ଜଣା ଅଜଣା

ଗୌତମ ବୁଦ୍ଧ ଓଡ଼ିଆ କି ?

ଲେଖା: ସୁଶାନ୍ତ ସାହୁ
ହୋଇପାରେ ଏହା ଏକ ବିବାଦୀୟ ପ୍ରଶ୍ନ, ମାତ୍ର ବିବାଦରୁ ହିଁ ଇତିହାସର ଅନେକ ସ୍ବର୍ଣ୍ଣିମ ସତ୍ୟ ଆବିଷ୍କୃତ ହୋଇପାରିଛି। ନିକଟ ଅତୀତରେ ରସଗୋଲା ଘଟଣାକୁ ଉଦାହରଣ ସ୍ୱରୂପ ନିଆଯାଇ ପାରେ। ପୋଥିଗତ ତତ୍ବ ହିଁ ପ୍ରକୃତ ସତ୍ୟ ଏହା ଆମେ ସହଜରେ ମାନି ନେଉ କାରଣ ଆମ ଓଡ଼ିଆଙ୍କଠାରେ ଅନୁସନ୍ଧାନ ମନୋବୃତ୍ତିର ଘୋର ଅଭାବ। ଏହା ପ୍ରାୟତଃ ସମସ୍ତେ ମାନିନେଇ ସାରିଛନ୍ତି ଯେ ନେପାଳର କପିଳବାସ୍ତୁ ହିଁ ଗୌତମ ବୁଦ୍ଧଙ୍କ ପ୍ରକୃତ ଜନ୍ମସ୍ଥାନ। ମାତ୍ର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ, ଲୋକକଥା ଏବଂ କିମ୍ବଦନ୍ତୀ, ଓଡ଼ିଶାରେ ବୌଦ୍ଧଧର୍ମର ପ୍ରାଚୀନତା, ବୌଦ୍ଧଧର୍ମକୁ ଓଡ଼ିଶାର ଅବଦାନ ଏବଂ ବୌଦ୍ଧସାହିତ୍ୟକୁ ଆଧାର କରି ଏହା ନିଃସନ୍ଦେହରେ କୁହାଯାଇ ପାରେ ଯେ ଓଡ଼ିଶା ହିଁ ହେଉଛି ବୁଦ୍ଧଙ୍କ ପ୍ରକୃତ ଜନ୍ମସ୍ଥାନ।
ଆଧୁନିକ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ଛାଡ଼ିଦେଇ ଓଡ଼ିଶାର ଇତିହାସ କଳ୍ପନା କରାଯାଇନପାରେ। ଇତିହାସର ଅନେକ ଗୁରୁତ୍ତ୍ୱପୂର୍ଣ ତଥା ଗୌରବାବହ ଘଟଣାର ମୁକସାକ୍ଷୀ ଏ ସହର। ବିଷ୍ଣୁ ସ୍ବରୂପ ବୁଦ୍ଧଦେବ ଏହିଠାରେ ହିଁ ଜନ୍ମ ଗ୍ରହଣ କରିଥିଲେ ସେହିଦିଗରେ ଏକ ସମ୍ୟକ୍ ଦୃଷ୍ଟିପାତ।
୧୮୯୬ ମସିହାରେ ଜର୍ମାନୀ ଐତିହାସିକ ଆଲୋସି ଙ୍କ ଦ୍ଵାରା ନେପାଳର ତରାଇ ଶିଳାଲେଖ ଆବିଷ୍କୃତ ହୋଇଥିଲା। ସେହିଦିନଠାରୁ ଧରିନିଆଗଲା ଯେ ନେପାଳର କପିଳବାସ୍ତୁ ହେଉଛି ଗୌତମଙ୍କ ଜନ୍ମସ୍ଥାନ। ମାତ୍ର ବିଶ୍ବବିଖ୍ୟାତ ଐତିହାସିକ କନିଂହାମଙ୍କ ଆନସିଏଣ୍ଟ ଜୋଗ୍ରାଫି ଅଫ୍ ଇଣ୍ଡିଆରେ ମତ ପ୍ରକାଶ କରନ୍ତି ଯେ “ଏଠାରେ କପିଳର ନାମସୁଦ୍ଧା ନାହିଁ, କିନ୍ତୁ ଶିଳାଲେଖ ଆବିଷ୍କାର ଯୋଗୁଁ ୩୦ ବର୍ଷ ମଧ୍ୟରେ କପିଳବାସ୍ତୁ ଜିଲ୍ଲା ବାଧ୍ୟ ହୋଇ ସୃଷ୍ଟି କରାଯାଇଛି”।
କପିଳବାସ୍ତୁର ଶିଳାଲେଖ ଆବିଷ୍କାର ହେବା କିଛିବର୍ଷ ପରେ ୧୯୨୮ ମସିହାରେ ପୁରୁଣା ଭୁବନେଶ୍ବରର କପିଳେଶ୍ୱର ଗ୍ରାମରେ ଅନ୍ୟ ଏକ ଶିଳାଲେଖ ଆବିଷ୍କାର କରାଗଲା। ଏଥିରେ ସ୍ପଷ୍ଟ ଭାବରେ ଲେଖାଯାଇଥିଲା ଯେ ଦେବତା ମାନଙ୍କ ପ୍ରିୟଦର୍ଶୀ ରାଜା ଅଶୋକ ରଜ୍ୟାଭିଷେକର ଦ୍ବାଦଶ ବର୍ଷରେ ଏଠାକୁ ଆସି ପୂଜାର୍ଚ୍ଚନା କରାଇଲେ। ଶାକ୍ୟମୁନୀ ଗୌତମ ଏଠାରେ ଜନ୍ମଗ୍ରହଣ କରିଥିବାରୁ ଲୁମ୍ବିନୀ ପ୍ରଗଣାର ପ୍ରଜାଗଣଙ୍କୁ କରମୁକ୍ତ କରାଇଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ କପିଳପ୍ରସାଦ ହେଉଛି ଲୁମ୍ବାଇ ପ୍ରଗଣାର ଅନ୍ତର୍ଗତ। କପିଳବାସ୍ତୁ ଏବଂ ଲୁମ୍ବିନୀର ଅପଭ୍ରଂଶ ଯଥାକ୍ରମେ କପିଳ ପ୍ରସାଦ ଏବଂ ଲୁମ୍ବାଇ ଅଟେ। କପିଳବାସ୍ତୁର ଶିଳାଲେଖ ଠାରୁ ଭୁବନେଶ୍ଵରର ଶିଳାଲେଖର ଗ୍ରହଣୀୟତା ଅଧିକ କାରଣ କପିଳବାସ୍ତୁ ଶିଳାଲେଖରେ ଲିପିକାରଙ୍କ ନାମ ଉଲ୍ଳେଖ ନାହିଁ କିନ୍ତୁ ଭୁବନେଶ୍ଵରଠାରେ ମିଳିଥିବା ଶିଳାଲେଖରେ ଲିପିକାଙ୍କ ନାମ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି।
ଏହି ଶିଳାଲେଖକୁ ଛାଡି ବୁଦ୍ଧଦେବ ଯେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ ତାହାର  ଅନେକ ପ୍ରମାଣ ରହିଛି। ପ୍ରଥମେ ବୁଦ୍ଧଦେବଙ୍କ ନାମକୁ ଆଲୋଚନା କରାଯାଉ, ପାଳି ଭାଷାରେ ବୁଦ୍ଧ ଶବ୍ଦର ଅର୍ଥ ହେଉଛି ‘ଆଲୋକିତ’। ପାଳି ଭାଷା ହେଉଛି ଓଡ଼ିଶାର ପୁରାତନ ଭାଷା। ପାଳି ଭାଷାରେ ମଧ୍ୟ ଅନେକ ବୌଦ୍ଧ ସାହିତ୍ୟ ରଚନା କରାଯାଇଛି।  ଦ୍ବିତୀୟତଃ ବୁଦ୍ଧଙ୍କ ପିତାଙ୍କ ନାମ ଥିଲା ଶୁଦ୍ଧୋଦନ ଯାହାର ଅର୍ଥ ହେଉଛି ସିଦ୍ଧଅନ୍ନ। ଶୁଦ୍ଧୋଦନଙ୍କ ଭାଇଙ୍କ ନାମ ଥିଲା ଧୌତଦୋନ ଯାହାର ଅର୍ଥ ହେଉଛି ପ୍ରଖ୍ୟାଳନ କରାଯାଇଥିବା ଅନ୍ନରେ ଶ୍ରଦ୍ଧା ରଖୁଥିବା ବ୍ୟକ୍ତି। ସାଧାରଣ ରେ କହିଲେ ପଖାଳ ପ୍ରିୟ ମଣିଷ। ଓଡ଼ିଶାର ପଖାଳ ଯେ ପୃଥିବୀ ପ୍ରସିଦ୍ଧ ଏହା ସମସ୍ତଙ୍କୁ ଜଣା। ତୃତୀୟତଃ ବୁଦ୍ଧ ନିଜେ କହିଛନ୍ତି ଯେ ତାଙ୍କ ଜନ୍ମସ୍ଥାନ ହେଉଛି ଭାରତର ମଧ୍ୟ ଦେଶରେ।  ତାଙ୍କ କଥାକୁ ଯଦି ଗ୍ରହଣ କରାଯାଏ ହିମାଳୟର ପାଦଦେଶରେ ଥିବା କପିଳବାସ୍ତୁ ଯେ କିପରି ଭାରତର ମଧ୍ୟଦେଶ ହେବ ତାହା ଏକ ଚିନ୍ତାର ବିଷୟ ‌। ବରଂଚ ସେ ମଗଧର ରାଜସଭାରେ ବିମ୍ବିସାରଙ୍କୁ ନିଜର ପରିଚୟ ଦେବାକୁ ଯାଇ କହିଛନ୍ତି ‌:-
ଭଜୁ ଜାନୋପଦୋରାଜା ହେମବନ୍ତସ୍ୟ ପସସତୋ।
ଧନି ବିରିୟେନ ସଂମ୍ପନ୍ନେ ତୋଷଳେସୁ ନିକେତିନୋ।।
ଏଠାରେ ହେମବନ୍ତକୁ ସ୍ବର୍ଣ୍ଣାଦ୍ରୀ ଏବଂ ତୋଷଳକୁ ଭୁବନେଶ୍ୱର ବୋଲି ପ୍ରମାଣ ଦେବାର ଆବଶ୍ୟକତା ନାହିଁ।  ଜାତକ ନିଦାନର ବର୍ଣ୍ଣନା ଅନୁଯାୟୀ ରାଜା ଶୁଦ୍ଧୋଦନ ପ୍ରତିବର୍ଷ ହଳ ସାହାଯ୍ୟରେ ନିଜେ ଚାଷକାର୍ଯ୍ୟର ଶୁଭାରମ୍ଭ କରୁଥିଲେ ଏବଂ ସେହିଦିନ ନଗ୍ରର ଠାକୁର ମାନେ ଚନ୍ଦନ ଭୁଷିତ ହୋଇ ପାଲିଙ୍କିରେ ରାଜଦାଣ୍ଡରେ ବିଜେ କରୁଥିଲେ। ଏବେ ମଧ୍ୟ ଆମ ଓଡ଼ିଶାରେ ଏହା ଅକ୍ଷୟ ତୃତୀୟା ଏବଂ ଚନ୍ଦନ ଯାତ୍ରା ଭାବରେ ପାଳନ କରାଯାଇଥାଏ। ବୁଦ୍ଧଙ୍କ ପ୍ରଥମ ଦୁଇ ଜଣ ଶିଷ୍ୟ ଉତ୍କଳର ଦୁଇ ସାଧବ ଭ୍ରାତା ଥିଲେ ତପସୁ ଏବଂ ଭଲ୍ଲିକ ଯିଏକି ବୁଦ୍ଧଙ୍କୁ ମଧୁପିଷ୍ଟକ ଖାଇବାକୁ ଦେଇଥିଲେ ଏବଂ ସେମାନଙ୍କ ସେବାରେ ଶନ୍ତୁଷ୍ଟ ହୋଇ ଗୌତମ ସେମାନଙ୍କୁ ଜ୍ଞାନ ପ୍ରଦାନ କରିଥିଲେ।
ବୁଦ୍ଧଦେବ ନିଜର ମାମୁଁଙ୍କ କନ୍ୟାକୁ ବିବାହ କରିଥିଲେ। ଏହି ପରମ୍ପରା ଓଡ଼ିଶା ସମେତ ଦକ୍ଷିଣ ଭାରତରେ ଦେଖାଯାଏ ମାତ୍ର ଉତ୍ତର ଭାରତରେ ଏହା କଦାଚିତ୍ ଦୃଷ୍ଟିଗୋଚର ହୁଏନାହିଁ। ବୁଦ୍ଧ ଜ୍ଞାନ ପ୍ରାପ୍ତି ପାଇଁ ଯିବା ସମୟରେ ନିଜ ସାରଥି ଛନ୍ଦକଙ୍କୁ ଏକ ଅରଣ୍ୟ ନିକଟରେ ବିଦାୟ ଦେଇଥିଲେ ତାଙ୍କ ନାମାନୁସାରେ ଅଦ୍ୟାବଧି ଚନ୍ଦକା ଜଙ୍ଗଲ ଏବଂ ଗ୍ରାମ ଅଦ୍ୟାବଧି ଭୁବନେଶ୍ୱର ଉପକଣ୍ଠରେ ବିଦ୍ୟମାନ। ଏହାପରେ ସେ ମହାନଇ ପାରହୋଇ କେଶନଗ୍ର ଆଡ଼କୁ ଯାଇଥିଲେ ଯାହାକୁ ବର୍ତ୍ତମାନ ମହାନଦୀ ଏବଂ କିଶନ ନଗର ଭାବରେ ଚିହ୍ନଟ କରାଯାଇଛି।
ଦୁଃଖର ବିଷୟ ଯେ ଭୁବନେଶ୍ଵର ଠାରୁ ଉଦ୍ଧାର କରାଯାଇଥିବା ଶିଳାଲେଖଟି ଏବେ ଓଡ଼ିଶାରେ ନାହିଁ। ତାହାର କେବଳ ଏକ ଫଟୋଚିତ୍ର (ନିମ୍ନରେ ପ୍ରଦର୍ଶିତ) ଯାହା ଆମ ପାଖରେ ଅଛି। ଏହି ଶିଳାଲେଖ ଜଣେ ବଙ୍ଗାଳୀ ବ୍ୟକ୍ତିଙ୍କ ବାଡ଼ିରୁ ଉଦ୍ଧାର କରାଯାଇଥିବାରୁ ସେ ତାହାକୁ କଲିକତାସ୍ଥ ଆଶୁତୋଷ ସଂଗ୍ରହାଳୟକୁ ବିକ୍ରି କରି ଦେଇଥିଲେ। ସୂଚନାଯୋଗ୍ୟ ସେଠାରେ ମଧ୍ୟ ଉକ୍ତ ଶିଳାଲେଖଟି ନାହିଁ। ଏହାକୁ ଲୁପ୍ତ କରିଦେବା ପଛର ମନ୍ଦ ଉଦ୍ଦେଶ୍ୟ ହେଉଛି ଏହି ଶିଳାଲେଖ ନମିଳିଲେ ବୁଦ୍ଧଦେବ ଯେ କପିଳେଶ୍ୱରରେ ଜନ୍ମଗ୍ରହଣ କରିଥିଲେ ଏହା ପ୍ରମାଣ କରିବା ଆମ୍ଭପକ୍ଷେ କଷ୍ଟସାଧ୍ୟ ହେବ।।
ବୁଦ୍ଧଂ ଶରଣଂ ଗଛ୍ଛାମି I
Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

4 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

4 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

5 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago