ଲେଖା: ଦେଵ ତ୍ରିପାଠୀ

ସେ ଓଡ଼ିଆ ସାହିତ୍ୟର ‘ବିଶ୍ୱକୁ ଗବାକ୍ଷ’, ‘ଶିଳା ଓ ଶାଳଗ୍ରାମ’ର ମଣିଷ ପ୍ରଫେସର ଚିତ୍ତରଞ୍ଜନ ଦାସଜ୍ଞାନ ଓ ଗାରିମାର ମହାକାଶ। ବିଦ୍ୱାନ ଓ ଦାର୍ଶନିକ । ଦୂରରୁ ଦେଖିଲେ ମନେ ହୁଅନ୍ତି ଜଣେ ତପସ୍ୱୀ । କେବେ କେବେ ଝୀନ ଆଲୋକ ରେଖାରେ ଉଦ୍ଭାସିତ ଜଣେ ଚିନ୍ତାନାୟକ । ତାଙ୍କର ପରିଚୟ ବିବିଧ, ପୁ୍ନଶ୍ଚ ବିଚିତ୍ର । ଗୋଟିଏ ନଦୀର ଅନେକ ଶାଖା ସେ, ତାଙ୍କର ଆଧ୍ୟାତ୍ମିକ ଅନ୍ୱେଷା, ଶ୍ରୀମାଙ୍କ ଆଶ୍ରିତ, ଶ୍ରୀଅରବିନ୍ଦଙ୍କ ଦର୍ଶନରେ ସେ ମଗ୍ନ । ଚିନ୍ତନରେ ଚିର ଆଧ୍ୟାତ୍ମିକ, ସୃଜନରେ ସୌନ୍ଦର୍ଯ୍ୟ-ରହସ୍ୟ ବିଜଡ଼ିତ ବକ୍ରୋକ୍ତି ତାଙ୍କୁ ଦେଇଛି ସିଦ୍ଧି ଓ ସ୍ବୀକୃତି । ସବୁରି ଉର୍ଦ୍ଧ୍ବରେ ବେଶ୍ ସ୍ବାଭିମାନୀ ବ୍ୟକ୍ତିତ୍ଵ ସେ, ପ୍ରାୟତଃ ବାକ୍-ବିନ୍ୟାସରେ ପ୍ରଗଳ୍ଭ ଓ ବୁଦ୍ଧିଦୀପ୍ତ ।

କଟକ ଜିଲ୍ଲାର ବାଗଲପୁରରେ ୧୯୨୩ ମସିହା ଅକ୍ଟୋବର ୩ ତାରିଖରେ ଜନ୍ମିତ ଚିତ୍ତରଞ୍ଜନ ଦାସ, ଯୁବାବସ୍ଥାରେ ଭାରତଛାଡ ଆନ୍ଦୋଳନ କାରଣରୁ ଜୀବନରେ ପ୍ରଥମଥର ପାଇଁ କାରାବରଣ କରି ପାଇଥିଲେ ନୂତନ ଦିଗ । ରାଜନୀତି ଯେ ତାଙ୍କର ମୂଳଲକ୍ଷ୍ୟ ନୁହେଁ ଏବଂ କ୍ଷଣିକ ଉତ୍ତେଜନାରେ ପଡି ରାଜନୀତିକୁ ଜୀବନର ଲକ୍ଷ୍ୟ ବୋଲି ଧରି ନେବାକୁ ସେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇପାରିଲେ ନାହିଁ । କାହାର କୈାଣସି ହିତରେ ଲାଗି ନ ପାରିଲେ ମଣିଷ ଜନ୍ମ ନିରର୍ଥକ ବୋଲି ତାଙ୍କର ଜ୍ଞାନୋଦୟ ହେଲା । ବୃହତ୍ତର ଓ ଉନ୍ନତ ବିଶ୍ୱ ପାଇଁ ଭଲ ଛାତ୍ରସମାଜଟିଏ ଗଢିବାଠାରୁ ବଳି ବଡ କାମ ଆଉ କ’ଣ ଥାଇପାରେ ?

ଜଣେ ଶିକ୍ଷାବିତ ଭାବରେ ପ୍ରଫେସର ଚିତ୍ତରଞ୍ଜନ ଦାସ ଯେତିକି ପ୍ରାଜ୍ଞ, ଜଣେ ସାହିତ୍ୟିକ ଭାବରେ ସେତିକି ପ୍ରସିଦ୍ଧ । ସାହିତ୍ୟ ଜୀବନଠାରୁ ଅଲଗା ନୁହେଁ, ଜୀବନର ଜଳଛବିକୁ ନେଇ ସାହିତ୍ୟ । ପୁଣି ଶିକ୍ଷା ପରି ସାହିତ୍ୟର ମଧ୍ୟ ଚୁମ୍ବକୀୟ ଶକ୍ତି ଅଛି । ଉଭୟ ଶିକ୍ଷା ଓ ସାହିତ୍ୟ ମଣିଷ ପ୍ରତି ସମ୍ବେଦନଶୀଳ । ଶିକ୍ଷା ବା ସାହିତ୍ୟ କେହି ମଣିଷକୁ ଲାବୋରେଟୋରୀର ମୂଷା ପରି ବ୍ୟବହାର କରନ୍ତି ନାହିଁ । ଶିକ୍ଷା ଲାଗି ଅସଲ ପ୍ରୀତିଟି ମଣିଷର ଜିଜ୍ଞାସା ଶକ୍ତିକୁ ଜାଗ୍ରତ କରାଏ । ଏହି ଜିଜ୍ଞାସା ଶକ୍ତିକୁ ଉଜ୍ଜୀବିତ କରେ ସାହିତ୍ୟ । ଦ୍ଵାର ଉନ୍ମୋଚନ କରିବା ହେଉଛି ଉଭୟଙ୍କର ଧର୍ମ । ତେଣୁ ଶିକ୍ଷା ଓ ସାହିତ୍ୟକୁ ନେଇ କେବେ ଅନ୍ତର୍ଦ୍ୱନ୍ଦର ସମ୍ମୁଖୀନ ନହୋଇ ଦୁଇଟି ଯାକ ଭିତରେ ଅତି ସ୍ଵାଭାବିକ ଭାବରେ ସେ ବାଛି ନେଇପାରିଛନ୍ତି ନିଜକୁ ।

ବହୁ ବିଦେଶୀ ଭାଷାରେ ଦକ୍ଷ ଥାଇ ସୁଦ୍ଧା ମାତୃଭାଷାରେ ଲେଖିବାକୁ ପସନ୍ଦ କରିଥିଲେ ପ୍ରଫେସର ଚିତ୍ତରଞ୍ଜନ ଦାସ । ଏଥିପାଇଁ ସେ ରଚନା କରିଛନ୍ତି ଶତାଧିକ ପ୍ରବନ୍ଧ ଓଡ଼ିଆ ଭାଷାରେ, ବିଶ୍ୱର ବହୁ ଉପାଦେୟ ଗ୍ରନ୍ଥକୁ ଓଡ଼ିଆରେ ଅନୁବାଦ କରି ଆମ ସାହିତ୍ୟକୁ କରିଛନ୍ତି ଋଦ୍ଧିମନ୍ତ, ଅସଂଖ୍ୟ ଭ୍ରମଣକାହାଣୀ, ପ୍ରବନ୍ଧ, ଆତ୍ମଜୀବନୀ ଇତ୍ୟାଦି ରଚନା କରି ସେ ତାଙ୍କ ସୃଜନୀର ପରିଧିକୁ କରିଛନ୍ତି ସମୁଜ୍ଜ୍ୱଳ ।

ତାଙ୍କ ସୃଜନର ସ୍ବାକ୍ଷର ଭାବରେ ପ୍ରକାଶପାଇଛି ଦେଢଶହରୁ ଅଧିକ ବହି, “ଶିଳା ଓ ଶାଳଗ୍ରାମ”, “ବିଶ୍ୱକୁ ଗବାକ୍ଷ”, “କେତେ ଦିଗନ୍ତ”, “ଜାତିରେ ମୁଁ ଯବନ”, “ପଶ୍ୟତି ଦିଶି ଦିଶି”, “ଅନାବନା ରଚନା” ଇତ୍ୟାଦି ପ୍ରବନ୍ଧରେ ସେ ନିଜର ଅସୁମାରୀ ପାଣ୍ଡିତ୍ୟର ପରିଚୟ । ଆତ୍ମଜୀବନୀ ‘ମିତ୍ରସ୍ୟ ଚକ୍ଷୁଷା’ ମାଧ୍ୟମରେ ସେ ଦୁନିଆବାସୀଙ୍କୁ ଅର୍ପିଦେଇଛନ୍ତି ମହ ମହ ଉପଲବ୍ଧି । ଏଇ ମାନବବାଦୀ ସାଧକଙ୍କୁ ଶାରଳା ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ଗୌରବମୟ ସାହିତ୍ୟଭାରତୀ ସମ୍ମାନ ପ୍ରଦାନକରି ଦେଶବାସୀ ଧନ୍ୟ ହୋଇଛନ୍ତି ।

ସାହିତ୍ୟ କ୍ଷେତ୍ରରେ ତାଙ୍କର ଅନବଦ୍ୟ ଅବଦାନ ତାଙ୍କୁ ଆଣିଦେଇଛି ଅଜସ୍ର ଖ୍ୟାତି । ତଥାପି ସେ କେବେ ସଫଳତାରେ ଉତ୍ଫୁଲିତ ହୋଇ ନାହାଁନ୍ତି କି ପୁରସ୍କାର ପ୍ରତି ମନଯୋଗୀ ହୋଇନାହାନ୍ତି । ପୁରସ୍କାର, ପ୍ରସିଦ୍ଧି ଓ ସଫଳତା ସବୁ କିଛି ଆପଣାଛାଏଁ ଆସିଛି ତାଙ୍କ ପାଖକୁ ।

ଚିରକାଳ ମଗ୍ନ ସାଧକ ପ୍ରଫେସର ଚିତ୍ତରଞ୍ଜନଙ୍କ ତପଶ୍ଚର୍ଯ୍ୟାରୁ ସମ୍ଭୂତ ଆମ ସମୟର ଅନେକ କଥା । ସମୟର କଷଟି ପଥରରେ ମଳିନ ହୋଇଯାଇନି ତାଙ୍କର ଅଜସ୍ର ଦ୍ୟୁତି । ବରଂ ସୂର୍ଯ୍ୟଶିଖାର ଅରୁଣିମାସମ ସେ ଉଦ୍ଭାସିତ । କେବେ ସେ ଦାର୍ଶନିକ ତ କେବେ ପୁଣି ଚିନ୍ତାନାୟକ । ତାଙ୍କ ଜୀବନର ଦର୍ଶନ ଥିଲା ଅସଲ ଲକ୍ଷ୍ୟସାଧନ, ଜୀବନର ଚରମ ସାଧ୍ୟ ଥିଲା ଜୀବନକୁ ଭଲପାଇବା ।

ସ୍ବକୀୟତାରେ ବିଭାସିତ, ଗୌରବୋଜ୍ଜ୍ୱଳ ଏଇ ତପସ୍ୱୀଙ୍କ ଚରଣରେ ଅନ୍ତରଙ୍ଗ କଳିଙ୍ଗ ସଶ୍ରଦ୍ଧ ପ୍ରଣିପାତ କରୁଛି ।

Spread the love
admin

Recent Posts

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

7 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

2 weeks ago