ଲେଖା: ପୂର୍ଣ୍ଣେନ୍ଦୁ ମହାପାତ୍ର

~ ଜିରାଙ୍ଗ ବା ଚନ୍ଦ୍ରଗିରିର ପଦ୍ମସମ୍ଭବ ବୌଦ୍ଧପୀଠ ~
ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାରେ ରହିଛି ଦକ୍ଷିଣ ଏସିଆର ସର୍ବବୃହତ୍ ବୌଦ୍ଧପୀଠ ପଦ୍ମସମ୍ଭବ ମହାବୀର ପୀଠ । ବ୍ରହ୍ମପୁରଠାରୁ ୮୫ କିଲୋମିଟର ଦୂରରେ ଗଜପତି ଜିଲ୍ଲାର ଜିରାଙ୍ଗ ବା ଚନ୍ଦ୍ରଗିରିରେ ଅବସ୍ଥିତ ଏହି ପର୍ଯ୍ୟଟନ ସ୍ଥଳୀଟି ମନକୁ ଯେତିକି ଶାନ୍ତି ପହଞ୍ଚାଇଥାଏ, ସେତିକି ଆନନ୍ଦ ମଧ୍ୟ ଆଣି ଦେଇଥାଏ ।
ବ୍ରହ୍ମପୁରଠାରୁ ୫୦ କିଲୋମିଟର ଗଲେ ପଡ଼େ ପ୍ରସିଦ୍ଧ ଉଷ୍ମ ପ୍ରସବଣ ତପ୍ତପାଣି । ପୁଣି ସେଠାରୁ ୩୦/୩୫ କିଲୋମିଟର ଗଲାପରେ ଚନ୍ଦ୍ରଗିରିର ପ୍ରାକୃତିକ ସବୁଜିମାମୟ ପାହାଡ଼ ଓ ଜଙ୍ଗଲ ଘେରା ପରିବେଶରେ ରହିଛି ପଦ୍ମସମ୍ଭବ ମହାବୀର ପୀଠ । ଆଚାର୍ଯ୍ୟ ପଦ୍ମସମ୍ଭବ ଓଡ଼ିଶାରେ ଜନ୍ମ ନେଇଥିଲେ । ବିଶ୍ୱାସ କରାଯାଏ ସେ ତିବ୍ଦତରେ ସପ୍ତମ ଶତାବ୍ଦୀରେ ବୌଦ୍ଧଧର୍ମର ପ୍ରଚାର କରିଥିଲେ । ୧୯୫୯ରେ ତିବ୍ଦତକୁ ଚୀନର ଆକ୍ରମଣ ପରେ ପ୍ରାୟ ୮୫, ୦୦୦ ତିବ୍ଦତୀୟ ତାଙ୍କ ମୁଖ୍ୟ ଦଲାଇଲାମାଙ୍କ ସହ ଭାରତ ଓ ଅନ୍ୟାନ୍ୟ ଦେଶକୁ ଆଶ୍ରୟ ପାଇଁ ଶରଣାର୍ଥୀ ଭାବେ ଚାଲିଯାଇଥିଲେ ।
ସେତେବେଳେ ବ୍ରହ୍ମପୁର ଠାରୁ ୮୦ କିଲୋମିଟର ଦୂର ଜିରାଙ୍ଗ ବା ଚନ୍ଦ୍ରଗିରିକୁ ମଧ୍ୟ ୨୦୦ରୁ ଅଧିକ ତିବ୍ଦତୀୟ ଚାଲିଆସିଥିଲେ । ୧୯୯୮ରେ ଏହି ବିଶାଳ ବୌଦ୍ଧ ମନ୍ଦିରର ଆଧାର ଶିଳା ପକାଇଥିଲେ ଦଲାଇଲାମା । ୨୦୦୩ରେ ଏହି ବିଶାଳ ବୌଦ୍ଧ ମନ୍ଦିରର ନିର୍ମାଣ ଆରମ୍ଭ ହୋଇଥିଲା ଓ ୨୦୦୮ରେ ଶେଷ ହୋଇଥିଲା । ଏଥିରେ ବ୍ୟୟ ହୋଇଥିଲା ପ୍ରାୟ ୮ କୋଟି ଟଙ୍କା । ତିବ୍ଦତର ଆର୍କିଟେକ୍ଟମାନଙ୍କ ଦ୍ୱାରା ନାଳନ୍ଦା ଭଳି ଅତନପୁରି ନିର୍ମାଣଶୈଳୀରେ ଏହାର ନିର୍ମାଣ ହୋଇଛି । ୫ ମହଲା ବିଶିଷ୍ଟ ଏହି ସୌଧ ୧୦ ଏକର ଜମିରେ ନିର୍ମିତ ହୋଇଛି । ମନ୍ଦିର ସହିତ ଏଠାରେ ଥିବା ଗାର୍ଡେନ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ।
ପାହାଡ଼ ଓ ଜଙ୍ଗଲ ଘେରା ପରିବେଶ ତଥା ଔଷଧୀୟ ବୃକ୍ଷର ବଗିଚା ପର୍ଯ୍ୟଟକମାନଙ୍କୁ ଏହି ସ୍ଥଳୀକୁ ଟାଣି ଆଣିଥାଏ । ଏଠାରେ ବୁଦ୍ଧଙ୍କର ଏକ ୨୩ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ରହିଥିବାବେଳେ ପଦ୍ମସମ୍ଭବଙ୍କର ୧୭ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ରହିଛି । ଏବେ ମଧ୍ୟ ଏଠାରେ ପ୍ରାୟ ୨୦୦ ବୌଦ୍ଧ ଧର୍ମାବଲମ୍ବୀ ବାସ କରୁଛନ୍ତି ।
ତିବ୍ଦତୀୟ ଶିକ୍ଷା ପାଇଁ ଏଠାରେ ଏକ ବିଦ୍ୟାଳୟ ମଧ୍ୟ ରହିଛି । ଏହି ୫ ମହଲା ବିଲ୍ଡିଂରେ ଏକ ବିଶାଳ ପ୍ରାର୍ଥନା ହଲ୍ ରହିଛି । ଏଥିସହିତ ଅନ୍ୟ ମନ୍ଦିରମାନ ମଧ୍ୟ ରହିଛି । ମନ୍ଦିରର ମୁଖ୍ୟ ଦ୍ୱାରରେ ଏକ ପ୍ରାଚୀନ ମନ୍ଦିର ମଧ୍ୟ ରହିଛି । ୧୦-୧୫ କିଲୋମିଟର ଦୂରରେ ରହିଛି ଏକ ଅତି ସୁନ୍ଦର କମ୍ ଉଚ୍ଚତାର ଜଳପ୍ରପାତ ।
ଜଙ୍ଗଲ ଓ ପାହାଡ଼ ଘେରା ପରିବେଶରେ ଜଳପ୍ରପାତଟି ଅତ୍ୟନ୍ତ ଆକର୍ଷକ ଦେଖାଯାଇଥାଏ । ଏହାର ଜଳ ସ୍ୱଚ୍ଛ ଓ ଶୀତଳ । ଏଠାରେ ସର୍ବଦା ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ । ଦକ୍ଷିଣ ଓଡ଼ିଶାର ଜଙ୍ଗଲ ଭିତରେ ଏଭଳି ଯେ ଏକ ସ୍ଥାନ ରହିଛି ତାହ ହୁଏତ ସମସ୍ତଙ୍କୁ ଚକିତ କରିପାରେ ।
ଧ୍ୟାନ ଲାଗି ଏହି ମହାବୀର ପୀଠଟି ବୌଦ୍ଧଭିକ୍ଷୁଙ୍କର ବେଶ୍ ପସନ୍ଦଯୋଗ୍ୟ । ଆଧ୍ୟାତ୍ମିକତାର ବାତାବରଣ ସୃଷ୍ଟି କରୁଥିବା ଏହି ପ୍ରାକୃତିକ ନୈସର୍ଗିକ ସ୍ଥାନଟିରେ ପ୍ରତି ମୂହୁର୍ତ୍ତରେ ଶାନ୍ତି ବିରାଜମାନ କରୁଥାଏ । ଅଧ୍ୟୟନରତ ବୌଦ୍ଧଭିକ୍ଷୁମାନେ ଏହି ପୀଠକୁ କେବଳ ଧ୍ୟାନଯୋଗ ଶିକ୍ଷା ଲାଗି ମଧ୍ୟ ଆସିଥାଆନ୍ତି। ଗଜପତି ଜିଲ୍ଲାର ଏହି ପୀଠଟିକୁ ବେଢି ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପରିବେଶ ପର୍ଯ୍ୟଟକଙ୍କୁ ଖୁବ୍ ଆକର୍ଷିତ କରିଥାଏ ।
admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

2 weeks ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

2 weeks ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

2 weeks ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago