ଲେଖା: ଶ୍ରୀକାନ୍ତ ସିଂହ

ଓଡ଼ିଶାର ଐତିହାସିକ କୀର୍ତ୍ତିରାଜି ଗୁଡ଼ିକ ସହ ଜଡିତ ଥିବା ଅନେକ ଲୋକକଥା, ଅନେକ ଜନଶ୍ରୁତି, ଅନେକ କିମ୍ବଦନ୍ତୀ ଆଜି ଇତିହାସ ପାଲଟିଛି l ଆମ ରାଜ୍ୟର କୋଣାନୁକୋଣରେ ଗଢ଼ି ଉଠିଥିବା ଅନେକ ମଠ, ମନ୍ଦିର, ଦେଉଳ ଆଦି ପଛରେ କିଛି ନା କିଛି ଲୋକ କଥା ନିହାତି ଥିବ ଆଉ ଯୁଗ ବିତିବା ସହିତ ଏହି ଲୋକକଥା ଗୁଡ଼ିକ ସମୟ ସ୍ରୋତରେ ହଜି ନ ଯାଇ ବରଂ ସ୍ୱର୍ଣ୍ଣିମ ଇତିହାସ ପାଲଟିବା ସହ ପିଢ଼ି ପରେ ପିଢ଼ି ଜନମାନସରେ ଅନୁରଣିତ ହେଉଛି l

ଜଗନ୍ନାଥ ବଳଭଦ୍ରଙ୍କ କଳାଧଳା ଘୋଡ଼ାରେ ଚଢ଼ି କାଞ୍ଚି ଅଭିଯାନ ଉପାଖ୍ୟାନ ହେଉ ବା ପୁରୁଷୋତ୍ତମ ଦେବଙ୍କ ମାଣିକପାଟଣାଠାରେ ଦହିଖିଆ ଘଟଣା ହେଉ ବା ସାକ୍ଷ୍ୟ ଦେବା ପାଇଁ ସାକ୍ଷୀଗୋପାଳଙ୍କ ଆଗମନର ଆଖ୍ୟାୟିକା ହେଉ ଏ ସମସ୍ତ କଥାବସ୍ତୁ ଜନମାନସର ଚିନ୍ତା ଚେତନାରେ ଆଜି ବି ସତେଜ ହୋଇ ରହିଛି l

ସେହିପରି ଏକ ଲୋକକଥା ସୋମନାଥ ମନ୍ଦିର ବିଷୟରେ ମଧ୍ୟ ରହିଛି l ଦ୍ୱାଦଶ ଶତାବ୍ଦୀରେ ବିଶ୍ୱର ସର୍ବଶ୍ରେଷ୍ଠ ସ୍ଥାପତ୍ୟର ନିର୍ମାଣ ପାଇଁ ଲାଙ୍ଗୁଳା ନରସିଂହ ଦେବ ଯୋଜନା ପ୍ରସ୍ତୁତ କଲେ l ଆଉ ତାହା ଥିଲା କୋଣାର୍କର ସମୁଦ୍ରତଟରେ ସୂର୍ଯ୍ୟନାରାୟଣଙ୍କ ଉଦ୍ଦେଶ୍ୟରେ ଏକ ଭବ୍ୟ ମନ୍ଦିର ନିର୍ମାଣ, ଯାହା ହେବ ସମସ୍ତ ବିଭାଗରେ ଏକ ଶ୍ରେଷ୍ଠ ନିର୍ମାଣ l

ମନ୍ଦିର ନିର୍ମାଣ ପାଇଁ ଉନ୍ନତ କଳାକୌଶଳରେ କୁଶଳୀ କାରିଗର ବା ସ୍ଥପତିମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଶେଷକରି ତାପଙ୍ଗ, ମୋଟରୀ ଖଣ୍ଡଗିରି ଓ ବାଲେଶ୍ୱରର ନୀଳଗିରି ଅଞ୍ଚଳରୁ ଆସୁଥା’ନ୍ତି l ଏପରିକି ମନ୍ଦିର ନିର୍ମାଣ ପାଇଁ ପଥରଗୁଡ଼ିକ ମଧ୍ୟ ଏହି ସବୁ ଅଞ୍ଚଳରୁ ଅଣାଯାଇଥିଲା l ଶିଳ୍ପୀମାନେ କେହି କେହି ପାଦରେ ଚାଲି ଚାଲି ବା କେହି ଶଗଡ଼ଗାଡ଼ିରେ ଆସୁଥିଲେ l ଆଗମନ ସମୟରେ ବିଭିନ୍ନ ସ୍ଥାନରେ ଏମାନଙ୍କୁ  ରହଣି କରିବାକୁ ପଡୁଥିଲା l ଏହି ରହଣି ସମୟରେ କେଉଁଠି ସକାଳର ଜଳଖିଆ ତ କେଉଁଠି ଦ୍ବିପହର ଅନ୍ନ ଭୋଜନ ଓ କେଉଁଠାରେ ରାତ୍ରିଯାପନ କରିବାକୁ ପଡୁଥିଲା l


ଲୋକକଥା କହେ ବର୍ତ୍ତମାନର ଏହି ବୁଢ଼ାପଡ଼ା ଗ୍ରାମ ଦେଇ କୋଣାର୍କ ଯିବା ବାଟରେ କାରିଗରମାନେ ସୋମନାଥଙ୍କ ଠାରେ ରହଣି କରିଥିଲେ l ରାତ୍ରିଯାପନ ପରେ କାରିଗରମାନଙ୍କ ପାଇଁ ସକାଳ ଜଳଖିଆ ଭୋଜନର ବ୍ୟବସ୍ଥା ଏହିଠାରେ କରାଯାଇଥିଲା l ଏହିଠାରେ ଶିଳ୍ପୀମାନେ ସକଳର ଜଳଖିଆସ୍ୱରୂପ ଚୁଡ଼ା ଖାଇ ପାଖରେ ଥିବା ପୁରାତନ କୂଅରୁ ଜଳ ପାନ କରିଥିଲେ l ଖୋଲା ଆକାଶ ତଳେ ଥିବା ପାତାଳଫୁଟା ଖରାଖିଆ ସୋମନାଥଙ୍କୁ ଚୁଡ଼ା ଭୋଗ ଅର୍ପଣ କରି ଦେଉଳ ନିର୍ମାଣର ସମସ୍ତ କାର୍ଯ୍ୟକୁଶଳରେ ସମ୍ପନ୍ନ ହେଉ ବୋଲି ଆଶୀର୍ବାଦ ଭିକ୍ଷା କରିଥିଲେ l ଆଉ କାର୍ଯ୍ୟ ସଫଳ ହେଲେ ଫେରିବା ବାଟରେ ସୋମନାଥଙ୍କ ପାଇଁ ମନ୍ଦିର ନିର୍ମାଣ କରିବାର ମାନସିକ ମଧ୍ୟ କରିଥିଲେ l


ଅତଃ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ସଫଳ ହେବା ପରେ ରାଜା ଖୁସିହୋଇ ପୁରସ୍କାର ମାଗିବାକୁ କୁହନ୍ତେ, ସ୍ଥପତିମାନେ ସୋମନାଥଙ୍କ ଆଶୀର୍ବାଦ ଓ ତାଙ୍କ ମାନସିକ ବିଷୟରେ ରାଜାଙ୍କୁ ଜଣାଇଲେ ଆଉ ଖରାଖିଆ ସୋମନାଥଙ୍କ ପାଇଁ ମନ୍ଦିର ନିର୍ମାଣ କରିବାକୁ ପ୍ରାଥନା କଲେ l ଏହା ତ ନିଶ୍ଚିତଭାବେ ଖୁସିର କଥା, ଏଣୁ ପରବର୍ତ୍ତୀ ସମୟରେ ଲାଙ୍ଗୁଳା ନରସିଂହ ଦେବଙ୍କ ତତ୍ୱାବଧାନରେ ସେହି କାରିଗରଙ୍କ ଦ୍ୱାରା ଏହି ଭବ୍ୟ ଚୁଡ଼ାଖିଆ ସୋମନାଥ ମନ୍ଦିର ନିର୍ମାଣ ହୋଇଥିଲା l

ତ୍ରୟୋଦଶ ଶତାବ୍ଦୀରେ ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ନିର୍ମିତ ବୁଢ଼ାପଡ଼ାର ଚୁଡ଼ାଖିଆ ସୋମନାଥ ମନ୍ଦିର କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏକ ଶ୍ରେଷ୍ଠ ନିଦର୍ଶନ l ସମୂର୍ଣ୍ଣ ଦେଉଳଟି ବଉଳମାଳ ପଥରରେ ନିର୍ମାଣ ହୋଇଛି ଏବଂ ଯେହେତୁ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣର ପରେ ପରେ ଆଉ ସେହି ସମସ୍ତ କାରିଗରଙ୍କ ଦ୍ୱାରା ଏହି ମନ୍ଦିରଟି ନିର୍ମାଣ ହୋଇଛି ଏଣୁ ମନ୍ଦିରର କାରୁକାର୍ଯ୍ୟ ଗୁଡ଼ିକ କୋଣାର୍କ ମନ୍ଦିର କାରୁକାର୍ଯ୍ୟ ପରି ସୁନ୍ଦର, ସମକକ୍ଷ ଓ ସେହିପରି ଅବିକଳ l


ମନ୍ଦିରର ପିଣ୍ଡି ଠାରୁ ଚୁଳ ପର୍ଯ୍ୟନ୍ତ ଓ ଜଗମୋହନରେ ଉତ୍କୀର୍ଣ୍ଣ ହୋଇଥିବା ସୁକ୍ଷ୍ମ କାରୁକାର୍ଯ୍ୟ ଗୁଡ଼ିକ ପ୍ରାୟତଃ ଅନ୍ୟତ୍ର ଦେଖିବାକୁ ମିଳେନା l କୁହାଯାଏ ମନ୍ଦିରଟିର ଦଧିନଉତି ଗୋଟିଏ ପଥରରେ ନିର୍ମାଣ କରାଯାଇଛି ଏବଂ ମୁଣ୍ଡି ମାରିଲାବେଳେ କୋଣାର୍କ ମନ୍ଦିର ପରି ସମ୍ପୂର୍ଣ୍ଣ ମନ୍ଦିରଟିକୁ ବାଲିରେ ପୋତାଯାଇ ତା ପରେ ଅଁଳାବେଢ଼ା ଓ ଦଧିନଉତିର ରତ୍ନମୁଦ କାର୍ଯ୍ୟ ସମ୍ପନ୍ନ ହୋଇଥିଲା l

ଏହି ମନ୍ଦିର ପରିସରରେ ଏକ ବିରାଟ ପୁଷ୍କରିଣୀ ରହିଛି ଏବଂ ପ୍ରବେଶ ପୂର୍ବରୁ ଏକ ଛୋଟିଆ ମନ୍ଦିରରେ ଶ୍ରୀ ହନୁମାନଙ୍କ ମୁଖାକୃତି ପ୍ରତିମା ପୂଜା ପାଉଛନ୍ତି l ଏବେବି ସେହି କୂଅଟି ପ୍ରାଙ୍ଗଣରେ ରହିଛି l ପିଣ୍ଡି ଉପରୁ ମନ୍ଦିର ଚତୁଃପାର୍ଶ୍ଵ ପରିଭ୍ରମଣ କଲାବେଳେ ମୁଖ୍ୟ ଦେଉଳ ଗାତ୍ରରେ ନିହାଣ ମୁନର ଚମତ୍କାର କାରୁକାର୍ଯ୍ୟ ସହିତ ପାର୍ଶ୍ଵ ଦେବଦେବୀଙ୍କ ସୁନ୍ଦର ପ୍ରତିମାକୁ ଯେ କେହି ଦର୍ଶନ କରିପାରିବ l


ଗର୍ଭଗୃହରେ ପ୍ରବେଶ କଲେ ଦ୍ୱାରପାଳଙ୍କ କମନୀୟ ପ୍ରତିମା ଓ ନବଗ୍ରହଙ୍କ ମୂର୍ତ୍ତି ଦେଖିବା ସହିତ ଚତୁଷ୍କୋଣୀ କୁଣ୍ଡରେ ସୋମନାଥଙ୍କ ଦିବ୍ୟ ସ୍ୱରୂପକୁ ଦର୍ଶନ କରିହେବ l ଗଙ୍ଗବଂଶୀୟ ଏହି ଶ୍ରେଷ୍ଠ କୀର୍ତ୍ତିରାଜିକୁ ଦେଖିବାକୁ ହେଲେ ପୁରୀ ଜିଲ୍ଲା ପିପିଲି ଛକରୁ ଜଟଣୀ ଆଡ଼କୁ ପ୍ରାୟ ସାତ ଆଠ କିଲୋମିଟର ଦୂରକୁ ଗଲେ ଏହି ଭବ୍ୟ ମନ୍ଦିରଟିକୁ ଦେଖିହେବ l 

Spread the love
admin

View Comments

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago