ଲେଖା: ଶିବାଶିଷ ମହାପାତ୍ର
ନୂଆପଡ଼ା ଜିଲ୍ଲାର ଐତିହାସିକ ବିଜୟଗଡ଼ର ଛତର ଯାତ୍ରା ।
ପଶ୍ଚିମ ଓଡ଼ିଶାର ମନ୍ଦିର, ମାଳଭୂମି, ଜଙ୍ଗଲର ରହିଛି ଏକ ବିଶେଷ ଆକର୍ଷଣ । ଦୈବୀ ସଂସ୍କୃତି ପରମ୍ପରା ଏହି ଅଞ୍ଚଳର ମୁଖ୍ୟ ଉପାସନା । ଏହି ଦୈବୀ ଉପାସନା ତଥା ଆଦିବାସୀ ପରମ୍ପରା ତଥା ଚଳଣୀ କାହିଁ କେଉଁ ଆବାହମାନ କାଳରୁ ଏଠାରେ ପ୍ରଚଳିତ । ସମଲେଶ୍ଵରୀ, ସୁରେଶ୍ଵରୀ, ମାଣିକେଶ୍ବରୀ, ପାଟଣେଶ୍ବରୀ ଦେବୀ ହେଉଛନ୍ତି ଏହି ଅଞ୍ଚଳର ପ୍ରମୁଖ ଇଷ୍ଟଦେବୀ ଏବଂ ଏହାଙ୍କ ଛଡ଼ା ଆହୁରି ଅନେକ ଦେବୀ ଏଠାରେ ପୂଜିତ ।
ନୂଆପଡ଼ା ଜିଲ୍ଲାର ବିଜୟଗଡ଼ ବା ରାଜ କୋମନା ଐତିହାସିକ ତଥା ପୌରାଣିକ ଦୃଷ୍ଟିକୋଣରୁ ଅତୀବ ମହତ୍ୱପୂର୍ଣ୍ଣ । ଏହି ସବୁ ଅଞ୍ଚଳରେ ଯାକଯମକରେ ପାଳନ କରାଯାଏ ବଏଲ୍ ଯାତ୍ରା । ଇତିହାସ ତଥା କିମ୍ବଦନ୍ତୀ ଅନୁସାରେ ୧୫୯୦ ମସିହା ସମୟରେ ପାଟଣାର ଗୋପାଳ ସାଏ ଦେଓ ଆସି ଏହି ସ୍ଥାନରେ ସମଲେଇ ପୂଜା ତଥା ବଳି ବା ବଏଲ୍ ଯାତ୍ରା ଆରମ୍ଭ କରିଥିଲେ । ଏହି ବଳି ଯାତ୍ରା ସାଧାରଣତଃ ଭାଦ୍ରବ ମାସରେ ଆରମ୍ଭ ହୋଇ ଦଶହରାରେ ସମାପ୍ତ ହୋଇଥାଏ । ବିଜୟଗଡ଼ ଦେଇ ବହି ଯାଇଥିବା ସୁନ୍ଦରୀ ନଦୀର କୂଳରେ ବେଲପୂଜା କରି ତାହାକୁ ଖଣ୍ଡା ଘରେ ରଖି ପୂଜା କରାଯାଏ । ସେହି ବେଲରୁ ବାହାରୁଥିବା ଗଜା ମୁଗକୁ ପୁଅ ଜିଉଁତିଆ ଦିନ ଭୋଗ ଲଗାଇ ମାଁଙ୍କ ନିକଟକୁ ପଠାଯାଏ ।
ମହାଳୟା ଦିନରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ ହୁଏ । ଏହି ରାତିରେ ପାଣେଲ୍ ବେହେଲିକୁ ଯାଆନ୍ତି ଦେବୀଙ୍କୁ ବନ୍ଦାଇ ଆଣିବା ପାଇଁ । ପଞ୍ଚ ବାଦ୍ୟର ତାଳେ ତାଳେ ଝୁମି ଉଠେ ଗାଁ ଦାଣ୍ଡ । ଦେବୀଙ୍କୁ ବରଣ କରି ଆଣି ସାରିଲା ପରେ ମହାଷ୍ଟମୀ ଦିନ ଖଣ୍ଡାଧୁଆ ପର୍ବ ଅନୁଷ୍ଠିତ ହୋଇଥାଏ । ପାରମ୍ପରିକ ବାଦ୍ୟର ତାଳେତାଳେ ଦେଉଳ ବନ୍ଧରେ ଅନୁଷ୍ଠିତ ହୋଇଥାଏ ଏହି ପରମ୍ପରା । ଏହି ଦିନ ଭଉଣୀମାନେ ଭାଇମାନଙ୍କ ଶୁଭ ମନାସି କରିଥାନ୍ତି ଭାଇଜିଉଁତିଆ ପର୍ବ । ଏହି ଅଷ୍ଟମୀ ଦିନ ରାତିରେ ହୋଇଥାଏ ନିଶି ପୂଜା ଓ ଘନଚକ୍କର ପୂଜା । ନିଶିପୂଜାରେ କଖାରୁ ଓ ଘନଚକ୍କର ପୂଜାରେ ସରସତିଆ, ଆରିସା, କାକରା ଆଦି ଭୋଗ ଲାଗିହୁଏ ।
ପରେ ନବମୀ ଦିନ ସର୍ବ ସାଧାରଣଙ୍କୁ ଦର୍ଶନ ଦେଇଥାନ୍ତି ମାଁ ମନ୍ଦିରରୁ । ଦଶମୀ ତିଥିରେ ବରୁଆ ଦେହରେ ଦେବୀ ଆବିର୍ଭାବ ହୋଇ ପୂଜାରୀ, ସେବାକାରୀ ଓ ବାଦ୍ୟ ଧରି ଘରକୁ ଘର ବୁଲି ଦର୍ଶନ ଦିଅନ୍ତି । ଏହା ପରେ ସଦଳବଳେ ଫେରି ଆସନ୍ତି ମୁଖ୍ୟ ମନ୍ଦିରକୁ ଏବଂ ସମାପ୍ତ ହୋଇଥାଏ ନୂଆପଡ଼ା ବିଜୟଗଡ଼ର ପ୍ରସିଦ୍ଧ ବଳିଯାତ୍ରା । ପୂଝାରୀ, ବଡ଼ ମଲ୍ଲିକ, ଝାଙ୍କର, ଛତ୍ରିଆ, ପାଟମୁହୁରୀଆ, ପାଟଢୁଲିଆ, ପାଟନିଖନିଆ ଆଦିଙ୍କ ସହିତ ଚେରଘରିଆ ମାଁର ଅଙ୍ଗରକ୍ଷୀ ଭାବରେ କାମ କରିଥାନ୍ତି । ପିଢ଼ି ପରେ ପିଢ଼ି ଏମାନେ କରିଆସୁଛନ୍ତି ମା’ଙ୍କ ସେବା ଏହି ଛତର ଯାତ୍ରା ।
ତଥ୍ୟ: ରଜତ ରାଜ ପାଣିଗ୍ରାହୀ
©️Odisha Stories