ଜଣା ଅଜଣା

ଔଷଧଶାସ୍ତ୍ରରେ କଳିଙ୍ଗ

ଲେଖା: ଡାକ୍ତର କୁମାର ଅରୋଜ୍ୟୋତି
ପ୍ରାଚୀନ କାଳରେ କଳିଙ୍ଗ ଏକ ସମୃଦ୍ଧ ଦେଶ ଭାବରେ ନିଜ ପାଇଁ ସମଗ୍ର ଭାରତବର୍ଷରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା, ତାହା କଳାରେ ଉତ୍କର୍ଷତା ପାଇଁ ହେଉ କି ନୌବାଣିଜ୍ୟ ପାଇଁ ହେଉ, ଧର୍ମର ପ୍ରଚାର ପ୍ରସାର ପାଇଁ ହେଉ କି ଯୁଦ୍ଧ କ୍ଷେତ୍ରରେ ବୀରତ୍ବ ପାଇଁ ହେଉ, ଓଡ଼ିଆଙ୍କ ଏହି ପ୍ରିୟ ଜନ୍ମଭୂମି ସେତେବେଳର ଅନ୍ୟାନ୍ୟ ସମୃଦ୍ଧ ଦେଶଗୁଡିକ ଠାରୁ କୌଣସି ଗୁଣରେ କମ ନଥିଲା । ତେବେ ଆମମାନଙ୍କ ମଧ୍ୟରୁ ଅନେକ ଜାଣିନଥିବେ ଯେ ବନୌଷଧି ଏବଂ ଆୟୁର୍ବେଦ ଅବା ଔଷଧଶାସ୍ତ୍ରରେ କଳିଙ୍ଗ ନାମଟିର ଏକ ବିଶେଷ ମହତ୍ତ୍ୱ ରହିଥିଲା; ଆସନ୍ତୁ ସେ ସମ୍ପର୍କରେ ଜାଣିବା ।
ବନୌଷଧି ଶାସ୍ତ୍ରରେ କୌଣସି ଔଷଧୀୟ ବୃକ୍ଷର ବର୍ଣ୍ଣନା କରିବା ସମୟରେ ତାହାର ବିଭିନ୍ନ ନାମ ବା ପର୍ଯ୍ୟାୟ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ ଯାହାଦ୍ୱାରା କି ସେହି ଔଷଧୀୟ ବୃକ୍ଷ ସମ୍ବନ୍ଧରେ ସବିଶେଷ ତଥ୍ୟ ମିଳିପାରିଥାଏ । ଉଦାହରଣ ସ୍ୱରୂପ ‘ପିପ୍ପଳୀ’ । ଏହାର ବିଭିନ୍ନ ନାମ ଗୁଡିକ ହେଉଛି ‘ବୈଦେହୀ’ ବା ‘ମାଗଧୀ’ (ଏହା ‘ବିଦେହ’ ବା ‘ମଗଧ’ ଦେଶରେ ବିଶେଷ ଭାବରେ ଉପଲବ୍ଧ ହେଉଥିବାରୁ), ‘କୋଳା’ (ଏହାର ପ୍ରତ୍ୟେକ ଫଳର ଓଜନ ପ୍ରାୟଃ ଏକ ‘କୋଳ’ ଓଜନର ହୋଇଥିବାରୁ), ‘ଉପକୂଲ୍ୟା’ (ଏହା ବିଶେଷ କରି ‘ଉପକୂଳ’ ଅଞ୍ଚଳରେ ଦେଖାଯାଉଥିବାରୁ), ‘କୃଷ୍ଣା’ (ଏହାର ଶୁଷ୍କ ଫଳର ବର୍ଣ୍ଣ ‘କୃଷ୍ଣ’ ହୋଇଥିବାରୁ) ଇତ୍ୟାଦି ।
ସେହିପରି ‘କୁଟଜ’ ବା ‘କେରୁଆଁ’ ଗଛର ପର୍ଯ୍ୟାୟଗୁଡିକ ମଧ୍ୟରୁ ଅନ୍ୟତମ ହେଉଛି ‘କଳିଙ୍ଗ’ । ‘କୁଟ’ ବା ପର୍ବତଶୃଙ୍ଗରେ ଉଦ୍ଭବ ହେଉଥିବାରୁ ଏହାର ନାମ ‘କୁଟଜ’ ଏବଂ ‘କଳିଙ୍ଗ’ ଦେଶରେ (ବିଶେଷ କରି ପ୍ରାଚୀନ କଳିଙ୍ଗର ମହେନ୍ଦ୍ର ପର୍ବତରେ) ଏହା ବହୁଳ ଭାବରେ ଦେଖାଯାଉଥିବାରୁ ଏହାର ନାମ ‘କଳିଙ୍ଗ’ ହୋଇଛି । ଏହାମଧ୍ୟ କଲିଙ୍ଗକଃ, କଳିଙ୍ଗଦୃଃ, କଳିଙ୍ଗଯବଃ (କୁଟଜ ବୀଜ) ଇତ୍ୟାଦି ନାମରେ ଖ୍ୟାତ । ଏହି ଗଛର ଲାଟିନ ନାମ ହେଉଛି  Holarrhena antidysenterica । ଏହା ବିଶେଷ କରି ଅତିସାର ବା dysentery ରୋଗରେ ଏକ ଅମୋଘ ଔଷଧ ରୂପେ ବ୍ୟବହୃତ ହୁଏ । ଏହା ମଧ୍ୟ କଫପିତ୍ତ ଶାମକ, ଅଗ୍ନିବର୍ଦ୍ଧକ ଏବଂ ଗ୍ରହଣୀ, ଆମଦୋଷ, ରକ୍ତପିତ୍ତ, ତୃଷ୍ଣା, ଅର୍ଶ ଓ ଚର୍ମରୋଗ ଆଦିରେ ଲାଭଦାୟକ ।
ଏହି ‘କୁଟଜ’ରୁ ପ୍ରସ୍ତୁତ ଦୁଇଟି ଔଷଧ ମଧ୍ୟ ‘କଳିଙ୍ଗ’ ନାମରେ ନାମିତ । ଯଥା – କଳିଙ୍ଗାଦି କଷାୟ (ପିତ୍ତ ଜ୍ବରଘ୍ନ) ଏବଂ କଳିଙ୍ଗାଦ୍ୟ ଗୁଡିକା (ଜ୍ବରାତିସାରଘ୍ନ) ।
ସେହିପରି ଆଉ ତିନୋଟି ବନୌଷଧି ମଧ୍ୟ କଳିଙ୍ଗ ନାମରେ ନାମିତ ହୋଇଥିବାର ଅନୁମାନ କରାଯାଏ । ସେଗୁଡିକ ହେଲା –
୧) କର୍କଟଶୃଙ୍ଗୀ (କକଡ଼ା ଶୃଙ୍ଗୀ)
୨) ଶ୍ଵେତ ତ୍ରିବୃତ
୩) ପାଣିକଖାରୁର ଏକ ପ୍ରଜାତି
କର୍କଟଶୃଙ୍ଗୀ ଏବଂ ଶ୍ଵେତ ତ୍ରିବୃତ ଉଭୟେ ‘କଳିଙ୍ଗା’ ନାମରେ ଖ୍ୟାତ  ହୋଇଥିବା ସ୍ଥଳେ ପାଣିକଖାରୁର ଏକ ବିଶେଷ ପ୍ରଜାତି ‘କାଳିଙ୍ଗ’ ନାମରେ ଖ୍ୟାତ ଥିଲା ।
ସେହିପରି ପ୍ରାଚୀନ କାଳରେ କଳିଙ୍ଗ ଦେଶରେ ଉପଲବ୍ଧ ‘ଶୁଣ୍ଠି’ ମଧ୍ୟ ବିଶେଷ ଗୁଣଯୁକ୍ତ ହୋଇଥିବାରୁ ଏହା ‘କଳିଙ୍ଗ ଶୁଣ୍ଠି’ ନାମରେ ପ୍ରସିଦ୍ଧି ଲାଭ କରିଥିଲା ।
ଏହିପରି ଭାବରେ ଅତି ପ୍ରାଚୀନ ସମୟରୁ ବନୌଷଧି ଏବଂ ଔଷଧଶାସ୍ତ୍ରରେ କଳିଙ୍ଗ ଦେଶର ଏକ ସ୍ୱତନ୍ତ୍ର ଭୂମିକା ରହିଥିଲା । ଏ ଦେଶର ଵୈଦ୍ୟମାନେ ମଧ୍ୟ ଚିକିତ୍ସା ଶାସ୍ତ୍ରରେ ଉତ୍କର୍ଷତା ଅର୍ଜ୍ଜନ କରିଥିବା କାରଣରୁ ସେତେବେଳର କଳିଙ୍ଗ, ଆୟୁର୍ବେଦ ଜଗତରେ ଏକ ସମ୍ମାନସ୍ପଦ ସ୍ଥାନ ଅଳଙ୍କୃତ କରିଥିଲା ଯାହାର ପ୍ରମାଣ ହେଉଛି ସ୍ୱତନ୍ତ୍ର ‘ମାନ’ ବା Weights and Measures ଭାବେ ପ୍ରଚଳିତ ସେତେବେଳର ‘କଳିଙ୍ଗ ମାନ’ ଏବଂ ସଂଖ୍ୟାଧିକ ସ୍ଥାନୀୟ ଔଷଧର ବହୁଳ ବ୍ୟବହାର ଯାହାକି ଭାରତବର୍ଷର ଅନ୍ୟ ସ୍ଥାନମାନଙ୍କରେ ଦେଖିବାକୁ ମିଳେନାହିଁ ।
ଜୟ ଉତ୍କଳ ! ଜୟ କଳିଙ୍ଗ !
Spread the love
admin

Recent Posts

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 day ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

2 days ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

2 days ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

2 days ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

2 weeks ago