ଚାଟଶାଳୀ

ଲେଖା: ଅକ୍ଷୟ ଓଝା

ଗୁରୁଶିଷ୍ୟ ପରମ୍ପରାର ପବିତ୍ର ଇତିହାସକୁ ଖୋଜିଲେ ଚାଟଶାଳୀ ଶିକ୍ଷା ଏକ ସଠିକ ଉଦାହରଣ । ନିରାଡ଼ମ୍ବର ଶିକ୍ଷାଶୈଳୀ । କେତେ ବେଳେ ଅବଧାନଙ୍କ ଦାଣ୍ଡ ପିଣ୍ଡାରେ କିମ୍ବା ଚାଳିଘରେ କେତେବଳେ ଗଛମୂଳେ ଏହି ଶିକ୍ଷାବ୍ୟବସ୍ଥା ଥିଲା । ଆଉ ଆଜି ଯେଉଁମାନେ ସମାଜରେ ଲକ୍ଷ ଲକ୍ଷ ଶିକ୍ଷିତ ସମାଜ ବହୁମୁଖୀ ଧାରାରେ ଆଧୁନିକ ଢାଞ୍ଚାରେ ମୁଣ୍ଡ ଟେକି ଛିଡ଼ା ହେଇଛନ୍ତି ଏ ହେଉଛି ସେଇମାନଙ୍କ ଅବଦାନ । ଆଉ ସେ ଅବଧାନ ଶିକ୍ଷକ ନାହାଁନ୍ତି । ସେମାନେ ବି ଏହି ଆଧୁନିକ ରଙ୍ଗୀନ ସମାଜରୁ ବିଲୁପ୍ତ ହେଇ ଗଲେଣି ।

ମୋର ମନେ ଅଛି ମୁଁ ବୋଧ ହୁଏ ଶେଷ ପିଢ଼ି ଶିଷ୍ୟ ଥିଲି ଏହି ଅବଧାନ ଶିକ୍ଷା ପରମ୍ପରାର । ଅବଧାନେ କାଶୀ ମହାନ୍ତି ମାେ ପ୍ରଥମ ଶିକ୍ଷାଗୁରୁ । ଦିନେ ସଂଜରେ ଖେଳୁଥିଲି ଦାଣ୍ଡରେ ବସି । ଧୂଳିରେ । ବୋଉ ଦାଣ୍ଡ କୂଅରୁ ପାଣି କାଢୁଥିଲା ବଡ଼ବାପା ବିଦ୍ୟାଧର ଓଝା ଦାଣ୍ଡ ରାସ୍ତା ଉପରେ ଛିଡା ହେଇଥିଲେ । ବଡ଼ ବାପାଙ୍କୁ ଦେଖି ବୋଉ ଓଢଣା ଟାଣି କୂଅ କଡ଼କୁ ଛିଡ଼ା ହେଇ ଗଲା । ବଡ଼ ସମସ୍ତେ ମୂରବୀ ବୋଲି ମାନନ୍ତି । ବଡ଼ ବାପା ଦାଣ୍ଡ ରାସ୍ତାରୁ ଉପରୁ ଟିକେ ଉଚ୍ଚ ଆବାଜରେ କହିଲେ ସାନବହୁ । ପୁଅକୁ ଏବେ ଚାଟଶାଳୀ ପଠାଅ। ସେ ପାଠ ପଢୁ।

ମୋତେ ପାଞ୍ଚ ବର୍ଷ ହେବାକୁ ଯାଉଥିଲା ପ୍ରାୟ । ବାସ୍, ସେଇ ସଂଜକୁ ମାେ ପାଠ ପଢା ପ୍ରସ୍ତୁତି ଆରମ୍ଭ ହେଇଗଲା । ଶୁକ ରଣା ଦର୍ଜି ଠାରୁ ବ୍ୟାଗ ସିଲେଇ କରି ନେଇ ଆସିଲା ବୋଉ । ଭାଇର ପୁରୁଣା ସିଲଟ ପଡ଼ିଥିଲା । ବୋଉ କପଡ଼ାରେ ପୋଛି ପାଛି ଦେଲା  ଖଡ଼ି କିଣି ଆଣିଲା ହରି ବଡ଼ ବାପାଙ୍କ ଦୋକାନରୁ। ତାଳପତ୍ର ଚଟ ଆଲମାରୀ ଉପରେ ନୂଆ ଲାଲ ନୀଳ ରଙ୍ଗରେ ତିଆରି ହେଇଥିବା ଚଟଟି ବାହାର କଲା ବୋଉ ।

କଲିକତାରୁ ଆସିଥିବା ନୂଆ ଜାମା ପ୍ୟାଣ୍ଟ୍ ହଳକ ଆଲମାରୀରୁ ବାହାର କରି ପିନ୍ଧେଇ ଦେଲା ବୋଉ । ମୁଁ ବୁଝି ପାରୁ ନ ଥିଲି କୁଆଡେ ଯାଉଛି ବୋଲି । ହଁ ଏତିକି ଜାଣି ଥିଲି ଭାଇ ସ୍କୁଲ କୁ ଯିବି ଆଉ ଭାଇ ଭଳି ପାଠ ପଢିବି ।

ଭାଇ ମୁଁ ବାହାରି ପଡ଼ିଲୁ ଚାଟଶାଳୀ ଆଡେ । ଭାଇ ମାେ ଗୋଟିଏ ହାତ ଧରି ଥିଲା ବୋଉ ଆର ହାତକୁ । ବୋଉ ବି ଆମ ସାଥିରେ ଥିଲା । ନୂଆ କରି ଯାଉଛି ସ୍କୁଲ୍’କୁ ବୋଉ ଯାଇଥିଲା ନାଁ ଲେଖେଇବାକୁ ।
        
ଖଣ୍ଡେ ଦୂର ଚାଲି ପହଞ୍ଚିଲୁ ଚାଟଶାଳୀରେ । ବୋଉ ଅବଧାନେଙ୍କୁ ମୁଣ୍ଡିଆ ମାରି କହିଲା ସାନ ପୁଅ ନାଆଁ ଲେଖାଇବାକୁ ଆଣିଛି । ଅବଧାନେ ଖୁସି ହୋଇଗଲେ । ବୋଉ ଦୁଇ ଟଙ୍କା ଦେଇ ନାଆଁ ଲେଖେଇ ଦେଇ ଘରକୁ ଫେରିଲା । ଅବଧାନେ ପଇସାକୁ ଅଣ୍ଟାରେ ମାରି ମୋତେ ବସିବାକୁ କହିଲେ । ମୁଁ ଭାଇଠୁ ଅଲଗା ହେଇ ବସି ବାକୁ ରାଜି ହେଲିନି । କାନ୍ଦିଲି ଘଡ଼ିଏ । ଭାଇ ବି କାନ୍ଦୁଥିଲା ମାେ କାନ୍ଦ ଦେଖି । ଅବଧାନେ ରାଜି ହେଇ ଗଲେ ଯେ ଆଜି ଦିନଟା ବସୁ । କାଲି ଠାରୁ ଅଲଗା ବସିବ। ଭାଇ ଆଶ୍ବସ୍ତ ହେଲା। ତା ଜାମାରେ ମାେ ଲୁହ ପୋଛିଲା । ମୋତେ ଚୁପ୍ ରହିବାକୁ ସବୁ ପ୍ରକାର ଚେଷ୍ଟା କରୁଥିଲା ।
       
ଧୀରେ ଧୀରେ ଚାଟଶାଳୀରେ ପିଲାମାନେ ପହଞ୍ଚିଗଲେ । ଅବଧାନଙ୍କ ଚାଳିଆରେ ପାଠପଢା ହେଉଥିଲା । ସବୁ ପିଲା ପହଞ୍ଚିଲା ପରେ ପ୍ରାର୍ଥନା ପାଇଁ ଅବଧାନେ ଆଦେଶ ଦେଲେ । ଅବଧାନେଙ୍କ ପିଣ୍ଡାରେ ପିଲାମାନେ ଧାଡ଼ି ହେଇ ହାତ ଯୋଡ଼ି ଆଖି ବନ୍ଦ କରି ଛିଡା ହେଇଗଲେ । ମୁଁ ଡରି ଡରି ଭାଇ ପାଖରେ ଛିଡ଼ା ହେଇ ରହିଲି । ତଳେ ଛିଡ଼ା ହେଇ ଥିବା ଦୁଇଟି ବଡ଼ ପିଲା “ଆହେ ଦୟାମୟ ବିଶ୍ଵ ବିହାରୀ”  ଗାଇଲେ । ଅନ୍ୟ ପିଲାମାନେ ପଛେ ପଛେ ଗାଇଲେ । ମୁଁ ଆଖି ଖୋଲି ସମସ୍ତଙ୍କୁ ଦେଖୁଥାଏ । ମଝିରେ ମଝିରେ ଆଖି ବନ୍ଦ କରୁଥାଏ । ପ୍ରଥମ ଦିନର ପାଠପଢା, ପ୍ରାର୍ଥନା, ସାଙ୍ଗପିଲାଙ୍କ ଅଭିଜ୍ଞତା ନେଇ ଘରକୁ ଫେରିଲି ଭାଇ ସାଙ୍ଗରେ । ପୁଣି ଦ୍ୱିପହର ପରେ ଚାଟଶାଳୀ ବସୁଥିଲା । ସକାଳ ଆଠଟାରୁ ବାରଟା ପୁଣି ଚାରିଟା ରୁ ଛଅଟା । ଧୀରେ ଧୁରେ ଚାଟଶାଳୀ ଯିବା ଅଭ୍ୟାସଗତ ହେଇଗଲା ।
        
ମୁଁ ସେତେବେଳେ ଭାଇଠାରୁ ଅଲଗା ବସିବାକୁ ଆରମ୍ଭ କରିଲିଣି । ଅ ଆ ଲେଖିଲିଣି । କାଶୀ ମାଷ୍ଟ୍ରେ ଭାରି ରାଗୀ ଓ ଆଇନକାନୁନ୍ ବାଲା, ଟିକେ ଭୁଲ ହେଲେ ସିଧା ବେତ ପାହାର। ହାତରେ । ପିଠିରେ । ଗୋଡ଼ରେ ଯୁଆଡେ ପାରେ ସିଆଡେ । ମୋତେ ମାଡକୁ ଭାରି ଡର । ପୂର୍ବ ରାତିରେ ଭାଇ ପାଖରେ ବସି ସବୁ ପାଠ ଘୋଷି ମନେ ରଖେ । ପୁଣି ସ୍କୁଲ୍ ଯାଏ । ମାଷ୍ଟ୍ରେ ମୋତେ ଭାରି ଭଲ ପାଆନ୍ତି, କିନ୍ତୁ ମୁଁ ଭାରି ଡରେ । ସିଲଟରେ ଲେଖି ପାଠ ଦେଖେଇବାକୁ ଗଲେ ମୋର କେବଳ ବେତ ଉପରେ ନଜର ଥାଏ । କାଳେ ଭୁଲ୍ ହେଇ ଯିବ କି ? ବସି ଯିବ ପିଠିରେ ବେତ ପାହର ।
      
ମାଷ୍ଟ୍ରେ ଚଟେଇରେ ତଳେ ବସୁ ଥିଲେ । ହାତ ପାଖରେ ବେତ ବାଡ଼ି । ପିଲା ମାନେ ଖୁବ୍ ରଡ଼ି ଚହଳ କରି ପଢ଼ୁଥିଲେ । ଘୋଷୁଥିଲେ ପାଠ । କିଏ ପଣିକିଆ କିଏ ଅବନା । ଚକ କଳ ନଳ କିଏ ଅରଣା ମଇଁଷି ରହିଛି ଅନାଇ । ତ ପୁଣି କିଏ ଉଡାଜାହାଜ, ଧଳା କାଗଜ ଇତ୍ୟାଦି ଚିଲ୍ଲେଇ ପଢ଼ୁଥିଲେ ପିଲାମାନେ ଏକ ଲୟରେ । ଟିକେ ଗଡବଡ଼ ଦେଖିଲେ ଅବଧାନଙ୍କ ବେତ ଚାଲୁ ଥିଲା ପାୟେଁ ପାୟେଁ ।
        
ଅଭିଭାବକ ମାନେ ପିଲାଙ୍କ ପାଉଣା ବାବଦରେ ଧାନ ଚାଉଳ ବିରି ପରିବା ଆଦି ଆଣି ଗୁରୁଜୀଙ୍କୁ ଦେଉଥିଲେ । ଅବଧାନେ ଆନନ୍ଦରେ ଗ୍ରହଣ କରୁଥିଲେ ।” ଥରେ ଜଣେ ଛାତ୍ରଙ୍କ ମା ଅଭିଭାବକ ଅବଧାନଙ୍କ ପାଉଣା ବାବଦକୁ ବିରି ପାଞ୍ଚ କିଲୋ ମୁଣ୍ଡରେ ରଖି ଆଣି ଥିଲେ । ଅବଧାନେ ଭାରି ଖୁସି ହୋଇଗଲେ, ତାଙ୍କ ପିଲା ଟିକୁ ନିଜ ଆସନରୁ ଛିଡ଼ା କରି ପଚାରିଲେ ତମ ବାପାଙ୍କର ରୋଜଗାର କଣ ? ପିଲାଟି ଉତ୍ତର ରେ କହିଲା ମୋ ବାପା ବିଲରେ ବିରି ଚାଉର ପାଇଁ ଚାଷ କରନ୍ତି । ଅବଧାନେ କଥାଟିକୁ ଧରି ପକେଇଲେ କହିଲେ ଚାଉର ନୁହେଁ ଚାଉଳ କହ । ପିଲାଟି ପୁଣି ଉତ୍ତରରେ ଚାଉର କହିଲା ଅବଧାନେ ପୁଣି ଚାଉଳ, ପିଲାଟି ଚାଉର । ଅବଧାନେ ପିଲାଟିର ମାଆଙ୍କ ଆଡକୁ ଚାହିଁ କହିଲେ ଦେଖ ତମ ପିଲା ଚାଉଳ କହି ପାରୁନି । ପିଲାଟିର ମାଆ ରାଗି କରି ତା ପୁଅକୁ କହିଲା ଆରେ ପୋଡ଼ା ମୁହାଁ ତୋତେ “ଚାଉର” କହି ଆସୁନି ।

ସମସ୍ତେ ହସିଲେ । ଅବଧାନେ ବି ହସ ରୋକି ପାରିଲେନି ।
     
ମାନବ ଶିକ୍ଷାର ଗୁରୁକୁଳ ବ୍ୟବସ୍ଥା ଅତି ସାରଗର୍ଭକ ଥିଲା । ସେଥିରେ ସଂସ୍କାର, ଶିକ୍ଷା, ସଞ୍ଜମ, ସମ୍ମାନ, ସତ୍ୟପଥ ଓ ସାଂସାରିକ ଜୀବନର ନିୟମ ଥିଲା । ସେହି  ଛାତ୍ରମାନେ କେବେ ବି ପଥଭ୍ରଷ୍ଟ ହେଉ ନଥିଲେ । ସେ ସମୟରେ ମଦ୍ୟପାନ ନ ଥିଲା ଗାଁ ଗହଳିରେ ।
      
ପାଶ୍ଚାତ୍ୟ ଶିକ୍ଷା ଅଂଗ୍ରେଜୀ ବାହାନାରେ  ଆଜିର ଛାତ୍ର ଜୀବନରୁ ସଂସ୍କାର ଅପସରି ଗଲା । ଧର୍ମକୁ ଅନ୍ଧ ବିଶ୍ୱାସ କହି ପାଶ୍ଚାତ୍ୟ ଧର୍ମକୁ ଆମ ଭିତରେ ଭରିଦେଲେ । ଆମେ ଇଙ୍ଗ୍ରେଜି ଆଦରରେ ଆମେ ଆମ ଧର୍ମସଂସ୍କୃତି ସାରି ବସିଲେଣି ।
         
ଆଜି ଆଉ ଚାଟଶାଳୀ କିମ୍ବା ପ୍ରକୃତ ଗୁରୁକୁଳ ନାହିଁ । ଏବେ ଆମେ ପାଶ୍ଚାତ୍ୟସଭ୍ୟତାରେ ଅନ୍ଧ ହେଇ ସାରିଲେଣି । ସଂସ୍କାରକୁ ଶିକ୍ଷାରେ ଗଣୁ ନାହାନ୍ତି । ଆମ ସମୟରେ ପ୍ରଥମ ଶ୍ରେଣୀରୁ ପାଠ ଆରମ୍ଭ ହେଉଥିଲା କିନ୍ତୁ ଆଜି କାଲି ପ୍ରଥମ ପୂର୍ବରୁ ପାଞ୍ଚ ଛଅଟା ଶ୍ରେଣୀ ।

ଶିକ୍ଷାରେ ଆଉ ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧ, ଧର୍ମ ଧାରଣା, ବଡକୁ ସମ୍ମାନ, କୌଳିକ ସଂସ୍କୃତିକୁ ଅବମାନନା କରି ପାଶ୍ଚାତ୍ୟ ଶୈଳୀରେ ଶିକ୍ଷାଦାନ କରାଯାଉଛି । ଗୁରୁଶିଷ୍ୟ ପରମ୍ପରାକୁ ଅସମ୍ମାନ କରା ଯାଇଛି । ଭଗବାନ ଶ୍ରୀକୃଷ୍ଣ ରାଜା ମହାରାଜା ଘରେ ଜନ୍ମ ନେଇଥିଲେ ମଧ୍ୟ ଗୁରୁକୁଳ ଆଶ୍ରମରେ ସାଧାରଣ ଜୀବନ ଯାପନ କରି ଶିକ୍ଷା ଗ୍ରହଣ କରିଥିଲେ । କୁଟା (ନଡ଼ା) ଉପରେ ବସି ମୁଣ୍ଡ ଲଣ୍ଡିତ କରି ଗୁରୁଙ୍କ ସେବା, ଆଦେଶ ଓ ଅନୁଶାସନ ରେ ରହୁଥିଲେ । କିନ୍ତୁ ଆଜିର ଶିକ୍ଷା ପ୍ରଣାଳୀରେ ଶିକ୍ଷକ ଦଣ୍ଡବିଧାନ ଦୂରର କଥା ଛାତ୍ରଛାତ୍ରୀମାନଙ୍କୁ ଆକଟ କରି କହିବାକୁ ଅଧିକାର ନାହିଁ । ଆଜି ଚାଟଶାଳୀ ଶିକ୍ଷା ଇତିହାସ ।

© ଅକ୍ଷୟ ଓଝା, ରାଇଁଲୋ, ନୂଆପଡ଼ା, ଆଳି, କେନ୍ଦ୍ରାପଡ଼ା

Leave a Comment

Your email address will not be published. Required fields are marked *

Scroll to Top