ଲେଖା: ଦେଵ ତ୍ରିପାଠୀ
ଐତିହାସିକ ନଗର ଯାଜପୁରର ଅନତିଦୂରର ପବିତ୍ର ବୈତରଣୀ ନଦୀ । ନଦୀ ଅପରପାର୍ଶ୍ବରେ ସେଇ ଗୋହିରାଟିକିରି ଗାଁ’ଟି ସିନା ଓଡ଼ିଶା ମାନଚିତ୍ରରେ ଏକ ସାଧାରଣ ରାଜସ୍ୱ ଗ୍ରାମ ଭାବେ ପରିଚିତ, କିନ୍ତୁ ଏ ରାଇଜର ଐତିହାସିକଗଣ ସେ ଗ୍ରାମକୁ ଦେଇଛନ୍ତି ଏକ ଅତୂଲ୍ୟ ସ୍ଥାନ, ଓଡ଼ିଶା ଇତିହାସରେ ! ଯୋଡ଼ହସ୍ତରେ ପ୍ରଣାମ କରିଛନ୍ତି ସେ ମାଟିକୁ ! ମଥା ପାତିଛନ୍ତି ସେ ବୀରରକ୍ତ-ରଞ୍ଜିତ ମାଟିରେ ! ଖୋଲିଦେଇଛନ୍ତି ସେ ମାଟିର ପ୍ରାଣବନ୍ତ ଇତିହାସକୁ !
ଭଦ୍ରକ ଜିଲ୍ଲା ଧର୍ମନଗର ପଞ୍ଚାୟତ ସମିତି ଅନ୍ତର୍ଗତ ଦୋବଲ ପଞ୍ଚାୟତର ଗାଁ ଗୋହିରାଟିକିରି । ସେ ଗାଁର ରଙ୍ଗମାଟିରେ କାନଡ଼େରିଲେ ଶୁଣିହୁଏ ଉତ୍କଳୀୟ ରାଜାଙ୍କ ରୋମାଞ୍ଚଭରା ବୀରତ୍ୱର ଗାଥା ! ସେଇ ଉଷ୍ମ ମାଟିରୁ ମଧ୍ୟ ଉତୁରି ଆସେ ବିଶ୍ୱାସଘାତକତାର ବିକଟ ଗନ୍ଧ !
୧୫୩୮ ମସିହାରେ ସୂର୍ଯ୍ୟବଂଶୀ ପ୍ରତାପୀ ମହାରାଜା ପ୍ରତାପରୁଦ୍ର ଦେବଙ୍କ ଅନ୍ତେ ଓଡ଼ିଶା ମାଟିରେ ଦେଖାଦିଏ ରାଜନୀତିକ ଅସ୍ଥିରତା ! କ୍ଷମତାଲିପ୍ସୁ ଧୂର୍ତ୍ତ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର ଗଜପତିଙ୍କ ଦୁର୍ବଳ ପୁତ୍ରଦ୍ଵୟଙ୍କୁ ହତ୍ୟା କରି ଅଧିକାର କରିନିଏ ରାଜଗାଦି ! ପ୍ରତିଷ୍ଠିତ ହୁଏ ଭୋଇବଂଶ !
ଭୋଇବଂଶୀ ରାଜା ମୁକୁନ୍ଦଦେବ ଏକଦା ଜିଣିଥିଲେ ବଙ୍ଗରାଜ୍ୟକୁ ! ଉଠାଇଥିଲେ ଭୋଇବଂଶର ବିଜୟଧ୍ୱଜା ଗଙ୍ଗାନଦୀ କୂଳରେ ! ତ୍ରିବେଣୀଘାଟ ଅବା ମୁକୁନ୍ଦଘାଟ ପ୍ରତିଷ୍ଠା କରିଥିଲେ ସେଠାରେ !
ଓଡ଼ିଶା ମାଟିରେ କିନ୍ତୁ କ୍ଷମତାର ଲୋଭ ସହିତ ଇର୍ଷାର ନିଆଁ ଜଳୁଥିଲା ! ମୁକୁନ୍ଦଦେବଙ୍କ ଅବର୍ତ୍ତମାନରେ ମୁଣ୍ଡ ଟେକିଲା ସାରଙ୍ଗଗଡ଼ର ଧୂର୍ତ୍ତ ସାମନ୍ତରାଜା ରାମଚନ୍ଦ୍ର ଭଞ୍ଜ ! ନିଜକୁ ଅଭିହିତ କଲା ଗଜପତି ଭାବେ !
ସେପଟେ ମୁକୁନ୍ଦଦେବଙ୍କ ପ୍ରତିପତ୍ତିର ବିସ୍ତାରରେ ଅନ୍ତରରେ ଜଳୁଥିଲା ବଙ୍ଗର ନବାବ ସୁଲେମାନ । ମୁକୁନ୍ଦ ଦେବଙ୍କୁ କଳେବଳେ ନିପାତ କରି ଓଡ଼ିଶାଭୂଖଣ୍ଡର ଅଧୀଶ୍ଵର ହେବା ଲକ୍ଷ୍ୟରେ ସୁଲେମାନ ସହିତ ହାତ ମିଳାଇବା ପାଇଁ ନିଜର ସେନାପତି ଶିଖିମନାଇଙ୍କୁ ପ୍ରେରଣ କରି ବିଶ୍ୱାସଘାତକତାର ପ୍ରଥମ ବୀଜରୋପଣ କରିଥିଲା ରାଜା ରାମଚନ୍ଦ୍ର !
ସୁଲେମାନର ଆକ୍ରମଣ ଯୋଜନା ବିଷୟରେ ଅବଗତ ହୋଇ ଗଙ୍ଗାତଟରୁ ଝପଟି ଆସିଥିଲେ ମୁକୁନ୍ଦଦେବ । ଗୋହିରାଟିକିରି ଠାରେ ମୁକୁନ୍ଦ ଦେବ ଲଢିଥିଲେ ସୁଲେମାନ, ଦୁର୍ଦ୍ଧର୍ଷ ଆଫଗାନ ବାହିନୀ ତଥା ରାମଚନ୍ଦ୍ର ସହିତ ଅନ୍ୟାନ୍ୟ କ୍ଷମତାଲୋଭୀ ରାଜା କେଇଜଣଙ୍କ ସହ !
ରାମଚନ୍ଦ୍ରର କ୍ଷମତା ଓ ରାଜ୍ୟପ୍ରାପ୍ତିର ମୋହ ଥିଲା ଅହେତୁକ ! ଚଞ୍ଚକତା ପୂର୍ବକ ପଶ୍ଚାତଦେଶରୁ ଛୁରିକାଘାତ କରିଥିଲା ସେ ! ପରିତାପର ବିଷୟ, ମୁକୁନ୍ଦ ହରିଚନ୍ଦନ ଦେବ ବାହ୍ୟଶତ୍ରୁଙ୍କ ହାତରେ ନିଧନ ହୋଇ ନ ଥିଲେ, ତାଙ୍କୁ ହତ୍ୟା କରିଥିଲେ ତାଙ୍କ ଆପଣାର ଲୋକେ ।
ଗୋହିରାଟିକିରିର ରକ୍ତାକ୍ତ ମାଟିରେ ଲେଖାହୋଇଗଲା ବୀରତ୍ୱର ଗାରିମା ସହିତ ବିଶ୍ୱାସଘାତକତାର କଳାକାହାଣୀ !
ଗଉରବବିଜଡିତ ଗୋହିରାଟିକିରି ଗ୍ରାମର ଶେଷପ୍ରାନ୍ତରେ ଗେଙ୍ଗୁଟି ନଦୀକୂଳର ସେ ବିସ୍ତୀର୍ଣ୍ଣ ପଡ଼ିଆଟି ସେଇ ବୀରତ୍ୱର ନିରବିତ ସାକ୍ଷୀ ! ସୁଲେମାନର ସହଯୋଗୀ ଆଲାମଚାନ୍ଦଙ୍କ ନାମାନୁସାରେ ତଥା ସୈନ୍ୟ ମାନଙ୍କ ବ୍ୟବହାର ପାଇଁ ଖନନ କରାଯାଇଥିବା ଆଲାମଚାନ୍ଦ ପୋଖରୀ, ରାଣୀ ପୋଖରୀସେନାପତିଆ ପୋଖରୀ ଏବେ ମଧ୍ୟ ବହନକରେ ସେଇ ଭୟଙ୍କର ଯୁଦ୍ଧର ସ୍ମୃତି !
ଯୁଦ୍ଧ ପଡ଼ିଆର ଶେଷଭାଗରେ ଏକ ପୁରୁଣା ଅର୍ଜୁନ ବୃକ୍ଷମୂଳରେ କେହି ଜଣେ ସ୍ଥାପନ କରିଥିଲେ ହନୁମାନଙ୍କ ପ୍ରସ୍ତର ମୂର୍ତ୍ତି ଏବଂ ପରବର୍ତ୍ତୀ ସମୟରେ ମୁକୁନ୍ଦଦେବଙ୍କ କଳା ମୁଗୁନିପ୍ରସ୍ତରର ମୂର୍ତ୍ତି ।
ବୀରରକ୍ତସିକ୍ତ ଗୋହିରାଟିକିରି ମାଟିର ସନ୍ତାନମାନେ ଓଡ଼ିଶାର ଶେଷ ହିନ୍ଦୁସମ୍ରାଟ ମୁକୁନ୍ଦଦେବଙ୍କୁ ହୃଦୟରେ ଦେଇଥିଲେ ଦେବତାର ସ୍ଥାନ ! ହନୁମାନଙ୍କ ସହ ପୂଜା ଅର୍ଘ୍ୟ ମଧ୍ୟ ପାଉଥିଲେ ବୀରରାଜା !
ଏବେ ସେସବୁ ଇତିହାସ !
ଏବେ ଓଡ଼ିଆଙ୍କ ବୀରତ୍ୱର ପରାକ୍ରମର ଗାଥା ଶୁଣାଉଥିବା ସେଇ ବୀରଭୂମିରେ କିନ୍ତୁ ସେ ଦେବତାଦ୍ଵୟ ଅପାଙ୍କ୍ତେୟ ! ଉଭୟ, ମହାବୀର ହନୁମାନ ! ମହାବୀର ମୁକୁନ୍ଦ ହରିଚନ୍ଦନ ଦେବ ମଧ୍ୟ !
ତଥ୍ୟ ଆହରଣ:
୧. ଓଡ଼ିଶା ଇତିହାସ, ପ୍ରୀତୀଶ ଆଚାର୍ଯ୍ୟ
୨. ଉତ୍କଳ ପ୍ରସଙ୍ଗ, ଜୁଲାଇ ୨୦୧୪
୩. Orissa District Gazetteers, Baleswar
୪. ମହନ୍ତ ବୀରବର ଦାସ, ଗୋହିରାଟିକିରି ମଠ
୫. ଗୋନାସିକା ନନ୍ଦିନୀ ବୈତରଣୀ, ରଞ୍ଜନ ପ୍ରଧାନ
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago