ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ଘଇତା/ଘଏତା ଶବ୍ଦଟି ଓଡ଼ିଆ ଭାଷାରେ ବହୁ ପ୍ରାଚୀନ କାଳରୁ ଚଳିଆସୁଛି କିନ୍ତୁ ଅଧୁନା ଅନେକ ଓଡ଼ିଆ ଲୋକେ ଏ ଶବ୍ଦକୁ ଅଶ୍ଳୀଳ ଵିଚାର କରୁଅଛନ୍ତି ଓ ଏହି ଶବ୍ଦ ପରିଵର୍ତ୍ତେ ପତି ଓ ସ୍ଵାମୀ ଆଦି ତତ୍ସମ ଶବ୍ଦର ଆଜି ଵିଶେଷ ଭାବେ ପ୍ରୟୋଗ ହୋଇଥାଏ ।

କାହିଁକି ଏ ଶବ୍ଦକୁ ଅଶ୍ଳୀଳ ଵିଵେଚିତ କରାଯାଏ ?

ଏହି ଶବ୍ଦଟି ଭର୍ତ୍ତା, ସ୍ବାମୀ, ମାଲିକ ଓ ଉପପତି ଵା ଜାରପୁରୁଷ ଅର୍ଥରେ ଵ୍ୟଵହୃତ ହେଇଥାଏ ‌। ଏ ଶବ୍ଦର ଶେଷ ଅର୍ଥ ଉପପତି ଵା ଜାରପୁରୁଷ ଆଧାରରେ ଏହାକୁ ଅଶ୍ଳୀଳ ଵିଚାର କରାଯାଏ ।

କିନ୍ତୁ କ’ଣ ଘଇତା ଵା ଘଏତା ଶବ୍ଦର ତତ୍ସମ ସମଦ୍ଧୃତ ରୂପ ଗ୍ରହୀତାର ମଧ୍ୟ କୌଣସି ଅଶ୍ଳୀଳ ଅର୍ଥ ଥିଲା ?

ଗ୍ରହୀତା ଶବ୍ଦଟି ଗ୍ରହଣକାରୀ, ଗ୍ରହଣକର୍ତ୍ତା, ଋଣଗ୍ରହଣକାରୀ ବ୍ୟକ୍ତି ଵା ଖାତକ, ଗ୍ରାହକ, ଖରିଦଦାର ଓ ସ୍ବାମୀ ଵା ପତି ଅର୍ଥରେ ଵ୍ୟଵହୃତ ହେଉଥିଲା । ଯେ ସ୍ତ୍ରୀର ପାଣିଗ୍ରହଣ କରେ ସେ ଗ୍ରହୀତା ଏହି ଭାଵକୁ ଆଧାର କରି ଘଇତା ଶବ୍ଦର ସୃଷ୍ଟି । ଏଠାରେ ଗ୍ରହୀତା ଶବ୍ଦର ଗ୍ରାହକ ଅର୍ଥଟି ଘଇତା ଶବ୍ଦର କାହିଁକି ଜାରପୁରୁଷ ଅର୍ଥ ହୋଇଥିଲା ତାହା ସ୍ପଷ୍ଟ କରିଥାଏ ।

ପ୍ରାଚୀନ କାଳରେ ଵୈଶ୍ଯାଵୃତ୍ତି ଆଜିଭଳି ଅପରାଧ ନଥିଲା । ସେତେବେଳେ ଏହା ସମାଜର ଏକ ଅଭିନ୍ନ ଅଙ୍ଗ ଥିଲା । କାଳିଦାସଙ୍କ ମେଘଦୂତ ମହାକାଵ୍ୟରେ ଏହାର ପ୍ରମାଣ ମିଳିଥାଏ । “ଵେଶ୍ୟାର ଗ୍ରାହକ” ଅର୍ଥରେ ଗ୍ରହୀତା ଶବ୍ଦର ଵ୍ୟଵହାର ଥିଵାରୁ ସେଇ ଅର୍ଥ ମଧ୍ୟ ଘଇତା ଶବ୍ଦର ଉପପତି ଅର୍ଥ ମଧ୍ୟରେ ପ୍ରକଟିତ ହୋଇଅଛି ।

ତାହେଲେ ଗ୍ରହୀତା ଶବ୍ଦଟି କ’ଣ ସତରେ ସ୍ଵାମୀ ଵା ପତି ଅର୍ଥକୁ ଶତ ପ୍ରତିଶତ ପ୍ରକାଶ କରିଥାଏ । ଏ ଶବ୍ଦର ସୂକ୍ଷ୍ମ ନିରୁକ୍ତି ଅଧ୍ୟୟନରୁ ହୁଏତ ଏହାର ଉତ୍ତର ମିଳିପାରେ ।

ଗ୍ରହୀତା ଶବ୍ଦକୁ ଗ୍ରହ୍ ଧାତୁରୁ ନିଷ୍ପନ୍ନ କରାଯାଇଛି । ଏହି ଗ୍ରହ୍ ଧାତୁରୁ ନିମ୍ନୋକ୍ତ ଅର୍ଥରେ ଵିଭିନ୍ନ ଶବ୍ଦ ନିଷ୍ପନ୍ନ ହୋଇଥାଏ ।

୧. ଗ୍ରହଣ କରିବା:
ପତିଟିଏ ପତ୍ନୀର ପାଣିଗ୍ରହଣ କରେ ।

୨. ନେବା:
କନ୍ୟାକୁ ପତିଟିଏ ତାହାର ପିତାର ଗୃହରୁ ନେଇ ଆପଣା ଗୃହର ଲକ୍ଷ୍ମୀ କରିଥାଏ ।

୩. ଧରିବା ଓ  ବଳପୂର୍ବକ ଧରିଵା:
ପତି ଆପଣା ପତ୍ନୀର ହାତକୁ ଧରି ସଂସାରପଥରେ ଅଗ୍ରସର ହୋଇଥାଏ । ଏହି ଅର୍ଥରେ ଗ୍ରହ ଶବ୍ଦ ମଧ୍ୟ ସୃଷ୍ଟି ହୋଇଅଛି । ପୃଥିଵୀ ଆମକୁ ତା ମଧ୍ୟରେ ମାଧ୍ୟାକର୍ଷଣ ଵଳ ଦ୍ଵାରା ଧରି ରଖିଛି ।

୪. ଆକର୍ଷଣ କରିଵା:
ପତିକୁ ତା ପତ୍ନୀକୁ ଵିଭିନ୍ନ ଉପଖୟରେ ଆକର୍ଷିତ କରିଵାକୁ ହୋଇଥାଏ । ଆକର୍ଷଣ ଵିନା ଦାମ୍ପତ୍ୟ ଜୀଵନ ସୁଖମୟ ହୋଇ ନପାରେ । ଅନ୍ୟଥା ନାରୀ ଆଉ କାହା ଦ୍ଵାରା ଆକର୍ଷିତ ହୋଇ ଚାଲି ଯାଇପାରେ ।

୫. ସନ୍ତୁଷ୍ଟ କରିଵା:
ପତିର କର୍ତ୍ତଵ୍ୟ ସେ ପତ୍ନୀକୁ ସନ୍ତୁଷ୍ଟ କରି ରଖିଵ ନୋହିଲେ ପତ୍ନୀ ଜାରପୁରୁଷ ସନ୍ଧାନ କରିଵାକୁ ବାଧ୍ୟ ହୁଏ ।

୬. ଗିରଫଦାର କରିବା, ବାନ୍ଧିଵା:
ପତିର ଆପଣା ପତ୍ନୀକୁ ପ୍ରେମବନ୍ଧନରେ ବାନ୍ଧି ରଖିଵାକୁ ଚେଷ୍ଟା କରିଵା ଉଚିତ୍ ନଚେତ୍ ପତିପତ୍ନୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ‌।

୭. ବୁଝିଵା:
ଆପଣା ପତ୍ନୀର ଚରିତ୍ରକୁ ବୁଝି କାର୍ଯ୍ୟ କରୁଥିଵା ପ୍ରତ୍ୟେକ ପତି ସୁଖମୟ ଦାମ୍ପତ୍ୟ ଜୀଵନ ଉପଭୋଗ କରିପାରେ ।

୮. ଆପଣା ପକ୍ଷକୁ ରାଜି କରାଇଵା ଵା ମନାଇଵା:
ପତିକୁ ରୁଷି ଯାଇଥିଵା ପତ୍ନୀକୁ ମନେଇଵାକୁ ହୋଇଥାଏ ।

୯. କୌଣସି ଵିଷୟକୁ ଆଯତ୍ତ କରିଵା:
ପତ୍ନୀକୁ ପ୍ରେମ ବଳରେ ଆୟତ୍ତ କରିଵାକୁ ହୋଇଥାଏ ।

୧୦. ପ୍ରାର୍ଥନା ମଞ୍ଜୁର କରିଵା:
ପତ୍ନୀ ଯାହା କହିଵ ସେଥିରେ ପତିକୁ ହଁ କରିଵାକୁ ପଡ଼େ। କଥାରେ ଅଛି ହଁ କୁ ହାଇକୋର୍ଟ ନାହିଁ । ହଁ ବୋଲି କହି ପତ୍ନୀର ସବୁକଥାରେ ରାଜି ହୋଇଗଲେ ଦାମ୍ପତ୍ୟ ଜୀଵନ ସୁଖମୟ ହୋଇଥାଏ ‌

୧୧. ଗର୍ଭଧାରଣ କରିଵା:
ପତିଟିଏ ପତ୍ନୀର ଗର୍ଭଧାରଣ କରିଵାରେ ସାହାଯ୍ୟ କରିଥାଏ ।

୧୨. କିଣିଵା:
ଗ୍ରହ୍ ଧାତୁର ଏହି ଅର୍ଥ ଜାରପୁରୁଷ ଅର୍ଥକୁ ସ୍ପଷ୍ଟ କରେ । ପତ୍ନୀକୁ ଶାଢ଼ୀ ଠାରୁ ଗହଣା ଯାଏଁ ସବୁ କିଣି ଦେଵା ପତିର କର୍ତ୍ତଵ୍ୟ ଅଟେ ‌।

୧୩. ଵସ୍ତ୍ରାଳଙ୍କାର ପିନ୍ଧିଵା:
ପତ୍ନୀକୁ ନୂଆ ନୂଆ ଵସ୍ତ୍ର ଓ ଅଳଙ୍କାର ଯୋଗାଇଵା ପତିର ପରମ କର୍ତ୍ତଵ୍ୟ । ନାରୀମାନେ ଏସବୁ ପିନ୍ଧିଵାକୁ ବଡ଼ ସୁଖ ପାଆନ୍ତି । 

୧୪. ରୋଗ, ଭୂତ, ପିଶାଚାଦି କୌଣସି ଵ୍ୟକ୍ତିକୁ ଆକ୍ରମଣ କରିଵା:

ପତିକୁ ଏକ ରୋଗ ଭଳି — ଭୂତ ପିଶାଚ ଭଳି ପତ୍ନୀର ଦେହ ମନକୁ ଅଧିକାର କରିଵାକୁ ହୋଇଥାଏ ।

ଗ୍ରହ୍ ଧାତୁର ଏ ସମସ୍ତ ଅର୍ଥଗୁଡ଼ିକ ତେଣୁ ପ୍ରମାଣିତ କରନ୍ତି ଯେ ଗ୍ରହୀତା ଶବ୍ଦଟି ପତି ଅର୍ଥକୁ କେମିତି ଅନେକାଂଶରେ ସାର୍ଥକ ଵିଵେଚିତ କରିଥାଏ ‌। ପାଶ୍ଚାତ୍ୟ ଭାଷାଵିତମାନେ ଗ୍ରହ୍ ଧାତୁକୁ ପ୍ରାକ୍ ଭାରୋପୀୟ ଶବ୍ଦ *gʰrebʰ ସହିତ ସମଦ୍ଧୃତ ବୋଲି ଵ୍ୟାଖ୍ୟା କରିଅଛନ୍ତି । ଏ ଦୃଷ୍ଟିରୁ ଧରିଵା, ଛଡେ଼ଇଵା, ଅକ୍ତିଆର କରିଵା ଅର୍ଥରେ ଵ୍ୟଵହୃତ Grab, grip ଶବ୍ଦ “ଗ୍ରହ୍ ଧାତୁ” ସହିତ ସମଦ୍ଧୃତ । ଆଇରିଶ୍ ଭାଷାର greim ଶବ୍ଦର ଅର୍ଥ ଧରିଵା, କାମୁଡି଼ଵା ଓ ସିଲେଇ କରିଵା । ଏ ଶବ୍ଦକୁ ମଧ୍ୟ ଗ୍ରହ୍ ଧାତୁ ସହିତ ସମଦ୍ଧୃତ ଵିଚାର କରାଯାଏ । ସେହିପରି ସଂସ୍କୃତରେ ଗ୍ରହ୍ ଧାତୁରୁ ଅନେକ ଶବ୍ଦ ନିଷ୍ପନ୍ନ କରାଯାଇଛି । ଯଥା — ଗ୍ରହ, ଗ୍ରାଵ, ଗ୍ରାହ, ଗ୍ରାହ୍ୟ, ଗ୍ରାହକ, ନିଗ୍ରହ, ଗ୍ରହଣ ଇତ୍ୟାଦି ଇତ୍ୟାଦି ‌।

ଓଡ଼ିଆ ଭାଷାରେ ଆଗେ ଏ ଶବ୍ଦ ସ୍ଥଳ ଵିଶେଷରେ ଅଶ୍ଳୀଳ ଵିଵେଚିତ ହେଉଥିଲେ ହେଁ ଗ୍ରାମ୍ୟଜୀଵନରେ ଏହାକୁ ସେତେଟା ଅଶ୍ଳୀଳ ଵିଚାର କରାଯାଉ ନଥିଲା, ଫଳରେ ଆମ ଭାଷାର ଲୋକଵାଣୀ ଢ଼ଗଢ଼ମାଳିରେ ଘଇତା ଶବ୍ଦଟି ବହୁ ପରିମାଣରେ ଵ୍ୟଵହୃତ ହୋଇଛି ।

ନିମ୍ନରେ ଏ ଶବ୍ଦଯୁକ୍ତ କେତୋଟି ଓଡ଼ିଆ ଢଗର ଉଦାହରଣ ଦିଆଗଲା ।

ଵାଭନ ଘରର ପଏତା,
ବଡ ଘର ଦେଖି ଦେଲୁ ଗୋ ବୁଆ
ଚଁଟିଆ ଏଡେ ଘଁଏତା ।।

ବାଙ୍ଗିଣ ପରିଵା,
ଦି ସଉତୁଣୀ କଥା ହେଉଛନ୍ତି ଘଇତାକୁ ମାରିଵା ।।

ଘଇତା ମାରଇ ରାଗେ
କାନମଲ୍ଲିକଢି଼ ପକାଇ ଦେଉଛି
ଦିଅର ଶଶୁର ଆଗେ ।।

ମନସଦ ଖାଇ ମରଇ ନାହିଁ
ଘଇତା ମାଡ଼କୁ ଡରଇ ନାହିଁ ।।

ଚିନହାଁ ବାହ୍ମନର୍ କାଏଁ ଦରକାର୍ ପଏତା ?
ଛିଦରି ମାହେଜିର୍ ଦରକାର୍ ଏକା,
ବୋଲ୍ ମାନୁଥିଲା ଘଏତା !!

କା’କୁ କୋଉ ଚିନ୍ତା
ମାଧିଆ ମାଆକୁ ଘଇତା ଚିନ୍ତା ।।

କାହାର କି ଚିନ୍ତା
ବାଇଣ୍ଟି ପୋଇଲିର
ଘଇତା ଚିନ୍ତା ।।

ସୁରୁ ସୁରୁ ଭାଜିଶାଗ
ତହିଁ ପଡିଗଲା ପିଆଜ,
ନିଜର୍ ଘଏତା ଲାଡଙ୍ଗ ଫସ୍
ପରହର୍ ଘାଏତା ସୁଆଦ ।।

ଚାଉଳ ପଛେ ଅଧୁଆ ହେଉ
ପେଜ ହେଉ ବହଳିଆ
ଘ ଇତା ପଛେ ସନ୍ତିଆ ହେଉ
ଲୂଗା ହେଉ ତଉଁରିଆ ।।

ଦୁଇ ମାଇପର ଘଇତା
ତବତ ଖାଇବୁ କି ପଖାଳ ଖାଇବୁ
ବେଳ ଥାଉଁ ଥାଉଁ କହି ଥା ।।

ଦୁଇ ମାହେଝିର୍ ଘଏତା,
ତତଲା ଖାଏବୁ କି କାକର୍ ଖାଏବୁ,
ବେଲ୍ ଥାଉନ୍ ଥାଉନ୍ କହିଥା ।।

ଆଣିମାଣିଠାଣି ଜାଣିଛୁ
ଵିଭା ଘଇତାର ନାଆଁ କହିପାରୁନୁ ।।

ଚାଲାକି ଜାଣିଲେ ମା ଘର ଝିଅ
ଘଇତାକୁ କଇବ ଓଳନାଳ ହୁଅ ।।

ନିସ୍ତୁକ ନାତି ଘଇତା
ପେଲାଗୁଞ୍ଜାରେ ଦିନ ନେଉ ଥା ।।

ନିସତକୁ ଖଣ୍ଡିଆ ଘଇତା
ପେଲାପେଲି କରି ଦିନ ନଉଥା।

ନାତି ଘଏତା, ଯଥାକତା କରି ଦିନ ଯାଇତା ।

ଵୈଶାଖ ମାସର କେନ୍ଦୁ
ଆଷାଢ଼ ମାସରେ ଘଇତା ମଲେ ଶ୍ରାଵଣ ମାସରେ କାନ୍ଦୁ ।।

କଦଳୀ କାଟିଲି ତିନି କେରା କଲି
ମଝି ଗଡ଼ କଲି ରାଇତା
ସମସ୍ତଙ୍କୁ ଦେଲି ଟିକିଏ ଟିକିଏ
ରୁଷି ବସିଛି ମୋ ଘଇତା ।।

ଦୁଇ ପତର୍ ଵାଗିର୍ ନଏଲ୍’ତା
କାହାର୍ ପତରେଁ କେତେ ବାଢମି
ମୁହୁଁ ଫୁଲେଇଛେ ମୋର୍ ଘଏତା ।।

ତୁ ଗୁହାରି କରିବୁ ଯା’କୁ
ମୁଁ ଘଇତା କରିଛି ତାକୁ ।‌।

ତୁ ଫେରାଦ ହଉଛୁ ଯାହାକୁ
ସେ ଘଇତା କରିଛି ତାହାକୁ ।।

ତୁଇ ମନ୍ ଧରୁଛୁ ଯାହାକେ,
ମୁଇଁ ଘଏତା କରିଛେଁ ତାହାକେ ।

ଗାଁ କନିଆଁ ସିଘାଂଣୀ ନାକୀ,
ନୂଆଁ ଘଏତା ବାବୁ ର୍ କାକୀ ।।

ମୋ ଘଇତା ମୋତେ ମାଇଲା
ପୁଲିସୁ ଲୁକ କେଣେ ଆଇଲା ।।

ଆଏ ଦେଖି ବଏ କର୍
ଘଏତା ଦେଖି ଘର୍ କର୍ ।।

ପାରିବୁ ଲୋ ମା ପାରିବୁ
ପର ଘଇତାକୁ ଶିକାରେ ରଖି
ନିଜ ଘଇତାକୁ ସାରିବୁ ।।

କହିବି ତା ଆଗେ ଶୁଣିବେ କେ?
ଘଇତା ଅବୁଝା ମାରିବ ଯେ ।।

ଯେବେ ପାଇଥାଏ ଘଇତା ବୁକୁ
ସଜ ହୋଇଥାଏ ବାପ ଘରକୁ ।।

ଅଖାଈ ନାନୀ ସରୁକାଟେଣୀ
ବସି ଥାଇ ଚୁଲି ମୁଣ୍ଡେ
ଘଇତା ପାଖରେ ଶକେଇ ହୁଏ
ମୁଁ କିଛି ଦେଇ ନାହିଁ ତୁଣ୍ଡେ ।।

ପୋ ବହ ଭଲ୍, ବୁଢା ବେଲେ ଯଦି ପୁଷେ ।
ଘଏତା ଭଲ୍, ବୁଢୀ ବେଲେ ଯଦି ରସେ।।

ଭଙ୍ଗାଧୁନ୍ ମାଇଲେ କାଣ୍ଡ୍
ଘଇତା ମଲେ ମାଇପୋ ରାଣ୍ଡ୍ ।।

ଦାରୀ କାହାର ମାଇପ?
ନା ଗଣ୍ଠିଆ କାହାର ଘଇତା?

ଚିଲାଆଖିଆ ବଇଦାମା
ଗୋଡ଼େଇ ଗୋଡ଼େଇ ଘଇତା ଖା ।।

ଭଙ୍ଗା ଦରପଣ ପଇସାଟେ
ଦୁଃଖର ସୁଖର ଘଇତାଟେ ।।

ଘଇତା ଅଯୋଗ୍ଯ ପଣେ
ମାଇପ ଶୁଏ ସନ୍ତରା ବଣେ ।।

ବଅସ ଦିନେ ନଅଶ ଘଇତା
ବୁଢୀଦିନେ ହରମନ୍ଦିରା ଚିତା ।।

ହଏଗୋ ମୋର୍ ସତୀଟା
ଦେଉଲ ଭିତରେ ନିଅମ କରୁଛୁ
ଘଏଁତା କରିଛୁ ଅଶିଟା ।।

ସୀତା କଏଁତା,
ରାଏଜ ଯାକର୍ ତାର୍ ଘଏତା ।

ଘଇତା ପଛକେ ମରୁ
ସଉତୁଣୀ ରାଣ୍ଡ ହେଉ ।।

ଘଏଁତା ପଛେ ମରୁ
ସଁତେନ୍ ରାଁଡି ହଉ

ତ ଘର ଦୁଆର ତା ଘର  କାନ୍ଥି
ତା ଘଇତା ତାକୁ ମାଇଲା
ତୁ କରୁଛୁ ବାନ୍ତି ।।

ଶାଳୁଆ  ଗଜା
ଘଇତା ଉପରେ ମାଇପ ରଜା  ।।

ଶାଶୁ ବୋଇଲା ନଥା’
ନଣନ୍ଦ ବୋଇଲା ନଥା’
ଘର ଘଇତା ନ ଥା’
ବୋଇଲେ ସରିଗଲା ମୋର କଥା  ।।

ଢପର  ଢ଼ାଇଁ . .
ଘଇତା ଘେନିଲି ଖଡ଼ୁପଟକ ପାଇଁ   l

କଖାରୁ କାଟିଲି ଚାରି ଚଉତ
ଅଧେ କଲି ଭଜା ରାଇତା
ମନ ଜାଣି ପଦେ କଥା ନ କହିଲେ
କେଉଁ ଗୁଣକାର ଘଇତା।

ରାଣ୍ଡ ସେଇ ଘ‌ଇତା କରନ୍ତି
ବ‌ଅଁଶ ଵୁଡାଇ ମାରନ୍ତି।

ଛୋପରl ଛଇ,
ଘଇତାକୁ ବୋଲୁଛି ନାତୁଣୀ ଜୋଇଁ  ।।

ବାଇଗଣ ପୋକ ପୋକ ନୁହେଁ
ଘ‌ଇତା କୋପ କୋପ ନୁହେଁ ।।

କଥା ନ ଆସଇ ପାଇକ ଆଗେ
ଘଇତା ଦେଖାନ୍ତି ମାଇପ ଆଗେ।।

Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

5 hours ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago