ଲେଖା: ଦେଵ ତ୍ରିପାଠୀ

ଆମ କଟକ ସହରର ବାଲିଗୋଡ଼ି, ମାଟିରେ ଯେପରି ମିଶି ରହିଛି ଇତିହାସର ମହକ, ଆମ ଜନମାନସରେ ସେମିତି ଉଜ୍ଜୀବିତ ରହିଛି ଅସୁମାରୀ ଲୋକକଥା । ସେମିତି କିଛି କଥା ଆମ ଦର୍ପଣୀ ରାଜାଙ୍କୁ ନେଇ ! ଚାନ୍ଦିନୀଚୌକର ପ୍ରାଣବନ୍ତ ଇତିହାସକୁ ନେଇ !

ସଉକିଆ ହେଲେ ମଧ୍ୟ ଦର୍ପଣୀ ରାଜା ଥିଲେ ପ୍ରଜାପ୍ରେମୀ । ପ୍ରଜାଙ୍କ ହାତପାହନ୍ତରେ ଆବଶ୍ୟକୀୟ ତଥା ସଉକିଆ ଚିଜମାନ ଉପଲବ୍ଧ କରାଇବା ସହିତ ବଣିଜ ଅବା କାରିଗରଙ୍କ ଉତ୍ପାଦକୁ ବିକ୍ରୟ ନିମନ୍ତେ ନିଜ ସୁଦୃଶ୍ୟ ରାଜପ୍ରସାଦ ସମ୍ମୁଖରେ ବଜାରଟିଏ ସ୍ଥାପନା କଲେ ! ପ୍ରଜାଏ ହାରିଗୁହାରି କରିବା ପାଇଁ ରାଜନଅରକୁ ତ ଆସିବେ, ଯିବାଆସିବା ରାସ୍ତାରେ ମନପସନ୍ଦର ଚିଜ କିଣିବେ,ସେ ପୁଣି ଚାନ୍ଦିର ତାରକସି ! ରାଜାଙ୍କ ପ୍ରଚଣ୍ଡ ଅତିଥିମାନଙ୍କୁ ରାଜା ଚାହିଁଲେ ଚାନ୍ଦିର ଉପହାରଟିଏ କିଣିଦେବେ ଅବା ସେମାନେ ନିଜ ପ୍ରିୟ ପରିଜନଙ୍କ ପାଇଁ କିଣିନେବେ ! ବେପାରବଟା ଭଲ ଚାଲେ !


କଟକର ରୂପା ତାରକସିର ପ୍ରସାର ଓ ପ୍ରୋତ୍ସାହନ ଦିଗରେ ଦର୍ପଣୀ ରାଜାଙ୍କ ଅବଦାନ ଅତି ବଡ଼ ନ ହେଲେ ମଧ୍ୟ କାରିଗରକୂଳ ସର୍ବଦା ତାଙ୍କ ନିକଟରେ ଋଣୀ ରହିବେ ।

ବଜାରର ଅନ୍ୟ ନାମ ‘ଚୌକ‘, ତେଣୁ ‘ଚାନ୍ଦିର ବଜାର’ଟିକୁ ରାଜା ନାମ ଦେଇଥିଲେ ଚାନ୍ଦିନୀଚୌକ ବୋଲି ! ଆଜି କଟକରେ ଚାନ୍ଦି ଅଛି, ଚାନ୍ଦିନୀଚୌକ ଅଛି, କିନ୍ତୁ କଟକିଆଙ୍କ ବିସ୍ମୃତିର ଗର୍ଭରେ କୁଆଡ଼େ ମିଳାଇ ଯାଇଛି ଦର୍ପଣୀର ସେଇ ଉଚ୍ଚମନା ରାଜାଙ୍କ ନାଁ !

ଅନ୍ୟ ଏକ ଲୋକକଥା କହେ, ଏଠାକାର ବଜାର ସହିତ ଯୋଡ଼ି ହୋଇଥିଲେ କିଛି ମୋଗଲ । ତେବେ ଏ ସ୍ଥାନ ଛାଡ଼ି ଯିବା ପୂର୍ବରୁ ସେମାନେ ସ୍ଥାନଟିକୁ ଚାରାଚରିତା ଢ଼ଙ୍ଗରେ ନାମ ଦେଇଗଲେ ଚାନ୍ଦିନୀଚୌକ !

ତେବେ ମୋଗଲମାନଙ୍କୁ ନେଇ ଲୋକକଥା ଅପେକ୍ଷା ଏ ମାଟିରେ ମୋଗଲମାନଙ୍କ ଆଧିପତ୍ୟ କାଳରେ ଚାନ୍ଦିନୀଚୌକ ନାମକରଣ ଯଥେଷ୍ଟ ସମୀଚିନ ମନେହୁଏ ଏବଂ ଏହା ଐତିହାସିକ ମାନଙ୍କ ଦ୍ଵାରା ପ୍ରମାଣସିଦ୍ଧ ମଧ୍ୟ । ଆଧୁନିକ ସମୟ ସହିତ ତାଳ ଦେଇ ସେ ସମୟର ମୋଗଲମାନଙ୍କ କୀର୍ତ୍ତି ଅବା କୋଠାବାଡ଼ିର ଏବେ ଚିହ୍ନବର୍ଣ୍ଣ ନ ଥିଲେ ମଧ୍ୟ ସେମାନଙ୍କ ରାଜୁତି ସମୟରେ ସ୍ବତନ୍ତ୍ର ସହର ଯୋଜନାରେ ନିର୍ମିତ ଅଞ୍ଚଳର ନାମକରଣ ହୋଇଥିବାର କୁହାଯାଏ ।

ଓଡ଼ିଆଙ୍କ ପ୍ରାଣପ୍ରିୟ ଠାକୁରଙ୍କ ପାଇଁ ଅସଂଖ୍ୟ ଭକ୍ତିଗୀତ ଲେଖିଥିବା ମୋଗଲବଂଶୀ ଭକ୍ତକବି ସାଲବେଗଙ୍କ ଜନ୍ମପୀଠ ଏଇ ଚାନ୍ଦିନୀଚୌକ !


ଅତୀତର ସ୍ମୃତିଚାରଣ କରି ଲାଲବାଗ କୋଟି ଆଜି ଅଞ୍ଚଳର ଲାଲବାଗ ଥାନା, କୁହାଯାଏ, ଏଇ କୋଠି ଦିନେ ଥିଲା ଦର୍ପଣୀ ରାଜାଙ୍କ ଘୋଡ଼ାଶାଳ । ଦର୍ପଣୀ ରାଜାଙ୍କ ପ୍ରାସାଦ ଆଜି ମଧ୍ୟ ଚାନ୍ଦିନୀଚୌକ ଛକରେ ଦଣ୍ଡାୟମାନ ! ବ୍ରିଟିଶ ସମୟର ରାଜ୍ୟପାଳ ଭବନ ଆଜିର ଶିଶୁଭବନ । ରାଜାଙ୍କ ପ୍ରାସାଦ ସମ୍ମୁଖର ମେଳଣପଡ଼ିଆ ପରବର୍ତ୍ତୀ ସମୟରେ ହୋଇଥିଲା କଟକର ବସଷ୍ଟାଣ୍ଡ (ବାଦାମବାଡ଼ିର ବହୁ ପୂର୍ବରୁ) ।

ଓଡ଼ିଶାର ଉଚ୍ଚ ନ୍ୟାୟାଳୟ, ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ କେତେଗୁଡ଼ିଏ କର୍ପୋରେଟ୍ କାର୍ଯ୍ୟାଳୟ ରେ ସର୍ବଦା ଚଳଚଞ୍ଚଳ ସ୍ଥାନଟି ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ।

ମହାନଗରୀର ପ୍ରସିଦ୍ଧ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର ସମେତ ମା’ ଭଗବତୀ ମନ୍ଦିର, ବନ୍ଧବାଶେଳୀ ମନ୍ଦିର, ଅଷ୍ଟଶମ୍ଭୁ ମନ୍ଦିର, ଭାଗବତ ଗାଦି, ଦୁବେଶ୍ୱର ମହାଦେବ, ବୁଢ଼ାପୀର, ଉଜାଲା ଖାଁ ମସଜିଦ ଆଦି ଏ ଅଞ୍ଚଳର ଜନଜୀବନକୁ ପ୍ରଭାବିତ ଓ ରସସିକ୍ତ କରିଥା’ନ୍ତି ।


ଚିତ୍ର: କଟକର ବିଭିନ୍ନ ଫେସବୁକ ପୃଷ୍ଠା

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 week ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago