ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

କାର୍ଯ୍ୟାଳୟରେ ଥରେ ଜଣେ ଶିକ୍ଷିତ ବିହାରୀ ଭାଇଙ୍କ ସହିତ କଥା ହେଉଥାଏ । କହୁ କହୁ କହିଲେ, ଏଇ କାମରେ ବହୁତ tension, ଆଖି ବୁଜିଵାକୁ ବି ସମୟ ମିଳୁନାହିଁ । ଆମର ଏଠି ଦଶଟା ଝିଅ ହେଲେ ଚିନ୍ତା ବଢ଼େ କିନ୍ତୁ ୟୁରୋପରେ ଦଶଟା ପୁଅ ହେଇ ଯାଉଥିଲେ ବୋଲି ତାଙ୍କ ମୁଣ୍ଡକୁ ଚିନ୍ତା ଖାଉଥିଲା । ସେଇଥିପାଇଁ ଏ ଟେନସନ୍ ଶବ୍ଦର ସୃଷ୍ଟି କରି ଦେଇଛନ୍ତି । ସେତେବେଳେ କଥାଟା ହସରେ ଉଡ଼ାଇ ଦେଇଥିଲୁ । ତେଵେ ସତଟା ପୁରା ଭିନ୍ନ।

ଇଂରାଜୀ tensionର ten ଓ son ସହିତ କୌଣସି ସମ୍ପର୍କ ନାହିଁ । ଇଂରାଜୀରେ ଟେନସନ୍ ଶବ୍ଦଟି ଫ୍ରେଞ୍ଚ୍ ଭାଷା ଦେଇ ପ୍ରଚଳିତ ହୋଇଅଛି । ଫ୍ରେଞ୍ଚ ଭାଷାରେ ଟେନସନ୍ ଶବ୍ଦଟି ଚିନ୍ତା, ରକ୍ତଚାପ ଓ ଵୋଲଟେଜ୍ ଅର୍ଥରେ ଵ୍ୟଵହୃତ ହେଇଥାଏ ତେଵେ ଇଂରାଜୀ ଏ ଶବ୍ଦକୁ କେଵଳ ଚିନ୍ତା ଅର୍ଥରେ ଗ୍ରହଣ କରିଅଛି ଏଵଂ ଏହାର ଵୋଲଟେଜ୍ ଅର୍ଥ ଵିଜ୍ଞାନ ପରିଭାଷାରେ କ୍ଵଚିତ ଵ୍ୟଵହାର ହୋଇଥାଏ । ଏମ୍ରୋଡରୀ ମେସିନ୍’ରେ ଗୋଟିଏ ସ୍ପ୍ରିଙ୍ଗ୍ ଲାଗେ ଯାହା ମେସିନ୍’ର କୌଣସି ହେଡ୍’ରେ ସୂତା କଟିଗଲେ ସୂଚନା ଦେଵାରେ ସହାୟକ ହୋଇଥାଏ ତାକୁ ମଧ୍ୟ ଟେନସନ୍ କୁହନ୍ତି ।

ଲାଟିନ୍ ଭାଷାର tensiō ଓ tensiōnem ଶବ୍ଦ ସହିତ ଟେନସନ୍ ଶବ୍ଦ ସମଦ୍ଧୃତ ଏଵଂ ପାଶ୍ଚାତ୍ୟ ଭାଷାଵିତମାନେ ଏ ସମସ୍ତ ଶବ୍ଦଗୁଡ଼ିକର ମୂଳ ଭାରୋପୀୟ ଶବ୍ଦରୂପ  *ten ନିର୍ଣ୍ଣୟ କରିଅଛନ୍ତି।

ଆମ ସଂସ୍କୃତ ଭାଷାର ତନ୍ ଧାତୁ ଓ ପାଶ୍ଚାତ୍ୟ ଭାଷାଵିତମାନଙ୍କ ଦ୍ଵାରା ନିର୍ଣ୍ଣୟ କରାଯାଇଥିଵା ମୂଳ ଭାରୋପୀୟ ଧାତୁ *ten  ସମଦ୍ଧୃତ ।

ଉଭୟ ଧାତୁ ଶବ୍ଦର ଅର୍ଥ ଟାଣିଵା, ଵିସ୍ତାର କରିଵା ଅଟେ । ଏ ଦୃଷ୍ଟିରୁ ଓଡ଼ିଆ ଭାଷାର ଟାଣିଵା ଓ ଟଣକା ଶବ୍ଦ, ହିନ୍ଦିର ତାନ୍’ନା ଶବ୍ଦ, ସଂସ୍କୃତର ତନୟ, ତନ୍ତୁ, ତନ୍ତ୍ର, ତନ, ତନୁ, ତନ୍ତୁ, ତାନ ଇତ୍ୟାଦି ଶବ୍ଦଗୁଡ଼ିକ ସହିତ ଇଂରାଜୀ ଟେନସନ୍’ର ସମଦ୍ଧୃତଗତ ସମ୍ପର୍କ ରହିଛି ।  ଯେତେବେଳେ ଆମେ ଚିନ୍ତା କରୁ ଵା ମୁଣ୍ଡ ଖେଳାଉ ସେତେବେଳେ ଆମ ଵିଚାର ଵିସ୍ତାର ଲାଭ କରିଥାଏ । ଏ ସମସ୍ତ ଶବ୍ଦଗୁଡ଼ିକରେ ଵିସ୍ତାର କରିଵାର ଭାଵ ସନ୍ନିହିତ ଅଛି ।

ତେଵେ ଇଂରାଜୀର Tension ଶବ୍ଦର ଓଡ଼ିଆ ପ୍ରତିଶବ୍ଦ “ଚିନ୍ତା”ର ଅର୍ଥ କେଵଳ ଏହି ଗୋଟିକରେ ସୀମିତ ହୋଇଯାଇନାହିଁ ଵରଂ ଏ ଶବ୍ଦର ଆହୁରି ଅନେକ ଅର୍ଥରେ ଵ୍ୟଵହାର ପ୍ରଚଳିତ ।

ଚିନ୍ତା ଶବ୍ଦକୁ ଧ୍ୟାନ କରିଵା ଵା ଉପାସନା କରିଵା, ଭାଵନା କରିଵା, ସ୍ମରଣ କରିଵା, ମନ ମଧ୍ୟର ଆନ୍ଦୋଳନ, ଉଦ୍ଵେଗ, ଶଙ୍କା ଵା ଭୟ, ଵିଚାର ଵା ଵିଵେଚନା କରିଵା ଆଦି ଭିନ୍ନ ଭିନ୍ନ ଅର୍ଥରେ ପ୍ରୟୋଗ କରାଯାଏ ।

ସ୍ମରଣ କରିଵା, ଚିନ୍ତା କରିଵା ଅର୍ଥରେ ଓଡ଼ିଆ କାଵ୍ୟ କଵିତାରେ ଚିନ୍ତିଵା ଶବ୍ଦର ଵ୍ୟଵହାର ରହିଛି । ଯଥା—
“ଲକ୍ଷେ ଯୋଜନରେ ବାରଣ ଚିନ୍ତିଲା ତା’ ଡାକ ଶୁଣିଲ ପଶା ଖେଳେ ।”(ମାନ ଉଦ୍ଧାରଣ କର ହେ ତାରଣ)

“କୁରୁସଭା ତଳେ ଦ୍ରୌପଦୀ ଚିନ୍ତିଲା କୋଟି ବସ୍ତ୍ର ଦିଆଇଲେ ତ ।”
(ଜଗବନ୍ଧୁ ପରି ଜଣେ ସାମନ୍ତ)

“କୁରୁ ସଭାତଳେ ଦ୍ରୌପଦୀ ଚିନ୍ତିଲା ତାକୁ କୋଟି ବସ୍ତ୍ର ଦେଇଥିଲ କି ।”(କଳାକୃଷ୍ଣ କମଳ ଆଖି)

ବନେ ଶିଶୁ ଗର୍ଭିଣୀ ଚିନ୍ତିଲା ହେ ଚକ୍ରପାଣି ବ୍ୟାଧମୁଖରୁ ରଖିଲ ତାରି ।। (ମୋତେ ସେହି ରୂପ ଦେଖାଅ ହରି)

ଅତି ଆରତେ ସେ ତରୁଣୀ ।
ଚିନ୍ତିଲା ପ୍ରଭୁ ଚକ୍ରପାଣି ।
(ଦାର୍ଢ୍ୟତା ଭକ୍ତି)

ସେହିପରି ଓଡ଼ିଆ ଭାଗଵତରେ ଏ ଶବ୍ଦର ବହୁଳ ଵ୍ୟଵହାର ଦେଖାଯାଏ ।

ଯାହାର ଆଶ୍ରେ ଭୋଗ କଲା ।
ତାର ଅପ୍ରିୟ ଏ ଚିନ୍ତିଲା ॥

ଚିତ୍ତେ ଚିନ୍ତିଲା ଭଗବାନ ।
ସୁଜନେ ଏଣେ କର ଧ୍ୟାନ ।।

ତା ଦେଖି ଅସୁରକୁମର ।
ମନେ ଚିନ୍ତିଲା ଚକ୍ରଧର ।।

ନିର୍ମଳ ନିଷ୍କପଟ ଚିତ୍ତେ ।
ଯେଣୁ ଚିନ୍ତିଲା ହୃଦଗତେ ।।

ଅମୃତପ୍ରାୟ ତାଙ୍କ ବାଣୀ ।
ମନେ ଚିନ୍ତିଲା ନୃପମଣି ।।

ଚିତ୍ତେ ଚିନ୍ତିଲା ନାରାୟଣ ।
ସୁଜନେ ଏକମନେ ଶୁଣ । ।

ଚିନ୍ତିଲା ପ୍ରତିକାର ମନେ ।
ମିଳିଲା ରାଜା ସନ୍ନିଧାନେ ॥

ତୋତେ ଚିନ୍ତିଲା ବେଦବର ।
ନାଶିଲୁ ଅବନୀର ଭାର  ।।

ସେ ରାଜା ଅଜ୍ଞାନ ହୋଇଲା ।
ବେଳେ ଶ୍ରୀହରି ନ ଚିନ୍ତିଲା ।।

ପୁରୁଷୋତ୍ତମ ପାଦମୂଳେ ।
ଚିନ୍ତିଲେ ସମାଧି ନିଶ୍ଚଳେ । ।

ଚିତ୍ତେ ଚିନ୍ତିଲେ କ୍ଷଣମାତ୍ର ।
ହରଇ ଅଶେଷ ଦୁରିତ ।।

ଅଳପ ସ୍ଥିତ ରଙ୍ଗ ମୁଖ ।
ଚିନ୍ତିଲେ ଖଣ୍ତେ ଭବଦୁଃଖ ।।

ହରି-ଚରଣ ଚିନ୍ତି ଧ୍ୟାନେ ।
କୋମଳ-ଗଭୀର-ବଚନେ ।।

ଯାର ସ୍ୱରୂପ ହୃଦେ ଚିନ୍ତି ।
ବେଦପୁରୁଷେ ନ ଜାଣନ୍ତି ॥

ଏ ଭାବ ମୁନିଗଣେ ଚିନ୍ତି ।
ଭବସାଗରୁ ତରିଯାନ୍ତି ।।

ବେଦ-ବିଧାନ ଯେ ଜାଣନ୍ତି ।
ଆତ୍ମାକୁ ସର୍ବଭୂତେ ଚିନ୍ତି ।।
ଅନେକ ଯଜ୍ଞମତେ ଚିନ୍ତି ।
ଯାର ଚରଣ ନ ଲଭନ୍ତି ।।

ତେଣୁ ପ୍ରାଚୀନ ସାହିତ୍ୟଠାରୁ ପ୍ରଚଳିତ କଥିତ ଭାଷା ଯାଏଁ ସର୍ଵତ୍ର ଓଡ଼ିଆ ଭାଷାରେ ଚିନ୍ତା କରିଵା କ୍ରିୟା ଓ ଚିନ୍ତା ଶବ୍ଦର ଵ୍ୟଵହାର ଵ୍ୟାପକ ହୋଇଥିଵାଵେଳେ ଇଂରାଜୀ ଭାଷାର ଟେନସନ୍ ଶବ୍ଦର ମାତ୍ର ଦୁଇ ତିନୋଟି ଅର୍ଥ ରହିଛି ।

ଆମ ପାଖରେ ଚିନ୍ତା ଭଳି ଏତେ ସୁନ୍ଦର ଶବ୍ଦ ଥାଉ ଥାଉ ଆଜି ଆମ ଯୁଵପିଢି଼ ଜାଣିଶୁଣି ହେଉ ଵା ଅଜାଣତରେ ହେଉ ଟେନସନ୍ ଭଳି ଏକ ଦୀର୍ଘ ଶବ୍ଦ କାହିଁକି ଯେ ଵ୍ୟଵହାର କରୁଅଛନ୍ତି ତାହା ଵିଚାର କରିଵାର ଵିଷୟ ନିଶ୍ଚୟ 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago