ଲେଖା: ତ୍ରିଲୋଚନ ସ୍ୱାଇଁ
~ ଚଉଷଠି ଯୋଗିନୀ ମନ୍ଦିର ~
କଟକ ପୁରୀ ଜାତୀୟ ରାଜପଥର ଉତ୍ତରା ଛକରୁ, ବାଳକାଟି ବଜାର ଦେଇ ଆଗକୁ ଗଲେ ମାତ୍ର ଦୁଇ କିଲୋମିଟର ଦୂର, ଭାର୍ଗବୀ ନଦୀ କୂଳରେ ରହିଛି ସହସ୍ର ବର୍ଷ ପ୍ରାଚୀନ ହୀରାପୁର ଗାଁ l ଆଉ ଏହି ଗାଁରେ ରହିଛି ଚଉଷଠି ଯୋଗିନୀ ମନ୍ଦିର l ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା ଏହି ମନ୍ଦିରଟି ବହୁ ପ୍ରାଚୀନ l
ଦେବୀ ମାହାତ୍ମ୍ୟର ବର୍ଣ୍ଣନାନୁସାରେ, ମହିଷାସୁର ସହିତ ଯୁଦ୍ଧ ଅବସରରେ ଦେବୀ ଦୁର୍ଗା ରକ୍ତବୀର୍ଯ୍ୟ ନାମକ ପରାକ୍ରମୀ ଦାନଵ ସହିତ ଯୁଦ୍ଧ କରୁଥିଲେ ଆଉ ସେହି ସମୟରେ ଦାନବର ରକ୍ତବିନ୍ଦୁମାନ ଭୂପତିତ ହୋଇ ସେଥିରୁ ସହସ୍ର ଦାନଵ ଉତ୍ପନ ହୋଇ ଦେବୀ ଦୂର୍ଗାଙ୍କ ସହିତ ଯୁଦ୍ଧ କରିବାକୁ ଲାଗିଲେ l
ଏହି ଦାନଵଙ୍କୁ ନିହତ କରିବା ପାଇଁ ଦେବୀଙ୍କ ଆଭାରୁ ଯୋଗିନୀମାନେ ଆବିର୍ଭୁତା ହୋଇ ରକ୍ତବୀର୍ଯ୍ୟ ଶରୀର ନିର୍ଗତ ପ୍ରତିଟି ରକ୍ତବିନ୍ଦୁକୁ ଭୂଇଁରେ ପଡ଼ିବା ପୂର୍ବରୁ ଶୋଷି ଯାଇଥିଲେ l ଫଳରେ ନୂତନ ଦାନଵଗଣ ଆଉ ସୃଷ୍ଟି ହୋଇ ପାରିଲେ ନାହିଁ ଏବଂ ଦେବୀ ଦୁର୍ଗା ରକ୍ତବୀର୍ଯ୍ୟ ସମେତ ମହିଷାସୁର ଆଦି ସମସ୍ତ ଦାନବଙ୍କୁ ବଦ୍ଧ କରି ଧରା ପୃଷ୍ଠରେ ଶାନ୍ତି ପ୍ରତିଷ୍ଠା କରିଥିଲେ l ଚଣ୍ଡୀ ପୂରଣର ଏହି ଉପାଖ୍ୟାନରେ ଯୋଗିନୀଗଣଙ୍କ ଆବିର୍ଭାବ ଓ ଉତ୍ପତ୍ତି ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି l ପରବର୍ତ୍ତୀ ସମୟରେ ସେହି ସବୁ ଯୋଗିନୀମାନେ ବିଭିନ୍ନ ଶକ୍ତି ପୀଠରେ ମୂର୍ତ୍ତି ରୂପେ ପୂଜା ପାଉଛନ୍ତି l
ସ୍ଥାନୀୟ ଅଞ୍ଚଳରେ ଏହି ଚଉଷଠି ଯୋଗିନୀ ମନ୍ଦିର ‘ମହାମାୟା ମନ୍ଦିର’ ଭାବେ ପରିଚିତ l ଏହି ମନ୍ଦିରଟି ପ୍ରାଚୀନ କାଳରେ ତନ୍ତ୍ର ସାଧନାର କେନ୍ଦ୍ର ସ୍ଥଳୀ ଥିଲା l ଖ୍ରୀଷ୍ଟିୟ ନବମ ଶତାବ୍ଦୀରେ ମନ୍ଦିରଟି ନିର୍ମାଣ ହୋଇଥିବା ଅନୁମାନ କରାଯାଏ l
ଏହି ଅଞ୍ଚଳଟି ଭୌମବଂଶୀ ଶାସକଙ୍କ ଦ୍ୱାରା ଶାସିତ ହେଉଥିଲା l କୁହାଯାଏ ଭୌମ ଶାସକଙ୍କ ମହାରାଣୀ ହୀରାଦେବୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧାନରେ ଏହି ମନ୍ଦିରଟି ନିର୍ମାଣ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ମହାରାଣୀ ହୀରାଦେବୀଙ୍କ ନାମରେ ଗ୍ରାମର ନାମ ହୀରାପୁର ହୋଇଥିବା ଅନୁମାନ କରାଯାଏ l
ମନ୍ଦିରଟିର ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ଗଠନଶୈଳୀରୁ ଏହା ନବମ ଶତାବ୍ଦୀରେ ନିର୍ମାଣ ହୋଇଥିବା ଅନୁମାନ l ଏହାର ଗଠନ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ l ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମହାମାୟା ଓ ତାଙ୍କ ଉଭୟ ପାର୍ଶ୍ୱରେ ଥିବା ଚଉଷଠି ଯୋଗିନୀଗଣ ବୃତ୍ତାକାର ଏହି ଚଉଷଠି ଯୋଗିନୀ ମନ୍ଦିର ଗାତ୍ରରେ ପୂଜା ପାଉଛନ୍ତି l
ମନ୍ଦିରଟିର ଉପର ଅଂଶରେ କୌଣସି ଛାତ ନାହିଁ, ସମ୍ପୂର୍ଣ୍ଣ ଖୋଲା l ପ୍ରବେଶ ପଥଟି ଖୁବ୍ ସଂକୀର୍ଣ୍ଣ ଅଥଚ ତୋରାଣାକୃତି ଓ ନୀଚା l ଉଭୟ ପାର୍ଶ୍ୱରେ, ଦୁଇଟି ଭୈରବ ମୂର୍ତ୍ତି ଦଣ୍ଡାୟମାନ l ବୃତ୍ତାକାର ଏହି ମନ୍ଦିରର ବାହ୍ୟ ପାର୍ଶ୍ୱରେ ନଅ ଗୋଟି କାତ୍ୟାୟନୀ ମୂର୍ତ୍ତି ରହିଛି l ସେ ସମସ୍ତ ମୂର୍ତ୍ତିଙ୍କ ହାତରେ ଆୟୁଧ ଓ ପାନପାତ୍ର ରହିଛି l
ବୃତ୍ତାକାର ଚଉଷଠି ଯୋଗିନୀ ମନ୍ଦିର ମଧ୍ୟଭାଗରେ ଚତୁଃଷକୋଣ ବିଶିଷ୍ଟ ଏକ ପିଣ୍ଡିଟିଏ ରହିଛି, ଯାହାକି ମହାକାଳ ଭୈରବଙ୍କ ଆସ୍ଥାନ ସ୍ୱରୂପ l ଦେବୀ ମହାମାୟାଙ୍କ ପ୍ରତିମାର ଉଭୟ ପାର୍ଶ୍ୱରେ ଯୋଗିନୀ ମୂର୍ତ୍ତିମାନ ରହିଛି l ଏହି ମୂର୍ତ୍ତି ଗୁଡ଼ିକ ମଧ୍ୟରେ କୌଣସି ସମାନତା ଦେଖାଯାଏ ନାହିଁ l ସମସ୍ତ ମୂର୍ତ୍ତି ଗୁଡ଼ିକ ପରସ୍ପର ଠାରୁ ଭିନ୍ନ l ମୂର୍ତ୍ତିଗୁଡ଼ିକ କଳା ମୁଗୁନି ପଥରରେ ନିର୍ମିତ ପ୍ରାୟ ଦୁଇ ଫୁଟ ଉଚ୍ଚତା ବିଶିଷ୍ଟ ହେବ l ମୂର୍ତ୍ତିଗୁଡ଼ିକ ସେମାନଙ୍କ ବାହନ ଉପରେ ବିରାଜମାନ କରିଛନ୍ତି l ସମସ୍ତ ମୂର୍ତ୍ତିର କେଶ ବିନ୍ୟାସ, ବେଶଭୁଷା ଓ ଛିଡ଼ା ହେବାର ଠାଣି ଭିନ୍ନ l
ମହାମାୟାଙ୍କ ଉଭୟ ପାର୍ଶ୍ୱରେ ସମୁଦାୟ ଛପନ ଗୋଟି ପ୍ରତିମା ରହିଥିବାବେଳେ ମନ୍ଦିର ମଧ୍ୟ ଭାଗରେ ଥିବା ମଣ୍ଡପର ଗାତ୍ରରେ ଆଠ ଗୋଟି ମୂର୍ତ୍ତି ଚାରି ଦିଗକୁ ମୁହଁ କରି ରହିଛନ୍ତି l ଏହି ମନ୍ଦିର ପରିସରରେ ଶଙ୍କାଟେଶ୍ୱର ଶିବମନ୍ଦିର ରହିଛି l ଯାହାକି ଏକ ପାତାଳଫୁଟା ଶିବଲିଙ୍ଗ l
ହୀରାପୁରର ଚଉଷଠି ଯୋଗିନୀ ମନ୍ଦିର ପରି ଆଉ ଏକ ମନ୍ଦିର ରାଣିପୁର ଝରିଆଲ୍‘ଠାରେ ଦେଖିବାକୁ ମିଳେ l ଏହା ବ୍ୟତୀତ ମଧ୍ୟ୍ୟ ପ୍ରଦେଶ ରାଜ୍ୟରେ ମଧ୍ୟ ଏକ ଚଉଷଠି ଯୋଗିନୀ ମନ୍ଦିର ରହିଛି l
ଭାରତୀୟ ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ସୁରକ୍ଷିତ ଓ ସଂରକ୍ଷିତ ଏହି ମନ୍ଦିରକୁ ବର୍ଷର ଯେ କୌଣସି ସମୟରେ ବୁଲି ଯାଇହେବ l
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

14 hours ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago