ଚିତାଲାଗି ଅମାବାସ୍ୟା

ଲେଖା: ଦେଵ ତ୍ରିପାଠୀ

~ ଚିତାଲାଗି ଅମାବାସ୍ୟା ~

କାଇଁ କେଉଁ ଯୁଗରୁ ମନୁଷ୍ୟ ବିରାଟ, ଭୟଙ୍କର, କ୍ଷତିକାରୀ ଓ ଉପକାରୀ ପଦାର୍ଥ ଅବା ଜୀବଜନ୍ତୁଙ୍କର ପୂଜା କରିଆସୁଛି । ଗୋରୁଗାଈ, ହାତୀ, ସାପ, ମାଛଶୁଖୁଆ, ବିଲେଇ, ଗେଣ୍ଡା ସଭିଙ୍କୁ ପୂଜା କରି ଶିଖିଛି । ଆଜି ଏସବୁକୁ ଆଧୁନିକ ଜନସମାଜ ସିନା ହସି ଉଡ଼ାଇଦିଏ, କିନ୍ତୁ ଆଦିମ ମନୁଷ୍ୟ କାହାରିକୁ କେବେ ନ୍ୟୁନ ମନେକରିନି, ବରଂ ପ୍ରତ୍ୟେକ ଜୀବଙ୍କୁ ତା’ର ସାହାଯ୍ୟକାରୀ ଭାବେ ଗ୍ରହଣ କରି ସେମାନଙ୍କୁ ପୂଜା କରିଆସିଛି ପ୍ରାଣର ମମତା ନିଗାଡ଼ି । ସେଇ ଅତିମାନବୀୟ ଚେତନାରୁ ସୃଷ୍ଟି ଆଜିର ଏଇ ଗେଣ୍ଡେଇଶୁଣୀ ପୂଜା । ବୈଜ୍ଞାନିକ ଦୃଷ୍ଟିକୋଣରୁ ଗେଣ୍ଡା ବହୁ ଔଷଧୀୟ ଗୁଣଯୁକ୍ତ, ତେଣୁ ଗେଣ୍ଡା ପୂଜାର ଉଦ୍ଦେଶ୍ୟ ନିଶ୍ଚୟ ମହତ ।

ଏଇ ମହାନ ପୂଜା ଅନୁଷ୍ଠିତ ହୁଏ ଧାରାଶ୍ରାବଣର ଅମାବାସ୍ୟା ତିଥିରେ । ଏ ବେଳକୁ ଓଡ଼ିଆ ଚଷାଭାଇର ଧାନବେଉଷଣ ବା ବିହୁଡ଼ା କାମ । ଫସଲ ଅମଳ କିପରି ଅଧିକ ହେବ ସେଥିପାଇଁ ଚଷାଭାଇ ପୂଜାକରେ ଧାନକ୍ଷେତକୁ, ସ୍ବତନ୍ତ୍ର ବିଧିରେ । ବେଉଷଣ କାମରେ ଯେ ଚଷାଭାଇ ପଡ଼ିରହେ ବିଲରେ । ଏ ବେଳରେ ବିଲରେ ଜନ୍ମ ହୁଅନ୍ତି ପ୍ରଚୁର ଗେଣ୍ଡା ! ଓଡ଼ିଆ ଚଷାଘରର ଝିଅମାନେ ଚିତୋଉପିଠା ତିଆରି କରି ସେ ପିଠାକୁ ବିଲକୁ ଅବା ପୋଖରୀରେ ଗେଣ୍ଡାମାନଙ୍କ ଦେବୀ ଗେଣ୍ଡେଇଶୁଣୀଙ୍କ ଉଦ୍ଦେଶ୍ୟରେ ପକାଇ ଦେଇ କହନ୍ତି,
“ଗେଣ୍ଡେଇଶୁଣୀ ଲୋ ଗେଣ୍ଡେଇଶୁଣୀ
ମୋ ବାପା ଭାଇଙ୍କ ଗୋଡ କାଟିବୁ ନାହିଁ . . “


~ ବିଶେଷ ନୀତି ~
ଏଇ ପବିତ୍ର ଚିତାଲାଗି ଅମାବାସ୍ୟା ତିଥିରେ ଗେଣ୍ଡେଇଶୁଣୀ ଦେବୀଙ୍କୁ ଚିତୋଉ ପିଠା ଦାନ ସହିତ ଆଉ ଦୂଇଟି ବିଶେଷ ନୀତି ଦୃଷ୍ଟିକୁ ଆସେ, ଚଷାପୁଅ ଘରେ ଚିତୋଉପିଠା ପ୍ରସ୍ତୁତି; ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଚିତାଲାଗି ଅବା ଚିତୋଉଲାଗି ! କେବଳ ଚଷାଭାଇ ନୁହେଁ, ପ୍ରତି ଓଡ଼ିଆର ଘରେ ଚିତୋଉପିଠା ତିଆରି ହେଉଥିବା କାରଣରୁ ଏ ଅମାବାସ୍ୟାଟି ଚିତୋଉ ଅମାବାସ୍ୟା ଭାବେ ପରିଚିତ ହୋଇଥିବା ସ୍ଥଳେ, ବଡ଼ ଦେଉଳରେ ତିନିଦିଅଁଙ୍କୁ ସୁବର୍ଣ୍ଣ ଚିତା ଓ ଚିତୋଉ ପିଠା ଲାଗି ହେଉଥିବାରୁ ଲୋକେ ଏହାକୁ ଚିତାଲାଗି ଅମାବାସ୍ୟା ବୋଲି କହିଥାନ୍ତି ।

~ ଧାନକ୍ଷେତର ପୂଜା ~
ଆମ କୃଷିପ୍ରଧାନ ରାଜ୍ୟରେ ପାଳିତ ହେଉଥିବା ଅଧିକାଂଶ ପର୍ବପର୍ବାଣୀ କୃଷିକୁ କେନ୍ଦ୍ରକରି ସୃଷ୍ଟ । ଏଇ କୃଷିପର୍ବ ଚିତୋଉ ଅମେଇସାରେ ଗେଣ୍ଡେଇଶୁଣୀଙ୍କୁ ପିଠା ଅର୍ପଣ କରିବା ସହିତ ଚଷାଭାଇ ଚିତୋଉ ପିଠା, ଫୁଲ, ଚନ୍ଦନ, ସିନ୍ଦୂର, କ୍ଷୀର ଆଦି ଦେଇ ବିଲକୁ ପୂଜା କରନ୍ତି । ଧାନକ୍ଷେତକୁ ଅର୍ଘ୍ୟ ଦେଇ ପୂଜା କରି ଚିତୋଉ ପିଠାକୁ ବିଲରେ ପୋତିଦେଇ ଆସେ । ଚଷାଭାଇର ବିଶ୍ୱାସ ଧାନକ୍ଷେତକୁ ପୂଜା କଲେ ଅମଳ ଅଧିକ ହେବ ।

~ ବରୁଣଦେବଙ୍କ ପୂଜା ~
ଏ ଚିତାଲାଗି ଅମାବାସ୍ୟା ବା ଚିତୋଉ ଅମାବାସ୍ୟା ସମୟରେ ଓଡ଼ିଶାରେ ଆଉ ଗୋଟିଏ ବିଶେଷ ଘଟଣା ଘଟେ । କଥିତ ଅଛି, ନଈସବୁ ଶୁଖିଲା ପଡ଼ିଥିଲେ ମଧ୍ୟ ଚିତୋଉକୁ ନିଶ୍ଚୟ ପାଣି ଆସିବ । ବସ୍ତୁତଃ ଓଡ଼ିଶାରେ ଯେତେ ପ୍ରଳୟଙ୍କରୀ ବନ୍ୟାବିତ୍ପାତ ଘଟେ, ସେସବୁ ଅଧିକାଂଶ ଚିତୋଉ ଅମାବାସ୍ୟା ଦିନ । କାରଣ ଅବଶ୍ୟ ସୁସ୍ପଷ୍ଟ । ଅମାବାସ୍ୟାରେ ସମୁଦ୍ର ଗର୍ଭ ଥାଏ ସ୍ଫୀତ । ନଦୀଜଳ ନିଷ୍କାସିତ ହୋଇପାରେନା । ଏହାପୂର୍ବରୁ ଧାରା ଶ୍ରାବଣରେ ଲଗାଣ ବର୍ଷା ହୋଇ ବଢ଼ି ଆସିବା ଏବଂ ପ୍ରଳୟ ରୂପ ଧାରଣ କରିବା ସ୍ବାଭାବିକ । ତେଣୁ ମଧ୍ୟ ଲୋକେ ନଦୀବଢିର ପ୍ରକୋପ କମାଇବା ଉଦ୍ଦେଶ୍ୟରେ ଜଳଦେବତା ବରୁଣଙ୍କୁ ମଧ୍ୟ ଚିତୋଉ ଭୋଗ ଲାଗି କରିଥା’ନ୍ତି ।

~ ଅନନ୍ୟ ପର୍ବ: ଚିତାଲାଗି ଅମାବାସ୍ୟା ~
ପୂର୍ଣ୍ଣମୀ, ଅମାବାସ୍ୟା, ଏକାଦଶୀ, ସଂକ୍ରାନ୍ତି ଆଦି ତିଥି ଅବା ବାରକୁ ନେଇ ଆମ ଓଡ଼ିଆ ଘରେ ପାଳିତ ହୁଏ କେତେ ପୁନିଅଁପରବ, ଓଷାବ୍ରତ ! ତେବେ ଅମାବାସ୍ୟାମାନଙ୍କ ମଧ୍ୟରେ ମହାଳୟା, ଦୀପାବଳି, ବଉଳ ଅମାବାସ୍ୟା ପରି ଚିତୋଉ ଅମାବାସ୍ୟାର ସ୍ଥାନ ସ୍ଵତନ୍ତ୍ର । କୃଷି ବ୍ୟତୀତ ଶ୍ରୀମନ୍ଦିରରେ ସମାରୋହରେ ପାଳିତ ହେଉଥିବା କାରଣରୁ ଏଇ ପର୍ବ ଓଡ଼ିଆଙ୍କ ଦୈନନ୍ଦିନ ଜୀବନଯାତ୍ରାରେ ସ୍ବତନ୍ତ୍ର ରେଖାପାତ କରେ । ଆମର ସାମାଜିକ ଓ ଧାର୍ମିକ ଜୀବନରେ ଏ ପର୍ବର ଗୁରୁତ୍ୱ ଉଲ୍ଲେଖନୀୟ ନିଶ୍ଚୟ ।

~ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ~
ଓଡ଼ିଆ ଗଣଜୀବନରେ ସାଂସ୍କୃତିକ ଓ ସାମାଜିକ ଜୀବନର ସୂଚୀପତ୍ର ସାଜିଥିବା ଏଇ ପର୍ବପାଳନ ଓ ପିଠାପଣା ମଧ୍ୟ ବିଜ୍ଞାନସମ୍ମତ । ଚିତୋଉ ପିଠାର ପ୍ରସ୍ତୁତି ପ୍ରଣାଳୀ କଥା ଦେଖାଯାଉ । ପଲମ ଅବା ତାଉଆରେ ପିଠୋଉ ଦିଆଯାଇ ସରା ଢାଙ୍କି ଦିଆଯାଏ, ସରା ଚାରିପାଖେ ଓଦାକନା ଖଣ୍ଡେ ଗୁଡ଼ାଇ ଦିଆଯାଏ । ଫଳତଃ ପିଠା ଭଲଭାବେ ସିଝେ, ପୋଡ଼ିଯିବାର ଭୟ ମଧ୍ୟ ରହେନା, ବରଂ ଖାଦ୍ୟଗୁଣ ପୂର୍ଣ୍ଣଭାବେ ରହେ ଏବଂ ସୁସ୍ବାଦୁ ହୁଏ । ଆମ ଓଡ଼ିଆଣୀ ମା’ମାନେ ନଡ଼ିଆ କୋରା, ଏବଂ ଅନ୍ୟାନ୍ୟ ସୁମିଷ୍ଟ ପଦାର୍ଥ ଯଥା କଦଳୀ ଓ ଗୁଡ଼ ପକାଇ ଏହାକୁ ପ୍ରସ୍ତୁତ କରିଥା’ନ୍ତି । ପ୍ରବାଦ ରହିଛି, ଚିତୋଉ ଅମେଇସାରେ ଚିତୋଉ ପିଠା ନ ଖାଇଲେ ସ୍ବାସ୍ଥ୍ୟ ଭଲ ରହେନା ।

ଏବେ ସମୟ ବଦଳିଛି ! ଓଡ଼ିଆ ଚଷାଭାଇ ଧାନ କ୍ଷେତରେ ମୁଣ୍ଡିଆ ମାରିବା ଅପେକ୍ଷା ସୁରତ କି ହାଇଦ୍ରାବାଦର ପୁଞ୍ଜିପତିକୁ ମୁଣ୍ଡିଆ ମାରିବାକୁ ଶ୍ରେୟ ମଣୁଛି, ତେଣୁ ଏଇ ମହାନ କୃଷିପର୍ବଟି ଆଜି ତା’ ପାଇଁ ଅଲୋଡ଼ା ହୋଇପଡ଼ିଛି ! ଓଡ଼ିଶା ମାଟିରେ ଶ୍ରାବଣରେ ବି ନଦୀସବୁ ଶୁଖିଲା, ତେଣୁ ବରୁଣଦେବଙ୍କ ଅର୍ଚ୍ଚନା ହୁଏତ ଆଜି ମୂଲ୍ୟହୀନ ତା’ ପାଇଁ ! ପିଜାବର୍ଗରରେ ଅଭ୍ୟସ୍ତ ଓଡ଼ିଆଙ୍କର ନାକଟେକା ଆଜି ଓଡ଼ିଆ ପିଠା ଚିତୋଉକୁ ! ବସ୍ତୁତଃ ଚିତୋଉ ଅମେଇସାର ଦୃଶ୍ୟପଟ କେବଳ ବଡ଼ଦେଉଳର ଚଉହଦୀ ଭିତରେ ବାନ୍ଧି ହୋଇଯାଇଛି !

Leave a Comment

Your email address will not be published. Required fields are marked *

Scroll to Top