ଲେଖା: ଶିଶିର ସାହୁ ମନୋଜ
ଜାନୁଆରୀ ୨୬ ହେଉ କି ଅଗଷ୍ଟ ୧୫ ହେଉ, ସକାଳ ନ ହେଉଣୁ ଗାଆଁ, ନଗର, ବନପ୍ରାନ୍ତର ଚାରିଆଡେ ଗୋଟିଏ ଶବ୍ଦ ବହୁଳ ଭାବରେ ଓ ବାରମ୍ବାର ପ୍ରତିଧ୍ବନିତ ହୁଏ “ଜି଼ନ୍ଦାବାଦ” !
ତେବେ ଏ ଶବ୍ଦକୁ ଦେଖି ଆମ ମନରେ ସ୍ଵତଃ ପ୍ରଶ୍ନ ଉଠେ ଯେ, କ’ଣ ଜି଼ନ୍ଦାବାଦ ଶବ୍ଦର ଆକ୍ଷରିକ ଅର୍ଥ ଜୟ ହେଉ କି ? ଏବଂ ଆମ୍ଭେମାନେ ଏହା କେମିତି ଜାଣିବା ?
ପ୍ରଥମତଃ ଯଦି ଜିନ୍ଦାବାଦ ଶବ୍ଦଟି ପ୍ରକୃତରେ ଜୟ ଶବ୍ଦ ସହିତ ସମାର୍ଥକ ସଗୋତ୍ରୀୟ ଅଟେ ତେବେ ଯାଇ କୁହାଯାଇପାରିବ ଯେ ଜିନ୍ଦାବାଦ ଶବ୍ଦର ଆକ୍ଷରିକ ଅର୍ଥ ଜୟ ହେଉ !
ପ୍ରକୃତରେପାର୍ସୀର ଦୁଇଟି ଶବ୍ଦ ( زنده) zende = alive, ଜୀଅନ୍ତା ଓ (+باد) bâd ଯୋଡ଼ି ହୋଇ ଜିନ୍ଦାବାଦ ଶବ୍ଦ ହୋଇଥିବା ଭାଷାବିଦ ମତ ଦିଅନ୍ତି । ପାର୍ସୀର ଏହି ଉଭୟ ଶବ୍ଦ ଦ୍ଵୟର ମୂଳ ଭାରୋପୀୟ ଅଟେ । କେହି କେହି ମନେ କରିପାରନ୍ତି ଯେ “ଜି଼ନ୍ଦାବାଦ” ର “ବାଦ” ଶବ୍ଦଟି ସଂସ୍କୃତ ବିଶେଷ୍ୟ “ବାଦ (theory)” କିମ୍ବା ଆରବୀ ଅଵ୍ୟୟ “ବାଦ୍” ଯୁକ୍ତ ହୋଇ ଥାଇପାରେ କିନ୍ତୁ ପ୍ରକୃତରେ “ଜି଼ନ୍ଦାବାଦ” ର “ବାଦ୍” ଶବ୍ଦଟିର ମୂଳ ଭିନ୍ନ ଓ ଏହା ପ୍ରୋଟୋ ଇରାନୀ vāta (ଵାତ) ର ପରିଵର୍ତ୍ତିତ ରୂପ, ଯାହାର ସଂସ୍କୃତ ରୂପ ହେଉଛି वात (vā́ta) ଏବଂ ମୂଳ ପ୍ରୋଟୋ ଇଣ୍ଡୋ ଇରୋପୀୟ ରୂପ ହେଉଛି *h₂wéh₁n̥ts “blowing” ବହିବା ଏବଂ ତାହା P.I.E ଶବ୍ଦ *h₂weh₁- [ପ୍ରବାହିତ] ର ବର୍ତ୍ତମାନ କାଳରୂପ ଅଟେ ।
ଜି଼ନ୍ଦା = ଜୀଵନ୍ତ = ଜୀଅନ୍ତା (ସଗୋତ୍ରୀୟ), ଏ ଶବ୍ଦ ଗୁଡ଼ିକର ମୂଳ ଵୈଜ୍ଞାନିକ କ୍ଷୁଦ୍ରରୂପ ହେଉଛି ଜୀବ୍ ଧାତୁ ଏବଂ ଏହାର ଅର୍ଥ ବଞ୍ଚିବା ।
ଜୟ ଶବ୍ଦର ମୂଳ ଵୈଜ୍ଞାନିକ କ୍ଷୁଦ୍ରରୂପ ଜି ଧାତୁ = ଜୟ କରିବା, ବଶ କରିବା, ସମସ୍ତଙ୍କୁ ବଳିଯିବା !
ଏଥିରୁ ସ୍ପଷ୍ଟ ହୁଏ ଯେ ଜୟ ଶବ୍ଦ ସହ ଜୀବନ ଓ ଜି଼ନ୍ଦା ଶବ୍ଦର ନିକଟ ସମ୍ପର୍କ ନାହିଁ, କିନ୍ତୁ ଜି ଧାତୁ (ଜୟ କରିବା) ସହ ଜୀଵ୍ ଧାତୁ (ବଞ୍ଚିବା) ର ପ୍ରାଚୀନ ସମ୍ବନ୍ଧ ଅସମ୍ଭବ ନୁହେଁ ! ଯେପରି କି, “ଆଗକାଳରେ ବଞ୍ଚିବା ପାଇଁ ଭୀଷଣ ସଂଘର୍ଷ କରିବାକୁ ହେଉଥିଲା ସମସ୍ତଙ୍କଠାରୁ ବଳିଯିବାକୁ ପଡୁଥିଲା । ବଡ଼ ବଡ଼ ଜୀବଙ୍କୁ ନିଜର ବଶୀଭୂତ କରି ତାଙ୍କ ସାହାଯ୍ୟରେ ଜୀଵନଧାରଣ କରିବାକୁ ହେଉଥିଲା ।”
ତେବେ ଅଧିକାଂଶ ଉତ୍ତର ଭାରତୀୟ ଭାଷାବିଦ ଓ ବୁଦ୍ଧିଜୀବୀଙ୍କ ମତରେ ଜି଼ନ୍ଦାବାଦ ଶବ୍ଦର ଆକ୍ଷରିକ ଅର୍ଥ “ଅମର ହୋ (ହେଉ)” ଅର୍ଥାତ ତାଙ୍କର ସୁଗୁଣଗୁଡିକ ସାରା ସଂସାରରେ ଓ ବାୟୁମଣ୍ଡଳରେ ସମସ୍ତଙ୍କ ମଧ୍ୟରେ, ସବୁଆଡେ଼ ପ୍ରବାହିତ ହେଉ !
© ଶିଶିର ସାହୁ ମନୋଜ
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…