରଦାୟ ପ୍ରଦୀପ’ ବା ‘ସମ୍ପ୍ରଦାୟକୁଳ ପ୍ରଦୀପ’, ହିନ୍ଦୀ କବି ନାଭାଦୀଙ୍କ ଲିଖିତ ‘ଭକ୍ତମାଳା’, ମୈଥିଳୀ ପଣ୍ଡିତ କେଶବ ମିଶ୍ରଙ୍କ ‘ଅଳଙ୍କାର ଶେଖର’ରେ ଜୟଦେବ ଓଡ଼ିଆ ବୋଲି ଉଲ୍ଲେଖ ଅଛି।
“ଯେ କେଽପୁତ୍କଳଭୂପତେଃ ତବବସଭା ସମ୍ଭାବିତାଃ ପଣ୍ଡିତାଃ,
ତତ୍ର ଶ୍ରୀ ଜୟଦେବ ପଣ୍ଡିତ କବିସ୍ତନ୍ମୃର୍ଦ୍ଧ୍ନି ବିନସ୍ୟତି।।” (ଅଳଙ୍କାର ଶେଖର)
ଆନ୍ଧ୍ର ପଣ୍ଡିତ ମାଲାଦି ସୂର୍ଯ୍ୟ ନାରାୟଣ ଶାସ୍ତ୍ରୀ ବିରଚିତ ସଂସ୍କୃତ କାବ୍ୟ ‘କବିଜୀବନୀ’ରେ ମଧ୍ୟ ଜୟଦେବ ଉତ୍କଳବାସି ବୋଲି ଉଲ୍ଲେଖ ଅଛି। ସେହିଭଳି ସଂସ୍କୃତକବି ଚକ୍ରଦତ୍ତ ଲିଖିତ ‘ଭକ୍ତମାଳା’ ଗ୍ରନ୍ଥର ଏକ ପାଦ ଦେଖିବା —
“ଜଗନ୍ନାଥ ପୁରୀପ୍ରାନ୍ତେ ଦେଶେ ଚୈବୋତ୍କଳାଭିଧେ
କିନ୍ଦୁବିଲ୍ଵ ଇତିଖ୍ୟାତୋ ଗ୍ରାମୋ ବ୍ରାହ୍ମଣ ସଂକୁଳଃ
ତତ୍ରୋତ୍କଳେ ଆସ୍ତ ଦ୍ଵିଜୋ ଜୟଦେବ ଇତି ଶ୍ରୁତଃ
ବିଦ୍ୟାଭ୍ୟାସରତଃ ଶାନ୍ତଃ ପୁରୁଷୋତ୍ତମ ପୂଜକଃ।।”
ପଞ୍ଚଦଶ ଶତାବ୍ଦୀ ବେଳକୁ ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ବିସ୍ତାର କରିବା ସହିତ ଶ୍ରୀ ସାରଳା ଦାସ କୃତ ମହାଭାରତ ରଚନା ହେଲା। ଓଡ଼ିଆ ଭାଷା କେବଳ ପଚାଶ କି ଶହେ ବର୍ଷ ମଧ୍ୟରେ ଜନ୍ମଲାଭ କରି ବିକାଶ ଲାଭ କରିନାହିଁ। ଏଭଳି ଏକ ମୌଳିକ ଶାସ୍ତ୍ରୀୟ ଭାଷାର ମୂଳଦୁଆ ନିଶ୍ଚୟ ତିନିଶହ ବର୍ଷରୁ ଅଧିକ। ଓଡ଼ିଆ ଲିପିର କ୍ରମବିକାଶ ପରେ ସାରଳା ଦାସଙ୍କ ସମୟର ଓଡ଼ିଆ ଲିପି ସମ୍ଭବ ହୋଇପାରିଥିବ। ଶ୍ରୀ ଜୟଦେବ ହେଉଛନ୍ତି ସାରଳା ଦାସଙ୍କ ସମୟର ତିନି ଶହ ବର୍ଷ ପୂର୍ବର। ଏଣୁ ଶ୍ରୀ ଜୟଦେବଙ୍କ ସମୟରେ ଓଡ଼ିଆ ଭାଷା ଥିଲା ଓ ସେ ଓଡ଼ିଆ ଭାଷାରେ କିଛି ଲେଖାଲେଖି କରିଛନ୍ତି (କେବଳ ସଂସ୍କୃତ ନୁହେଁ) ।
ଯଦି ସ୍ଵୀକାର କରାଯାଏ ଯେ, ଶ୍ରୀ ଜୟଦେବ ପ୍ରଣୀତ ଗୀତଗୋବିନ୍ଦ କାବ୍ୟ ହେଉଛି ଓଡ଼ିଆ କବିଙ୍କ ରଚିତ ପ୍ରଥମ କୃଷ୍ଣଲୀଳାତ୍ମକ ଗୀତିକାବ୍ୟ, ତେବେ କାହିଁକି ସ୍ଵୀକାର କରିବା ନାହିଁ ଯେ ଓଡ଼ିଆ ସାହିତ୍ୟରେ ଶ୍ରୀକୃଷ୍ଣ ଲୀଳା ବର୍ଣ୍ଣିତ ପ୍ରଥମ ଓଡ଼ିଆ ଭଜନ ଶ୍ରୀ ଜୟଦେବ ହିଁ ରଚନା କରିଥିବେ । ତାଙ୍କ ଲିଖିତ ଓଡ଼ିଆ ଭଜନରେ ହୋଇଥିବା ପଦ ସଂଯୋଜନା ‘ଗୀତଗୋବିନ୍ଦ’ର ପଦ ସହ ସାମ୍ୟତାକୁ ପରିପ୍ରକାଶ କରୁଛି। ଉଦାହରଣ ସ୍ୱରୂପ :
“ଚିନ୍ତ ହୋ ମନ ଶଶଧର ଚାରୁ ବଦନା!
ଅବିରତ ଚିନ୍ତ ହୋ ମନ ଶରଦ ଶଶଧର ବଦନା ।
ଜଳଦ କୁନ୍ଦବର ନିନ୍ଦି ନୟନା ।।
ଗୋପେ ଉତ୍ପତ୍ତି ଗୋପେ ବିହରତି
ପାଦବୃନ୍ଦେ ଶ୍ରୀକାନ୍ତ,
ଅବିରତ ଚିନ୍ତ ହୋ ମନ ଶରଦ ଶଶଧର ବଦନା ।।
ଅବିରତ ଚିନ୍ତ ହୋ ମନ ମଉଳି ଚୂଳ ମୂଳ
ଚାରୁ ଗୁଞ୍ଜଫଳ ବରାହୀଗୁଛ ତା’ ପରେଣ ଉଜ୍ଜ୍ୱଳ ।
ନିବିଡ଼ ଜଳଦେ ଇନ୍ଦୁରାଜିତ ଶକ୍ରକାର୍ମୁକ ଭ୍ରାନ୍ତିୟା ।
ପାଦଯୁଗ ଜିଣି ବିକଚ ନଳିନୀ
ଅତନୁ ନିନ୍ଦିତ ଅଙ୍ଗ ପିକ ବାଣୀ ମନୋହର
ନୃତ୍ୟ ଅବିରତ ଚିନ୍ତ ହୋ।
ମୀନ କମଠ ପୃଷ୍ଠ କଠୋର କାର୍ମୁକ ଗୁଣେ ସୁସ୍ୟନ୍ଦନ
ସେ ପଞ୍ଚ ଶାୟକ ଯଦି ଅଇଖନ କୋପେ କମ୍ପନ,
ଅସୁର ସୁରଗଣ ଭ୍ରାନ୍ତିୟା ।।
ବଚନେ କିଙ୍କର ରୁଦ୍ର ବିଧି ସୁର ସୁଖ ଦାୟକ
ସୋ ହରିଚରଣେ ଶରଣ ଜୟଦେବ,
ଭାବେ ବର୍ଣ୍ଣନ୍ତି ଭାବି ଜୟଦେବ,
ଭାବେ ବର୍ଣ୍ଣନ୍ତି ଭାବି ଅବିରତେ ଚିନ୍ତ ହୋ ମନ ।।
(ତଥ୍ୟ ଓ ସୂଚନା: ଡ. ତ୍ରିନାଥ ପଟ୍ଟନାୟକ)