ଓଡ଼ିଶାରେ ରଙ୍ଗମଞ୍ଚର ବିକାଶ ସହ ରାସରସିକତା-ପ୍ରସୂତ-ଶ୍ରୁତିସୁଖକର ନାଟକୀୟତାର ଯେଉଁ ପ୍ରଲେପନ ମନୋରଞ୍ଜନ ରସାର୍ଣ୍ଣବକୁ ଅମୃତାପ୍ଳୁତ କରି ଜନମାନସକୁ ରସାର୍ଦ୍ର କରେ, ସେହି ଲୀଳାଯାତ୍ରାର ଜଣେ ବଦାନ୍ୟ ଓ ବହୁମୁଖୀ-ପ୍ରତିଭାଧର-ପ୍ରବର୍ତ୍ତକ ଥିଲେ ଗୋବିନ୍ଦଚନ୍ଦ୍ର ଶୂରଦେଓ।
ବେଶ-ପାଟବ, ସଙ୍ଗୀତ-ସଂଯୋଜନା ସହ ଉନ୍ନତ ଦୃଶ୍ଯ ବିଭାଜନ ଫଳେ ସେ ଦେଇଥିଲେ ଚିତ୍ତବିନୋଦନକ ନାଟ୍ୟ-କଳା-ରସକୁ ଗୋଟିଏ ନବୀନ ଯୁଗର ଉପପାଦ୍ୟ ଆଉ ତୋଳି ଦେଇଥିଲେ ଓଡ଼ିଶାର ଅଗଣିତ ପ୍ରାଣବନ୍ତ ସମ୍ଭାରରେ ଦେଶପ୍ରେମର ଜୈତ୍ରାଗ୍ନି ! ତାଙ୍କ ଦେଶାନୁରାଗର ଗୋଟିଏ ମନୋଜ୍ଞ ପ୍ରତିଫଳନ ଘଟେ “ଉତ୍କଳ ଜନନୀଙ୍କର କରୁଣ ଗୀତି” ମାଧ୍ୟମରେ। ସୁନ୍ଦର ଛାନ୍ଦିକତାରେ ସେ ଲେଖିଛନ୍ତି –
“କାହିଁ ସେ ଶ୍ଯାମଳ ସୁନ୍ଦର ଶସ୍ୟ,
କାହିଁ ସେ ସମୀର ହିଲ୍ଲୋଳ ହାସ୍ଯ
କାହିଁ ସେହି କାନ୍ତି, କାହିଁ ସେହି ଶାନ୍ତି,
ଯେଉଁ ପ୍ରେମେ ପ୍ରାଣ-ଛନ୍ଦିତ।
କାହିଁ ସେ ବୀରଙ୍କ ରଣ-ଝଙ୍କାର,
କାହିଁ ସେ ଗରବ, କାହିଁ ଗଉରବ
କାହିଁ ଦମ୍ଭେ ଦମ୍ଭ ବାନ୍ଧିବି?
× ×××××× ×× ×××× ×××
କହ କୃପାନିଧି, କେତେ ନୀରନିଧି,
କୂଳେ ମୁଁ କାତରେ କାନ୍ଦିବି
କହ କେଉଁ ଦୋଷେ ରାତିକି ଦିବସେ,
ବସି ଦୁଃଖ ହାର ପିନ୍ଧିବି?”
ତରଳାଗଡ଼ (ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ) ରାଜବଂଶରେ ଗୋବିନ୍ଦଚନ୍ଦ୍ର ଶୂରଦେଓ ୧୮୮୪ ମସିହା ଏପ୍ରିଲ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପୁରୀ ଜିଲ୍ଲାର ପୂର୍ବତନ ଗଡ଼ଜାତ ନୟାଗଡ଼ରେ ସେ ଲାଳିତ ପାଳିତ ହେଇଛନ୍ତି । ନୟାଗଡ଼ ରାଜବାଟୀର ଅତି ଆଦରର ‘ଭଣଜା ସାଆନ୍ତ’ ଥିଲେ। କାରଣ, ନୟାଗଡ଼ ରାଜ୍ୟରେ ଚତୁର୍ବିଂଶତିତମ ପୁରୁଷର ରାଜା ରଘୁନାଥ ସିଂହ ମାନଧାତା ଶୂରଦେଓ ତାଙ୍କ ମାତୁଳ ଥିଲେ। ନୟାଗଡ଼ରେ ମଧ୍ୟ ଇଂରାଜୀ ଶିକ୍ଷା ସମାପ୍ତ ହେବା ପରେ କଟକ କାଳୀଘରଠାରେ ଗୋଟିଏ ଭଡ଼ା ଘର ନେଇ ରହି ରେଭେନ୍ସାରେ ପଢିଲେ।
ରାଜାନୁରଞ୍ଜକ-ବ୍ୟବସ୍ଥା ଫଳେ ତାଙ୍କର ରହଣି ଚଳଣି ସୁରୁଖୁରୁରେ ସମ୍ପାଦନ ହୁଏ। ଊନବିଂଶ ଶତାବ୍ଦୀର ପ୍ରଥମ ଦଶକ ଭିତରେ ତାଙ୍କର ଶିକ୍ଷା ସମାପ୍ତ ହୁଏ। ୧୯୧୧ ମସିହାରେ କେନ୍ଦ୍ରାପଡାର ଖ୍ୟାତନାମା ଜମିଦାର ରାଧାଶ୍ଯାମ ନରେନ୍ଦ୍ରଙ୍କ ଦ୍ଵିତୀୟ ନାତି ଶ୍ଯାମସୁନ୍ଦରଙ୍କ କନ୍ୟା ଚନ୍ଦ୍ରପ୍ରଭା ରାଜଜେମାଙ୍କ ସହ ବିବାହ ଅନୁଷ୍ଠିତ ହୁଏ। ଯୌତୁକ ଆକାରରେ ପାଇଥିବା କଟକରେ ପ୍ରସିଦ୍ଧ ଜଗନ୍ନାଥ ବଲ୍ଲଭ ଦ୍ଵିତଳ ପ୍ରାସାଦ, ଯେଉଁଠି ଆରମ୍ଭ ହୁଏ ତାଙ୍କ ପ୍ରତିଭାଧର ଜୀବନର ଲଗ୍ନ। ପୁନଶ୍ଚ ଭାଷା ଆନ୍ଦୋଳନ ଓ ୧୮୬୬ ଦୁର୍ଭିକ୍ଷ ଓଡ଼ିଆ ଭାଷାକୁ ଯେଉଁ ଖୋରାକ ଦେଇଥିଲା, ଯୁବଚେତନାରେ ନବୀନ ପ୍ରେରଣା ଓ ଉନ୍ମାଦ ଜାଗ୍ରତ କରିଥାଏ।
ରାସଲୀଳାକୁ ଅତ୍ୟାଧୁନିକ ନାଟ୍ୟରୂପ ଦେବାରେ ଗୋବିନ୍ଦଚନ୍ଦ୍ର ଶୂରଦେଓ ଥିଲେ ପ୍ରଥମ ଦୂରଦ୍ରଷ୍ଟା। କାଳିନ୍ଦୀ ଚରଣ ଲେଖିଲେ – “ଶୂରଦେଓଙ୍କ ପଦାଙ୍କ ଅନୁସରଣ କରି ମୋହନ ସୁନ୍ଦର ଦେବ ଗୋସ୍ଵାମୀ ଅନ୍ୟ ଏକ ରାସଦଳ ଗଠନ କରିଥିଲେ। ତାହାଙ୍କ ରାସଯାତ୍ରା ମଧ୍ୟ ଓଡ଼ିଶାରେ ସୁନାମ ଅର୍ଜନ କରେ। କାନ୍ତକବି ଲକ୍ଷ୍ମୀକାନ୍ତ, କବିଚନ୍ଦ୍ର କାଳୀଚରଣ ଓ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ଏ ଦିଗରେ ଥିଲେ ଶୂରଦେଓଙ୍କ ଉତ୍ତର ସାଧକ ଓ ଶୂରଦେଓ ହିଁ ଏମାନଙ୍କ ପଥପ୍ରଦର୍ଶକ….”
ଗୋବିନ୍ଦ ଶୂରଦେଓଙ୍କ ନାଟକ ପ୍ରହସନ ଗୁଡିକ ହେଲା – ‘ନରମେଧ ଯଜ୍ଞ’, ‘ରାସଲୀଳା’, ‘ସୁବଳ ମିଳନ’, ‘ମାନଭଞ୍ଜନ’, ‘ମାୟା ଶବରୀ’, ‘ଶ୍ରୀକୃଷ୍ଣ ମହିମା’, ‘ଇନ୍ଦ୍ରସଭା’, ‘ମେବାର ପୁତ୍ର’, ‘କୁଳରକ୍ଷା ଫାର୍ସ’, ‘ପାଠୋଇ ବୋହୂ ଫାର୍ସ’, ‘ଗୋପେଶ୍ଵର ପୂଜା ନାଟକ’, ‘ହିନ୍ଦୋଳ ବିଜୟ’, ‘ମୁକୁନ୍ଦ ଦେବ’, ‘ଧ୍ରୁବଚରିତ’, ‘ଉତ୍କଳ ରମଣୀ’, ‘ନରକାସୁର ବଧ’, ‘ମହନ୍ତ ଫାର୍ସ’, ‘ହସକୌତୁକ ଫାର୍ସ’ ପ୍ରଭୃତି। ଅନେକ ଅସୁବିଧା, ଅନଟନ ଓ ଦୈନ୍ୟ ପରେ ଗଞ୍ଜାମ ଜିଲ୍ଲାର ଶେରଗଡ଼ଠାରେ ଅବସ୍ଥାନ କରିଥିଲେ। ୧୯୩୯ ମସିହା ଜୁନ ୧୫ ତାରିଖ ଗୋଟିଏ ନାଟକ ମଞ୍ଚସ୍ଥ କରାଇ ସାରିଲା ବେଳେ ସିଏ ଆଉ ଇହଧାମରେ ନଥାନ୍ତି। ନାଟକୀୟ ବିପ୍ଳବର ଯେଉଁ ବୈତାଳିକ ଗୁଞ୍ଜରଣ ସୃଷ୍ଟି ହୋଇଥିଲା, ତାହା ପ୍ରେରିତ କରିଥିଲା ସହସ୍ର ନାଟ୍ଯକାରମାନଙ୍କୁ।
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…
View Comments
ଓଡ଼ିଆ ମାଟିର ସାଂସ୍କୃତିକ ମଣିଷ ଗୋବିନ୍ଦ ଚନ୍ଦ୍ର ଶୁରଦେଓ । ପ୍ରଣାମ ଜଣାଉଛି।